ରାଧାଦାମୋଦର ବେଶ

ଉଇକିପିଡ଼ିଆ‌ରୁ

ଶ୍ରୀଜୀଉଙ୍କର ରାଧା ଦାମୋଦର ବେଶ ପ୍ରତ୍ୟେକ ବର୍ଷ ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଦୀର୍ଘ ଏକମାସ ପର୍ଯ୍ୟନ୍ତ ପ୍ରତ୍ୟହ ଅନୁଷ୍ଠିତ ହୋଇଥାଏ ।[୧][୨] କାର୍ତ୍ତିକ ମାସରେ ବିଷ୍ଣୁଙ୍କର ନାମ ଦାମୋଦର ହୋଇଥିବାରୁ ବେଶର ନାମ ଏପରି ନାମକରଣ କରାଯାଇଛି ।

କିମ୍ବଦନ୍ତୀ[ସମ୍ପାଦନା]

ପୌରାଣିକ ବର୍ଣ୍ଣନାନୁଯାୟୀ ଅକୃର ମଥୁରାକୁ ଯିବା ସମୟରେ ଯମୁନା ନନ୍ଦୀରେ ସ୍ନାନ କରୁଥିବାବେଳେ ଜଳ ମଧ୍ୟରେ ଏହି ‘ରାଧା ଦାମୋଦର’ ବେଶ ଦର୍ଶନ କରିଥିଲେ ।[୩]

ବେଶ ଓଲାଗି ପରେ ବିଗ୍ରହଙ୍କଠାରୁ କଢ଼ାଯାଇଥିବା ପୁଷ୍ପ ଅଳଙ୍କାର ରାଜା ରାଣୀଙ୍କୁ ଦେବାର ବିଧି ଅଛି । ଥରେ ତଳୁଚ୍ଛ ସେବକ ନାରାୟଣ ମହାପାତ୍ର ଫୁଲଗୁଣାଟିକୁ ଦେବଦାସୀ ଲାବଣ୍ୟବତୀଙ୍କ ଗଭାରେ ଗୁଞ୍ଜି ଦେଇଥିଲେ । ପରେ ରାଜା ଏହି ଗୁଣାଟିକୁ ରାଣୀଙ୍କୁ ଦେବା ସମୟରେ ଏକ କେଶ ଲାଗିଥିବା ଦେଖି କ୍ରୋଧିତ ହୋଇ ପ୍ରଭୁଙ୍କ କେଶ ଥିବା ନ ଦେଖାଇଲେ ଦଣ୍ଡିତ ହେବେ ବୋଲି ସେବକ ନାରାୟଣ ମହାପାତ୍ରଙ୍କୁ ଆଦେଶ ଦେଲେ । ଭକ୍ତକୁ ରକ୍ଷା କରିବା ପାଇଁ ପ୍ରଭୁ କେଶ ଧାରଣ କଲେ, ପରଦିନ ରାଜା କେଶକୁ ଦେଖି ଟାଣିବାରୁ ରକ୍ତସ୍ରାବ ହେଲା । ସେହିଦିନଠାରୁ ପ୍ରଭୁଙ୍କର ଏହି ରାଧା ଦାମୋଦର ବେଶ ହେଉଅଛି ।

ବେଶ[ସମ୍ପାଦନା]

ଶ୍ରୀମନ୍ଦିର ସ୍ୱତ୍ୱବଲିପି ଅନୁଯାୟୀ ଶ୍ରୀମନ୍ଦିରରେ କାର୍ତ୍ତିକ ମାସରେ ରାତ୍ର ଦୁଇଘଡ଼ି ଥାଇ ମଙ୍ଗଳ ଆଳତି ଓ ଅବକାଶ ନୀତି ଶେଷ ହେବା ପରେ ଶ୍ରୀବିଗ୍ରହମାନଙ୍କର ରାଧା ଦାମୋଦର ବେଶ ଅନୁଷ୍ଠିତ ହୋଇ ଥାଏ । ଠାକୁରମାନେ ଏହି ବେଶରେ ବାଳଭୋଗ ପର୍ଯ୍ୟନ୍ତ ରହନ୍ତି । ଏହି ବେଶରେ ଥାଇ ଶ୍ରୀଜୀଉଙ୍କର ରୋଷ ହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗୋପାଳ ବଲ୍ଲଭ ଭୋଗ, ସକାଳ ଧୂପ ଓ ବାଳ ଭୋଗ ହୋଇଥାଏ । ବାଳଭୋଗ ଛେକ ଆସିବା ପରେ ମୁଦିରସ୍ତ ସେବକ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରନ୍ତି ଓ ବାଳ ଭୋଗ ସରିବା ପରେ ତିନି ବାଡ଼ରେ ବନ୍ଦାପନା ହୋଇ, ବେଶ ଓଲାଗି ହୋଇଥାଏ । ଏହି ବେଶରେ ଫୁଲ ନିର୍ମିତ ଗୁଣା, ଚିତା ଓ ଅଧରମାଳା ଓ ବିଭିନ୍ନ ପ୍ରକାର ସୁବର୍ଣ୍ଣ ଅଳଙ୍କାର ଠାକୁରମାନଙ୍କୁ ଲାଗି କରାଯାଇଥାଏ । ଏହି ବେଶରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ତ୍ରିକଚ୍ଛ ପରିଧାନ କରିଥାନ୍ତି । ଦୁଇ ହସ୍ତରେ ସୁବର୍ଣ୍ଣ ନଳୀଭୁଜ (ନଳୀଭୂଜରେ ଆୟୁଧର ଚିତ୍ର ଥାଏ), ତ୍ରିମୁଣ୍ଡିରେ ବାଉଁଶ ପାତିଆ ଓ କନାରେ ନିର୍ମିତ ଚୂଳ, ଚୂଳର ଅଗ୍ରଭାଗରେ ରୂପା ଚନ୍ଦ୍ରିକା, କର୍ଣ୍ଣଦେଶରେ କୁଣ୍ଡଳ, କଟିଦେଶରେ ଓଡ଼ିଆଣୀ କମରପଟି, କଣ୍ଠରେ ସୁବର୍ଣ୍ଣ ଘାଗଡ଼ା ମାଳି, କପାଳରେ ତିଳକ, ଚନ୍ଦ୍ର, ସୂର୍ଯ୍ୟ ଏବଂ ରାମାନନ୍ଦୀ ଚିତା ଇତ୍ୟାଦି ସୁବର୍ଣ୍ଣ ଅଳଙ୍କାରରେ ଶ୍ରୀଜୀଉମାନେ ଭୂଷିତ ହୋଇଥାନ୍ତି । ମସ୍ତକରେ ଡଡ଼ଗି ସହିତ ବିଭିନ୍ନ ପ୍ରକାର ପୁଷ୍ପ ଅଳଙ୍କାର, ସୁବର୍ଣ୍ଣ ଅଳଙ୍କାର ସହ ପାଟଶାଢ଼ୀ, ଫୁଟା, ଶିରୀ କପଡ଼ା, ପହରଣ, ବଳା, ଅଧରବଳା ଓ ଉତ୍ତରୀୟ ବସ୍ତ୍ର ଲାଗି ହୁଏ । ଏହି ବେଶରେ ବିଭିନ୍ନ ବାରରେ ବିଭିନ୍ନ ରଙ୍ଗର ପାଟବସ୍ତ୍ର ଜୀଉମାନେ ଲାଗି ହୁଅନ୍ତି । ରବିବାର ନାଲି, ସୋମବାର ଧଳାରେ କଳାଛିଟ, ମଙ୍ଗଳବାର ବାରପାଟିଆ, ବୁଧବାର ନୀଳ, ଗୁରୁବାର ହଳଦିଆ, ଶୁକ୍ରବାର ଶୁକ୍ଳ ଓ ଶନିବାର କଳାରଙ୍ଗ ପାଟବସ୍ତ୍ର ଲାଗି ହୁଅନ୍ତି ।

ଶ୍ରୀଜଗନ୍ନାଥ ସଂସ୍କୃତିର ଆଦିପୀଠ କଣ୍ଟିଲୋସ୍ଥ ଶ୍ରୀନୀଳମାଧବଙ୍କର ମଧ୍ୟ ଏକମାସ ଏହି ବେଶ ହୋଇଥାଏ ।

ଆଧାର[ସମ୍ପାଦନା]

  1. "Lord Jagannath - Rai Damodara Besha of Lord Jagannath, Beshas of Lord Jagannath | orissa.oriyaonline.com". orissa.oriyaonline.com. Archived from the original on 10 June 2015. Retrieved 12 November 2012. The Rai Damodara Besha takes place from the Aswina Sukla Ekadasi to Kartika Sukla Dasami tithi (11th day of the month of Ashwena/Sept-Oct till 10th bright day of the month of Kartik/Oct-Nov
  2. "Puri Yatra". puritrip.com. Retrieved 12 November 2012. From the 11th day of the bright fortnight of ashwina to the 10th day of the bright fortnight of kartika, this besha takes place.
  3. "Jagannath Vesha with Details - II - ISKCON Desire Tree - Devotee Network". iskcondesiretree.net. Retrieved 12 November 2012. On mythological belief reveals that while Akrura the emissary of Kansa taking Krushna and Balaram to Mathura took a bath in River Jamuna. Akrura saw this vesha crossed dress materials at the time of under wafer.

ଅଧିକ ତଥ୍ୟ[ସମ୍ପାଦନା]