ରାଣୀପୁର ଝରିଆଲ

ଉଇକିପିଡ଼ିଆ ରୁ
Jump to navigation Jump to search

ରାଣୀପୁର ଝରିଆଲ ପ୍ରାଚୀନ କୀର୍ତ୍ତିରାଜି ଥିବା ଓଡ଼ିଶାର ବଲାଙ୍ଗିର ଜିଲ୍ଲାର ଦୁଇଟି ଗ୍ରାମ । ଏଠାରେ ବୌଦ୍ଧ, ଶୈବ, ଶାକ୍ତବୈଷ୍ଣବ ଧର୍ମର ପ୍ରାଚୀନ କୀର୍ତ୍ତି ରହିଛି । ରାଣୀପୁର-ଝରିଆଲର ଦୁଇ ବର୍ଗକିଲୋମିଟର ପଥର ଶଯ୍ୟା ଉପରେ ୫୧ ଗୋଟି ବିଭିନ୍ନ ଆକୃତି ଓ ଉଚ୍ଚତାର ଦେଉଳ ରହିଛି । ଏଠାର ଚଉଷଠି ଯୋଗିନୀ ମନ୍ଦିର, ସୋମେଶ୍ୱର ମନ୍ଦିର ଏବଂ ଇନ୍ଦ୍ରଲାଠ ମନ୍ଦିର ସେଥିମଧ୍ୟରୁ ପ୍ରଧାନ । ସୋମେଶ୍ୱର ସାଗର କୂଳରେ ସୋମେଶ୍ୱର ମନ୍ଦିର ଅବସ୍ଥିତ । ଏହା ସୋମତୀର୍ଥ ନାମରେ ଜଣା । ତୃତୀୟ-ଚତୁର୍ଥ ଶତାବ୍ଦୀର ପୁରାଣରେ ସୋମତୀର୍ଥର ଉଲ୍ଲେଖ ରହିଛି । [୧]

ଅବସ୍ଥିତି[ସମ୍ପାଦନା]

କଳାହାଣ୍ଡି ଜିଲ୍ଲାର ସୀମା ନିକଟବର୍ତ୍ତୀ ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଅଧୀନରେ ରାଣୀପୁର-ଝରିଆଲ ଅବସ୍ଥିତ । ବଲାଙ୍ଗିର ଜିଲ୍ଲାର ସିନ୍ଧେକେଲାରୁ ଏହାର ଦୂରତା ପ୍ରାୟ ୭ କି.ମି. । [୧]

ଇତିହାସ[ସମ୍ପାଦନା]

ଗଗନ ଶିବ ନାମରେ ଜଣେ ଶୈବାଚାର୍ଯ୍ୟ ସୋମେଶ୍ୱର ମନ୍ଦିର, ସୋମବଂଶୀ ରାଜତ୍ୱ ସମୟରେ ଅଷ୍ଟମ ଶତାବ୍ଦୀରେ ନିର୍ମାଣ କରିଥିଲେ । ମନ୍ଦିର ଭିତରେ ଏକ ଶିଳାଲେଖରେ ସୋମତୀର୍ଥ ସହିତ ଗଗନ ଶିବଙ୍କ ନାମର ଉଲ୍ଲେଖ ରହିଛି । ୧୮୭୪-୭୫ ମସିହାରେ ପ୍ରତ୍ନତତ୍ତ୍ୱବିତ୍‍ ଜେ.ଡି. ବେଗଲାର ରାଣୀପୁର-ଝରିଆଲରେ ୫୭ ଗୋଟି ମନ୍ଦିର ଥିବା ଉଲ୍ଲେଖ କରିଛନ୍ତି । ତାଙ୍କ କଳନା ଅନୁସାରେ ଅଷ୍ଟମ ଶତାବ୍ଦୀରେ ୧୨୦ଟି ଦେଉଳ ତୋଳାଯାଇଥିଲା । ସୋମବଂଶୀ ଶାସନ କାଳରେ ଅଷ୍ଟମ ଶତାବ୍ଦୀରେ ଏହି ଦେଉଳମାନ ତୋଳା ଯାଇଥିବା ସେ ଉଲ୍ଲେଖ କରିଛନ୍ତି । ଐତିହାସିକ କେଦାର ନାଥ ମହାପାତ୍ର ଏହି ଦେଉଳମାନ ୬୫୦ ଖ୍ରୀଷ୍ଟାବ୍ଦରୁ ୯୫୦ ଖ୍ରୀଷ୍ଟାବ୍ଦ ଭିତରେ ନିର୍ମାଣ ହୋଇଥିବାର ଅନୁମାନ କରନ୍ତି । ରାଣୀପୁର-ଝରିଆଲର ଚଉଷଠି ଯୋଗିନୀ ମନ୍ଦିର ଅନ୍ୟାନ୍ୟ ଚାରି ଯୋଗିନୀ ମନ୍ଦିର ଭିତରୁ ଅନ୍ୟତମ । ଅନ୍ୟ ତିନିଗୋଟି ଯୋଗିନୀ ମନ୍ଦିର ଭୁବନେଶ୍ୱର ପାଖ ହୀରାପୁର, ଖଜୁରାହୋ ଏବଂ ଜବଲପୁର ପାଖ ବେରାଘାଟରେ ଅବସ୍ଥିତ । ଛାତବିହୀନ ଗୋଲାକାର ଦେଉଳର ମଝିରେ ଶିବ ମୂର୍ତ୍ତି ରହିଛି । ଏହି ଶିବ ଛଅଟି ହାତବିଶିଷ୍ଠ । ଦେଉଳ କାନ୍ଥ ଖୋପରେ ଯୋଗିନୀ ମୂର୍ତ୍ତି ରହିଛି । ଯୋଗିନୀ ଦେଉଳରେ ତନ୍ତ୍ର ପୂଜାର ସୂଚନା ମିଳେ । ଷଷ୍ଠ-ସପ୍ତମ ଶତାବ୍ଦୀରେ ଭାରତରେ ତନ୍ତ୍ର ପୂଜାର ଉତ୍‍ଥାନ ସମୟରେ ଏହି ମନ୍ଦିର ନିର୍ମାଣ ହୋଇଥାଇପାରେ ବୋଲି ଅନୁମିତ । ରାଣୀପୁର-ଝରିଆଲର ଯୋଗିନୀ ମନ୍ଦିରଠାରୁ ଶହେ ମିଟର ଦୂରରେ ପୋଡ଼ାଇଟାରେ ନିର୍ମିତ ଇନ୍ଦ୍ରଲାଠ ମନ୍ଦିର ରହିଛି । ଏହି ଦେଉଳ ଶିଖରର ଉଚ୍ଚତା ଷାଠିଏ ଫୁଟ । ଏକ ଉଚ୍ଚ ପଥରର ପିଢ଼ ଉପରେ ଏହି ମନ୍ଦିର ଛିଡ଼ା ହୋଇଛି । ଏହି ମନ୍ଦିର ପ୍ରଥମେ ବିଷ୍ଣୁ ମନ୍ଦିର ଥିଲା ଏବଂ ପରେ ଏହି ମନ୍ଦିରରେ ଶିବ ଉପାସନା ଆରମ୍ଭ ହେଲା ବୋଲି ଐତିହାସିକମାନେ ମତ ଦିଅନ୍ତି । ଓଡ଼ିଶାରେ ଅନ୍ୟ କେଉଁଠି ପୋଡ଼ାଇଟାରେ ନିର୍ମିତ ଏତେ ବଡ଼ ମନ୍ଦିର ଦେଖିବାକୁ ମିଳେ ନାହିଁ । ସୋମେଶ୍ୱର ଶିବ ମନ୍ଦିର ପାଖାପାଖି ପଥର ଉପରେ ଖୋଦିତ ପଦଚିହ୍ନ ଦେଖିବାକୁ ମିଳେ । ଐତିହାସିକଙ୍କ ମତରେ ପଦଚିହ୍ନ ବୌଦ୍ଧଧର୍ମ ସହିତ ସମ୍ବନ୍ଧିତ । ରାଣୀପୁର-ଝରିଆଲର ଏକଦା ବୌଦ୍ଧଧର୍ମର ଏକ ସାଂସ୍କୃତିକ କେନ୍ଦ୍ର ଥିଲା । ରାଣୀପୁର ଗ୍ରାମରେ ଏକ ପ୍ରାଚୀନ ବୌଦ୍ଧମୂର୍ତ୍ତିର ଆବିଷ୍କୃତ ହୋଇଥିଲା । ପ୍ରଶାସକ ଏ. ଏନ. ତିୱାରୀ ରାଣୀପୁର ଗାଁର ଏକ ଶିମୁଳି ଗଛ ମୂଳରେ ପୂଜା ପାଉଥିବା ବୁଦ୍ଧ ମୂର୍ତ୍ତି ସାମନାରେ ହେଉଥିବା ବଳି ପ୍ରଥାକୁ ବନ୍ଦ କରାଇଥିଲେ । ସେଠାରୁ ବୁଦ୍ଧମୂର୍ତ୍ତିକୁ ଅଣାଇ ଇନ୍ଦ୍ରଲାଠ ମନ୍ଦିରରେ ରଖାଇଥିଲେ । ଅଧୁନା ମନ୍ଦିରର ଗୋଟିଏ କଣରେ ସେହି ବୁଦ୍ଧମୂର୍ତ୍ତି ଉପାସିତ । ବୁଦ୍ଧଙ୍କୁ ସ୍ଥାନୀୟ ଅଧିବାସୀ ଭୀମା ଦେବତା କହୁଥିଲେ । [୧]

କିମ୍ବଦନ୍ତୀ[ସମ୍ପାଦନା]

ଏଠାର ସୋମେଶ୍ୱର ମନ୍ଦିରରେ ଥିବା ପଦଚିହ୍ନ ରାମସୀତାଙ୍କ ଚଉଦ ବର୍ଷ ବନବାସ ସମୟରେ ସେମାନଙ୍କ ରାଣୀପୁର-ଝରିଆଲ ଆଗମନ ସମୟର ବୋଲି ପୂଜକ ଏବଂ ସ୍ଥାନୀୟ ଅଧିବାସୀ ବିଶ୍ୱାସ କରନ୍ତି । [୧]

ପଶୁବଳି[ସମ୍ପାଦନା]

ଏଠାର ବିଭିନ୍ନ ଉପାସନା ସ୍ଥଳରେ ପଶୁବଳି ପକାଯାଇଥାଏ । ପ୍ରତିବର୍ଷ ଭବାନୀପାଟଣାର ମାଣିକେଶ୍ୱରୀ, ପାଟଣାଗଡ଼ର ପାଟଣେଶ୍ୱରୀ ଏବଂ ଶୁଲିଆ ଯାତ୍ରାରେ ହଜାର ହଜାର ପଶୁବଳି ପଡ଼ିଥାଏ । ବଲାଙ୍ଗୀର ଜିଲ୍ଲାର ତୁସୁରା ପୋଲିସ ଷ୍ଟେସନ ଅଧୀନରେ ଖଇରାଗଡ଼ ଗାଁରେ ଶୁଲିଆ ଯାତ୍ରାରେ ଓଡ଼ିଶା ହାଇକୋର୍ଟର ନିର୍ଦେଶ ଓ ପ୍ରଶାସନର ୧୪୪ ଧାରାକୁ ଅବମାନନା କରି ହଜାର ହଜାର ମଇଁଷି, ବୋଦା, ମେଣ୍ଢା ଓ କୁକୁଡ଼ା ବଳି ପଡ଼ିଥାଏ । ୧୯୭୪-୭୫ ମସିହାରେ ପ୍ରଶାସକ ଏ.ଏନ. ତିଓ୍ୱାରୀ ରାଣୀପୁର ଆସିଥିଲେ । ସେ ଦେଖିଲେ ରାଣୀପୁର ଗାଁର ଏକ ଶିମୁଳି ଗଛ ମୂଳରେ ବୁଦ୍ଧମୂର୍ତ୍ତି ପୂଜା ପାଉଥିବା ଏବଂ ସେହି ବୁଦ୍ଧମୂର୍ତ୍ତି ସାମ୍ନାରେ ପଶୁବଳି ପଡୁଥିବା ଦେଖିବାକୁ ପାଇଥିଲେ । ବୁଦ୍ଧଙ୍କୁ ସ୍ଥାନୀଳ ଲୋକେ ଭୀମା ଦେବତା ଭାବେ ପୂଜା କରି ଭଲ ବର୍ଷା ହେବା ପାଇଁ ପଶୁବଳି ପକାଉଥିଲେ । ବଳି ରକ୍ତରେ ଭୀମା ଦେବତାଙ୍କୁ ସନ୍ତୁଷ୍ଟ କରିବାର ବିଧି ଏଠାରେ ରହିଛି । କୌଣସି ଶିଶୁ କିମ୍ବା ମହିଳାଙ୍କୁ ଜ୍ୱର ହେଲେ ଲୋକେ ପ୍ରେତ ଗ୍ରାସିଥିବାରୁ ଜ୍ୱର ହୋଇଛି ଭାବିଥାନ୍ତି । ରାତି ଅଧରେ ଗୁଣିଆ ଚଉଷଠି ଯୋଗିନୀ ମନ୍ଦିର ପ୍ରାଙ୍ଗଣରେ ପୂଜାକରି କୁକୁଡ଼ା ବଳି ପକାଇ ଶିଶୁ କିମ୍ବା ମହିଳାର ଶରୀରରୁ ପ୍ରେତ ଛଡ଼ାଇଥାଏ । [୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ସାହୁ, ସୁମନ, ସହଦେବ, ଶେଫାଳି (୯ ନଭେମ୍ବର ୨୦୧୪). "ରାଣୀପୁର-ଝରିଆଲ: ସମୃଦ୍ଧ ଅତୀତ ଓ ଅନ୍ଧବିଶ୍ୱାସ ଏକାଠି". ସମ୍ବାଦ. Retrieved ୯ ନଭେମ୍ବର ୨୦୧୪. Check date values in: |accessdate=, |date= (help)