Jump to content

ଶିଶୁ ଅନନ୍ତ ଦାସ

ଉଇକିପିଡ଼ିଆ‌ରୁ
(ଅନନ୍ତ ଦାସରୁ ଲେଉଟି ଆସିଛି)
ଶିଶୁ

ଅନନ୍ତ ଦାସ
ଶିଶୁ ଅନନ୍ତଙ୍କ ଗାଦି ପ୍ରତିମା
ଜନ୍ମ ଓ ଜନ୍ମସ୍ଥାନଅନନ୍ତ ମହାନ୍ତି[]
୧୪୮୬[] (ଅନ୍ୟମତେ ୧୪୭୨)
ବାଲିପାଟଣା
ବୃତ୍ତିକବି
ଭାଷାଓଡ଼ିଆ
ସମୟପଞ୍ଚସଖା ଯୁଗ
ସାହିତ୍ୟ କୃତିହେତୂଦୟ ଭାଗବତ
ସମ୍ପର୍କୀୟକପିଳ ମହାନ୍ତି (ପିତା)
ଗୌରୀ (ମାତା)

ଶିଶୁ ଅନନ୍ତ ଦାସ (ଜନ୍ମନାମ ଅନନ୍ତ ଦାସ) ଓଡ଼ିଶାରେ ଜନ୍ମିତ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଓ ଭକ୍ତକବି ଥିଲେ ଓ ଓଡ଼ିଆରେ ପୁରାଣ ରଚନା କରିବାରେ ଅନ୍ୟତମ ଥିଲେ । ସେ ଅନେକ ଭକ୍ତି କବିତା ରଚନା କରିଥିଲେ ।

ମହାପୁରୁଷ ଅନନ୍ତ ଦାସ ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟତମ । ଜଗନ୍ନାଥ, ବଳରାମ, ଅଚ୍ୟୁତ, ଯଶୋବନ୍ତଙ୍କ ସହିତ ଅନନ୍ତ ଥିଲେ ଯୋଗଜ୍ଞାନ ଉପରେ ଆଧାରିତ ଉତ୍କଳୀୟ ବୈଷ୍ଣବ ମତବାଦର ଜଣେ ପରିପୋଷକ ସନ୍ଥ ।

ଶିଶୁଅନନ୍ତଙ୍କ ପିତାଙ୍କ ନାମ କପିଳ ମହାନ୍ତି ଓ ମା’ଙ୍କ ନାମ ଗୌରୀ । ତାଙ୍କ ଜନ୍ମ ‘ବାଲିପାଟଣା’ ଅଞ୍ଚଳରେ । ଗବେଷକ ସୂର୍ଯ୍ୟନାରାୟଣ ଦାଶଙ୍କ ମତରେ ଶିଶୁ ଅନନ୍ତ ପୁରୁଷୋତ୍ତମ ଦେବଙ୍କ ରାଜତ୍ୱର ୨୫ ଅଙ୍କରେ ଖ୍ରୀଷ୍ଟାବ୍ଦ ୧୪୮୬ରେ ଜନ୍ମଗ୍ରହଣ କରିଥିବା ଅଚ୍ୟୁତାନନ୍ଦଙ୍କ 'ଉଦୟ କାହାଣୀ'ରୁ ଜଣାଯାଏ । ଅନ୍ୟମତେ ଅନନ୍ତ ଦାସଙ୍କ ଜନ୍ମ ୧୪୭୨ ଖ୍ରୀଷ୍ଟାବ୍ଦରେ ହୋଇଥିଲା ।

'ଶିଶୁ' ଉପାଧି

[ସମ୍ପାଦନା]

ତାଙ୍କ ନାମ କାହିଁକି ଶିଶୁ ଅନନ୍ତ ହେଲା ଏ ବିଷୟରେ ଏକ କିମ୍ବଦନ୍ତୀରୁ ଜଣାଯାଏ ଯେ ଜଗତସିଂହପୁର ଜିଲ୍ଲା ଅଞ୍ଚଳରେ ତିର୍ତ୍ତୋଲ ଥାନା ଅରିଲୋ ଗ୍ରାମ ଅବସ୍ଥିତ । ଏହି ଗ୍ରାମଟି ପାଇକା ଓ ମୁକୁପାଇକା ନଦୀର ମଧ୍ୟସ୍ଥଳରେ ରହିଛି । ସେହି ଗାଁ ପାଖ ଗହୀର ଜମି ରାଧାକାନ୍ତ ଠାକୁରଙ୍କର । ସେହି ଜମି ମଧ୍ୟରେ ଏକ ଉଇହୁଙ୍କା ଥିଲା । ଗ୍ରାମର ପୁରୁଖା ଲୋକ ଓ ବୁଢ଼ୀମାନେ କହନ୍ତି, କେନ୍ଦ୍ରାପଡ଼ା ବଳଦେବ ଜୀଉଙ୍କୁ ମନାସୁଥିବା ଭୋଗ ନପାଇ ପାରିଲେ ଏହି ରାଧାକାନ୍ତ ହୁଙ୍କା ପାଖରେ ସମର୍ପଣ କରିଦିଆଯାଏ । ଏହି ହୁଙ୍କାଟି କଣ୍ଟକିତ ଗୁଳ୍ମଦ୍ୱାରା ଆଚ୍ଛାଦିତ । ବହୁ ସର୍ପଙ୍କର ବାସସ୍ଥଳୀ । ମୁଖ୍ୟ ସର୍ପଟି ଅତି ଭୟଙ୍କର । ୧୯୬୨ରେ ଏଇ ହୁଙ୍କା ମଧ୍ୟରେ ଶିଶୁ ଅନନ୍ତଙ୍କ ଆଭାସ ଉଦ୍ଭାସିତ ହୋଇଥିବାର ଜଣାଯାଏ ।

ଅନ୍ୟ ଏକ କିମ୍ବଦନ୍ତୀରୁ ଜଣାଯାଏ, ପାଖଡ଼ ଗ୍ରାମର ସତ୍ୟାନନ୍ଦ ସାହୁ ସେହି ହୁଙ୍କାବାଟେ ଯାଉଥିଲେ । ହୁଙ୍କାପାଖ ହିଡମୁଣ୍ଡରୁ ଜଣେ ବାବାଜୀ ତାଙ୍କୁ ଡାକିଲେ । ତାଙ୍କଠାରୁ ପାଚିଲା କଦଳୀ ଖାଇବାକୁ ମାଗିଲେ । ନାମ ପଚାରିବାରୁ କହିଲେ ‘ ମୁଁ, ଶିଶୁ ଅନନ୍ତ’ । କଦଳୀ ଖାଇ ସେ ଅଦୃଶ୍ୟ ହୋଇଗଲେ । ସେହିଦିନଠାରୁ ଶିଶୁ ଅନନ୍ତଙ୍କ ନାମ ପ୍ରଚାରିତ ହେଲା ।

ଅନ୍ୟ ଏକ କିମ୍ବଦନ୍ତୀରୁ ଜଣାଯାଏ, ପଞ୍ଚସଖାଙ୍କ ମଧ୍ୟରୁ ମହାପୁରୁଷ ଅନନ୍ତ ଦାସ ‘ଶିଶୁ’ ସମ୍ପ୍ରଦାୟର ପ୍ରତିଷ୍ଠାତା ଓ ପ୍ରବର୍ତ୍ତକ ହୋଇଥିବାରୁ ଶିଶୁ ଅନନ୍ତ ଦାସ ନାମରେ ସର୍ବତ୍ର ପରିଚିତ । ପରବର୍ତ୍ତୀ କାଳରେ 'ଶିଶୁ' ଗୋଷ୍ଠୀର କବିମାନେ ଉପାଧି ଧାରଣ କରିଥିବା ଜଣାଯାଏ, ଯେପରି- ଶିଶୁ ଅର୍ଜୁନ ଦାସ (କଳ୍ପଲତା, ରାମବିଭା), ଶିଶୁ ବନମାଳି ଦାସ (ରାସ), ଶିଶୁ ଶଙ୍କର ଦାସ (ଉଷାଭିଳାଷ), ଶିଶୁ ପ୍ରତାପରାୟ (ଶଶିସେଣା) ଓ ଶିଶୁ ଦୟାନିଧି ଦାସ (ଅଶ୍ୱମେଧ ଯାଗ) ।[]

ସାହିତ୍ୟିକ କୃତି

[ସମ୍ପାଦନା]
ବାଲିପାଟଣାରେ ଅନନ୍ତଙ୍କ ପ୍ରତିମୂର୍ତ୍ତି


  • ଗୁପ୍ତବାଣୀ
  • ଉଦେବାଖର
  • କଳି ମାଳିକା
  • କଳି ଭାଗବତ
  • ଗୁପ୍ତ ବ୍ରହ୍ମତତ୍ତ୍ୱ ଦର୍ଶନ
  • ତତ୍ତ୍ୱପୂର୍ଣ୍ଣ ଗୀତା
  • ତାଣ୍ଡବ ରାସ
  • ପଦକଳ୍ପତରୁ
  • ପଦ ପୋଥି
  • ପଦ୍ମବନ ରାସ
  • ବ୍ରହ୍ମପାର୍ଥିବ ତତ୍ତ୍ୱସାର ଗୀତା
  • ଭବିଷ୍ୟ ତତ୍ତ୍ୱ ଲେଖନ
  • ମୋହକଳ୍ପ ତତ୍ତ୍ୱଟୀକା
  • ଶବ୍ଦବ୍ରହ୍ମ ବା ସୁପ୍ରକାଶ
  • ଜ୍ଞାନଲହରୀ
  • ଶୂନ୍ୟନାମ ଭେଦ
  • ଶୂନ୍ୟରାଦ ଓ ସନ୍ଧିଜ୍ଞାନ
  • ସଂସାର ତତ୍ତ୍ୱବୋଧ ଲେଖନ
  • ହେତୁ ଉଦୟ ଭାଗବତ
  • ଗରୁଡ଼ କେଶବ (ସମ୍ବାଦ) ଚଉତିଶା
  • ଭବିଷ୍ୟ ପୁରାଣ
  • ଚୁମ୍ବକ ଆଗତ ଭବିଷ୍ୟ ମାଳିକା[]
  • ଅର୍ଥତାରେଣୀ
  • ପ୍ରଶ୍ନୋତ୍ତର
  • ଅଣାକାର ଶବଦ
  • ଭକ୍ତିମୁକ୍ତିଦାୟକ ଗୀତା[]

ମୁଦ୍ରଣ

[ସମ୍ପାଦନା]

ଶିଶୁ ଅନନ୍ତଙ୍କର ଗ୍ରନ୍ଥଗୁଡ଼ିକ ମୁଦ୍ରିତ ନ ହୋଇଥିବାରୁ ସେଗୁଡ଼ିକ ସମ୍ବନ୍ଧରେ ବିଶେଷ କିଛି ଜାଣିବାର ସୁବିଧା ନାହିଁ । ଭୁବନେଶ୍ୱରରେ ଥିବା ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଗ୍ରନ୍ଥାଗାରରେ ତାଙ୍କର କେତୋଟି ଗ୍ରନ୍ଥର ପାଣ୍ଡୁଲିପି ଥିବା ଶିଶୁ ଅର୍ଜୁନ ଦାସଙ୍କ କଳ୍ପଲତା କାବ୍ୟର ମୁଖବନ୍ଧରେ ଶ୍ରୀ କେଦାରନାଥ ମହାପାତ୍ର ଲେଖିଛନ୍ତି । ଏହି ଗ୍ରନ୍ଥଗୁଡ଼ିକରେ ଶିଶୁ ଅନନ୍ତଙ୍କ ଭଣିତା ରହିଛି ।[]

ଧର୍ମତତ୍ତ୍ୱ

[ସମ୍ପାଦନା]

ବଳିଆ ବାବା କହନ୍ତି, ଶିଶୁ ଅନନ୍ତ ହେଉଛନ୍ତି ସତ୍ୟର ଶେଷଦେବ ନୃସିଂହ, ତ୍ରେତୟାର ରାମ ଲକ୍ଷ୍ମଣ, ଦ୍ୱାପରର କୃଷ୍ଣ ବଳରାମ, ଜଗନ୍ନାଥ ଚେତନାର ଜଗନ୍ନାଥ ବଳଦେବ ଓ ବୈଷ୍ଣବୀୟ ଦର୍ଶନର ଗୌର ନିତାଇ । ଶିଶୁ ଅନନ୍ତ ଜଣେ ପ୍ରସିଦ୍ଧ ଯୋଗସାଧକ ଥିଲେ । ସେ ସ୍ୱକୀୟ ଯୋଗ ବଳରେ ଜଗତର ପିତାମାତା ଲକ୍ଷ୍ମୀନାରାୟଣଙ୍କର କୋଳରେ ଶିଶୁ ପ୍ରଦ୍ୟୁମ୍ନଙ୍କ ରୂପରେ ଖେଳିଥିଲେ । ତାଙ୍କ ନାମରେ ଅନେକ ଗ୍ରନ୍ଥମାନ ରଚିତ ହୋଇଛି । ଶିଶୁ ଅନନ୍ତଙ୍କ ତତ୍ତ୍ୱଜ୍ଞାନ ସମ୍ବଳିତ ରଚନା ଅପେକ୍ଷା ତାଙ୍କ ଭବିଷ୍ୟବାଣୀ ମାଳିକା ଅଧିକ ଲୋକପ୍ରିୟ ।[]

ଅନନ୍ତଙ୍କ ରଚନାଗୁଡ଼ିକ ଓଡ଼ିଶାରେ ଏକଦା ପ୍ରସିଦ୍ଧ ନାଥ ସମ୍ପ୍ରଦାୟର ଧାରାରେ ରଚିତ ବୋଲି ଗବେଷକମାନେ କୁହନ୍ତି ।[]

ଅନନ୍ତ ଓଡ଼ିଆ ସାହିତ୍ୟର ପଞ୍ଚସଖା (ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଅନନ୍ତ ଦାସ, ଯଶୋବନ୍ତ ଦାସ)ଙ୍କ ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ ଓ ସେମାନଙ୍କ କାଳରେ ଅନେକ ଓଡ଼ିଆ ଭକ୍ତି ସାହିତ୍ୟର ସୃଷ୍ଟି ହୋଇଥିଲା ।[][][][୧୦][୧୧]

  1. Studies in medieval religion and literature of Orissa, Chittaranjan Das Visva-Bharati, 1951
  2. The Orissa Historical Research Journal, Volume 34, Superintendent of Research and Museum, 1988 - Odisha (India)
  3. ୩.୦ ୩.୧ ୩.୨ ଓଡ଼ିଆ ସାହିତ୍ୟର ଇତିହାସ - ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ । ଗ୍ରନ୍ଥ ମନ୍ଦିର, କଟକ, ବ୍ରହ୍ମପୁର । ୧୯୬୭, ଦ୍ୱିତୀୟ ମୁଦ୍ରଣ ।
  4. ''Medieval India: Essays in medieval Indian history and culture'', Shahabuddin Iraqi, Manohar, 01-Jan-2008, 322 pages
  5. ପ୍ରମେୟ ରବିବାର, ପୃଷ୍ଠା- ୨, ୩.୨.୨୦୧୩
  6. ''Medieval Indian Literature: Surveys and selections'' edited by Ayyappappanikkar. Sahitya Akademi, 1997. ISBN 9788126003655
  7. "ATIBADI JAGANNATHA DAS, POET THE GREAT". Archived from the original on 2014-06-28. Retrieved 2011-11-29.
  8. "Oriya literature". Archived from the original on 2011-12-04. Retrieved 2011-11-29.
  9. Heinz Kloss, Grant D. McConnell. The Written languages of the world: a survey of the degree ..., Volume 2, Book 1.ISBN 978-2-7637-7186-1
  10. "Atibadi Jagannath Das". Archived from the original on 2013-06-30. Retrieved 2011-11-29.
  11. Bijoy Misra. Oriya Language and Literature. April 11, 2009