ଦୀପାବଳୀ

ଉଇକିପିଡ଼ିଆ ରୁ
(ଦୀପାବଳି ରୁ ଲେଉଟି ଆସିଛି)
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଦୀପାବଳୀ
Diwali Diya.jpg
ଦୀପାବଳୀରେ ଜଳୁଥିବା ଦୀପ
ଅନ୍ୟ ନାମ ଆଲୋକର ଉତ୍ସବ
ପାଳନକାରୀ ହିନ୍ଦୁ, ବୌଦ୍ଧ, ଜୈନଶିଖ ଧର୍ମାବଲମ୍ବୀ
ପ୍ରକାର ଧାର୍ମିକ, ଭାରତ, ନେପାଳ, ଶ୍ରୀଲଙ୍କା, ମିଆଁମାର, ମରିସସ, ଗୁଏନା, ତ୍ରିନିଦାଦ ଓ ଟବାଗୋ, ସୁରିନାମ, ମାଲେସିଆ, ସିଙ୍ଗାପୁର, ଓ ଫିଜି (ଏହି ଦେଶମାନଙ୍କରେ ଜାତୀୟ ଛୁଟିଦିନ ଭାବରେ ଘୋଷିତ)
ପାଳନ ଘରକୁ ଅଲୋକମାଳାରେ ସଜାଇବା, ବାଣଫୋଟକା ଫୁଟାଇବା, ମିଠା ଓ ଉପହାର ବାଣ୍ଟିବା
ଧର୍ମାନୁଷ୍ଠାନ ପ୍ରାର୍ଥନା, ଧାର୍ମିକ ପାଳନ (ପୂଜା, ପ୍ରସାଦ)
ତାରିଖ ହିନ୍ଦୁ ସୂର୍ଯ୍ୟ ପଞ୍ଜିକା ଅନୁସାରେ ସ୍ଥିର କରାଯାଇଥାଏ
୨୦୧୫ ତାରିଖ 13 November
୨୦୧୬ ତାରିଖ 30 October
୨୦୧୭ ତାରିଖ 19 October
୨୦୧୮ ତାରିଖ 7 November

ଦୀପାବଳୀ ଏକ ଭାରତୀୟ ପର୍ବ । ଏହା ଆଲୋକର ପର୍ବ ଭାବରେ ପାଳନ କରାଯାଇଥାଏ । ଏହି ପର୍ବ ନାନାଦି କାରଣ ହେତୁ ଅକ୍ଟୋବରର ଅଧାରୁ ନଭେମ୍ବର ଅଧା ଭିତରେ ପଡ଼ିଥାଏ । ହିନ୍ଦୁମାନଙ୍କ ପାଇଁ ଦୀପାବଳୀ ଏକ ମୁଖ୍ୟ ପର୍ବ ଯାହା ଘରେ ନାନାଦି ପାରମ୍ପରିକ ଢଙ୍ଗରେ ପାଳନ କରାଯାଇଥାଏ ।

ଉତ୍ପତ୍ତି[ସମ୍ପାଦନା]

ନାନା ପୌରାଣିକ ମତବାଦ, ସଂଯୋଗ ଓ ଧର୍ମୀୟ ବିଶ୍ୱାସ ମଧ୍ୟରେ ବାନ୍ଧି ହୋଇ ରହିଥିବା ଏହି ପର୍ବକୁ ବୈଜ୍ଞାନିକ ଅନୁଶୀଳନ କଲେ ଜଣାପଡ଼େ ଏହା ଏକ କୃଷିଭିତ୍ତିକ ବିଧି । ଯାହା ପ୍ରାଚୀନ କଳିଙ୍ଗର ତାର କୃଷିକ୍ଷେତ୍ର ଓ ତତସହିତ ପୁରପଲ୍ଲୀରେ ପୋକ ନିୟନ୍ତ୍ରଣ ପାଇଁ ଆୟୋଜନ ହେଉଥିଲା । ଧାନର ଏନ୍ତୁଡ଼ିଶାଳ ଓଡ଼ିଶା ଚାଷବାସରେ ସମୃଦ୍ଧ ଥିଲା । ଏହାର ପାରମ୍ପରିକ ଚାଷ ପ୍ରଣାଳୀ ମଧ୍ୟ ବିଜ୍ଞାନ ସମ୍ମତ । ପୂର୍ବକାଳର ରୋଗପୋକ ନିୟନ୍ତ୍ରଣ ପଦ୍ଧତି ଅତି ଉତ୍କୃଷ୍ଟ ଥିଲା ବୋଲି ଆମେରିକାର ଗବେଷକ ଉପନୀତ ହୋଇଛନ୍ତି । ରୋଗପୋକ ଦମନ ପାଇଁ ଓଡ଼ିଆମାନେ ନିମ୍ବ ପତ୍ର ଓ ଆଲୋକ ଦିହୁରୀର ବହୁଳ ଉପଯୋଗ କରୁଥିବାର ଗବେଷକମାନେ ମତ ଦିଅନ୍ତି । ଏ ଦୁଇଟି ଉପାୟ ଏବେ ସୁଦ୍ଧା ବୈଜ୍ଞାନିକଙ୍କ ଦ୍ୱାରା ସର୍ବୋତ୍କୃଷ୍ଟ ବିବେଚିତ ହୋଇଛି ।

'ଅନଳ ଦେଖିଣ ପତଙ୍ଗ ଧାବନ୍ତି ହୋଇ ଉଦବେଗ ।'

ଅମଳ ଋତୁ ଉପନୀତ ହୁଅନ୍ତେ ଶସ୍ୟକ୍ଷେତ୍ର ସମେତ ଜନବସତିରେ କୀଟ ପତଙ୍ଗଙ୍କ ସଂଖ୍ୟା ବୃଦ୍ଧି ପାଏ । କାର୍ତ୍ତିକ ମାସର ଅମାବାସ୍ୟା ଆଡକୁ ଏମାନଙ୍କ ସଂଖ୍ୟା ଏତେ ବୃଦ୍ଧି ପାଏ ଯେ ବିଶେଷ କରି ରାତ୍ରୀ ସମୟରେ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼େ । ଅମାବାସ୍ୟା ପୂର୍ବ ପର କୁ ମିଶାଇ ପାଞ୍ଚ ଦିନ ମଶାଲ, ଦିହୁରୀ, ଦୀପ, ଲଣ୍ଠନ ଆଦି ଜଳାଇ ପୋକଙ୍କୁ ଆକୃଷ୍ଟ କରି ଦମନ କରାଯାଏ । [୧]

ବିଭିନ୍ନ ସମ୍ପ୍ରଦାୟରେ ଧାର୍ମିକ ବିଶ୍ୱାସ ଓ ପାଳନ ତାତ୍ପର୍ଯ୍ୟ[ସମ୍ପାଦନା]

ଜୈନ[ସମ୍ପାଦନା]

ଜୈନ ଅନୁଗାମୀମାନଙ୍କ ପାଇଁ ଏହା ୫୨୭ରେ ମହାବୀର ଙ୍କର ମୋକ୍ଷ ବା ନିର୍ବାଣ ପ୍ରାପ୍ତିର ଦିନ ଭାବରେ ପାଳନ କରାଯାଇଥାଏ ।[୨]

  • ଜୈନଧର୍ମରେ ଦୀକ୍ଷିତ ବ୍ୟକ୍ତିମାନେ ୨୪ତୀର୍ଥଙ୍କର ମହାବୀରଙ୍କର ନିର୍ବାଣ ଦିବସ ରୂପେ ଏହିଦିବସକୁ ପାଳନ କରିଥା'ନ୍ତି । ଏ ସମ୍ପର୍କରେ ଗୋଟିଏ କାହାଣୀ ରହିଛି । ମହାବୀରଙ୍କର ଯେତେବେଳେ ମହାପ୍ରୟାଣ ଘଟିଲା, ସେତେବେଳେ ତାଙ୍କପାଖରେ ବହୁ ଜୈନ ଧର୍ମାବଲମ୍ବୀ ସନ୍ନ୍ୟାସୀ ଭକ୍ତ ଉପସ୍ଥିତ ହୋଇଥିଲେ । ମହାପ୍ରୟାଣ ପରେ ଏ ପୃଥିବୀ ପାଇଁ କିଏ ଆଉ ଜ୍ଞାନାଲୋକ ଦେବ, ଏହା ହିଁ ସେମାନେ ଚିନ୍ତାକଲେ । ସେମାନେ ସମସ୍ତେ ଏକତ୍ରିତ ହୋଇ ଦୀପାବଳି ଦିନ ମଶାଲ ଜଳାଇ ଦିବ୍ୟଜ୍ଞାନ ସନ୍ଧାନରେ ଯାଇଥିଲେ । ସେହିଦିନରୁ ଦୀପାବଳି ଦିନ ଆଲୋକ ଜଳେବାର ଚାଳିଆସୁଛି । [୩]
  • ଖ୍ରୀଷ୍ଟପୂର୍ବ ୫୨୭ରେ ମହାବୀରଙ୍କୁ ଏହିଦିନରେ ନିର୍ବାଣ ପ୍ରାପ୍ତି ହୋଇଥିଲା । ସେହିଦିନକୁ ସ୍ମରଣକରିବା ପାଇଁ ଜୈନମାନେ ଦୀପାବଳି ପାଳନ କରନ୍ତି । ଏହି ଅବସରରେ ଦୀପ ଜଳାଯାଏ ଏବଂ ମିଷ୍ଟାନ୍ନ ବଣ୍ଟାଯାଏ । ଜୈନ ବ୍ୟବସାୟୀମାନେ ହିସାବଖାତା ଏବଂ ମୁଦ୍ରା ପୂଜାକରନ୍ତି । ସେହିବର୍ଷ ପାଇଁ ହିସାବଖାତା ବନ୍ଦ କରାଯାଏ । ପରବର୍ତ୍ତୀ ଆଠଦିନ କୌଣସି ବ୍ୟବସାୟ କରନ୍ତି ନାହିଁ । ସେମାନେ ଉପବାସ କରନ୍ତି; ଜପତପ କରନ୍ତି । ନବମଦିନରେ ଜୈନ ନବବର୍ଷ ପାଳିତ ହୁଏ । [୪]
  • ଜୈନ ଧର୍ମାବଲମ୍ବୀଙ୍କ ଭଗବାନ ମହାବୀରଙ୍କ ନିର୍ବାଣପ୍ରାପ୍ତି ଦିବସ ଓ ଭଗବାନ ମହାବୀରଙ୍କ ଉତ୍ତରାଧ୍ୟାୟନ ସୂତ୍ର- ଶେଷପ୍ରବଚନ ପାଠର ମହାର୍ଘ୍ୟତିଥି ଭାବେ ଉତ୍ସାହର ସହିତ ଦୀପାବଳି ଉତ୍ସବ ପାଳନ କରାଯାଏ । [୫]

ଶିଖ[ସମ୍ପାଦନା]

  • ଏକଦଶଦର୍ଶି ମୋଗଲ ସମ୍ରାଟ ଔରଙ୍ଗଦେବଙ୍କ ଦ୍ଵାରା ଶିଖ‌ଧର୍ମର ଷଷ୍ଠଗୁରୁ ହରଗୋବିନ୍ଦ ସିଂହ ବନ୍ଦୀହୋଇ କାରାକୋଠରୀରେ ଆବଦ୍ଧ ହୋଇଥିଲେ । ଅଗଣିତ ଶିଖ ଧର୍ମାବଲମ୍ବୀଙ୍କ ଦୃଢବିରୋଧ ଯୋଗୁଁ ପରିଶେଷରେ ତାଙ୍କୁ କାରାମୁକ୍ତ କରାଗଲା । ତାଙ୍କୁ ସ୍ଵାଗତକରିବା ପାଇଁ ସେତେବେଳେ ସ୍ଵର୍ଣ୍ଣମନ୍ଦିରକୁ ଦୀପରେ ସଜାଯାଇଥିଲା । ସେ ଏହି ଦୀପାବଳିଦିନ କାରାମୁକ୍ତ ହୋଇ ଥିବାରୁ, ଏହିଦିନଟିକୁ ଅନ୍ଧାରରୁ ଆଲୋକସନ୍ଧାନ ପ୍ରାପ୍ତିର ଦିବସ ରୂପେ ଶିଖ ସମ୍ପ୍ରଦାୟ ପାଳିଆସୁଛନ୍ତି । ପାରମ୍ପରିକ ଭାବେ ଏହିଦିନରେ ଶିଖ‌ମାନେ ଗୋଇନ୍ଦୱ।ଲ୍ ସାହିବ ଗୁରୁଦ୍ଵାରକୁ ତୀର୍ଥକରି ଯାଆନ୍ତି । [୬][୭]
  • ଏହିଦିନଟିକୁ ଶିଖ‌ମାନଙ୍କ ପାଇଁ ଷଷ୍ଠଧର୍ମଗୁରୁଙ୍କ ସଂସ୍କରଣ ବନ୍ଦୀଛୋଡ୍ ଦିବସ ରୂପେ ପାଳନକରାଯାଏ ।

ଦୀପାବଳୀ ଓ ଦେବୀପୂଜା[ସମ୍ପାଦନା]

ଦୀପାବଳୀରେ ସମଗ୍ର ଭାରତରେ ଦିବ୍ୟ ଜନନୀଙ୍କର ନାନା ରୂପରେ ପୂଜା କରାଯାଏ । ବଙ୍ଗଳା, ଆସାମ, ଓଡ଼ିଶା ଓ ବିହାରରେ ଦୀପାବଳୀ ମା କାଳୀଙ୍କ ପୂଜା କରାଯାଏ । କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ମଧ୍ୟ ରାତ୍ରୀରୁ ତାନ୍ତ୍ରିକ ଓ ଶାକ୍ତ ମତରେ ଦେବୀଙ୍କର ପୂଜା ହୁଏ । ମାଟିରେ ତିଆରି ମୂର୍ତ୍ତି ସହ ବିଭିନ୍ନ ଶକ୍ତି ପୀଠରେ ଏହା ପାଳିତ ହୁଏ ।

ସେହିପରି ଭାରତର ଅନ୍ୟାନ୍ୟ ଅଂଶରେ ଦୀପାବଳୀ ଲକ୍ଷ୍ମୀ ପୂଜାର ସମୟ । ବିଶେଷ କରି, ଉତ୍ତର ଭାରତରେ ମହାଲକ୍ଷ୍ମୀଙ୍କ ରୂପରେ ଦେବୀଙ୍କ ଆରାଧନା କରାଯାଏ । ଏହା ଏହି ସବୁ ଅଞ୍ଚଳରେ ଏକ ମୁଖ୍ୟ ପର୍ବ ରୂପେ ପାଳିତ ହୁଏ । ମିଥିଳା ଓ ନେପାଳରେ ଏହି ପର୍ବରେ ମହାନିଶାଙ୍କ ପୂଜା କରାଯାଏ ।

କିମ୍ବଦନ୍ତୀ[ସମ୍ପାଦନା]

କାର୍ତ୍ତିକ ଅମାଵାସ୍ୟା ରେ ଦୀପାବଳୀ ଉତ୍ସବ ପାଳନ କରାଯାଏ । ଏହି ପର୍ବ ପ୍ରାୟ ସମସ୍ତ୍ରେ ପାଳନ କରନ୍ତି । ଘରେ ଘରେ ସେଦିନ ଦୀପ ଜଳେ, ବାଣ ଫୁଟାଯାଏ । ଶ୍ରାଦ୍ଧ କରାଯାଏ । ପିଠାପଣା ହୁଏ । ଦୀପାବଳୀ ଉତ୍ସବ ପାଳନ ବିଷୟରେ ନାନାପ୍ରକାର ପୁରାଣ ଓ ଲୋକକଥା ଶୁଣାଯାଏ । ଏହି ଦୀପାବଳୀ ଅମାବାସ୍ୟାକୁ ଲୋକାକ୍ତିରେ ପୟାଅମାବାସ୍ୟା କହନ୍ତି ।

ରାମାୟଣ[ସମ୍ପାଦନା]

  • ସତ୍ୟଯୁଗରେ ପ୍ରଭୁ ରାମଚନ୍ଦ୍ର ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କରି ଅଯୋଧ୍ୟା ଫେରିଲେ । ଅଯୋଧ୍ୟାର ସମସ୍ତ ନରନାରୀ ଶ୍ରୀରାମଙ୍କ ଅସତ୍ୟ ଉପରେ ସତ୍ୟର ବିଜୟ ନିମନ୍ତେ ଆନନ୍ଦରେ ବିଭିନ୍ନ ପ୍ରକାର ଆଲୋକ ଜଳେଇଥିଲେ । ସେହି ଦିନରୁ ଏହି ଉତ୍ସବ ପାଳନ କରାଯାଉଛି । ଉତ୍ତର ଭାରତରେ ପୁରୁଷୋତ୍ତମ ରାମଚନ୍ଦ୍ରଙ୍କର ଭକ୍ତମାନେ ଏହିଦିନ ଟିକୁ ବହୁ ଯାକଜମକରେ ପାଳନ କରନ୍ତି । [୮]
  • 'ଉତ୍ସବ ତତ୍ତ୍ଵାଭିଧାନ' ଅନୁଯାୟୀ ଏକଦା କାର୍ତ୍ତିକ(ତୁଳା)ମାସ- ଘନଅନ୍ଧକାର କୃଷ୍ଣପକ୍ଷରେ ଜଣେ ଭବିଷ୍ୟଦ୍ରଷ୍ଟା ଜ୍ୟୋତିଷ ପ୍ରଭୁ ଶ୍ରୀରାମଙ୍କୁ ବିପର୍ଯ୍ୟସ୍ଥ ଦୁର୍ଭାଗ୍ୟ କାଳସର୍ପ ରୂପେ ଅମାରାତିରେ ଦଂଶନକରିବା ପାଇଁ ଲୁଚିଛପି ଆସିବାର ଭବିଷ୍ୟବାଣୀ କରିଥିଲେ । ସତର୍କତାପୂର୍ବକ ଅଯୋଧ୍ୟା ରାଜନଗରୀର କୃଷ୍ଣପକ୍ଷ ସାରା ଉଜ୍ଜଳଆଲୋକ ପ୍ରଜ୍ଜଳନ କରାଯାଇଥିଲା ଏବଂ କାଳସର୍ପ ଦଂଶନର ଚକ୍ରାନ୍ତ ପଣ୍ଡହୋଇଥିଲା । [୯]

ଦୈତ୍ୟ ରାଜା ବଳୀ[ସମ୍ପାଦନା]

  • ଦୈତ୍ୟରାଜ ବଳି ମହାଦାନୀ ଥିଲେ । ସେ ଏପରି ଦାନ କଲେ ଯେ ସ୍ଵର୍ଗର ଦେବତାମାନଙ୍କ ମଧ୍ୟରେ ଭାଳେଣି ପଡ଼ିଗଲା , କାରଣ ତାଙ୍କର ପୂଣ୍ୟ ଫଳରେ ସେ ସ୍ଵର୍ଗପୁରର ଅଧିକାରୀ ହେଇପାରନ୍ତି । ଏଣୁ ଦେବତାମାନଙ୍କ କଥା ରକ୍ଷାକରି ବିଷ୍ଣୁ ବାମନ ଅବତାର ଗ୍ରହଣ କରି ବଳିରାଜଙ୍କ ପାଖରେ ପହଞ୍ଚି ତାଙ୍କୁ ତିନିପାଦ ଭୂମି ମାଗିଥିଲେ । ଗୋଟିଏ ପାଦରେ ପୃଥିବୀ, ଗୋଟିଏ ପାଦରେ ସ୍ଵର୍ଗ ଏବଂ ତୃତୀୟ ପାଦରେ ବଳିଙ୍କୁ ପାତାଳକୁ ଚାପିଦେଲେ । ତେଣୁ ସେ ପାତାଳ ପୁରକୁ ଚାଲିଗଲେ । ତା' ପରେ ବଳିଙ୍କ ପ୍ରାର୍ଥନା ଶୁଣି ପାତାଳରେ ବଳିକୁ ରାଜା କରିଦେଲେ । ବର୍ଷକରେ ଥରେ ମର୍ତ୍ତ୍ୟପୁରକୁ ଆସି ପ୍ରଜାମାନଙ୍କୁ ଦେଖିବାକୁ ବଳି ବର ମାଗନ୍ତେ ବିଷ୍ଣୁ ଏଥିରେ ସମ୍ମତି ଜଣାଇ କାର୍ତ୍ତିକ ଶୁକ୍ଲ୍ଲ ପ୍ରତିପଦା ଦିନ ଦିନ ବଳି ମର୍ତ୍ତ୍ୟକୁ ଆସିବାକୁ ତଥାସ୍ତୁ କହିଲେ । ତେଣୁ ସେଦିନକୁ ମର୍ତ୍ତ୍ୟବାସୀ ଆନନ୍ଦର ଦୀପ ଜାଳି ଆଲୋକିତ କରନ୍ତି । [୧୦][୧୧]
  • ଭଗବାନ ବିଷ୍ଣୁ ଭକ୍ତପ୍ରହ୍ଲାଦଙ୍କୁ ଇନ୍ଦ୍ରପଦ ଯାଚିବାରୁ ସେ ବିନୀତଭାବେ ପ୍ରତ୍ୟାଖାନ କରିବାରୁ, ତାଙ୍କର ନାତି ବଳୀରାଜାଙ୍କୁ ଏହିଦିନ 'ଇନ୍ଦ୍ରପଦ' ପ୍ରଦାନ କରିଥିଲେ । ତେଣୁ ଦାନବଗଣ ଦୀପଜଳାଇ, ବାଣ, ଆତସବାଜି ଫୁଟାଇ ଉତ୍ସବ ପାଳିଥିଲେ । [୧୨]
  • ବିରୋଚନ ପୁତ୍ର ବଳି ଇନ୍ଦ୍ର ଓ ମରୁତଗଣଙ୍କୁ ପରାସ୍ତ କରି ତ୍ରିଭୁବନ ଜୟକରି ପ୍ରଜାପାଳନ କରୁଥିଲେ । ଦାନପାଇଁ ସେ ପ୍ରସିଦ୍ଧ ଥିଲେ ଏବଂ ଯେ ଯାହା ମାଗୁଥିଲେ, ତାହା ଦାନ କରୁଥିଲେ । ତାଙ୍କର ବିକ୍ରମ ଓ ଦାନର ପ୍ରଭାବରେ ସେ ଇନ୍ଦ୍ର ଓ ଦେବତାମାନଙ୍କୁ ନିଷ୍ପ୍ରଭ କରିବାକୁ ବସିଲେ । ଏଥିରେ ଇନ୍ଦ୍ର ଓ ଦେବଗଣ ଭୟଭୀତ ହେଲେ । ବଳି ଏକ ପ୍ରସିଦ୍ଧ ଯଜ୍ଞ କଲେ । ଏହି ଯଜ୍ଞ ଶେଷହେଲେ ଇନ୍ଦ୍ର ଓ ଦେବଗଣଙ୍କର ସମସ୍ତ ଶକ୍ତି ଓ ତେଜ ଚାଲିଯିବ । ଏହାର ଆଶୁ ନିରାକରଣ ପାଇଁ ଭଗବାନ ବିଷ୍ଣୁଙ୍କର ଶରଣାପନ୍ନ ହେଲେ । ବିଷ୍ଣୁ ବାମନ ରୂପରେ ବଳିଙ୍କ ଠାରୁ ତିନିଲୋକ ପ୍ରାପ୍ତହେଲେ । ଦାନପ୍ରଦାନ ଛଳରେ ମାୟାବୀବିଷ୍ଣୁ ଗର୍ବୀବଳିଙ୍କୁ ତୃତୀୟପାଦରେ ପାତାଳ ଚାପି ଦେଲେ । କଥା ଦେଲେ ଯେ ବଳି ବର୍ଷରେ ଥରେ କାର୍ତ୍ତିକ ଶୁକ୍ଲ୍ଲ ପ୍ରତିପଦା ଦିନ ପୃଥ୍ଵୀଲୋକକୁ ଆସିପାରିବ । ତାଙ୍କ ଆଗମନରେ ଭୂଲୋକବାସୀ ଆନନ୍ଦ ଉଲ୍ଲାସରେ ପ୍ରଦୀପ ଜାଳି ତାଙ୍କୁ ସମ୍ଵର୍ଦ୍ଧିତ କରିବେ । ସେହି ଆଲୋକ ସମ୍ଵର୍ଦ୍ଧନା କାଳକ୍ରମେ ଦୀପାବଳି ଉତ୍ସବରେ ରୂପାନ୍ତରିତ ହେଲା । [୧୩][୧୪]

ଶ୍ରୀକୃଷ୍ଣ ଓ ନରକାସୁର[ସମ୍ପାଦନା]

  • ଶ୍ରୀକୃଷ୍ଣ ଅତ୍ୟାଚାରୀ ନରକାସୁରକୁ କୃଷ୍ଣ ଚତୁର୍ଦଶୀ ଦିନ ବଧ କରିଥିଲେ ତେଣୁ ଖୁସିରେ ଆଲୋକର ଉତ୍ସବ ପାଳିତ ହେଇଥିଲା । ଏହି ଦିନ କୁ ନରକ ଚତୁର୍ଦ୍ଦଶୀ କୁହଯାଏ । ଏ ଦିନ ସୂର୍ୟୋଦୟ କାଳ ରେ ସମସ୍ତ ଶରୀର ରେ ସୁଗନ୍ଧ ତୈଳ ଲଗାଇ ଗାଧୋଈବାର ପ୍ରଥା ଅଛି ।[୧୫][୧୬][୧୭]
  • ଦ୍ଵାପରଯୁଗରେ ଶ୍ରୀକୃଷ୍ଣ ରାକ୍ଷସ ନରକାସୁରକୁ ମାରି ଚଉଷଠିସହସ୍ର ରାଜକନ୍ୟାଙ୍କୁ ଉଦ୍ଧାରକଲା ପରେ ଇନ୍ଦ୍ରମାତାଙ୍କୁ ନରକା ଦ୍ଵାରା ଅପହୃତ ମଣିକୁଣ୍ଡଳକୁ ଫେରାଇବାକୁ ସତ୍ୟଭାମାଙ୍କୁ ନେଇ ସ୍ଵର୍ଗକୁ ଯାଇଥିଲେ । ସତ୍ୟଭାମାଙ୍କ ଅନୁରୋଧରେ ପାରିଜାତ ବୃକ୍ଷର ଚାରାଟିଏ ଆଣିବାକୁ ଗଲାବେଳେ ଇନ୍ଦ୍ରଙ୍କ ସହିତ ସମସ୍ତଦେବତା ବାଧାଦେବାରୁ ଏକାକି ସବୁଦେବତାଙ୍କୁ ପରାସ୍ତ କରି ପାରିଜାତ ବୃକ୍ଷ ସହ ଅନେକ ଧନରତ୍ନ ନେଇ ଏହିଦିବସରେ ଦ୍ଵାରକା ଫେରିଥିଲେ । ତେଣୁ ଦ୍ଵାରକାବାସୀ ପ୍ରଭୁଙ୍କୁ ସ୍ଵାଗତ ଜଣାଇ ସମଗ୍ରନଗରୀକୁ ଦୀପମାଳାରେ ସଜାଇ, ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରିଥିଲେ । [୧୮]

ଋକ ବେଦ[ସମ୍ପାଦନା]

ଋକ୍ ବେଦରୁ ସୂଚନା ମିଳେ ଯେ, ପୃଥିବୀ ଏକଦା ଘୋର ଅନ୍ଧକାର ଭିତରେ ବୁଡି ରହିଥିଲା । କାଳ କ୍ରମେ ସୂର୍ଯ୍ୟଙ୍କର କିରଣ ପାଇ ପୃଥିବୀ ଦିନେ ଆଲୋକିତ ହେଲା । ଏହାକୁ ମନେ ରଖିବା ପାଇଁ ଦୀପାବଳି ଉତ୍ସବ ପାଳନ କରାଯାଏ ।

ଇତିହାସ[ସମ୍ପାଦନା]

  • ମୋଗଲ ଯୁଗର ପ୍ରସିଦ୍ଧଐତିହାସିକ ଆବୁଲ ଫଜୀଲ ତାଙ୍କର ଆଇନ ଆକବରୀରେ ମୋଗଲ ଶାସନକାଳୀନ ବଣିକ, ଆଲୋକ ଜ୍ଜଳନ୍ତ ଓ ଅକ୍ଷକ୍ରୀଡା ନାମକ ଦୀପାବଳି ଆଧାରିତ ମନୋଜ୍ଞ ଉପକଥାର ଉଲ୍ଲେଖ କରିଛନ୍ତି । ଆଲବରୁଣୀରେ ମୋଗଲ ସମ୍ରାଟଙ୍କ ଲମ୍ବା ବାଉଁଶ ପୋତି ତା'ର ଅଗରେ ଶିକାରେ ଆକାଶପ୍ରଦୀପ ଜାଳିବାକଥା ବରୋଦା ସଂଗ୍ରହାଳୟରେ ରଖାଯାଇଥିବା ପ୍ରାଚୀନ ଆକାଶପ୍ରଦୀପ ଅତୀତରେ ଦୀପାବଳି ପାଳନ କରାଯାଉଥିବାର ପ୍ରମାଣ ଦିଏ ।
  • ଚାଣକ୍ୟ ଓ ଚୋଳବଂଶକାଳୀନ ଉତ୍ସବ ପରମ୍ପରାରେ ଦୀପାବଳିପାଳନ ହେଉଥିବାର କନୌଜବଂଶୀୟ ରାଜା ହର୍ଷବର୍ଦ୍ଧନଙ୍କ କାଳଜୟୀ ଅମରକୃତି ନାଟକ ନାଗାନନ୍ଦରୁ ଜଣାପଡେ ।
  • ଗୁପ୍ତବଂଶୀୟ ସମ୍ରାଟ ଦ୍ଵିତୀୟଚନ୍ଦ୍ରଗୁପ୍ତ ବିକ୍ରମାଦିତ୍ୟ, ପବିତ୍ର ଦୀପାବଳି ତିଥିରେ ସିଂହାସନ ଆରୋହଣ କରିଥିବାରୁ ତା'ର ସ୍ମାରକୀ ରୂପେ ଦୀପାବଳି ଦିନଠାରୁ ଗୁପ୍ତାଦ୍ଧର ପ୍ରଚଳନ ହୋଇଥିଲା । [୧୯]

ବିଶେଷ[ସମ୍ପାଦନା]

ପୟାଶ୍ରାଦ୍ଧ

ଓଡିଶାରେ ଏହି ଦିନ ବଡ଼ବଡୁଆ ଉଦ୍ଦେଶ୍ୟରେ ପିଣ୍ଡ ଦେଇସାରି କାଉଁରିଆ କାଠି ଜାଳନ୍ତି । କାଉଁରିଆ କାଠି ଜାଳିବାବେଳେ ଉଚ୍ଚାରଣ କରନ୍ତି:

ବଡ଼ବଡୁଆ ହୋ
ଅନ୍ଧାରରେ ଆସ ଆଲୁଅରେ ଯା',
ପୁରୁଷୋତ୍ତମରେ ମହାପ୍ରସାଦ ଖାଇ
ବାଇଶି ପାବଛେ ଗଡ଼ଗଡାଉ ଥା' ।

ପିତୃ ପୁରୁଷଙ୍କୁ ଆଲୋକ ଦେଖାଇ ସ୍ଵର୍ଗ ଲୋକକୁ ଫେରିଯିବା ପାଇଁ ପ୍ରାର୍ଥନା କରନ୍ତି । ଅସଂଖ୍ୟ ଭକ୍ତ ସେଦିନ ବାଇଶି ପାହାଚରେ ପିଣ୍ଡଦାନ କରି କାଉଁରିଆ କାଠି ବି ଜାଳନ୍ତି । ପିତୃଗଣଙ୍କ ଆଶୀର୍ବାଦ କାମନା କରନ୍ତି ।

ପିତୃ ଲୋକଂ ପରିତାଜ୍ୟ
ଆଗତା ଯେ ମହାଳୟେ
ଇଜ୍ଜ୍ଵଳେ ଜ୍ୟୋତିଷାଂ ମାର୍ଗେ
ପ୍ରପଦ୍ୟନ୍ତୋ ବ୍ରଜନ୍ତୁତେ ।
[୨୦]

ବିଭିନ୍ନ ସ୍ଥାନରେ ଦୀପାବଳି[ସମ୍ପାଦନା]

ଦୀପାବଳି ଭାରତ[୨୧], ନେପାଳ, ଶ୍ରୀଲଙ୍କା, ମିଆଁମାର, ମରିସସ, ଗୁଏନା, ତ୍ରିନିଦାଦ ଓ ଟବାଗୋ, ସୁରିନେମ, ମାଲେସିଆ, ସିଙ୍ଗାପୁର, ଓ ଫିଜିରେ ଏକ ସରକାରୀ ଛୁଟିଦିନ ଭାବରେ ଘୋଷିତ ।

ଛବି ସମୂହ[ସମ୍ପାଦନା]

ଆଧାର[ସମ୍ପାଦନା]

  1. http://www.bhubaneswarbuzz.com/updates/festivals/diwali-festival-light-rituals-connection-agriculture-odisha
  2. http://www.jainworld.com/education/senior13.asp
  3. ରବିବାର ସମାଜ, ୧୧-୧୭.୧୧.୨୦୧୨
  4. ସମ୍ବାଦ,୧୩.୧୧.୨୦୧୨
  5. ସାପ୍ତାହିକ ସମୟ, ୧୧-୧୭.୧୧.୨୦୧୨
  6. ସମୟ ସାପ୍ତାହିକ, ୧୧- ୧୭.୧୧.୨୦୧୨
  7. ସମ୍ବାଦ, ପୃଷ୍ଠା-୨, ୧୩.୧୧.୨୦୧୨
  8. http://www.truthstar.com/articles/diwali.asp
  9. ସମୟ ସାପ୍ତାହିକ, ୧୧ - ୧୭.୧୧.୨୦୧୨
  10. http://www.truthseekersinternational.org/bali-raja-the-sacrificed-king/
  11. http://forumforhinduawakening.org/dharma/blog/balipratipada/
  12. ସମୟ, ପୃଷ୍ଠା- ୪, ୧୩.୧୧.୨୦୧୨
  13. ଜାନକୀବଲ୍ଲଭ ପଟ୍ଟନାୟକ, ବାଲ୍ମୀକି କୃତ ରାମାୟଣ, ପୃଷ୍ଠା- ୫୦
  14. ସମୟ ସାପ୍ତାହିକ, ପୃଷ୍ଠା- ୩୩, ଜେନାମଣି ଲକ୍ଷ୍ମୀକାନ୍ତ, ୧୧-୧୭.୧୧.୨୦୧୨
  15. http://festivals.igiftstoindia.com/diwali/history-of-diwali.html
  16. http://www.kidsgen.com/events/diwali/history.htm
  17. http://indianastrology.co.in/abhyang-snan-narak-chaturdashi-diwali-puja-22-october-2014-wednesday/
  18. ନାମଯଜ୍ଞ ମିଶ୍ର, ସମୟ, ପୃଷ୍ଠା- ୪, ୧୩.୧୧.୨୦୧୨
  19. ଜେନାମଣି ଲକ୍ଷ୍ମୀକାନ୍ତ, ସମୟ ସାପ୍ତାହିକ, ପୃଷ୍ଠା- ୩୩, ୧୧-୧୭.୧୧.୨୦୧୨
  20. ପୃ.୫୦ ଶ୍ରୀମନ୍ଦିର ୨୦୦୦
  21. "Indian Government Holiday Calendar". National Portal of India. Retrieved 15 March 2010.