ସୁଭଦ୍ରା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ଜଗନ୍ନାଥ ମନ୍ଦିରରେ ପୂଜା ପାଉଥିବା ସୁଭଦ୍ରା ଶ୍ରୀକୃଷ୍ଣଙ୍କ ବୈମାତ୍ରେୟ ଭଗିନୀ । ସୁଭଦ୍ରା ବସୁଦେବଙ୍କ ଔରସରେ ରୋହିଣିଙ୍କ ଗର୍ଭରୁ ଜାତ ହୋଇଥିଲେ ।[୧] ସୁଭଦ୍ରା ତୃତୀୟ ପାଣ୍ଡବ ଅର୍ଜୁନଙ୍କୁ ବିବାହ କରିଥିଲେ । ଏହାଙ୍କ ଗର୍ଭରୁ ଅର୍ଜୁନଙ୍କ ଔରସରେ ଅଭିମନ୍ୟୁ ଜନ୍ମହୋଇଥିଲେ । ସେ ଶ୍ରୀମନ୍ଦିରରେ ଭୁବନେଶ୍ୱରୀ ରୂପରେ ପୁଜା ହୁଅନ୍ତି ।

ନାମକରଣ ତତ୍ପର୍ଯ୍ୟ[ସମ୍ପାଦନା]

ସଗୁଣରୁ ନିର୍ଗୁଣ ହେବାକୁ ହେଲେ, ସ୍ଵରାଟକୁ ବିରାଟରେ ମିଶାଇବାକୁ ହେଲେ ମାତୃ ଚେତନା ହିଁ ପ୍ରାଥମିକ ଆବଶ୍ୟକତା ହୋଇଥାଏ । ଏହି ମାତୃଶକ୍ତିର ଆମଶକ୍ତି ହେଉଛନ୍ତି ମା' ସୁଭଦ୍ରା । ସୃଷ୍ଟି ରହସ୍ୟରେ ଗୋଟିଏ ତତ୍ତ୍ଵ ରହିଥଲା । ମହାକାଳ ଚକ୍ରରେ ତା' ମଧ୍ୟରେ ଶକ୍ତିର ସୃଷ୍ଟି ହେଲା । ଏହା ସ୍ଵତନ୍ତ୍ର ଭାବେ ହୋଇଥାଏ ବୋଲି ମହର୍ଷମାନଙ୍କ ମତ ଶକ୍ତି ସୃଷ୍ଟି ହେଲେ ‘ଇଚ୍ଛାଶକ୍ତି' ପ୍ରଥମେ ଆସେ ଏକରୁ ଅନେକ ହେବି । ଏଯେଉଁ ଇଚ୍ଛା ତାହା ଶକ୍ତି ଯୋଗୁ ସମ୍ଭବ ହୋଇଥଲା । ତେଣୁ କୁହାଯାଏ ଇଚ୍ଛାଶକ୍ତି ଯୋଗ ହେବାରୁ ବହୁ ରୂପର ସୃଷ୍ଟି ହେବା ସମ୍ଭବ ହେଲା । ଏହିସବୁ ରୂପଗୁଡ଼ିକ ଦେବା ଦେବତା ରୂପେ ଭାରତୀୟ ପରମ୍ପରାରେ ଉପାସିତ ହେଲେ । ଏହି ଶକ୍ତିକୁ ଅନେକ ଶବ୍ଦରେ ବୁଝାଯାଏ । କେହି ବ୍ରହ ଶକ୍ତି କୁହନ୍ତି,କେହି ଶିବ ଶକ୍ତି କୁହନ୍ତି । ଶ୍ରୀଜଗନ୍ନାଥଙ୍କ ଉପାସନାରେ ଏହି ଶକ୍ତିକୁ ମାତୃ ଚେତନା ବା ଆତ୍ମଶକ୍ତ ଭାବରେ ଗ୍ରହଣ କରାଯାଇଛି । ଏଥରେ ମାନବିକ ମୂଲ୍ୟବୋଧକୁ ଗୁରୁତ୍ଵ ଦିଆଯାଇଛି । ସୁଭଦ୍ରା ଶବ୍ଦର ଅର୍ଥ ହେଉଛି 'ଉତ୍ତମ ଭଦ୍ରା' । ଉତ୍ତମ ହେବାକୁ ହେଲେ ଗର୍ବ ଅହଙ୍କାର ତ୍ୟାଗ କରିବାକୁ ହୁଏ । ଅହଙ୍କାର ହେଉଛି ଉଦ୍ଧତ ସ୍ଵଭାବ । ଦର୍ପ ବା ଅହଙ୍କାର ୧୨ଗୋଟି ଖରାପ ଗୁଣକୁ ନେଇ ବଳିଷ୍ଠ ହୋଇଅଛି । ଏହି ୧୨ ଗୋଟି ଖରାପ ଗୁଣର ନିରାକରଣ ନିମନ୍ତେ ଭଦ୍ରତତ୍ତ୍ୱର ଆବଶ୍ୟକ ହୋଇଥାଏ । ସେହି ଉତ୍ତମ ଭଦ୍ରତତ୍ତ୍ଵର ପ୍ରତୀକ ହେଉଛନ୍ତି ମା' ସୁଭଦ୍ରା । [୨]

ଅନ୍ୟ ରୂପ ଏବଂ ବର୍ଣ୍ଣନା[ସମ୍ପାଦନା]

ସୁଭଦ୍ରାଙ୍କ ରଥ ଦର୍ପଦଳନରେ ୧୨ଟି ଚକ ରହିଥାଏ ।[୩] ଏହି ୧୨ଗୋଟି ଚକ ଅହଙ୍କାର ଓ ଖରାପ ଗୁଣକୁ ଦଳନ କରିଥାଏ । ବନପର୍ବ ବର୍ଣ୍ଣନା ଅନୁଯାୟୀ ସୁଭଦ୍ରାଙ୍କୁ ‘ଏକାନଂଶୀ’ ଦେବୀ ବୋଲି ମତ ଦେଇଛନ୍ତି ଏବଂ କୃଷ୍ଣବଳରାମଙ୍କ ମଝିରେ ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ଗ୍ରହଣ କରିବା ସମ୍ଭବ ହୁଏ ନାହିଁ । କାରଣ ସେହି ମହାଭାରତ ସମୟ ବେଳକୁ ପୁରୁଷୋତ୍ତମ ଚେତନା ସୃଷ୍ଟି ହୋଇପାରିଥଲା । ଦେବୀ ଏକାନଂଶୀ ହେଉଛନ୍ତି ଚାମୁଣ୍ଡା। ସେ ଦର୍ପଦଳନ ରଥର ସୁରକ୍ଷା ଦାୟିତ୍ଵ ନେଇ ପାର୍ଶ୍ଵଦେବୀ ଭାବେ ସ୍ଥାନିତ । ମହାନିର୍ବାଣ ତନ୍ତ୍ରରେ ମା ସୁଭଦ୍ରା ହେଉଛନ୍ତି ଦେବୀ ଭୁବନେଶ୍ୱରୀ । ଅର୍ଥାତ ଦେବା ସୁଭଦ୍ରା, ଦଶ ମହାବିଦ୍ୟା ମଧ୍ୟରେ ଅନ୍ୟତମ ଅଟନ୍ତି । ସ୍କନ୍ଦପୁରାଣ ଓ ବିଭିନ୍ନ ଶାସ୍ତ୍ରରେ ମା' ସୁଭଦ୍ରାଙ୍କୁ ଯୋଗମାୟା ଆଦି ଶକ୍ତି ବୋଲି ବର୍ଣ୍ଣନା କରାଯାଇଛି । ଆଦି ଶକ୍ତି ହିଁ ଭୁବନର ଈଶ୍ଵରୀ ହେବା ସମ୍ଭବ । ଅନେକ ଆଲୋଚକ ତାଙ୍କର ସ୍ଵରୂପ ସ୍ଥମ୍ଭ ଭଳି ମନେକରି ତାଙ୍କୁ ସ୍ତମ୍ବେଶ୍ଵରୀ ବା ଖମ୍ବେଶ୍ଵରୀ ବୋଲି ବର୍ଣ୍ଣନା କରିଛନ୍ତି । ମାତ୍ର ଭୁବନେଶ୍ଵରୀଙ୍କ ବୈଷ୍ଣବ ଉପାସକମାନେ 'ସୁଭଦ୍ରା ପ୍ରାଣନାଥସ୍ୟ ଜଗନ୍ନାଥସ୍ୟ ମଙ୍ଗଳମ’ ଭାବେ ପୂଜା କରନ୍ତି ।[୪] ଶ୍ରୀଜଗନ୍ନାଥ ତତ୍ତ୍ୱ ଜଗନ୍ନାଥ, ବଳଭଦ୍ର, ମା' ସୁଭଦ୍ରା ଓ ସୁଦର୍ଶନ ରୂପୀ ମୂର୍ତ୍ତି ଚତୁଃଷ୍ଟୟର ମନୋଜ୍ଞ ସମାହାର ଅଟନ୍ତି । ଏମାନଙ୍କ ମଧ୍ୟରୁ କେଉଁ ଜଣଙ୍କର ଅନୁପସ୍ଥିତିରେ ଜଗନ୍ନାଥ ତତ୍ତ୍ୱ ଅସମ୍ପୂର୍ଣ୍ଣ ଅଟେ । ସେଥିପାଇଁ କୁହାଯାଇଛି ଯେ, 'ଜ'କାରଶ୍ଚ ଜଗନ୍ନାଥ, 'ଗ' କାରଶ୍ଚ ବଳଭଦ୍ର, ଭଦ୍ରା 'ନ' କାର ଭାବେନ, 'ଥ' କାରଶ୍ଚ ସୁଦର୍ଶନ ହୋଇଥାନ୍ତି । ଜଗନ୍ନାଥ ତତ୍ତ୍ୱରେ ମା'ସୁଭଦ୍ରାଙ୍କ ଉପସ୍ଥିତି ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ଚାରିମୂର୍ତ୍ତିଙ୍କ ଉପାସନା ଆରମ୍ଭ ଆଗରୁ ପ୍ରଥମେ ବାସୁଦେବ ବିଷ୍ଣୁ ବିରାଜିତ ହୋଇଥିଲେ ବୋଲି ମହାଭାରତର ନାରାୟଣୀୟ ଉପାଖ୍ୟାନରୁ ଜଣାଯାଏ । ଦ୍ଵିବ୍ୟୁହ ତତ୍ତ୍ୱରେ ଶଙ୍କର୍ଷଣ ଶିବରୂପେ ଗୃହୀତ ହେଲେ । ପରବର୍ତ୍ତୀ କାଳରେ ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ ସହିତ ସୁଭଦ୍ରା ବିରାଜିତ ହେଲେ ।

ଅନେକ ସୁଭଦ୍ରାଙ୍କୁ ବ୍ରହ୍ମାଙ୍କ ରୂପ ଭାବେ ଅଭିହିତ କରିଛନ୍ତି । ବ୍ରହ୍ମା ତୀର୍ଥଗୁରୁ ପୁଷ୍କରକୁ ନିଜ ଯଜ୍ଞ ପାଇଁ ଉପଯୁକ୍ତ ସ୍ଥାନ ବୋଲି ଭାବିଥିଲେ କିନ୍ତୁ ଏହି ସ୍ଥାନକୁ ମନୋନୀତ କରିବା ପୂର୍ବରୁ ନିଜ ସ୍ତ୍ରୀ ସାବିତ୍ରୀଙ୍କ ଜରୁରୀ ଆବଶ୍ୟକତା ମନେକରି ତାଙ୍କୁ ପୁତ୍ର ନାରଦଙ୍କଦ୍ୱାରା ଡକାଇ ଥିଲେ । କିନ୍ତୁ ନାରଦ ଓ ସାବିତ୍ରୀ ସେଠାକୁ ଆସିବାକୁ ବିଳମ୍ବ ହେତୁ ବ୍ରହ୍ମା ଗାୟତ୍ରୀଙ୍କୁ ପୁନଃବିବାହ କରି ଯଜ୍ଞ ଆରମ୍ଭ କଲେ, ପରେ ସାବିତ୍ରୀ ସେଠାରେ ପହଞ୍ଚି ଏସବୁ ଦେଖି ବ୍ରହ୍ମାଙ୍କୁ ଅଭିଶାପ ଦେଲେ । ଅଭିଶାପରେ ସାବିତ୍ରୀ କହିଥିଲେ ଯେ, ବ୍ରହ୍ମା ସୃଷ୍ଟି କର୍ତ୍ତା ହୋଇଥିଲେ ହେଁ ସେ ଏହି ପୁଷ୍କର ସ୍ଥାନ ବ୍ୟତୀତ ଆଉ କୌଣସି ଜାଗାରେ ପୂଜା ପାଇବେ ନାହିଁ । ଏବଂ ବାସ୍ତବିକ ରାଜସ୍ଥାନର ଥର ମରୁଭୂମି ନିକଟସ୍ଥ ଏହି ତୀର୍ଥ ଶ୍ରେଷ୍ଠ ପୁଷ୍କର ହ୍ରଦ ନିକଟରେ କେବଳ ଚତୁମୁଖ ବ୍ରହ୍ମା ପୂଜା ହେଉଛନ୍ତି । ଅନ୍ୟ କେଉଁଠାରେ ବ୍ରହ୍ମା ପୂଜା ହେଉନାହାଁନ୍ତି କହିଲେ ଚଳେ । ସେଥିପାଇଁ ଜଗନ୍ନାଥ, ବଳଭଦ୍ରଙ୍କ ସହିତ ବ୍ରହ୍ମା ସୁଭଦ୍ରା ରୂପେ ପୂଜା ପାଆନ୍ତି ।[୫]

ଚାରିବେଦ ମଧ୍ୟରୁ ଭକ୍ତମାନେ କିଏ ସୁଭଦ୍ରା ମା'ଙ୍କୁ ୠକବେଦ ତ କିଏ ଯର୍ଜୁବେଦ ବୋଲି ଗ୍ରହଣ କରିଛନ୍ତି । ଶ୍ରୀଜଗନ୍ନାଥ ହେଉଛନ୍ତି ୠକବେଦ କାରଣ ସେ ଅବ୍ୟକ୍ତ ଜଗତରୁ ଜୀବ ମଧ୍ୟରେ ମନ୍ତ୍ର ପ୍ରକାଶ କରୁଛନ୍ତି । ଏହି ମନ୍ତ୍ରକୁ ଦେବୀ ସୁଭଦ୍ରା ଅନୁଭବ ସ୍ତରରେ ଯୋଗ କରୁଛନ୍ତି, ତେଣୁ ସେ ହେଉଛନ୍ତି ଯଜୁର୍ବେଦ । ଏହି ସମ୍ବେଦନ କର୍ମେନ୍ଦ୍ରୀୟ ରୂପୀ ବଳରାମ ସାମ୍ୟଧାରଣ କରନ୍ତି ବୋଲି ସେ ହେଉଛନ୍ତି ସାମବେଦ ଓ ସୁଦର୍ଶନଙ୍କୁ ଅଥର୍ବ ବେଦ ଭାବରେ ଗ୍ରହଣ କରାଯାଇଥାଏ । ଶ୍ରୀଜଗନ୍ନାଥଙ୍କ ବର୍ଣ୍ଣ କୃଷ୍ଣ, ବଳଭଦ୍ରଙ୍କ ବର୍ଣ୍ଣ ଶ୍ଵେତ ଓ ସୁଭଦ୍ରାଙ୍କ ବର୍ଣ୍ଣ ପୀତ ଅଟେ ।ଏହି ବର୍ଣ୍ଣ ସବୁ ବିଭିନ୍ନ ବର୍ଣ୍ଣ ଲୋକମାନଙ୍କସୂଚନା ଦେଇଥାଏ ଓ ତତ୍ସହିତ ସେମାନଙ୍କ ମଧ୍ୟରେ ଭ୍ରାତୃଭାବର ସମ୍ପର୍କ ସୃଷ୍ଟି କରିଥାଏ । ସନାତନ ଧର୍ମର ମୁଖ୍ୟ ତ୍ରିଧାରା ହେଲେ ଶାକ୍ତ, ବୈଷ୍ଣବଶୈବ । ଶାକ୍ତ ମାନଙ୍କ ଉପାସିକା ହେଉଛନ୍ତି ମା' ଦୁର୍ଗା ବା ଯୋଗମାୟା । ଏହି ଦୁର୍ଗା ବା ଯୋଗମାୟା ହେଉଛନ୍ତି ଦେବୀ ସୁଭଦ୍ରା । ସ୍କନ୍ଦ ପୁରାଣରେ ମା' ସୁଭଦ୍ରାଙ୍କର ଦୁଇଟି ହସ୍ତ ବୋଲି ବର୍ଣ୍ଣନା କରାଯାଇଛି । ଏବଂ ଏହା ମଧ୍ୟ ବର୍ଣ୍ଣିତ ଯେ ସେ ଏକ ହସ୍ତେ ପଦ୍ମ ଓ ଅନ୍ୟ ଏକ ହସ୍ତେ ଅଭୟ ପ୍ରଦାନ କରୁଛନ୍ତି । ନୀଳମାଧବ ବା ମାଧବ ତତ୍ତ୍ୱରେ ଜଗନ୍ନାଥ ଧର୍ମର ଆଦିମତା ରହିଛି ବୋଲି ମତବ୍ୟକ୍ତ କରନ୍ତି । ନୀଳ+ମା+ଧବ । ଏହି ମା' ଶବ୍ଦର ଅର୍ଥ ଦେବୀ ସୁଭଦ୍ରା ବୋଲି କେତେକ ମତ ପ୍ରଦାନ କରିଛନ୍ତି । ବୌଦ୍ଧ ଧର୍ମରେ ତ୍ରିମୂର୍ତ୍ତି ହେଲେ ବୁଦ୍ଧ, ଧର୍ମ ଓ ସଂଘ।ବୁଦ୍ଧ ହେଉଛନ୍ତି ପୁରୁଷ, ଧର୍ମ ହେଉଛନ୍ତି ପ୍ରକୃତି ଓ ସଂଘ ହେଉଛନ୍ତି ପୁରୁଷ ଓ ପ୍ରକୃତିର ମିଳନସ୍ଥଳ । ଅନ୍ୟ କେତେକ ମତ ରଖନ୍ତି ଯେ, ଏହି ତିନି ମୂର୍ତ୍ତି ହେଉଛନ୍ତି ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ଅଟନ୍ତି । ଈଶ୍ଵରୀୟ ଶକ୍ତି ତତ୍ତ୍ୱରେ ବ୍ରହ୍ମା, ବିଷ୍ଣୁମହେଶ୍ୱରଙ୍କର ସମନ୍ୱିତ ପ୍ରକୃତି ସ୍ଵରୂପା ଭାବରେ ମା' ସୁଭଦ୍ରା ପ୍ରତିଷ୍ଠିତା । ସୃଷ୍ଟି ପାଳନ ଓ ସଂହାର ତତ୍ତ୍ୱରେ ବିଚାର କଲେ ସୁଭଦ୍ରା ସାବିତ୍ରୀରୂପେ ସୃଷ୍ଟିକାରିଣୀ ଓ କାତ୍ୟାୟନୀ ଭାବରେ ସଂହାର କାରିଣୀ ଓ ମହାଲକ୍ଷ୍ମୀ ଭାବରେ ପାଳନକାରିଣୀ ଅଟନ୍ତି । ବ୍ରହ୍ମା, ବିଷ୍ଣୁ, ମହେଶ୍ଵରଙ୍କର ଅଙ୍ଗରେ ସେ ଜଡ଼ିତ ଥିବାର ପ୍ରମାଣ ସ୍ୱରୂପ ବର୍ଣ୍ଣନା କରାଯାଇଛି-

          ବକ୍ଷସ୍ଥଳେ ସ୍ଥିତୋ ବିଷ୍ଣୋ ଶମ୍ଭୋ ଅର୍ଦ୍ଧାଙ୍ଗ ଶୋଭିତା
          ପଦ୍ମଯୋନି ମୁଖାଦ୍ବାସ୍ଥାମ ତାଂ ନମାମି ହରିପ୍ରିୟାମ ।

ସୁଭଦ୍ରା ଚଣ୍ଡୀରେ ଶକ୍ତି, ଜ୍ଞାନ, ବିଦ୍ୟା ଓ ଲକ୍ଷ୍ମୀ ଇତ୍ୟାଦି ସର୍ବଗୁଣରେ ଅଧିଶ୍ଵରୀ ହେଲେ ହେଁ ନାରାୟଣୀ ଭାବରେ ସମସ୍ତେ ତାଙ୍କୁ ବିନମ୍ର ପ୍ରମାଣ କରନ୍ତି । ମହାଭାରତ ସମୟରୁ ମା' ସୁଭଦ୍ରା ହିଁ ଏକାଂନସାରୂପେ ପରିଗଣିତ ହୋଇଥିଲେ । ମହାଭାରତର ବିରାଟ ପର୍ବରେ ତାଙ୍କୁ ଯଶୋଦା ଗର୍ଭ ସମ୍ଭୁତ ବିଜୁଳି କନ୍ୟା ରୂପରେ କଳ୍ପନା କରାଯାଇଛି । ଦେବୀ ସୁଭଦ୍ରା ବିଷ୍ଣୁ ପୁରାଣରେ ନିଦ୍ରାଦେବୀ ରୂପେ ବିବେଚିତା । ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରତିଷ୍ଠିତ ହେଲା ପରେ ସେ ଶାକ୍ତ ମତରେ ଦେବୀଭାବରେ ପରିଚିତ ନ ହୋଇ ବୈଷ୍ଣବ ମତ ଅନୁସାରେ ବିରାଜିତ ହୋଇ ଶ୍ରୀ ବଳଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କ ଭଗ୍ନୀ ରୂପରେ ସର୍ବସାଧାରଣଙ୍କ ସମ୍ମୁଖରେ ଗୃହୀତ ହୋଇଛନ୍ତି । ବରାହମିହିର ତାଙ୍କ ବୃହତ ସଂହିତାରେ ଏକାଂନସୀ ଓ ସୁଭଦ୍ରାଙ୍କ ମଧ୍ୟରେ ଅଭେଦ କଳ୍ପନା କରି କହିଛନ୍ତି । ତେଣୁ ଦେବୀ ସୁଭଦ୍ରା ଶିଳାବ୍ରହ୍ମଦାରୁବ୍ରହ୍ମ ରୂପରେ ଶକ୍ତିଭାବେ ବିରାଜିତା ହୋଇଆସୁଛନ୍ତି । ରତ୍ନସିଂହାସନରେ ସୁଦର୍ଶନ ଓ ଶ୍ରୀଜଗନ୍ନାଥଙ୍କ ବାମ ପାର୍ଶ୍ୱରେ ଶୋଭା ପାଉଛନ୍ତି । ରଥଯାତ୍ରା ସମୟରେ ସେ ଦେବୀ ସୁଭଦ୍ରାଙ୍କ ସହିତ ବନ୍ଧା ହୋଇଥାନ୍ତି । ଲିଙ୍ଗସ୍ୱରୂପ ସୁଦର୍ଶନ ସୁଭଦ୍ରାଙ୍କ ସହିତ ରୁନ୍ଧା (ବନ୍ଧା) ହୋଇଥାନ୍ତି, ତେଣୁ ତାଙ୍କୁ ଶକ୍ତିସ୍ଵରୂପା ବୋଲି କୁହାଯାଇଛି ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Lady Subhadra". salagram.net. 2010. Retrieved 26 June 2012. Subhadra is the only daughter of Vasudeva, born to him by his wife Rohini Devi 
  2. http://www.dharitri.com/Bhubaneswar/060716/p11.htm
  3. ୧୨ଟି, ଚକ. "ଏହି ରଥରେ ୧୨ଟି ଚକ ସଂଯୁକ୍ତ ହୋଇଥାଏ". www.odishan.com. Retrieved 17 August 2016. 
  4. http://www.dharitri.com/Bhubaneswar/060716/p11.htm
  5. ପାଣିଗ୍ରାହୀ (୨୨ August ୨୦୧୬). ଡ. ଲେନିନ୍ ମହାନ୍ତି, ed. ଜଗନ୍ନାଥ ଧର୍ମରେ ସୁଭଦ୍ରା ତତ୍ତ୍ୱ (in ଓଡ଼ିଆ). ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ. p. ୧୯୨.