Jump to content

ଓଡ଼ିଆ ଭାଗବତ

ଉଇକିପିଡ଼ିଆ‌ରୁ
ତାଳପତ୍ର ପୋଥିରେ ଖୋଦିତ ଭାଗବତର ପଦ
ଓଡ଼ିଆ ଭାଗବତ  
ଲେଖକଜଗନ୍ନାଥ ଦାସ
ମୂଳ ନାମଶ୍ରୀମଦ ଭାଗବତ
ଦେଶଭାରତ
ଭାଷାଓଡ଼ିଆ
ବିଭାଗପୁରାଣ
ମାଧ୍ୟମ ପ୍ରକାରଛପା (ବନ୍ଧାଇ, ସାଦା ବନ୍ଧାଇ) ଓ ଅନଲାଇନ (ଉଇକିପାଠାଗାରରେ)

ଓଡ଼ିଆ ଭାଗବତ ୧୪ଶ ଶତାବ୍ଦୀରେ ଜଗନ୍ନାଥ ଦାସଙ୍କ ରଚିତ ଏକ ଓଡ଼ିଆ ପଦ୍ୟାବଳୀ ।[][] ପ୍ରଥମେ ଏହା ତାଳପତ୍ର ପୋଥିରେ ଲେଖାଯାଇଥିଲା । ପରେ ସେହି ପୋଥିମାନଙ୍କୁ ଏକାଠି କରି ଛପା ବହି ଆକାରରେ ପ୍ରକାଶକରାଗଲା । ଓଡ଼ିଶାରେ ପାରମ୍ପାରିକ ଭାବେ ଭାଗବତ ଭାଗବତ ଟୁଙ୍ଗି, ଭାଗବତ ଗାଦି ବା ଭାଗବତ ଗୋସାଇଁ ଆଦିରେ ସାମୁହିକ ପଠନ ପାଇଁ ରହିଥିଲା । ସେଠାରେ ସଞ୍ଜ ଦେବା ପରେ ଭାଗବତ ବୋଲାଯାଉଥିଲା । ପରେ ଭାଗବତ ଟୁଙ୍ଗିର ସଂଖ୍ୟା କମିଯିବା ପରେ ଏହା ଓଡ଼ିଆ ଘରମାନଙ୍କରେ ସାମୁହିକ ବଦଳରେ ଏକକ ଭାବେ ବୋଲାଯାଇଥାଏ । ଜଗନ୍ନାଥଙ୍କ ପାଖରେ ମଧ୍ୟ ଭାଗବତ ପଢ଼ାଯାଏ । ଭାଗବତ ଓଡ଼ିଆ ହିନ୍ଦୁ ଘରେ ସନ୍ତାନ ଜନ୍ମହେବା ପରେ ଏନ୍ତୁଡ଼ିଶାଳରେ ଏବଂ ମୁମୂର୍ଷୁର ଶେଯ ପାଖରେ ପଢ଼ାଯାଏ । ଆଗରୁ ବସନ୍ତ ଓ ହଇଜା ଆଦି ରୋଗ ଓ ଗ୍ରାମର ଅନିଷ୍ଟ ଦୂର ପାଇଁ ଭାଗବତ ପାଠ କରାଯାଉଥିଲା । ଭାଗବତ ବାର ସ୍କନ୍ଧରେ ବିଭକ୍ତ ଏବଂ ପ୍ରତି ସ୍କନ୍ଧରେ ଦଶରୁ ତିରିଶଟି ଅଧ୍ୟାୟ ରହିଛି । ପ୍ରତିଦିନ ଗୋଟିଏ ଗୋଟିଏ ଅଧ୍ୟାୟ ପାଠ କଲେ ଏହା ଠିକ ଏକ ବର୍ଷ ବା ୩୬୫ ଦିନରେ ସରିଥାଏ ।

ଇତିହାସ

[ସମ୍ପାଦନା]
ପଟ୍ଟଚିତ୍ରରେ ଅଙ୍କା ଭାଗବତର କୃଷ୍ଣ-ବଳରାମଙ୍କ ଚିତ୍ରଣ

ବ୍ୟାସଦେବ ରଚିତ ସଂସ୍କୃତ ଭାଗବତ ଓଡ଼ିଆ ଭାଷାଭାଷୀଙ୍କ ନିକଟରେ ଆଦୃତ ହୋଇପାରିନଥିଲା । ଜଗନ୍ନାଥ ଦାସଙ୍କ ପିତା ଭଗବାନ ଦାସ ବଡ଼ଦେଉଳରେ ପୁରାଣପଣ୍ଡା ଥିଲେ । ତାଙ୍କ ପରେ ଜଗନ୍ନାଥ ଦାସ ପୁରାଣପଣ୍ଡା ହେଲେ । ସେ ସଂସ୍କୃତ ଭାଗବତକୁ ସରଳଭାଷାରେ ବୁଝାଇ ଦେଉଥିଲେ । ପିତାଙ୍କ ଦେହାନ୍ତ ପରେ ଜଗନ୍ନାଥଙ୍କ ବୋଉ ଓଡ଼ିଆ ଭାଷାରେ ପଦ୍ୟରୂପରେ ଶୁଣିବା ପାଇଁ ପୁଅକୁ କହିଲେ । ତେଣୁ ସେ ଅଧ୍ୟାୟେ ଅଧ୍ୟାୟେ ପଦ୍ୟାନୁବାଦ ଶୁଣାଇବାକୁ ଲାଗିଲେ । ସେହି ପଦ୍ୟାନୁବାଦ ଭାଗବତ ଗ୍ରନ୍ଥର ରୂପ ନେଲା ଓ ଲୋକାଦୃତ ହେଲା । ପରେ ଜଗନ୍ନାଥ ମନ୍ଦିର ବେଢ଼ାରେ ନିତି ଭାଗବତ ପାଠ ହେଲା ଓ ଭକ୍ତଗଣ ଶୁଣିବାକୁ ଆସୁଥିଲେ । ଏଥିରେ ମୂଳ ସଂସ୍କୃତ ଭାଗବତର ମଙ୍ଗଳାଚରଣ ସ୍ଥାନପାଇବା ଦେଖିବାକୁ ମିଳେ ।[]

ପଦ୍ୟାବଳୀ

[ସମ୍ପାଦନା]

ଭାଗବତ ନବାକ୍ଷରୀ ଛନ୍ଦରେ ରଚିତ ।[] ଓଡ଼ିଆ ଭାଗବତରେ ସଂସ୍କୃତ ଭାଗବତର ମର୍ମାନୁବାଦ ରହିଛି । ମୂଳ ସଂସ୍କୃତ ଭାଗବତ ଭଳି ଏହା ବାର ସ୍କନ୍ଧ ବିଶିଷ୍ଟ । ତେବେ କେତେକ ରଚନାରେ ତ୍ରୟୋଦଶ ସ୍କନ୍ଧର ବର୍ଣ୍ଣନା ଦେଖିବାକୁ ମିଳେ । ତେବେ ଓଡ଼ିଆ ଭାଗବତ ତାତ୍କାଳିକ ଓଡ଼ିଆ ସାମାଜିକ ବ୍ୟବସ୍ଥାକୁ ଭିତ୍ତିକରି ରଚିତ ଏକ ଲୋକସାହିତ୍ୟ । ଏଥିରେ ସୁଖପାଠ୍ୟତା, ଲଳିତ ଓ କୋମଳ ପଦାବଳୀ ତଥା ସହଜ ଗାନଯୋଗ୍ୟ ନବାକ୍ଷରୀ ଛନ୍ଦ ରହିଛି ।[]

ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ।

ପଦୁ ଗଡ଼ୁଛି ମକରନ୍ଦ ॥
ସେ ମକରନ୍ଦ ପାନ କରି ।
ହେଳେ ତରିଲେ ବ୍ରଜନାରୀ ॥
ସେ ବ୍ରଜନାରୀଙ୍କ ପୟରେ ।
ମନ ମୋ ରହୁ ନିରନ୍ତରେ ॥
ମନ ମୋ ନିରନ୍ତରେ ଥାଉ ।

ହା କୃଷ୍ଣ ବୋଲି ଜୀବ ଯାଉ ॥

— ଜଗନ୍ନାଥ ଦାସ, ଭାଗବତ ବାଣୀ
  1. "ATIBADI JAGANNATHA DAS, POET THE GREAT". Archived from the original on 2014-06-28. Retrieved 2011-06-22.
  2. EMINENT PERSONALITIES FROM PURI
  3. ଜଗନ୍ନାଥ ଦାସ କୃତ, ଗୀତା ପ୍ରେସ, ଗୋରଖପୁରଦ୍ୱାରା ପ୍ରକାଶିତ, ଶ୍ରୀମଦ୍‌ଭାଗବତ ମହାପୁରାଣ, Odia Section3-2 back:
  4. ଧରିତ୍ରୀ ଛୁଟିଦିନ ୭-୧୩ଜୁନ ୨୦୧୫
  5. "Rethinking the History of the 'Odia Identity': An Appraisal in Jagannath Das' s 'Odia Bhagavata.'" (PDF). www.odisha.gov.in. Retrieved 6 November 2018.[permanent dead link]

ବାହାର ଲିଙ୍କ

[ସମ୍ପାଦନା]