ଆଡ଼କିଆ ବେଶ

ଉଇକିପିଡ଼ିଆ‌ରୁ

କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥି ଦିନ ଶ୍ରୀମନ୍ଦିରରେ ଠାକୁରମାନଙ୍କର ଆଡ଼କିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହୋଇଥାଏ । ଉକ୍ତଦିନ ପ୍ରାତଃ ସମୟରେ ଶ୍ରୀଜୀଉମାନଙ୍କର ଅବକାଶ ନୀତି ଶେଷ ହେବା ପରେ ଏହି ବେଶ ଆରମ୍ଭ ହୋଇଥାଏ । ପୁଷ୍ପାଳକ ସେବକମାନେ ଏହି ବେଶ ସମ୍ପାଦନ କରିଥାନ୍ତି ।

ଆଡ଼କିଆ ବେଶରେ ଜଗନ୍ନାଥବଳଭଦ୍ରଙ୍କ ମସ୍ତକରେ ଚୂଳ ଲଗାଯାଏ । ଚୂଳ ଦୁଇଟି ସୋଲ, କନା, ବେତ, ଜମ୍ବୁରା, କଇଁଥ ଅଠା ଇତ୍ୟାଦିରେ ନିର୍ମିତ ହୋଇଥାଏ । ଏହି ଚୂଳରେ ସ୍ୱର୍ଣ୍ଣ ନିର୍ମିତ କିଆ ଆଡବାଗରେ ଖୋସା ଯାଇଥାଏ । ସୁଭଦ୍ରା ଓ ଅନ୍ୟ ଦୁଇ ଠାକୁରଙ୍କ ମସ୍ତକର ଶୀର୍ଷ ଭାଗରେ ସ୍ୱର୍ଣ୍ଣ ଚନ୍ଦ୍ରିକା ମଧ୍ୟ ଖଞ୍ଜା ଯାଇଥାଏ । ଏଥି ସହିତ ପୂର୍ବ ଦିନ ପରି ଅନ୍ୟାନ୍ୟ ସ୍ୱର୍ଣ୍ଣ ଅଳଙ୍କାର ଓ ହଳ, ମୂଷଳ, ଶଙ୍ଖ, ଚକ୍ର ଏବଂ ପାଟ ବସ୍ତ୍ର ଇତ୍ୟାଦିରେ ଠାକୁରମାନଙ୍କୁ ଆଡକିଆ ବା ତ୍ରିବିକ୍ରମ ବେଶରେ ଭୂଷିତ କରାଯାଇଥାଏ । କଥିତ ଅଛି ତ୍ରିବିକ୍ରମ ବା ଆଡକିଆ ବେଶ ଅତିବଡୀ ସମ୍ପ୍ରଦାୟର ଅତ୍ୟନ୍ତ ପ୍ରିୟ ଅଟେ। ପଞ୍ଚସଖାବାଦୀ ତଥା ଅତିବଡୀ ସମ୍ପ୍ରଦାୟର ବହୁ ସଂଖ୍ୟକ ଶିଷ୍ୟ -ଭକ୍ତ ତଥା ମହନ୍ତମାନେ ଏହି ମନୋରମ ବେଶ ଦର୍ଶନକରି ନିଜକୁ ସୌଭାଗ୍ୟ ମଣିଥାନ୍ତି ।

ଆଡ଼କିଆ ବା ଠିଆକିଆ ବେଶ ମଧ୍ୟରେ ପ୍ରଭେଦ ଏହି କି ଯେ , ଠିଆକିଆ ବେଶରେ ସୁନାକିଆ ଲମ୍ବ ଭାବରେ ଖୋସା ନଯାଇ ଆଡ଼ବାଗରେ ଖୋସା ଯାଏ ଏବଂ ଡାଳିକିଆ ବେଶରେ ସୋଲର ଡାଳପତ୍ରରେ ସୁନାର କିଆପତ୍ର ଖଞ୍ଜାଯାଏ । ଏହି ସୁନାକିଆଗୁଡ଼ିକ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ମସ୍ତକରେ ପିନ୍ଧାଯାଇଥିବା ସୋଲ, କନା, ବେତ , ଜମ୍ବୁରା, କଇଁଥ ଅଠାରେ ନିର୍ମିତ ଚୂଳରେ ଖୋସାଯାଏ । ଚୂଳର ଶେଷରେ ଲଗାଯାଏ ସୁନାର ଚନ୍ଦ୍ରିକା । ସୁଭଦ୍ରାଙ୍କୁ ମଧ୍ୟ ଏହି ବେଶରେ ଗୋଟିଏ ସୁନା ଚନ୍ଦ୍ରିକାଦ୍ୱାରା ଶୋଭିତ କରାଯାଏ । ମାତ୍ର ତାଙ୍କ ମସ୍ତକରେ ଚୂଳ ଲାଗି କରା ନଯାଇ ସୁନା କିରୀଟ ଲଗାଯାଏ । ସବୁ ଠାକୁରମାନଙ୍କର ମୂଖର ଉପର ପାର୍ଶ୍ୱରେ ଦୁଇଟି ଲେଖାଏଁ କାଡ଼କାନି ଲଗାଯାଇଥାଏ । ଏହି ବେଶରେ ଘାଗଡା ମାଳି , ବରକୋଳି ମାଳି , ପଦ୍ମମାଳି,ଗିନିମାଳି, ପଦକ ମାଳି ପିନ୍ଧାଯାଏ । ଏହା ବ୍ୟତିତ ମହାପ୍ରଭୁଙ୍କ ଅନ୍ୟାନ୍ୟ ଅଳଙ୍କାର , ମାଳି,ଶ୍ରୀପୟର ,ଶ୍ରୀହସ୍ତ ଏବଂ ଆୟୁଧ ମଧ୍ୟ ଲାଗି କରାଯାଏ ।[୧] ଜଗନ୍ନାଥ, ବଳଭଦ୍ରଙ୍କୁ ଲୁଗାକଛା ମାରି ପିନ୍ଧାଇ ଦିଆଯାଏ ।

ମହନ୍ତ ମହାରାଜ ରାମ ଜୟନ୍ତୀ ଦାସଙ୍କଦ୍ୱାରା ଏହି ବେଶର ପ୍ରଚଳନ ହୋଇଥିଲା ।[୨][୩] ଏହି ବେଶରେ ଶ୍ରୀଜୀଉମାନଙ୍କ ଶ୍ରୀମସ୍ତକରେ ସୋଲ, କନା, ବେତ, ଜମ୍ବୁରା ଓ କଇଁଥ ଅଠାରେ ତିଆରି ହୋଇଥିବା ଚୁଳ ଲଗାଯାଏ । ଏହି ଚୁଳରେ ସ୍ୱର୍ଣ୍ଣ ନିର୍ମିତ କିଆ ଆଡ଼ବାଗରେ ଖୋସାଯାଇଥିବା ବେଳେ ଶୀର୍ଷଭାଗରେ ସ୍ୱର୍ଣ୍ଣ ଚନ୍ଦ୍ରିକା ଖୋସାଯାଇଥାଏ ।[୪]

ଆଧାର[ସମ୍ପାଦନା]

  1. "ଆର୍କାଇଭ୍ କପି". Archived from the original on 2015-06-12. Retrieved 2012-11-26. {{cite web}}: Cite has empty unknown parameter: |1= (help)
  2. http://www.iskcondesiretree.net/profiles/blogs/jagannath-vesha-with-details
  3. http://puriwaves.nirmalya.in/besha/adikia-tribikram-besha-costume-of-lord-jagannath puriwaves.nirmalya.in
  4. ସମାଜ, ୯ନଭେମ୍ବର୨୦୧୧, ପୃଷ୍ଠା-୩

ବାହାର ଲିଙ୍କ[ସମ୍ପାଦନା]