ପହଡ଼

ଉଇକିପିଡ଼ିଆ‌ରୁ

ଜଗନ୍ନାଥ ମନ୍ଦିରରେ ପାଳିତ ଦୈନିକ ନୀତି ମଧ୍ୟରୁ ଏକ ନୀତି ପହଡ଼, ପହୁଡ଼ ବା ଶୟନ ନୀତି । ଏକ ଛୋଟିଆ ପଲଙ୍କ ଉପରେ ଜଗନ୍ନାଥଙ୍କୁ ଶୁଆଇଦିଆଯାଇଥାଏ । ନୀତି ଠାକୁରମାନଙ୍କ ପ୍ରାୟ୨୨ଟି ନୀତି ମଧ୍ୟରେ ଏହି ନୀତି ହେଉଛି ଶେଷ ନୀତି । ବଡ଼ ଦେଉଳରେ ବିଭିନ୍ନ ଯାନିଯାତ୍ରା ଓ ନୀତି ପାଇଁ ସ୍ୱତନ୍ତ୍ର ବିଗ୍ରହମାନ ରହିଛନ୍ତି । ସେହିପରି ଜଗନ୍ନାଥଙ୍କ ପହଡ଼ ପାଇଁ ମଧ୍ୟ ସ୍ୱତନ୍ତ୍ର ଶୟନ ପ୍ରତିମା ଅଛନ୍ତି ।

ଏହି ଶୟନ ଠାକୁରଙ୍କ ବିଗ୍ରହ ସ୍ୱର୍ଣ୍ଣ ନିର୍ମିତ । ଏହି ପ୍ରତିମାଙ୍କର ଅର୍ଦ୍ଧେକ ଅଂଶ ପୁରୁଷ ଓ ଅନ୍ୟ ଅର୍ଦ୍ଧ ଶରୀର ନାରୀ ଆକୃତି । ଏହି ଶୟନ ପ୍ରତିମା ଲକ୍ଷ୍ମୀ ନାରାୟଣଙ୍କ ସମ୍ମିଳିତ ବିଗ୍ରହ ଅଟନ୍ତି । ଅଷ୍ଟଭୁଜ ବିଶିଷ୍ଟ ଶୟନ ଠାକୁରଙ୍କ ଦକ୍ଷିଣ ହସ୍ତରେ ଶ୍ରୀବିଷ୍ଣୁଙ୍କ ଆୟୁଧ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଆଦି ରହିଥିବାବେଳେ ବାମ ହସ୍ତମାନଙ୍କରେ ଦର୍ପଣ, ପଦ୍ମ, ପୁସ୍ତକ ଓ କଳସ ଆଦି ଧାରଣ କରିଛନ୍ତି । ଏହାଙ୍କୁ ବିଷ୍ଣୁ ଓ ଯୋଗନିଦ୍ରାଙ୍କ ସ୍ୱରୂପ ବୋଲି କହାଯାଏ । ଶୟନ ଠାକୁରଙ୍କ ଡମ୍ବରୁ ନାଦ ବ୍ରହ୍ମର ପ୍ରତୀକ ବୋଲି ଭକ୍ତମାନେ ମନେକରନ୍ତି । ପ୍ରତିଦିନ ବଡ଼ସିଂହାର ଧୂପ ଶେଷ ହେବାପରେ ଖଟ ଶେଯ ମେକାପଙ୍କଦ୍ୱାରା ଭିତରେ ଗର୍ଭଗୃହରେ ରତ୍ନ ପଳଙ୍କ ପକାଯାଏ । ଭଣ୍ଡାର ଘରେ ଥିବା ଶୟନ ପ୍ରତିମାଙ୍କୁ ପାଳିଆ ପୁଷ୍ପାଳକ ନେଇ ବଳଭଦ୍ର ଓ ଜଗନ୍ନାଥଙ୍କ ନିକଟରେ ଯଥାକ୍ରମେ ବିଜେ କରାନ୍ତି । ଏହି ସମୟରେ ଚନ୍ଦନ ଲାଗି କରାଯାଏ । ଶୋଇବା ପୂର୍ବରୁ ପ୍ରଭୁଙ୍କୁ ପଇଡ଼ଟିଏ ଅର୍ପଣ କରାଯାଏ । ଏହାପରେ ହଡ଼ପ ନାୟକ ସେବକ ବିଡ଼ିଆ ପାନ ମଣୋହି କରାଇବା ସହ କିଛି ପାନବଟାରେ ମହାପ୍ରଭୂଙ୍କ ପଳଙ୍କ ନିକଟରେ ରଖିଥାନ୍ତି । କାଳେ ରାଗ ଲାଗିଲେ ନିଦ ଭାଙ୍ଗିଯିବ ସେଥିପାଇଁ ଏହି ପାନରେ ଲବଙ୍ଗ ଦିଆଯାଇଥାଏ । ଶେଷରେ ହୁଏ ପହୁଡ଼ ଆରତି । ଜୟ ବିଜୟ ଦ୍ୱାରଠାରେ ଡମ୍ବରୁ ପକାଯାଏ । ଶୟନ ପ୍ରତିମା ଏହି ଡମ୍ବରୁ ଉପରେ ବିଜେ କରନ୍ତି । ପଇଡ଼ ଓ ବିଡ଼ିଆ ମଣୋହି ପରେ କର୍ପୁର ଓ ସଞ୍ଜକାଳି ପିଠଉ ଆଳତି ହୋଇ ପୁଷ୍ପାଞ୍ଜଳି ଦିଆଯାଏ । ଏହି ଉତ୍ତାରେ ଶୟନ ଠାକୁରଙ୍କୁ ମହାପ୍ରଭୁଙ୍କ ପଳଙ୍କକୁ ବିଜେ କରାଯାଇ ଜୟ ବିଜୟ ଓ ଭିତର ଦକ୍ଷିଣ ଦ୍ୱାର ବନ୍ଦ କରି ଦିଆଯାଏ । ଲିଭାଇ ଦିଆଯାଏ ଛାମୁ ବଇଠା ଓ ଅଖଣ୍ଡ ବଇଠା । ସେବକେ ମଣିମା ମହାବାହୁଙ୍କୁ ପହୁଡ଼ିବାକୁ ନିବେଦନ କରି କଳାହାଟ ଛାମୁଦୁଆର ଓ ଜୟବିଜୟ ଦ୍ୱାର ବନ୍ଦ କରି ମାଟି ମୁଦ ଦିଅନ୍ତି । ସକାଳେ ଦ୍ୱାର ଫିଟା ସମୟରେ ପ୍ରଭୁଙ୍କ ଶଯ୍ୟାରେ ବିଛଣା ଚାଦର ଆଦି ଇତଃସ୍ତତଃ ପଡ଼ିଥିବା ସେବକମାନେ ଦେଖିବାକୁ ପାଇ ଏହା ପ୍ରଭୁଙ୍କ ଦିବ୍ୟଲୀଳା ବୋଲି ମନେକରନ୍ତି । ଶ୍ରୀ ମନ୍ଦିର ଶ୍ରୀଜଗନ୍ନାଥଙ୍କ ଶୟନ ନୀତିରେ ପାଳିତ ହେଉଥିବା ବିଧିବିଧାନ ଭାରତର ଅନ୍ୟ କୌଣସି ମନ୍ଦିରରେ ଦେଖାଯାଏ ନାହିଁ । ପୂର୍ବରୁ ପହୁଡ଼ ନୀତି ସମୟରେ ଭିତର ଗାଆଣୀ ଦେବଦାସୀ ଗୀତଗୋବିନ୍ଦ ଗାନ କରୁଥିବା ବେଳେ ଦେବର୍ଷି ନାରଦ ସେବା ଭାବେ ଜଣେ ବୀଣାକାର ସେବକ ବୀଣା ବାଦନ କରୁଥିଳେ । ମହାପ୍ରଭୁଙ୍କ ସୁଖନିଦ୍ରାରେ ବ୍ୟାଘାତ ନହେବାପାଇଁ ଜଣେ ତଳୁଛ ସେବକ ଗୁଡ଼ହାଣ୍ଡି ଯୋଗେ ଅସରପାମାନଙ୍କୁ ଧରୁଥିଳେ । କିନ୍ତୁ କାଳକ୍ରମେ ଏହିସବୁ ନୀତି ଏବେ ବନ୍ଦ ହୋଇଥିବା ଜଣାପଡ଼ିଛି । ଶ୍ରୀଜୀଊଙ୍କର ଦିନକୁ ଦୁଇଥର ପହୁଡ଼ ହୁଏ । ମଧ୍ୟାହ୍ନ ଧୂପରେ ଦିବା ପହୁଡ ଓ ସର୍ବଶେଷରେ ରାତ୍ରି ପହୁଡ଼ କରାଯାଏ । ବର୍ଷର କେତେକ ଯାନିଯାତ୍ରା ସମେତ ନୀତି ବିଶୃଙ୍ଖଳା ଘଟିଲେ ପ୍ରଭୁଙ୍କର ଦିବା ପହୁଡ଼ ଓ ରାତ୍ରି ପହୁଡ଼ ହୋଇପାରେନାହିଁ । ଏହି ଦିନମାନଙ୍କରେ ସ୍ୱତନ୍ତ୍ର ପହୁଡ଼ ନୀତି କରାଯାଏ । ଦ୍ୱାର ବନ୍ଦ କରାନଯାଇ ଶ୍ରୀବିଗ୍ରହମାନଙ୍କ ସମ୍ମୁଖରେ ଖଣ୍ଡୁଆ ଲାଗି କରାଯାଏ । ଏହାକୁ ଠିଆ ପହୁଡ଼ ବୋଲି କହନ୍ତି । ଶ୍ରୀଜୀଉମାନଙ୍କ ପହୁଡ଼ ନୀତି ସମ୍ପୂର୍ଣ୍ଣ ରାଜକୀୟ ଉପଚାରରେ କରାଯାଇଥାଏ । ସମୟ ଚକ୍ରରେ ଏଥିରେ କିଛିଟା ପରିବର୍ତ୍ତନ ଘଟିଥିଳେ ମଧ୍ୟ ଏହି ପରମ୍ପରା ଏବେ ବି ଅନୁସୃତ ହୋଇଆସୁଛି ।

ଆଧାର[ସମ୍ପାଦନା]