ଚଇତି ଘୋଡ଼ା ନାଚ

ଉଇକିପିଡ଼ିଆ ରୁ
Jump to navigation Jump to search
ଘୋଡ଼ା ନାଚ
Ghoda Nacha 1.jpg
ଘୋଡ଼ା ନାଚ ପରିବେଷଣ
ମାଧ୍ୟମଗୀତ-ନାଟ
ସଂସ୍କୃତିଓଡ଼ିଆ ଚଳଣି
ସୃଷ୍ଟିଓଡ଼ିଶା,  ଭାରତ
ସମୟ କାଳମଧ୍ୟଯୁଗ
କଳାକାରଗାୟକ, ପାଳିଆ, ରାଉତ, ରାଉତାଣୀ, ବାଦ୍ୟଯନ୍ତ୍ର ଶିଳ୍ପୀ

ଚଇତି ଘୋଡ଼ା ନାଚ (ଘୋଡ଼ା ନାଚ, ଚଇତାଳି ଘୋଡ଼ା ନାଟ ନାମରେ ମଧ୍ୟ ଜଣା) ଓଡ଼ିଶାର ଏକ ପାରମ୍ପରିକ ଲୋକନୃତ୍ୟ । ଏହା ମୁଖ୍ୟତଃ ଓଡ଼ିଶାର ଉପକୂଳ ଅଞ୍ଚଳରେ କେଉଟମାନଙ୍କଦ୍ୱାରା ଆରମ୍ଭ ହୋଇ ସେହି ଅଞ୍ଚଳମାନଙ୍କରେ ଚୈତ୍ର ମାସ ପୂର୍ଣ୍ଣିମା ତିଥିରେ [୧] [୧] ପରିବେଷିତ ହୋଇଥାଏ । [୨] କେଉଟମାନେ ବାଉଁଶ ବତାରେ ଘୋଡ଼ାର ପାଦହୀନ ଦେହ ଓ ବେକ ଆକାରର ଗୋଟିଏ ଥାଟ ତିଆରି କରି ତା ଉପରେ ଲୁଗା ଆଦି ଘୋଡ଼ାନ୍ତି ଓ ବେକ ଉପରେ ଘୋଡ଼ାମୁହଁ ପରି ଚିତ୍ରିତ ମୁଖାଟିଏ ଲଗାନ୍ତି ଉକ୍ତ ଚଇତିଘୋଡ଼ାର ପିଠିରେ ଗୋଟିଏ କଣା ଥାଏ ସେହି କଣାବାଟେ ମନୁଷ୍ୟ ଅଣ୍ଟା ପର୍ଯ୍ୟନ୍ତ ପଶି କରି ଭୂମିରେ ଠିଆହୁଏ ଓ ଘୋଡ଼ାରୂପର ଆଗରୁ ଓ ପଛରୁ ଡ଼ୋରି ଲଟକା ଯାଏ ମନୁଷ୍ୟର ଅଣ୍ଟାଠାରୁ ନିମ୍ନ ଅଂଶ ଘୋଡ଼ା ଭିତରେ ଲୁଚି ଥାଏ ଓ ଅଣ୍ଟା ଠାରୁ ଉପର ଅଂଶ ଘୋଡ଼ା ଭିତରେ ବସିବା ପରି ଅନୁମିତ ହୁଏ । ଏ ବ୍ୟକ୍ତି ନାଚିବା ସଙ୍ଗେ ସଙ୍ଗେ ଘୋଡ଼ା ମଧ୍ୟ ନାଚେ ଘୋଡ଼ାର ମୁହଁଆଡ଼େ ଲଗାମପରି କନାଡ଼ୋରି ବନ୍ଧା ହୋଇଥାଏ ଉକ୍ତ ଡ଼ୋରିକୁ ନାଚିବାବାଲା ଧରି ଘୋଡ଼ାର ଲଗାମ ଧରିବାର ଅଭିନୟ କରେ କେଉଟମାନେ ଏହି ପର୍ବ ଉପଲକ୍ଷରେ ଚଢ଼େଇବା ଓ ଚଢ଼ଉଣୀ ବେଶ ହୋଇ ନାଚନ୍ତି ଓ ଗୀତ ବୋଲନ୍ତି ।

ଘୋଡ଼ାନାଚରେ ଜଣେ ଲେଖାଏଁ ଗାୟକ, ପାଳିଆ, ଢୋଲକିଆ, ମହୁରିଆ, ରାଉତ, ରାଉତାଣୀ ଥାଆନ୍ତି । ଗାୟକ ବିଷୟବସ୍ତୁ ଗାଉଥିବା ବେଳେ ପାଳିଆ ପାଳିଧରେ, ଢୋଲକିଆ ବାଜା ବଜାଏ ଓ ରାଉତ ସଜ୍ଜିତ କାଠଘୋଡ଼ା ଚଢ଼ି ରାଉତାଣୀ ସହ ନୃତ୍ୟ କରୁଥାଏ । ମା’ ବାସେଳୀଙ୍କ ବନ୍ଦନାରୁ ଆରମ୍ଭ ହୁଏ ଘୋଡ଼ାନାଚ, ପରେ ରାଧାକୃଷ୍ଣଙ୍କ ଲୀଳା, ଶିବପାର୍ବତୀଙ୍କ କାହାଣୀକୁ ଗୀତ ଓ ନୃତ୍ୟ ମାଧ୍ୟମରେ ପରିବେଷଣ କରାଯାଏ । ଏଥିପାଇଁ କୌଣସି ନିର୍ଦ୍ଧିଷ୍ଟ ବହି ନଥାଏ କୈବର୍ତ୍ତ ଗୀତା, କୈବର୍ତ୍ତ ପୁରାଣ ଓ କୈବର୍ତ୍ତ ସଂହିତାରୁ ବିଷୟବସ୍ତୁ ଉଦ୍ଧାର କରି ଗାୟକ ସେଗୁଡ଼ିକୁ ପାରମ୍ପରିକ ସ୍ୱରରେ ପଡ଼ିବା ଭଳି ଶବ୍ଦ ସଂଯୋଜନା କରି ସ୍ୱର ଦେଇଥାନ୍ତି ।

ପୌରାଣିକ କିମ୍ବଦନ୍ତୀ[ସମ୍ପାଦନା]

ଭୁବନେଶ୍ୱରରେ ଘୋଡ଼ା ନାଚର ମଞ୍ଚ ପରିବେଷଣ

ପୌରାଣିକ ମତେ ସତ୍ୟଯୁଗରେ ପୃଥିବୀ ଜଳାର୍ଣ୍ଣବ ହୋଇଥିଲା । କଳ୍ପବଟ ଛଡ଼ା ଆଉସବୁ ଜଳ ମଧ୍ୟରେ ବୁଡ଼ିରହିଥିଲା । କଳ୍ପବଟରେ ଅନନ୍ତ ଶୟନରେ ଥିବା ବିଷ୍ଣୁ ନିଜ କର୍ଣ୍ଣମୂଳ ମଳିରୁ ପୁରୁଷ ତିଆରି କଲେ । ପାଣି ଭିତରେ ଥିବା ରାଘବ ମତ୍ସ୍ୟ ସେହି ପୁରୁଷକୁ ଗିଳିଦେଲା । ଚୈତ୍ର ପୂର୍ଣ୍ଣିମା ଦିନ ବିଷ୍ଣୁଙ୍କ ନିଦ୍ରାଭଙ୍ଗ ହେବାପରେ ସେ ରାଘବ ମତ୍ସ୍ୟକୁ ହତ୍ୟାକରି ପୁରୁଷକୁ ଉଦ୍ଧାର କଲେ ଓ ସେ ପୁରୁଷ କୈବର୍ତ୍ତ ନାମରେ ନାମିତ ହେଲା । ପୃଥିବୀ ପୂର୍ବ ଅବସ୍ଥାକୁ ଫେରିଲା । ବିଷ୍ଣୁ କୈବର୍ତ୍ତକୁ ଘୋଡ଼ା ଦେଇ ତାର ଆରାଧ୍ୟ ଦେବୀ ବାସେଳୀ ଠାକୁରାଣୀଙ୍କୁ ଆରାଧନା କରି ସୁଖରେ ବଞ୍ଚିବାକୁ କହିଲେ । ସେବେଠାରୁ କୈବର୍ତ୍ତ ମାଛ ମାରିଲା ଓ ଚୈତ୍ର ପୂର୍ଣ୍ଣିମାରେ ବାସେଳୀଙ୍କୁ ପୂଜା କରି ତାଙ୍କ ପାଖରେ ଘୋଡ଼ା ନାଚ କଲା । ଏହିଦିନ କୈବର୍ତ୍ତମାନେ ନୂଆବସ୍ତ୍ର ପିନ୍ଧିବା ସହ ଡ଼ଙ୍ଗା ଓ ଜାଲ ପୂଜା କରିଥାନ୍ତି ।

ଅନ୍ୟ ଏକ ମତ ଅନୁସାର ରାମଚନ୍ଦ୍ର ବନବାସ କରିବାକୁ ଯିବା ସମୟରେ ତାଙ୍କୁ ଯେଉଁ ଧୀବର ବା ଦାସରାଜ ଡଙ୍ଗାରେ ବସାଇ ସରଯୁନଦୀକୁ ପାର କରାଇଥିଲା, ରାମଚନ୍ଦ୍ର ତାକୁ ଗୋଟିଏ ଘୋଡ଼ା ପୁରସ୍କାର ରୂପେ ଦେଇଥିଲେ; ସେହି ଦିନରୁ କେଉଟମାନେ ଘୋଡ଼ାର ରୂପ ନିର୍ମାଣ କରି ପୂଜା କରି ଆସୁଅଛନ୍ତି ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ Gopinath Mohanty; Jeeban Kumar Patnaik; Santosha Kumāra Ratha (2003). Cultural heritage of [Orissa]. State Level Vyasakabi Fakir Mohan Smruti Samsad. ISBN 978-81-902761-3-9. Unknown parameter |coauthors= ignored (|author= suggested) (help)
  2. Bhagabana Sahu (1 January 1997). Cultural history of Orissa, 1435-1751. Anmol Publications, Publishers & Distributors. ISBN 978-81-7488-654-5.
  3. ପ୍ରହରାଜ, ଗୋପାଳ ଚନ୍ଦ୍ର. "ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ". dsal.uchicago.edu. Retrieved 17 April 2013. ସେହି ଦିନରୁ କେଉଟମାନେ ଘୋଡ଼ାର ରୂପ ନିର୍ମାଣ କରି ପୂଜା କରି ଆସୁଅଛନ୍ତି

ବାହାର ଆଧାର[ସମ୍ପାଦନା]