କେଳୁଚରଣ ମହାପାତ୍ର

ଉଇକିପିଡ଼ିଆ ରୁ
(Kelucharan Mohapatra ରୁ ଲେଉଟି ଆସିଛି)
Jump to navigation Jump to search
କେଳୁଚରଣ ମହାପାତ୍ର
Closeup of the temple at Nrityagram Dance Community.jpg
ନୃତ୍ୟଗ୍ରାମରେ ଅଙ୍କିତ ନାଟମୁଦ୍ରାରେ କେଳୁଚରଣ ମହାପାତ୍ର
ଜନ୍ମ ଓ ଜନ୍ମସ୍ଥାନଜାନୁଆରୀ ୮, ୧୯୨୬(1926-01-08)
ମୃତ୍ୟୁ୭ ଅପ୍ରେଲ ୨୦୦୪ (୭୮ ବର୍ଷ)
ଜୀବିକାଓଡ଼ିଶୀନୃତ୍ୟଶିଳ୍ପୀ, ନୃତ୍ୟ ନିର୍ଦ୍ଦେଶକ
କାର୍ଯ୍ୟକାଳ୧୯୩୫-୨୦୦୪
ଜୀବନସାଥିଲକ୍ଷ୍ମୀପ୍ରିୟା ମହାପାତ୍ର [୧]
ସନ୍ତାନରତିକାନ୍ତ ମହାପାତ୍ର
ପୁରସ୍କାରପଦ୍ମ ବିଭୂଷଣ

କେଳୁଚରଣ ମହାପାତ୍ର (୮ ଜାନୁଆରୀ ୧୯୨୬ - ୭ ଅପ୍ରେଲ ୨୦୦୪) ଜଣେ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଓ ଗୁରୁ । ବିଂଶ ଶତାବ୍ଦୀରେ ଓଡ଼ିଶୀର ପୁନରୁତ୍ଥାନ ଓ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଇବାରେ କେଳୁଚରଣଙ୍କର ପ୍ରମୂଖ ଭୂମିକା ରହିଥିଲା ।[୨] ପଦ୍ମ ବିଭୂଷଣ ପୁରସ୍କାର ପାଇବାରେ ସେ ପ୍ରଥମ ଓଡ଼ିଆ[୩] ସେ ପ୍ରାୟ ୨୦୦ ଏକକ ପ୍ରଦର୍ଶନ ଓ ୫୦ଟି ନୃତ୍ୟ ନାଟିକା ସଂଯୋଜନ କରିଛନ୍ତି ।

ଜୀବନୀ[ସମ୍ପାଦନା]

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁ କେଳୁଚରଣ ପୁରସ୍କାର ସମ୍ମିଳନୀକୁ ଉଦ୍ଘାଟନ କରୁଛନ୍ତି ।

କେଳୁଚରଣ ପୁରୀରେ ଥିବା ଶିଳ୍ପୀଗ୍ରାମ ରଘୂରାଜପୁରର ଏକ ଶିଳ୍ପୀ ପରିବାରରେ ୧୯୨୬ ମସିହା ଜାନୁଆରୀ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ପିତା ଚିନ୍ତାମଣୀ ମହାପାତ୍ର ଜଣେ ଚିତ୍ରକର ଓ ମର୍ଦ୍ଦଳ ବାଦକ ଥିଲେ । ଯାତ୍ରା ଓ ସଂକୀର୍ତ୍ତନ ତାଙ୍କ ଗ୍ରାମରେ ସବୁବେଳେ ପରିବେଷଣ କରାଯାଉଥିଲା । ଏ ସବୁର ପ୍ରଭାବ ପଡିଥିଲା ବାଳକ କେଳୁଚରଣଙ୍କ ଉପରେ । ଗ୍ରାମରେ ଥିବା ବଳଭଦ୍ର ସାହୁଙ୍କ ଆଖଡ଼ାକୁ କେଳୁଚରଣ ବରାବର ଯାଉଥିଲେ ଓ ସେଠାରେ ଶିଖା ଯାଉଥିବା ଗୋଟିପୁଅ ନାଚ ପ୍ରତି ଆକର୍ଷିତ ଥିଲେ । ପିତାଙ୍କୁ, କେଳୁଚରଣଙ୍କ ଗୋଟିପୁଅ ନାଚ କରିବା ପସନ୍ଦ ନଥିଲା । ସେ କେଳୁଚରଣଙ୍କୁ ଏଥିରୁ ନିବୃତ କରି, ପୁରୀରେ ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ "କୁଞ୍ଜ ବିହାରୀ ରାସ ଲୀଳା" ଦଳରେ ଛାଡିଥିଲେ । ଏଠାରେ କେଳୁଚରଣ ନୃତ୍ୟ ସଙ୍ଗୀତ ଅଭିନୟ ସହିତ ମଞ୍ଚସଜ୍ଜା, ମେକ୍ ଅପ୍, ନୃତ୍ୟ ସଂଯୋଜନା ଆଦି ଶିକ୍ଷା କରିଥିଲେ । ଏହି ଦଳ ବର୍ଷର ୬/୭ ମାସ ଗାଁ ଗାଁ ବୁଲି କୃଷ୍ଣଲୀଳା ଓ ପୁରାଣର ଅନ୍ୟ ଉପାଖ୍ୟାନ ନୃତ୍ୟ ସଙ୍ଗୀତ ମାଧ୍ୟମରେ ପରିବେଷଣ କରୁଥିଲେ । ଉପେନ୍ଦ୍ର ଭଞ୍ଜ, ବନମାଳୀ, ଗୋପାଳକୃଷ୍ଣଜୟଦେବ ଆଦିଙ୍କ ରଚନାରୁ "ବାଲ୍ୟଲୀଳା", "ମାନଭଞ୍ଜନ", "ରାଧା ପ୍ରେମାମୃତ", "ବିଦଗ୍ଧ ମାଧବ" ଆଦି ବିଷୟ ନୃତ୍ୟ ମାଧ୍ୟମରେ ପରିବେଷଣ କରାଯାଉଥିଲା । ନୃତ୍ୟ ସଂଯୋଜନା, ସଙ୍ଗୀତ, ମଞ୍ଚସଜ୍ୟା ଆଦୁ ସବୁ ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କଦ୍ୱାରା କରାଯାଉଥିଲା । କେଳୁଚରଣ ଏହି ଦଳରେ ଦଶ ବର୍ଷ ରହିଥିଲେ । ଏଠାରେ ସେ ଗୁରୁ ଅଗାଧୁ ମହାରଣାଙ୍କଠାରୁ ମୃଦଙ୍ଗ ଓ କ୍ଷେତ୍ରମୋହନ କରଙ୍କଠାରୁ ତବଲା ବଜେଇବା ଶିଖିଥିଲେ । ଗୁରୁ-ଶିଷ୍ୟ ପରମ୍ପରାରେ ସମୃଦ୍ଧ ଏହି ଦଳରେ ଶିକ୍ଷାଗ୍ରହଣ ସହିତ କେଳୁଚରଣ, ଗୁରୁଙ୍କ ପାଇଁ ରୋଷେଇ, ବାସନ ମଜା ଭଳି ସେବା ମଧ୍ୟ କରୁଥିଲେ । ମୋହନ ସୁନ୍ଦର ଦେବଙ୍କ ପ୍ରଭାବ କେଳୁଚରଣଙ୍କ ଗଭୀର ଭାବରେ ପଡିଥିଲା । ପରବର୍ତ୍ତୀ ସମୟରେ ଯେତେବେଳେ କେଳୁଚରଣ ନିଜେ ଗୁରୁ ସାଜିଥିଲେ, ସେହି ଗୁରୁ-ଶିଷ୍ୟ ପରମ୍ପରାକୁ ଆବୋରୀ ଥିଲେ ଓ ଶିଷ୍ୟମାନଙ୍କୁ ନିଜ ସନ୍ତାନ ଭାବରେ ମନେ କରୁଥିଲେ ।

ପିତାଙ୍କ ଦେହନ ପରେ କେଳୁଚରଣଙ୍କୁ ରାସ ଲିଳା ଦଳ ଛାଡି ଗାଁକୁ ଫେରିବାକୁ ପଡିଥିଲା । ଜୀବିକା ନିର୍ବାହ ପାଇଁ ଏକ ପାନ ବରଜରେ ମୂଲିଆ ଭାବରେ କାର୍ଯ୍ୟ କରିବାକୁ ପଡିଥିଲା । ତାଙ୍କ କଳାକାର ମନ ବିଦ୍ରୋହ କରିଥିଲା ଓ କିଛିଦିନ ପରେ ଗାଁ ଛାଡ଼ି କଟକ ଚାଲି ଆସିଥିଲେ । କଟକ ଆସି, ସେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଓଡ଼ିଶା ଥିଏଟର୍ସରେ ଯୋଗ ଦେଇଥିଲେ । ଏଠାରେ ସେ ମଞ୍ଚ ସଜ୍ୟା ଓ ମର୍ଦଳ ବାଦନ ଆଦି କରୁଥିଲେ । ଦରମା ଥିଲା ମାସକୁ ୭ ଟଙ୍କା । କଟକରେ ସେ ହରିହର ରାଓଙ୍କଠାରୁ ତବଲାରେ ଅଧିକ ଶିକ୍ଷାଗ୍ରହଣ କରିଥିଲେ । ତାପରେ ସେ "ଅନ୍ନପୂର୍ଣ୍ଣା ବି" ଦଳରେ ଯୋଗ ଦେଇଥିଲେ । ଏଠାରେ ଗୁରୁ ପଙ୍କଜ ଚରଣ ଦାସଙ୍କ ସଂସ୍ପର୍ଶରେ ଆସି ତାଙ୍କ ନୃତ୍ୟ ପ୍ରତିଭାର ବିକାଶ ଘଟିଥିଲା ।[୪] ପଙ୍କଜ ଚରଣଙ୍କ ସଂଯୋଜନାରେ ନୃତ୍ୟ ନାଟିକା "ଦେବୀ ଭସ୍ମାସୁର"ରେ "ନଟରାଜ" ଭୂମିକାରେ କେଳୁଚରଣ ଲୋକଲୋଚନକୁ ଆସିଲେ । ଏଥିରେ "ମୋହିନୀ" ଭୂମିକାରେ ଅଭିନୟ କରିଥିଲେ "ଲକ୍ଷ୍ମୀପ୍ରିୟା" । ଏଠାରୁ ଆରମ୍ଭ ହୋଇଥିଲା କେଳୁଚରଣ-ଲକ୍ଷ୍ମୀପ୍ରିୟାଙ୍କର ଯୁଗଳବନ୍ଦୀ ଏବଂ ତାଙ୍କ ବିବାହ ପର୍ଯ୍ୟନ୍ତ ଏହି ଜୋଡି ପ୍ରାୟ ସବୁ ପରିବେଷଣରେ ଏକାଠି ନୃତ୍ୟାଭିନୟ କରୁଥିଲେ । ଅନ୍ନପୂର୍ଣ୍ଣା ବି ଦଳରେ ଥାଇ, କେଳୁଚରଣ ଗୁରୁ ଦୁର୍ଲଭ ଚନ୍ଦ୍ର ସିଂ, ଗୁରୁ ଦୟାଳ ଶରଣ ଆଦିଙ୍କ ଠାରୁ ଅଭିନୟ ନୃତ୍ୟ ଓ ବ୍ୟାକରଣରେ ଅଧିକ ଜ୍ଞାନ ଆହରଣ କରିଥିଲେ । କ୍ରମେ ସେ ନିଜକୁ ଜଣେ ନର୍ତ୍ତକ, ବାଦକ ଓ ନୃତ୍ୟ ସଂଯୋଜକ ଭାବରେ ପ୍ରତିଷ୍ଠା କରିଥିଲେ । ଅନ୍ନପୂର୍ଣ୍ଣା ବି ଦଳରେ ସେ ପ୍ରାୟ ୫/୬ ବର୍ଷ ରହିଥିଲେ ।

କେଳୁଚରଣଙ୍କୁ ୨୮ବର୍ଷ ହେଲା ବେଳକୁ ସେ ଲକ୍ଷ୍ମୀପ୍ରିୟାଙ୍କୁ ବିବାହ କରିଥିଲେ । ଅନ୍ନପୂର୍ଣ୍ଣା ବି ଦଳ ଛାଡି, ଉଭୟ ପୁରୀ ଚାଲି ଯାଇଥିଲେ । ପୁରୀରେ ସେମାନେ ମାହାରୀ ଓ ଗୋଟିପୁଅ ନୃତ୍ୟ ଉପରେ ଗବେଷଣା କରି, ସେ ସବୁକୁ ଆୟତ୍ତ କରି ନିଜସ୍ୱ ଏକ ପରିଚୟ ସୃଷ୍ଟି କରି ପାରିଥିଲେ । କେଳୁଚରଣଙ୍କ ଭାଷାରେ "ଓଡ଼ିଶୀ ନୃତ୍ୟ ମାହାରୀର ଭାବ ଓ ଗୋଟିପୁଅର ଅଙ୍ଗଭଙ୍ଗୀକୁ ନିଜର କରିଛି" । ପୁରୀରେ ସେମାନେ "ଅନ୍ନପୂର୍ଣ୍ଣା ଏ" ଆନୁକୁଲ୍ୟରେ ନୃତ୍ୟ ପରିବେଷଣ କରୁଥିଲେ । କ୍ରମେ କେଳୁଚରଣ ଆକାଶବାଣୀ କଟକର ବିଭିନ୍ନ କାର୍ଯ୍ୟକ୍ରମରେ ତବଲା ଓ ମର୍ଦଳ ବାଦନ କରିବା ଆରମ୍ଭ କରିଥିଲେ । ୧୯୫୩ ମସିହାରେ, ସେ କଟକର କଳା ବିକାଶ କେନ୍ଦ୍ରରେ ଯୋଗ ଦେଇଥିଲେ । ସେତେବେଳ ଯାଏଁ କଳା ବିକାଶ କେନ୍ଦ୍ରର ପାଠ୍ୟକ୍ରମରେ ଓଡ଼ିଶୀ ନୃତ୍ୟର ସ୍ଥାନ ନଥାଏ । କେଳୁଚରଣ ସେ କାମଟି କରି ପାରିଥିଲେ । କଳା ବିକାଶ କେନ୍ଦ୍ରରେ ସେ ୧୫ ବର୍ଷ କାଳ ଓଡ଼ିଶୀ ଶିକ୍ଷାଦାନ କରି ବହୁ ସଂଖ୍ୟକ ଛାତ୍ର ଛାତ୍ରୀ ସୃଷ୍ଟି କରି ପାରିଥିଲେ । ଏ ସମୟରେ ସେ ସଂଯୁକ୍ତା ପାଣିଗ୍ରାହୀ, ମିନତି ମିଶ୍ର, ପ୍ରିୟମ୍ବଦା ମହାନ୍ତି ହେଜମାଦି ଆଦି ଛାତ୍ରୀମାନଙ୍କୁ ବ୍ୟକ୍ତିଗତ ଭାବରେ ଓଡ଼ିଶୀ ନୃତ୍ୟ ଶିକ୍ଷାଦାନ କରୁଥିଲେ । ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ମଧ୍ୟ ଓଡ଼ିଶୀ ନୃତ୍ୟ ଶିକ୍ଷାଦାନ କରୁଥିଲେ । "ପଞ୍ଚପୁଷ୍ପା", "କୃଷ୍ଣ ଗାଥା", "ଗୀତ ଗୋବିନ୍ଦ", "ଊର୍ବଶୀ", "କୃଷ୍ଣ ଲୀଳା", "ସାକ୍ଷୀଗୋପାଳ", "କୋଣାର୍କ" ଆଦି କେଳୁଚରଣଙ୍କ ସେହି ସମୟରେ ନୃତ୍ୟ ସଂଯୋଜନା । କଳା ବିକାଶ କେନ୍ଦ୍ର ସହଯୋଗରେ ସେ ଓଡ଼ିଶାର ବିଭିନ୍ନ ମନ୍ଦିରରେ ଖୋଦେଇ ହୋଇଥିବା ନର୍ତ୍ତକ/ନର୍ତ୍ତକୀ ମାନଙ୍କର ମୁଦ୍ରା ଉପରେ ଗବେଷଣା କରି, ସେଗୁଡିକୁ ନିଜ ନୃତ୍ୟ ମଧ୍ୟରେ ଆୟତ୍ତ କରିଥିଲେ । ସେତେବେଳକୁ କେଳୁଚରଣଙ୍କ ନିଜସ୍ୱ ନୃତ୍ୟ ଶୈଳୀ ସମୃଦ୍ଧ ହୋଇ ଆସୁଥିଲା ।[୫]

ଅଶି ଦଶକ ବେଳକୁ, କେଳୁଚରଣ କଳା ବିକାଶ କେନ୍ଦ୍ର ଛାଡି, ଭାରତର ବିଭିନ୍ନ ସ୍ଥାନରେ ଓଡ଼ିଶୀ ନୃତ୍ୟ ଶିକ୍ଷା ଦେବା ଆରମ୍ଭ କରିଥିଲେ । ସେଗୁଡିକ ମଧ୍ୟରେ ଦିଲ୍ଲୀର ଗାନ୍ଧର୍ବ ମହାବିଦ୍ୟାଳୟ, ମୁମ୍ବାଇର ନେସନାଲ ସେଣ୍ଟର ଫର ପରଫର୍ମିଙ୍ଗ ଆର୍ଟ୍ସ, କଲିକତାର ପଦାତିକ ନୃତ୍ୟ କେନ୍ଦ୍ର ଅନ୍ୟତମ ଥିଲା । କେଳୁଚରଣଙ୍କର ଲୋକପ୍ରିୟତା ଓ ଶିଷ୍ୟମାନଙ୍କ ସଂଖ୍ୟା ବଢ଼ି ଚାଲିଥିଲା । ବହୁ ବିଦେଶୀ ଶିଷ୍ୟ କଟକ ଆସି, କେଳୁଚରଣଙ୍କ ଘରେ ରହି ତାଙ୍କଠାରୁ ନୃତ୍ୟ ଶିକ୍ଷା କରୁଥିଲେ । ନିଜସ୍ୱ ନୃତ୍ୟ ପରିବେଷଣ ମଧ୍ୟ ଚାଲିଥିଲା । ଭାରତର ବିଭିନ୍ନ ସ୍ଥାନ ସହ ଜାପାନ, ଜର୍ମାନୀ, ଋଷିଆ, ଫ୍ରାନ୍ସ, ଯୁକ୍ତରାଜ୍ୟଯୁକ୍ତରାଷ୍ଟ୍ର ଆମେରିକା ଆଦି ସ୍ଥାନରେ ସେ ନୃତ୍ୟ ପରିବେଷଣ କରୁଥିଲେ । ସେ ଭୁବନେଶ୍ୱରସ୍ଥିତ "ଓଡ଼ିଶୀ ଗବେଷଣା କେନ୍ଦ୍ର ସହିତ ପ୍ରାୟ ୧୦ ବର୍ଷ ଧରି ଜଡିତ ରହିଥିଲେ । ଏହି ସମୟରେ ଓଡ଼ିଶୀ ନୃତ୍ୟ ବାବଦରେ ବହୁ ପ୍ରଲେଖନ ଆଦି କରି ଓଡ଼ିଶୀକୁ ପରପିଢି ପାଇଁ ସଂରକ୍ଷିତ କରିବା କାର୍ଯ୍ୟ କରିଥିଲେ । ଓଡ଼ିଶୀ ଗବେଷଣା କେନ୍ଦ୍ରକୁ ତାଙ୍କରି ନାମରେ ନାମିତ କରାଯାଇଛି ।[୬] ୧୯୯୫ ମସିହାରେ ଓଡ଼ିଶୀ ଗବେଷଣା କେନ୍ଦ୍ର ଛାଡିବା ପରେ, ସେ ନିଜସ୍ୱ ଅନୁଷ୍ଠାନ "ସୃଜନ"ର ନିର୍ମାଣ କରିଥିଲେ ।

୨୦୦୪ ମସିହା ଅପ୍ରେଲ ୭ ତାରିଖରେ କେଳୁଚରଣ ଇହଧାମ ତ୍ୟାଗ କରିଥିଲେ ।[୭]

ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. Remembering the maestro Leela Venkatraman, The Hindu, April 15, 2005.
  2. DANCE REVIEW; Sculptural And Sensual, It's Odissi by Anna Kisselgoff, New York Times, October 19, 2000.
  3. Sampad, Shilpi (2013). "Sun dreamer gets Padma". telegraphindia.com. Retrieved 5 February 2013. after late Odissi dancer Guru Kelucharan Mohapatra
  4. "ଓଡ଼ିଶୀ ନୃତ୍ୟ-ଗୁରୁ କେଳୁଚରଣ". ସମ୍ବାଦ ୦୮/୦୧/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Retrieved 8 January 2016.
  5. http://www.srjan.com/GuruKelucharanMohapatra.php
  6. http://www.odissiresearchcentre.org/about_us.html
  7. http://www.rediff.com/news/2004/apr/07gkm.htm
  8. http://orissa.gov.in/e-magazine/orissaannualreference/ORA-2011/pdf/104-108.pdf
  9. http://www.narthaki.com/info/profiles/profl111.html

ଅଧିକ ତଥ୍ୟ[ସମ୍ପାଦନା]

Video links