ବଡ଼ସିଂହାର ବେଶ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଏହି ଲେଖାଟି ବଡ଼ସିଂହାର ବେଶ ବାବଦରେ । ବାକିସବୁ ପାଇଁ, ଜଗନ୍ନାଥଙ୍କ ବେଶ ପ୍ରସଙ୍ଗଟି ଦେଖନ୍ତୁ ।

ଶ୍ରୀମନ୍ଦିରର ସ୍ଵତଲିପି ମୁତାବକ ଶ୍ରୀବିଗ୍ରହମାନଙ୍କ ବଡ଼ସିଂହାର ବେଶ ହୋଇଥାଏ । ଜଗନ୍ନାଥ ମନ୍ଦିରରେ ବହୁ ପ୍ରାଚୀନ କାଳରୁ ଠାକୁରମାନେ ଦୈନନ୍ଦିନ ପ୍ରଥମେ ବସ୍ତ୍ର ଶୃଙ୍ଗାର, ଦ୍ଵିତୀୟରେ ଭୂଷଣ ଶୃଙ୍ଗାର ଓ ଶୟନ କାଳରେ ପୁଷ୍ପ ଶୃଙ୍ଗାରରେ ଭୂଷିତ ହୋଇଥାନ୍ତି । ବଡ଼ସିଂହାର ବେଶ ହେଉଛି ପୁଷ୍ପ ବେଶ । ନାନାଦି ପୁଷ୍ପାଳଙ୍କାରରେ ବିମଣ୍ଡିତ ଶ୍ରୀଜୀଉମାନଙ୍କ ଏହି ଆକର୍ଷଣୀୟ ବେଶ ମନଲୋଭା ।

ଇତିହାସ[ସମ୍ପାଦନା]

ଖ୍ରୀଷ୍ଟୀୟ ଦ୍ଵାଦଶ ଶତାବ୍ଦୀରୁ ଏହି ମନୋରମ ପୁଷ୍ପ ଶୃଙ୍ଗାର ବା ବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇ ଆସୁଥିବା ଜଣାଯାଏ । ଏହି ପବିତ୍ର ପୁଷ୍ପ ବେଶ ପ୍ରତ୍ୟେହ ରାତ୍ରରେ ଶ୍ରୀଜୀଉମାନଙ୍କ ଚନ୍ଦନଲାଗି ନୀତି ପରେ ହୋଇଥାଏ । ଶ୍ରୀମନ୍ଦିର ସ୍ଵତଲିପିରେ ଉଲ୍ଲେଖ ହେଇଛି ଯେ - "ରାତ୍ର ୧୦ଟା ୩୦ ମିନିଟ ସମୟରେ ବଡ଼ସିଂହାର ବେଶ ହେବାର ନିୟମ । ଏହି ବେଶ ପାଇଁ ଶ୍ରୀରାମ ଦାସ ମଠ ପୁଷ୍ପରେ ନିର୍ମିତ କରପଲ୍ଲବ, କୁଣ୍ଡଳ ଓ ତଡ଼ଗି ଯୋଗାଏ । ଏମାର ମଠ ଫୁଲର ଚନ୍ଦ୍ରିକା ଯୋଗାଏ । ଏହି ପୁଷ୍ପ ଅଳଙ୍କାର ଯୋଗାଇବା ସକାଶେ ଭକ୍ତ ଦୁଇ ମଠ ଖଞ୍ଜା ଜମି ଭୋଗ କରନ୍ତି । ଚାଙ୍ଗଡ଼ା ଘରୁ ଚାଙ୍ଗଡ଼ା ମେକାପ ବାରଲାଗି ପାଟ ଯୋଗାଏ ।[୧] ଏହି ପାଟରେ ଗୀତଗୋବିନ୍ଦ ଶ୍ଲୋକ ବୁଣାଯାଇଥାଏ । କବି ଜୟଦେବଙ୍କ ସମୟରେ ଗୀତଗୋବିନ୍ଦର ପ୍ରଚଳନ ହୋଇ ପରବର୍ତ୍ତୀ ସମୟରେ ଗୀତଗୋବିନ୍ଦ ଖଣ୍ଡୁଆ ବଡ଼ସିଂହାର (ଶୃଙ୍ଗାର) ବେଶରେ ଠାକୁରମାନଙ୍କୁ ଲାଗିହେଲା । [୨]

ଆଭୂଷଣ[ସମ୍ପାଦନା]

ଏହି ବେଶରେ ଠାକୁରମାନେ ଖଣ୍ଡୁଆ, ପହରଣ, ଫୁଟା, ଶିରକପଡ଼ା (ଶ୍ରୀକାପଡ଼ା ) ସୂତାଲୁଗା ଇତ୍ୟାଦି ପାରମ୍ପାରିକ ବସ୍ତ୍ରମାନ ପରିଧାନ କରିଥାନ୍ତି । ସୂଚନଯୋଗ୍ୟ ଯେ, ନୀଳଧଡ଼ିଯୁକ୍ତ ଧଳା ଶିରକପଡା ବଳଭଦ୍ରଙ୍କୁ, ହଳଦିଆ ରଙ୍ଗ ଧଡିର ଶିରକପଡ଼ା ପ୍ରଭୁ ଜଗନ୍ନାଥଙ୍କୁ ଓ ନାଲିଧଡିଆ ଧଳା ଶିରକପଡ଼ା ମା' ସୁଭଦ୍ରାଙ୍କୁ ଲାଗି ହୋଇଥାଏ । ଉକ୍ତ ବେଶରେ ଠାକୁରମାନେ ଲାଗି ହେଇଥିବା ବିଭିନ୍ନ ପୁଷ୍ପ ଅଳଙ୍କାର ମଧ୍ୟରେ ମୁଖ୍ୟତଃ ଗଭା,ଚନ୍ଦ୍ରିକା, ଅଳକା, ତିଳକ, ଝୁମ୍ଫା, ନାକୁଆସି, ଦଅଣା, ଅଧରମାଳ, ମକରକୁଣ୍ଡଳ, ଶ୍ରୀପୟର ମାଳା, ହୃଦୟପଦକ, କୌସ୍ତୁଭ ପଦକ, କରପଲ୍ଲବ ଆଦି ପ୍ରଧାନ । [୨][୩]

ବିଶେଷତା[ସମ୍ପାଦନା]

ବଡ଼ସିଂହାର ବେଶ ହେଉଛି ବିଶେଷ ମାନସିକତା, ଭାବାବସ୍ତା ତଥା ପ୍ରକୃତିର ପ୍ରତିଫଳନ । ଜନଶ୍ରୁତି ଅନୁଯାୟୀ ଅତିବଡ଼ି ଜଗନ୍ନାଥ ଦାସ ଗୋସ୍ଵାମୀ ପ୍ରତିଦିନ ମହାପ୍ରଭୁଙ୍କ ବଡ଼ସିଂହାର ବେଶ ଦର୍ଶନ କରିବା ପରେ ଶୟନ କରୁଥିଲେ । [୧][୧] ବଡ଼ସିଂହାର ବେଶ ପରେ ପରେ ଠାକୁରମାନଙ୍କ ବଡ଼ସିଂହାର ଭୋଗ ହୁଏ । ଏହି ବେଶରେ ଠାକୁରମାନଙ୍କ ପହୁଡ଼ ବା ଶୟନ ନୀତି ସମ୍ପାଦିତ ହୋଇଥାଏ ।

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]