ଅନନ୍ତ ଚତୁର୍ଦ୍ଦଶୀ

ଉଇକିପିଡ଼ିଆ ରୁ
(ଅନନ୍ତ ବ୍ରତ ରୁ ଲେଉଟି ଆସିଛି)
Jump to navigation Jump to search
ଅନନ୍ତ ଚତୁର୍ଦ୍ଦଶୀ
ଅନ୍ୟ ନାମଅନନ୍ତ ବ୍ରତ
ପର୍ବ ପାଳନଉପବାସ, ପୂଜା
ତାରିଖଭାଦ୍ରବ ଶୁକ୍ଳ ଚତୁର୍ଦ୍ଦଶୀ
୨୦୧୮ ତାରିଖ୨୪ ସେପ୍ଟେମ୍ବର (ସୋମବାର)
୨୦୧୯ ତାରିଖ୧୨ ସେପ୍ଟେମ୍ବର (ଗୁରୁବାର)

ଅନନ୍ତ ଚତୁର୍ଦ୍ଦଶୀ ଭାଦ୍ରବ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ପାଳନ କରାଯାଏ । ମହାମୁନୀ କଶ୍ୟପ ଓ ଦକ୍ଷ –ପୁତ୍ରୀ କଦ୍ରୂଙ୍କଠାରୁ ଜନ୍ମିତ ଅନନ୍ତଙ୍କୁ ପୁରାଣମାନଙ୍କରେ ଶେଷ, ବାସୁକୀ ଓ ଶୋନସ ନାମରେ ସ୍ତୁତି କରାଯାଇଛି । ହରିବଂଶ ପୁରାଣ ମତରେ ଜନ୍ମ ପରେ ଅନନ୍ତଦେବ ମାତାଙ୍କୁ ପରିତ୍ୟାଗ କରି ବାୟୁଭକ୍ଷ ବ୍ରତ ଅବଲମ୍ବନ କଲେ । ଜିତେନ୍ଦ୍ରିୟ ରୂପେ ଅନନ୍ତ ଅନେକ ତୀର୍ଥ ଭ୍ରମଣ ପୂର୍ବକ କଠୋର ତପସ୍ୟା କରିଥିଲେ । ଉଗ୍ର ତପସ୍ୟାରେ ପ୍ରୀତ ହୋଇ ପିତାମହ ବ୍ରହ୍ମା ତାଙ୍କୁ ଅଭୟ ଆଶିର୍ବାଦ ପ୍ରଦାନ କରିବା ସହ ସେ ବିଚଳିତ ଧରଣୀକୁ ଧାରଣ କରି ଭୂମଣ୍ଡଳକୁ ସ୍ଥିର କରିବା ପାଇଁ ଆଦେଶ ଦେଇଥିଲେ । ସେବେଠାରୁ ଦେବକାର୍ଯ୍ୟ ପାଇଁ ଅନନ୍ତ ନିଜ ମସ୍ତକରେ ଭୂମଣ୍ଡଳକୁ ଧାରଣ କରିଛନ୍ତି । ଯେତେବେଳେ ଅନନ୍ତ ନିଜ ଶିର ଚାଳନ କରନ୍ତି ସେ ସମୟରେ ଭୂମିକମ୍ପ ଆଦି ପିତ୍ପାତ ଘଟେ ବୋଲି ବିଶ୍ୱାସ କରାଯାଏ । ଏହି ଅନନ୍ତଙ୍କୁ କୁଣ୍ଡଳି ଶଯ୍ୟାକରି କ୍ଷୀର ସାଗରରେ ଶ୍ରୀହରି ଯୋଗନିଦ୍ରା ରତ ଥିବା ସର୍ବତ୍ର ବର୍ଣ୍ଣନା କରାଯାଇଛି । ତ୍ରେତୟା ଯୁଗରେ ସୁମିତ୍ରା ନନ୍ଦନ ଲକ୍ଷ୍ମଣଙ୍କୁ ଶେଷନାଗଙ୍କ ଅବତାର ଭାବେ କୁହାଯାଇଥିବା ବେଳେ ଦ୍ୱାପରରେ ବଳଭଦ୍ର ବଳରାମ ଅନନ୍ତ ନାମରେ ପରିଚିତ ।

ଅନନ୍ତ ବ୍ରତ[ସମ୍ପାଦନା]

ଭାଦ୍ରବ ଶୁକ୍ଳ ଚତୁର୍ଦ୍ଦଶୀ ହେଉଛି ଅନନ୍ତ ଦେବଙ୍କ ବ୍ରତ ତିଥି । ସୁଖ ସୌହାର୍ଦ୍ଦ କାମନାକରି ଅନନ୍ତ ଚତୁର୍ଦ୍ଦଶୀ ତିଥିରେ ଉଭୟ ପୁରୁଷ ଓ ମହିଳାମାନେ ଏହି ଅନନ୍ତବ୍ରତ ପାଳନ କରନ୍ତି । ଥରେ ଆରମ୍ଭ କଲେ ୧୪ ବର୍ଷ ପର୍ଯ୍ୟନ୍ତ ଅତ୍ୟନ୍ତ ନିଷ୍ଠାର ସହିତ ଏହି ବ୍ରତ ପାଳନ କରାଯାଏ ବୋଲି ବ୍ରତ ପାଳନକାରୀମାନେ ମତ ଦିଅନ୍ତି । ଏହିଦିନ ପ୍ରତ୍ୟୁଷରୁ ସ୍ନାନ କରି ନୂତନ ବସ୍ତ୍ର ପରିଧାନ କରି ଶାଳଗ୍ରାମ ଶିଳା ବା ଧାତୁ ନିର୍ମିତ ଅନନ୍ତଙ୍କ ପ୍ରତିମାକୁ ପୂଜା କରାଯାଏ । ଅନନ୍ତ ଦେବଙ୍କ ପ୍ରତିମା ଚତୁର୍ଭୁଜ ବିଶିଷ୍ଟ ହେବା ଆବଶ୍ୟକ । ତାଙ୍କର ଶରୀର ଓ ବସ୍ତ୍ର ଶୁକ୍ଳବର୍ଣ୍ଣ । ନାନା ରତ୍ନାଳଙ୍କାର ସହିତ ଚାରିଭୁଜରେ ଶଙ୍ଖ ଚକ୍ର ଗଦା ଓ ପଦ୍ମ ଆଦି ଆୟୁଧ ମାନ ସେ ଧାରଣ କରିଥାନ୍ତି । ବ୍ରତ ପାଳନ ପାଇଁ ଇଚ୍ଛୁକ ବ୍ୟକ୍ତିମାନେ ସ୍ନାନ ଓ ଦୌତବସ୍ତ୍ର ପରିଧାନାନ୍ତେ ଗୋଟିଏ ପଦ୍ମ ମଣ୍ଡଳ ବା ଭଦ୍ର ମଣ୍ଡଳରେ ଶାଳଗ୍ରାମ ବା ଧାତୁ ପ୍ରତିମାଙ୍କୁ ରଖି ବିବିଧ ଉପଚାରରେ ପୂଜା କରାଯାଏ । ଏହି ସମୟରେ ଅଷ୍ଟକୁଳା ନାଗଙ୍କୁ ମଧ୍ୟ ପୂଜା କରାଯାଇଥାଏ । ପୁରୁଣାବ୍ରତକୁ ଫିଟାଇ କଞ୍ଚା କ୍ଷୀରରେ ପକାଇ ବିସର୍ଜନ କରିବା ପରେ ନୂଆ ବ୍ରତକୁ ଧାରଣ କରାଯାଏ । ପୁରୁଷମାନେ ଦକ୍ଷିଣ ହସ୍ତ ବାହୁମୂଳ ଓ ସ୍ତ୍ରୀ ଲୋକମାନେ ବାମହସ୍ତ ବାହୁମୂଳରେ ଏହି ବ୍ରତକୁ ଧାରଣ କରି ବ୍ରତଧାରୀମାନେ କୁଶାଗ୍ରରେ ଚନ୍ଦନଦ୍ୱାରା ସର୍ପାକୃତି ଅନନ୍ତଙ୍କ ପ୍ରତିମା ନିର୍ମାଣ କରି ଏହା ଧୋଇ ସେହି ଉଦକ ପାନ କରନ୍ତି । ଏହି ବ୍ରତ ଅତୀବ ପୁଣ୍ୟପ୍ରଦ ଅଟେ । ପାପାଚରଣ ନକରି ଧାର୍ମିକ ଜୀବନ ଚର୍ଯ୍ୟା ପାଇଁ ମଧ୍ୟ ଏହି ଅନନ୍ତବ୍ରତରୁ ଉପଦେଶ ମିଳେ । ଭବିଷ୍ୟ ପୁରାଣରେ ଶ୍ରୀକୃଷ୍ଣ ଓ ଯୁଧିଷ୍ଠିର ସମ୍ବାଦରେ ଏହି ବ୍ରତର ମାହାତ୍ମ୍ୟ ବିଶେଷ ଭାବେ ବର୍ଣ୍ଣନା କରାଯାଇଛି । ଚତୁବର୍ଗ ଫଳ ଲାଭ ପାଇଁ କି କି ବ୍ରତ ପାଳନୀୟ ବୋଲି ଯୁଧିଷ୍ଠିରଙ୍କ ପ୍ରଶ୍ନରେ ଶ୍ରୀକୃଷ୍ଣ ଏହି ଅନନ୍ତବ୍ରତ ପାଳିବାକୁ ତାଙ୍କୁ ଉପଦେଶ ଦେଇଥିଲେ । ବ୍ରତ ଅନୁଯାୟୀ ସତ୍ୟଯୁଗରେ ବିଶିଷ୍ଟ ଗୋତ୍ରରେ ସିମନ୍ତ ନାମରେ ଜଣେ ବ୍ରାହ୍ମଣ ଥିଲେ । ତାଙ୍କର ପତ୍ନୀ ଥିଲେ ଭୃଗୁ କନ୍ୟା ଦୀକ୍ଷା । ଉଭୟଙ୍କ ମିଳନରୁ ସୁଶୀଳା ନାମରେ ଏକ କନ୍ୟା ଜନ୍ମିଥିଲା । ଦିନାନ୍ତରେ ଜ୍ଜର ରୋଗରେ ପଡ଼ି ଦୀକ୍ଷା ଦେହତ୍ୟାଗ କରିବାରୁ ସୁମନ୍ତ ବ୍ରାହ୍ମଣ ଧର୍ମପୁତ୍ରଙ୍କ କନ୍ୟା କର୍କଶାଙ୍କୁ ଦ୍ୱିତୀୟ ବିବାହ କଲେ । ସ୍ୱଭାବରେ ମୁଖରା ଓ କଳିହୁଡି କର୍କଶା ସୁଶିଳା କନ୍ୟାକୁ ମୋଟେ ସହ୍ୟ କରିପାରୁନଥିଲେ । ବୟଃପ୍ରାପ୍ତ ହେବାରୁ ସୁଶୀଳାର ବିବାହ କୌଣ୍ଡିନ୍ୟ ନାମକ ଜଣେ ବ୍ରାହ୍ମଣ ଯୁବକ ସହିତ ସମ୍ପନ୍ନ ହେଲା । କିନ୍ତୁ ଜ୍ୱାଇଁଙ୍କୁ ଯୌତୁକ ନଦେବାକୁ ସ୍ଥିର କରି କର୍କଶା ଘରେ ଥିବା ସବୁ ସାମଗ୍ରୀ ନେଇ ପିତ୍ରାଳୟକୁ ପଳାଇଲେ । ମାତ୍ର ଚାଉଳ ଗଣ୍ଡେ ଯୌତୁକ ଦେଇ ସୁମନ୍ତ ଝିଅ ଜ୍ୱାଇଁଙ୍କୁ ବିଦାୟ ଦେଲେ । ବାଟରେ ଯାଉ ଯାଉ ଏକ ନଦୀତଟରେ ମହିଳାମାନେ ନାଲି ଲୁଗା ପିନ୍ଧି ଏହି ବ୍ରତ ପାଳନ କରୁଥିବା ଦେଖିଲେ । ସୁଶୀଳା ସେମାନଙ୍କଠାରୁ ଶିଖି ନିଜେ ବ୍ରତ କଲେ । ଫଳରେ କୌଣ୍ଡିନ୍ୟଙ୍କ ଘର ଧନରତ୍ନ ଓ ସୁଖ ସମୃଦ୍ଧିରେ ପରିପୂର୍ଣ୍ଣ ହୋଇପଡ଼ିଲା । ଦିନେ କୌଣ୍ଡିନ୍ୟ କର୍କଶାଙ୍କ ହାତରେ ଥିବା ସମ୍ପତ୍ତି ନଷ୍ଟ ଭ୍ରଷ୍ଟ ହୋଇଗଲା । କୌଣ୍ଡିନ୍ୟ ପୁଣି ଅନନ୍ତ ବ୍ରତ ପାଳନ କରି ନିଜର ହୃତ ବିଭବ ଫେରି ପାଇଥିଲେ । ଏପରିକି ବିଦ୍ୟାଦାନ କରିନଥିବା ବିଦ୍ୟାପତି , ଧେନୁ, କର୍ମଚୋର ବୃଷଭ, ହସ୍ତୀ, ଗଦର୍ଭ ଓ ପୁଷ୍କରିଣୀମାନେ ମଧ୍ୟ ଅନନ୍ତ ବ୍ରତ ପାଳନ କରି ଅଭିଶାପରୁ ମୁକ୍ତ ହୋଇଥିବା ଏହି ଆଖ୍ୟାୟିକାରେ ବର୍ଣ୍ଣନା କରାଯାଇଛି । ତେଣୁ ଶ୍ରଦ୍ଧାଳୁମାନେ ନିଷ୍ଠାର ସହ ଏହି ବ୍ରତ ପାଳନ କରନ୍ତି । ଭାରତରେ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରୁ ଅନନ୍ତଙ୍କ ପୂଜା କରାଯାଉଥିବା ପ୍ରତ୍ନତାତ୍ତ୍ୱିକ ଅନୁସନ୍ଧାନରୁ ଜନାପଡେ । ଭୁବନେଶ୍ୱରର ବିନ୍ଦୁସାଗର କୂଳରେ ଅନନ୍ତ ବାସୁଦେବଙ୍କ ମନ୍ଦିର ଥିବାବେଳେ ଶ୍ରୀମନ୍ଦିରରେ ମଧ୍ୟ ଅନନ୍ତ ପୂଜା ପାଆନ୍ତି । ଅନନ୍ତ ଚତୁର୍ଦ୍ଦଶୀରେ ଏଠାରେ ସ୍ୱତନ୍ତ୍ର ନୀତି ଭୋଗ ବନ୍ଦାପନାଦି କରାଯାଇଥାଏ ।[୧] [୨]

ଆଧାର[ସମ୍ପାଦନା]

  1. ମହାନ୍ତି, ବିପିନ ବିହାରୀ. "ଅନନ୍ତ ବ୍ରତ". ପ୍ରଜାତନ୍ତ୍ର. Retrieved 21 September 2016.
  2. ସମାଜ, ପୃଷ୍ଠା- ୨, ୨୨ସେପ୍ଟେମ୍ବର ୨୦୧୦