Jump to content

ଝୁଲଣ ଯାତ୍ରା

ଉଇକିପିଡ଼ିଆ‌ରୁ
ଝୁଲଣଯାତ୍ରା
ପାଳନକାରୀଶ୍ରୀମନ୍ଦିର ସହ ସମସ୍ତ ବିଷ୍ଣୁ ମନ୍ଦିର ।
ଆରମ୍ଭଶ୍ରାବଣ ଶୁକ୍ଳ ଦଶମୀ
ଶେଷଭାଦ୍ରବ ପ୍ରତିପଦ
ତାରିଖ୬ ଅଗଷ୍ଟ ୨୦୨୨
୨୦୨୪ ତାରିଖdate missing (please add)

ଶ୍ରୀମନ୍ଦିରରେ ଏହି ଝୁଲଣ ଯାତ୍ରା ଶ୍ରାବଣ ଦଶମୀଠାରୁ ଭାଦ୍ରବ ପ୍ରତିପଦ ପର୍ଯ୍ୟନ୍ତ ପାଳନ କରାଯାଇଥାଏ ।[୧] ଶ୍ରୀକୃଷ୍ଣଙ୍କର ଶ୍ରୀରାଧା ଓ ଗୋପୀମାନଙ୍କ ସହିତ ବିଳାସମୟ ଦୋଳିଖେଳ ।

କିମ୍ବଦନ୍ତୀ[ସମ୍ପାଦନା]

ବୃନ୍ଦାବନରେ ଭଗବାନ ଶ୍ରୀକୃଷ୍ଣ ଓ ଶ୍ରୀରାଧାଙ୍କର ସେବା ସମସ୍ତ ଦେବତାଗଣ, ମନୁଷ୍ୟ ଓ ଗୋପୀମାନେ ପାଇବା ଦେଖି ଗନ୍ଧର୍ବମାନେ ମଧ୍ୟ କିଛି ସେବାପାଇଁ ପ୍ରାର୍ଥନା କଲେ । ସେ ଅନୁସାରେ ଏକ ସୁନ୍ଦର ଝିଲମିଲ ଜରିଜମ୍ବୁରାରେ ତିଆରି ଗୋଟିଏ କୁଞ୍ଜରେ ରାଧା ଓ କୃଷ୍ଣଙ୍କୁ ଦୋଳିରେ ବସାଇ ଝୁଲାଇବାର ସେବା ସେମାନଙ୍କୁ ମିଳିଲା । [୨]

ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା[ସମ୍ପାଦନା]

ଗଜପତି ମହାରାଜା ଦିବ୍ୟସିଂହ ଦେବ (ଦ୍ୱିତୀୟ)ଙ୍କ ସମୟରେ ଏହା ଶ୍ରୀମନ୍ଦିରରେ ପ୍ରଥମେ ପାଳନ କରାଯାଇଥିଲା ।[୩] ଶ୍ରୀମନ୍ଦିରରେ ଗୌଡ଼ୀୟମାନଙ୍କ ପ୍ରଭାବ ସମ୍ପର୍କରେ ଏହି ଯାତ୍ରାସୂଚନା ଦେଉଛି । ଗୌଡ଼ୀୟ ସମ୍ପ୍ରଦାୟର ରାଧାକୃଷ୍ଣ ହେଉଛନ୍ତି ଉପାସ୍ୟ । ସେଥିପାଇଁ ଶ୍ରୀକୃଷ୍ଣ ଗୋପରେ ଥିବା ବେଳେ କରିଥିବା ରାସକୁ ସେମାନେ ଶ୍ରୀମନ୍ଦିରରେ ପ୍ରଚଳନ କରିଛନ୍ତି ।

ଶ୍ରୀମନ୍ଦିର ଭିତର ବେଢ଼ାର ଦକ୍ଷିଣ ପଟେ ମୁକ୍ତି ମଣ୍ଡପ ନିକଟରେ ଝୁଲଣ କୁଞ୍ଜ ନିର୍ମିତ ହୋଇଥାଏ । ୪୫ ଫୁଟ ଲମ୍ବ ଓ ପନ୍ଦର ଫୁଟ ଉଚ୍ଚତା ବିଶିଷ୍ଟ ଏହି କୁଞ୍ଜଟିର ଛାଞ୍ଚ କାଠରେ ହୋଇଥିବା ବେଳେ ଏହାକୁ ଜରି, ସୋଲ ଓ କପଡ଼ାରେ ସଜ୍ଜିତ କରାଯାଇଥାଏ । ଏହି ଝୁଲା ସହ ଗୋଟିଏ ଦଉଡ଼ି ଲାଗିଥାଏ, ଯାହାକୁ ଟାଣିଲେ ଝୁଲା ସହ ପ୍ରତିମା ତ୍ରୟ ଝୁଲନ୍ତି । ମଧ୍ୟାହ୍ନ ଧୂପ ନୀତି ପରେ ଶ୍ରୀମନ୍ଦିର ଦକ୍ଷିଣ ଘର ବାରଣ୍ଡାରେ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀଙ୍କୁ ବେଶ କରାଯାଇ ଭୋଗ ଅର୍ପଣ ହୁଏ । ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଦିଆଯିବା ପରେ ତିନିଜଣ ମହାଜନ ସେବକ (ବିମାନ ବଡୁ ସେବାୟତ) ପ୍ରତିମାମାନଙ୍କୁ ଜଗମୋହନ ଓ ବଟଦ୍ୱାର ଦେଇ ଝୁଲଣ କୁଞ୍ଜର ଭିତର ଝୁଲାରେ ବିଜେ କରାନ୍ତି ।[୪] ଝୁଲଣରେ ପଞ୍ଚୋପଚାର ପୂଜା ଖଇକୋରା ଭୋଗ କରାଯିବା ପରେ ରତ୍ନସିଂହାସନସ୍ଥ ବିଗ୍ରହମାନଙ୍କର ଚନ୍ଦନଲାଗି ସମୟ ଯାଏ ପ୍ରତିମାମାନେ ଏହି ଝୁଲଣରେ ଅବସ୍ଥାନ କରନ୍ତି, ତାହା ପରେ ପିତୁଳା ଗୁଡ଼ିକୁ ଫେରାଇ ନିଆଯାଏ । ଏକାଦଶୀ ଦିନ ମଦନମୋହନଙ୍କ ବେଢ଼ା ପରିକ୍ରମା ସ୍ୱାଭାବିକ ଭାବରେ ଅନୁଷ୍ଠିତ ହୋଇ, ପରେ ଶ୍ରୀଦେବୀ ଓ ଭୂଦେବୀଙ୍କ ସହ ଝୁଲଣ ମଣ୍ଡପକୁ ବିଜେ କରାଯାଏ । ଶେଷଦିନ ଘଣ୍ଟି, ଶଙ୍ଖ ସହ ପଞ୍ଚୋପଚାର ପୂଜା ଓ ବନ୍ଦାପନା କରାଯିବା ପରେ ବେଢ଼ାବୁଲି ସିଂହାସନରେ ବିଜେ ହୁଅନ୍ତି ।

ସଙ୍ଗୀତ, ବାଦ୍ୟ ଓ ନୃତ୍ୟ ମୁଖର ଝୁଲଣ ଯାତ୍ରାରେ ସୁସଜ୍ଜିତ ଦୋଳିରେ ରାଧା ଦାମୋଦରଙ୍କୁ ଦର୍ଶନ କରିବାପାଇଁ ଦୂରଦୂରାନ୍ତରୁ ଭକ୍ତମାନେ ପୁରୀରେ ଭିଡ଼ ଜମାନ୍ତି । କୀର୍ତନ, ଭଜନରେ ମନ୍ଦିର ଉଲ୍ଲସିତ ହୋଇଉଠେ । ଏହା ଶ୍ରୀମନ୍ଦିର ସହ ପ୍ରାୟ ସମସ୍ତ ରାଧାକୃଷ୍ଣ ମନ୍ଦିରରେ ଅଧିକାଂଶ ମଠରେ ପାଳନ କରାଯାଇଥାଏ ।

ଆଧାର[ସମ୍ପାଦନା]

  1. "SRI JHULAN YATRA". Salagram.net. Archived from the original on 30 September 2012. Retrieved 16 August 2014.
  2. ପ୍ରତିହାରୀ, ରବିନ୍ଦ୍ରନାଥ. ଶ୍ରୀଦାରୁବ୍ରହ୍ମଙ୍କ ଆଜ୍ଞାମାଳ ରହସ୍ୟ. ଏସ୍‌ବି ପବ୍ଲିକେଶନ୍‌ସ. p. ୧୦୬. ISBN 8174041184.
  3. "Jhulana Yatra". orissadiary.com. Archived from the original on 10 April 2016. Retrieved 30 June 2016. The festival in the temple was first initiated by the Gajapati king Dibyasingha Dev-II
  4. "Radha Govinda Jhulana Yatra begins - ISKCON Desire Tree - Devotee Network". iskcondesiretree.net. Retrieved 13 February 2013. Sri Madanmohan, Jagannath's representative deity (vijay utsav), as well as Laxmi and Vishwadhatri are placed on a decorative wooden swing on Muktimandap (Jhulanmandap).