କାଳୀୟଦଳନ ବେଶ

ଉଇକିପିଡ଼ିଆ‌ରୁ
ମହାପ୍ରଭୁଙ୍କ କାଳୀୟଦଳନ ବେଶ

ଭାଦ୍ରବ ମାସ କୃଷ୍ଣ ପକ୍ଷ ଏକାଦଶୀ ଦିନ[୧] ଶ୍ରୀମନ୍ଦିରରେ ରତ୍ନ ସିଂହାସନ ଉପରେ କାଳୀୟ ଦଳନ ବେଶ ଅନୁଷ୍ଠିତ ହେବା ସହ କାଳୀୟଦଳନ ଘଟଣାଟିକୁ ଶ୍ରୀମନ୍ଦିର ବାହାରେ ଥିବା ମାର୍କଣ୍ଡେୟ ପୋଖରୀ କୂଳରେ ରୂପାୟିତ କରାଯାଇଥାଏ । ମହାପ୍ରଭୁ ଯମୂନା ଜଳରେ କୃଷ୍ଣରୂପରେ କାଳୀୟସର୍ପକୁ ମାରିଥିବାରୁ ତାହାର ସ୍ମାରକ ରୂପେ ଏହି ବେଶ ହୁଏ । ଏହିଦିନ ମହାପ୍ରଭୁଙ୍କ ବିଜେପ୍ରତିମା ମଦନମୋହନ ଓ ରାମକୃଷ୍ଣ ମାର୍କଣ୍ଡପୋଖରୀ ପାଖକୁ ଯାଆନ୍ତି ଓ ସେଠାରେ କାଳୀୟଦଳନ କରନ୍ତି ।[୨]ରତ୍ନସିଂହାସନରେ ବେଶ ଉପଚାର ଆରମ୍ଭ ହେବା ପୂର୍ବରୁ ଜଗନ୍ନାଥଙ୍କ ଅଷ୍ଟଧାତୁ ନିର୍ମିତ ଚଳନ୍ତି ପ୍ରତିମା ମଦନମୋହନଙ୍କୁ ଲବଣଖିଆ ଛକଦେଇ ମାର୍କଣ୍ଡେୟ ପୋଖରୀ କୂଳକୁ ନିଆଯାଇଥାଏ । ସରୋବରସ୍ଥ ଦୀପଦାଣ୍ଡି ମଣ୍ଡପରେ ରୂପକାରଙ୍କଦ୍ୱାରା କାଷ୍ଠ ନିର୍ମିତ ଏକ କାଳୀୟନାଗକୁ ସଜ୍ଜିତ କରି ରଖାଯାଇଥାଏ । ସେଇ କାଳୀୟକୁ ଦଳନ କରିବା ପାଇଁ ଜଣେ ସେବାୟତ କୃଷ୍ଣବେଶରେ ଓ ଅନ୍ୟଜଣେ ଗୁଡ଼ିଆ ଜାତିର ବ୍ୟକ୍ତି ଗରୁଡ଼ ବେଶରେ ପ୍ରସ୍ତୁତ ହୋଇ ଥାଆନ୍ତି ୤ ଭାଗବତ ବର୍ଣ୍ଣିତ କାଳୀୟଦଳନର ମଧ୍ୟକାଳେ କାଳୀୟଦ୍ୱାରା କବଳିତ ହୋଇ ଶ୍ରୀକୃଷ୍ଣ ଗରୁଡ଼ଙ୍କୁ ସ୍ମରଣ କରିଥାନ୍ତି । ଗରୁଡ଼ ବେଶରେ ଥିବା ବ୍ୟକ୍ତି ଜଣକ ଆବିର୍ଭାବ ହୋଇ ଶ୍ରୀକୃଷ୍ଣଙ୍କୁ କାଳୀୟର ବନ୍ଧନରୁ ମୁକ୍ତ କରିବା ସହ ବିଷମୁକ୍ତ ହେବା ନିମନ୍ତେ ତାଙ୍କ ପାଟିରେ ଅମୃତ ଲଡୁ ଦେଇଥାନ୍ତି ।

ରତ୍ନସିଂହାସନରେ ଶ୍ରୀଜଗନ୍ନାଥଙ୍କୁ ସାତଗୋଟି ଫଣାଥିବା ଗୋଟିଏ କଳାନାଗ ଉପରେ ନାଚୁଥିବା ପରି ପ୍ରଦର୍ଶିତ କରାଯାଇଥାଏ ୤ କାଳୀୟନାଗଟିକୁ ରୂପକାରମାନେ ବେତ, କଳାକନା ଓ ସୂତାରେ ଦରଜିମାନଙ୍କ ସହାୟତାରେ ନିର୍ମାଣ କରିଥାନ୍ତି ୤ ଏହି ବେଶପାଇଁ ଜଗନ୍ନାଥ ଓ ବଳଭଦ୍ରଙ୍କ ବିଗ୍ରହରେ କାଷ୍ଠ ନିର୍ମିତ ହସ୍ତ ପଦଯୁକ୍ତ କରାଯାଉଥିବା ବେଳେ ସୁଭଦ୍ରାଙ୍କ ବିଗ୍ରହରେ ବିଶେଷ କିଛି ପରିବର୍ତ୍ତନ ହୁଏ ନାହିଁ ୤ ବଳଭଦ୍ର ହସ୍ତଦ୍ୱୟରେ ହଳ ଓ ମୁଷଳ ଧାରଣ କରିଥାନ୍ତି ଏବଂ ତାଙ୍କ ସମ୍ମୁଖରେ ଥାଏ କାଷ୍ଠ ନିର୍ମିତ ଗାଈ ଓ ବାଛୁରୀ । ଶ୍ରୀଜଗନ୍ନାଥଙ୍କ ପାଦ କାଳୀୟର ମସ୍ତକ ଉପରେ[୩] ଥିବା ବେଳେ ବାମ ହାତରେ କାଳୀୟର ଲାଞ୍ଜ ଓ ଶୋଳ ନିର୍ମିତ ଶିଙ୍ଗା ଧରିଥାନ୍ତି ୤ ଅନ୍ୟ ହାତରେ ସୋଲ ନିର୍ମିତ ପ୍ରସ୍ଫୁଟିତ ପଦ୍ମଫୁଲଟିଏ ଧରିଥାଆନ୍ତି ୤ କାଳୀୟ ମର୍ଦ୍ଦନ କରୁଥିବା ଜଗନ୍ନାଥଙ୍କ ଦୁଇପାର୍ଶ୍ୱରେ କାଷ୍ଠ ନିର୍ମିତ ଦୁଇଟି ନାଗୁଣୀ ମୂର୍ତ୍ତି ପ୍ରାର୍ଥନା କରୁଥିବା ଭଙ୍ଗୀରେ ରଖାଯାଇଥାଏ ୤

କାଳୀୟ ଦଳନ ବେଶର ପୂର୍ବଦିନ ଅର୍ଥାତ ଦଶମୀ ତିଥିରେ ବନଭୋଜି ବେଶ ଅନୁଷ୍ଠିତ ହେଉଥିବା ବେଳେ ତ୍ରୟୋଦଶୀ ଦିନ କୃଷ୍ଣ ବଳରାମ ବେଶ କରାଯାଇଥାଏ ୤

ଆଧାର[ସମ୍ପାଦନା]

  1. "Vesha - Devotee Care Center". devoteecare.fullorissa.com. 2012. Retrieved 28 September 2012. this besha takes place on Bhadraba Krushna Ekadasi tithi(the 11th day of the dark fortnight in Bhadraba)
  2. "Lord Jagannath - Kaliya Dalana Besha of Lord Jagannath,Beshas of Lord Jagannath | orissa.oriyaonline.com". orissa.oriyaonline.com. 2012. Retrieved 28 September 2012. The actual scene of killing Kaliya is usually dramatized in the sacred tank of Markanda in the Puri town
  3. "Kaliya Dalana Besha – Costume Of Lord Jagannath | PURIWAVES". puriwaves.nirmalya.in. 2012. Retrieved 28 September 2012. The hood of the snake placed at the feet of Sri Jagannath at the time Besha {{cite web}}: no-break space character in |title= at position 48 (help)