ବିଶ୍ୱନାଥ କର
ବିଶ୍ୱନାଥ କର | |
|---|---|
| ବିଶ୍ୱନାଥ କର | |
| ଜନ୍ମ | ୨୪ ଡିସେମ୍ବର ୧୮୬୪ ମୂଳବସନ୍ତ |
| ମୃତ୍ୟୁ | ୧୯ ଅକ୍ଟୋବର ୧୯୩୪ |
| ବୃତ୍ତି | ରାଜନୀତିଜ୍ଞ, ଲେଖକ, ସ୍ୱାଧୀନତା ସଂଗ୍ରାମୀ, ବାଗ୍ମୀ, ବହି ସମ୍ପାଦକ |
| ସନ୍ତାନ | ସୁପ୍ରଭା କର |
ବିଶ୍ୱନାଥ କର, ବାଗ୍ମୀ ବିଶ୍ୱନାଥ କର ନାମରେ ଜଣା, (୨୪ ଡିସେମ୍ବର ୧୮୬୪–୧୯ ଅକ୍ଟୋବର ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ, ଶିକ୍ଷକ, ସଂପାଦକ, ପ୍ରାବନ୍ଧିକ, ବାଗ୍ମୀ ଥିଲେ । ସେ ଉତ୍କଳ ସାହିତ୍ୟ ପତ୍ରିକାର ସମ୍ପାଦକ ଥିଲେ ଓ ଉତ୍କଳ ସମ୍ମିଳନୀର ଅନ୍ୟତମ ସଂଚାଳକ ତଥା ବିହାର-ଓଡ଼ିଶା ପ୍ରଦେଶର ଜଣେ ବ୍ୟବସ୍ଥାପକ ଭାବେ କାମ କରିଥିଲେ । ତତ୍କାଳୀନ ବ୍ରିଟିଶ ସରକାରଙ୍କଠାରୁ "ରାୟ ବାହାଦୁର" ଉପାଧୀ ପାଇ ତାକୁ ପ୍ରତ୍ୟାଖ୍ୟାନ କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ ବ୍ୟକ୍ତି । ୧୮୯୬ ମସିହାରେ ସେ ବିବିଧା ପ୍ରବନ୍ଧ ପୁସ୍ତକ ରଚନା କରିଥିଲେ । ପୁସ୍ତକଟି ସାହିତ୍ୟ, ସଂସ୍କୃତି, ଧର୍ମ, ସଭ୍ୟତା ଇତ୍ୟାଦି ବିଷୟରେ ବିଭିନ୍ନ ସମୟରେ ରଚିତ ଓ ଉତ୍କଳ ସାହିତ୍ୟରେ ପୂର୍ବରୁ ପ୍ରକାଶିତ ପ୍ରବନ୍ଧାବଳୀର ଏକ ସଂକଳନ ।[୧]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ସେ ୧୮୬୪ ମସିହା ଡିସେମ୍ବର ୨୪ ତାରିଖ ଦିନ କଟକ ଜିଲ୍ଲାର ମାହାଙ୍ଗା ନିକଟସ୍ଥ ମୂଳବସନ୍ତ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ବିଶ୍ୱନାଥଙ୍କ ପିତାଙ୍କ ନାମ ନାରାୟଣ କର ଓ ମାତାଙ୍କ ନାମ ବୈଦେହୀ ଦେବୀ ।
ଶିକ୍ଷାଲାଭ
[ସମ୍ପାଦନା]୧୮୮୦ରେ ସେ କୁଆଁପାଳରୁ ମାଇନର ପାସ କରି କଟକ ଆସି ନବପ୍ରତିଷ୍ଠିତ ପ୍ୟାରୀମୋହନ ଏକାଡେମୀରେ ନାମ ଲେଖାଇଥିଲେ । ୧୮୮୪ରେ ମସିହାରେ ସେ ଏଣ୍ଟ୍ରାନ୍ସ ପାସ କଲେ ।
ଚାକିରି
[ସମ୍ପାଦନା]୧୮୮୬ରେ ବିରୋଳ ଗ୍ରାମ ବିଦ୍ୟାଳୟର ପ୍ରଧାନଶିକ୍ଷକ ପଦବୀରେ ନିଯୁକ୍ତି ପାଇଥିଲେ ।
ଉତ୍କଳ ସାହିତ୍ୟ
[ସମ୍ପାଦନା]ପତ୍ରିକା ସମ୍ପାଦନା
[ସମ୍ପାଦନା]ମଧୁସୂଦନ ରାଓଙ୍କ ପ୍ରରୋଚନାରେ ଉତ୍କଳ ସାହିତ୍ୟ ପତ୍ରିକା ତାଙ୍କ ସମ୍ପାଦନାରେ[୨][୩][୪] ୧୮୯୭ରେ ପ୍ରକାଶ ପାଇଥିଲା ।[୫] ପତ୍ରିକାଟି ପ୍ରକାଶ ପାଇବାର ତୃତୀୟ ବର୍ଷ ନାନା ଆଡୁ ବହୁତ ଅସୁବିଧା ହେଇଥିଲା । ଏଥିପାଇଁ ସେ ସ୍ୱତନ୍ତ୍ର ପ୍ରେସ ସ୍ଥାପନ ପାଇଁ ଉଦ୍ୟମ କରିଥିଲେ ।
ଉତ୍କଳ ସାହିତ୍ୟ ପ୍ରେସ ସ୍ଥାପନା
[ସମ୍ପାଦନା]ସେ ଉଧାର କରି ୧୯୦୦ ମସିହା ଜାନୁଆରୀ ୧୦ ତାରିଖରେ "ଉତ୍କଳ ସାହିତ୍ୟ ପ୍ରେସ"ନାମକ ଏକ ପ୍ରେସ କଟକଠାରେ ସ୍ଥାପନ କରିଥିଲେ। ତା ପୁର୍ବରୁ ସେ ୧୮୯୯ ମସିହା ନଭେମ୍ବର ପହିଲାରୁ ପ୍ରଧାନଶିକ୍ଷକ ପଦ ତ୍ୟାଗ କରିଦେଇଥିଲେ । ସେ ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ "ସତ୍ୟ ସମାଚାର" ପତ୍ରିକା ଚଳାଇଥିଲେ । ସେହି ସମୟରେ ସେ "ପୁରୁଷ ସିଂହ ଗାନ୍ଧୀ" ବୋଲି ଏକ ପ୍ରବନ୍ଧ ଲେଖିଥିଲେ । ଫଳରେ ବ୍ରିଟିଶ ସରକାର ତାଙ୍କ ଉପରେ କଡା ନଜର ରଖିଥିଲେ ।[୬]
ପତ୍ରପତ୍ରିକା ସମ୍ପାଦନାରେ କରଙ୍କ ପ୍ରଚେଷ୍ଟାରେ ନଅଙ୍କ ଦୁର୍ଭିକ୍ଷ ଓ ପରେ ଓଡ଼ିଆ ଭାଷା ଆନ୍ଦୋଳନ ସମୟରେ ତାଙ୍କଦ୍ୱାରା ସଂପାଦିତ "ଉତ୍କଳ ସାହିତ୍ୟ" (୧୮୯୭) ଓଡ଼ିଆ ନବଜାଗରଣର ବାବଦରେ ବିଭିନ୍ନ ଖବର ପ୍ରକାଶିତ ହେଉଥିଲା । ଏଥିରେ ସେ ଫକୀର ମୋହନ ସେନାପତି, ମଧୁସୂଦନ ରାଓ, କୃଷ୍ଣ ପ୍ରସାଦ ଚୌଧୁରୀ, ଶ୍ୟାମସୁନ୍ଦର ରାଜଗୁରୁ, ମୃତ୍ୟୁଞ୍ଜୟ ରଥ, ଗୋପାଳ ଚନ୍ଦ୍ର ପ୍ରହରାଜ, ଗୋପୀନାଥ ନନ୍ଦ, ମୋହିନୀ ମୋହନ ସେନାପତିଙ୍କ ଭଳି ପ୍ରମୁଖ ସାହିତ୍ୟିକଙ୍କ ବିଶିଷ୍ଟ କୃତିଗୁଡ଼ିକ ପତ୍ରିକାରେ ପ୍ରକାଶ କରୁଥିଲେ ।[୬]
ଉତ୍କଳ ସାହିତ୍ୟ ସମାଜର ପ୍ରତିଷ୍ଠା ଓ ସମ୍ପାଦନା
[ସମ୍ପାଦନା]ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ଓ ବିକାଶ ଲାଗି ପ୍ରତିଷ୍ଠା ହୋଇଥିବା ସର୍ବପ୍ରାଚୀନ ସାରସ୍ୱତ ଅନୁଷ୍ଠାନ "ଉତ୍କଳ ସାହିତ୍ୟ ସମାଜର ସେ ଥିଲେ ପ୍ରଥମ ପ୍ରତିଷ୍ଠାତା ସଂପାଦକ ।[୬]
ସାମାଜିକ ଜୀବନ
[ସମ୍ପାଦନା]କୁସଂସ୍କାର ଦୂର କରିବା ପାଇଁ ସେ ଲୋକମାନଙ୍କୁ ଅନ୍ଧବିଶ୍ୱାସ ଓ କୁସଂସ୍କାର ମଣିଷର ବିକାଶରେ ପ୍ରତିବନ୍ଧକ ସାଜିବା ବାଦରେ ବୁଝାଉଥିଲେ । ରାଜା ରାମମୋହନ ରାୟଙ୍କ ପ୍ରତିଷ୍ଠିତ ବ୍ରାହ୍ମସମାଜରେ ଯୋଗଦେଇ ପରେ ସାମାଜିକ ପରିବର୍ତ୍ତନ ପାଇଁ ବ୍ରାହ୍ମଧର୍ମର ନୀତି ନିୟମ, ଆଦର୍ଶ ଭାବ ଦେଖି କରି ଏହି ଧର୍ମ ଗ୍ରହଣ କରିଥିଲେ । ସେତେବେଳେ ହେଉଥିବା କର୍ମକାଣ୍ଡ ଓ ପୂଜା ପଦ୍ଧତିକୁ ସେ ବିରୋଧ କରି ଓଡ଼ିଶାରେ ବ୍ରାହ୍ମଧର୍ମର ପ୍ରଚାର ପ୍ରସାରର ଭୂମିକା ସଂପାଦନ କରିଥିଲେ । ଜଣେ ସମାଜସେବୀ ଭାବରେ କର ନିଜ ଗ୍ରାମ ମୂଳବସନ୍ତଠାରେ ପ୍ରଥମେ ବାଳକ ଓ ବାଳିକାମାନଙ୍କ ପାଇଁ ଅଲଗା ଅଲଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଇଥିଲେ । ଜଣେ ସାମାଜିକ ସଂସ୍କାରକ ଭାବେ ସେ ଉଭୟ ସବର୍ଣ୍ଣ ଓ ଅସବର୍ଣ୍ଣ ପିଲାମାନଙ୍କୁ ଏକତ୍ର ଶିକ୍ଷା ଦେବାର ବ୍ୟବସ୍ଥା ମଧ୍ୟ କରାଇଥିଲେ । ନିରକ୍ଷରତା ଦୂରୀକରଣ ନିମନ୍ତେ ପୁରୁଷ-ସ୍ତ୍ରୀ, ଶ୍ରମିକ-ମୂଲିଆ, ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଶିକ୍ଷା ଲାଭ ପାଇଁ ସେ ଏକ ନୈଶ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହ ଓ ପ୍ରେରଣା ଦେବା ନିମନ୍ତେ "ଆଲୋକ", "ଜ୍ୟୋତ୍ସ୍ନା", "କୌମୁଦୀ" ନାମକ ହାତଲେଖା ମାସିକ ପତ୍ରିକା ପ୍ରକାଶ କରୁଥିଲେ ।[୬]
ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ
[ସମ୍ପାଦନା]ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବେ ସେ ଭାରତୀୟ ଜାତୀୟ କଂଗ୍ରେସରେ ସେ ଯୋଗଦାନ କରିଥିଲେ । ବିହାର ଓ ଓଡ଼ିଶା ବ୍ୟବସ୍ଥାପକ ସଭାକୁ ସେ ପ୍ରତିନିଧି ଭାବରେ ଯାଇଥିଲେ । ଓଡ଼ିଶା-ବିହାର କାଉନ୍ସିଲର ସଭ୍ୟ ଥିବା ସମୟରେ ବ୍ୟବସ୍ଥାପକ ସଭାରେ ସେ ନିଜ ମାତୃଭାଷା ଓଡ଼ିଆରେ ଭାଷଣ ଦେଇଥିଲେ । ସେଠାରେ ଅନ୍ୟ ସଭ୍ୟମାନେ ତାଙ୍କୁ ଇଂରାଜୀରେ କହିବା ଲାଗି ବାଧ୍ୟ କଲାପରେ ମଧ୍ୟ ସେ ମାତୃଭାଷା ଓଡ଼ିଆରେ ହିଁ ନିଜର ବକ୍ତବ୍ୟ ରଖିଥିଲେ । ସେହି ସଭାରେ ସେ କହିଥିଲେ[୭] :
ଓଡ଼ିଆ ଏକ ସ୍ୱୀକୃତ ପ୍ରାଚୀନ ଭାଷା, ମୁଁ ଓଡ଼ିଆ, ମୋ ଭାଷା ଓଡ଼ିଆ । ମୋର ଓଡ଼ିଆ ଜିଭକୁ କାଟି ଦେବାର ଅଧିକାର ଏଠାରେ କୌଣସି ମାନ୍ୟବର ସଭ୍ୟଙ୍କର ନାହିଁ ।
— ବିଶ୍ୱନାଥ କର[୬]
ବଙ୍ଗଭଙ୍ଗ କାଳୀନ ଆନ୍ଦୋଳନ, ଓଡ଼ିଶା ବ୍ୟବସ୍ଥାପକ ସଭା, ବହୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ସଭାସମିତିରେ ସେ ଭାଷଣ ଦେଇଥିଲେ । ରବୀନ୍ଦ୍ର ନାଥ ଠାକୁର ଏବଂ ରାମାନନ୍ଦ ଚଟ୍ଟୋପାଧ୍ୟାୟ ବିଶ୍ୱନାଥଙ୍କ ବଙ୍ଗଭଙ୍ଗକାଳୀନ ଭାଷଣରେ ମୁଗ୍ଧ ହୋଇ ତାଙ୍କୁ "ଉତ୍କଳର ସୁରେନ୍ଦ୍ର ନାଥ' ବୋଲି ସମ୍ବୋଧିତ କରିଥିଲେ । ବ୍ରିଟିଶ ସରକାର ପ୍ରଦତ୍ତ "ରାୟ ସାହେବ' ଉପାଧିକୁ ସେ ପ୍ରତ୍ୟାଖ୍ୟାନ କରି ଦେଇଥିଲେ ।[୬]
୧୯୩୪ ମସିହା ଅକ୍ଟୋବର୧୯ ତାରିଖ ବିଜୟା ଦଶମୀ ତିଥୀରେ ତାଙ୍କର ଦେହାନ୍ତ ହୋଇଥିଲା ।[୬]
ଆଧାର
[ସମ୍ପାଦନା]- ↑ ଆଚାର୍ଯ୍ୟ, ବୃନ୍ଦାବନଚନ୍ଦ୍ର. ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ. pp. ୨୧୨.
- ↑ Mohanty, Sachidananda (2012). "Welcome to Muse India". museindia.com. Archived from the original on 5 March 2016. Retrieved 27 September 2012.
the illustrious editor of Utkal Sahitya, Biswanath Kar
- ↑ Sachidanandan Mohanty (6 January 2005). Early Women's Writings in Orissa, 1898-1950: A Lost Tradition. SAGE Publications. pp. 29–. ISBN 978-0-7619-3308-3. Retrieved 27 September 2012.
- ↑ J. K. Samal; P. K. Nayak; Pradip Kumar Nayak (1 January 1996). Makers of Modern Orissa: Contributions of Some Leading Personalities of Orissa in the 2nd Half of the 19th Century. Abhinav Publications. pp. 83–. ISBN 978-81-7017-322-9. Retrieved 27 September 2012.
- ↑ Jaẏanta Kumāra Dāsa (1 January 1998). Ramshankar Ray. Sahitya Akademi. pp. 57–. ISBN 978-81-260-0548-2. Retrieved 27 September 2012.
Utkal Sahitya, a leading monthly magazine of Biswanath Kar was released
- 1 2 3 4 5 6 7 ସିଂହ, ଡ. ବିଜୟାନନ୍ଦ (୨୪ ଡିସେମ୍ବର ୨୦୧୪). "ସଂସ୍କାରକ ବାଗ୍ମୀ ବିଶ୍ୱନାଥ" (PDF). Retrieved 24 ଡିସେମ୍ବର 2014.
{{cite news}}: Check date values in:|date=(help)[permanent dead link]