କୁଡୁଆ

ଉଇକିପିଡ଼ିଆ ରୁ
Jump to navigation Jump to search
ଜଗନ୍ନାଥ ମନ୍ଦିରରେ ବ୍ୟବହାର ପାଇଁ ସେବକଙ୍କଦ୍ୱାରା କୁଡୁଆ ନିଆଯାଉଛି

କୁଡୁଆ ହେଉଛି ମାଟିରେ ତିଆରି ଏକ ପାତ୍ର ଯାହା ଅବଢା ରନ୍ଧନ ଏବଂ ରଖିବା କାର୍ଯ୍ୟରେ ବ୍ୟବହାର ହୋଇଥାଏ ।[୧] ହାଣ୍ଡି କୁଡୁଆକୁ, ଓଳି, ସରା, ବଢ଼ା, ତାଡ଼ ଆଦିକୁ ରତ୍ନହାଣ୍ଡି ବୋଲି ମଧ୍ୟ କୁହାଯାଏ ।[୨]

ଶ୍ରୀମନ୍ଦିରରେ ପାଞ୍ଚ ପ୍ରକାରର ତାଡ଼ (ପାହାନ୍ତି, ସାତପୁରୀ, ନରସିଂହନାଥିଆ, ଅଧାତାଡ଼ିଆ ବା ଚାଟି, ଚଉଠା ବା ସାତପୁରୀ ଚାଟି), ଛଅ ପ୍ରକାର ହାଣ୍ଡି (ବାଇହାଣ୍ଡି, ଟିପେଇ ହାଣ୍ଡି, ଅଧର ହାଣ୍ଡି, ସମାଧି, ଦାସିଆ, ଏମାର) । ଛଅ ପ୍ରକାର କୁଡୁଆ (ବଡ଼ମଠ, ସାନମଠ, ନମ୍ବରି, ଧଳା ବା ଢଳା, ଥାଳି, କଳା ବା ଭାତ), ଛଅ ପ୍ରକାର ଓଳି (ପଖାଳ ବା ବଡ଼, ଅଙ୍ଗବାସ ବା ଅଙ୍ଗାଂଶ, ଚକ, ପାଇକିଆ, ସୁମୋ ଓ ମୁଗ), ଚାରି ପ୍ରକାର ସରା (ବଡ଼, ପୁଳି, ପାଳି, ମଝାଲ) ମାଟି ପାତ୍ର ବ୍ୟବହାର ହେଇଥାଏ । ଏହା ବ୍ୟତୀତ କେତେ ପ୍ରକାର ଆଟିକା, ପଲମ ଓ ଦୀପ-ଦୀପାଳି ଇତ୍ୟାଦି ବ୍ୟବହୃତ ହୋଇଥାଏ । ଦିଅଁଙ୍କ ଚଢେ଼ଇ ନେଦା ଭୋଗ ଲାଗୁଥିବା ତାଡ଼କୁ ମଧ୍ୟ "ଚଢେ଼ଇନେଦା ତାଡ଼' ବୋଲି କୁହାଯାଏ ।[୩]

ନିର୍ମାଣ[ସମ୍ପାଦନା]

ଜଗନ୍ନାଥଙ୍କର 'ରତ୍ନହାଣ୍ଡି ଜାଗିରି' ଭୋଗ ଦଖଲ କରୁଥବା କୁମ୍ଭକାର ବିଶୋଇମାନେ ସେହି ଜାଗିରିରୁ ସଂଗ୍ରହ କରୁଥୁବା ରତ୍ନମାଟିକୁ ବ୍ୟବହାର କରି ରତ୍ନହାଣ୍ଡି ତିଆରି କରନ୍ତି । ରତ୍ନହାଣ୍ଡି କହିଲେ, ନାଲି ରଙ୍ଗର ମାଟିପାତ୍ରକୁ ବୁଝାଯାଏ । ନୀଳାଦ୍ରି ମହୋଦୟ (୭୬୬)ରେ ରହିଛି ‘କୃଷ୍ଣବର୍ଣ୍ଣନି ପାତ୍ରାଣି ନ ନୟେତ ପାକ ମନ୍ଦିରମ୍' ଅର୍ଥାତ କୃଷ୍ଣ ରଙ୍ଗ ବା କଳାରଙ୍ଗର ହାଣ୍ଡିକୁ ବଡ଼ ଦେଉଳ ପ୍ରାକଶାଳାକୁ ନେବ ନାହିଁ ।[୨] କେବଳ ନାଲି ପୋଡ଼ ହାଣ୍ଡ ପ୍ରବେଶ କରିବ ।

ହାଣ୍ଡି ନିର୍ମାଣ ପାଇଁ ବ୍ୟବହାର ଚାରିଟି ବସ୍ତୁ ମଧ୍ୟରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଶ୍ରେଷ୍ଠ ।[୨] ପ୍ରତ୍ୟେକ ହାଣ୍ଡିରେ ଚଟା (ମାଟି ତାଡ଼ିଲା ବେଳେ ରହୁଥୁବା ଦାଗ), ହାଣ୍ଡି ବେକରେ ଗୁଣାକାର (ମାଳିଭଳି ଅଳଙ୍କରଣ) ଓ ହାଣ୍ଡି ତଳେ ପଦ୍ମ ଚିହ୍ନ ରହିଥାଏ । ମାଟି ତାଡ଼ିବା ବେଳେ ତାହା ଶଙ୍ଖାକୃତି ହୋଇ ବାହାରିଥାଏ । ଏହାକୁ ଚକ୍ର ଉପରେ ବୁଲାଇ ତିଆରି କରାଯାଏ । ପରେ ଗଦା ଭଳି କାଠରେ ଶେଷ ସ୍ପର୍ଶ ଦିଆଯାଏ । ଓ ତଳେ ପଦ୍ମର ଚିହ୍ନ ଥାଏ ।

ବଡ଼ ଦେଉଳରେ ପ୍ରଚଳିତ କେତେକ କୁଡୁଆ ମଧ୍ୟରେ ଥାଳି କୁଡ଼ୁଆ (ଖେଚୁଡ଼ିପାଇଁ), ଅଙ୍ଗବାସ ଓଳି (ମରିଚି ପଣା, ମିଠା ଦହି, ଅଦାପଖାଳ, ଆଦି ପାଇଁ), ଟିପେଇ ହାଣ୍ଡି (କାନିକା, କ୍ଷୀରି, କଡମ୍ବା ପାଇଁ), ପାହାନ୍ତି (ଅମାଲୁ, କାକରା ପାଇଁ) ଅଧା (ଅମାଲୁ ଛଣା ମାଟି ତଇ) ସାନଓଳି ( ବାଳରେ ଭାଗ ପାଇଁ), ପୁଳି ସରା(ପିଠା, ଚଢ଼େଇନେତା ପାଇଁ), ପାଳିସରା(ଛୋଟ ପିଠା, କାକରା, ଅମାଲୁ ଆଦି ପାଇଁ), ବଢ଼ (ଧୁଆ ମୁଗପାଇଁ), କଟାସରା (କଦଳୀ ଭଜା, ପାଚିଲା କଦଳୀ ଚେକା ପାଇଁ), ବାଇହାଣ୍ଡି, ସମାଦି କୁଡୁଆ, ଦାସିଆ କୁଡୁଆ, ଏମାର କୁଡୁଆ, ବଡ଼ମଠ କୁଡୁଆ, ସାନମଠ କୁଡୁଆ, ମକର ପାଇଁ ମକର ତାଡ଼, ସାତପୁରି ପାଇଁ ସାତପୁରି ତାଡ଼ (ସବୁଠାରୁ ବଡ଼ ତାଡ଼), ଅଧରପଣା ପାଇଁ ହାଣ୍ଡି ଆଦି କୁମ୍ମାର ସେବକ ଯୋଗାଇଥାନ୍ତି ।

ଆଧାର[ସମ୍ପାଦନା]

  1. "orissaculture.comରେ କୁଡ଼ୁଆ".
  2. ୨.୦ ୨.୧ ୨.୨ "ରତ୍ନ ହାଣ୍ଡି". ପ୍ରମେୟ. ୨୪ ମଇ ୨୦୧୫. p. ୨. Retrieved 14 September 2015. Check date values in: |date= (help)
  3. କର, ଯୋଗାଚାର୍ଯ୍ୟ ଡ. ରମାକାନ୍ତ (ଜୁନ-ଜୁଲାଇ ୨୦୦୭). "ଶ୍ରୀମନ୍ଦିରର ମଣୋହି ନୀତିରେ ମୃଣ୍ମୟ ପାତ୍ରା". ଉତ୍କଳ ପ୍ରସଙ୍ଗ. ୬୩ (୧୧-୧୨): ୧୦୫. Check date values in: |date= (help); |access-date= requires |url= (help)

ଅଧିକ ତଥ୍ୟ[ସମ୍ପାଦନା]