ଶୀତଳ ଷଷ୍ଠୀ ଯାତ୍ରା

ଉଇକିପିଡ଼ିଆ ରୁ
ଶୀତଳ ଷଷ୍ଠୀ ଯାତ୍ରା
ଶୀତଳ ଷଷ୍ଠୀ ଯାତ୍ରା
ଶିବ ବିବାହ
ପାଳନକାରୀ ହିନ୍ଦୁ ଧର୍ମାମ୍ବଲମ୍ବୀ
ପ୍ରକାର ଧାର୍ମିକ
ବିଶେଷତା ଶିବଙ୍କ ବିବାହୋତ୍ସବ
ପାଳନ ସବୁ ପୂଜା, ବ୍ରତ, ଉପବାସ
ତାରିଖ ଜ୍ୟୈଷ୍ଠ ଶୁକ୍ଳ ଷଷ୍ଠୀ
୨୦୧୪ ତାରିଖ ୩ ଜୁନ (ମଙ୍ଗଳବାର)
୨୦୧୫ ତାରିଖ ୨୪ ମଇ (ରବିବାର)

ଜ୍ୟୈଷ୍ଠ ଶୁକ୍ଳ ପଞ୍ଚମୀ ତିଥିରେ [୨] ମା' ପାର୍ବତୀଶିବ ଶଙ୍କରଙ୍କର ବିବାହ ଉତ୍ସବ ଏବଂ ତା’ପରଦିନ ଶୀତଳଷଷ୍ଠୀ ଯାତ୍ରା ପାଳନ କରାଯାଏ I କିଛି ଭକ୍ତ ମା’ ପାର୍ବତୀଙ୍କ ମା’ ବାପା ହୁଅନ୍ତି ଓ ଆଉ କିଛି ଭକ୍ତ ପ୍ରଭୁ ଶଙ୍କରଙ୍କର ମା’ ବାପା ହୋଇ ଉଭୟଙ୍କର ବିବାହକାର୍ଯ୍ୟ ସମାପନ କରନ୍ତି ।[୩] ସାଧାରଣ ବାହାଘର ପରି ପାରମ୍ପରିକ ରୀତିରେ ପ୍ରଭୁ ଶଙ୍କରଙ୍କୁ ବରଯାତ୍ରୀଙ୍କ ସହିତ ବଡ଼ ଧୂମ୍​ଧାମ୍​ରେ ମା’ ପାର୍ବତୀଙ୍କ ଘରକୁ ନେଇ ବୈଦିକ ରୀତିରେ ବିବାହ କରାଯାଏ । ରଙ୍ଗବେରଙ୍ଗ ଚିତ୍ରରେ ସୁଶୋଭିତ ରଥରେ ଶିବ ଓ ମା’ ପାର୍ବତୀଙ୍କୁ ଅଣାଯାଏ । ମଧ୍ୟରାତ୍ରୀରୁ ଏଇ ପଟୁଆର ଆରମ୍ଭ ହୋଇ ପରଦିନ ଦିପହର ବେଳକୁ ଶିବପାର୍ବତୀଙ୍କ ପୂଜାରେ ଶେଷହୁଏ ।

ଲୋକନାଥ ମନ୍ଦିର, ଲିଙ୍ଗରାଜ ମନ୍ଦିର ଓ ସମ୍ବଲପୁର ସହରର ଶିବ ମନ୍ଦିରମାନଙ୍କରେ ଏହା ବହୁ ଜାମଜମକରେ ପାଳନ କରାଯାଏ । [୪] ସମ୍ବଲପୁରରେ ଏଇ ପର୍ବର ମୁଖ୍ୟ ଆକର୍ଷଣ ହେଉଛି ପାରମ୍ପରିକ ସଙ୍ଗୀତ ଓ ନାଚ । ଏହା ସମ୍ବଲପୁର, ବିଶେଷକରି ପଶ୍ଚିମ ଓଡ଼ିଶାର ଲୋକନୃତ୍ୟକୁ ଉପଭୋଗ କରିବାରେ ଏକ ଦୁର୍ଲଭ ଅବସର ।

ପୌରାଣିକ[ସମ୍ପାଦନା]

ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପୌରାଣିକ କଥାବସ୍ତୁ ଉପରେ ପର୍ଯ୍ୟବେସିତ । ଶିବ ପୁରାଣ ଅନୁସାରେ ବ୍ରହ୍ମାଙ୍କୁ କଠୋର ତପସ୍ୟା କରି ଦକ୍ଷପ୍ରଜାପତି ମାତା ସତୀଙ୍କୁ ପୁତ୍ରୀ ରୂପେ ପ୍ରାପ୍ତ ହୁଅନ୍ତି । ସତୀ ବିବାହ ବୟସ ହେବା ଉତ୍ତାରୁ ପିତାଙ୍କ ଅନିଚ୍ଛାରେ ସତ୍ତ୍ଵେ ଶ୍ମଶାନଚାରୀ ଶିବଙ୍କୁ ବିବାହ କରନ୍ତି । ଏଥିରେ କ୍ଷୁବ୍‌ଧ ହୋଇ ଦକ୍ଷପ୍ରଜାପତି ଝିଅ ଜ୍ଵାଇଁଙ୍କୁ ଆମନ୍ତ୍ରଣ କରନ୍ତି ନାହିଁ । ମହାଦେବଙ୍କ ଅନିଚ୍ଛା ସତ୍ତ୍ଵେ ପିତ୍ରାଳୟ ଗଲେ । ଯଜ୍ଞସ୍ଥଳରେ ଦକ୍ଷପ୍ରଜାପତି ଶିବଙ୍କର ଅପମାନ କଲେ ଏହାକୁ ସହି ନପାରି ସତୀ ଯଜ୍ଞକୁଣ୍ଡରେ ଝାସ ଦେଲେ । ସତୀଙ୍କ ଯଜ୍ଞକୁଣ୍ଡରେ ଝାସଦେବା ଶୁଣି ମହାଦେବ ଯଜ୍ଞସ୍ଥଳକୁ ଧ୍ଵଂସକରି ଦେଲେ । ସେଠାରୁ ସତୀଙ୍କ ଶବକୁ କାନ୍ଧରେ ପକାଇ ଚାରିଆଡେ ଘୁରିବୁଲିଲେ । ବିଷ୍ଣୁ ଚକ୍ର ଦ୍ଵାରା ସତୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ଶିବଙ୍କ ଠାରୁ ଅଲଗା କରିଦେଲେ । ପରବର୍ତ୍ତୀ ସମୟରେ ବ୍ରହ୍ମାଙ୍କ ବରରେ ବଳିୟାନ ହୋଇ ତାରକାସୁର ଅତ୍ୟାଚାର କଲା । ତାରକାସୁରର ଅତ୍ୟାଚାରରେ ଦେବତାମାନେ ଆତଙ୍କିତ ହୋଇ ବ୍ରହ୍ମାଙ୍କ ଶରଣ ପଶିଲେ । ମାତ୍ର ବ୍ରହ୍ମା ଶିବଙ୍କ ଔରସରୁ ଜନ୍ମିତ ସନ୍ତାନ ତାରକାସୁରକୁ ବଧ କରିବ ବୋଲି ପ୍ରକାଶ ପରେ ଦେବତାମାନେ ଆଦିଶକ୍ତି ମାତା ପାର୍ବତୀଙ୍କୁ ତପସ୍ୟା କରନ୍ତି । ଦେବଗଣଙ୍କ କଠୋର ତପସ୍ୟା ଯୋଗୁଁ ମାତା ପାର୍ବତୀ ଗିରିରାଜ ହିମାଳୟଙ୍କ ଘରେ ଆବିର୍ଭାବ ହୁଅନ୍ତି । ଜ୍ୟେଷ୍ଠ ଶୁକ୍ଳପକ୍ଷ ପଞ୍ଚମୀ ଦିନ ଶିବ ଓ ମାତା ପାର୍ବତୀଙ୍କ ପୁନଃମିଳନ ହୁଏ । ମହାଦେବ ମାତା ପାର୍ବତୀଙ୍କୁ ପାଇବା ପରେ ରୁଦ୍ର ରୂପ ତ୍ୟାଗ କରି ହୋଇଯାନ୍ତି ଶାନ୍ତ ଶୀତଳ । ଦେବଦମ୍ପତିଙ୍କ ଏହି ମହାମିଳନକୁ ଲୋକାଚାରରେ ଶୀତଳଷଷ୍ଠୀ ଭାବେ ପାଳନ କରାଯାଏ ।

ଯାତ୍ରାର ଆରମ୍ଭ[ସମ୍ପାଦନା]

ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା କେବେ ଆରମ୍ଭ ହେଲା, କିଏ ଆରମ୍ଭ କଲା, କାହିଁକି ଆରମ୍ଭ କଲା ସେ ସଂପର୍କରେ ସଠିକ୍ ତଥ୍ୟ ନାହିଁ । ତେବେ ଜନଶ୍ରୁତି ଅନୁସାରେ ଛତ୍ରପତି ରାଜା ବୀର ବଳିୟାର ସିଂଙ୍କ ରାଜତ୍ଵ କାଳରେ ସମ୍ଭବତଃ ଏହି ଯାତ୍ରା ଆରମ୍ଭ ହୋଇଥିଲା । ମାତ୍ର ତାର ନିର୍ଦ୍ଦିଷ୍ଟ ତିଥି କେହି କେବେ ନିର୍ଣ୍ଣୟ କରିନାହିଁ । ଜନଶ୍ରୁତି ଅନୁସାରେ ଛତ୍ରପତି ମହାରାଜ ବୀର ବଳିୟାର ସିଂହଙ୍କୁ ୧୮ ଗଡ଼ଜାତ ସମ୍ମାନ ଦେବା ପାଇଁ ପୁରୀ ମହାରାଜ ଆମନ୍ତ୍ରଣ କରିଥିଲେ । ମହାରାଜଙ୍କ ନିମନ୍ତ୍ରଣ ରକ୍ଷା କରି ବଳିୟାର ସିଂହ ପୁରୀ ଦରବାରରେ ଯାଇ ପହଞ୍ଚିଥିଲେ । ପୁରୀ ରାଜା ବୀର ବଳିୟାର ସିଂହଙ୍କ ଶକ୍ତି ପରୀକ୍ଷା କରିବା ପାଇଁ ତାଙ୍କ ଦରବାରରେ ଥିବା ୭ଜଣ ଶ୍ରେଷ୍ଠ ମଲ୍ଲଯୋଦ୍ଧାଙ୍କୁ ନିୟୋଜିତ କରିଥିଲେ । ବୀର ବଳିୟାର ସିଂହ ରାଜଦରବାରକୁ ପହଞ୍ଚି ମହାରାଜଙ୍କୁ ଅଭିବାଦନ କରିବା ସମୟରେ ଅତର୍କିତ ଭାବେ ଏହି ୭ଜଣ ମଲ୍ଲଯୋଦ୍ଧା ଆକ୍ରମଣ କରିଥିଲେ । ଏଥିରେ ବିଚଳିତ ନହୋଇ ବୀର ବଳିୟାର ସିଂହ ତାଙ୍କ ପଗଡି ଭିତରେ ଥିବା ମାଆ ସମଲେଶ୍ଵରୀଙ୍କ ଏକ ତରବାରୀ କାଢି ଆଣି ମଲ୍ଲଯୋଦ୍ଧାଙ୍କୁ ଧରାଶାୟୀ କରିଦେଇଥିଲେ । ବଳିୟାର ସିଂହଙ୍କ ବୀରତ୍ଵରେ ମୁଗ୍ଧ ହୋଇ ପୁରୀ ମହାରାଜ ସିଂହାସନରୁ ଓହ୍ଲାଇ ଆସି ତାଙ୍କୁ ପୁରସ୍କାର ଦେବାକୁ କହିଲେ । ସମ୍ବଲପୁରରେ ସେତେବେଳେ ବ୍ରାହ୍ମଣ ନଥିବାରୁ ବଳିୟାର ସିଂହ ପୁରୀ ମହାରାଜଙ୍କୁ ବ୍ରାହ୍ମଣ ଦେବାକୁ ଅନୁରୋଧ କରିଥିଲେ । ଏହା ପରେ ବ୍ରାହ୍ମଣମାନେ ପୁରୀରୁ ସମ୍ବଲପୁରକୁ ଆସିଥିଲେ ଓ ଶିବ ବିବାହ ଆରମ୍ଭ ହୋଇଥିବା ମନେ କରାଯାଏ । ପୂର୍ବେ ଅସ୍ପୃଶ୍ୟମାନଙ୍କୁ ମନ୍ଦିର ଯାଇ ଦେବାଦେବୀଙ୍କୁ ଦର୍ଶନ କରିବା ବାରଣ ଥିଲା । ତେଣୁ ବର୍ଷରେ ଥରେ ଦେବଦମ୍ପତି ସେମାନଙ୍କୁ ଦର୍ଶନ ଦେବା ପାଇଁ ବାହାରକୁ ଆସୁଥିବାର କୁହାଯାଏ । ଦେବଦମ୍ପତିଙ୍କ ଏହି ଯୁଗଳ ଦର୍ଶନରେ ବହୁତ ପୁଣ୍ୟ ମିଳେ ବୋଲି ବିଶ୍ଵାସ ରହିଛି ।

ବିଧିବିଧାନ ଓ ପରମ୍ପରା[ସମ୍ପାଦନା]

ଶିବ ରୁଦ୍ର ଓ ପାର୍ବତୀ ଶାନ୍ତିର ବାର୍ତ୍ତା ବହନ କରେ । ଗ୍ରୀଷ୍ମଋତୁ ପୃଥିବୀ ପୃଷ୍ଠରୁ ବିଦାୟ ନେଉଥାଏ, ବର୍ଷାଋତୁର ଆଗମନ ସମୟରେ ମହାଦେବ ଶିବ ଓ ସତୀଙ୍କ ବିବାହୋତ୍ସବକୁ ନେଇ ଅନୁଷ୍ଠିତ ହୁଏ ଶୀତଳଷଷ୍ଠୀ । ମହାପ୍ରଭୁଙ୍କର ଚନ୍ଦନ ଯାତ୍ରାର ପରିସମାପ୍ତି ପରେ ପରେ ଶୀତଳଷଷ୍ଠୀ ବେଳକୁ ମେଘମେଦୁର ଆକାଶର ଅପରୂପ ସୌନ୍ଦର୍ଯ୍ୟ ବେଶ ଚିତାକର୍ଷକ ହେବା ସାଙ୍ଗକୁ ନବବାରି ପରିପ୍ଳୁତ ଧରାପୃଷ୍ଠ ଶୀତଳ ପରିବେଶ ସୃଷ୍ଟିକରେ । ଅପୂର୍ବ ନୈସର୍ଗିକ ପରିବର୍ତ୍ତିତ ପରିସ୍ଥିତିରେ ସମ୍ବଲପୁରବାସୀ ଦେବଦମ୍ପତିଙ୍କୁ ସାଦର ସଭକ୍ତି ସ୍ଵାଗତ କରିଥାନ୍ତି । ଶୀତଳଷଷ୍ଠୀ ପୌରାଣିକ କଥାବସ୍ତୁ ଉପରେ ପର୍ଯ୍ୟବେସିତ । କିନ୍ତୁ ଆମ ଦୈନନ୍ଦିନ ଜୀବନରେ ଯେପରି ବିବାହ କାର୍ଯ୍ୟ ସମ୍ପାଦନ କରାଯାଏ, ଠିକ୍ ସେହିପରି ବୈଦିକ ରୀତିରେ ଶିବଙ୍କ ସହିତ ମାତା ସତୀଙ୍କ ବିବାହ ଅନୁଷ୍ଠିତ ହୋଇଥାଏ । ହିନ୍ଦୁ ରୀତିନୀତି ଅନୁସାରେ କନ୍ୟା ଅନ୍ଵେଷଣ, ନିବନ୍ଧ, ବିବାହ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ, ମହା ଆଡ଼ମ୍ବରରେ ବରଯାତ୍ରୀ ଆଗମନ, ବୈଦିକ ରୀତିରେ ବେଦିରେ ଦେବଦମ୍ପତିଙ୍କ ବିବାହ, କନ୍ୟା ପିତାମାତାଙ୍କ କନ୍ୟା ଦାନ ଓ ଯାନି ଯୌତୁକ ସହିତ କନ୍ୟା ବିଦାୟ ଆଦି କାର୍ଯ୍ୟ ସମ୍ପନ୍ନ କରାଯାଏ । ଓଡ଼ିଶାର ସମ୍ବଲପୁର ଶୀତଳଷଷ୍ଠୀରେ ସମ୍ପୂର୍ଣ୍ଣ ଲୋକାଚାରରେ ଶିବ ଓ ସତୀଙ୍କ ବିବାହୋତ୍ସବ ଅତ୍ୟନ୍ତ ଆକର୍ଷଣୀୟ । ଦେବଦମ୍ପତିଙ୍କ ଏହି ବିବାହ ଉତ୍ସବ ପ୍ରକ୍ରିୟା ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୁଏ । ଅକ୍ଷୟ ତୃତୀୟା ଦିନ ଥାଳ ଉଠିବା ଠାରୁ ଯାତ୍ରା ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଜ୍ୟେଷ୍ଠ ଶୁକ୍ଳପକ୍ଷ ପ୍ରତିପଦା ଦିନ ନନ୍ଦପଡାର ବଂବରାଡ଼ ବାଲୁଙ୍କେଶ୍ଵର ବାବାଙ୍କ ପତରପେଁଡି ବା ନିବନ୍ଧ(ପିନ୍ଧାଣି) ଏବଂ ତା'ପରଦିନ ନୃସିଂହ ନିଉତା ବା ଦେବାଦେବୀଙ୍କୁ ବିବାହ ପାଇଁ ଅନୁଷ୍ଠିତ ହୋଇଥାଏ । ଝାଡୁଆପଡାର ଲୋକନାଥ ବାବା, ମୁଦିପଡାର ଜାଗେଶ୍ଵରବାବା, ବଡ଼ବଜାରର ଶୀତଳେଶ୍ଵରବାବା ଏବଂ ଠାକୁରପଡାର ଗୁପ୍ତେଶ୍ଵରବାବାଙ୍କ ତୃତୀୟା ଦିନ ପତରପେଁଡି ଏବଂ ଚତୁର୍ଥୀଦିନ ଗୁଆଗୁଣ୍ଡା ଅନୁଷ୍ଠିତ ହୋଇଥାଏ । ପଞ୍ଚମୀ ତିଥି ରାତିରେ ଶ୍ମଶାନଚାରୀ ଶିବ ବରବେଶ ହୋଇ ବୃଷଭ ଆରୋହଣ କରି ଭବ୍ୟ ଶୋଭାଯାତ୍ରାରେ କନ୍ୟାପିତା ଗୃହକୁ ଗମନ କରନ୍ତି । ତାଙ୍କ ବରଯାତ୍ରୀରେ ଶ୍ମଶାନବାସୀ, ସାକ୍ଷୀଗୋପୀନାଥ, ହନୁମାନ, ନୃସିଂହ ଦେବାଦେବୀ ସାମିଲ୍ ହୋଇଥାନ୍ତି । ଦେବଦମ୍ପତିଙ୍କ ସମ୍ପୂର୍ଣ୍ଣ ଲୋକାଚାରରେ ସମ୍ପନ୍ନ କରାଯାଉଥିବାରୁ ପ୍ରତିବର୍ଷ ଯାତ୍ରା କମିଟି ପକ୍ଷରୁ କନ୍ୟା ପିତାମାତା ଚୟନ କରାଯାଏ । ଯେଉଁମାନେ କନ୍ୟାପିତାମାତା ଭୂମିକାରେ ଅବତୀର୍ଣ୍ଣ ହୁଅନ୍ତି ସେମାନେ କନ୍ୟା ପାର୍ବତୀଙ୍କୁ ତାଙ୍କ ଘରକୁ ନେଇ ବିବାହ ପରେ ଯାନିଯୌତୁକ ଦେଇ ବିଦାୟ ଦେଇଥାନ୍ତି । ବୈଦିକ ରୀତିରେ ପଞ୍ଚମୀ ରାତିରେ ବିବାହ ଅନୁଷ୍ଠିତ ହୋଇଥାଏ ।[୫]


ନନ୍ଦପଡାର ବମ୍ ବରାଡ଼ ବାଲୁଙ୍କେଶ୍ଵର, ଝାଡୁଆପଡାର ଶ୍ରୀଲୋକନାଥ ବାବା, ମୁଦିପଡାର ଶ୍ରୀଜାଗେଶ୍ଵର ବାବା, ବଡ଼ବଜାରର ଶୀତଳେଶ୍ୱର ବାବା, ବାଲିବନ୍ଧର ସୋମନାଥ ବାବା, ଦୁର୍ଗାପାଲିର ଶ୍ରୀଗୁଡେଶ୍ୱର ବାବଙ୍କ ପ୍ରସିଦ୍ଧ ଶୀତଳଷଷ୍ଠୀ ପର୍ବରେ ସ୍ଥାନୀୟ ତଥା ବହିରାଗତ ଲକ୍ଷ ଲକ୍ଷ ଭକ୍ତଙ୍କର ସମାବେଶରେ ସମ୍ବଲପୁର ଜନାରଣ୍ୟ ହୋଇଉଠେ । ପତରପେଣ୍ଠିରୁ ଶୀତଳଷଷ୍ଠୀ ଉତ୍ସବର ଶୁଭାରମ୍ଭ ହୋଇ, ତତ୍ ପରଦିନ ଦେବ ନିମନ୍ତ୍ରଣ, ଚତୁର୍ଥୀତିଥିରେ ସମସ୍ତ ମନ୍ଦିରରୁ ଦେବାଧିଦେବଙ୍କ ବରଯାତ୍ରା, ପରଦିନ କନ୍ୟାପିତାଙ୍କ ଗୃହରେ ରାତ୍ରିରେ ବିବାହୋତ୍ସବ ଏବଂ ତା’ପରଦିନ ମଧ୍ୟାହ୍ନରେ ଶିବପାର୍ବତୀ ବାହୁଡା ବରକନ୍ୟାଙ୍କର ଆଡ଼ମ୍ବରପୂର୍ଣ୍ଣ ଦିବ୍ୟ ଶୋଭାଯାତ୍ରାରେ ନଗର ପରିକ୍ରମା ପରେ ସ୍ୱ ସ୍ୱ ମନ୍ଦିର ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ ବେଶ୍ ମନୋଜ୍ଞ ଓ ମନମୁଗ୍ଧକର । ପ୍ରତ୍ୟେକ ସହରର ଭାଗ୍ୟଶାଳୀ ବିଭିନ୍ନ ଦମ୍ପତି କନ୍ୟାପିତା ଭାବରେ ଦେବାଧିଦେବଙ୍କୁ କନ୍ୟାଦାନ କରିବାର ସୌଭାଗ୍ୟ ଅର୍ଜନ କରିଥାନ୍ତି । ନୈସର୍ଗିକ ବିଧିବିଧାନ, ପରମ୍ପରା ଓ ପ୍ରକରଣରେ ନବଦମ୍ପତିଙ୍କର ବିବାହୋତ୍ସବ ଅନୁଷ୍ଠିତ ହୋଇ କନ୍ୟାଦାନ ସହିତ ଅଳଙ୍କାର, ବାସନକୁସନ ଅନ୍ୟ ଜାନିଯୌତୁକ ସାଧ୍ୟମତେ ପ୍ରଦାନ କରାଯାଏ । ବର ନିମନ୍ତ୍ରଣ ଓ କନ୍ୟା ବିଦାୟ ଦୃଶ୍ୟ ମଧ୍ୟ ବେଶ୍ ଗାମ୍ଭୀର୍ଯ୍ୟପୂର୍ଣ୍ଣ ହୋଇଥାଏ ।

କାଳର ଅପ୍ରତିହିତ ଗତି ସହିତ ସମତାଳରେ ଅନେକ ଭଲ ଓ ମନ୍ଦ ପରମ୍ପରା ଏହି ଯାତ୍ରା ସହିତ ଯୋଡ଼ି ହୋଇଯାଇଛି । ବିବାହୋତ୍ସବରେ ସାଧାରଣତଃ ଆନନ୍ଦ, ଚିତ୍ତବିନୋଦନ ପ୍ରାଧାନ୍ୟ ଲାଭ କରିଥାଏ । ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରାରେ ଏହାର ଆତିଶଯ୍ୟ ସହଜରେ ବାରି ହୋଇପଡେ । ନାଚ, ଗୀତ, ତାମସା ଏହାର ଏକ ସ୍ଵାଭାବିକ ଅଙ୍ଗ । ବିଭିନ୍ନ ଲୋକନୃତ୍ୟ, ଡାଲଖାଇ ନୃତ୍ୟର ସମାବେଶ ଆମ ସାଂସ୍କୃତିକ ଜୀବନଧାରାର ଏକ ସ୍ୱାଭାବିକ ଆଙ୍ଗିକ ସ୍ୱରୂପ । ସ୍ଥାନୀୟ ଏବଂ ବାହାର ପ୍ରଦେଶରୁ ସମାଗତ ବାଈ ଓ ହିଂଜଡାମାନେ ଏହିପର୍ବରେ ନୃତ୍ୟ କରନ୍ତି । ଲୋକମୁଖରୁ ଶୁଣାଯାଏ ‘ସେମାନେ ଏହି ଅଭିଶପ୍ତ ହିଂଜଡା ଜନ୍ମରୁ ମୁକ୍ତି ପାଇବା ପାଇଁ ମହାଦେବ ଶିବଙ୍କ ବିବାହୋତ୍ସବରେ ନୃତ୍ୟ କରନ୍ତି’ ।

ଯାତ୍ରା ସଂପର୍କିତ ଦଲିଲ[ସମ୍ପାଦନା]

ଯାତ୍ରା କେବେଠାରୁ ଆରମ୍ଭ ହେଲା ସେ ସଂପର୍କିତ କୌଣସି ନଥିପତ୍ର ନାହିଁ । ତେବେ ୧୭୬୨ ମସିହାରେ ବାଲୁଙ୍କେଶ୍ଵର ମନ୍ଦିର ଶୀତଳ ଷଷ୍ଠୀ ଯାତ୍ରା ନେଇ ଏକ କେଶ୍ ଦାଏର ହୋଇଥିଲା । ମନ୍ଦିରର ପୂଜାରୀ ଚେରେଙ୍ଗା ମାଳୀ କୋର୍ଟରେ ଦେଇଥିବା ବୟାନ ଷଷ୍ଠୀ ଯାତ୍ରା ସଂପର୍କରେ ସର୍ବ ପ୍ରଥମ ଲିପିବଦ୍ଧ ଦଲିଲ ବୋଲି କୁହାଯାଏ । ଚେରେଙ୍ଗା ମାଳୀ କୋର୍ଟରେ ବୟାନ ଦେଇଥିଲା ଯେ ' ଷଷ୍ଠୀ ଯାତ୍ରା କେବେଠାରୁ ଆରମ୍ଭ ହେଲା ମୁଁ ଜାଣିନି । ମୋର ଅଜା, ପଏନ୍ଅଜା କହୁଥିଲେ ଏହି ଯାତ୍ରା ବହୁ ଆଗରୁ ପାଳିତ ହୋଇଆସୁଛି ।' ଚେରେଙ୍ଗାମାଳୀର ଏହି ବୟାନ ଅନୁସାରେ ୧୭୬୨ର ବହୁ ପୂର୍ବରୁ ସମ୍ବଲପୁରରେ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହୋଇଛି । ଏହି ଅନୁସାରେ ୪୦୦ବର୍ଷରୁ ଉର୍ଦ୍ଧ୍ଵ ହେଲା ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ହୋଇଆସୁଥିବାର ଅନୁମାନ କରାଯାଏ ।

ଆଧାର[ସମ୍ପାଦନା]

  1. "Panchang, Panchangam for Bhubaneshwar, Orissa, India". drikpanchang.com. 2013. http://www.drikpanchang.com/panchang/month-panchang.html?date=15/06/2013. Retrieved 17 May 2013. "Shashthi, Jyaishta, Shukla Paksha, 2070 Vikram Samvat" 
  2. "Shitala Sasthi Jatra in Odisha". puribeachresorts.com. http://www.puribeachresorts.com/festivals-in-puri/shitala-sasthi.html. Retrieved 3 June 2013. "The bridegroom's procession popularly known as 'Barat' begins on the 5th night of Jyestha" 
  3. "Sitala Sasthi". orissadiary.com. 2012. http://orissadiary.com/orissa_profile/ori_festival/may/Sitala_Sasthi%20.asp. Retrieved 2 November 2012. "Devotees act as their parents to perform the marriage" 
  4. "Shitala Sasthi | Orissa Online". orissaonline.co.in. http://www.orissaonline.co.in/2011/05/shitala-sasthi-7-jun/. Retrieved 3 June 2013. "Sital Sashti is celebrated in grand manner at Puri Loknath Temple, Bhubaneswar Lingaraj Temple, and Sambalpur Temple." 
  5. ପ୍ରମେୟ, ପୃଷ୍ଠା- ୧୩, ଶନିବାର ୧୫ ଜୁନ୍ ୨୦୧୩