ଶ୍ରୀମନ୍ଦିରରେ ପାଳିତ ବିଶେଷ ନୀତି

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ଅମାବାସ୍ୟା ନୀତି[ସମ୍ପାଦନା]

ଅମାବାସ୍ୟା ନୀତି ବା ସାଗର ବିଜେ ନୀତି କେବଳ ଆଷାଢ଼ ବ୍ୟତିତ ପ୍ରତ୍ୟେକ ଅମାବାସ୍ୟାରେ ପାଳିତ ହୋଇଥାଏ ।

ଏକାଦଶୀ ନୀତି[ସମ୍ପାଦନା]

ପ୍ରତ୍ୟେକ ଏକାଦଶୀରେ ଦକ୍ଷିଣ ଘରୁ ଆସିଥିବା ମଦନମୋହଙ୍କଙ୍କ ପ୍ରତିମା ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା ଆଳତି ପରେ ଆଜ୍ଞାମାଳ ନେଇ ମନ୍ଦିର ଭିତର ବେଢ଼ା ପାଲିଙ୍କିରେ ପରିକ୍ରମା କରି ମଙ୍ଗଳାଙ୍କ ପାଖ ବେଢ଼ାରୁ ଜୟ-ବିଜୟ ଦ୍ଵାର ପର୍ଯ୍ୟନ୍ତ ଯାଆନ୍ତି, ଯାହାକି ଆଗରୁ ବନ୍ଦ ହୋଇଥାଏ । ସେଠାରେ ପଡ଼ିଥିବା ଖଟ ଆସନ ଉପରେ ପଣ୍ଡା ମଦନମୋହନଙ୍କୁ ଖଇକୋରା ଇତ୍ୟାଦି ଭୋଗ କରିସାରି ଆଳତି କରନ୍ତି ଏହାପରେ ମଦନମୋହନଙ୍କୁ ଦକ୍ଷିଣ ଘରକୁ ବିଜେ କରାଯାଏ ।

ଏକାଦଶୀ ଗୁରୁବାର ଦିନ ପଡ଼ିଲେ ସନ୍ଧ୍ୟାଧୂପ ପରେ ଜଗନ୍ନାଥଙ୍କ ବାଡ଼ରେ ମହାସ୍ନାନ ଓ ବଡ଼ସିଂହାର ଭୋଗ ପରେ ଜଗନ୍ନାଥଙ୍କ ପାଖରେ ରୁପାର ଦଣ୍ଡଛତ୍ର ଧରାଯାଏ ଓ ସ୍ଵତନ୍ତ୍ର ବନ୍ଦାପନା କରାଯାଏ ।

ଏକାଦଶୀ ସୋମବାର ଦିନ ପଡ଼ିଲେ ତାହାକୁ ଶମ୍ଭୁ ଏକାଦଶୀ କୁହାଯାଏ‌ । ଏହି ଦିନ ଶ୍ରୀମଦନମୋହନ ଓ ଭଣ୍ଡାରଲୋକନାଥ ବାଲିଲୋକନାଥଙ୍କ ମନ୍ଦିରକୁ ବିଜେ କରନ୍ତି । ସେଠାରେ ଉଭୟ ବନ୍ଦାପନା ହୋଇ ବାସେଳୀ ସାହିସ୍ଥ ଅଡ଼ଙ୍ଗ ବାସେଳୀ ବା ବାସେଳୀ ଠାକୁରାଣୀଙ୍କ ନିକଟକୁ ବିଜେ କରନ୍ତି । ସେଠାରେ ପନ୍ତି ଭୋଗ ଖାଇ ମଦନମୋହନ ଶ୍ରୀମନ୍ଦିରରେ ବିଜେ କରନ୍ତି ଓ ଭଣ୍ଡାର ଲୋକନାଥ ଶ୍ରୀମନ୍ଦିରର ଭଣ୍ଡାରଘର ଜଗନ୍ତି ।

ପ୍ରତ୍ୟେକ ଏକାଦଶୀ ଦିନ ତିନିବାଡ଼ରେ ମହାଦୀପ ଆଳତି ପରେ ତିନିଜଣ ଚୁନରା ସେବକ ନୀଳଚକ୍ରରେ ପଣ୍ଡାମାନେ ଦେଇଥିବା ତୁଳସୀ ଚନ୍ଦନ ପ୍ରସାଦ ଲାଗି କରି ଦଧି ନଉତି ତଳେ ତିନି ଘେରା ପ୍ରଦିକ୍ଷଣ କରି ଚାରି ଦିଗରେ ତିନିଗୋଟି ଲେଖାଏଁ ଚନ୍ଦ୍ର ଉଦିଆ ଜାଳି, ମହାପ୍ରଭୁ ଗଜପତି ମହାରାଜାଙ୍କୁ ଶଙ୍ଖରେ ପୁରାଇ, ଚକ୍ର ଆଢୁଆଲରେ ରଖିଥାଆନ୍ତୁ ବୋଲି ପ୍ରାର୍ଥନା ଅକ୍ରି ହରିବୋଲ ଦିଅନ୍ତି ।

ବନକ ଲାଗି[ସମ୍ପାଦନା]

ପ୍ରତିମାସରେ ହାରାହାରି ଦୁଇଥର ଶ୍ରୀଜୀଉମାନଙ୍କର ମୁଖଶ୍ରୀର ପ୍ରସାଧନ (ରଙ୍ଗଲାଗି) ବା ବନକ ଲାଗି ହୋଇଥାଏ । ବନକ ଲାଗି ରୀତି ‘ଦତ୍ତ ମହାପାତ୍ର’ ଗୋଷ୍ଠୀର ସେବକମାନଙ୍କଦ୍ଵାରା କରାଯାଇଥାଏ । ନିୟମ ଅନୁଯାୟୀ ବୁଧବାର ଦିନ ବନକ ଲାଗି ହୋଇଥାଏ । ଦି’ପ୍ରହର ଧୂପ ସରିବାପରେ ମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି କରାଯାଇଥାଏ । ଦତ୍ତମହାପାତ୍ର ରତ୍ନ ସିଂହାସନ ଉପରକୁ ଯାଇ ଦେବତାମାନଙ୍କର ମୁଖସିଂହାର କରନ୍ତି । ଏହି ନୀତି ସମାପନ ହେବା ପର୍ଯ୍ୟନ୍ତ (ପ୍ରାୟ ତିନି ଘଣ୍ଟା ସମୟ) ଶ୍ରୀମନ୍ଦିରର ସମସ୍ତ ଦ୍ଵାର ସମ୍ପୂର୍ଣ୍ଣ ବନ୍ଦ ରହେ । ତିନି ଦାରୁମୂର୍ତ୍ତିଙ୍କ ମୁଖମଣ୍ଡଳରେ ଶୃଙ୍ଗାରକୁ ମନ୍ଦିର ଭାଷାରେ ବନକଲାଗି କୁହାଯାଏ ।କବି ସାଲବେଗ ମହାପ୍ରଭୁଙ୍କ ଶ୍ରୀମୁଖ ଦେଖି ଲେଖିଛନ୍ତି ‘ଝଲମଲ ଦିଶୁଥାଇ ମୁକୁତାର ଝଟକ’ । କୌଣସି ଆଭୂଷଣ ନଥାଇ ମହାପ୍ରଭୁଙ୍କ ମୁଖମଣ୍ଡଳ ଭକ୍ତଙ୍କୁ ଆକର୍ଷିତ କରେ । ଏହି ଆକର୍ଷଣର କାରଣ ମୁହଁର ରଙ୍ଗବିନ୍ୟାସ । ଏହି ରଙ୍ଗବିନ୍ୟାସ ବା ବନକଲାଗି ନୀତି ପାଇଁ ଏକ ସ୍ୱତନ୍ତ୍ର ସେବାୟତ ଗୋଷ୍ଠୀ ଅଛନ୍ତି । ଏମାନଙ୍କୁ ଦତ୍ତ ମହାପାତ୍ର କୁହାଯାଏ । ଏମାନଙ୍କ କାମ ହେଲା ରଙ୍ଗପ୍ରସ୍ତୁତ କରିବା ଓ ବିଗ୍ରହରେ ଲଗାଇବା । ରଙ୍ଗ ସହିତ କସ୍ତୁରୀକେଶର ଭଳି ଦାମୀ ସୁବାସିତ ପଦାର୍ଥ ବ୍ୟବହୃତ ହେଉଥିବାରୁ, ବିଧିମତେ ଥରେ ବନକଲାଗି ପାଇଁ ୭ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହୁଏ । ବଜାରରେ ମିଳୁଥିବା ରଙ୍ଗ ବନକଲାଗିରେ ବ୍ୟବହାର ହୁଏ ନାହିଁ । ମହାପ୍ରଭୁଙ୍କ ଲାଗି ଉର୍ଦ୍ଦିଷ୍ଟ ରଙ୍ଗଗୁଡିକ ପ୍ରସ୍ତୁତ ପାଇଁ ଭିତର ବେଢାର ଉତ୍ତର ପଟେ ଗୋଟିଏ କୋଠରୀ ରହିଛି । ଏହାକୁ ବନକଲାଗି ଘର କୁହାଯାଏ । ଶଙ୍ଖକୁ ଚୂର୍ଣ୍ଣ କରି ଧଳାରଙ୍ଗ, ହରିତାଳରୁ ହଳଦିଆ ଓ ହିଙ୍ଗୁଳରୁ କଳା ପ୍ରସ୍ତୁତ ହୁଏ । ଏସବୁ ରଙ୍ଗରେ କର୍ପୁର ଓ କସ୍ତୁରୀ ମିଶେ । କସ୍ତୁରୀ ଯୋଗୁଁ ମହାପ୍ରଭୁଙ୍କ ମୁଖମଣ୍ଡଳ ଉଜ୍ଜଳ ଓ ମସୃଣ ରହେ । ରତ୍ନସିଂହାସନ ଆଗରେ ଯେଉଁ ଭୋଗ ବଢାହୁଏ ତା’ର ଗରମବାଷ୍ପ ଯୋଗୁଁ ମୁଖମଣ୍ଡଳର ଉଜ୍ଜଳତା କମିଯାଏ । କସ୍ତୁରୀ ବ୍ୟବହାର ଯୋଗୁଁ ରଙ୍ଗ ଦୀର୍ଘସ୍ଥାୟୀ ହୁଏ ।

ଅଧର ପୋଛା[ସମ୍ପାଦନା]

ଏହା ପ୍ରସାଧନ ଶ୍ରେଣୀୟ ଅନ୍ୟ ଏକ ଉପଚାର । ଅଧର ପୋଛା ମାସକୁ ଚାରିଥର ସାଧାରଣତଃ ପ୍ରତ୍ୟେକ ରବିବାର ଦିନ ଅନୁଷ୍ଠିତ ହୋଇଥାଏ । ଅଧର ପୋଛା ନିମନ୍ତେ ମନ୍ଦିରର ଚାଙ୍ଗଡ଼ା ଘରୁ ଆସିଥିବା ଧଳା କନା ଓ ବିମଳା ମନ୍ଦିର କୂଅର ପାଣି ବ୍ୟବହାର କରାଯାଇଥାଏ । ରବିବାର ଦିନ ଦିଅଁମାନଙ୍କର ସକାଳର ସ୍ନାନ ପୂର୍ବରୁ, ବନ୍ଦଥିବା ଗର୍ଭଗୃହ ମଧ୍ୟରେ ଦତ୍ତ ମହାପାତ୍ର କର୍ପୁର ମିଶ୍ରିତ ଜଳ ଓ କନାରେ ଦେବତାମାନଙ୍କ ମୁଖଶ୍ରୀଗୁଡ଼ିକୁ ପୋଛିଥାଆନ୍ତି । ପନ୍ଦର କୋଡ଼ିଏ ମିନଟ ସମୟରେ ଏହି ନୀତି ସମାପ୍ତ ହୋଇଥାଏ ।

ନକ୍ଷତ୍ର ବନ୍ଦାପନା[ସମ୍ପାଦନା]

ମାଜଣା ଓ ଏକାନ୍ତ ନୀତି[ସମ୍ପାଦନା]

ପ୍ରତ୍ୟେକ ମାସର ପ୍ରତ୍ୟେକ ଗୁରୁବାର ଦିନ ତିନିବାଡ଼ରେ ସକାଳ ଧୂପରେ ଏହି ନୀତି ଅନୁଷ୍ଠିତ ହୋଇଥାଏ । କେତେକ ଗୁରୁବାରରେ ଏହି ମାଜଣା ନୀତି ପାଳନ କରାଯାଏ ନାହିଁ, ଯଥା:

  • ସ୍ନାନ ପୂର୍ଣ୍ଣିମାଠାରୁ ଦିଅଁ ରଥରୁ ରତ୍ନବେଦୀକୁ ଫେରିବା ମଧ୍ୟରେ ଯେଉଁ ଗୁରୁବାର ପଡ଼େ
  • ନନ୍ଦ ଉତ୍ସବ ଓ ଦମନକ ଚତୁର୍ଦ୍ଦଶୀ ଦିନ ଯଦି ଗୁରୁବାର ପଡ଼େ

ଏକାନ୍ତ ନୀତି[ସମ୍ପାଦନା]

ଗୁରୁବାର ଦିନ ସଂଧ୍ୟା ଧୂପ ପରେ ଏକାନ୍ତ ନୀତି ପାଳନ କରାଯାଇଥାଏ । କେତେକ ଗୁରୁବାରରେ ଏହି ଏକାନ୍ତ ନୀତି ପାଳନ କରାଯାଏ ନାହିଁ, ଯଥା:

  • ଗୁରୁବାର ଦିନ ଏକାଦଶୀ ପଡ଼ିଲେ
  • କୁମାର ପୂର୍ଣ୍ଣିମାଠାରୁ ସାତ ଦିନ ମଧ୍ୟରେ ପଡ଼ିବା ଗୁରୁବାର
  • ଶ୍ରୀରାମ ନବମୀ ଠାରୁ ପୁଷ୍ୟାନକ୍ଷତ୍ରରେ ଅଭିଷେକ ପର୍ଯ୍ୟନ୍ତ ଯେଉଁ ଗୁରୁବାର ପଡ଼େ
  • ଜନ୍ମାଷ୍ଟମୀ ଠାରୁ କଂସବଧ (ଭାଦ୍ରବ ଶୁକ୍ଳ ଦଶମୀ) ପର୍ଯ୍ୟନ୍ତ
  • ସ୍ନାନ ପୂର୍ଣ୍ଣିମାଠାରୁ ଦିଅଁ ରଥରୁ ରତ୍ନବେଦୀକୁ ଫେରିବା ମଧ୍ୟରେ ଯେଉଁ ଗୁରୁବାର ପଡ଼େ
  • ବାହାର ଚନ୍ଦନ ଯାତ୍ରା ସମୟରେ (ଅକ୍ଷୟ ତୃତୀୟା ଠାରୁ ୨୧ ଦିନ ପର୍ଯ୍ୟନ୍ତ)
  • ସହସ୍ର କୁମ୍ଭ ଅଭିଷେକଠାରୁ ଦଶହରା ମଧ୍ୟରେ ଯେଉଁ ଗୁରୁବାର ପଡ଼େ

ଆଧାର[ସମ୍ପାଦନା]