ମହାପ୍ରସାଦ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ମହାପ୍ରସାଦ
Bojhia.jpg
ବୋଝିଆ ସେବାୟତ ଶ୍ରୀମନ୍ଦିରକୁ ମହାପ୍ରସାଦ ପାଇଁ ମାଟି ହାଣ୍ଡି ବୋହି ନେଉଥିବାର ଦୃଶ୍ୟ
ମୂଳ ସ୍ଥାନ ଭାରତ
ଅଞ୍ଚଳ ବା ରାଜ୍ୟ ପୁରୀ

Cookbook: ମହାପ୍ରସାଦ at Wikibooks 

ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ, ବଳଭଦ୍ରସୁଭଦ୍ରାଙ୍କ ପାଖରେ ବିଭିନ୍ନ ପ୍ରକାର ଅନ୍ନବ୍ୟଞ୍ଜନ ଭୋଗ ହୋଇସାରି ବିମଳାଙ୍କ ନିକଟରେ ସମର୍ପଣ କରାଯିବା ପରେ ତାହାକୁ ମହାପ୍ରସାଦ (ଅବଢ଼ା ନାମରେ ମଧ୍ୟ ଜଣା) କୁହାଯାଏ । ଏହା ଅବଢ଼ା (ଏହା ବଢ଼ା ନହୋଇ ଗୋଟା କୁଡୁଆରେ ଠାକୁରମାନଙ୍କୁ ଅର୍ପଣ କରାଯାଉଥିବାକୁ ଏହାକୁ ଅବଢ଼ା (ବଢ଼ା ହୋଇନଥିବା) କୁହାଯାଇଥାଏ । ଅବଢ଼ା ନିର୍ମାଲ୍ୟ, ମାହାର୍ଦ୍ଦ ଓ କୈବଲ୍ୟ ନାମରେ ମଧ୍ୟ ଜଣା । କୈବଲ୍ୟ ଓ ଅବଢ଼ା ମଧ୍ୟରେ ପାର୍ଥକ୍ୟ ହେଉଛି, କୈବଲ୍ୟକୁ ଦୁଇ ଆଙ୍ଗୁଠିରେ ଅର୍ଥାତ କଣିକାଏ ଖାଇବାକୁ ହୁଏ; କିନ୍ତୁ ଅବଢ଼ା ମନମୁତାବକ ପେଟପୁରା ଖିଆଯାଏ ।

ଶ୍ରୀମନ୍ଦିର ଭିତରେ ଥିବା ଗଙ୍ଗା ଓ ଯମୁନା ନାମକ ଦୁଇଟି କୂଅର ଜଳରେ ଅବଢ଼ା ରନ୍ଧାଯାଏ । ଐତିହାସିକ ମତାନୁସାରେ ଯଯାତି କେଶରୀ ଶ୍ରୀମନ୍ଦିରରେ ଅନ୍ନମହାପ୍ରସାଦ ଆରମ୍ଭ କରିଥିଲେ । ପୁରୀ ଜଗନ୍ନାଥ ମନ୍ଦିରରେ ଠାକୁରଙ୍କୁ ଭୋଗ ଲଗାଯିବା ପରେ ଆନନ୍ଦ ବଜାରରେ ଏହାକୁ ଭକ୍ତମାନଙ୍କ ନିମନ୍ତେ ବିକ୍ରି କରାଯାଇଥାଏ । ଜଗନ୍ନାଥଙ୍କ ଭୋଗ ଦୁଇ ଭାଗରେ ବିଭକ୍ତ ଶଙ୍ଖୁଡ଼ି ଭୋଗ ଓ ନିଶଙ୍ଖୁଡ଼ି ଭୋଗ (ଶୁଖିଲା ଭୋଗ) । ଶଙ୍ଖୁଡ଼ି ଭୋଗ ମନ୍ଦିର ମଧ୍ୟରେ ପ୍ରସ୍ତୁତ କରାଯାଉଥିବା ବେଳେ ନିଶଙ୍ଖୁଡ଼ି ଭୋଗ ମନ୍ଦିର ବାହାରେ ପ୍ରସ୍ତୁତ ହୋଇଥାଏ । [୧] ଶୁଖିଲା ଭୋଗ ବା ଶୀତଳ ଭୋଗ ବଡ଼ ଦେଉଳରେ, ରଥ ଉପରେ ଓ ଶ୍ରୀଗୁଣ୍ଡିଚା ମନ୍ଦିରରେ ହୁଏ । ହେଲେ ଶଙ୍ଖୁଡିଭୋଗ କେବଳ ରଥ ଉପର କୁ ଛାଡି ବଡ଼ ଦେଉଳ ଓ ଶ୍ରୀଗୁଣ୍ଡିଚା ମନ୍ଦିରରେ ହଉଛି । ପୂର୍ବରୁ ରଥ ଉପରେ ମଧ୍ୟ ଶଙ୍ଖୁଡିଭୋଗ ହେଉଥିଲା । ୪ ରୁ ଅଧିକ ମଠ ବା ଜାଗାଘର ଏହି ଶଙ୍ଖୁଡି ଭୋଗ କରୁଥିଲେ । ମାତ୍ର ୮୦ ବର୍ଷ ଧରି ଏହି ପରମ୍ପରା ବନ୍ଦ ହୋଇଯାଇଛି ।

ମହାପ୍ରସାଦର ମହତ୍ତ୍ୱ[ସମ୍ପାଦନା]

ଶାସ୍ତ୍ରୀୟ ଭିତ୍ତିଭୂମି[ସମ୍ପାଦନା]

ଅନେକ ଧର୍ମଶାସ୍ତ୍ର ଓ ପୁରାଣରେ ଶ୍ରୀକ୍ଷେତ୍ରର ମହାପ୍ରସାଦ ବିଷୟରେ ଉଲ୍ଲେଖ ରହିଛି । ଏଗୁଡ଼ିକ ମଧ୍ୟରୁ ବ୍ରହ୍ମବୈବର୍ତ୍ତପୁରାଣ, ବାୟୁପୁରାଣ, ନୀଳାଦ୍ରିମହୋଦୟ, ସୂତସଂହିତା ଓ ଚତୁର୍ବର୍ଗ ଯୋଗୀଶ୍ୱର ଗ୍ରନ୍ଥଗୁଡ଼ିକ ଅନ୍ତର୍ଭୁକ୍ତ ।[୨]

ବ୍ରହ୍ମବୈବର୍ତ୍ତପୁରାଣ[ସମ୍ପାଦନା]

ଜଗନ୍ନାଥସ୍ୟ ନୈବେଦ୍ୟଂ ମହାପାତକନାଶନମ୍ ।
ଭକ୍ଷଣାତ୍ ଫଳମାପ୍ନୋତି କପିଳା କୋଟି ଦାନଜମ୍ ।।

ଜଗନ୍ନାଥଙ୍କର ନୈବେଦ୍ୟ ମହାପାତକ ନାଶ କରେ । ଲୋକ ଏହାକୁ ଭକ୍ଷଣ କଲେ କୋଟି କପିଳା ଗାଈ ଦାନ କରିବାର ଫଳ ଲାଭ କରେ ।

—ବ୍ରହ୍ମବୈବର୍ତ୍ତପୁରାଣ, ବ୍ରଜକିଶୋର ସାହୁଙ୍କ ଦ୍ୱାରା ଅନୁବାଦିତ

ବାୟୁପୁରାଣ[ସମ୍ପାଦନା]

ଶୁଷ୍କଂ ପର୍ଯ୍ୟୁଷିତଂ ବାପି ନୀତଂ ବା ଦୂର ଦେଶତଃ ।
ଦୁର୍ଜନେନାପି ସଂସ୍ପୃଷ୍ଟଂ ସର୍ବସ୍ୟୈ ବାଘନାଶନମ୍ ।

(ଜଗନ୍ନାଥଙ୍କର) ପ୍ରସାଦ ଶୁଖି ଯାଇଥିଲେ, ବାସି ହୋଇଥିଲେ ଏବଂ ଦୂରଦେଶକୁ ନିଆ ଯାଇଥିଲେ ଅଥବା ଦୁଷ୍ଟଲୋକ ତାକୁ ଛୁଇଁଥିଲେ ମଧ୍ୟ ତାର ପବିତ୍ରତା ନଷ୍ଟ ହୁଏ ନାହିଁ, ତାହା ସମସ୍ତଙ୍କର ପାପ ନାଶ କଲେ ।

—ବାୟୁପୁରାଣ, ବ୍ରଜକିଶୋର ସାହୁଙ୍କ ଦ୍ୱାରା ଅନୁବାଦିତ

ଚତୁର୍ବର୍ଗ ଯୋଗୀଶ୍ୱର[ସମ୍ପାଦନା]

କ୍ରନ୍ଦନ୍ତି ସର୍ବପାପାନି ନିଃଶ୍ୱସନ୍ତି ମୂହୁର୍ମୂହୁଃ ।
ହାହା କୃତ୍ୱା ପଳାୟନ୍ତେ ଜଗନ୍ନାଥସ୍ୟ ଭକ୍ଷଣାତ୍ ।

ଜଗନ୍ନାଥଙ୍କ ପ୍ରସାଦ ସେବନ କଲେ ସବୁ ପାପ କାନ୍ଦି ଉଠନ୍ତି, ବାରମ୍ବାର ଦୀର୍ଘଶ୍ୱାସ ତ୍ୟାଗ କରନ୍ତି ଓ ହାହାକାର କରି ଦୂରକୁ ପଳାନ୍ତି ।

—ଚତୁର୍ବର୍ଗ ଯୋଗୀଶ୍ୱର, ବ୍ରଜକିଶୋର ସାହୁଙ୍କ ଦ୍ୱାରା ଅନୁବାଦିତ

ସୂତ ସଂହିତା[ସମ୍ପାଦନା]

ଯଜ୍ଞାସ୍ତପାଂସି ବିପ୍ରେନ୍ଦ୍ରା ! ବ୍ରତାନି ବିବିଧାନି ଚ ।
ତୀର୍ଥାଟନ ତେନୈବ ଚ କୃତାନି ସୁକୃତାନି ଚ ।

(ଜଗନ୍ନାଥ କହୁଛନ୍ତି) ହେ ବିପ୍ରମାନେ ! ଯେ ମୋର ଅନ୍ନ ଭକ୍ଷଣ କରେ, ସେ ସମସ୍ତ ଯଜ୍ଞ, ତପ, ବ୍ରତ, ତୀର୍ଥାଟନ ଓ ପୁଣ୍ୟକର୍ମମାନ କରିଛି ବୋଲି ମନେ କରାଯାଏ ।

—ସୂତ ସଂହିତା, ବ୍ରଜକିଶୋର ସାହୁଙ୍କ ଦ୍ୱାରା ଅନୁବାଦିତ

ନୀଳାଦ୍ରିମହୋଦୟ[ସମ୍ପାଦନା]

ଅଶ୍ୱମେଧ ସହସ୍ରାଦ୍ ବୈ ରାଜସୂୟ ଶତାଚ୍ଚଯତ୍ ।
ତତ୍ରୋପବାସ୍ତୋ ଭୂପ ତତ୍ଫଳଂ ଜାୟତେ ଭୁବି ।
ଯତ୍ତତ୍ ଫଳମବାପ୍ନୋତି ଜଗନ୍ନାଥାନ୍ନ ଭକ୍ଷଣାତ୍ ।

ହେ ରାଜା ! ଏକ ସହସ୍ର ଅଶ୍ୱମେଧ ଓ ଏକଶତ ରାଜସୂୟ ଯଜ୍ଞ ଓ ତଦନୁଷ୍ଠିତ ଉପବାସରୁ ଯେଉଁ ଫଳ ମିଳେ, ଜଗନ୍ନାଥଙ୍କର ପ୍ରସାସ ସେବନ ଦ୍ୱାରା ମନୁଷ୍ୟ ପୃଥିବୀରେ ସେହି ଫଳ ଲାଭ କରେ ।

—ନୀଳାଦ୍ରିମହୋଦୟ, ବ୍ରଜକିଶୋର ସାହୁଙ୍କ ଦ୍ୱାରା ଅନୁବାଦିତ

ଆପ୍ତବାକ୍ୟ[ସମ୍ପାଦନା]

ଶୁନୀ ମୁଖିଭ୍ୟୋଽପି ଚ କାକତୁଣ୍ଡାତ୍ ବିଡ଼ାଳ ବକ୍ତ୍ରାତ୍ ବର୍ଷତି ଯଦନ୍ନମ୍ ।
ସ୍ୱର୍ଗମ୍ ପରିତ୍ୟଜ୍ୟ ସମସ୍ତ ଦେବା ଭ୍ରମନ୍ତି ଭୂମୌ ପୁରୁଷୋତ୍ତମାଖ୍ୟେ ।

କୁକ୍କୁରୀର ମୁହଁରୁ, କାଉର ତୁଣ୍ଡରୁ ଏବଂ ବିରାଡ଼ି ମୁହଁରୁ ଯେଉଁ ଅନ୍ନପ୍ରସାଦ ଖସିପଡ଼େ, ତାହା ସେବନ କରିବାକୁ ସମସ୍ତ ଦେବତାମାନେ ସ୍ୱର୍ଗଧାମ ତ୍ୟାଗ କରି ପୁରୁଷୋତ୍ତମ ନାମକ ତୀର୍ଥ କ୍ଷେତ୍ରରେ ଆସି ଭ୍ରମଣ କରିଥାନ୍ତି ।

—ଆପ୍ତବାକ୍ୟ, ବ୍ରଜକିଶୋର ସାହୁଙ୍କ ଦ୍ୱାରା ଅନୁବାଦିତ

ଆୟୁର୍ବେଦୀୟ ଭିତ୍ତିଭୂମି[ସମ୍ପାଦନା]

ଅବଢ଼ା ପ୍ରସାଦ

ମହାପ୍ରସାଦ କହିଲେ ଶ୍ରୀମନ୍ଦିର ରେ ପ୍ରସ୍ତୁତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରସାଦକୁ ବୁଝାଇଥାଏ । ଏହାର ସେବନ ମନୁଷ୍ୟକୁ ମୁକ୍ତି ପ୍ରଦାନ କରିଥାଏ ବୋଲି ବିଶ୍ୱାସ ରହିଛି । ଏହା ମାନବ ଶରୀରର କୌଣସି କ୍ଷତି କରିନଥାଏ। ମହାପ୍ରସାଦର ରନ୍ଧନଶୈଳୀକୁ ଦୃଷ୍ଟିଦେଲେ ଜାଣି ହୁଏ

ଯେ, ଏହା ସମ୍ପୂର୍ଣ୍ଣ ବାମ୍ଫ ଦ୍ୱାରା ପ୍ରସ୍ତୁତ ହୋଇଥାଏ । ରନ୍ଧନ କାର୍ଯ୍ୟରେ ବ୍ୟବହୃତ ପରିବାରୁ ଚୋପା ଛଡ଼ା ଯାଇନଥାଏ । ସୁପକାରମାନେ ବୈଜ୍ଞାନିକ ନୀତି ଅନୁସରଣ କରି ଏପରି ପ୍ରସାଦ ପ୍ରସ୍ତୁତ କରିଥାନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାରେ ଆୟୁର୍ବେଦ କିପରି ଅନୁସୃତ ହୋଇଥାଏ, ତାହା ସମସ୍ତେ ଜ୍ଞାତ ହେବା ଆବଶ୍ୟକ । ଆୟୁର୍ବେଦ ପଦ୍ଧତି ଅନୁସାରେ ମହାପ୍ରସାଦ ରନ୍ଧନ ତଥା ପ୍ରସ୍ତୁତ ହେଉଥିବାରୁ ଏହାର ସେବନରେ କେହି କେହି ଅସୁସ୍ଥ ହୋଇପଡ଼ିଥିବା ଦୃଷ୍ଟିକୁ ଆସିନି । ମହାପ୍ରସାଦ ପ୍ରସ୍ତୁତରେ ଘିଅ ବ୍ୟତୀତ ଅନ୍ୟ କୌଣସି ତେଲ, ଗରମ ମସଲା, ପୋସ୍ତକ ଓ ଉତ୍ତେଜକ ଦ୍ରବ୍ୟ ବ୍ୟବହାର ନିଷିଦ୍ଧ । ଏଥିରେ ଆୟୁର୍ବେଦ ର ବୈଶିଷ୍ଟ୍ୟ ପରିଲକ୍ଷିତ ହୋଇଥାଏ । ଏହାର ଅଲୌକିକତା ସମ୍ପର୍କରେ ଆଲୋଚନା କଲେ ଜଣାଯାଏ ଯେ, ଜଣେ ବ୍ୟକ୍ତି କିଭଳି ମହାପ୍ରସାଦ ସେବନ କରି ତାଙ୍କ ପେଟରେ ହୋଇଥିବା ଅନ୍ତନାଳୀ ଘା'କୁ ଭଲ କରିଥିଲେ ।[୩] ଏଥିରେ ଆୟୁର୍ବେଦର ମହନୀୟତା ବିଶେଷ ଆଲୋଚିତ ଓ ପ୍ରତିଘାତ । ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ କେବଳ ମାଟିପାତ୍ରରେ ରନ୍ଧନ ହୋଇଥାଏ । ଏ ଦୃଷ୍ଟିରେ ପାକ ବା ପ୍ରସାଦ ସେବନ ନିମିତ୍ତ ମାଟିପାତ୍ର ହିଁ ସର୍ବୋତ୍ତମ। ଶ୍ରୀମନ୍ଦିର ସ୍ଵତ୍ୱଲିପି ଅନୁସାରେ କୁମ୍ଭକାର ନିଯୋଗ ମାଟିପାତ୍ର ତିଆରି କରି ମହାପ୍ରସାଦ ପ୍ରସ୍ତୁତି ନିମିତ୍ତ ଶ୍ରୀମନ୍ଦିରକୁ ଯୋଗାଇଥାନ୍ତି । ଶ୍ରୀମନ୍ଦିରରେ ବ୍ୟବହୃତ ମାଟିପାତ୍ରକୁ ସାଧାରଣତଃ ୩ ଭାଗରେ ବିଭକ୍ତ କରାଯାଇଛି । ୧- ପାହାନ୍ତି ତାଡ଼ ୨- ମଝଲା ତାଡ଼, ୩-ଚାଟି ତାଡ଼ ,୪ ପ୍ରକାର ସରା- ବଡ଼, ପୁଳି, ପାଳି ଓ ପଟା ବ୍ୟବହୃତ ହୁଏ । ସମସ୍ତ ମହାପ୍ରସାଦ ପ୍ରସ୍ତୁତି ଯୋଗ୍ୟ ମାଟିପାତ୍ରର ରଙ୍ଗ ନାଲି ହିଁ ହେବା ବିଧିସମ୍ମତ । ପାକ ଯୋଗ୍ୟ ମାଟିପାତ୍ର ସମ୍ବନ୍ଧରେ "ବାମଦେବ ସଂହିତା' ଦଶମ ଅଧ୍ୟାୟ ନବମ ଶ୍ଳୋକରୁ ତ୍ରୟୋଦଶ ଶ୍ଳୋକ ମଧ୍ୟରେ ବିଶେଷ ବର୍ଣ୍ଣିତ ହୋଇଅଛି । ମହାପ୍ରସାଦ ପ୍ରସ୍ତୁତିରେ କେବଳ ବୈଷ୍ଣବାଗ୍ନୀ ବ୍ୟବହୃତ ହୋଇଥାଏ ଓ ଦେବୀ ପଦ୍ମାଳୟା- ମହାଲକ୍ଷ୍ମୀ ରନ୍ଧନ କାର୍ଯ୍ୟ ସମାପନ କରିଥାନ୍ତି । ହାଣ୍ଡିଗୁଡ଼ିକ ଚକ୍ରମୁଦ୍ରା ଆକାରରେ ସଜ୍ଜିତ ହୋଇ ପ୍ରସାଦ ପ୍ରସ୍ତୁତ ହୋଇଥାଏ । ଏହାଛଡ଼ା ମାଟିପାତ୍ରରେ ନିମ୍ନରେ ଚକ୍ରମୁଦ୍ରା ମଧ୍ୟ ଅଙ୍କିତ ହୋଇଥାଏ । ମହାପ୍ରସାଦ ପ୍ରସ୍ତୁତିର ଶାସ୍ତ୍ରୀୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଅନୁସୃତ ହୋଇଥାଏ । ମହାପ୍ରସାଦ ପ୍ରସ୍ତୁତିରେ କେବଳ ମାଟିପାତ୍ର ଉତ୍ତମ ଓ ଗ୍ରହଣୀୟ ବୋଲି କୁହାଯାଇଛି । ମାଟିପାତ୍ରରେ ଯେଉଁ ପ୍ରସାଦ ପ୍ରସ୍ତୁତ ହୋଇଥାଏ ସେଥିରେ ମାଟିପାତ୍ରର କ୍ଷୟଅଂଶ ପ୍ରସାଦରେ ମିଶିବାର ସୁଯୋଗ ନ ଥାଏ । ମାତ୍ର ଧାତୁ ନିର୍ମିତ ପାତ୍ରରେ ପାକ ପ୍ରସ୍ତୁତ ହେଲେ ଯାହାକି ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ । ଏତଦ୍ ବ୍ୟତୀତ ମାଟିକୁଡ଼ଆରେ କୌଣସି ସମସ୍ୟା ନଥାଏ । ଆୟୁର୍ବେଦୀୟ ମତରେ ମାଟିପାତ୍ରରେ ରନ୍ଧନ ଅନ୍ନ, ବ୍ୟଞ୍ଜନ ସର୍ବଦା ରୁଚିକର ଓ ସ୍ୱାସ୍ଥ୍ୟ ପାଇଁ ହିତକର । ମାଟିପାତ୍ରର ମହନୀୟତା ସମ୍ପର୍କରେ ସ୍କନ୍ଦ ପୁରାଣରେ ବିଶେଷ ବର୍ଣ୍ଣିତ। ଦାରୁ ବା ବୃକ୍ଷରେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ବା ବିଗ୍ରହ ନିର୍ମିତ ହୋଇଥାଏ । ତେଣୁ ଆୟୁର୍ବେଦରେ ବୃକ୍ଷର ମାହାତ୍ମ୍ୟ ପର୍ଯ୍ୟାପ୍ତ ରୂପେ ବର୍ଣ୍ଣିତ । ଏ ଦୃଷ୍ଟିରୁ ଶ୍ରୀଜଗନ୍ନାଥଙ୍କ ସେବାରେ ଆୟୁର୍ବେଦର ଭୂମିକା ଅତୀବ ଗୁରୁତ୍ୱ ପୂର୍ଣ୍ଣ । ମହାପ୍ରସାଦ ପ୍ରସ୍ତୁତିରେ ବୃକ୍ଷ ବା କାଷ୍ଠକୁ ଗୁରୁତ୍ୱ ଦିଆଯାଇଛି । ଯେଉଁ କାଠକୁ ଜାଳେଣି ରୂପେ ବ୍ୟବହାର କରାଯାଇଥାଏ, ତାହା ସାଧାରଣତଃ କଣ୍ଟା, କ୍ଷୀରଯୁକ୍ତ ଓ ବଜ୍ର ସଦୃଶ ଓ କୀଟଦ୍ରଷ୍ଟ ହୋଇନଥିବା ଆବଶ୍ୟକ । ରୋଷଶାଳ ନିମିତ୍ତ କେଉଁ କେଉଁ କାଠ ଅଧିକ ଉପଯୁକ୍ତ ଓ ଗ୍ରହଣୀୟ । ତାହା "ବାମଦେବ ସଂହିତା'-(୯/୧୦)ରେ ଉଲ୍ଲେଖ କରାଯାଇଅଛି । ମହାପ୍ରସାଦ ପ୍ରସ୍ତୁତିରେ ପବିତ୍ର ତଥା ବିଶୁଦ୍ଧ ଜଳର ଆବଶ୍ୟକତା ଅତୀବ ଗୁରୁତ୍ୱପୂର୍ଣ୍ଣ। ତେଣୁ ଶ୍ରୀମନ୍ଦିର ରୋଷଶାଳା ନିମିତ୍ତ ଉତ୍ତର ଦିଗରେ ଗଙ୍ଗା ଓ ଯମୁନା ନାମକ ଦୁଇଟି କୂଅ ରହିଛି । ଏହି ଜଳ କେବଳ ମହାପ୍ରସାଦ ରନ୍ଧନ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ । ଏହି ଜଳରେ କୌଣସି ରାସାୟନିକ ତ୍ରୁଟି ରହିନଥାଏ । ଗଙ୍ଗା ଓ ଯମୁନା କୂଅର ଜଳ ନିରୋଗ, ସ୍ୱାଦଯୁକ୍ତ ଓ ରୁଚିକର । ରନ୍ଧନ କାର୍ଯ୍ୟରେ କାଠକୋଇଲା (ଅଂଗାର) ବିଞ୍ଚଣା , ରନ୍ଧା ଦଉଡ଼ି , ଡଙ୍କା , ଗାମୁଛା ,ହାତୁଆଣି , ଶିକା , ପାଣିହାଣ୍ଡି, ବାଲଟି , ଦଉଡ଼ି , କୂଅପାଣି,ଆସନ , କରେଇ , ପିଙ୍ଗଳ , ମଳା , ଭୋଗେଇ , ବାହୁଡ଼ା ଇତ୍ୟାଦି ବ୍ୟବହୃତ ହୋଇଥାଏ । ମହାପ୍ରଭୁଙ୍କ ମହାପ୍ରସାଦ ରନ୍ଧନରେ ତାଳପତ୍ରରେ ପ୍ରସ୍ତୁତ ଭୋଗେଇ ଓ ପବିତ୍ର ନଡ଼ିଆ ବୃକ୍ଷର କତାକୁ ଦଉଡ଼ିମାନ ତିଆରି କରାଯାଇ ରନ୍ଧନବେଳେ ବଡ଼ବଡ଼ ହାଣ୍ଡିକୁ ଟେକା ଯାଇଥାଏ । ଏହାଛଡ଼ା କୂଅରୁ ଜଳ ଉତ୍ତୋଳନ ବେଳେ ମଧ୍ୟ କତା ଦଉଡି ବ୍ୟବହାର ହୋଇଥାଏ । ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦର ମହିମା ସମ୍ପର୍କରେ ୨୬ଗୋଟି ମହାପୁରାଣ, ଉପପୁରାଣ ଓ ତନ୍ତ୍ରଶାସ୍ତ୍ରମାନଙ୍କରେ ସୁବିସ୍ତୃତ ବର୍ଣ୍ଣିତ ହୋଇଅଛି। ମହାପ୍ରସାଦ ପ୍ରସ୍ତୁତିରେ ତନ୍ତୁଜାତୀୟ ପରିବାକୁ ଗ୍ରହଣ କରାଯାଇଛି, ଯେଉଁଥିରେ ମାନବର ଶରୀର ସୁରକ୍ଷାକୁ ବିଶେଷ ଦୃଷ୍ଟି ଦିଆଯାଇଥାଏ । ମହାପ୍ରସାଦର ମହିମା ଦୃଷ୍ଟିଗୋଚର ହୁଏ ।

ଶଙ୍ଖୁଡ଼ି ଭୋଗ[ସମ୍ପାଦନା]

ମୂଳ ଲେଖା: ଶଙ୍ଖୁଡ଼ି ଭୋଗ

ନିଶଙ୍ଖୁଡ଼ି ଭୋଗ (ଶୁଖିଲା ଭୋଗ)[ସମ୍ପାଦନା]

ଛପନ ଭୋଗ[ସମ୍ପାଦନା]

ପ୍ରଥମେ ଛପନ ପ୍ରକାର ଭୋଗର ବିଧାନ ଥିଲା, କିନ୍ତୁ କାଳକ୍ରମେ ତାହା ବୃଦ୍ଧି ପାଇ ଚଉରାଶି ପ୍ରକାର ହୋଇଅଛି ।[୪] ଶ୍ରୀଜଗନ୍ନାଥଙ୍କ ନିକଟରେ ଭୋଗ ଲାଗୁଥିବା ଭୋଗଗୁଡିକ ମଧ୍ୟରୁ 'ଛପନ ଭୋଗ' ଭାବେ ପ୍ରସିଦ୍ଧ ଭୋଗ ଗୁଡିକ ହେଲା:[୫]

ଛପନ ଭୋଗ ରନ୍ଧନ ଶୈଳୀ[ସମ୍ପାଦନା]

ମିଠା କାନିକା[ସମ୍ପାଦନା]

ମିଠା କାନିକା ମହାପ୍ରଭୁଙ୍କ ୫୬ ଭୋଗର ଅନ୍ତର୍ଭୁକ୍ତ।

  • ଉପକରଣ:ଅରୁଆ ଚାଉଳ ଅଧ କିଲୋ,ଚିନି ୧/୩ କପ, ଖିସ୍ ମିସ୍ ୪୦ ଗ୍ରାମ,ଗୁଆଘିଅ ଅଧ କପ,ଲୁଣ ଅଧ ଚାମଚ,ତେଜପତ୍ର ୩ ଖଣ୍ଡ,ଲବଙ୍ଗ ୬ ଟା, ଡାଲଚିନି ୨ ଖଣ୍ଡ, ଶ୍ରୀକର୍ପୁର ଟିକେ ଓ ଦରକାର ଅନୁସାରେ ପାଣି ନେବେ।
  • ପ୍ରସ୍ତୁତି:ପ୍ରଥମେ ଚାଉଳକୁ ପରିଷ୍କାର ଭାବେ ବାଛି ଭଲ ଭାବେ ଧୋଇ ସେଥିରୁ ପାଣି ନିଗାଡ଼ି ଦେବେ।ଚୁଲିରେ ଗୋଟିଏ ପାତ୍ର ବସାଇ ତାକୁ ଗରମ କରିବେ।ପାତ୍ରଟି ଗରମ ହୋଇଗଲେ ରଖାଯାଇଥିବା ଘିଅରୁ ଅଧେ ସେଥିରେ ପକାଇବେ।ତା' ପରେ ସେଥିରେ ୧ ଚାମଚ ଚିନି ପକାଇବେ।ଚିନି ଘିଅରେ ମିଳାଇ ଘିଅକୁ ବାଦାମୀ ରଙ୍ଗ କରିଦେବେ।ତା' ପରେ ସେ ଘିଅ ରେ ଗୁଣ୍ଡ କରାହୋଇ ରଖାଯାଇଥିବା ଡାଲଚିନି, ତେଜପତ୍ର, ଲବଙ୍ଗ ଓ ଆଗରୁ ପ୍ରସ୍ତୁତ ଧୁଆ ଚାଉଳକୁ ପକାଇବେ।ଏହାକୁ ଭଲକରି ଗୋଳାଇ କରି ଭାଜିଦେବେ।ଏହାକୁ ଭାଜିବେ କିନ୍ତୁ ଚାଉଳ ଯେପରି ପୋଡ଼ି ନ ଯିବ ସେଥିପ୍ରତି ଦୃଷ୍ଟି ଦେବେ।ଅଳ୍ପ ସମୟ ଭାଜି ସେଥିରେ ଚିନି, ଲୁଣ ଓ ଖିସ୍ ମିସ୍ ମିଶାଇ ଯେତିକି ଦରକାର ସେତିକି ପାଣି ଘୋଡାଇ ଦେବେ।ଚାଉଳ ଫୁଟି ଆସି ଭାତ ହୋଇଗଲେ ଏଥିରେ ଅବଶିଷ୍ଟ ଘିଅ ଓ ଗୁଣ୍ଡ କର୍ପୁର ପକାଇ ଗୋଳାଇ ଦେବେ।ଏଥର ମିଠା କାନିକା ପ୍ରସ୍ତୁତ ହୋଇଗଲା।

ଲେମ୍ବୁ ଅନ୍ନ[ସମ୍ପାଦନା]

  • ଉପକରଣ:ଆରୁଆ ଚାଉଳ ଅଧ କିଲୋ,ଗୁଆଘିଅ ୧୦୦ ଗ୍ରାମ, ୪ ଟା ଲେମ୍ବୁର ରସ, ଖିସ୍ ମିସ୍ ୫୦ ଗ୍ରାମ, ଲୁଣ ୧ ଚାମଚ ଏବଂ ଆବଶ୍ୟକ ଅନୁସାରେ ପାଣି
  • ପ୍ରସ୍ତୁତି:ପ୍ରଥମେ ଚାଉଳକୁ ଭଲକରି ଧୋଇ ପରିଷ୍କାର କରନ୍ତୁ।ଗୋଟିଏ ହାଣ୍ଡିକୁ ଆବଶ୍ୟକ ଅନୁସାରେ ପାଣି ଓ ଲୁଣ ମିଶାଇ ଚୁଲିରେ ବସାଇ ଗରମ କରି ଆଗରୁ ଧୁଆ ହୋଇ ରହିଥିବା ଚାଉଳକୁ ପକାନ୍ତୁ।ଚାଉଳ ଫୁଟି ଭାତ ହୋଇଗଲେ ପେଜ ଗାଳି ଦିଅନ୍ତୁ।ଗୁଆଘିଅ କୁ ତରଳେଇ ରଖନ୍ତୁ।ପେଜ ଗାଳି ଦେବା ପରେ ଭାତରେ ତରଳ ଗୁଆଘିଅ ଓ ତା' ପରେ ଲେମ୍ବୁରସ କୁ ଗୋଳାଇ ଦିଅନ୍ତୁ।ତା'ପରେ ଖିସ୍ ମିସ୍ କୁ ପରିଷ୍କାର ବାଛନ୍ତୁ ଏବଂ ପରେ ତାକୁ ଧୋଇ ସେହି ଗରମ ଭାତରେ ପକାଇ ତାକୁ ତଳ ଉପର ପର୍ଯ୍ୟନ୍ତ ଭଲ କରି ଗୋଳାଇ ଢାଙ୍କୁଣି ଘୋଡାଇ ଦିଅନ୍ତୁ।ବର୍ତ୍ତମାନ ଲେମ୍ବୁ ଅନ୍ନ ପ୍ରସ୍ତୁତ ହେଇଗଲା।

ମିଠା ଖେଚୁଡ଼ି[ସମ୍ପାଦନା]

ଭୋଗ ମଣ୍ଡପରେ ମହାପ୍ରଭୁଙ୍କୁ ଅନ୍ୟ ଭୋଗ ସହିତ ମିଠା ଖେଚୁଡ଼ି କୁ ମଧ୍ୟ ଭୋଗ କରାଯାଇଥାଏ।

  • ଉପକରଣ:ଅରୁଆ ଚାଉଳ ଅଧ କିଲୋ, ହଲଦୀଗୁଣ୍ଡ ଅଧ ଚାମଚ, ମୁଗ ଡାଲି ଅଧ କପ, କୋରା ନଡ଼ିଆ ଅଧ କପ, ଗୁଣ୍ଡ ଡାଲଚିନି ଅଧ ଚାମଚ, ଚିନି ୧କପ ଓ ଆବଶ୍ୟକ ଅନୁସାରେ ପାଣି ନେବେ।
  • ପ୍ରସ୍ତୁତି:ପ୍ରଥମ କାର୍ଯ୍ୟ ହେଲା ଚାଉଳକୁ ସବୁ ସଫା କରି ପାଣି ନିଗଡ଼ିକି ରଖିବେ[୬]।ସେଥିରେ ମୁଗ ଡାଲିକି ବାଛି ପରିଷ୍କାର ଭାବରେ ଧୋଇ ଧୁଆ ଚାଉଳରେ ମିଶାଇ ହଳଦୀ ଗୁଣ୍ଡ ଗୋଳାଇ କରି ରଖି ଦିଅନ୍ତୁ।ଚୁଲିରେ ପାତ୍ର ବସାଇ ସେଥିରେ ଦରକାର ଅନୁସାରେ ପାଣି ଗରମ କରନ୍ତୁ।ପାଣି ଗରମ ହୋଇଗଲେ ପ୍ରସ୍ତୁତ ମୁଗ ମିଶା ଚାଉଳ ସେଥିରେ ପକାନ୍ତୁ।ଏହାପରେ ସେଥିରେ ଲୁଣ, ଚିନି ଓ ତେଜପତ୍ର ପକାଇ ଘୋଡ଼ଣୀ ରେ ଘୋଡାଇ ଦିଅନ୍ତୁ।

ଚାଉଳ ଫୁଟି ଭାତ ହୋଇଆସିଲେ ନିଆଁ କମାଇ ଦିଅନ୍ତୁ।ଏହାକୁ ମଝିରେ ମଝିରେ ଗୋଳାଇ ଦେବେ ନଚେତ୍ ତଳୁ ଲାଗି ପୋଡିଯିବ।ଏହା ହୋଇଆସିଲେ ସେଥିରେ କୋରା ନଡ଼ିଆ, ଘିଅ ଓ ଗୁଣ୍ଡ ଡାଲଚିନି ପକାଇ ଭଲକରି ଗୋଳାଇ ଦିଅନ୍ତୁ।ଏଥର ପ୍ରସ୍ତୁତ ହୋଇଗଲା ମିଠା ଖେଚୁଡ଼ି।

ମିଠା ପଲାଉ[ସମ୍ପାଦନା]

  • ଉପକରଣ:ଆରୁଆ ଚାଉଳ ଅଧ କିଲୋ, ଗୁଆଘିଅ ୧୫୦ ଗ୍ରାମ, ତେଜପତ୍ର, ୩ ଟା, ଚିନି ୨୫୦ ଗ୍ରାମ, ହଳଦୀ ଗୁଣ୍ଡ ଅଧ ଚାମଚ ଓ ଦରକାର ଅନୁସାରେ ଅଳେଇଚ ଓ ପାଣି ନେବେ।
  • ପ୍ରସ୍ତୁତ:ପ୍ରଥମ କାର୍ଯ୍ୟ ହେଉଛି ଚାଉଳକୁ ଭଲକରି ବାଛିବେ ଓ ପରିଷ୍କାର କରି ଧୋଇ ନିଗାଡିବେ।ଅଳେଇଚକୁ ଛେଚି ରଖିବେ।ଖିସ୍ ମିସ୍ କୁ ଅଳ୍ପ ଭାଜି ରଖିବେ।ପ୍ରଥମେ ପାତ୍ରକୁ ଚୁଲିରେ ବସାଇ ଗରମ କରି ଦେବେ।ପାତ୍ରଟି ଗରମ ହୋଇଗଲେ ସେଥିରେ ଘିଅ ପକାଇବେ।ଘିଅ ଲାଲ ଦେଖାଗଲେ ଚିନି ପକାଇବେ।ଚିନି ପକାଇ ତାକୁ ଘାଣ୍ଟି ଦେବେ।ଚିନି ଘିଅରେ ଭଲକରି ମିଶିଗଲେ ସେଥିରେ ଧୁଆ ଚାଉଳ ପକାଇ ଅଳ୍ପ ସମୟ ଭାଜି ଯେତିକି ଦରକାର ସେତିକି ପାଣି ଦେବେ।ଜାଳ କମାଇ ଦେବେ।ସେଥିରେ ରଖାଯାଇଥିବା ତେଜପତ୍ର ଓ ହଳଦୀ ଗୁଣ୍ଡ କୁ ପକାଇ ଦେବେ।ପଲାଉ ଯେପରି ପାତ୍ରରେ ନ ଲାଗି ରହିବ, ସେଥିପ୍ରତି ସବୁବେଳେ ଦୃଷ୍ଟି ଦଉଥିବେ।ପଲାଉ ହୋଇ ଆସିଲେ ସେଥିରେ ଖିସ୍ ମିସ୍ ପକାଇ ଘାଣ୍ଟି ଦେବେ।ଶେଷକୁ ମିଠା ପଲାଉ ଉପରେ ଅଳେଇଚକୁ ସବୁଆଡେ ପକାଇ ଘୋଡ଼ଣି ବନ୍ଦ କରି ଘୋଡାଇ ଦେବେ।ଏଥର ମିଠା ପଲାଉ ପ୍ରସ୍ତୁତ ହୋଇଗଲା।

ଦହି ପଖାଳ[ସମ୍ପାଦନା]

  • ଉପକରଣ:ଆରୁଆ ଚାଉଳ ୫୦୦ ଗ୍ରାମ, ଦହି ୧୨୫୦ ଗ୍ରାମ, ଖଟା କମଳା ପତ୍ର ୮ ଟା, ଅଦା ୫୦ ଗ୍ରାମ, ଲୁଣ ୧୦୦ ଗ୍ରାମ, ଜିରା ଅଳ୍ପ, ଖଟା କମଳା ୨ ଟା ଏବଂ ଦରକାର ଅନୁଯାୟୀ ପାଣି ନେବେ।
  • ପ୍ରସ୍ତୁତି:ପ୍ରଥମେ ଚାଉଳକୁ ଭଲକରି ଧୋଇ ନିଗାଡ଼ି ରଖିବେ।ତା' ପରେ ପାତ୍ରରେ ପାଣି ଫୁଟାଇ ସେହି ପାଣିରେ ଧୁଆ ଚାଉଳ ପକାଇ ଭାତ କରିବେ।ଏହାପରେ ଭାତକୁ ଗାଳିବେ।ଭାତ ଗଳା ସରିବା ପରେ ଭାତକୁ ଥଣ୍ଡା ହେବାପାଇଁ ଛାଡ଼ି ଦେବେ।ଭାତ ଥଣ୍ଡା ହୋଇଗଲେ ସେଥିରେ ପାଣି ପୂରାଇ ଧୋଇ ଦେବେ।

ଏହି ଧୁଆ ଭାତରେ ଦରକାର ଅନୁସାରେ ପାଣି ରଖିବେ।ଏହାପରେ ଦହି ମିଶାଇବେ।ଅଦାକୁ ସଫା କରି ଛେଚି ସେହି ଭାତରେ ପକାଇବେ।ଆବଶ୍ୟକ ଅନୁଯାୟୀ ଲୁଣ ମିଶାଇବେ ଯେପରି ଲୁଣିଆ ନ ହୋଇଯାଏ।ଜିରାକୁ କରେଇରେ ଅଳ୍ପ ଭାଜି ଥଣ୍ଡା କରି ଏହି ଭାତରେ ମିଶାଇବେ।ସବୁ ମିଶି ସାରିବା ପରେ ଭାତକୁ ଭଲକରି ଗୋଳାଇ ଦେବେ।ଏଥର ଦହି ପଖାଳ ପ୍ରସ୍ତୁତ ହୋଇଗଲା।

ମିଠା ଡାଲି[ସମ୍ପାଦନା]

  • ଉପକରଣ:ହରଡ଼ ଡାଲି ୨୫୦ ଗ୍ରାମ, ଅଦା ଛୋଟ ଖଣ୍ଡେ, ସୋରିଷ ୧/୪ ଚାମଚ, ଗୁଆଘିଅ ୧ ଚାମଚ, ଚିନି ୫ ଚାମଚ, ଦରକାର ଅନୁସାରେ ହଳଦୀ ଗୁଣ୍ଡ, ଲୁଣ ଓ ପାଣି ନେବେ।
  • ପ୍ରସ୍ତୁତି:ହରଡ଼ ଡାଲିକୁ ଭଲଭାବେ ଧୋଇ ଵତୁରାଇ ରଖିବେ।ହରଡ଼ ଡାଲି କିଛି ସମୟ ଵତୁରିଗଲା ପରେ ସେଥିରେ ଲୁଣ ଓ ହଳଦୀ ଗୁଣ୍ଡ ମିଶାଇ ବେଶି ପାଣି ନ ଦେଇ ପାତ୍ରରେ ସିଝାଇ ଦେବେ।ଅଦାରୁ ଚୋପା ଛଡାଇ ତାକୁ ଭଲଭାବେ ଧୋଇ ଛେଚି ରଖିବେ।ହରଡ଼ ଡାଲି ସିଝିଗଲା ପୂର୍ବରୁ ପ୍ରସ୍ତୁତ ଅଦା ଛେଚା ଓ ଚିନି ପକାଇ ଭଲକରି ଫୁଟାଇ ତଳକୁ ଓହ୍ଲାଇ ଦେବେ।ଅନ୍ୟ ଏକ ପାତ୍ରରେ ଗରମ ଘିଅରେ ସୋରିଷ ଫୁଟାଇ ସିଝା ହରଡ଼ ଡାଲିକୁ ପକାଇ ଭଲକରି ଫୁଟାଇ ତଳକୁ ଓହ୍ଲାଇ ଦେବେ।ଏଥର ମିଠା ଡାଲି ପ୍ରସ୍ତୁତ ହୋଇଗଲା।

ଡାଲମା[ସମ୍ପାଦନା]

  • ଉପକରଣ:ହରଡ଼ ଡାଲି ୩ କପ, କଞ୍ଚା କଦଳୀ ୪ ଟା, ମୂଳା ୧ ଟା, କଖାରୁ ୨୦୦ ଗ୍ରାମ, ପୋଟଳ ୭ଟା, ଦେଶୀଆଳୁ (ଖମ୍ବଆଳୁ) ୩୦୦ ଗ୍ରାମ, କନ୍ଦମୂଳ ୨୦୦ ଗ୍ରାମ, କୋରା ନଡ଼ିଆ ୨ କପ, ତେଜପତ୍ର ୫ ଟା, ଗୁଆଘିଅ ୪ ଚାମଚ, ଅଦା ୫୦ ଗ୍ରାମ, ଚିନି ୨ ଚାମଚ, ଲୁଣ ୫୦ ଗ୍ରାମ, ଜିରା ୨୫ ଗ୍ରାମ, ନାଡ଼ି ୨୦୦ ଗ୍ରାମ, ଦରକାର ଅନୁସାରେ ହଳଦୀ ଗୁଣ୍ଡ ଓ ପାଣି ନେବେ।
  • ପ୍ରସ୍ତୁତି:ପ୍ରଥମ କାର୍ଯ୍ୟ ହେଉଛି ସବୁ ପନିପରିବାକୁ ଧୋଇ ଭଲଭାବେ ଛୋଟ ଛୋଟ କରି କାଟି ରଖନ୍ତୁ।ହରଡ଼ ଡାଲିରୁ ଗୋଡ଼ି ଓ ଅଳିଆ ସବୁ ବାଛି ପରିଷ୍କାର କରି ଧୋଇ ଵତୁରାଇ ଦିଅନ୍ତୁ।ହରଡ଼ ଡାଲିରେ ଲୁଣ, ହଳଦୀ ଓ ଆବଶ୍ୟକ ପରିମାଣର ପାଣି ମିଶାଇ ସିଝାନ୍ତୁ।ହରଡ଼ ଡାଲି ସିଝିଗଲେ ସେଥିରେ ସବୁ ପନିପରିବା, ଚିନି, ଛେଚା ଅଦା, ତେଜପତ୍ର ପକାଇ ଆଉଥରେ ସିଝାନ୍ତୁ।ସିଝିଗଲେ ତଳକୁ ଓହ୍ଲାଇ ଦିଅନ୍ତୁ।

ଅନ୍ୟ ଏକ ପାତ୍ରରେ ଘିଅ ଗରମ କରି ସେଥିରେ ଜିରା ପକାଇ ଫୁଟାନ୍ତୁ।ଫୁଟଣ ଫୁଟିଗଲେ ସେଥିରେ ସିଝା ଡାଲମାକୁ ପକାଇ ଓ ଦରକାର ମୁତାବକ ପାଣି ଦେଇ ଘୋଡେଇ ଦିଅନ୍ତୁ। ଡାଲମା ହୋଇ ଆସିଲେ ସେଥିରେ କୋରା ନଡ଼ିଆ ଓ ନାଡ଼ି ପକାଇ ଗୋଳାଇ ଦିଅନ୍ତୁ।ଏଥର ଡାଲମା ପ୍ରସ୍ତୁତ ହୋଇଗଲା।

ମସଲା ଡାଲମା[ସମ୍ପାଦନା]

  • ଉପକରଣ:ହରଡ଼ ଡାଲି ୨ କପ, ଦେଶୀଆଳୁ (ଖମ୍ବଆଳୁ) ୨୦୦ ଗ୍ରାମ, କଞ୍ଚା କଦଳୀ ୩ ଟା, କଖାରୁ ୧୫୦ ଗ୍ରାମ, ମୂଳା ୧ ଟା, ପୋଟଳ ୫ଟା, କନ୍ଦମୂଳ ୧୦୦ ଗ୍ରାମ, ନଡ଼ିଆ କୋରା ୧ କପ, ଗୁଆଘିଅ ୩ ଚାମଚ,ତେଜପତ୍ର ୪ ଟା, ଛେଚା ଅଦା ୪୦ ଗ୍ରାମ, ଲୁଣ ୩୦ ଗ୍ରାମ, ଚିନି ୧ ଚାମଚ, ଜିରା ୫୦ ଗ୍ରାମ, ନାଡ଼ି ୧୦୦ ଗ୍ରାମ ଓ ଆବଶ୍ୟକ ଅନୁଯାୟୀ ହଳଦୀ ଗୁଣ୍ଡ ଓ ପାଣି ନେବେ।
  • ପ୍ରସ୍ତୁତି:ପ୍ରଥମ କାର୍ଯ୍ୟ ହେଲା ସବୁ ପନିପରିବାକୁ ଭଲକରି ଧୋଇ ଛୋଟ ଛୋଟ କରି କାଟି ରଖନ୍ତୁ।ହରଡ଼ ଡାଲିକୁ ଭଲଭାବେ ବାଛି ଵତୁରାଇ ଦିଅନ୍ତୁ।ଅଧେ ଜିରା ଆଣି ତାକୁ ଗୁଣ୍ଡ କରି ରଖନ୍ତୁ।ହରଡ଼ ଡାଲିକୁ ଲୁଣ ଓ ହଳଦୀ ଗୁଣ୍ଡ ଦେଇ ସିଝାନ୍ତୁ।ତା' ପରେ ସିଝା ହରଡ଼ ଡାଲିରେ କଟା ପନିପରିବା, ଛେଚା ଅଦା, କୋରା ନଡ଼ିଆ ପକାଇ ସିଝାନ୍ତୁ।ସିଝିଗଲା ପରେ ତାକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ।

ଅନ୍ୟ ଏକ ପାତ୍ରରେ ଘିଅ ଗରମ କରନ୍ତୁ ଓ ଗରମ ଘିଅରେ ତେଜପତ୍ର ଓ ଜିରା ପକାଇ ଫୁଟାନ୍ତୁ।ଫୁଟିଗଲେ ସେଥିରେ ଆଗରୁ ସିଝିଥିବା ଡାଲିକୁ ପକାଇ ବଗାଡ଼ନ୍ତୁ।ବଗାଡି ଦେଲା ପରେ ଆଗରୁ ଥିବା ଜିରା, କୋରା ନଡ଼ିଆ, ଜିରା, ଲଙ୍କାଗୁଣ୍ଡ ଓ ନାଡ଼ି ପକାଇ ଗୋଳାଇ ଦିଅନ୍ତୁ।ଆପଣ ଯେତିକି ରାଗ ଖାଇବେ ସେହି ଅନୁସାରେ ଲଙ୍କାଗୁଣ୍ଡ ପକାଇବେ।ବର୍ତ୍ତମାନ ମସଲା ଡାଲମା ପ୍ରସ୍ତୁତ ହୋଇଗଲା।

ମହୁର[ସମ୍ପାଦନା]

  • ଉପକରଣ:ଦେଶୀଆଳୁ ବା ଖମ୍ବଆଳୁ ୨୫୦ ଗ୍ରାମ, କନ୍ଦମୂଳ ୧୦୦ ଗ୍ରାମ, କଖାରୁ ୧୫୦ ଗ୍ରାମ, ପୋଟଳ ୮ ଟା, କଞ୍ଚା କଦଳୀ ୩ ଟା, ବିରିବଡ଼ି ୧୨ ଟା, ତେଜପତ୍ର ୫ ଟା, ଜିରା ୨ ଚାମୁଚ, ଗୁଆଘିଅ ୬ ଚାମଚ, ଦରକାର ଅନୁଯାୟୀ ଲୁଣ, ହଳଦୀ ଗୁଣ୍ଡ ଓ ପାଣି ନେବେ।
  • ପ୍ରସ୍ତୁତି:ପ୍ରଥମେ ସମସ୍ତ ପନିପରିବା କୁ ଭଲକରି ଧୋଇ କାଟି ଛୋଟ ଛୋଟ କରି ଦିଅନ୍ତୁ।ଜିରାକୁ ଅଧେ ଭାଜି ଗୁଣ୍ଡ କରି ରଖନ୍ତୁ।ପରିବା ସହିତ ଆବଶ୍ୟକ ଅନୁସାରେ ହଳଦୀ ଗୁଣ୍ଡ ଓ ଲୁଣକୁ ମିଶାଇ ସିଝାନ୍ତୁ।ବିରିବଡ଼ିକୁ ଭାଜି ଖଣ୍ଡ ଖଣ୍ଡ କରି ଦିଅନ୍ତୁ।୬ ଚାମଚ ଘିଅ ଗୋଟେ ପାତ୍ରରେ ଗରମ କରି ସେଥିରେ ତେଜପତ୍ର ଓ ଅବଶିଷ୍ଟ ଜିରା ପକାଇ ଫୁଟାନ୍ତୁ।ଏଥିରେ ସିଝା ପନିପରିବା ଓ ଭଜା ଖଣ୍ଡ ବଡ଼ିକୁ ପକାନ୍ତୁ।ଦରକାର ଅନୁଯାୟୀ ପାଣି ଦେଇ କୁ ଭଲକି ଖରଡ଼ି ଦିଅନ୍ତୁ।ତରକାରୀରେ ବେଶୀ ପାଣି ଦେବା ଉଚିତ୍ ନୁହେଁ।ତରକାରୀ ଜୁକୁଜୁକିଆ ହେବା ଦରକାର।ତରକାରୀ ଭଲକରି ଫୁଟିଗଲେ ସେଥିରେ ଆଗରୁ ଭଜା ହୋଇ ରହିଥିବା ଜିରାଗୁଣ୍ଡ ଭଲକରି ଗୋଳାଇ ଦେବେ।ବର୍ତ୍ତମାନ ମହୁର ପ୍ରସ୍ତୁତ ହୋଇଗଲା।

ବେସର[ସମ୍ପାଦନା]

  • ଉପକରଣ:ବତୁରା ଗୋଟା ବୁଟ ୧୫୦ ଗ୍ରାମ,ଗୁଆଘିଅ ୧୫୦ ଗ୍ରାମ, ଦେଶୀଆଳୁ(ଖମ୍ବଆଳୁ) ୩୦୦ ଗ୍ରାମ, କଖାରୁ ୨୦୦ ଗ୍ରାମ, କୋରା ନଡ଼ିଆ ୨ କପ, ପୋଟଳ ୧୦ ଟା, କନ୍ଦମୂଳ ୧୫୦ ଗ୍ରାମ, ନାଡ଼ି ୧୫୦ ଗ୍ରାମ, ଅଦା ଛୋଟ ଖଣ୍ଡେ, ଗୋଲମରିଚ ଗୁଣ୍ଡ ୮ ଗ୍ରାମ, ଧନିଆ ୧୦ ଗ୍ରାମ, ଡାଲଚିନି ୧୫ ଗ୍ରାମ, ମଧୁରିଗୁଣ୍ଡ ୧୦ ଗ୍ରାମ, ବଟା ସୋରିଷ ୩୦ ଗ୍ରାମ, ଚିନି ୫୦ଗ୍ରାମ, ଗୋଟା ଜିରା ୧୦ ଗ୍ରାମ, ଦରକାର ଅନୁସାରେ ହଳଦୀ ଗୁଣ୍ଡ, ଲୁଣ ଓ ପାଣି ନେବେ।
  • ପ୍ରସ୍ତୁତି:ପ୍ରଥମେ ପନିପରିବାକୁ ପରିଷ୍କାର କରି ଧୋଇ କାଟି ଛୋଟ ଛୋଟ କରି କାଟି ରଖନ୍ତୁ।ଅଧେ ଗୁଆଘିଆରେ ଧୁଆ ହୋଇଥିବା ପନିପରିବାକୁ ପକାଇ ଲୁଣ ଓ ହଳଦୀ ଗୁଣ୍ଡ ଦେଇ ଭାଜନ୍ତୁ।ଏଗୁଡିକ ଅଳ୍ପ ସିଝିଗଲା ପରେ ସେଥିରେ ଦରକାର ଅନୁସାରେ ପାଣି ଦେଇ ତହିଁରେ କୋରା ନଡ଼ିଆ, ମଧୁରିଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଡାଲଚିନି ଗୁଣ୍ଡ, ଅଧେ ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ସୋରିଷ ବଟା ଅଦା ଛେଚା ଓ ଚିନି ପକାଇ ସିଝାନ୍ତୁ।

ଅନ୍ୟ ଏକ ପାତ୍ରରେ ଅବଶିଷ୍ଟ ଘିଅ ପକାଇ ଗରମ କରନ୍ତୁ।ସେହି ଗରମ ଘିଅରେ ବାକି ଜିରା ପକାଇ ଭାଜନ୍ତୁ।ଏହା ଫୁଟିଗଲେ ସେଥିରେ ଆଗରୁ ପ୍ରସ୍ତୁତ ସିଝା ପନିପରିବା ପକାଇବେ।ଏଥିସହିତ ନାଡ଼ି ଓ ଡାଲଚିନି ଗୁଣ୍ଡକୁ ଭଲକରି ମିଶାଇବେ।ଏଥର ବେସର ପ୍ରସ୍ତୁତ ହୋଇଗଲା।

ପୋଟଳ ରସା[ସମ୍ପାଦନା]

  • ଉପକରଣ:ପୋଟଳ ୧ କିଲୋ, କୋରା ନଡ଼ିଆ ୨ କପ, ଛୋଟ ଅଦା ଖଣ୍ଡେ, ଗୁଆଘିଅ ୨ କପ, ଜିରା ୨ ଚାମଚ, ଚିନି ୧ କପ, ଲୁଣ ୫୦ ଗ୍ରାମ, ଆବଶ୍ୟକ ଅନୁସାରେ ହଳଦୀ ଗୁଣ୍ଡ ଓ ପାଣି ଦେବେ।
  • ପ୍ରସ୍ତୁତି:ପ୍ରଥମେ ପୋଟଳକୁ ପରିଷ୍କାର କରି ଧୋଇ ସଫା କରି ରଖନ୍ତୁ।ତା'ପରେ ପୋଟଳକୁ ରାମ୍ପି ଉପର ପରସ୍ତ ଚୋପା ସଫା କରନ୍ତୁ।ଛୋଟ ଛୋଟ ପୋଟଳ ଥିଲେ ଦୁଇଗଡ଼ ଓ ବଡ଼ ବଡ଼ ପୋଟଳ ଥିଲେ ତାକୁ ତିନି ଗଡ଼ କରନ୍ତୁ।ସେଥିରେ ଆବଶ୍ୟକ ଅନୁଯାୟୀ ଲୁଣ ଓ ହଳଦୀ ଗୋଳାଇ ରଖନ୍ତୁ।ଅଦାକୁ ପରିଷ୍କାର କରି ଧୋଇ ରଖନ୍ତୁ ତା' ପରେ କୋରା ନଡ଼ିଆ, ଅଦା ଓ ଜିରାକୁ ମିଶାଇ ବାଟନ୍ତୁ।ଗରମ ଘିଅ ପାତ୍ରରେ କଟା ପୋଟଳକୁ ଛାଣି ରଖନ୍ତୁ।ତା' ପରେ ଅନ୍ୟ ଏକ ପାତ୍ରରେ ଅଳ୍ପ ଗରମ ଘିଅରେ ଚିନି ପକାଇ ଭାଜନ୍ତୁ।ଚିନି ବାଦାମୀ ରଙ୍ଗ ହୋଇଗଲେ ଆଗରୁ ପ୍ରସ୍ତୁତ କୋରାନଡ଼ିଆ, ଜିରା ଓ ଅଦା ବଟା ଏବଂ ଛଣା ପୋଟଳ ପକାଇ ଭଲକରି କଷନ୍ତୁ।ଛଣା ପୋଟଳ ଠିକ୍ ଭାବେ କଷା ହୋଇଗଲା ପରେ ପାଣି, ଲୁଣ ଓ ହଳଦୀ ଗୁଣ୍ଡ ଦେଇ ତାକୁ ଫୁଟାନ୍ତୁ।ପୋଟଳ ତରକାରୀ ଠିକ୍ ଭାବେ ହୋଇଗଲେ ତାକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ।ବର୍ତ୍ତମାନ ପୋଟଳ ରସା ପ୍ରସ୍ତୁତ ହୋଇଗଲା।

ଚଣାମସଲା ତରକାରୀ[ସମ୍ପାଦନା]

  • ଉପକରଣ:ଚଣା ବା କାବୁଲି ବଡ଼ ବୁଟ ୫୦୦ ଗ୍ରାମ, କୋରା ନଡ଼ିଆ ୨ କପ, ତେଜପତ୍ର ୩ ଟା, ଜିରା ୪ ଚାମଚ, ଗୁଆଘିଅ ୪ ଚାମଚ, ଅଦା ୨୦ ଗ୍ରାମ, ଆବଶ୍ୟକ ଅନୁଯାୟୀ ଚିନି, ଲୁଣ, ହଳଦୀ ଓ ପାଣି ନେବେ।
  • ପ୍ରସ୍ତୁତି:ପ୍ରଥମେ କାବୁଲି ବୁଟକୁ ପରିଷ୍କାର କରି ଧୋଇ ଅତି କମ୍ ରେ ୩ ଘଣ୍ଟା ଵତୁରାଇ ରଖିବେ।କୋରା ନଡ଼ିଆ ଧୁଆ ଅଦା ଓ ଜିରାକୁ ମିଶାଇ ବାଟି ରଖିବେ।ଗୋଟେ ପାତ୍ରରେ ଅଳ୍ପ ପାଣି ଦେଇ ବତୁରା କାବୁଲି ବୁଟ ଆବଶ୍ୟକ ଅନୁସାରେ ଲୁଣ, ଚିନି, ହଳଦୀ ଗୁଣ୍ଡ ଦେଇ ସିଝେଇବେ।କାବୁଲି ବୁଟ ସିଝିଗଲେ ତାକୁ ତଳକୁ ଓହ୍ଲାଇ ରଖିବେ।ଅନ୍ୟ ଏକ ପାତ୍ରରେ ଘିଅ ଗରମ କରି ସେଥିରେ ବଟା ମସଲା(ଅଦା, ନଡ଼ିଆ କୋରା, ଜିରା) ଓ ତେଜପତ୍ରକୁ ପକାଇ କଷିବେ। ଏହା ଠିକ୍ ଭାବେ କଷି ହୋଇଗଲେ ସେଥିରେ ପୂର୍ବ ପ୍ରସ୍ତୁତ କାବୁଲି ବୁଟ ପକାଇ ଆବଶ୍ୟକ ଅନୁସାରେ ପାଣି ଦେଇ କଷନ୍ତୁ।ଏହାକୁ ଜୁକୁଜୁକିଆ କରିବେ।ଏହାପରେ ଏହାକୁ ଚୁଲିରୁ ଓହ୍ଲାଇ ଦେବେ।ଏଥର ଚଣା ମସଲା ତରକାରୀ ପ୍ରସ୍ତୁତ ହୋଇଗଲା।

ଗୋଟା ବାଇଗଣ ତରକାରୀ[ସମ୍ପାଦନା]

  • ଉପକରଣ:ବାଇଗଣ ୮ ଟା, ଗୁଆଘିଅ ୧କପ, କୋରା ନଡ଼ିଆ ୧ କପ, ଜିରା ୧ ଚାମଚ, ଅଦା ଛୋଟ ଖଣ୍ଡେ, ଆବଶ୍ୟକ ଅନୁସାରେ ହଳଦୀ ଗୁଣ୍ଡ ଓ ଲୁଣ ନେବେ।
  • ପ୍ରସ୍ତୁତି: ପ୍ରଥମେ ବାଇଗଣ ତଳପଟୁ( ଡେମ୍ଫ ପଟୁ ନୁହେଁ) ଅଧା ପର୍ଯ୍ୟନ୍ତ ଚାରି ଫାଳ କରି କାଟି ଦିଅନ୍ତୁ।ଏବଂ ତାକୁ ପାଣିରେ ପକାନ୍ତୁ।ସାବଧାନ, ଯେପରି ବାଇଗଣ ଗୋଟା ରହେ।ଏହାପରେ ବାଇଗଣକୁ ଗରମ ଘିଅରେ ଛାଣି ରଖନ୍ତୁ।ଜିରା, ଅଦା ଓ କୋରା ନଡ଼ିଆକୁ ବାଟି ରଖନ୍ତୁ।ତା'ପରେ ବଟା ମସଲାକୁ ଗୁଆଘିଅରେ କଷନ୍ତୁ।ମସଲା ଲାଲ୍ ହୋଇ ଆସିଲେ ସେଥିରେ ଛଣା ବାଇଗଣ, ଦରକାର ଅନୁଯାୟୀ ଲୁଣ, ହଳଦୀଗୁଣ୍ଡ ପାଣି ଦେଇ ତାକୁ ଫୁଟାନ୍ତୁ।ବେଶୀ ପାଣି ଦେବେନି ଗୋଟା ବାଇଗଣ ଲଟପଟ ହୋଇ ମସଲାରେ ମିଶିବା ଦରକାର।ଗୋଟା ବାଇଗଣ ତରକାରୀ ପ୍ରସ୍ତୁତ ହୋଇଗଲେ ତାକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ।ବର୍ତ୍ତମାନ ଗୋଟା ବାଇଗଣ ତରକାରୀ ପ୍ରସ୍ତୁତ ହୋଇଗଲା।

ପୋଟଳ କୁରୁମା[ସମ୍ପାଦନା]

  • ଉପକରଣ:ପୋଟଳ ୫୦୦ ଗ୍ରାମ,ପେସ୍ତା ବାଦାମ ୫୦ ଗ୍ରାମ,ନଡିଆ ଫାଳେ, ଗୁଆଘିଅ ୧୦୦ ଗ୍ରାମ, ଅଳେଇଚ ୪ ଟା,ଡାଲଚିନି ଖଣ୍ଡେ, ଅଦା ବଡ଼ ଖଣ୍ଡେ, ଜିରା ବଡ଼ ଚାମଚ, ତେଜପତ୍ର ୨ଟା, ଦରକାର ଅନୁସାରେ ହଳଦୀ ଗୁଣ୍ଡ, ଲୁଣ ଓ ପାଣି ନେବେ।
  • ପ୍ରସ୍ତୁତି:ପ୍ରଥମେ ପୋଟଳର ଚୋପା ରାମ୍ପି ତାର ଦୁଇ ପଟୁ ଦୁଇ ଭୁଣ୍ଡି ଓ ମଝି କାଟି ଦିଅନ୍ତୁ, ଯେମିତିକି ଏହା ଗୋଟା ହୋଇ ରହିବ ଓ ମଝି କାଟିବା ଦ୍ୱାରା ଘିଅ, ମସଲା, ପୋଟଳ ମଧ୍ୟକୁ ଯାଇ ମିଶିଵ।ଏହାକୁ ଭଲକରି ଧୋଇ ଘିଅ ରେ ଭାଜନ୍ତୁ।ଗରମ ଘିଅରେ ସବୁ ମସଲା ପକାଇ ଅଳ୍ପ କଷନ୍ତୁ।ମସଲା ଅଳ୍ପ ରାନ୍ଧି ହୋଇଗଲେ ସେଥିରେ ଗୋଟା ପୋଟଳ, ଲୁଣ ଓ ହଳଦୀ ଗୁଣ୍ଡ ପକାଇ ଭଲକରି କଷନ୍ତୁ।ତା' ପରେ ସେଥିରେ ଅଳ୍ପ ଗରମ ପାଣି ଦେଇ ପୋଟଳ କୁରୁମାକୁ ଜୁକୁଜୁକିଆ କରନ୍ତୁ।ଏହା ପ୍ରସ୍ତୁତ ହୋଇଗଲେ ସେଥିରେ ଡାଲଚିନି ଓ ଅଳେଇଚ ଗୁଣ୍ଡ ତରକାରୀ ଉପରେ ଦେଇ ଚୁଲ୍ଲି ରୁ ଓହ୍ଲାନ୍ତୁ।ଏଥର ପୋଟଳ କୁରୁମା ପ୍ରସ୍ତୁତ ହୋଇଗଲା।

ଛେନା ରସା[ସମ୍ପାଦନା]

  • ଉପକରଣ:ଛଣା ଛେନା ୫୦୦ ଗ୍ରାମ, ଚିନି ୫୦ ଗ୍ରାମ, ଗୁଆଘିଅ ୧୦୦ ଗ୍ରାମ, ନଡିଆ ୧ଟା,ଗୋଲମରିଚ ୫ ଗ୍ରାମ, ଜିରା ୧୦ ଗ୍ରାମ, ଅଳେଇଚ ୫ ଗ୍ରାମ, ଡାଲଚିନି ୨ ଖଣ୍ଡ (ବଡ଼), ପେସ୍ତା ବାଦାମ ୧୫ ଗ୍ରାମ, ଅଦା ଖଣ୍ଡେ, ତେଜପତ୍ର ୨ଟା, ଫୁଟଣ ୧ ଚାମଚ, ଆଵଶ୍ୟକ ଅନୁଯାୟୀ ଲୁଣ, ହଳଦୀ ଗୁଣ୍ଡ ଓ ପାଣି ନେବେ।
  • ପ୍ରସ୍ତୁତି:ପ୍ରଥମେ ସବୁ ମସଲା ଓ ନଡିଆ ବାଟି ଦିଅନ୍ତୁ।ଗରମ ଘିଅରେ ୨୫ ଗ୍ରାମ ଚିନି ପକାନ୍ତୁ, ଚିନି ଲାଲ ହୋଇଗଲେ ଫୁଟଣ ସେଥିରେ ପକାନ୍ତୁ।ଫୁଟଣ ଫୁଟିଗଲେ ସେଥିରେ ବଟା ମସଲା, ନଡିଆ, ଲୁଣ ଓ ହଳଦୀ ଗୁଣ୍ଡ ପକାଇ ଅଳ୍ପ କଷନ୍ତୁ।ଏହା କଷି ହୋଇଗଲେ ଦରକାର ଅନୁଯାୟୀ ପାଣି ଦିଅନ୍ତୁ।କିଛି ସମୟ ଏହା ଫୁଟିଗଲେ ଛଣା ଛେନାକୁ ସେଥିରେ ପକାନ୍ତୁ।ରଖାଯାଇଥିବା ବାକି ଅଧା ଚିନିକୁ ତରକାରୀ ଉପରେ ପକାଇ ଗୋଳାନ୍ତୁ।ତରକାରୀ ପ୍ରସ୍ତୁତ ହୋଇଆସିଲେ ଶେଷରେ ଡାଲଚିନି ଓ ଅଳେଇଚ ଗୁଣ୍ଡ କରି ସେଥିରେ ପକାଇ ଗୋଳାଇ ତଳକୁ ଓହ୍ଲାନ୍ତୁ।ବର୍ତ୍ତମାନ ଛେନା ରସା ପ୍ରସ୍ତୁତ ହୋଇଗଲା।

ଶିମ୍ଵରାଇ[ସମ୍ପାଦନା]

  • ଉପକରଣ:ଶିମ୍ଵ ୨୫୦ ଗ୍ରାମ,ଗୁଆଘିଅ ୨ ଚାମଚ, ଫୁଟଣ ୧ ଚାମଚ, ଚିନି ୧ ଚାମଚ, ସୋରିଷ ୨ ଚାମଚ, ଜିରା ୧ ଚାମଚ, ବିରିବଡ଼ି ୧୦ ଟା, ନଡିଆ ଫାଳେ, ଆବଶ୍ୟକ ଅନୁଯାୟୀ ଲୁଣ ଓ ପାଣି ନେବେ।
  • ପ୍ରସ୍ତୁତି:ପ୍ରଥମେ ଗରମ ଘିଅରେ ଫୁଟଣ ପକାଇ ଫୁଟାନ୍ତୁ।ଶିମ୍ଵକୁ ଛୋଟ ଛୋଟ କରି କାଟି ପାଣିରେ ଧୋଇ ତାକୁ ଅଳ୍ପ ଭାଜନ୍ତୁ।ଜିରା ଓ ସୋରିଷ ବାଟି ଶିମ୍ଵରେ ପକାଇ ଘୋଡାଇ ଘୋଡାଇ ଅଳ୍ପ ଆଞ୍ଚରେ ଘାଣ୍ଟୁଥିବେ।ଅଳ୍ପ ଗରମ ପାଣି ଏହି ରାଇରେ ମିଶାଇ ଅଳ୍ପ ଜାଳରେ ରଖନ୍ତୁ। ଶିମ୍ଵ ସିଝି ରାଇ ପ୍ରସ୍ତୁତ ହୋଇଗଲେ ଏହାକୁ ତଳକୁ ଓହ୍ଲାଇ ଦିଅନ୍ତୁ ଓ ସ୍ଵାଦିଷ୍ଟ ହେବା ପାଇଁ ଶିମ୍ଵ ରାଇରେ ଗୁଣ୍ଡ ଚିନି ମିଶାନ୍ତୁ।ବର୍ତ୍ତମାନ ଶିମ୍ଵରାଇ ପ୍ରସ୍ତୁତ ହୋଇଗଲା।

ଦହି ବାଇଗଣ[ସମ୍ପାଦନା]

  • ଉପକରଣ:ଭଲ ବାଇଗଣ ୨୫୦ଗ୍ରାମ, ଆମ୍ବ କଷିଆ ଅଦା ଖଣ୍ଡେ, ଦହି ୨୦୦ ଗ୍ରାମ, ଗୁଆଘିଅ ୨୦୦ ଗ୍ରାମ, ଭୃସୁଙ୍ଗା ପତ୍ର ୨ ଶାଖା,ପଞ୍ଚୁଫୁଟଣ ୧ ଚାମଚ, ଜିରା ଗୁଣ୍ଡ ୧ ଚାମଚ,ଆବଶ୍ୟକ ଅନୁସାରେ ଲୁଣ ଓ ଚିନି ନେବେ।
  • ପ୍ରସ୍ତୁତି:ପ୍ରଥମେ ବାଇଗଣକୁ ସରୁ ସରୁ କରି କାଟି ପାଣିରେ ଧୋଇ ଘିଅରେ ଛାଣି ସିଝିଲା ପରେ ଓହ୍ଲାଇ ରଖନ୍ତୁ।ଛଣା ବାଇଗଣ ଥଣ୍ଡା ହୋଇଗଲେ ସେଥିରେ ଦହି ମିଶାନ୍ତୁ।ଗରମ ଘିଅରେ ଫୁଟଣ ଓ ଭୃସୁଙ୍ଗା ପତ୍ର ମିଶାନ୍ତୁ।ଫୁଟଣ ଫୁଟିଲେ ସେଥିରେ ଆଗରୁ ପ୍ରସ୍ତୁତ ଥିବା ଦହି ବାଇଗଣ ସେହି ଫୁଟଣରେ ମିଶାଇ ଗୋଳାନ୍ତୁ।ତା' ପରେ ଜିରାକୁ ଭାଜି ଗୁଣ୍ଡ କରି ଏହା ଉପରେ ମିଶାଇ ଦିଅନ୍ତୁ।ଶେଷରେ ଆମ୍ବ କଷିଆ ଅଦା ଖଣ୍ଡେ ଛେଚି ଦହି ବାଇଗଣରେ ମିଶାଇ ଏହା ପ୍ରସ୍ତୁତ ହୋଇଗଲେ ଚୁଲିରୁ ଓହ୍ଲାଇ ଦିଅନ୍ତୁ।ଏଥର ଦହି ବାଇଗଣ ପ୍ରସ୍ତୁତ ହୋଇଗଲା।

ରାଇତା[ସମ୍ପାଦନା]

  • ଉପକରଣ:ସେଓ ୧ ଟା, ମିଠା କମଳା ୧ଟା,ଅଙ୍ଗୁର ୧୫୦ ଗ୍ରାମ,ଡାଳିମ୍ବ ୧ଟା, କଟା ଧନିଆପତ୍ର ୨ ଚାମୁଚ,ଅଦା ଛୋଟ ଖଣ୍ଡେ, ଜିରା ଅଧ ଚାମଚ, ଚିନି ୨ ଚାମଚ, କୋରା ନଡ଼ିଆ ୨ କପ, ଆବଶ୍ୟକ ଅନୁଯାୟୀ ବସାଦହି, ଲୁଣ ଓ ପାଣି ନେବେ।
  • ପ୍ରସ୍ତୁତି:ପ୍ରଥମେ ସେଓ, ଅଙ୍ଗୁର, ଡାଳିମ୍ବ ଓ କମଳାକୁ ଭଲ କରି ଧୋଇ ଦେବେ।ତା'ପରେ ସେଓକୁ ଛୋଟ ଛୋଟ କରି କାଟି ଦେବେ, ଡାଳିମ୍ବର ମଞ୍ଜି ବାହାର କରି ରଖିବେ।ଅଙ୍ଗୁରକୁ ଡେମ୍ଫରୁ ଛିଣ୍ଡାଇ ରଖିବେ।କମଳାରୁ ଚୋପା ଛଡାଇ କୋଲାକୁ ଅଲଗା ଅଲଗା କରି ରଖିବେ।ଏ ସମସ୍ତକୁ ଗୋଟିଏ ପାତ୍ରରେ ପକାଇ ସେଥିରେ କଟା ଧନିଆ ପତ୍ର, ଆବଶ୍ୟକ ଅନୁସାରେ ଲୁଣ ଓ ଚିନି ଏବଂ କୋରା ନଡ଼ିଆକୁ ପକାଇ ଭଲ ଭାବେ ଗୋଳାଇ ରଖିବେ।ତା'ପରେ ସେଥିରେ ବସାଦହିକୁ ପକାଇବେ ଓ ଶେଷରେ ଭଜା ଜିରାକୁ ପକାଇ ଭଲଭାବେ ଗୋଳାଇବେ।ଏଥର ରାଇତା ପ୍ରସ୍ତୁତ ହୋଇଗଲା।

ଚାଉଳ କ୍ଷୀରି[ସମ୍ପାଦନା]

  • ଉପକରଣ:ନୂଆ ବସୁମତି ଆରୁଆ ଚାଉଳ ୨୦୦ଗ୍ରାମ,ଖିସମିସ୍ ୫୦ଗ୍ରାମ,ଦୁଧ ୧ କିଲୋ, ଗୁଆଘିଅ ୨ ଚାମଚ, ତେଜପତ୍ର ୪ଟା, ଚିନି ୨କପ ଓ ଅଳେଇଚ ୩ଟା ନେବେ।
  • ପ୍ରସ୍ତୁତି:ପ୍ରଥମେ ବସୁମତି ଚାଉଳକୁ ବାଛି ଭଲକରି ଧୋଇ ଦେବେ।ଏକ ପାତ୍ରରେ ଦୁଧକୁ ଭଲକରି ଫୁଟାଇ ଦେବେ।ଅନ୍ୟ ଏକ ପାତ୍ରରେ ଗୁଆଘିଅ ପକାଇ ଗରମ କରିବେ।ଘିଅ ଗରମ ହୋଇଗଲେ ସେଥିରେ ଚିନି ପକାଇବେ।ଚିନି ଲାଲ ହୋଇ ଆସିଲେ ସେଥିରେ ଦୁଧ ପକାଇ ଫୁଟାଇବେ।ଦୁଧ ଫୁଟିଲେ ପ୍ରସ୍ତୁତ ହୋଇ ରହିଥିବା ଧୁଆ ଚାଉଳ ପକାଇବେ।ନିଆଁ ଆଞ୍ଚକୁ କମାଇ କ୍ଷୀରି ପ୍ରସ୍ତୁତ କରିବେ।ଚାଉଳ ଫୁଟି ଫୁଟି ଗଲେ ସେଥିରେ ତେଜପତ୍ର ପକାଇବେ।ଖିସ୍ ମିସ୍ ଭାଜି ଏଥର ପକାଇବେ।କ୍ଷୀରି ବହଳା ହୋଇ ଲାଲ ଦେଖାଗଲେ ତାକୁ ତଳକୁ ଓହ୍ଲାଇ ପକାଇବେ।ଅଳେଇଚ ଗୁଣ୍ଡ କରି କ୍ଷୀରି ରେ ପକାଇବେ।ଏଥର କ୍ଷୀରି ପ୍ରସ୍ତୁତ ହୋଇଗଲା।

ବୁନ୍ଦିଆ କ୍ଷୀରି[ସମ୍ପାଦନା]

  • ଉପକରଣ:ଦୁଧ ଅଧ ଲିଟର, ଚିନି ଅଧ କପ, ଖାଣ୍ଟି ଗୁଆ ଘିଅ ୨କପ, ବେସନ ଅଧ କପ, ଅଳେଇଚ ୬ଟା ଓ ଆବଶ୍ୟକ ଅନୁଯାୟୀ ପାଣି ନିଅନ୍ତୁ।
  • ପ୍ରସ୍ତୁତି:ପ୍ରଥମେ ଅଳ୍ପ ପାଣି ଦେଇ ବେସନକୁ ଫେଣ୍ଟିବେ।ଗରମ ଘିଅ ପାତ୍ରରେ ଏହି ଫେଣ୍ଟା ବେସନ କୁ ଜାଲି ଚଟୁ ସାହାଯ୍ୟ ରେ ଗରମ ଘିଅରେ ଛାଣି ବୁନ୍ଦି ପ୍ରସ୍ତୁତ କରିବେ।ଅଳେଇଚକୁ ଛେଚି ରଖିବେ।ଅନ୍ୟ ଏକ ପାତ୍ରରେ ଦୁଧକୁ ଗରମ କରିବେ।ଦୁଧ ଭଲକରି ଫୁଟି ଗରମ ହୋଇଗଲେ ସେଥିରେ ଚିନି ପକାଇବେ।ଦୁଧ ଓ ଚିନି କୁ ଆଉଟି ଆଉଟି ଅଧା କରିବେ।ଏଥିରେ ଆଗରୁ ଛଣା ହୋଇ ରହିଥିବା ବୁନ୍ଦିଆ କୁ ଆବଶ୍ୟକ ଅନୁଯାୟୀ ପକାଇବେ।ବୁନ୍ଦିଆ କୁ ଦୁଧରେ ଚାମଚ ସାହାଯ୍ୟରେ ଚାପି ଚାପି ଦେବେ।ଶେଷରେ ବୁନ୍ଦିଆ କ୍ଷୀରି ରେ ଅଳେଇଚ ଛେଚା ପକାଇ ଗୋଲାଇବେ।ପ୍ରସ୍ତୁତ ହୋଇଗଲେ ବୁନ୍ଦିଆ କ୍ଷୀରି କୁ ତଳକୁ ଓହ୍ଲାଇ ଦେବେ।ଏଥର ବୁନ୍ଦିଆ କ୍ଷୀରି ପ୍ରସ୍ତୁତ ହୋଇଗଲା।

ପଣା[ସମ୍ପାଦନା]

  • ଉପକରଣ:କ୍ଷୀର ୧ ଲିଟର,ଛେନା ୫୦୦ ଗ୍ରାମ, ନଡ଼ିଆ ଫାଳେ, ଚିନି ଅଧ କପ,ଖିସ୍ ମିସ୍ ୫୦ଗ୍ରାମ, ଅଳେଇଚ ୪ଟା ଓ ପାଚିଲା ଦେଶୀ କଦଳୀ ୨ ଟା ନିଅନ୍ତୁ।
  • ପ୍ରସ୍ତୁତି: ପ୍ରଥମେ କ୍ଷୀରକୁ ସିଝେଇ ସିଝେଇ ଅଧା କରି ରାବିଡ଼ି କରିଦିଅନ୍ତୁ।ସେଥିରୁ ସର ବାହାର କରି ରାବିଡ଼ି କୁ ଅଲଗା କରି ରଖନ୍ତୁ।ନଡିଆକୁ କୋରି ରଖନ୍ତୁ ଓ ଅଳେଇଚକୁ ଛେଚି ରଖନ୍ତୁ।ପାଚିଲା କଦଳୀ ର ଚୋପା ଛଡାଇ ସେଥିରେ ନଡ଼ିଆ କୋରା ଓ ଚିନି ମିଶାଇ ଭଲ କରି ଚକଟି ଦିଅନ୍ତୁ।ତା'ପରେ ସେଥିରେ କ୍ଷୀରରୁ ଅଲଗା ହୋଇଥିବା ସର, ରାବିଡ଼ି ଓ ଛେନାକୁ ଭଲ କରି ଚକଟି ପଣା କରନ୍ତୁ।ଶେଷରେ ସେଥିରେ ଖିସ୍ ମିସ୍ ଓ ଅଳେଇଚ ଗୁଣ୍ଡ ମିଶାଇ ପଣା ପ୍ରସ୍ତୁତ କରନ୍ତୁ।ଏଥର ପଣା ପ୍ରସ୍ତୁତ ହୋଇଗଲା।

ନଡ଼ିଆ ଲଡୁ[ସମ୍ପାଦନା]

  • ଉପକରଣ:କୋରା ନଡିଆ ୧ କପ, ଗୁଡ଼ ୨୦୦ଗ୍ରାମ ଓ ଦୁଇଟି ଅଲେଇଚର ଗୁଣ୍ଡ।
  • ପ୍ରସ୍ତୁତି:ଗରମ ପାତ୍ରରେ ଗୁଡ଼ ପକାଇ ଗୁଡ଼ରୁ ପାଣି ଅଂଶ ମରି ଗୁଡ଼ ଅଠାଳିଆ ଅଠାଳିଆ ହାତକୁ ଲାଗିଲେ କୋରା ନଡ଼ିଆ ଓ ଅଳେଇଚ ଗୁଣ୍ଡ ସେଥିରେ ପକାଇବ।ଏହାକୁ ଭଲକରି ଘଣ୍ଟିବ, ଯେପରି ତା' ଦେହରୁ ପାଣି ଅଂଶ ମରିଯିବି।ତା'ପରେ ଏହା ପ୍ରସ୍ତୁତ ହୋଇଗଲେ ତଳକୁ ଓହ୍ଲାଇ ପାଣି ହାତରେ ଏହାକୁ ଗୋଲ ଗୋଲ ରସଗୋଲା ପରି ପ୍ରସ୍ତୁତ କରିବ।ଥଣ୍ଡା ହୋଇଗଲେ ଏହା ଗୋଲ ଗୋଲ ହୋଇପାରିବନି।ବର୍ତ୍ତମାନ ନଡ଼ିଆ ଲଡୁ ପ୍ରସ୍ତୁତ ହୋଇଗଲା।

ଲୁଣି ଖଜା[ସମ୍ପାଦନା]

  • ଉପକରଣ: ମଇଦା ୪୦୦ଗ୍ରାମ, ଗୁଆଘିଅ ୪୦୦ଗ୍ରାମ, ଜିରା ୧ ଚାମଚ, ଲୁଣ ୧ ଚାମଚ, ଆବଶ୍ୟକ ଅନୁସାରେ ଖାଇବା ସୋଡ଼ା ଓ ପାଣି ନେବେ।
  • ପ୍ରସ୍ତୁତି: ମଇଦାରେ ୮୦ ଗ୍ରାମ ଘିଅ ପକାଇ ଭଲକରି ମିଶାଇବେ।ତା'ପରେ ସେଥିରେ ପାଣି,ଜିରା,ଲୁଣ ଓ ଖାଇବା ସୋଡ଼ା ପକାଇ ଅଟା ଚକଟିଲା ପରି ଭଲକରି ଚକଟି ଦେବେ।ଏହାକୁ ଅଧ ଘଣ୍ଟା ରଖିଦେବେ।ଏହାକୁ ଛୋଟ ଛୋଟ ଗୁଳା କରି ହାତରେ ଦାବିଦେଇ ଅଳ୍ପ ଜାଳରେ ଗରମ ଘିଅରେ ବାଦାମୀ ରଙ୍ଗ ହେବାଯାଏ ରଖି ଛାଣି ରଖିବେ।ବର୍ତ୍ତମାନ ଲୁଣି ଖଜା ପ୍ରସ୍ତୁତ ହୋଇଗଲା।

ଛବି ସମୂହ[ସମ୍ପାଦନା]

ନିଷିଦ୍ଧ ଦ୍ରବ୍ୟ[ସମ୍ପାଦନା]

ଜଗନ୍ନାଥ ମନ୍ଦିରରେ ଯେଉଁ ବ୍ୟଞ୍ଜନମାନ ପ୍ରସ୍ତୁତ ହୁଏ ସେଥିରେ ପିଆଜ, ରସୁଣ, ଶୁଖିଲା ଲଙ୍କା, ବିଲାତି ଆଳୁ, ଟମାଟୋ, କୋବି, ବିନ, ଝୁଡ଼ଙ୍ଗ, ଲାଉ, ସଜନାଛୁଇଁ, ଭେଣ୍ଡି, କଲରା, ଛଚିନ୍ଦ୍ରା, ଆଦି କେତେକ ପରିବା ବ୍ୟବହାର କରାଯାଏ ନାହିଁ । [୭] କୋଶଳାଶାଗ, ମୂଳାଶାଗ ଓ ଅଗସ୍ତିଶାଗ ବ୍ୟତିତ ଅନ୍ୟାନ୍ୟ ଶାଗ ମଧ୍ୟ ବ୍ୟବହାର କରାଯାଏ ନାହିଁ । [୮]

ଇତିହାସରୁ କିଛି[ସମ୍ପାଦନା]

ଶହେ ଚଉରାଳିଶ ବର୍ଷ ଶ୍ରୀକ୍ଷେତ୍ର ଥଲା ଶ୍ରୀହୀନ । ଶ୍ରୀମନ୍ଦିରର ୠଦ୍ଧ ସଂହାସନ ଖାଲି ପଡିଥଲା । ଆକ୍ରମଣ ଯୋଗୁ ମହାପ୍ରଭୁ ଗୁପ୍ତ ଲୀଳାରେ ଥଲେ । ଦୁଇ ପୁରୁଷ ଧରି ବନ୍ଦ ରହିଥଲା ମହାପ୍ରଭୁଙ୍କ ପର୍ବପର୍ବାଣି । ଶୂନ୍ୟ ରହିଥଲା ଶ୍ରୀମନ୍ଦିର ରତ୍ନବେଦୀ, ଭୋଗ ହେଉ ନ ଥିଲା ମହାପ୍ରସାଦ । ମାଦଳା ପାଞ୍ଜିରେ ବର୍ଣ୍ଣନା ରହିଛି ମହାପ୍ରଭୁ ଲୀଳାରେ ଥିଲେ ସୋନପୁରରେଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନୁପସ୍ଥିତିରେ ସମସ୍ତ ନୀତିକାନ୍ତି ତଥା ଯାନିଯାତ୍ରା ଓ ପର୍ବପର୍ବାଣି ବନ୍ଦ ରହିଥଲା । ମହାରାଜା ଯଯାତିକେଶରୀଙ୍କ ସମୟର କଥା । ଗୋବିନ୍ଦ ଦ୍ଵାଦଶୀ ମହାସ୍ନାନ ଯୋଗଥାଏ । ଆଦି ଶଙ୍କରାଚାର୍ଯ୍ୟ ଶ୍ରୀକ୍ଷେତ୍ରକୁ ଆସିଥାନ୍ତି । ତାଙ୍କର ସମସ୍ତ ସହଯୋଗରେ ସୋନପୁରରୁ ମହାପ୍ରଭୁ ଶ୍ରୀକ୍ଷେତ୍ରକୁ ଆସିଲେ । ଅଠତିରିଶ ହାତ ପୋଟଳ ଟିଏ ନିର୍ମାଣ କରାଇ ସମସ୍ତ ବିଧି ବିଧାନ ସାରି ଚତୁର୍ଦ୍ଧାମୂରତିଙ୍କୁ ରତ୍ନବେଦୀରେ ବରାଜିତ କରାଇଲେ । ପୁଣି ଶ୍ରୀମନ୍ଦିରକୁ ଉସବ ମୁଖର କରାଇବା ନିମନ୍ତେ ତଥା ମହାପ୍ରଭୁଙ୍କ ନାତି, ପର୍ବପର୍ବାଣ ଯାନିଯାତ୍ରା ଇତ୍ୟାଦକୁ ପୁନଃ ପ୍ରଚଳନ କରାଇବାକୁ ଆଦି ଶଙ୍କରାଚାର୍ଯ୍ୟଙ୍କ ଉପସ୍ଥିତିରେ ଯଯାତିକେଶରୀ ପଣ୍ଡିତ, ବ୍ରାହ୍ମଣ, ସେବକଙ୍କୁ ଡକାଇ ଏକ ସଭାର ଆୟୋଜନ କରାଇଲେ । ସଭା ହେଲା ଓ ସଭାର ନିର୍ଯ୍ୟାସ ବାହାରିଲା । ଶାସ୍ତ୍ରୀୟ ବିଧିରେ ପୂଜା ପାର୍ବଣା ଇତ୍ୟାଦି ପୂର୍ବ ରୀତି ଅନୁଯାୟୀ ବ୍ୟବସ୍ଥା କରାଇବାର ସ୍ଥିର ହେଲା । ଶ୍ରୀମନ୍ଦିର ଛତିଶା ନିଯୋଗ ନିଜ ଅଧିକାର ଅନୁଯାୟୀ ମହାପ୍ରଭୁଙ୍କ ସେବା ପୂଜା ଆରମ୍ଭ କଲେ । ବହୁ କାଳ ବନ୍ଦ ହୋଇଯାଇଥିବା ମହାପ୍ରସାଦ ପୁଣି ଭୋଗ ଲାଗିଲା । ମହାପ୍ରସାଦ ବାହାରିବା ପରେ ମହାରାଜା ଚିନ୍ତା କଲେ ସଭିଏ ଏକାଠି ଏହାକୁ ପଙ୍କ୍ତି ଭୋଜନରେ ସେବନ କରିବେ । କେହି ଆସିଲେ ନାହିଁ । ସାଧୁମାନେ ଗୃହୀଙ୍କ ସହିତ ବସିବାକୁ ଅମଙ୍ଗ ହେଲେ । ବ୍ରାହ୍ମଣ ପଣ୍ଡିତମାନେ ବାବାଜୀଙ୍କ ସହିତ ବସିଲେ ନାହିଁ କି ସେବକଙ୍କ ସାଙ୍ଗରେ ସେବନକୁ ଆସିଲେ ନାହିଁ । ବ୍ରାହ୍ମଣ ସେବକମାନେ ଶୁଦ୍ର ସେବକଙ୍କ ଧାଡ଼ିରେ ରହିବା ନିମନ୍ତେ ଅନିଚ୍ଛା ପ୍ରକାଶ କଲେ । ଉକ୍ତ ଦିନ ମହାପ୍ରସାଦ ସେବନ ହେଲା ନାହିଁ । ମହାପ୍ରସାଦ ସେବନ ଶାସ୍ତ୍ରର ବିଧି ବଖାଣିଲେ ମଧ୍ୟ ଦୁଇ ପୁରୁଷ ଧରି ଛାରଡ଼ା ହୋଇଥିବା ଏହି ମହାନ ପରମ୍ପରାରେ କେହି ନିଜର ମାନସିକତାକୁ ସାମିଲ କରାଇଲେ ନାହିଁ । ମହାରାଜଙ୍କ ମନ ବିଷାଦରେ ଭରିଗଲା । ମହାପ୍ରଭୁଙ୍କୁ ସୁମରଣ କରି ମହାରାଜ ଅଧିଆ ପଡ଼ିଲେ । ପରଦିନ ଅବଢ଼ା ବାହାରିଲା । ପୁଣି ପୁରୁଣା ପୋଥିକଥା ବିଚାର ବିମର୍ଶ ହେଲା । କେହି କେହି କହିଲେ ଏହା ସେହି ପୁରାଣ ବର୍ଣ୍ଣିତ ମହାପ୍ରସାଦ ତ ଥୋକାଏ ଲୋକ ବସିବାକୁ ରାଜି ହେଲେ । କେହି କେହି କହିଲେ ଏହି ମହାପ୍ରସାଦକୁ ପରୀକ୍ଷା କଲେ କ୍ଷତି କ'ଣ । ସେତିକିବେଳେ ସେହି ବାଟେ ଜଣେ ମୂକ ବ୍ରାହ୍ମଣ ଯାଉଥିବାର ଦେଖି ପଣ୍ଡିତମାନେ କହିଲେ- ଡାକ ଡାକ ସେହି ମୂକ ବ୍ରାହ୍ମଣୀ ପୁଅକୁ । ଜଣେ ବାବାଜୀ ବାହାରି କହିଲେ ମହାରାଜା ସେହି ମୂକ ବ୍ରାହ୍ମଣଙ୍କୁ ମହାପ୍ରସାଦ ସେବନ କରିବାକୁ ଦିଆଯାଉ । ଯଦି ସେବନ କରିବା ପରେ ତା’ର ପାଟି ଖୋଲିଯିବ ତା’ହେଲେ ଆମେ ଅବଢ଼ା ଖାଇବୁ । ଯଯାତିକେଶରୀ ସଙ୍ଗେସଙ୍ଗେ ଆଦେଶ ଦେଲେ ମୂକ ବ୍ରାହ୍ମଣଙ୍କୁ ମହାପ୍ରସାଦ ସେବନ କରାଇବା ନିମନ୍ତେ । ବ୍ରାହ୍ମଣ ପୁଅ ଅବଢ଼ା ସେବନ କରି ସନ୍ତୁଷ୍ଟ ହୋଇ ମୁଣ୍ଡରେ ହାତ ପୋଛିଲେ । ତୁଷ୍ଟଚିତ୍ତରେ ସାଧୁ ଓ ଅନ୍ୟମାନଙ୍କୁ ଚାହିଁ ଶ୍ଲୋକଟିଏ ବୋଲିଲେ ।

ଅରେ ବିଦ୍ଵାନନ୍ୟାନନଧବଗତ ବେଦାର୍ଥନିଗମାନ ।
ମୟା ଭୁଙ୍କ୍ତେପ୍ୟନେ ମମ ପରିଜନୈଚ୍ଛଦ୍ମମନୁଜୈଃ ।
ସୁସ୍ନିଗ୍ଧନ୍ନେତସ୍ମିନ ଭବତୁ ଭବତାଂ ନ ବହୁଗୁଣା ।
ନ ଗଙ୍ଗାତ୍ମଃ ପେୟଂ ଶବତନୁଗଳଦ୍ଦ୍ରବ୍ୟ କଲିଳମ ।

ଶ୍ଲୋକ ପଢ଼ି ସାରି ବ୍ରାହ୍ମଣ ବୁଝାଇଦେଲେ, ହେ ଜ୍ଞାନୀମାନେ ବେଦର ଅର୍ଥ ବୁଝ ନ ପାରି ଆପଣମାନେ ଗର୍ବକୁ ଆପଣାଇ ନେଇଛନ୍ତି । ଗଳିତ ମାଂସଖଣ୍ଡ ଗଙ୍ଗାରେ ମିଶିଲେ ମଧା ଗଙ୍ଗା କ’ଣ ଅପବିତ୍ର ହୁଏ । ଗଙ୍ଗା ଯେପରି ପବିତ୍ର ସେହିପରି ଦାରୁବ୍ରହ୍ମଙ୍କ ମହାପ୍ରସାଦ ପବିତ୍ର । କେହି ଏହାକୁ କଦାପି ସନ୍ଦେହ କରନାହିଁ । ସଭିଏଁ ହରିବୋଲ ଦେଲେ ଓ ସମସ୍ତେ ଏକାଠି ବସି ମହାପ୍ରସାଦ ସେବନ କରିଥଲେ ।[୯]

ଆଧାର[ସମ୍ପାଦନା]

  1. S. Mohanty J. Mohanty; Sudhansu Mohanty (୧ January ୨୦୦୬). In Quest of Quality Education and Literature: An Autobiography. Deep & Deep Publications. pp. ୧୧୪–. ISBN ୯୭୮-୮୧-୭୬୨୯-୭୬୪-୬. Retrieved ୨୬ December ୨୦୧୨. 
  2. ଭକ୍ତପ୍ରିୟ ଜଗନ୍ନାଥ, ବ୍ରଜକିଶୋର ସାହୁ । ପ୍ରକାଶିକା - ଶ୍ରୀମତୀ ମଞ୍ଜୁଳା ସାହୁ, ସାମନ୍ତ ଚନ୍ଦ୍ରଶେଖର କଲେଜ, ପୁରୀ । ପ୍ରଥମ ସଂସ୍କରଣ, ୧୯୮୫ ।
  3. କରିଥାଏ, ଏହାର (୨୨ August ୨୦୧୬). ଡ.ଲେନିନ୍ ମହାନ୍ତି, ed. ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦର ମାହାତ୍ମ୍ୟ ଓ ଆୟୁର୍ବେଦୀୟ ଭିତ୍ତିଭୂମି (in ଓଡ଼ିଆ). ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ. p. ୮୨ Extra &#୧୨୪;pages= or &#୧୨୪;at= (help). 
  4. ସମାଜ (ଖବରକାଗଜ), ୮ଜୁଲାଇ ୨୦୧୧, ପୃଷ୍ଠା-୬
  5. ସମାଜ ସାପ୍ତାହିକ, ୨-୮ ଜୁଲାଇ ୨୦୧୧,ପୃଷ୍ଠା-୨୨
  6. ରଖିବେ, ପ୍ରଥମେ (୨୧/୦୮/୨୦୧୬). ମିଠା ଖେଚୁଡ଼ି. ସାହିତ୍ୟ ପ୍ରସାର ପ୍ରତିଷ୍ଠାନ,ଶେଖବଜାର, ନିଉ କଲୋନୀ, କଟକ-୮. p. ୯ Extra &#୧୨୪;pages= or &#୧୨୪;at= (help).  Check date values in: &#୧୨୪;date= (help)
  7. "Jagannath Temple, Jagannath Puri, Jagannath Temple Puri, Jagannath Temple of Puri, Jagannath Temple Odisha, Jagannath Temple Orissa". visitodisha.net. 2012. Retrieved 28 September 2012. The Prasad is prepared in a very traditional way, without using onion, garlic, chillies and various vegetables which are considered alien. 
  8. "Rathyatra-ARTICLES". salagram.net. 2007. Retrieved 5 April 2012. 
  9. ମିଶ୍ର, ସୁରେନ୍ଦ୍ର କୁମାର (ଜୁନ ୨୯ , ୨୦୧୫). "ମହାପ୍ରସାଦ ସେବନ ପରେ ମୂକ ବ୍ରାହ୍ମଣଙ୍କ ପାଟି ଖୋଲିଗଲା". ଧରିତ୍ରୀ. http://www.dharitri.com/Berhampur/290615/p12.htm. Retrieved 21 September 2015. 

ଅଧିକ ତଥ୍ୟ[ସମ୍ପାଦନା]