ଧନୁଯାତ୍ରା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଧନୁଯାତ୍ରା
Dhanu jatra.jpg
ବରଗଡ଼ ଧନୁଯାତ୍ରାରେ କଂସଙ୍କ ଦରବାର ।
ପାଳନକାରୀ ଓଡ଼ିଆ ଲୋକ
ଆରମ୍ଭ ପୌଷ ଶୁକ୍ଳ ପଞ୍ଚମୀ
ଶେଷ ପୌଷ ପୂର୍ଣ୍ଣିମା
୨୦୧୫ ତାରିଖ ୨୫ ଡିସେମ୍ବର - ୫ ଜାନୁଆରୀ
୨୦୧୬ ତାରିଖ ୧୪ ଜାନୁଆରୀ - ୨୪ ଜାନୁଆରୀ
୨୦୧୭ ତାରିଖ ୨ ଜାନୁଆରୀ - ୧୨ ଜାନୁଆରୀ
୨୦୧୮ ତାରିଖ ୨୨ ଡିସେମ୍ବର ୨୦୧୭ - ୨ ଜାନୁଆରୀ
ସମ୍ପର୍କିତ ଶ୍ରୀକୃଷ୍ଣଙ୍କ ବାଳଲୀଳା

ଧନୁଯାତ୍ରା ଓଡ଼ିଶାର ବରଗଡ଼ରେ ଏକ ବାର୍ଷିକ ନାଟକ-ଭିତ୍ତିକ ଖୋଲା ରଙ୍ଗମଞ୍ଚ ଯାତ୍ରା ।[୧] ବରଗଡ଼ ପୌରାଞ୍ଚଳର ୭କିମି ପରିଧି ମଧ୍ୟରେ ଆୟୋଜିତ ଏହି ଯାତ୍ରା ପୃଥିବୀର ବିଶାଳତମ ଖୋଲା ରଙ୍ଗମଞ୍ଚ ଭାବେ ଜଣା ।[୨][୩][୪][୫][୬][୭][୮] ପୌରାଣିକ କଥାବସ୍ତୁ ହରିବଂଶର ମଥୁରା ବିଜୟକୁ ନାଟ୍ୟ ରୁପାନ୍ତର ଆକାରରେ ମଞ୍ଚସ୍ଥ କରାଯାଇଥାଏ ଧନୁଯାତ୍ରାରେ । ଧନୁଯାତ୍ରା ମାତୁଳ କଂସର ଧନୁଯାତ୍ରାରେ ଭାଗନେବାପାଇଁ ଭଗବାନ କୃଷ୍ଣଙ୍କର ମଥୁରାଯାତ୍ରାର ସ୍ମୃତି ବହନ କରେ ।[୯] ଯାତ୍ରା ସମୟରେ ବରଗଡ଼ ସହର କଂସଙ୍କ ମଥୁରା ପାଲଟୁଥିବାବେଳେ ପୌରାଞ୍ଚଳର ୧୭ନଂ ୱାର୍ଡ଼ ଅମ୍ବାପାଲି ପାଲଟି ଥାଏ ଗୋପପୁର, ବରଗଡ଼ ସହରବାସୀ ଓ ଦର୍ଶକ ପାଲଟିଥାନ୍ତି ପ୍ରଜା । ମହାରାଜା କଂସଙ୍କ ଆଦେଶ ଅବମାନନା କଲେ ଯେତେବଡ଼ ପଦପଦବୀରେ ଥିଲେ ସୁଦ୍ଧା ଦଣ୍ଡଭୋଗିବାକୁ ହୋଇଥାଏ ।[୧୦] ଏହି ମଞ୍ଚରେ କଂସ ଦୋଷ ନିମନ୍ତେ ଲୋକଙ୍କୁ ଦଣ୍ଡବିଧାନ ମଧ୍ୟ କରିଥାନ୍ତି । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରୀମଣ୍ଡଳ ମଧ୍ୟ କଂସଙ୍କ ଦ୍ୱାରା ଦଣ୍ଡିତ ହୋଇଥିଲେ ।[୮]

ଇତିହାସ[ସମ୍ପାଦନା]

ବଙ୍ଗୋମୁଣ୍ଡାରେ ପାଳିତ ଧନୁଯାତ୍ରାରେ କଂସଙ୍କୁ ନିହତ କରୁଛନ୍ତି କୃଷ୍ଣ ।

୧୯୪୭ ମସିହାରୁ ବରଗଡ଼ ସହରରେ ଧନୁଯାତ୍ରା ପାଳିତ ହୋଇ ଆସୁଛି ।[୧୧] ୧୯୪୭ ମସିହାରେ ଇଂରେଜମାନଙ୍କୁ ହଟାଇ ଭାରତୀୟମାନେ ସ୍ଵାଧୀନତା ହାସଲ କରିଥିଲେ । ବରଗଡ଼ ସହରର କିଛି ହେମାଲି (କୁଲି କାମ କରୁଥିବା ଲୋକେ) ଏହି ବିଜୟ ଉତ୍ସବକୁ ନିଆରା ଢଙ୍ଗରେ ପାଳନ କରିବା ପାଇଁ ଧନୁଯାତ୍ରାର ଆରମ୍ଭ କରିଥିଲେ । ଅନ୍ୟମତେ କେତେକ ଉତ୍ସାହୀ ଯୁବକ ସମ୍ବଲପୁରରୁ ଶୀତଳଷଷ୍ଠୀ ଯାତ୍ରା ଦେଖି ଆସିବା ପରେ ବରଗଡ଼ ନାଏକପଡ଼ା ରାମଜୀ ମନ୍ଦିର ପ୍ରଙ୍ଗଣରେ ଏକ ବୈଠକ କରି ଧନୁଯାତ୍ରାର ରୂପରେଖ ପ୍ରସ୍ତୁତ କରିଥିଲେ ।

ଯାତ୍ରା[ସମ୍ପାଦନା]

ପୌଷ ଶୁକ୍ଳ ପଞ୍ଚମୀ[୧୨] ଠାରୁ ଆରମ୍ଭ ହୋଇ ଏଗାର ଦିନ[୧୩] ଧରି ଗୋପ ଓ ମଥୁରାଲୀଳାର ବିଭିନ୍ନ ଦୃଶ୍ୟମାନ ପରିବେଷିତ ହୋଇ ପୁଷ୍ ପୁନେଇ (ପୌଷ ପୂର୍ଣ୍ଣିମା) ଦିନ କଂସବଧ ସହ ଏହା ଉଦ୍‌ଯାପିତ ହୋଇଥାଏ । ପ୍ରତ୍ୟେକ ଦିନ ଅପରାହ୍ଣ ୨ଟାରୁ ରାତି ୧୦ଟା ଯାଏ ଯାତ୍ରା ଚାଲେ ଓ ତା’ ପରେ ପରେ ସାରାରାତି ବିଭିନ୍ନ ମନୋରଞ୍ଜନ ମୂଳକ କାର୍ଯ୍ୟକ୍ରମ ଚାଲୁରହେ । ଏହି ଯାତ୍ରା ନିମନ୍ତେ ବରଗଡ଼ ସହରକୁ ମଥୁରା ନଗର ଭାବେ, ପଞ୍ଚାୟତ ଧର୍ମଶାଳାକୁ ରାଜପ୍ରସାଦଭାବେ, ହାଟପଦାକୁ ରାଜଦରବାରଭାବେ, ଲୋକମଣ୍ଡପକୁ ରଙ୍ଗମହଲଭାବେ, ରାମ ମନ୍ଦିରକୁ ଦେବକୀ ବସୁଦେବଙ୍କ ବିବାହ ମଣ୍ଡପଭାବେ, ସମଲେଶ୍ଵରୀ ମନ୍ଦିର ପ୍ରାଙ୍ଗଣକୁ କାରାଗାରଭାବେ, ମନାବନ୍ଧକୁ ନାବକେଲିଭାବେ, ଅମ୍ବାପଲୀକୁ ଗୋପପୁରଭାବେ, ଜୀରା ନଦୀକୁ ଯମୁନା ନଦୀଭାବେ ଓ ଫକୀରାବନ୍ଧକୁ କାଳନ୍ଦୀ ହ୍ରଦ ଭାବେ ନାମିତ କରାଯାଇଥାଏ ।[୧୪]

ଭାଗବତରେ ବର୍ଣ୍ଣିତ ଘଟଣାକ୍ରମ ଅନୁସାରେ ନିର୍ଦ୍ଧିଷ୍ଟ ସ୍ଥାନରେ ଅଭିନିତ ହୁଏ ସମ୍ବନ୍ଧିତ ଅଂଶ । ଦର୍ଶକେ ଗୋଟିଏ ଜାଗାରୁ ଅନ୍ୟଜାଗା ଯାଆନ୍ତି, ଏଇ ଅଭିନୟ ଦେଖିବାପାଇଁ । ଏଇଟା ଏତେ ଜୀବନ୍ତ ହୁଏ ଯେ, ଅଭିନୟ ଓ ବାସ୍ତବତା ଭିତରେ ଫରକ ବାରିବା ଦୁରୂହ ହୋଇଯାଏ । କଂସବଧ ହେଉଛି ଧନୁଯାତ୍ରାର ଅନ୍ତିମ ଦୃଶ୍ୟ, ଏହାପରେ ବିଶ୍ଵର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଉଦ୍‌ଯାପିତ ହୋଇଥାଏ । ପ୍ରତିବର୍ଷ ପୌଷ ପୂର୍ଣ୍ଣମୀ ଦିନ ଅଭିନୀତ ହେଉଥିବା ଧନୁଯାତ୍ରାର ଏହି ଅନ୍ତିମଦୃଶ୍ୟକୁ ଦେଖିବା ନିମନ୍ତେ ପ୍ରବଳ ଜନଗହଳି ହୋଇଥାଏ । ଶ୍ରୀକୃଷ୍ଣ କଂସ ବଧ କରିବାବେଳେ ଦର୍ଶକ ମାନେ ଏକ ସ୍ଵରରେ କହି ଉଠନ୍ତି କଂସ ରାଜା ବଂଶ ବୁଡୁ, କଂସ ମଲେ ଖାଏମା ଲଡୁ

ଧନୁଯାତ୍ରାର କଂସ[ସମ୍ପାଦନା]

ବରଗଡ଼ ଧନୁଯାତ୍ରାରେ କୃଷ୍ଣ, ବଳରାମ ନୁହେଁ ବରଂ କଂସ ହିଁ ମୁଖ୍ୟ ଆକର୍ଷଣ । କଂସ ଭୂମିକାରେ ଅଭିନୟ କରୁଥିବା କଳାକାରଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାଏ । ଧନୁଯାତ୍ରା ଆରମ୍ଭର ପ୍ରଥମବର୍ଷ ବିନ୍ଦୁରଥଙ୍କୁ କଂସ ଭୂମିକା ପାଇଁ ଚୟନ କରାଯିବା ସହ ପ୍ରାଣବନ୍ଧୁ କରଙ୍କୁ କୃଷ୍ଣ ଓ ପୂର୍ବତନ ବିଧାୟକ ମୁରାରୀ ପ୍ରସାଦ ମିଶ୍ରଙ୍କୁ ବଳରାମ ଭୂମିକା ପାଇଁ ଚୟନ କରାଯାଇଥିଲା । ବିନ୍ଦୁରଥଙ୍କ ମୃତ୍ୟୁପରେ ଲୁପୁରସିଂହର ଯୁଧିଷ୍ଟିର ଶତପଥୀ ଲଗାତାର ୩୦ ବର୍ଷ ଧରି ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିଲେ । ପରେ ପରେ ଭୀମସେନ ତ୍ରିପାଠୀ (ବରଗଡ଼), ରାଧେଶ୍ୟାମ ଦାସ, ନୀଳାଞ୍ଚଳ ଦାଶ, ଦେବେନ୍ଦ୍ର ବିଶ୍ଵାଳ, ଭୁବନେଶ୍ଵର ପ୍ରଧାନ ପ୍ରମୁଖ କଂସ ଭୂମିକାରେ ଅଭିନୟ କରିଥିଲେ । ୧୯୮୪ରୁ ୨୦୦୭ ପର୍ଯ୍ୟନ୍ତ ଗୋପାଳ ସାହୁ (ଏଲି) ବରଗଡ଼ ଧନୁଯାତ୍ରାର କଂସ ଭୂମିକାରେ ଅବତୀର୍ଣ୍ଣ ହୋଇଥିବାବେଳେ ଗୋଟିଏ ଦିନ ପାଇଁ ସଞ୍ଜିବ ଦାଶ (ମାଟୁ) କଂସ ହୋଇଥିଲେ । ୨୦୦୮ମସିହାରୁ ଏପର୍ଯ୍ୟନ୍ତ ଅମ୍ବାଭୋନା ବ୍ଳକ ଚିଚୋଲି ଗ୍ରାମର ହୃଷୀକେଶ ଭୋଇ କଂସ ଭୂମିକା ନିର୍ବାହ କରିଆସୁଛନ୍ତି ।

କଂସ ଭୂମିକାରେ ଅଭିନୟ କରୁଥିବା ଅଭିନେତା ଧନୁଯାତ୍ରାବେଳେ ମହାପ୍ରଭୁ ଜଗନ୍ନାଥଙ୍କ ଅବତାର ଶ୍ରୀକୃଷ୍ଣ ଓ ବଳରାମଙ୍କୁ ଅସମ୍ମାନ ଓ ଅପମାନିତ କରିବା ସହ ହତ୍ୟା କରିବା ନିମନ୍ତେ ଷଡ଼ଯନ୍ତ୍ର କରୁଥିବାରୁ ଯାତ୍ରା ପରେ ଶ୍ରୀକ୍ଷେତ୍ରକୁ ଯାଇ ଜଗନ୍ନାଥଙ୍କ ନିକଟରେ କ୍ଷମା ଯାଚନା କରିଥାନ୍ତି ।ବର୍ତ୍ତମାନ ଏହି ଧନୁ ଯାତ୍ରାରେ , ହୃଷୀକେଶ ଭୋଇ କଂସ ଙ୍କ ଭୂମିକାଟି ନିର୍ବାହ କରୁଛନ୍ତି ।

Dhanujatra kansa.jpg

ଆଧାର[ସମ୍ପାଦନା]

  1. "Bargarh Dhanu Yatra gets National festival tag". Retrieved 31 December 2015. 
  2. Dash, Prakash. "Dhanu Yatra World's biggest open-air theatre". Newsonair.com. News on Air: All India Radio. Retrieved 14 January 2016. 
  3. "Dhanu Jatra". Festivalsofindia.in. Retrieved 14 January 2016. 
  4. Mohapatra, Prabhukalayan. "Dhanuyatra of Bargarh : World's Biggest Open-Air-Theatre" (PDF). Orissa Review. Retrieved 14 January 2016. 
  5. Mishra, Biranchi. "Dhanu Yatra: Largest Open Air Ethnic Theatre". ISKCON News. Retrieved 14 January 2016. 
  6. "The Hindu : Other States / Orissa News : Bargarh gears up for Dhanu Yatra". hindu.com. 2008. Retrieved 18 January 2013. The 11-day cultural extravaganza is globally known as world’s largest open-air theatre. 
  7. "All of Bargarh's a stage for Dhanu Yatra - Times Of India". indiatimes.com. 2011. Retrieved 18 January 2013. It is also referred to as the world's biggest open-air theatre 
  8. ୮.୦ ୮.୧ Dehury, Chinmaya (27 December 2015). "Odisha town turns into Mathura for world's biggest open air theatre". Sify. IANS (Sify News). http://www.sify.com/news/odisha-town-turns-into-mathura-for-world-s-biggest-open-air-theatre-news-others-pm1sEjaghachf.html. Retrieved 14 January 2016. 
  9. Kanungo, Laxminarayan (2013). "Dhanu Yatra kicks off Thursday | Odisha Reporter". odishareporter.in. Retrieved 18 January 2013. Dhanu Yatra commemorates Lord Krishna’s visit to Mathura. 
  10. "ବରଗଡ଼ର ପ୍ରସିଦ୍ଧ ଧନୁଯାତ୍ରା". ଦ ସନ୍‌ଡେ ଇଣ୍ଡିଆନ. Retrieved 23 April 2014. 
  11. Guru, Sudeep Kumar (2011). "Dhanu yatra to begin in Puri". telegraphindia.com. Retrieved 18 January 2013. The festival is being held Bargarh since 1947. 
  12. "Official Website of Bargarh Dhanuyatra". Retrieved 15 January 2016. 
  13. "Bargarh Dhanuyatra: Kansa Invites Lord Krishna to Mathura". odisha.360.batoi.com. 2012. Retrieved 18 January 2013. the 11-day Dhanuyatra 
  14. Dash, Prakash. "Indian feature News, Indian feature Headlines,Top Stories". newsonair.nic.in. Retrieved 18 January 2013. During the Dhanu Yatra, Bargarh city, about 330-km from Bhubaneswar, becomes Mathura, the river Jeera becomes river Yamuna and Ambapalli situated on the other side of Jeera becomes Gopapura. 

ଅଧିକ ତଥ୍ୟ[ସମ୍ପାଦନା]

  • ଖବର ରବିବାର ପତ୍ରିକା, ୨୦ ଜାନୁଆରୀ ୨୦୧୩, ପୃଷ୍ଠା: ୧୦