Jump to content

ଓଡ଼ିଶାର ଦୋଳଯାତ୍ରା

ଉଇକିପିଡ଼ିଆ‌ରୁ
(ଦୋଳଯାତ୍ରାରୁ ଲେଉଟି ଆସିଛି)
ଦୋଳ ଯାତ୍ରା
ଅନ୍ୟ ନାମଦୋଳ ମେଳଣ
ପାଳନକାରୀହିନ୍ଦୁ ଧର୍ମାବଲମ୍ବୀ
ପ୍ରକାରଧାର୍ମିକ
ଆରମ୍ଭ
ଶେଷ
୨୦୨୬ ତାରିଖdate missing (please add)

ଓଡ଼ିଶାରେ ଫଗୁ ଦଶମୀରୁ ଦୋଳ ଯାତ୍ରା ଆରମ୍ଭ ହୋଇଥାଏ । ଏହାର ଗୁରୁତ୍ୱ ବୈଷ୍ଣବ ଧର୍ମ ପରମ୍ପରାର ପ୍ରଚାର ଓ ପ୍ରସାର ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ତେବେ ଏହା ମୁଖ୍ୟତଃ ଗ୍ରାମ ଗ୍ରାମ ମଧ୍ୟରେ, ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଏକ ସ୍ନେହ, ସଦ୍‌ଭାବ ଓ ପାରମ୍ପାରିକ ସୌହାର୍ଯ୍ୟର ପରିଚାୟକ ପର୍ବ ଭାବରେ ପାଳିତ ହୋଇଥାଏ । ପୃଥିବୀରେ ନୂତନ ଶିହରଣ ଜଗାଇ ପାରିବା ଭଳି ଶକ୍ତିରେ ଶକ୍ତିମନ୍ତ ଋତୁରାଜ ବସନ୍ତକୁ ସ୍ୱାଗତ ଜଣାଇବା ପାଇଁ ଦୋଳଯାତ୍ରାର ଆୟୋଜନ ବୋଲି ଗ୍ରହଣ କରାଯାଇଥାଏ। ଦ୍ୱାଦଶ ଶତାବ୍ଦୀର ଓଡ଼ିଆ ଜ୍ୟୋତିର୍ବିଦ ଶତାନନ୍ଦଙ୍କ ରଚିତ ଶତାନନ୍ଦ ସଂଗ୍ରହରେ ଦୋଳଯାତ୍ରା ସଂପର୍କରେ ବିଭିନ୍ନ ବର୍ଣ୍ଣନାରୁ ସ୍ପଷ୍ଟ ଅନୁମିତ ହୁଏ ଯେ ଅତି କମରେ ଦୀର୍ଘ ଆଠଶହ ବର୍ଷ ତଳୁ ଓଡ଼ିଶାରେ ଦୋଳଯାତ୍ରା ପାଳିତ ହୋଇ ଆସୁଛି । ସାଧାରଣତଃ ଏହି ଯାତ୍ରା ପାଞ୍ଚଦିନ ପାଇଁ ମହାସମାରୋହରେ ପାଳିତ ହୋଇ ରଜଦୋଳ ବା ପଞ୍ଚୁଦୋଳ ନାମରେ ନାମିତ ହୋଇଥାଏ । କେତେକ ସ୍ଥାନରେ ଫାଲଗୁନ ମାସର ପୂର୍ଣ୍ଣିମା ଦିନ ଆରମ୍ଭ ହୋଇ ପାଞ୍ଚଦିନ ପର୍ଯ୍ୟନ୍ତ ପଞ୍ଚଦୋଳ ଭାବେ ଯାତ୍ରା ପାଳନ କରାଯିବାବେଳେ ଆଉ କେତେକ ସ୍ଥାନରେ ପୂର୍ଣ୍ଣିମା ଦିନକୁ ପର୍ବର ଶେଷ ଦିବସ ରୂପେ ରଜଦୋଳ ନାମରେ ନାମିତ ହୋଇ ଏହି ଯାତ୍ରା ଶେଷହୁଏ । ଯେଉଁ କେତେକ ସ୍ଥାନରେ ପୂର୍ଣ୍ଣିମା ଦିନରୁ ଆରମ୍ଭ ହୋଇ ଛଅଦିନ ପର୍ଯ୍ୟନ୍ତ ଏହି ପର୍ବ ପାଳିତ ହୋଇଥାଏ, ସେଠାରେ ଛଅଦୋଳ ଏବଂ ଯେଉଁଠି ନଅଦିନ ପର୍ଯ୍ୟନ୍ତ ପାଳନ କରାଯାଇପାରେ ସେଠାରେ ଏହାକୁ ନବଦୋଳ ବୋଲି କୁହାଯାଏ। ଅନେକ ସ୍ଥାନରେ ସାତଦିନ ଓ ଦଶଦିନ ଧରି ଦୋଳଯାତ୍ରା ଆୟୋଜିତ ହେବାର ଦୃଷ୍ଟାନ୍ତ ମଧ୍ୟ ରହିଛି ।

ପୌରାଣିକ

[ସମ୍ପାଦନା]

ଦୋଳ ସହିତ ବିଭିନ୍ନ ପୁରାଣର କାହାଣୀ ସଂଯୁକ୍ତ ହୋଇରହିଛି । ଗୋଟିଏ ପଟେ ରାଧା-କୃଷ୍ଣ ପ୍ରେମ ଗାଥାର ଭବ୍ୟ ଉତ୍ତାଳ ଉତ୍ତରଣ ଓ ଅନ୍ୟ ପକ୍ଷରେ ଅନ୍ୟାନ୍ୟ ପୌରାଣିକ ଆଖ୍ୟାନର ଗୁନ୍ଥନ । ରଙ୍ଗର ରଙ୍ଗୀନ ଖେଳ ଓ ହୋଲିକା ଦହନର ଅଗ୍ନି ଔଜ୍ଜଲ୍ୟ ଏ ଉଭୟ ଦୁଷ୍ଟ ଶକ୍ତି ଉପରେ ଶୁଭଙ୍କର ପ୍ରତୀକର ବିଜୟକୁ ଏହି ପର୍ବ ସହିତ ସମ୍ମିଳିତ କରି ରଖିଛି । ଶ୍ରୀରାଧା - ଶ୍ରୀକୃଷ୍ଣଙ୍କ ପ୍ରେମପ୍ରଣୟର ଲୀଳା, ଦୋଳ ଓ ରଙ୍ଗର ଖେଳ ବ୍ୟତୀତ ଅନ୍ୟଯେଉଁ ସବୁ ଆଖ୍ୟାନ ଉପାଖ୍ୟାନ ଏହି ଦୋଳ-ହୋଲି ଯୁଗ୍ମପର୍ବ ଦିବସ ସହିତ ସଂପୃକ୍ତ । ପୁଣି କେତେକଙ୍କ ମତରେ ପ୍ରବଳ ପରାକ୍ରମୀ ରାକ୍ଷସ ମେର୍ଦ୍ଧାସୁରର ମୃତ୍ୟୁର ଭଗବାନ କାରଣ ହୋଇ ପୃଥିବୀରୁ ପାପର ମାତ୍ରା ହ୍ରାସ କରିଥିବା ଯୋଗୁଁ ଏହିପର୍ବ ଆୟୋଜିତ ହୋଇଥିଲା ।

କାମଦହନ

[ସମ୍ପାଦନା]

ଏକ ପକ୍ଷରେ ନବ ବସନ୍ତ, କୋକିଳର କୁହୁତାନ, ଚୂତବୃକ୍ଷରେ ନବ ମୁକୁଳ, ମୃଦୁମନ୍ଦ ଶୀତଳ ସମୀରଣ ଏବଂ ଅନ୍ୟ ପକ୍ଷରେ ସତୀଙ୍କର ଅକାଳମୃତ୍ୟୁ ପରେ ରୁଦ୍ର ମହାତପସ୍ୱୀ ମହାଦେବ ଶିବ ରୂପରେ ଧ୍ୟାନମଗ୍ନ । ତେଣେ ଦେବ ଗଣ ତାରକାସୁରର ଅତ୍ୟାଚାରରେ ଭୀତ, ସଂତ୍ରପ୍ତ ଆଉ ଉଚ୍ଚକିତ ଭାବରେ ପ୍ରତୀକ୍ଷାମାଣ- ଏକ ଶୁଭଲଗ୍ନର । ମହାଯୋଗୀ ଶିବଙ୍କର ଧ୍ୟାନ ଭାଙ୍ଗିଲେ ହିଁ ମଦନଙ୍କ ପଞ୍ଚଶରରେ ତାଙ୍କୁ ଆକ୍ରାନ୍ତ କରାଯାଇପାରେ ଏବଂ ଅନିନ୍ଦ୍ୟ ରୂପବତୀ ହିମବନ୍ତ କନ୍ୟା ପାର୍ବତୀଙ୍କ ସହିତ ମହାଦେବ ଶିବ ମିଳିତ ହେଲେ ହିଁ କାର୍ତ୍ତିକେୟଙ୍କର ଜନ୍ମ ସମ୍ଭବ । ଏହି କାର୍ତ୍ତିକେୟ ହିଁ ଦେବଗଣଙ୍କ ସେନାପତି ଭାବରେ ତାରକାସୁରକୁ ନିଧନ କରି ଦେବତାଙ୍କୁ ଅଭୟ ପ୍ରଦାନ କରିବାରେ ଏକମାତ୍ର ସମର୍ଥ । []

ଗୋଟିଏ ଗୋଟିଏ କରି ପଞ୍ଚବାଣ ନିକ୍ଷେପ କଲେ କାମଦେବତା ମଦନ, ଉନ୍ମୁକ୍ତ ହେଲା ଶିବଙ୍କର ମୁଦ୍ରିତ ଚକ୍ଷୁ । କପାଳରେ ଜଳି ଉଠିଲା ତୃତୀୟ ଚକ୍ଷୁ । ନିମିଷକରେ ଭସ୍ମୀଭୂତ ହେଲେ କାମଦେବତା ମଦନ । ଉଚ୍ଚସ୍ୱରରେ ବିଳାପ କରି ରତିଦେବୀ ଆବିର୍ଭାବ ହେଲେ । ନିଜର ସ୍ୱ-ଦେହ ଜ୍ୱଳନରେ ମଦନ କିନ୍ତୁ ସେଦିନ ଦେବତାଙ୍କ ସୁରକ୍ଷା ପାଇଁ ମହାଦେବଙ୍କ ମାଧ୍ୟମରେ ଏକ ଇପ୍ସିତ ଲକ୍ଷ୍ୟ ସାଧନ କରିଦେଇ ଗଲେ । କେହି କେହି କହନ୍ତି , ହୋଲିର ଦିବ୍ୟ ଦହନ କ୍ରିୟା ଏହି ଅନଙ୍ଗଙ୍କୁ ଅଗ୍ନିରେ ଦାହ କରିବାର ଏକ ପ୍ରତିଛବି । [][][]

ହୋଲିଦହନ

[ସମ୍ପାଦନା]

ନଡ଼ା ଗଦାକରି (ଅଇଘରା/ ଅଗିରା) ଦୋଳ ପୂର୍ଣ୍ଣିମୀ ରାତିରେ ବା ହୋଲି ଉତ୍ସବରେ ଯେଉଁ ଅଗ୍ନି ଜ୍ୱଳନର ପରମ୍ପରା ଅଛି, ତାହା ଭକ୍ତ ପ୍ରହ୍ଲାଦଙ୍କ ପୌରାଣିକ ଉପାଖ୍ୟାନ ସହିତ ସଂପୃକ୍ତ । ଆଖ୍ୟାନଟି ହୋଲିକା ଦହନ ନାମରେ ପରିଚିତ । ହୋଲିକା ଏକ ରାକ୍ଷସୀ ଓ ତାହାର ଦହନ ରାଜା ହିରଣ୍ୟକଶିପୁର ନାସ୍ତିକତା ପ୍ରେରିତ ଦୁଷ୍ଟ ଶକ୍ତି ଉପରେ ଭକ୍ତ ଓ ଶିଶୁ ପ୍ରହ୍ଲାଦ ପ୍ରତି ଆଶିର୍ବାଦ ପ୍ରଦାନ କରୁଥିବା ଦୈବୀଶକ୍ତିର ପ୍ରତୀକାତ୍ମକ ବିଜୟ ରୂପେ ଅନୁଷ୍ଠିତ ହୋଇଥାଏ । ପୌରାଣିକ କଥାବସ୍ତୁ ଅନୁଯାୟୀ ହୋଲିକା ଥିଲା ହିରଣ୍ୟକଶିପୁର ଭଉଣୀ- ଯେ କି ଶିବଙ୍କଠାରୁ ବର ପ୍ରାପ୍ତ ହେଇଥିଲା ଯେ ସେ ଜଳରେ ବୁଡ଼ିବ ନାହିଁ କି ନିଆଁରେ ପୋଡ଼ିବ ନାହିଁ । ନାସ୍ତିକତା ପ୍ରମତ୍ତ ହିରଣ୍ୟକଶିପୁକୁ ଭଗବାନ ବିଷ୍ଣୁଙ୍କ ମାୟାରେ ଶିକ୍ଷା ଦେବାପାଇଁ ହୋଲିକା ରାକ୍ଷସୀକୁ ପୁତ୍ର ପ୍ରହ୍ଲାଦ ସହିତ ଅଗ୍ନିରେ ପ୍ରବିଷ୍ଟ କରାଇଥିଲା, ସେଥିରେ ଶିଶୁ ପୁତ୍ରଟି ରକ୍ଷା ପାଇଯାଇଥିବା ବେଳେ ହୋଲିକା ଭସ୍ମୀଭୂତ ହୋଇଥିଲା ।[][]

ପୁତନା ରାକ୍ଷସୀ ଉପାଖ୍ୟାନ

[ସମ୍ପାଦନା]

କେତେକ ଅଞ୍ଚଳରେ ମଥୁରାରୁ ପ୍ରେରିତ ଛଦ୍ମ ଖଳନାୟିକା ପୁତନାର ଗୋପପୁର ପ୍ରବେଶ ଓ ସ୍ତନ୍ୟପାନ କରାଇ କୃଷ୍ଣ ଉଦ୍ୟମର କାହାଣୀକୁ ହୋଲି ଉତ୍ସବ ସହିତ ଯୋଡାଯାଇଥାଏ । ପୁତନା ରାକ୍ଷସୀର ଅନ୍ତ ଓ ତାହାର ଅନ୍ତ୍ୟେଷ୍ଟିକୁ ଏହି ଅଗ୍ନି ପ୍ରଜ୍ୱଳନ ସହିତ କେତେକ ସଂପୃକ୍ତ କରିଥାନ୍ତି । ଯେତେବେଳେ ଅସୁରରାଜା କଂସ ଶୂନ୍ୟବାଣୀ ଶୁଣିବାକୁ ପାଇଥିଲା ଯେ ତା’ର ପ୍ରକୃତ ହତ୍ୟାକାରୀ ଗୋପରେ ବଢୁଛି, ସେ ଚାହିଁଥିଲା ଗୋପପୁରର ସମସ୍ତ ଶିଶୁଙ୍କୁ କଳେବଳେ କୌଶଳେ ହତ୍ୟା କରିବ ବୋଲି । ସେଥିପାଇଁ ରାକ୍ଷସୀ ପୁତନା ପ୍ରେରିତ ହୋଇଥିଲା ଗୋପପୁରକୁ ନିଜ ସ୍ତନରେ ହଳାହଳ ବିଷ ପୂର୍ଣ୍ଣକରି କ୍ଷୀର ରୂପେ ପାନ କରାଇ ସମସ୍ତ ଗୋପାଳ ଶିଶୁଙ୍କ ଜୀବନ ହରଣ କରିବା ପାଇଁ । କୃଷ୍ଣ ପୁତନାର ସ୍ତନ୍ୟପାନ କରିବାର ଛଳନା କରି ଛଳନାମୟୀ ସୁନ୍ଦରୀର ପଞ୍ଚପ୍ରାଣା ଶୋଷଣ କରିଥିଲେ । ଦିବ୍ୟ ସୁନ୍ଦରୀ ରୂପ ଧାରଣ କରିଥିବା ପୁତନା ତା’ର ଅସଲ ରୂପ ପ୍ରକାଶ କରି ମୃତ୍ୟୁବରଣ କରିଥିଲା । ଶ୍ରୀକୃଷ୍ଣ ସନ୍ଥମାନଙ୍କୁ ପାଳନ କରିବା ପାଇଁ ଦୁଷ୍ଟ ନିବାରଣ କରିଥିବା ଯୋଗୁଁ ହୋଲି ବା ଦୋଳଉତ୍ସବ ପାଳିତ ହୁଏ ବୋଲି ଅନେକ ମତବ୍ୟକ୍ତ କରନ୍ତି ।[]

ତେବେ ଶ୍ରୀମଦ ଭାଗବତର ଗୋପଲୀଳାର ଅନ୍ୟ କେତେକ କଂସ ପ୍ରେରିତ ଅସୁର, ଅସୁରିଣୀଙ୍କ ନିଧନ ସହିତ ମଧ୍ୟ ଏହି ଦୋଳଉତ୍ସବକୁ ସଂପୃକ୍ତ କରାଯାଇଥାଏ । କିନ୍ତୁ ଗୋପଲୀଳାର ସର୍ବୋକ୍ତୃଷ୍ଟ ଆଖ୍ୟାନ ରାଧାକୃଷ୍ଣ ଯୁଗଳ ମିଳନର ଏକ ସର୍ବଶ୍ରେଷ୍ଠ ଦୃଶ୍ୟ ଦୋଳିରେ ରାଧାକୃଷ୍ଣ ବା ଝୁଲଣରେ ଯୁଗଳ ମୂର୍ତ୍ତି ଏହି ପର୍ବର ପ୍ରଧାନ ଉପାସ୍ୟ ।

ହୋଲି ଓ ଓଡ଼ିଶା

[ସମ୍ପାଦନା]

ଓଡ଼ିଆ ପଞ୍ଜିକା ଅନୁସାରେ ଫାଲଗୁନ ମାସର ପୂର୍ଣ୍ଣିମା ତିଥି ଦୋଳ ପୂର୍ଣ୍ଣିମା ନାମରେ ଅଭିହିତ। ଫାଲଗୁନ ଶୁକ୍ଳ ଦଶମୀ ତିଥିଠାରୁ ଦୋଳଯାତ୍ରା ସାଧାରଣତଃ ଆରମ୍ଭ ହୋଇଥାଏ । ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ରାଧା ଓ କୃଷ୍ଣଙ୍କ ନିକଟରେ ଏହି ଦିନଠାରୁ ଅବିର ଅର୍ପଣ କରାଯାଇଥାଏ । ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ଛୋଟ ଛୋଟ ବିମାନରେ ମହାଡମ୍ବର ସହକାରେ ଗ୍ରାମର ପ୍ରାୟ ପ୍ରତ୍ୟେକଙ୍କ ଦ୍ୱାରକୁ ନିଆଯାଇଥାଏ । ପ୍ରାୟତଃ ପ୍ରତ୍ୟେକ ଦ୍ୱାରରେ ଠାକୁରଙ୍କୁ ଭୋଗ ଅର୍ପଣ କରାଯିବା ସଙ୍ଗେସଙ୍ଗେ ପୁରୋହିତଙ୍କୁ ମଧ୍ୟ ଦକ୍ଷିଣା ଦିଆଯାଇଥାଏ । ଠାକୁରଙ୍କ ଉଦ୍ଦେଶ୍ୟରେ ପ୍ରତ୍ୟେକ ଦ୍ୱାରରେ ଅର୍ପିତ ଭୋଗକୁ ଦ୍ୱାରୀ ଭୋଗ କୁହାଯାଇଥାଏ । ଦୋଳପୂର୍ଣ୍ଣମୀ ଦିନ ସାଧାରଣତଃ ଠାକୁରମାନଙ୍କୁ ମନ୍ଦିରର ଦକ୍ଷିଣପୂର୍ବ ଦିଗରେ ନିର୍ମିତ ହୋଇଥିବା ଏକ ମଣ୍ଡପ ଉପରକୁ ନିଆଯାଇଥାଏ । ସେହି ମଣ୍ଡପର ନାମ ଦୋଳ ମଣ୍ଡପ । ସେଠାରେ ପୂଜାର୍ଚ୍ଚନା କରାଯିବା ସଙ୍ଗେସଙ୍ଗେ ଠାକୁରମାନେ ଦୋଳି ଖେଳନ୍ତି ଓ ସେଠାରେ ନାଲି ଅବିର ଅର୍ପଣ କରାଯାଇଥାଏ ।

ସାରା ଓଡ଼ିଶାର ପୁରପଲ୍ଲୀ ଫଗୁ ଦଶମୀଠାରୁ ଦୋଳଯାତ୍ରାର ଉତ୍ସାହ ଉଦ୍ଦୀପନାରେ ଝୁମି ଉଠେ । ଗାଁ ଗାଁରେ ରାଧାକୃଷ୍ଣ ମନ୍ଦିର, ଶିବ ମନ୍ଦିର, ଦେବୀ ମଦିରରେ କିମ୍ବା ଶ୍ରୀଜଗନ୍ନାଥ ଓ ଶ୍ରୀଲିଙ୍ଗରାଜ ମନ୍ଦିରରେ ଚଳନ୍ତି ପ୍ରତିମାକୁ ଚଉଦୋଳ ବା ଦୋଳ ବିମାନରେ ବସାଇ ଗ୍ରାମ ପରିକ୍ରମା ଆରମ୍ଭ କରାଯାଏ ଏବଂ ଦୁଆର ଦୁଆର ବୁଲି ଭୋଗ ଖାଆନ୍ତି ଠାକୁରେ । ଏହା ଏପରି ଏକ ସାମୁହିକ ଉତ୍ସବରେ ପରିଣତ ହୋଇଛି ଯେ ଖୋର୍ଦ୍ଧା ନିକଟବର୍ତ୍ତୀ କେତେକ ଗ୍ରାମରେ ଯଥା- ଗଡ଼ବାଣି, ମାଣିକଗୋଡାରେ - ଯେଉଁଠାରେ ମୁସଲମାନ ଦଳବେହେରା ରାଜାଙ୍କଦ୍ୱାରା ନିଯୁକ୍ତ ହେଇଥିଲେ ବା ହିନ୍ଦୁ ଦଳବେହେରା ପରବର୍ତ୍ତୀ ସମୟରେ ମୁସଲମାନ ଧର୍ମ ଗ୍ରହଣ କରିଥିଲେ - ସେମାନଙ୍କୁ ଦୁଆରେ ମଧ୍ୟ ପ୍ରଭୁ ଭୋଗ ଖାଇଥାନ୍ତି ।

ସେହିପରି ଶୈବପୀଠ ସହିତ ବୈଷ୍ଣବ ଭକ୍ତ ଓ ପୀଠର ସୌହାର୍ଯ୍ୟ ବୃଦ୍ଧିରେ ଦୋଳ ମେଲଣ ଓ ଦୋଳ ମଣ୍ଡପ ସାହାଯ୍ୟ କରିଥାଏ । ସାଧାରଣତଃ ଶୈବ, ଶାକ୍ତ କିମ୍ବା ଅନ୍ୟ ନିର୍ବିବାଦୀୟ ପୀଠରେ ବା ତାଙ୍କ ନିକଟରେ ଆୟୋଜିତ ହୋଇଥାଏ ଦୋଳ ମେଲଣ । ସେଠାରେ ପଞ୍ଚରାତ୍ର ବ୍ୟାପୀ ଚାଚେରୀରେ ସନ୍ଧ୍ୟାଠାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ଗ୍ରାମ ପରିକ୍ରମା ଓ ପରିଭ୍ରମଣ କରୁଥିବା ରାଧାକୃଷ୍ଣଙ୍କ ବିମାନ ଆସି ସାମୟିକ ରହିଥାଏ । ସାରା ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି ମେଲଣର ଅନନ୍ୟ ପରମ୍ପରା, ଐତିହ୍ୟ ଓ ନାମକରଣ ରହିଛି ।

ତେବେ ମୁଖ୍ୟତଃ ଏହି ଦୋଳ ମେଲଣ ତିନି ଭିନ୍ନ ଭିନ୍ନ ପ୍ରକାରର

  1. ଫାଲଗୁନର ରାଜଦୋଳ ମେଲଣ, ଅର୍ଥାତ ଫଗୁ (ଶୁକ୍ଳପକ୍ଷ) ଦଶମୀଠାରୁ ଫଗୁଣ ପୂର୍ଣ୍ଣିମା ପର୍ଯ୍ୟନ୍ତ ।
  2. ପଞ୍ଚୁଦୋଳ ମେଲଣ , ପାଞ୍ଚଦିନ ଅର୍ଥାତ ଫଗୁଣ ପୂର୍ଣ୍ଣିମାଠାରୁ ଚୈତ୍ରମାସ କୃଷ୍ଣ ପଞ୍ଚମୀ ପର୍ଯ୍ୟନ୍ତ ।
  3. ଦଶଦୋଳ, ଦଶଦିନ ବ୍ୟାପୀ ମେଲଣ ଅର୍ଥାତ ଫଗୁଣ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇ ଚୈତ୍ର କୃଷ୍ଣ ନବମୀ ପର୍ଯ୍ୟନ୍ତ ।

ବାସ୍ତବରେ କହିବାକୁ ଗଲେ ଏହି ରାଜଦୋଳ ଉତ୍ସବ ଅର୍ଥାତ ଫଗୁଦଶମୀଠାରୁ ସମସ୍ତ ସମସ୍ତ ବୈଷ୍ଣବ ପୀଠରେ ଝୁଲଣ ମଣ୍ଡପରେ ଦୋଳିରେ ଝୁଲନ୍ତି କିମ୍ବା ସୁସଜ୍ଜିତ ବିମାନରେ ବିଜେ କରନ୍ତି ଶ୍ରୀରାଧାକୃଷ୍ଣ ଯୁଗଳ ମୂର୍ତ୍ତି ।

ଓଡ଼ିଶାର ବହୁ ପର୍ବ ପରି ଦୋଳ ଚାଚେରୀ ଆଉ ମେଲଣ ଉଭୟ ଯାତ୍ରା ଓ ସ୍ଥାନୀୟ ସମାବେଶର ଉଲ୍ଲେଖଯୋଗ୍ୟ ସମ୍ମିଶ୍ରଣ। ଶ୍ରୀ ଚୈତନ୍ୟ ଜୟନ୍ତୀ ଭାବରେ ସଂକୀର୍ତ୍ତନ, ଖୋଳ, କରତାଳର ଏହା ମହାଉତ୍ସବ ରୂପେ ପରିଗଣିତ । ଅବଶ୍ୟ, ଶ୍ରୀକୃଷ୍ଣ ଓ ଶ୍ରୀଜଗନ୍ନାଥଙ୍କ ମଧ୍ୟରେ ଅଭେଦ୍ୟତା ସ୍ଥାପିତ ହୋଇଥିବାରୁ କେତେକ ଝୁଲଣ ମଣ୍ଡପ ବା ପୀଠରେ ଶ୍ରୀକୃଷ୍ଣଙ୍କ ସ୍ଥାନରେ ଜଗନ୍ନାଥଙ୍କ ମୂର୍ତ୍ତି ଶୋଭାପାଇଥାଏ ।

ଦୋଳ ମେଲଣ

[ସମ୍ପାଦନା]
ବଇଆଣ୍ଡିହ ମେଳଣ, ନସଲାପୁର, ଭଦ୍ରକ

ବହୁ ପୁରାଣ ଶାସ୍ତ୍ରରେ ନାରାୟଣ, ବିଷ୍ଣୁ, ବାସୁଦେବ, କୃଷ୍ଣଙ୍କର କଥା କୁହାଯାଇଥିଲେ ହେଁ କୃଷ୍ଣଙ୍କ ଜୀବନ ଚରିତ ମୁଖ୍ୟତଃ ମହାଭାରତ ଓ ଅଖିଳ ହରିବଂଶ ପୁରାଣଦ୍ୱାରା ଭାରତରେ ଲୋକପ୍ରିୟ । ଏଥି ମଧ୍ୟରୁ ସଂସ୍କୃତରେ ବ୍ୟାସଦେବଙ୍କଦ୍ୱାରା ରଚିତ ଓ ଶୁକମୂନିଙ୍କଦ୍ୱାରା କଥିତ ଶ୍ରୀମଦ ଭାଗବତର ଲୋକପ୍ରିୟତା ସର୍ବାଧିକ । ଓଡ଼ିଆ ଭାଷାରେ ଅତିବଡ଼଼ି ଜଗନ୍ନାଥ ଦାସଙ୍କ ଅନୁସୃଜନରେ ଏହା ଓଡ଼ିଶାରେ ଅତ୍ୟନ୍ତ ଆଦୃତ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଶ୍ରୀମଦ ଭାଗବତରେ ଗୌଣ କିମ୍ବା ଆଦୌ ଲେଖା ନଥିବା ବିଷୟ ଓ ପ୍ରସଙ୍ଗ ମଧ୍ୟ ଲୋକପ୍ରିୟତା ଲାଭ କରିଛି ।

ଶ୍ରୀମନ୍ଦିର ଓ ଦୋଳଯାତ୍ରା

[ସମ୍ପାଦନା]

ରଥଯାତ୍ରାଦେବସ୍ନାନ ପୂର୍ଣ୍ଣିମାକୁ ବାଦ ଦେଲେ ଦୋଳଯାତ୍ରା ପୁରୀମନ୍ଦିରର ଏକ ବିଶିଷ୍ଟ ପର୍ବ । ଶ୍ରୀଜଗନ୍ନାଥଙ୍କର ବିଭିନ୍ନ ଯାନିଯାତ୍ରା ସମ୍ପର୍କରେ ଯେଉଁ ସବୁ ଉଲ୍ଲେଖ ରହିଛି, ତାହାରି ମଧ୍ୟରେ ଦୋଳଯାତ୍ରାର ବିଶେଷ ଗୁରୁତ୍ୱ ସ୍ୱୀକୃତ ହୋଇଛି । ଦୋଳରେ ଦୋଳ ଗୋବିନ୍ଦ, ଚନ୍ଦନ ଯାତ୍ରାର ଚାପରେ ମଧୁସୂଦନ ଓ ରଥଯାତ୍ରାରେ ରଥ ଉପରେ ବାମନଙ୍କୁ ଦର୍ଶନ କଲେ ଆଉ ପୁନର୍ଜନ୍ମ ହୁଏନାହିଁ ବୋଲି ଆପ୍ତବାକ୍ୟ ଓ ବିଶ୍ୱାସ ରହିଛି । ବୈଷ୍ଣବଧର୍ମର ଅନ୍ୟତମ ପ୍ରସିଦ୍ଧ ରଚନା ଶ୍ରୀଜୟଦେବ ବିରଚିତ ଶ୍ରୀଗୀତଗୋବିନ୍ଦରେ ବସନ୍ତରାସରେ ଏହା ବର୍ଣ୍ଣିତ ହୋଇଛି ।

ଜଗନ୍ନାଥଙ୍କୁ ବିଭିନ୍ନ ନାମରେ ବିଭିନ୍ନ ମାସରେ ପୂଜା କରାଯାଇଥାଏ । ସେଥି ମଧ୍ୟରୁ ଫାଲଗୁନ ମାସରେ ତାଙ୍କର ନାମ ଗୋବିନ୍ଦ ଏଣୁ ଫାଲଗୁନ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିଟି ଗୋବିନ୍ଦ ଦ୍ୱାଦଶୀ ନାମରେ ସୁପ୍ରସିଦ୍ଧ । ତାର୍କ୍ଷ୍ୟ (ଗରୁଡ଼) ପୁରାଣରେ ଏହି ଗୋବିନ୍ଦ ଦ୍ୱାଦଶୀତିଥିର ମହିମା ବର୍ଣ୍ଣିତ । ଫଗୁଦଶମୀ ତିଥିରୁ ଫଗୁଖେଳ ଓ ଦୋଳାରେ ଗୋବିନ୍ଦଙ୍କର ଯାତ୍ରା ଓ ଗ୍ରାମ ପରିକ୍ରମା ଆରମ୍ଭ ହେଇଥାଏ । ଦୋଳବେଦୀରେ ମଦନମୋହନଲକ୍ଷ୍ମୀ ବିଜେ କରିଥାନ୍ତି । ଓଡ଼ିଶାର ପ୍ରାୟ ସମସ୍ତ ଗ୍ରାମରେ ବିଶେଷକରି ବ୍ରାହ୍ମଣଶାସନ ମାନଙ୍କରେ ଏହାର ଗୁରୁତ୍ୱ ବିଶେଷ ଭାବରେ ସ୍ୱୀକୃତ ।

ଶ୍ରୀକ୍ଷେତ୍ର ପୁରୀଠାରେ ଶ୍ରୀଜଗନ୍ନାଥ ଏକ ଲୋକାୟତ ପରଂପରା ରୂପେ ଏହି ଦୋଳଯାତ୍ରାକୁ ବୈଷ୍ଣବୀୟ ଢଙ୍ଗରେ ପାଳନ କରନ୍ତି । ଏହା ଚାଚେରୀ ଲୀଳା ନାମରେ ପ୍ରଖ୍ୟାତ । ଚାଚେରୀ ଶବ୍ଦଟି ସଂସ୍କୃତ ଚାର୍ଚ୍ଚରୀରୁ ଆସିଛି । ଏହି ସଂସ୍କୃତ ଶବ୍ଦର ଅର୍ଥ ସୌଭାଗ୍ୟ ବୋଲି କୁହାଯାଏ । ସାରା ଓଡ଼ିଶାରେ ବିଷ୍ଣୁ, କୃଷ୍ଣ ମନ୍ଦିରରେ ଏହି ଚାଚେରୀ ପାଳନ କରାଯାଏ । ଏହି ପର୍ବରେ ଫଗୁଦଶମୀ ଦୋଳବିମାନରେ ଦୋଳଗୋବିନ୍ଦ, ଲକ୍ଷ୍ମୀସରସ୍ୱତୀ ପ୍ରତି ସନ୍ଧ୍ୟାରେ ଶ୍ରୀଜଗନ୍ନାଥବଲ୍ଲଭ ଉଦ୍ୟାନକୁ ଚାଚେରୀ ଖେଳିବାଜୁ ଯାଆନ୍ତି । ଶ୍ରୀମନ୍ଦିର ବେଢା ପରିକ୍ରମା କରି ବାହାକମାନଙ୍କ କାନ୍ଧରେ ସିଂହଦ୍ୱାର ଗୁମୁଟ ଟପି ଅରୁଣସ୍ତମ୍ଭ ପାରହେଲା ପରେ ଲୋକଙ୍କର ଉତ୍ସାହ ଓ ଉଦ୍ଦୀପନା ଏକ ଭାବଭକ୍ତି ପୂର୍ଣ୍ଣ ଦୃଶ୍ୟ ସୃଷ୍ଟି କରିଥାଏ । ଦୋଳ ବେଦିରେ ପହଞ୍ଚି ଆରମ୍ଭ ହୁଏ ଫଗୁଲାଗି । ପୁଷ୍ପମାଲ୍ୟ, କୁନ୍ଦପୁଷ୍ପ ପରି ସୁବାସିତ ପୁଷ୍ପ ଓ ଲାଲ ବେଶରେ ଚାଚେରୀ ବେଶରେ ଦୋଳଗୋବିନ୍ଦ ବିଜେ ହୁଅନ୍ତି । ପୂଜାଅର୍ଚ୍ଚନା ଓ ଭୋଗରାଗ ପରେ ଠାକୁର ଶ୍ରୀମନ୍ଦିରକୁ ବାହୁଡ଼ି ଆସନ୍ତି । ଚତୁର୍ଦ୍ଧାମୂର୍ତ୍ତିଙ୍କର ସୁନାବେଶ ମଧ୍ୟ ଏହି ଅବସରରେ ଅନୁଷ୍ଠିତ ହୋଇଥାଏ । ଏହାକୁ ରାଜରାଜେଶ୍ୱର ବେଶ କୁହାଯାଏ ।

ଅନେକଙ୍କ ମତରେ ଶ୍ରୀଚୈତନ୍ୟ (୧୪୮୬ ଖ୍ରୀ: - ୧୫୩୩ ଖ୍ରୀ: )ଙ୍କ ଦୀର୍ଘ ଅବସ୍ଥାନ ଏବଂ ଶ୍ରୀଜଗନ୍ନାଥଙ୍କୁ ବୃନ୍ଦାବନ ବିହାରୀ ରୂପେ ଏକ କରିଦେବା ହିଁ ଶ୍ରୀଜଗନ୍ନାଥ ମନ୍ଦିରରେ ବୈଷ୍ଣବ ବିଚାର ଓ ଆଚାର ପ୍ରବେଶର ମୁଖ୍ୟ ସମୟ । [][] ମାତ୍ର ଯାହା ଜଣା ଯାଉଛି, ବହୁ ଆଗରୁ ଶ୍ରୀକୃଷ୍ଣ ଓ ଶ୍ରୀଜଗନ୍ନାଥଙ୍କୁ ଏକକରି ଦେଖିବାର ପ୍ରୟାସ ସାଧୁସନ୍ଥମାନେ କରିଆସିଥିଲେ । ୧୫୬୦ ଖ୍ରୀଷ୍ଟାବ୍ଦ ପୂର୍ବରୁ ମନ୍ଦିର ବେଢା ମଧ୍ୟରେ ବଡ଼ ଦେଉଳର ଦକ୍ଷିଣପୂର୍ବ ପାର୍ଶ୍ୱରେ ଦୋଳମଣ୍ଡପ ନିର୍ମାଣ କରାଯାଇଥିଲା ଏବଂ ଚତୁର୍ଦ୍ଧା ବିଗ୍ରହଙ୍କୁ ସେଠାକୁ ନିଆଯାଇ ଦୋଳଯାତ୍ରା ପାଳିତ ହେଉଥିଲା, କିନ୍ତୁ ଠାକୁରମାନେ ଦୋଳି ଖେଳିବାବେଳେ ହଠାତ ଦୋଳିର ଗୋଟିଏପଟ ଛିଣ୍ଡି ପଡ଼ିବା ଫଳରେ ବଳଭଦ୍ରଙ୍କ ବିଗ୍ରହର ଗୋଟିଏ ପଟ ହାତରେ କିଛି ଅଂଶ ସାମାନ୍ୟ ଭଗ୍ନ ହୋଇଥିଲା । ପୁଣି ଫଗୁଖେଳ ଯୋଗୁଁ ବିଗ୍ରହଗୁଡିକର ସୌନ୍ଦର୍ଯ୍ୟ ନଷ୍ଟ ହେବାର ସମ୍ଭାବନା ଥିବା ଯୋଗୁଁ ସେଇ ଦୁର୍ଘଟଣା ପରଠାରୁ ଚକାଡୋଳା ଜଗତର ନାଥଙ୍କର ପ୍ରତିନିଧି ସ୍ୱରୂପ ପିତଳରେ ତିଆରି ଦୋଳଗୋବିନ୍ଦ,ରାଧାରାଣୀଙ୍କ ପ୍ରତିନିଧି ଭାବେ ମା ଭୂଦେବୀ ଓ ଶ୍ରୀଦେବୀଙ୍କ ବିଗ୍ରହକୁ ଦୋଳବେଦୀ ନେବା ବିଧି ପ୍ରଚଳନ କରାଯାଇଛି । ସେହି ପରଠାରୁ କପିଳେନ୍ଦ୍ର ଦେବ ମଣ୍ଡପର ସ୍ଥାନ ମଧ୍ୟ ପରିବର୍ତ୍ତନ କରି ମନ୍ଦିର ବେଢାକୁ ଲାଗି ଉତ୍ତରପୂର୍ବ କୋଣରେ ଦୋଳମଣ୍ଡପ ନିର୍ମାଣ କରିଥିଲେ ।

ଓଡ଼ିଶାର ଦୋଳମଣ୍ଡପ

[ସମ୍ପାଦନା]

ଓଡ଼ିଶାର ଦୋଳମଣ୍ଡପ କହିଲେ ତୋରଣାକୃତି ଏକ ଉଚ୍ଚ ସଭାମଣ୍ଡପକୁ ବୁଝାଇଥାଏ । ଓଡ଼ିଶାର ପ୍ରାଚୀନତମ ପ୍ରସିଦ୍ଧ ମନ୍ଦିର ମଧ୍ୟରୁ ସର୍ବୋତ୍କୃଷ୍ଟ ମୁକ୍ତେଶ୍ୱର ମନ୍ଦିରର ତୋରଣ ଦ୍ୱାରକୁ ଓଡ଼ିଶାର ସମସ୍ତ ଗ୍ରାମ ଏହି ତୋରଣ ଓ ଦୋଳମଣ୍ଡପର ଆଦି ରୂପ ଭାବରେ ସ୍ୱୀକାର କରିଛନ୍ତି ।

ଭୁବନେଶ୍ୱରରେ କେଦାରଗୌରୀ ନିକଟସ୍ଥ ସିଦ୍ଧେଶ୍ୱର, ମୁକ୍ତେଶ୍ୱର ମନ୍ଦିରପୁଞ୍ଜର ଏହି ଭବ୍ୟ ତୋରଣଟିର ପ୍ରତିରୂପ ଦୋଳମଣ୍ଡପରେ ନିର୍ମିତ ହେବାନେଇ ଅବଶ୍ୟ କୌଣସି ଧାର୍ମିକ ବିଧି ବା ନିୟମ ନାହିଁ, ମାତ୍ର ଓଡ଼ିଶା ସ୍ଥାପତ୍ୟର ଏହି ଅନନ୍ୟ ନିଦର୍ଶନକୁ ଗ୍ରାମେ ଗ୍ରାମେ ଲୋକପ୍ରିୟ କରିପାରିଥିବା ବୈଷ୍ଣବୀୟ ପରମ୍ପରାର ଦୂରଦୃଷ୍ଟି ଓ ସୌନ୍ଦର୍ଯ୍ୟାନୁଭୂତି ପ୍ରଂଶସନୀୟ । ଏହି ମୁକ୍ତେଶ୍ୱର ତୋରଣ ଅନୁରୂପରେ ସ୍ୱର୍ଣ୍ଣଗହଣା ଓ କଣ୍ଠହାର ମଧ୍ୟ ନିର୍ମିତ ହୁଏ । []

ଆଉରି ଦେଖନ୍ତୁ

[ସମ୍ପାଦନା]
  1. http://www.saibabaofindia.com/spiritual_meanings_for_holi.htm
  2. http://www.shaivam.org/siddhanta/fes_holi.htm
  3. 1 2 "ଆର୍କାଇଭ୍ କପି". Archived from the original on 2012-04-11. Retrieved 2012-09-29. {{cite web}}: Cite has empty unknown parameter: |1= (help)
  4. http://www.holifestival.org/kaman-pandigai.html
  5. 1 2 "ଆର୍କାଇଭ୍ କପି". Archived from the original on 2012-04-09. Retrieved 2012-09-29. {{cite web}}: Cite has empty unknown parameter: |1= (help)
  6. "ଆର୍କାଇଭ୍ କପି". Archived from the original on 2013-01-20. Retrieved 2012-09-30. {{cite web}}: Cite has empty unknown parameter: |1= (help)
  7. "ଆର୍କାଇଭ୍ କପି". Archived from the original on 2013-03-21. Retrieved 2012-09-30. {{cite web}}: Cite has empty unknown parameter: |1= (help)
  8. "ଆର୍କାଇଭ୍ କପି". Archived from the original on 2015-04-18. Retrieved 2012-09-30. {{cite web}}: Cite has empty unknown parameter: |1= (help)

ଦୋଳ ପୂର୍ଣ୍ଣିମାକୁ ମୁଖ୍ୟତଃ ଗୋପାଳ (ଯାଦବ) ସମାଜର ଲୋକମାନେ ଅତି ଆନନ୍ଦ ଉଲ୍ଲାସରେ ପାଳନ କରିଥାନ୍ତି ଦୋଳ ଉତ୍ସବରେ ଗୋପାଳ ଯୁବକମାନେ ବାଡି ଧରି ସାମରିକ କଳା ପ୍ରଦର୍ଶନ କରିଥାନ୍ତି ଏହାକୁ ଲଉଡି ଖେଳ କୁହାଯାଇ ଥାଏ = ଅଧିକ ତଥ୍ୟ =

[ସମ୍ପାଦନା]