ନିର୍ମାଲ୍ୟ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ଆଗେ ନିର୍ମାଲ୍ୟ କହିଲେ ସାତଗୋଟି ପଦାର୍ଥ ଯଥା: ମହାପ୍ରସାଦ, ମଇଲମଫୁଲ, ଶିରିକପଡ଼ା, ଶୁଷ୍କ ନିର୍ମାଲ୍ୟ, ଗଉରୀ ସଉରୀବେତ, ଜଗନ୍ନାଥ ପଟି ଓ ଶାଢ଼ୀଶିରପାକୁ ବୁଝାଉଥିଲା । ଏହି ସାତଟି ପର୍ଦାର୍ଥକୁ ଯଥାକ୍ରମେ ସୂପକାର, ପୁଷ୍ପାଳକ, ଦଇତା, ତିଲକମାଟିଆ, ପରିଖ, ଚିତ୍ରକର ଓ ଚାଙ୍ଗଡ଼ାମେକାପମାନେ ଆନନ୍ଦବଜାରରେ ବିକ୍ରୟ କରୁଥିଲେ ।

ଶ୍ରୀମନ୍ଦିରରେ ମିଳୁଥିବା ଅନ୍ନ ମହାପ୍ରସାଦ ଦୀର୍ଘକାଳ ପର୍ଯ୍ୟନ୍ତ ସଂରକ୍ଷଣ କରି ହୁଏ ନାହିଁ, ତେଣୁ ଶ୍ରଦ୍ଧାଳୁମାନେ ନିର୍ମାଲ୍ୟ (ଶୁଖିଲା ଅନ୍ନ ମହାପ୍ରସାଦ) ବ୍ୟବହାର କରି ନିଜ କାର୍ଯ୍ୟ ସମାପନ କରି ଥାନ୍ତି । ଜନମାନସରେ ଗୋଟିଏ ଧାରଣା ରହିଛି ଯେ, ରତ୍ନସିଂହାସନ ଆଗରେ ପ୍ରତିଦିନ ପରଷା ଯାଉଥିବା ଅନ୍ନ ଶୁଖିଯିବା ପରେ ନିର୍ମାଲ୍ୟ ରୂପେ ଗୃହୀତ ହୁଏ କିନ୍ତୁ ପ୍ରକୃତରେ ନିର୍ମାଲ୍ୟ ପାଇଁ ଶ୍ରୀମନ୍ଦିର ରୋଷଶାଳାରେ ସ୍ଵତନ୍ତ୍ର ପାକର ବ୍ୟବସ୍ଥା ରହିଛି ଏବଂ ସ୍ଵତନ୍ତ୍ର ପଦ୍ଧତିରେ ନିର୍ମାଲ୍ୟ ପ୍ରସ୍ତୁତ ହୋଇଥାଏ । ଶ୍ରୀମନ୍ଦିରର ଆୟ ବଢ଼ାଇବା ପାଇଁ ଯେଉଁ କେତୋଟି ବ୍ୟବସ୍ଥା ରହିଛି ସେଥିମଧ୍ୟରୁ ଗୋଟିଏ ହେଉଛି ‘ନିର୍ମାଲ୍ୟ ମାହାଲ’ । ଶ୍ରୀମନ୍ଦିରର ନିର୍ମାଲ୍ୟ ମାହାଲ ବର୍ଷକୁ ଥରେ ନିଲାମ ହୋଇଥାଏ । ନିଲାମ ଧରିଥିବା ବ୍ୟକ୍ତି ନିର୍ମାଲ୍ୟ ରନ୍ଧାଇବା, ଶୁଖାଇବା ଏବଂ ବିକ୍ରି କରିବା ଅଧିକାର ପାଇଥାନ୍ତି । ମାସକୁ ପାଞ୍ଚରୁ ଛଅ କୁଇଣ୍ଟାଲ ଯାଏଁ ଚାଉଳ ନିର୍ମାଲ୍ୟ ରାନ୍ଧିବା ପାଇଁ ବ୍ୟବହୃତ ହୋଇଥାଏ ।

ନିର୍ମାଲ୍ୟ ପ୍ରସ୍ତୁତି[ସମ୍ପାଦନା]

ନିର୍ମାଲ୍ୟ ରାନ୍ଧିବା ପାଇଁ ସେବାୟତମାନଙ୍କ ମଧ୍ୟରେ ସ୍ଵତନ୍ତ୍ର ସୁଆର ଅଛନ୍ତି । ଶ୍ରୀମନ୍ଦିର ପାକଶାଳାରେ ଥିବା ନିର୍ଦ୍ଧିଷ୍ଟ ଅନ୍ନ ଚୁଲିରେ ଏମାନେ ନିର୍ମାଲ୍ୟ ନିମନ୍ତେ ଅନ୍ନ ପାକ କରନ୍ତି । ନିର୍ମାଲ୍ୟ ପ୍ରସ୍ତୁତିରେ ଦୁଇପ୍ରକାର କୁଡୁଆ ମଠ କୁଡୁଆ ଓ ବାଇହାଣ୍ଡି ବ୍ୟବହାର ହୋଇଥାଏ । ନିର୍ମାଲ୍ୟ ଅନ୍ନ ପାକ କରିବା ନିମନ୍ତେ ମଠ କୁଡୁଆ ବ୍ୟବହାର କରାଯାଏ । ନିର୍ମାଲ୍ୟ ଅନ୍ନ ଦରସିଝାରୁ ଓହ୍ଲାଇ ପେଜଗାଳିବା ପରେ ବାଇହାଣ୍ଡିକୁ ଢାଳି ଦିଆଯାଏ । ତିନି ଦିଅଁଙ୍କ ଆଗରେ ନୈବେଦ୍ୟ ଅର୍ପଣ କଲାବେଳେ ଏହି ନିର୍ମାଲ୍ୟ ଅନ୍ନ ମଧ୍ୟ ଅର୍ପଣ କରାଯାଏ । ଅର୍ପିତ ନିର୍ମାଲ୍ୟ ଅନ୍ନ ଶୁଖାଇବା ପାଇଁ ମନ୍ଦିରର ଦକ୍ଷିଣ ପାର୍ଶ୍ଵରେ ଥିବା ନିର୍ମାଲ୍ୟ ଖଳାକୁ ନିଆଯାଏ । ସେଠାରେ ତାହା ଶୁଖିବା ପରେ ପୁନଶ୍ଚ ବାଇହାଣ୍ଡିରେ ଭର୍ତ୍ତି କରି ଦୋକାନକୁ ନିଆଯାଏ । ଛୋଟ କନାମୁଣିରେ ନିର୍ମାଲ୍ୟ ଭର୍ତ୍ତି କରାଯାଇ ପୁଡ଼ିଆ ପ୍ରସ୍ତୁତ କରାଯାଏ । ସାଧାରଣତଃ ନାଲି ଓ ହଳଦିଆ ରଙ୍ଗର ନୂଆ କପଡ଼ାରେ ଏହି ମୁଣି ପ୍ରସ୍ତୁତ କରାଯାଏ ।

ନିର୍ମାଲ୍ୟ ମାହାଲ ନିଲାମରେ ନେଇଥିବା ବ୍ୟକ୍ତି ସିଂହଦ୍ଵାରର ଉତ୍ତରପଟେ ଥିବା ଦୋକାନରେ ନିର୍ମାଲ୍ୟ ବିକ୍ରି କରିଥାନ୍ତି । ଏହି ଦୋକାନ ସହିତ ବଡ଼ଦାଣ୍ଡରେ ଥିବା ଅନେକ ଦୋକାନରେ ମଧ୍ୟ ନିର୍ମାଲ୍ୟ ବିକ୍ରି ହୋଇଥାଏ ।

ଆଧାର[ସମ୍ପାଦନା]