ନବଯୌବନ ବେଶ

ଉଇକିପିଡ଼ିଆ‌ରୁ

ନବଯୌବନ ବେଶ ଶ୍ରୀଜୀଉମାନେ ଆଷାଢ଼ ଅମାବାସ୍ୟା ତଥା ଉଭା ଅମାବାସ୍ୟା ତିଥିରେ ଧାରଣ କରୁଥିବା ବିଶେଷ ବେଶ ଅଟେ । ସ୍ନାନ ପୂର୍ଣ୍ଣିମାର ସ୍ନାନ ପରେ ଠାକୁରମାନେ ଅଣସର ଘରେ ଯାଇ ରହନ୍ତି । ପନ୍ଦର ଦିନ ଭକ୍ତମାନେ ତାଙ୍କର ଦର୍ଶନ ଲାଭରୁ ବଞ୍ଚିତ ହୁଅନ୍ତି । ଅଣସର ଶେଷରେ ପୁଣି ସେ ଯେଉଁଦିନ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ତାହାକୁ ନବଯୌବନ ଦର୍ଶନ କହନ୍ତି । ଖଡ଼ି ଲାଗି ଓ ବନକଲାଗି ପରେ ମହାପ୍ରଭୁଙ୍କ ପ୍ରତିମା ନୂଆ ପରି ଉଜ୍ଜ୍ୱଳ ଦିଶୁଥିବାରୁ ଏହାକୁ ନବଯୌବନ କୁହାଯାଇଥାଏ । ଏହି ସମୟରେ ମହାପ୍ରଭୁ ରତ୍ନ ସିଂହାସନକୁ ଆଉ ବିଜେ କରନ୍ତି ନାହିଁ । ନବଯୌବନ ଓ ନେତ୍ରୋତ୍ସବ ପରେ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ଦିନ ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ବିଜେ କରନ୍ତି । ନବଯୌବନ ଦର୍ଶନ ଲାଭ ସୁଯୋଗକୁ ଶ୍ରଦ୍ଧାଳୁ ଭକ୍ତମାନେ ବର୍ଷ ବ୍ୟାପି ପ୍ରତୀକ୍ଷା କରିଥାଆନ୍ତି । କେତେକ ସମୟରେ ନେତ୍ରୋତ୍ସବ ଓ ନବଯୌବନ ତିଥିରେ ସାମାନ୍ୟ ଏପଟ ସେପଟ ମଧ୍ୟ ହୋଇଥାଏ । ନେତ୍ରୋତ୍ସବର ଅର୍ଥ ହେଲା ମହାପ୍ରଭୁମାନଙ୍କ ଚକ୍ଷୁରେ ନବଯୌବନ ବେଶର ଅନ୍ତିମ ସ୍ପର୍ଶ । [୧]

ନୀତି[ସମ୍ପାଦନା]

ସ୍ନାନଯାତ୍ରା ହେତୁ ରଥଯାତ୍ରାର ଚାରିଦିନ ପୂର୍ବରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପୁନଶ୍ଚ ରଞ୍ଜିବାର ଆବଶ୍ୟକତା ପଡ଼ିଥାଏ, ଏହାକୁ ଅଙ୍ଗରାଗ କୁହାଯାଏ । ଏହାପରେ ନବଯୌବନର ଦିନର ପ୍ରାତଃକାଳରେ ନେତ୍ରୋତ୍ସବ ପାଳନ କରାଯାଏ ।

ଠାକୁରମାନଙ୍କୁ ଅର୍ଦ୍ଧ-ସମାନ୍ତର ସ୍ଥିତିରେ ରଖାଯାଇ ସେମାନଙ୍କୁ ଉପଯୁକ୍ତ ଭାବେ ଚିତ୍ରିତ କରାଯାଏ । ଏହି ସେବା ସରିବାପରେ ନେତ୍ରୋନ୍ମୀଲନ ନୀତି ପାଳିତ ହୁଏ । ଏଥିରେ ପ୍ରତ୍ୟେକ ଠାକୁରଙ୍କ ଉଭୟ ଚକ୍ଷୁରେ ତୁଳସୀ ପତ୍ର ସାହାଯ୍ୟରେ ଔଷଧୀ ପ୍ରୟୋଗ କରାଯାଇଥାଏ । ଏତଦପରେ କଜ୍ୱଳ ଲାଗି କରାଯାଏ । ନେତ୍ରୋନ୍ମୀଲନ ପରେ ଶ୍ରୀଜୀଉମାନଙ୍କର କ୍ଷୁଧା ଫେରିଥାଏ ଏବଂ ସ୍ନାନଯାତ୍ରା ପରେ ସେମାନେ ପ୍ରଥମଥର ପାଇଁ ରାଜଭୋଗ ଗ୍ରହଣ କରିଥାନ୍ତି । ଏହାପରେ ଜନସାଧାରଣ ନବଯୌବନ ବେଶ ସହ ନିଜ ଆରାଧ୍ୟଙ୍କ ପ୍ରଥମ ଦର୍ଶନ ଲାଭ କରିଥାନ୍ତି ।

ଏପରି ମନୋରମ ବେଶ ଦର୍ଶନ ଅଭିପ୍ରାୟେ ନେତ୍ରମାନଙ୍କର ସମାଗମ ତଥା ଉତ୍ସବ କାରଣରୁ ଏହି ନୀତିକୁ ନେତ୍ରୋତ୍ସବ କୁହାଯାଇଥାଏ ।

ଆଧାର[ସମ୍ପାଦନା]

  1. "ଆର୍କାଇଭ୍ କପି". Archived from the original on 2015-06-12. Retrieved 2012-11-20. {{cite web}}: Cite has empty unknown parameter: |1= (help)

ବାହାର ତଥ୍ୟ[ସମ୍ପାଦନା]