ଓଡ଼ିଆ ଭାଗବତ

ଉଇକିପିଡ଼ିଆ ରୁ
Jump to navigation Jump to search
ଓଡ଼ିଆ ଭାଗବତ  
ଲେଖକଜଗନ୍ନାଥ ଦାସ
ମୂଳ ନାଆଁଶ୍ରୀମଦ ଭାଗବତ
ଦେଶଭାରତ
ଭାଷାଓଡ଼ିଆ
ବିଭାଗପୁରାଣ
ମାଧ୍ୟମ ପ୍ରକାରଛପା (ବନ୍ଧାଇ, ସାଦା ବନ୍ଧାଇ) ଓ ଅନଲାଇନ (ଉଇକିପାଠାଗାରରେ)

ଓଡ଼ିଆ ଭାଗବତ ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଷାର ଏକ ପୁରାତନ ସାହିତ୍ୟିକ ପୁରାଣ କୃତି । ଏହା ୧୪ଶ ଶତାବ୍ଦୀରେ ରଚିତ ।[୧], [୨] ଭାଗବତ ତାଳପତ୍ର ପୋଥିରେ ଲେଖାଯାଇଥିଲା । ପରେ ଏହି ପୋଥିମାନଙ୍କୁ ଏକାଠି କରି ତାହାକୁ ଛପା ବହି ଆକାରରେ ପ୍ରକାଶ କରାଗଲା । ଓଡ଼ିଶାରେ ପାରମ୍ପାରିକ ଭାବେ ଭାଗବତ ଟୁଙ୍ଗିଭାଗବତ ଗାଦି/ଭାଗବତ ଗୋସାଇଁ ଆଦି ସାମୁହିକ ଭାଗବତ ପାଠ ପାଇଁ ରହିଥିଲା । ଜଗନ୍ନାଥଙ୍କ ପାଖେ ମଧ୍ୟ ଭାଗବତ ପଢ଼ାଯାଏ । ଏହା ଆଗ କାଳରେ ଭାଗବତ ଟୁଙ୍ଗି ମାନଙ୍କରେ ସଞ୍ଜ ଦେବା ପରେ ଭାଗବତ ବୋଲାଯାଉଥିଲା । ପରେ ଭାଗବତ ଟୁଙ୍ଗିର ସଂଖ୍ୟା କମିଯିବା ହେତୁ ଏହା ଓଡ଼ିଆ ଘର ମାନଙ୍କରେ ବୋଲାଯାଇଥାଏ । ଭାଗବତ ପ୍ରତି ଓଡ଼ିଆ ଘରେ ସନ୍ତାନ ଜନ୍ମ ହେବା ଏନ୍ତୁଡ଼ିଶାଳରେ, ମୁମୂର୍ଷର ଶେଯ ପାଖରେ ପଢ଼ାଯାଏ । ଆଗରୁ ବସନ୍ତ, ମହାମାରୀ, ହଇଜା ଓ ଗ୍ରାମର ଅନିଷ୍ଟ ଆଶଙ୍କା ଭୟରେ ଭାଗବତ ପାଠ କରାଯାଉଥିଲା ।

ଜଗନ୍ନାଥ ଦାସଙ୍କ କୃତ ଓଡ଼ିଆ ଭାଗବତ ବାର ସ୍କନ୍ଧରେ ବିଭକ୍ତ ଏବଂ ପ୍ରତି ସ୍କନ୍ଧ ଦଶରୁ ତିରିଶଟି ଅଧ୍ୟାୟ ବିଭକ୍ତ ହୋଇ ଏଭଳି ରଚିତ ଯେ, ପ୍ରତିଦିନ ଗୋଟିଏ ଗୋଟିଏ ଅଧ୍ୟାୟ ପାଠ କଲେ ଏହା ଠିକ ଏକ ବର୍ଷ ବା ୩୬୫ ଦିନରେ ସମାପ୍ତ ହେବ । [୩]

ଇତିହାସ[ସମ୍ପାଦନା]

ବ୍ୟାସଦେବ ରଚିତ ସଂସ୍କୃତ ଭାଗବତ ଓଡ଼ିଆ ଭାଷାଭାଷୀଙ୍କ ନିକଟରେ ଆଦୃତ ହୋଇପାରିନଥିଲା । ଜଗନ୍ନାଥ ଦାସଙ୍କ ପିତା ଭଗବାନ ଦାସ ବଡ଼ଦେଉଳରେ ପୁରାଣପଣ୍ଡା ଥିଲେ । ତାଙ୍କ ପରେ ଜଗନ୍ନାଥ ଦାସ ପୁରାଣପଣ୍ଡା ହେଲେ । ସେ ସଂସ୍କୃତ ଭାଗବତକୁ ସରଳଭାଷାରେ ବୁଝାଇ ଦେଉଥିଲେ । ଜଗନ୍ନାଥଙ୍କ ବୋଉ ଓଡ଼ିଆ ଭାଷାରେ ପଦ୍ୟରୂପରେ ଶୁଣିବା ପାଇଁ ପୁଅକୁ ନିର୍ଦ୍ଦେଶ ଦିଅନ୍ତି । ବିଧବା ମା’ ବାର୍ଦ୍ଧକ୍ୟର ପୁଣ୍ୟ ସଞ୍ଚୟ ଆଶାରେ କୃଷ୍ଣଚରିତ ଶୁଣିବାକୁ ଆଶାୟୀ ହେବାରୁ ଜଗନ୍ନାଥ ଦାସ ଜନନୀର ଅଭିଳାଷ ପୂରଣ ନିମନ୍ତେ ଅଧ୍ୟାୟେ ଅଧ୍ୟାୟେ ପଦ୍ୟାନୁବାଦ ଶୁଣାଇବାକୁ ଲାଗିଲେ । ସେହି ପଦ୍ୟାନୁବାଦ ଭାଗବତ ଗ୍ରନ୍ଥର ରୂପ ନେଲା । ସେ ଓଡ଼ିଆ ଭାଷାରେ ନବାକ୍ଷରୀ ଛନ୍ଦରେ ଏହାର ଭାବାନୁବାଦ କରିଥିଲେ ।[୪] ଜଗନ୍ନାଥଙ୍କ ମନ୍ଦିର ବେଢ଼ାରେ ନିତି ଭାଗବତ ପାଠ ହୁଏ ଓ ଭକ୍ତଗଣ ଶୁଣିବାକୁ ଆସନ୍ତି ।

ଭାଗବତ ଗ୍ରନ୍ଥ ବିଷୟରେ[ସମ୍ପାଦନା]

ଓଡ଼ିଆ ଭାଗବତ ମୁଖ୍ୟତଃ ମୂଳ ସଂସ୍କୃତ ଭାଗବତର ଓଡ଼ିଆ ମର୍ମାନୁବାଦ । ମୂଳ ସଂସ୍କୃତ ଭାଗବତ ଭଳି ଏହା ବାର ସ୍କନ୍ଧ ବିଶିଷ୍ଟ । (ତେବେ କେତେକ ରଚନାରେ ତ୍ରୟୋଦଶ ସ୍କନ୍ଧର ବର୍ଣ୍ଣନା ଦେଖିବାକୁ ମିଳେ) । ବୈଦିକ ସାହିତ୍ୟର ରୀତି ଅନୁସାରେ ବୈଦିକ ସାହିତ୍ୟର ରଚନା ପୂର୍ବରୁ ମଙ୍ଗଳାଚରଣ ସହିତ ଗ୍ରନ୍ଥ ରଚନା ଆରମ୍ଭ ହୁଏ । ତେବେ ଜଗନ୍ନାଥ ଦାସଙ୍କ ଭାଗବତରେ ମୂଳ ସଂସ୍କୃତ ଭାଗବତର ମଙ୍ଗଳାଚରଣ ସ୍ଥାନ ପାଇବା ଦେଖିବାକୁ ମିଳେ । [୫]

ମଙ୍ଗଳାଚରଣ

ବାଗୀଶା ଯସ୍ୟ ବଦନେ ଲକ୍ଷ୍ମୀର୍ଯସ୍ୟ ଚ ବକ୍ଷସି

ଯସ୍ୟାସ୍ତେ ହୃଦୟେ ସଂବିତ୍ ତଂ ନୃସିଂହମହଂ ଭଜେ || ୧ ||

(ଭାବାର୍ଥ:- ଯାହାଙ୍କ ମୁଖରେ ସରସ୍ୱତୀ, ବକ୍ଷସ୍ଥଳରେ ଲକ୍ଷ୍ମୀ ଏବଂ ହୃଦୟରେ ଜ୍ଞାନ ବିରାଜମାନ, ସେହି ନୃସିଂହ ଭଗବାନଙ୍କୁ ମୁଁ ବନ୍ଦନା କରୁଛି ।)

ବିଶ୍ୱସର୍ଗବିସର୍ଗାଦିନବଲକ୍ଷଣଲକ୍ଷିତମ୍

ଶ୍ରୀକୃଷ୍ଣାଖ୍ୟଂ ପରଂଧାମ ଜଗଦ୍ଧାମ ନମାମ ତତ୍ || ୨ ||

ଭାବାର୍ଥ:- ବିଶ୍ୱର ସର୍ଗ, ବିସର୍ଗ ଆଦି ନବଲକ୍ଷଣ (ସର୍ଗ, ବିସର୍ଗ, ସ୍ଥାନ, ପୋଷଣ, ଉତି, ମନ୍ୱନ୍ତର, ଈଶାନୁକଥା, ନିରୋଧ ଓ ମୁକ୍ତି)ଦ୍ୱାରା ଲକ୍ଷିତ, ସମଗ୍ର ଜଗତର ପରମ ଆଶ୍ରୟ ତଥା ବିଶ୍ୱର ଅନ୍ଧକାର ବିନାଶକାରୀ ପରମ ତେଜୋମୟ ଶ୍ରୀକୃଷ୍ଣଙ୍କ ସାକ୍ଷାତ୍ ସ୍ୱରୂପ ଶ୍ରୀମଦଭାଗବତକୁ ଆମ୍ଭେମାନେ ନମସ୍କାର କରୁଛୁ ।

ମାଧବୋମାଧବାବୀଶୌ ସର୍ବସିଦ୍ଧି ବିଧାୟିନୌ

ବନ୍ଦେ ପରସ୍ପରାତ୍ମାନୌ ପରସ୍ପରନୁତିପ୍ରିୟୋ ।। ୩ ||

ଭାବାର୍ଥ:- ସର୍ବସିଦ୍ଧି ପ୍ରଦାୟକ, ପରସ୍ପର ଏକାତ୍ମରୂପ ଏବଂ ପରସ୍ପରର ସ୍ତୁତିରେ ପ୍ରସନ୍ନ ହେଉଥିବା ମାଧବ (ଲକ୍ଷ୍ମୀପତି ବିଷ୍ଣୁ) ଓ ଉମାଧବଙ୍କୁ (ଉମାପତି ଶିବଙ୍କୁ) ଆମ୍ଭେ ବନ୍ଦନା କରୁଛୁ ।

ମୂକଂ କରୋତି ବାଚାଳଂ ପଙ୍ଗୁଂ ଲଙ୍ଘୟତେ ଗିରିମ୍

ଯତ୍ କୃପା ତମହଂ ବନ୍ଦେ ପରମାନନ୍ଦମାଧବମ୍ | ୪ ||

ଭାବାର୍ଥ:- ଯାହାଙ୍କ କୃପା ମୂକକୁ ବାଗ୍ମୀ କରିଦେଇପାରେ, ପଙ୍ଗୁକୁ ଗିରି ଲଂଘନ କରାଇ ଦେଇପାରେ, ସେହି ପରମାନନ୍ଦ ମାଧବଙ୍କୁ ମୁଁ ବନ୍ଦନା କରୁଛି ।

ଯଂ ବ୍ରହ୍ମାବରୁଣେନ୍ଦ୍ରରୁଦ୍ରମରୁତଃ ସ୍ତୁନ୍ୱନ୍ତି ଦିବୈଃ ସ୍ତବୈ-

ର୍ବେଦୈଃ ସାଙ୍ଗପଦକ୍ରମୋପନିଷଦୈଗାୟନ୍ତି ଯଂ ସାମଗାଃ

ଧ୍ୟାନାବତ୍ସିତଦ୍‌ଗତେନ ମନସା ପଶଂନ୍ତି ଯଂ ଯୋଗିନୋ

ଯସ୍ୟାନ୍ତଂ ନ ବିଦୁଃ ସୁରାସୁରଗଣା ଦେବାୟ ତସ୍ମୈ ନମଃ || ୫ ||

ଯାହାଙ୍କୁ ବ୍ରହ୍ମା, ବରୁଣ, ଇନ୍ଦ୍ର, ରୁଦ୍ର, ମରୁତ ପ୍ରଭୃତି ଦିବ୍ୟ ସ୍ତୋତ୍ରଦ୍ୱାରା ସ୍ତୁତି କରନ୍ତି; ଯାହାଙ୍କ ମହିମା ସାମବେଦ ଗାୟନକାରୀମାନେ ପଦକ୍ରମାନୁସାରେ ବେଦ ଉପନିଷଦ ପ୍ରଭୃତିଦ୍ୱାରା ଗାନ କରନ୍ତି; ଧ୍ୟାନାଭିଭୂତ ମନ ମଧ୍ୟରେ ଯୋଗୀମାନେ ଯାହାଙ୍କୁ ଦର୍ଶନ କରନ୍ତି ଏବଂ ଦେବ ଦାନବଗଣ ଯାହାଙ୍କର ଅନ୍ତ ପାଇ ପାରନ୍ତି ନାହିଁ, ସେହି ଦେବଙ୍କୁ ମୁଁ ନମସ୍କାର କରୁଛି ।

ନାରାୟଣଂ ନମସ୍କୃତ୍ଂୟ ନରଂ ଚୈବ ନରୋତ୍ତମମ୍

ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋ ଜୟମୁଦୀରୟେତ୍ || ୬ ||

ଭଗବାନ ନାରାୟଣ, ନରୋତ୍ତମ ନର, ଦେବୀ ସରସ୍ୱତୀ ଓ ମହର୍ଷି ବ୍ୟାସଦେବଙ୍କୁ ନମସ୍କାର କରି ସଂସାର ଓ ଅନ୍ତଃକରଣର ନାନାବିଧ ବିକାର ଉପରେ ବିଜୟ ପ୍ରଦାନ କରାଉଥିବା ଏହି ଶ୍ରୀମଦଭାଗବତ ମହାପୁରାଣକୁ ପାଠ କରିବା ଉଚିତ।

ଲୋକପ୍ରିୟତା[ସମ୍ପାଦନା]

ଷୋଡ଼ଶ ଶତାବ୍ଦୀରେ ରଚିତ ଏହି ଭାଗବତ ସାଧାରଣ ଜନତାଙ୍କ ପାଇଁ ନିଶ୍ଚିତରୂପେ ବ୍ୟାସଦେବକୃତ ଭାଗବତର ଅମର ସନ୍ଦେଶ ବହନ କରିଛି । ଭକ୍ତ ଜଗନ୍ନାଥଙ୍କ ଲେଖନୀରୁ ନିସୃତ ଏହି ଭାଗବତ ଓଡ଼ିଶାର ଆଧ୍ୟାମିକ ଜାଗରଣର ଯେ ପ୍ରାଣକେନ୍ଦ୍ର, ଏହା ଅସ୍ୱୀକାର କରାଯାଇ ପାରିବ ନାହିଁ । ବିଶେଷ କରି ଏହାର ସୁଖପାଠ୍ୟତା, ଲଳିତ ଓ କୋମଳ ପଦାବଳୀ ତଥା ସହଜ ଗାନଯୋଗ୍ୟ ନବାକ୍ଷରୀ ଛନ୍ଦ ଶ୍ରୋତା ନିକଟରେ ଏକ ସାଙ୍ଗୀତିକ ପରିବେଶ ସୃଷ୍ଟି କରି ପାରୁଥିବାରୁ ଓଡ଼ିଶାର ଘରେ ଘରେ ଏହା ପଠିତ ହୁଏ ।

ସାଧାରଣତଃ ଶ୍ରୀମଦ୍ଭାଗବତ କହିଲେ ଉତ୍କଳୀୟ ଜନସାଧାରଣଙ୍କ ମଧ୍ୟରୁ ଅଧିକାଂଶ କେବଳ ଜଗନ୍ନାଥଦାସଙ୍କ ପ୍ରଣୀତ ଭାଗବତକୁ ହିଁ ବୁଝନ୍ତି । ମୂଳ ଭାଗବତ ଯେ ସଂସ୍କୃତରେ ରଚିତ ଓ ଏହାର ସ୍ରଷ୍ଟା ବ୍ୟାସଦେବ, ଏ କଥା କମ ଲୋକ ଜାଣନ୍ତି । ଭାଗବତ ପ୍ରତି ଲୋକମାନଙ୍କର ଏହି ଆମ୍ଭୀୟତା ହିଁ ସ୍ପଷ୍ଟ କରିଦିଏ ଯେ ଜଗନ୍ନାଥଦାସଙ୍କ ଭାଗବତ ସହ ଜନସାଧାରଣ କେତେ ପରିମାଣରେ ପରିଚିତ ।[୬]

ଭାଗବତ ବାଣୀ[ସମ୍ପାଦନା]

ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ।
ପଦୁ ଗଡ଼ୁଛି ମକରନ୍ଦ ॥
ସେ ମକରନ୍ଦ ପାନ କରି ।
ହେଳେ ତରିଲେ ବ୍ରଜନାରୀ ॥
ସେ ବ୍ରଜନାରୀଙ୍କ ପୟରେ ।
ମନ ମୋ ରହୁ ନିରନ୍ତରେ ॥
ମନ ମୋ ନିରନ୍ତରେ ଥାଉ ।
ହା କୃଷ୍ଣ ବୋଲି ଜୀବ ଯାଉ ॥

ଜଗନ୍ନାଥ ଦାସ, ଭାଗବତ ବାଣୀ

ଆଧାର[ସମ୍ପାଦନା]

  1. ATIBADI JAGANNATHA DAS, POET THE GREAT
  2. EMINENT PERSONALITIES FROM PURI
  3. "No1 news paper in odisha,orissa news-Sambad". www.sambadepaper.com. sambad. sambad. 25 sept 2018. Retrieved 30 September 2018. Check date values in: |date= (help)
  4. ଧରିତ୍ରୀ ଛୁଟିଦିନ ୭-୧୩ଜୁନ ୨୦୧୫
  5. ଜଗନ୍ନାଥ ଦାସ କୃତ, ଗୀତା ପ୍ରେସ, ଗୋରଖପୁରଦ୍ୱାରା ପ୍ରକାଶିତ, ଶ୍ରୀମଦ୍‌ଭାଗବତ ମହାପୁରାଣ, Odia Section3-2 back:
  6. "Rethinking the History of the 'Odia Identity': An Appraisal in Jagannath Das' s 'Odia Bhagavata.'" (PDF). www.odisha.gov.in. Retrieved 6 November 2018.

ବାହାର ଲିଙ୍କ[ସମ୍ପାଦନା]