କୃଷ୍ଣ ବଳରାମ ବେଶ

ଉଇକିପିଡ଼ିଆ ରୁ
Jump to navigation Jump to search

ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହୁଏ । [୧]ଏହି ବେଶରେ ଜଗନ୍ନାଥଙ୍କୁ କୃଷ୍ଣ ଭାବରେ ଓ ବଳଭଦ୍ରଙ୍କୁ ବଳରାମ ଭାବରେ ସୁସଜ୍ଜିତ କରାଯାଏ ।[୨] ସୁଭଦ୍ରା ଚତୁର୍ଭୁଜ ଧାରଣ କରି ଭିନ୍ନ ଭିନ୍ନ ଆୟୁଧ ସହ ପଦ୍ମାସନରେ ଉପବେସନ କରନ୍ତି । [୩]ଉଭୟ କୃଷ୍ଣ (ଜଗନ୍ନାଥ) ଏବଂ ବଳରାମ (ବଳଭଦ୍ର) କାଷ୍ଠ ନିର୍ମିତ ଦୁଇ ଗୋଡ଼ ଛନ୍ଦି ଛନ୍ଦପୟର ମୁଦ୍ରାରେ ରହିଥାନ୍ତି । ଜଗନ୍ନାଥଙ୍କ ଗୋଟିଏ ହାତରେ ସୁବର୍ଣ୍ଣ ବଂଶୀ ଓ ଅନ୍ୟ ହସ୍ତରେ ପଦ୍ମ ଫୁଲ ଥାଏ । ବଳରାମଙ୍କ ଡାହାଣ ହାତରେ ଶିଙ୍ଘା ଓ ବାମ ହସ୍ତରେ ପଦ୍ମ ଫୁଲ ଥାଏ । କିରୀଟ ଉପରେ ସୋଲରେ ନିର୍ମିତ ସପ୍ତଫେଣିଆ ସର୍ପ ବିରାଜମାନ କରିଥାଏ । ହସ୍ତ ମଧ୍ୟ କାଠରେ ତିଆରି ହୋଇଥାଏ । ଏହି ବେଶରେ ଜଗନ୍ନାଥ ଓ ବଳଭଦ୍ର ଗୋଟିଏ ଗୋଟିଏ ପାଗ ପିନ୍ଧିଥାନ୍ତି । ସେହି ପାଗ ଦ୍ଵୟ କିରୀଟଯୁକ୍ତ ହୋଇଥାଏ । ରତ୍ନ ସିଂହାସନ ଉପରେ ଖଞ୍ଜାଯାଇଥିବା ଏକ କ୍ଷୁଦ୍ରକାଷ୍ଠ ନିର୍ମିତ ତଥା ଜରି ଜମ୍ବୁରାରେ ଆଚ୍ଛାଦିତ ସିଂହାସନରେ ଚକାମୁଣ୍ଡି ପକାଇ ପ୍ରଭୁ (ପଦ୍ମାସନ) ଉପନିବଶ କରନ୍ତି । ବାଙ୍କଚୂଳ କିରୀଟ ଉପରେ ପତ୍ରଲଗା କଦମ୍ବ ଫୁଲ ଶୋଭାପାଏ । ଶ୍ରୀପୟର, ପାଉଁଜି,ବାଙ୍କି,ପାହୁଡ଼, ଗୋଡ଼ମୁଦି,ମଲ୍ଲୀକଢ଼,ଚନ୍ଦ୍ର, ଚିତା,ନାକଚଣା,ହାତଫେର,ଖଡୁ ଇତ୍ୟାଦିରେ ସାରା ଶରୀର ଶୋଭା ପାଇଥାଏ । ସୁଭଦ୍ରାଙ୍କ ମସ୍ତକରେ ମଧ୍ୟ ଏକ କିରୀଟ ଶୋଭାପାଏ । ସବୁ ଠାକୁରଙ୍କ କିରୀଟରେ କଦମ୍ବ ଫୁଲ ଆଉ ପତ୍ର ବହୁ ପରିମାଣରେ ଲାଗିଥାଏ । ବଳଭଦ୍ର ଓ ଜଗନ୍ନାଥଙ୍କ ଦୁଇ ପାର୍ଶ୍ଵରେ ନନ୍ଦ, ଉପନନ୍ଦ, ବସୁଦେବ, ଗୋପାଳ ବାଳକମାନେ ଗୋପୀ, ବ୍ରହ୍ମା ସହସ୍ର ଚକ୍ଷୁ ଇନ୍ଦ୍ର, ନାରଦ, ରୋହିଣୀ, ଯଶୋଦାଙ୍କୁ ଦଣ୍ଡାୟମାନ ଭଙ୍ଗୀରେ ରଖାଯାଏ । ଠାକୁରଙ୍କ ଆଗରେ ଚାରିଗୋଟି ଗାଈ ଦଣ୍ଡାୟମାନ ଭଙ୍ଗୀରେ ଠିଆ ହୋଇଥାନ୍ତି । କୃଷ୍ଣ ବଳରାମ ବେଶ ଦ୍ଵିପହର ଧୂପ ପରେ ଆରମ୍ଭ ହୋଇ ସନ୍ଧ୍ୟା ଧୂପ ପର୍ଯ୍ୟନ୍ତ ରହେ । ଏହି ବେଶରେ ଖିରି ଓ ଅମାଲୁ ଭୋଗ ଲାଗେ ।

ଏହି ବେଶ ବିଂଶ ଶତାବ୍ଦୀର ମଧ୍ୟଭାଗରେ ଖଣ୍ଡସାହିର ଜମିଦାରଙ୍କଦ୍ଵାରା କରାଯାଇଛି ବୋଲି ଶ୍ରୀମନ୍ଦିର ସତ୍ତ୍ଵଲିପିରୁ ସୂଚିତ ହୁଏ । ଏହି ବେଶର ଅନୁଷ୍ଠିତ ହେବା ପୂର୍ବରୁ କୁଶଳୀ କାରିଗରମାନଙ୍କଦ୍ଵାରା ବେଶ ସାମଗ୍ରୀର ମରାମତି କାର୍ଯ୍ୟ ଶ୍ରୀମନ୍ଦିର ପରିସରରେ କରାଯାଏ । [୪]

ରତ୍ନ ସିଂହାସନସ୍ଥ ଶ୍ରୀଜୀଉମାନଙ୍କର କୃଷ୍ଣ ବଳରାମ ବେଶ ଏକ ଆକର୍ଷଣୀୟ ତଥା ମନୋରମ ବେଶ । ଉକ୍ତ ବେଶରେ ଜଗନ୍ନାଥଙ୍କର ୨ ହସ୍ତ, ବଳଭଦ୍ରଙ୍କର ୨ ହସ୍ତ ଓ ସୁଭଦ୍ରାଙ୍କର ୪ ହସ୍ତ ହୋଇଥାଏ । [୫]ପୂର୍ବେ ଏହି ଭାଦ୍ରବ କୃଷ୍ଣ ତ୍ରୟୋଦଶୀ ତିଥିରେ ଶ୍ରୀଜଗନ୍ନାଥଙ୍କର ଗିରିଗୋବର୍ଦ୍ଧନ ବେଶ ହେଉଥିଲା । ୧୯୪୭ ମସିହା ପରେ ଗିରିଗୋବର୍ଦ୍ଧନ ବେଶ ପରିବର୍ତ୍ତେ କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହେଉଛି । [୬]

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]