ବାଲେଶ୍ୱର
ବାଲେଶ୍ୱର | |
---|---|
ସହର | |
![]() ଚାନ୍ଦିପୁରଠାରେ କ୍ଷେପଣାସ୍ତ୍ର ପରୀକ୍ଷଣ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ବାଲେଶ୍ୱର |
ଭାଷା | ଓଡ଼ିଆ, ଇଂରାଜୀ |
ନାମରେ ନାମିତ | ବାଲୁକା ସହର |
Elevation | 16 m (52 ft) |
ଜନସଂଖ୍ୟା (2011) | |
• ସହର | ୧,୧୮,୨୦୨ |
• ମହାନଗର | ୧,୭୭,୫୫୭ |
ସମୟ ମଣ୍ଡଳ | IST (+୫.୩୦) |
ପିନ କୋଡ଼ | ୭୫୬୦୦୧[୧] |
ଏସଟିଡି କୋଡ଼ | +୦୬୭୮୨ |
ଗାଡ଼ି ପଞ୍ଜିକରଣ | OD/01 |
ୱେବସାଇଟ | Official website |
ବାଲେଶ୍ୱର ଓଡ଼ିଶାର ଉତ୍ତରରେ ଥିବା ବାଲେଶ୍ୱର ଜିଲ୍ଲାର ମୁଖ୍ୟ ସହର ଓ ସଦର ମହକୁମା ।
ଏହା ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରୁ ୧୯୪ କିମି ଦୂରରେ ଅବସ୍ଥିତ । ବାଲେଶ୍ୱର ସହରରେ ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ, ସରକାରୀ ଅଫିସ ଆଉ ବେସରକାରୀ କମ୍ପାନିର ପ୍ରଧାନ ଅଫିସସବୁ ଅଛି । ବାଲେଶ୍ୱରର ଚାନ୍ଦିପୁର ବେଳାଭୁମି, କ୍ଷୀରଚୋରା ଗୋପୀନାଥ ମନ୍ଦିର, ଚନ୍ଦନେଶ୍ୱର ମନ୍ଦିର, ଭୂଷଣ୍ଡେଶ୍ୱର ମନ୍ଦିର, ତାଳସାରି ବେଳାଭୂମି, ପଞ୍ଚଲିଙ୍ଗେଶ୍ୱର ମନ୍ଦିର ଓ ଆହୁରି ଅନେକ ଦର୍ଶନୀୟ ସ୍ଥାନସବୁ ଅଛି । ବାଲେଶ୍ୱର ଓଡ଼ିଆ ସାହିତ୍ୟ ଓ କଳାର ଏକ ମିଳନଭୁମି । ଓଡ଼ିଆ ସାହିତ୍ୟର ଅନେକ ପ୍ରମୁଖ ସ୍ରଷ୍ଟା, ଫକୀର ମୋହନ ସେନାପତି, ରାଧାନାଥ ରାୟ, ଦୀନକୃଷ୍ଣ ଦାସ, ମନୋଜ ଦାସ, ବ୍ରଜନାଥ ରଥ, କମଳାକାନ୍ତ ଲେଙ୍କାଙ୍କର ଏହା ଜନ୍ମଭୂମି ।
ଇତିହାସ[ସମ୍ପାଦନା]
ଅତୀତରେ ବାଲେଶ୍ୱର ଥିଲା ଓଡ଼ିଶାର ଏକ ନୌବାଣିଜ୍ୟ ବନ୍ଦର । ଫିରିଙ୍ଗି, ଫ୍ରେଞ୍ଚ ଓ ଓଲନ୍ଦାଜମାନଙ୍କ ଜାହାଜସବୁ ଏଠାକୁ ଆସୁଥିଲା । ତେବେ ପରେ ବାଲେଶ୍ୱର ଫିରିଙ୍ଗିମାନଙ୍କ ହାତକୁ ଗଲା ।
୧୭୬୩ରେ ବାଲେଶ୍ୱର ଡାନିସମାନଙ୍କ ଅଧିକାରରେ ଥିଲା, ତା ପରେ କମ ଗହୀର ବନ୍ଦର ପାଇଁ ଡାନିସମାନେ ଏହାକୁ ଆଉ ବ୍ୟବହାର ନ କରିବାକୁ ଭାବିଲେ । ଆଉ ତାପରେ ଫିରିଙ୍ଗିମାନେ ଏଠାରେ ନିଜର ପତିଆରା ବଢେଇବାକୁ ଲାଗିଲେ ।
ବାଲେଶ୍ୱର ଦୁଇହଜାର ବର୍ଷର ନଗରୀ । ବହୁ ପୁରାତନ କାଳରୁ ବାଲେଶ୍ୱର ଏକ ଉନ୍ନତ ବନ୍ଦର ଥିଲା ଓ ଉତ୍କଳୀୟ ନୌବାଣିଜ୍ୟର ପେଣ୍ଠସ୍ଥଳ ଥିଲା । ପୌରାଣିକ କିମ୍ବଦନ୍ତୀ ଅନୁସାରେ ଅସୁର ରାଜା ବାଣାସୁରର ନାମ ଅନୁସାରେ ଏହାର ନାମକରଣ ହୋଇଛି ବୋଲି ବିଶ୍ୱାସ କରାଯାଇଥାଏ । ପୁରାତନ ଓଡ଼ିଆ କବି ଶିଶୁ ଶଙ୍କର ଦାସଙ୍କ ‘ଉଷାଭିଳାଷ’ କାବ୍ୟରେ ବାଣାସୁରର ଝିଅ ଓ କାବ୍ୟନାୟିକା ‘ଉଷା’ର ଜନ୍ମସ୍ଥଳୀ ଥିଲା ବାଲେଶ୍ୱର । ବାଣାସୁରର ରାଜ୍ୟ ସୁବର୍ଣ୍ଣରେଖାଠାରୁ ବୈତରଣୀ ଯାଏଁ ବ୍ୟାପୀଥିଲା ଓ ଏହି ରାଜ୍ୟର ରାଜଧାନୀ ଥିଲା ‘ଶୋଣିତପୁର’ ଯାହା ଆଜିର ସୁନହଟ । ଭଗବାନ ଶ୍ରୀକୃଷ୍ଣ ଓ ବାଣାସୁର ମଧ୍ୟରେ ହୋଇଥିବା ଯୁଦ୍ଧ ଏହିଠାରେ ସଙ୍ଘଟିତ ହୋଇଥିଲା । [୨] ଏଠାରେ କଳା ଓ ବାଣିଜ୍ୟର ସମାଗମ ଘଟିଥିଲା। ଓଡ଼ିଆ ସାହିତ୍ୟର ବହୁ ସମକାଳୀନ କବି ଓ ଲେଖକଙ୍କର ଜନ୍ମ ଏହିଠାରେ ହୋଇଛି । ଏହାର ପୁରାତନ ନାମ “କୋଶମ୍ବ” ଥିଲା ବୋଲି ଗ୍ରୀକ ଭୌଗଳିକ ଟଲେମି ତାଙ୍କ ବହିରେ ଲେଖିଛନ୍ତି । ଏହାଛଡ଼ା ‘ପିପିଲି ବନ୍ଦର’ ଓଡ଼ିଆ ସାଧବ ପୁଅମାନଙ୍କ ବିଦେଶ ବେପାର ବଣିଜ କାଳରେ ଏକ ପ୍ରମୁଖ ବନ୍ଦର ଥିଲା । ଖରିଦପିପ୍ପଳ, ଝାଡ଼ପିପ୍ପଳ ଭଳି ଗାଆଁସବୁ ଏହି ନାମରୁ ଆସିଅଛି । ନବମରୁ ୧୨ସ ଶତାବ୍ଦୀମଧ୍ୟରେ ଯେଉଁ ନାଥସିଦ୍ଧ ଚାରଣ କବିମାନେ ଚର୍ଯାଗୀତିକା ରଚନା କରି ଓଡ଼ିଆ ସାହିତ୍ୟର ମୂଳଦୁଆ ପକାଇଥିଲେ ଯାହା କ୍ରମେ ବଙ୍ଗଳା, ଅସିମିୟା ଭାଷା ସାହିତ୍ୟକୁ ପୁଷ୍ଟ କରିଥିଲା ସେମାନଙ୍କ ମଧ୍ୟରୁ କେତେକଙ୍କ ଜନ୍ମ ବାଲେଶ୍ୱରରେ ହୋଇଥିଲା ।[୩] ଏହାଛଡ଼ା ପୁରୀ ଗୋବର୍ଦ୍ଧନ ମଠର ଦଶମ ଶଙ୍କରାଚାର୍ଯ୍ୟ ତଥା ଭାଗବତର ଟୀକାକାର ଶ୍ରୀଧର ସ୍ୱାମୀ ଓ ବିକ୍ଷାତ ଦାର୍ଶନିକ ବଳଦେବ ବିଦ୍ୟାଭୂଷଣ ଏଠାରେ ଜନ୍ମ ନେଇଥିଲେ ।।[୩]
ରୀତିଯୁଗର ପ୍ରଥିତଯଶା କବି ଦୀନକୃଷ୍ଣ ଦାସ ବାଲେଶ୍ୱରର ରାଇବଣିଆରେ ଥିବା ମୁଣତୁଣିଆ ଗାଆଁରେ ଜନ୍ମଲଭ କରିଥିଲେ । ତାଙ୍କର ‘ରସକଲ୍ଲୋଳ’, ‘ରସବିନୋଦ’ ଓଡ଼ିଆ କାବ୍ୟଧାରାର ଏକ ମହାନ କୃତି । ସେହି ସମୟରେ ଖୁଲୁଡ଼ାଠାରେ କବି କେଶବ ଚନ୍ଦ୍ର ଚଣ୍ଡ ମଧ୍ୟ ଓଡ଼ିଆ ସାହିତ୍ୟକୁ ନିଜ ରଚନାରେ ପୁଷ୍ଟ କରିଅଛନ୍ତି । କବିବର ରାଧାନାଥ ରାୟ, ବ୍ୟାସକବି ଫକୀର ମୋହନ ସେନାପତି ଓ ଅବିଭକ୍ତ ବାଲେଶ୍ୱର ଜିଲ୍ଲା ଓ ଏବେକାର ଭଦ୍ରକ ଜିଲ୍ଲାର କବି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଚାରଣ କବି ବାଞ୍ଛାନିଧି, ଚିନ୍ତାମଣି, କୃଷ୍ଣକାନ୍ତ, ପଦ୍ମଚରଣ ପ୍ରମୁଖଙ୍କ ଓଡ଼ିଆ ସାହିତ୍ୟ ପ୍ରତି ଅବଦାନ ଅନେକ ।
ଭୂଗୋଳ[ସମ୍ପାଦନା]
ଓଡ଼ିଶାର ପୂର୍ବରେ ଥିବା ଜିଲ୍ଲା ବାଲେଶ୍ୱର । ଭାରତର ଦକ୍ଷିଣ ପୂର୍ବ ଉପକୂଳରେ ବଙ୍ଗୋପସାଗର କଡ଼ରେ ଏହା ଅଛି । ଏହା ୨୧°୩୦`ଉତ୍ତର, ୮୬°୫୬` ପୂର୍ବରେ ଅଛି । ବାଲେଶ୍ୱର ୩୦୭୬ କିମିର ଜାଗାରେ ବ୍ୟାପିଛି ।
ଦକ୍ଷିଣ-ପୂର୍ବ ପର୍ବତ ମାଳାର ତିନୋଟି ଅଞ୍ଚଳ ବାଲେଶ୍ୱର ଭିତରେ ଅଛି । ବାରିପଦା ଠରୁ ୨୫ କି.ମି. ଦୁରରେ ଅବସ୍ଥିତ । ବାଲେଶ୍ୱରରେ ଅନେକ ଜଙ୍ଗଲ ଓ ଖଣିମାନ ରହିଛି । ଏଠାରେ ବୁଢ଼ା ବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀ ବହୁଅଛି ଆଉ ୩୮୨୪ ଫୁଟ ଉଚ୍ଚର ମହାଗୀରି ପର୍ବତ ଅଛି ।
ବାଲେଶ୍ୱରରେ ସମୁଦ୍ର ମୁହାଣକୁ ଛୁଇଁଥିବା ଅନେକ ନଇ ଓ ଶାଖାନଇ ରହିଛି । ବାଲେଶ୍ୱରର ଜଳସେଚନ ଚାରିଆଡ଼େ ବ୍ୟାପିଛି । ବାଲେଶ୍ୱରକୁ ବାଲିର ସହର ମଧ୍ୟ କୁହାଯାଏ ।
ଲୋକସଂଖ୍ୟା[ସମ୍ପାଦନା]
୨୦୧୧ ଜଣଗଣନା ଅନୁସାରେ,[୪] ବାଲେଶ୍ୱରର ଲୋକସଂଖ୍ୟା ୧,୫୬,୪୩୦ । ପୁରୁଷ ସଂଖ୍ୟା ୮୨,୧୦୬ ଓ ମହିଳା ସଂଖ୍ୟା ୭୪,୩୨୪ । ବାଲେଶ୍ୱରର ସାକ୍ଷରତା ହାର ୮୬%, ଯାହାକି ଜାତୀୟ ସାକ୍ଷରତା ହାର ୫୯.୫%ରୁ ବେଶି | ଲୋକସଖ୍ୟାର ୧୧% ଛ ବର୍ଷରୁ କମ ।
ସହର ନଜର[ସମ୍ପାଦନା]
ବାଲେଶ୍ୱରର ଗଜା ସାରା ଓଡ଼ିଶାରେ ଜଣାଶୁଣା । ବାଲେଶ୍ୱର ସହରରେ ଅନେକ ପୁରୁଣା ଓ ଖାଣ୍ଟି ଓଡ଼ିଆ ମିଠାସବୁ ମିଳିଥାଏ ।
୧୯୮୯ଠାରୁ ବାଲେଶ୍ୱରର ଚାନ୍ଦିପୁରଠାରେ ଗୋଲାବାରୁଦ ଓ କ୍ଷେପଣାସ୍ତ୍ର ପରିକ୍ଷଣ ଘାଟି ରହିଛି. ଅଗ୍ନି, ପୃଥିବି, ନାଗ, ତ୍ରିଶୁଳ, ବହ୍ମୋସ ଆଦି ଅନେକ କ୍ଷେପଣାସ୍ତ୍ର ପର ପରିକ୍ଷଣ ଏଠାରେ କରାଯାଇଛି .
ବେପାର ବଣିଜ[ସମ୍ପାଦନା]
ବାଲେଶ୍ୱର ସହର ବାଲେଶ୍ୱର ଜିଲ୍ଲାର ସବୁଠୁ ବଡ଼ ସହର । ଚାଷବାସ, କଳକାରଖାନା, ମାଛଧରା ଆଦି ଏଠାକାର ମୁଳବେଉସା। ନୁଆ ବଜାର, ମୋତିଗଞ୍ଜ, ବିବେକାନନ୍ଦ ମାର୍ଗ, ଫକିରମୋହନ ଗୋଲେଇ, ଷ୍ଟେସନ ଛକ, ଆଇଟିଆଇ ଛକ, କଚେରି ବଜାର, ନୁଆସାହି ଆଦି ଏଠାକାର ବେପାର ବଣିଜର ମୁଳ । ବାଲେଶ୍ୱରର ଜଉ କଣ୍ଢେଇ ବିରଳ, କୋଟିକମ କରା ଓ ନାମକରା । ଓଡ଼ିଶାର କଳା, ସାହିତ୍ୟ, ଚଳଣି, ଖାଇବା ପିଇବା, ଚାଷବାସ ଓ କଳକାରଖାନାର ବିକାଶରେ ବାଲେଶ୍ୱର ଏକ ମୁଖ୍ୟ ସ୍ଥାନ ଗ୍ରହଣ କରିଅଛି । ଏଠାରେ ବିରଳା ଟାୟାର୍ସ, ଇମାମି କାଗଜ କଳ, ଅରିପ୍ଳାସ ପ୍ଳାସଟିକ କାରଖାନା ଓ ଆହୁରି ଅନେକ କଳ କାରଖାନା ଅଛି । ଏଠାରେ ବିଦ୍ୟୁତ୍ ବିଭାଗ(NESCO)ର ବାଲେଶ୍ୱର, ମୟୁରଭଞ୍ଜ,ଭଦ୍ରକ,କେନ୍ଦୁଝର,ଯାଜପୁର ୫ଟି ଜିଲ୍ଲାର ମୂକ୍ଷ୍ୟ କାର୍ଯ୍ୟାଳୟ ରେମୁଣା ଗୋଲେଇସ୍ଥିତ ଗ୍ରିଡ୍ ନିକଟରେ ଅବସ୍ଥିତ |
ଗମନାଗମନ[ସମ୍ପାଦନା]
ବାଲେଶ୍ୱର ରେଳ ଷ୍ଟେସନ ଚେନ୍ନାଇରୁ କଲିକତା ଯାଏଁ ଲମ୍ବିଥିବା ଦକ୍ଷିଣ-ପୂର୍ବ ରେଳପଥରେ ପଡେ . ଜାତୀୟ ରାଜପଥ-୫/ଜଗନ୍ନାଥ ସଡ଼କ କଲିକତାରୁ ଚେନ୍ନାଇ ଯାଇଛି ଓ ଚାରି ଲେନବାଲା ଜାତୀୟ ରାଜପଥ-୬୦ ବାଲେଶ୍ୱରରୁ କଲିକତା ଯାଇଛି.
ପାଖରେ ଥିବା ବିମାନଘାଟି ହେଲା ଭୁବନେଶ୍ୱର (୧୯୮ କି.ମି.) ଓ କଲିକତା (୨୪୭ କି.ମି.) ।
ଭଦ୍ରକ, ଯାଜପୁର, କଟକ, ଭୁବନେଶ୍ୱର, କୋରାପୁଟ, ରାଉରକେଲା, ସମ୍ବଲପୁର, ବରଗଡ଼ ଓ ଓଡ଼ିଶାର ବାକି ସହରମାନଙ୍କ ସହ ବାଲେଶ୍ୱର ବସ ଓ କାର ଆଦିରେ ଭଲ ଭାବେ ଜୋଡ଼ା । ବାଲେଶ୍ୱରଠୁ ୬୦କିମି ଦୁରରେ ବାରିପଦା |
ପର୍ଯ୍ୟଟନ[ସମ୍ପାଦନା]
- ଚାନ୍ଦିପୁର ବେଳାଭୂମି: ଏହା ବାଲେଶ୍ୱରର ଏକ ସୁନ୍ଦର ବେଳାଭୁଇଁ । ଏହା ବାକି ବେଳାଭୁଇଁଠାରୁ ଅଲଗା, ଏଠାରେ ଲହଡ଼ି କେବଳ ଭୋର ଓ ରାତିରେ ଦେଖିବାକୁ ମିଳେ । ଦିନସାରା ସମୁଦ୍ରର ୩-୪ ମାଇଲ ଜାଏଁ କେବେ ଲହଡି଼ ଆସେ ନାହିଁ । ପିକନିକ ଓ ବୁଲାବୁଲି ପାଇଁ ଏକ ସୁନ୍ଦର ଜାଗା ।
- ବାଲିଘାଟ ବନ୍ଦର: ଏହା ସହରର ଏକ ମୁଣ୍ଡରେ ଥିବା ଏକ ପୁରାତନ ବନ୍ଦର ।
- ଭୁଜାଖିଆ ପିର: ସୁନହଟରେ ଥିବା ଭୁଜାଖିଆ ପିର ହିନ୍ଦୁ ଓ ମୁସଲିମମାନଙ୍କ ଏକତାର ପ୍ରତିରୂପ । ଆସ୍ଥାନା ସରିଫ ହଜରତ ପିରବାବା ଏଠାରେ ହଇଜା ରୋଗିଙ୍କର ସେବା ପାଇଁ ଆସିଥିଲେ, ତାଙ୍କ ପରେ ଏହା ଏକ ତିରିଥଭୂଇଁ ପାଲଟି ଯାଇଛି, ବାଲେଶ୍ୱରି ଲୋକ ଭାଷାରେ ଭୁଜାର ଅର୍ଥ ମୁଢ଼ି଼, ବାବାଙ୍କର ମୁଢ଼ି଼ରେ ଥିଲା ଭାରି ସରଗ, ଆଉ ସେଇଠି ପାଇଁ ଏ ଜାଗାର ନାମ ଭୁଜାଖିଆ ପିର ।
- ଗାନ୍ଧି ସ୍ମୃତି ଭବନ: ଏହା ସହର ଉପକଣ୍ଠରେ ଥିବା ଏକ ପୁରୁଣା ସଭା ଭବନ ଯେଉଁଠାରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥାଏ ।
- ତାଳସାରି ବେଳାଭୂମି: ବାଲେଶ୍ୱରର ଆଉ ଏକ ସୁନ୍ଦର ବେଳାଭୂଇଁ ଅଛି ।
- ପୁରୀ, ବାରିପଦା ଓ କୋରାପୁଟ ପରେ ନୀଳଗିରିର ଜଗନ୍ନାଥ ମନ୍ଦିର ରଥଯାତ୍ରା ଭାରି ନାମକରା ।
- ଧାମରା ବାଲେଶ୍ୱର ଭୂଇଁର ଆଉ ଏକ ସୁନ୍ଦର ବନ୍ଦର ଓ ଗୋଳାବାରୁଦ ପରଖ ପାଇଁ ଜଣାଶୁଣା ।
- ଭୁଷଣ୍ଡେଶ୍ୱରଠାରେ ରହିଛି ଏସିଆର ସବୁଠୁ ବଡ଼ ଶିବଲିଙ୍ଗ ।
- ଚନ୍ଦନେଶ୍ୱର ମନ୍ଦିର: ଜଣାଶୁଣା ଶିବପିଠ | ଏଠାକାର ଜାଗର ମେଳା ପାଇଁ ଚାରିଆଡୁ ଭକତଙ୍କ ସୁଅ ଛୁଟେ ।
ବାଲେଶ୍ୱରଠାରେ ଓଡ଼ିଆ ସାହିତ୍ୟର ବ୍ୟାସକବି, ପ୍ରଥମ କ୍ଷୁଦ୍ର ଗଳପର ଲେଖାଳି ଓ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଫକିର ମୋହନ ସେନାପତି, କବିବର ରାଧାନାଥ ରାଏ, ଭକ୍ତ କବି ଦିନକୃଷ୍ଣ ଦାସ ଓ ଔପନ୍ୟାସିକ ତଥା ଗାଳ୍ପିକ ମନୋଜ ଦାସ ଜନ୍ମ ନେଇଥିଲେ ।
ଶିକ୍ଷା[ସମ୍ପାଦନା]
କଲେଜ ଓ ବିଶ୍ୱବିଦ୍ୟାଳୟ[ସମ୍ପାଦନା]
- ଫକୀର ମୋହନ ବିଶ୍ୱବିଦ୍ୟାଳୟ, ବ୍ୟାସବିହାର, ବାଲେଶ୍ୱର
- ଆର. ଜେ ସ୍କୁଲ ଅଫମାନେଜମେଣ୍ଟ
- ବାଲେଶ୍ୱର କଲେଜ ଅଫ ଇଞ୍ଜିନିଅରିଙ୍ଗ ଆଣ୍ଡ ଟେକନୋଲୋଜି
- ଏକାଡେମି ଅଫ ବିଜନେସମାନେଜମେଣ୍ଟ
- ଫକୀର ମୋହନ ସ୍ୱୟଂଶାସିତ କଲେଜ, ବାଲେଶ୍ୱର
- କୁନ୍ତଳାକୁମାରୀ ମହାବିଦ୍ୟାଳୟ
- ଆର.ଆଇ.ଟି
- ସତ୍ୟସାଇ ଇଞ୍ଜିନିଅରିଙ୍ଗ କଲେଜ
- ବାଲେଶ୍ୱର ସ୍କୁଲ ଅଫ ଇଞ୍ଜିନିଅରିଙ୍ଗ
ସ୍କୁଲ[ସମ୍ପାଦନା]
- ବାଲେଶ୍ୱର ଜିଲା ସ୍କୁଲ
- ପବ୍ଲିକ ହାଇସ୍କୁଲ
- ବାଲେଶ୍ୱର ପୋଲିସ ହାଇସ୍କୁଲ
- ଟାଉନ ହାଇସ୍କୁଲ
- ବାଲେଶ୍ୱର କେନ୍ଦ୍ରିୟ ବିଦ୍ୟାଳୟ
- ସେଣ୍ଟ ଭିନସେଣ୍ଟ କନଭେଣ୍ଟ ସ୍କୁଲ
- ମହର୍ଷି ବିଦ୍ୟା ମନ୍ଦିର
- କୈଳାସଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, ନୀଳଗିରି
- ଶୋଭାରାମପୁର ହାଇସ୍କୁଲ
- ମଡର୍ଣ ପବ୍ଲିକ ସ୍କୁଲ
- ଶମ୍ଭୁନାଥ ହାଇସ୍କୁଲ, ବସ୍ତା
- ଏସ.ଏନ. ହାଇସ୍କୁଲ, ସୋର
- ଖ୍ରିଷ୍ଟିଆନ ହାଇସ୍କୁଲ
- ଆର.ଆଇ.ଏଚ.ଏସ, ଭୋଗରାଇ
- ରତ୍ନାକର ତାଉନ ହାଇସ୍କୁଲ, ବାଲିଗୋହିରି
- ରେମୁଣା ହାଇସ୍କୁଲ, ରେମୁଣା ବଜାର୍
- ମହାପାତ୍ର ହାଇ ସ୍କୁଲ, ରୂପସା
ଆଧାର[ସମ୍ପାଦନା]
- ↑ onefivenine.com
- ↑ ଆର୍ତ୍ତବଲ୍ଲଭ ମହାନ୍ତି, ମୁଖବନ୍ଧ, ଉଷାଭିଳାଷ, ଶିଶୁ ଶଙ୍କର ଦାସ
- ↑ ୩.୦ ୩.୧ ପ୍ର. ପ୍ରହଲାଦ ଚରଣ ମହାନ୍ତି
- ↑ Alphabetical list of towns and their population, ଭାରତୀୟ ଜନଗଣନା, ୨୦୧୧