ଘୋଡ଼ଲାଗି ବେଶ

ଉଇକିପିଡ଼ିଆ‌ରୁ

ମାର୍ଗଶିର ଶୁକ୍ଳଷଷ୍ଠୀ[୧]ଠାରୁ ମାଘ ଶୁକ୍ଲପଞ୍ଚମୀ ଯାଏଁ ମଧ୍ୟାହ୍ନ ଧୂପ ଓ ଦୈନନ୍ଦିନ ଅବକାଶ ପରେ ଶ୍ରୀଜୀଉମାନଙ୍କର ଘୋଡ଼ବେଶ ଓ ମାଘ ଶୁକ୍ଳ ଷଷ୍ଠୀଠାରୁ ଫଗୁ ଦଶମୀ ଯାଏଁ ଜାମାଲାଗି ବା ଠିଆଘୋଡ଼ ବେଶ କରାଯାଇଥାଏ । ଘୋଡ଼ଲାଗି ବେଶ ଓ ଜାମାଲାଗି ବେଶ ମଧ୍ୟରେ ଫରକ ହେଲା, ଅଧିକ ଶୀତ ପଡ଼ିଥିବା ବେଳେ ମହାପ୍ରଭୁ ଦେହମୁଣ୍ଡ ସଂପୂର୍ଣ୍ଣ ଘୋଡାଇ ହେବା ପରି ବେଶ ପିନ୍ଧିଥାଆନ୍ତି [୨]ଓ ଶୀତ କମିଗଲେ ଜାମାଲାଗି ବେଶ ହୋଇଥାଆନ୍ତି ।[୩] ମାର୍ଗଶିର ଷଷ୍ଠୀଠାରୁ ଘୋଡ଼ଲାଗି ଆରମ୍ଭ ହୋଇ ମାଘ ବସନ୍ତ ପଞ୍ଚମୀ [୪]ଯାଏଁ ଏମିତି ୬୦ ଦିନ ପର୍ଯ୍ୟନ୍ତ ଚାଲୁ ରହେ । ବସନ୍ତ ଷଷ୍ଠୀଠାରୁ ଫଗୁ ଦଶମୀ ପର୍ଯ୍ୟନ୍ତ ୩୫ ଦିନ ଲାଗି ମହାପ୍ରଭୁ ଜାମାଲାଗି ବା ଠିଆଘୋଡ଼ ବେଶରେ ଭୂଷିତ ହୁଅନ୍ତି ।

ବସ୍ତ୍ର ଓ ଅଳଙ୍କାର[ସମ୍ପାଦନା]

ଘୋଡ଼ଲାଗି ବେଶରେ ଗଡ଼ା (ମୋଟା ସୂତା ବସ୍ତ୍ର), ଖଣ୍ଡୁଆପାଟ, ମଖମଲର ଘୋଡ଼ବସ୍ତ୍ର, ଫୁଟା, ଟୋପର ଆଦିରେ ଶ୍ରୀଜୀଉମାନଙ୍କୁ ଭୂଷିତ କରାଯାଏ । ଘୋଡ଼ବସ୍ତ୍ରମାନ ସାଧାରଣତଃ ମଖମଲ ଓ ସୂତା କପଡାରେ ଶ୍ରୀମନ୍ଦିରର ପାରମ୍ପରିକ ଦରଜୀସେବକଙ୍କଦ୍ୱାରା ଏକ ସ୍ୱତନ୍ତ୍ର ଶୈଳୀରେ ପ୍ରସ୍ତୁତ କରାଯାଇଥାଏ । ପରମ୍ପରା ଅନୁଯାୟୀ ଠାକୁରମାନେ ପ୍ରତ୍ୟେକ ବାରରେ ଭିନ୍ନ ଭିନ୍ନ ରଙ୍ଗର ଘୋଡ଼ବସ୍ତ୍ର ଲାଗି ହୋଇଥାନ୍ତି, ଯଥା: [୫]

  • ରବିବାର - ନାଲି ରଙ୍ଗର ଘୋଡ଼ବସ୍ତ୍ର
  • ସୋମବାର - କଳାଛିଟା ମିଶା ଧଳା ଧଳା ଘୋଡ଼ବସ୍ତ୍ର
  • ମଙ୍ଗଳବାର - ବାର ପଟିଆ (ପଞ୍ଚ ରଙ୍ଗ ମିଶା) ଘୋଡ଼ବସ୍ତ୍ର
  • ବୁଧବାର - ନୀଳ ରଙ୍ଗର ଘୋଡ଼ବସ୍ତ୍ର
  • ଗୁରୁବାର - ହଳଦିଆ ଘୋଡ଼ବସ୍ତ୍ର
  • ଶୁକ୍ରବାର - ଧଳା ଘୋଡ଼ବସ୍ତ୍ର
  • ଶନିବାର - କଳା ଘୋଡ଼ବସ୍ତ୍ର

ତିନିଠାକୁରଙ୍କ ପାଇଁ ୧୪ହାତ ଲମ୍ବ ଓ ୩ହାତ ଓସାରର ଚାରିଖଣ୍ଡ ପାଟ ବ୍ୟବହାର କରାଯାଏ । ମହାପ୍ରଭୁଙ୍କ ଲାଗି କରାଯାଉଥିବା ଘୋଡ଼ପାଟରେ ବୁଣାଯାଉଥିବା ଶ୍ଳୋକଟି ହେଉଛି:[୬]

ମାର୍ଗଶୀର୍ଷେ ଶୀତ ପକ୍ଷେ ଯା ଷଷ୍ଠି ତିଥିସଂଯୁତା,
ସା ତୁ ପ୍ରାବରଣୀ ନାମ ସର୍ବକାମ ଫଳପ୍ରଦା ।
ବିଜୟତୁ ଜଗନ୍ନାଥ ଦିବ୍ୟବସ୍ତ୍ରେଣାଳଂକୃତ,
ପ୍ରୟଚ୍ଛତୁ ସର୍ବକାମାନ୍‌ ସ୍ୱର୍ଗ ମୋକ୍ଷଂ ଚ ଦୁର୍ଲଭମ୍‌ ।

ଘୋଡ଼ଲାଗି ବେଶରେ ଠାକୁରମାନଙ୍କୁ ନବାଙ୍କ ଚୂଳ ଓ ମକର ଚୂଳ ଲାଗି କରାଯାଇଥାଏ । ଏହି ବେଶରେ ଠାକୁରମାନେ ୨ଟି ତ୍ରିଶାଖା, ୪ଟି କୁଣ୍ଡଳ ଓ ୨ଟି ତଡ଼ଗି ଏପରି ମୋଟ ୮ମୂର୍ତ୍ତି ସୁନା ଅଳଙ୍କାର ଲାଗି ହେଉଥିବା ବେଳେ ଜାମାଲାଗି ବେଶରେ ଠାକୁରମାନେ ୪ଟି ଲେଖାଏଁ ନଳିଭୁଜ, କୁଣ୍ଡଳ, ତିଳକ, ଆଡ଼କାନି, ୬ଟି ଚନ୍ଦ୍ରସୂର୍ଯ୍ୟ, ୩ଟି ଲେଖାଏଁ ଓଡ଼ିଆଣି ଓ ମାଳି ସମେତ ୨ଟି ଲେଖାଏଁ ଚନ୍ଦ୍ରିକା ଓ ତଡ଼ଗି ଏପରି ମୋଟ ୩୦ମୂର୍ତ୍ତି ସୁନା ଅଳଙ୍କାର ପରିଧାନ କରିଥାନ୍ତି । [୭]

ଜାମାଲାଗି ବେଶରେ ଶ୍ରୀଜୀଉମାନେ ଜାମା ବା ଫତେଇ ପିନ୍ଧନ୍ତି ଯାହା ଫଳରେ ଶ୍ରୀବିଗ୍ରହମାନଙ୍କର ଶୀଅଙ୍ଗ ସମ୍ପୂର୍ଣ୍ଣ ଘୋଡାଇ ହୁଏ ନାହିଁ । ଏହି ଜାମା ଉପରପଟୁ ପିନ୍ଧାଇ ଦିଆଯାଏ । ଏହା କଟି ପାଖକୁ କୁଞ୍ଚ ହୋଇ ଘାଗରା ଭଳି ଦେଖାଯାଏ ।

ନୀତି[ସମ୍ପାଦନା]

ମାର୍ଗଶିର ଶୁକ୍ଳପଞ୍ଚମୀ ତିଥିରେ ରାତ୍ର ଚନ୍ଦନଲାଗି ଶେଷହେବା ପରେ ଭୋଗମଣ୍ଡପ ଘରେ ପତନି ଘୋଡ଼, ଖଣ୍ଡୁଆ ଘୋଡ଼, ମଦନମୋହନଙ୍କ କବରୀ, କାନ୍ଥ ଏବଂ ବିମଳା, ଲକ୍ଷ୍ମୀ ଓ ସରସ୍ୱତୀଙ୍କ ଘୋଡ଼ ଅଧିବାସ କରାଯାଇଥାଏ । ଭୋଗମଣ୍ଡପ ଘର ଧୋ-ପଖାଳ ହେବା ସହ ଅଧିବାସ ପାଇଁ ଚାନ୍ଦୁଆ ଟଙ୍ଗା ଯାଇଥାଏ । ପୂଜାପଣ୍ଡା ତିନୋଟି ମଣ୍ଡଳକାଟି ଚାଙ୍ଗୁଡ଼ିରେ ରହିଥିବା ଘୋଡ଼ଗୁଡିକୁ ଅଧିବାସ ଅରିଥାନ୍ତି । ଏହା ପରେ ଭୋଗମଣ୍ଡପ ଘରର ଦ୍ୱାର ମୁଦହୋଇ ଅନ୍ୟାନ୍ୟ ନୀତି ସମ୍ପନ୍ନ ହୋଇଥାଏ ।

ପ୍ରାବରଣ ଷଷ୍ଠୀ ଦିନ ସକାଳଧୂପ ଶେଷ ହେବାପରେ ପୁଷ୍ପାଳକ ସେବକମାନେ ଯଥାବିଧି ମଇଲମ କରିଥାନ୍ତି । ପଞ୍ଚମୀ ରାତିରେ ଅଧିବାସ ହୋଇଥିବା ଘୋଡ଼ଗୁଡ଼ିକୁ ପୂଜାପଣ୍ଡା, ପତି, ମୁଦିରସ୍ତ ଓ ତିନିଜଣ ପୁଷ୍ପାଳକ ଗରାବଡୁଙ୍କଠାରୁ ହାତୁଆଣି ନେଇ ଘଣ୍ଟାଛତା କାହାଳି ସହ ତଳୁଚ୍ଛ ପଟୁଆରରେ ବଡ଼ଦେଉଳକୁ ତିନି ବେଢ଼ା ବୁଲାଇ ଭିତର ସିଂହାସନକୁ ବିଜେ କରାନ୍ତି । ଏହାପରେ ପାଗ, ଘୋଡ଼ ତଥା ଅଳଙ୍କାର ଲାଗି କରାଯାଏ । [୮]

ଠାକୁରଙ୍କ ଘୋଡ଼ଲାଗି ସମୟରେ ପୂଜାପଣ୍ଡାମାନେ ସିଂହାସନ ତଳେ ବସି ପୂଜା କରନ୍ତି ।[୯]

ଆଧାର[ସମ୍ପାଦନା]

  1. "Festivals of Lord Sri Jagannath". nilachakra.org. 2010. Archived from the original on 22 October 2012. Retrieved 19 December 2012. The 6th day of the bright fortnight in the month of Margasira. From this day Ghodalagi begins
  2. Chandra, Sarat (2006). "The Hindu : Events : Protecting the Lord". hindu.com. Retrieved 19 December 2012. The name is derived from ghodo — a garment that covers the entire idol, except the face. The outermost one is considered to be the overcoat.[permanent dead link]
  3. "Lord Jagannath - Jama Lagi Besha of Lord Jagannath". orissa.oriyaonline.com. Archived from the original on 7 June 2015. Retrieved 19 December 2012. The month of Magha is the period of waning winter. Thus the robes of Lord Jagannath are changed.
  4. "Outfit of Lord Jagannatha". krishnascience.info. 2007. Retrieved 19 December 2012. Ghodalagi Vesha During the period from the 6th day of the bright fortnight of Margasira to the 5th day of the bright fortnight of Magha (Basanta Panchami) the Deities wear winter clothes.[permanent dead link]
  5. Suryanarayan Das (2010). Lord Jagannath. Sanbun Publishers. pp. 124–. ISBN 978-93-80213-22-4. Retrieved 19 December 2012.
  6. ଶ୍ରୀକୁମାର ଶୁକ୍ଳ, ରବିବାର ସମାଜ, ୧୬-୨୨ ଡିସେମ୍ବର ୨୦୧୨, ପୃଷ୍ଠା: ୭
  7. "Lord Jagannath (Costumes)". lordjagannath.com. 2010. Retrieved 19 December 2012. In this time the deities wears 30 pcs of gold ornaments
  8. ସୂର୍ଯ୍ୟପ୍ରଭା, ୧୯ ଡିସେମ୍ବର ୨୦୧୨, ପୃଷ୍ଠା: ୧୦
  9. ମିଶ୍ର, ପଣ୍ଡିତ ରାମକୃଷ୍ଣ. "ଘୋଡ଼ଲାଗି ବେଶ ଓ ପହିଲି ଭୋଗ ନୀତି". ସମୟ. Archived from the original on 25 September 2021. Retrieved 21 December 2016.

ଅଧିକ ତଥ୍ୟ[ସମ୍ପାଦନା]