ଚନ୍ଦନଲାଗି ବେଶ

ଉଇକିପିଡ଼ିଆ ରୁ
Jump to navigation Jump to search
ଚନ୍ଦନଲାଗି ବେଶ
Chandanalagi Besha of Jagannatha.jpg
ଅନ୍ୟ ନାମଚନ୍ଦନ ବେଶ
ପାଳନକାରୀସମସ୍ତ ଜଗନ୍ନାଥ ମନ୍ଦିର
ଆରମ୍ଭଅକ୍ଷୟ ତୃତୀୟା (ବୈଶାଖ ଶୁକ୍ଳ ତୃତୀୟା)
ଶେଷସ୍ନାନପୂର୍ଣ୍ଣିମାର ପୂର୍ବଦିନ (ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ)
୨୦୧୯ ତାରିଖ୧୩ ମଇ - ୨୨ଜୁନ [୧]
ସମ୍ପର୍କିତଚନ୍ଦନ ଯାତ୍ରା

ଶ୍ରୀମନ୍ଦିରରେ ଠାକୁରମାନଙ୍କ ଦୈନନ୍ଦିନ ନୀତି ମଧ୍ୟରେ ଚନ୍ଦନଲାଗି ବେଶ ଅନ୍ୟତମ । ପ୍ରତ୍ୟେହ ସନ୍ଧ୍ୟାଧୂପ ପରେ ଠାକୁରମାନଙ୍କ ପୂର୍ବ ବେଶ ଓଲାଗି କରାଯାଇ ଚନ୍ଦନ ଲାଗି କରାଯାଇଥାଏ । ପ୍ରତ୍ୟେହ ରାତ୍ରି ୧୦ ଘଣ୍ଟା ସମୟରେ ଠାକୁରମାନଙ୍କ ମଇଲମ ଓ ଚନ୍ଦନ ଲାଗି ହେବା ନିୟମ । [୨]ଶ୍ରୀମନ୍ଦିରର ପ୍ରଶାସନ ତରଫରୁ ଯୋଗାଯାଉଥିବା ଚନ୍ଦନ ଓ କର୍ପୂର ଇତ୍ୟାଦି ସୁଗନ୍ଧି ଦ୍ରବ୍ୟ ଘଟୁଆରୀ ନେଇ ଶିଳରେ ଘୋରି ମୁଦୁଲି ଠାରୁ ନେଇଥିବା ୩ ଗୋଟି ରୂପା ପିଙ୍ଗଣରେ ରଖେ । ମଇଲମ ବଢିବା ପରେ ପାଳିଆ ମେକପ ହାତଧୋଇ ଘଟୁଆରୀ ଠାରୁ ଉକ୍ତ ରୂପା ପିଙ୍ଗଣ ୩ ଗୋଟି ନେଇ ସିଂହାସନ ନିକଟକୁ ଯିବା ସମୟରେ ପାଳିଆ ପ୍ରତିହାରୀ ଆଗରେ ବେତ ଧରି ଆଡେଇ ଯାଆ ଆଡେଇ ଯାଆ କହି ସିଂହାସନ ସମ୍ମୁଖକୁ ଯାଇଥାନ୍ତି । ଏହା ପରେ ଗରାବଡୁ ପାଳିଆ ପୁଷ୍ପାଳକମାନଙ୍କୁ ହାତ ଧୋଇବାକୁ ପାଣି ଦେଇଥାନ୍ତି । ପାଳିଆ ମେକାପ ପିଙ୍ଗଣ ନେଇ ୩ ବାଡ଼ରେ ସିଂହାସନ ଉପରେ ରଖନ୍ତି । ପାଳିଆ ପୁଷ୍ପାଳକମାନେ ଠାକୁରମାନଙ୍କ ଚନ୍ଦନକୁ ସଂସ୍କାର ପୂର୍ବକ ଶ୍ରୀଅଙ୍ଗରେ ଲାଗି କରାଇଥାନ୍ତି । ଏହି ସମୟରେ ଶ୍ରୀଜଗନ୍ନାଥଙ୍କ ପାଖରେ ପାଳିଆ ଖୁଣ୍ଟିଆ ବେତ ବାଡି ଧରି ମଣିମା ଡାକ ଦେଉଥାନ୍ତି । ହଡ଼ପ ନାଏକ ଠାକୁରମାନଙ୍କୁ ବିଡିଆ ମଣୋହି କରାଇଥାନ୍ତି ।

ପ୍ରତିଦିନ ଅନୁଷ୍ଠିତ ହେଇଥିବା ଚନ୍ଦନ ଲାଗି ବେଶ ବ୍ୟତିତ ଚନ୍ଦନ ଯାତ୍ରା ସମୟରେ ଠାକୁର ମାନଙ୍କର ବିଶେଷ ବା ସ୍ୱତନ୍ତ୍ର ଧରଣର ଚନ୍ଦନ ଲାଗି ବେଶ ହୋଇଥାଏ । ଏହା ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇ ଦୀର୍ଘ ୪୨ ଦିନ ଅର୍ଥାତ ଜ୍ୟୈଷ୍ଠ ଶୁକ୍ଳ ଚତୁର୍ଦଶୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ ।[୩][୪] ଏହି ୪୨ ଦିନ ମଧ୍ୟରୁ ପ୍ରଥମ ୨୧ ଦିନକୁ ବାହାର ଚନ୍ଦନ ଓ ପରବର୍ତ୍ତୀ ୨୧ ଦିନକୁ ଭିତର ଚନ୍ଦନ କୁହାଯାଏ ।

ଅକ୍ଷୟ ତୃତୀୟା ପୂର୍ବଦିନ ରାତ୍ର ଚନ୍ଦନ ଲାଗି ନୀତି ଶେଷ ହେବାପରେ ପାଳିଆ ମେକପ ରାଘବ ଦାସ ମଠ ଦେଇଥିବା ସାଢେ ସାତ ସେର ଚନ୍ଦନ ତିନି ଗୋଟି ରୂପା ପିଙ୍ଗଣରେ ଓ ଶ୍ରୀମନ୍ଦିରର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସାଢେ ସାତ ସେର ଚନ୍ଦନ ପରଖରେ ରଖି ଭୋଗମଣ୍ଡପ ପାଖକୁ ନେଇଥାନ୍ତି । ଅକ୍ଷୟ ତୃତୀୟା ଦିନ ସକାଳୁ ଧୂପ ସାରିବା ଉତ୍ତାରେ ରତ୍ନ ସିଂହାସନରେ ତିନି ବାଡ଼ରେ ମଇଲମ ହୋଇ ମହାସ୍ନାନ ବଢେ । ଏହା ପରେ ପୂର୍ବଦିନ ଅଧିବାସ ହୋଇଥିବା ଚନ୍ଦନଙ୍କୁ ଭୋଗମଣ୍ଡପ ଘରଠାରୁ ପୂଜାପଣ୍ଡା,ପତିମହାପାତ୍ର,ମୁଦିରସ୍ତ ଓ ଭିତର ମଇଲମ ବଢାଇଥିବା ପାଳିଆ ପୁଷ୍ପାଳକ ଏହିପରି ୬ ଜଣ ସେବକ ଯାଇ ପିଙ୍ଗଣମାନଙ୍କୁ ଘଣ୍ଟ,ଛତା,କାହାଳି ସହିତ ତଳିଚ୍ଛ ପଟୁଆର ହୋଇ ବଡ଼ ଦେଉଳକୁ ତିନି ଘେରା ପରିକ୍ରମା କରାଇ ଭିତର ସିଂହାସନ ଉପରେ ତିନି ବାଡ଼ରେ ରଖନ୍ତି । ପରଖରେ ଥିବା ଚନ୍ଦନ ପାଳିଆ ମେକାପ ସିଂହାସନ ଉପରେ ରଖନ୍ତି । ଏହାପରେ ଭିତର ପାଣି ପଡ଼ି ଶୀତଳ ଭୋଗ ହୋଇଥାଏ । ଭୋଗ ଶେଷ ପରେ ଶ୍ରୀଜୀଉମାନଙ୍କ ଶ୍ରୀଅଙ୍ଗରେ ସଂମ୍ପୂର୍ଣ୍ଣ ଚନ୍ଦନ ଲାଗି ହୋଇଥାଏ । ବିଶେଷତଃ ଏହି ୪୨ ଦିନ ଯାକ ଜୟ ବିଜୟ ଦ୍ୱାର ବନ୍ଦ କରାଯାଇ ଆଲଟ କରାଯାଏ । [୫]

ଆଧାର[ସମ୍ପାଦନା]

  1. "Panchang, Panchangam for Bhubaneshwar, Orissa, India". drikpanchang.com. 2013. Retrieved 19 May 2013. Chaturdashi, Jyaishta, Shukla Paksha, 2070 Vikram Samvat
  2. http://www.iskcondesiretree.net/profiles/blogs/jagannath-vesha-with-details-1
  3. http://orissa.oriyaonline.com/chandan_besha.html
  4. http://devoteecare.fullorissa.com/vesha/
  5. http://orissa.gov.in/e-magazine/Orissareview/2012/June/engpdf/14-24.pdf

ଅଧିକ ତଥ୍ୟ[ସମ୍ପାଦନା]