ଶ୍ରାଦ୍ଧ ବେଶ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଏହି ଲେଖାଟି ଶ୍ରାଦ୍ଧ ବେଶ ବାବଦରେ । ବାକିସବୁ ପାଇଁ, ଜଗନ୍ନାଥଙ୍କ ବେଶ ପ୍ରସଙ୍ଗଟି ଦେଖନ୍ତୁ ।

ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ୟୁଷ୍ୟମାନଙ୍କ ଭଳି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିନି ଦିନ ଦୀପଦାନ କରନ୍ତି । ମାର୍ଗଶୀର କୃଷ୍ଣ ଚତୁର୍ଦଶୀ ଦିନ ଅଦିତି କଶ୍ୟପଙ୍କ ଉଦ୍ଦେଶ୍ୟରେ , ଆମାବାସ୍ୟା ଦିନ ଦଶରଥ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ,ପ୍ରତିପଦା ଦିନ ବସୁଦେବ ଦେବକୀ, ନନ୍ଦ ଯଶୋଦା, ଇନ୍ଦ୍ରଦ୍ୟୁମ୍ନଗୁଣ୍ଡିଚା ଦେବୀଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ଉତ୍ସର୍ଗ କରନ୍ତି । ପ୍ରଥମ ଦିନରୁ ଦୀପାବଳି ଉତ୍ସବ ଆରମ୍ଭ ହୋଇ ତୃତୀୟ ଓ ଶେଷ ଦିନରେ ଶେଷ ଦୀପାବଳି ଉତ୍ସବ ପାଳନ କରାଯାଏ । ଏହି ଦିନମାନଙ୍କରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରାଦ୍ଧବେଶରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣାଦି କରୁଥିବାରୁ ଏହାକୁ ଦେବ ଦୀପାବଳି କୁହାଯାଏ ।[୧] ଶ୍ରୀଜଗନ୍ନାଥଙ୍କ ପିତାମାତା ଯଥା ଦଶାରଥ, ନନ୍ଦ, ବସୁଦେବଙ୍କ ଉଦ୍ଦେଶ୍ୟରେ ଦୀପଦାନ ପୂର୍ବକ ସେ ଶ୍ରାଦ୍ଧତ୍ସବ ପାଳନ କରିଥାନ୍ତି । ଇନ୍ଦ୍ରଦ୍ୟୁମ୍ନଙ୍କୁ ଏହି ଦିନ ମହାପ୍ରଭୁ ଦୀପଦାନ ଦେଇଥାନ୍ତି । [୨] ଅଦିତି ଦକ୍ଷ ପ୍ରଜାପତିଙ୍କ କନ୍ୟା । ମହର୍ଷି କଶ୍ୟପ ଏହାନକ୍ ସ୍ଵାମୀ । ଇନ୍ଦ୍ରାଦି ଦେବତାମାନେ ଓ ବାମନ ଅବତାରରେ ବିଷ୍ଣୁ ଅଦିତି ଗର୍ଭରୁ ଜନ୍ମ ହୋଇଥିବାରୁ ଅଦିତି-କଶ୍ୟପ ଭଗବାନଙ୍କ ପିତାମାତା । ଜଗନ୍ନାଥ ଏମାନଙ୍କୁ ଶ୍ରାଦ୍ଧ ଦିଅନ୍ତି । ନିର୍ବଂଶ ହୋଇଯିବା ପାଇଁ ବରମାଗିଥିବା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ମଧ୍ୟ ଜଗନ୍ନାଥ ନିଜେ ଶ୍ରାଦ୍ଧ ଦେଉଥିବା ମତ ରହିଛି ।

ଏହି ବେଶରେ ପୁଷ୍ପାଳକ ସେବକମାନେ ଠାକୁରମାନଙ୍କୁ ଶ୍ରାଦ୍ଧବେଶରେ ନାଗପୁରୀ ଶାଢ଼ି ଚାଦରରେ ଭୂଷିତ କରାଇଥାନ୍ତି । ଏହି ସମୟରେ ଶ୍ରୀବିଗ୍ରହମାନଙ୍କୁ ସାଧାବେଶରେ ସଜ୍ଜିତ କରାଯାଏ । ଏଥିରେ ଠାକୁରମାନେ ଧଳା ବସ୍ତ୍ର ପରିହିତ କରିଥାନ୍ତି । କିନ୍ତୁ ପ୍ରତ୍ୟେକ ଠାକୁରଙ୍କ ଧଡ଼ି ଗୁଡିକ ଭିନ୍ନ ରଙ୍ଗର ହୋଇଥାଏ । ନିମ୍ନରେ ଠାକୁରମାନଙ୍କ ବସ୍ତ୍ରର ମାପ ଓ ଧଡ଼ି ରଙ୍ଗର ବର୍ଣ୍ଣନା ପ୍ରଦତ୍ତ କରାଗଲା ।

  • ଶ୍ରୀଜଗନ୍ନାଥ : ସୂତାଶାଢ଼ି (ନାଗପୁରୀ ଶାଢ଼ି) ଲମ୍ବା ୧୬ ହାତ କିମ୍ବା ୧୮ ହାତ, ଧଡ଼ି ଓସାର ଏକ ଫୁଟ ଅଟେ । ଉକ୍ତ ବସ୍ତ୍ରରେ କୁମ୍ଭ ଥାଇ ଧଡ଼ିର ବର୍ଣ୍ଣ ହେଉଛି ନାଲି ।
  • ଶ୍ରୀବଳଭଦ୍ର: ଲମ୍ବା ୧୪ ହାତ , ଓସାର ୪ ହାତ ,ଧଡ଼ି ଓସାର ୧ ଫୁଟ ,ଉକ୍ତ ବସ୍ତ୍ରର ଧଡ଼ି ବର୍ଣ୍ଣ ହେଉଛି କଳା ।
  • ଶ୍ରୀସୁଭଦ୍ରା :ଲମ୍ବା ୧୨ ହାତ , ଓସାର ସାଢେ ୩ ଫୁଟ,ଧଡ଼ି ଓସାର ଏକ ଫୁଟ, ଉକ୍ତ ବସ୍ତ୍ର ଧଡ଼ି ବର୍ଣ୍ଣ ହେଉଛି ହଳଦିଆ ।

ଏତଦବ୍ୟତିତ ଶ୍ରୀବିଗ୍ରହମାନଙ୍କ କଳେବର ଗୋଟିଏ ଗୋଟିଏ ଚାଦରରେ ମଣ୍ଡନ ହୋଇଥାଏ । ଶିର ଦେଶରେ ଶ୍ରୀକାପଡା ବସ୍ତ୍ର (ସୂତା ବସ୍ତ୍ର)ରେ ଆବୃତ କରାଯାଏ । ଚାଦରିଟି ଶ୍ରୀଭୁଜରେ ପ୍ରସରି ଥାଏ । ଶ୍ରାଦ୍ଧବେଶରେ ବ୍ୟବହୃତ ହେଉଥିବା ବସ୍ତ୍ରକୁ କାଈ ଧଡ଼ିଆ (ନାଗପୁରୀ) ଲୁଗା କୁହାଯାଏ । ଶ୍ରାଦ୍ଧବେଶରେ ଠାକୁରମାନଙ୍କୁ ଲାଗି କରାଯାଉଥିବା ସ୍ଵର୍ଣ୍ଣ ଅଳଙ୍କାର ମଧ୍ୟରେ ତଡ଼ଗୀ,ନଳିଭୁଜ,ଚନ୍ଦ୍ର,ସୂର୍ଯ୍ୟ,କୁଣ୍ଡଳ,ଆଡ଼କାନି, ହରିଡା ମାଳି, ଅଣ୍ଟାକମରପଟୃଇ ପ୍ରଭୂତି ଅନ୍ୟତମ ।

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]