ମୁଦିରସ୍ତ

ଉଇକିପିଡ଼ିଆ‌ରୁ

ମୁଦିରସ୍ତ ବା ମୁଦିରଥ ହେଉଛନ୍ତି ଶ୍ରୀମନ୍ଦିରରେ ବହୁ ପୂର୍ବରୁ ଜଗନ୍ନାଥଙ୍କ ସେବାକରିଆସୁଥିବା ପୁଷ୍ପାଳକ ପରିବାରର ଜଣେ ବାରବର୍ଷରୁ କମ ବୟସର ବାଳକ । ଗଜପତି ମହାରାଜ ନିଜେ ସେହି ବାଳକକୁ ମୁଦିରଥ ଭାବେ ମନୋନୀତ କରିଥାନ୍ତି । ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ତାଙ୍କର ପ୍ରତିନିଧି ରୂପେ ମୁଦିରଥ ଶ୍ରୀମନ୍ଦିରରେ ଗଜପତିଙ୍କ ଅନୁମତି କ୍ରମେ ସମସ୍ତ ସେବା କରିପାରିବେ । ମହାରାଣୀଙ୍କ ସହିତ ମୁଦିରଥ ଶ୍ରୀମନ୍ଦିରରେ ମହାରଣୀଙ୍କୁ ସେବା କାର୍ଯ୍ୟରେ ସାହାଯ୍ୟ କରିବା ବିଧି ଥିବାରୁ ତାଙ୍କୁ ନାବାଳକ ବୟସରେ ସେବକ ଭାବେ ନିଯୁକ୍ତ କରାଯାଏ । ପ୍ରତିବର୍ଷ ମୁଦିରଥ ସେବକଙ୍କୁ ନିଯୁକ୍ତ ଦିଆଯାଏ । ମୁଦିରଥ ପ୍ରତିବର୍ଷ ପୁଷ୍ୟାଭିଷେକରୁ ପୁଷ୍ୟାଭିଷେକ ପର୍ଯ୍ୟନ୍ତ ମାତ୍ର ଏକ ବର୍ଷ ପାଇଁ ନିଯୁକ୍ତ ପାଇଥାନ୍ତି । ଗଙ୍ଗବଂଶର ରାଜା ନରସିଂହ ଦେବଙ୍କ ସମୟରୁ ଏହି ମୁଦିରସ୍ତ ସେବକର ପରମ୍ପରା ଆରମ୍ଭ ହୋଇଥିଲା । କିନ୍ତୁ ସେ ସମୟରେ ରାଜ୍ୟର ଆଭ୍ୟନ୍ତରୀଣ ପରିସ୍ଥିତିରେ ବିଶୃଙ୍ଖଳା ଦେଖାଦେବାରୁ ଏବଂ ରାଜା ସର୍ବଦା ରାଜ୍ୟ ବିସ୍ତାର ପାଇଁ ଅନ୍ୟ ରାଜ୍ୟ ସହ ଯୁଦ୍ଧରେ ଲିପ୍ତ ରହୁଥିବାରୁ ଶ୍ରୀଜୀଉଙ୍କର ନୀତି ସମ୍ପାଦନରେ ବିଶୃଙ୍ଖଳା ହେଲା । ତେଣୁ ସେବେଠାରୁ ଜଣେ ନାବାଳକକୁ ଗଜପତି ମନୋନୀତ କଲେ ଏବଂ ସେହି ନାବାଳକ ରାଜ ଅନ୍ତଃପୁରରେ ରହି ଲାଳିତ ପାଳିତ ହେଲେ । ସେହି ନାବାଳକ ଯେତେବେଳେ ଦ୍ୱାଦଶ ବର୍ଷ ଅତିକ୍ରମ କରିଯାଏ ସେତେବେଳେ ସେମାନଙ୍କୁ ପୁଷ୍ପାଳକ ଭାବରେ ବିବେଚନା କରାଯାଏ । ପରମ୍ପରାକ୍ରମେ ମହାରାଣୀଙ୍କର ଗହଣ ବିଜେ ପାଇଁ ଗଜପତି ମହାରାଜା ଏହି ପରିବାରରୁ ଜଣେ ନାବାଳକଙ୍କୁ ପ୍ରତିନିଧି ଭାବେ ମନୋନୀତ କରନ୍ତି । [୧] ମହାରାଣୀ ହେଉଛନ୍ତି ଅସୂର୍ଯ୍ୟଂପଶ୍ୟା, ସର୍ବଦା ରାଣୀ ଅନ୍ତଃପୁର ଭିତରେ ଥାଆନ୍ତି । କୌଣସି ବାହାର ଲୋକ ତାଙ୍କୁ ଦେଖିପାରନ୍ତି ନାହିଁ । ତେଣୁ ମୁଦିରସ୍ତ ରାଣୀଙ୍କୁ ମନ୍ଦିର ଭିତରକୁ ପାଛୋଟି ନେଇଥାନ୍ତି । ଅନ୍ୟ ସେବକମାନେ କୂର୍ମ ବେଢା ବାହାରେ ଅପେକ୍ଷା କରି ରହନ୍ତି । ଚଳନ୍ତି ଠାକୁରଙ୍କର ପ୍ରତିନିଧି ରୂପେ ସେ ଏକାନ୍ତରେ ଏହି ସେବା ମହାପ୍ରଭୁଙ୍କ ନିକଟରେ କରିଥାନ୍ତି । ଗଜପତିଙ୍କର ଅନୁପସ୍ଥିତିରେ, ନିର୍ଦ୍ଦେଶ ପାଇ ମୁଦିରସ୍ତ ପ୍ରଭୁଙ୍କର ପ୍ରଥମ ସେବକର କାର୍ଯ୍ୟ ବହନ କରିଥାନ୍ତି ।[୨][୩][୪]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. http://orissa.gov.in/e-magazine/Orissareview/2011/july/engpdf/27-30.pdf
  2. "I can walk and not take the palanquin' - Times Of India". indiatimes.com. 2011. Archived from the original on 2013-02-16. Retrieved 13 January 2013. But my representative (mudirastha, a young priest) performs my duties at the temple on my behalf
  3. http://www.shreekhetra.com/sriseva.html
  4. http://www.jagannathtemplepuri.com/article/id/731/sevayats

ଅଧିକ ତଥ୍ୟ[ସମ୍ପାଦନା]

  • ସମୟ, ୧୧ ଡିସେମ୍ବର ୨୦୧୨, ପୃଷ୍ଠା: ୦୨