ରଘୁନାଥ ବେଶ

ଉଇକିପିଡ଼ିଆ‌ରୁ
ମହାପ୍ରଭୁଙ୍କ ରଘୁନାଥ ବେଶ

ଯେଉଁ ବର୍ଷ ବୈଶାଖ ଶୁକ୍ଳ ନବମୀ ଗୁରୁବାର ଶ୍ରବଣା ମକର ପଡ଼ିଥାଏ ସେହି ବର୍ଷ ଶ୍ରୀଜଗନ୍ନାଥଙ୍କର ରଘୁନାଥ ବେଶ ହୋଇଥାଏ । ୧୯୦୫ ସାଲ ଅପ୍ରେଲ ମାସ ୨୬ ତାରିଖ ଗୁରୁବାର ଦିନ ଶେଷ ଥର ନିମନ୍ତେ ରଘୁନାଥ ବେଶ ହୋଇଥିବାର ଉତ୍କଳ ଦୀପିକା ପତ୍ରିକାରେ ଯାହା ପ୍ରକାଶ ପାଇଛି ଓ ଶ୍ରୀମନ୍ଦିର ରେକର୍ଡରୁ ଜଣାଯାଇଛି। ୨ୟ ଥର ପ୍ରଚେଷ୍ଟା ବୈଠକ ଆଲୋଚନା ୧୯୮୩ରେ ଏଥିପାଇଁ ହୋଇ ବିଫଳ ହୋଇଛି। ଆଉ ରଘୁନାଥ ବେଶ ଭକ୍ତମାନେ ଦେଖି ପାରି ନାହାନ୍ତି। ମିଳୁଥିବା ତଥ୍ୟ ଅନୁଯାୟୀ ମୋଟ ୯ ଥର ରଘୁନାଥ ବେଶ ହୋଇଛି ଏବଂ ୧୯୦୫ ମସିହା ପରଠାରୁ ଶ୍ରୀମନ୍ଦିରରେ ଆଉ ଏହି ବେଶ ହୋଇନାହିଁ । [୧] [୨]

ଏହି ବେଶରେ ଶ୍ରୀଜଗନ୍ନାଥ ରାମ ରୂପରେ କାଷ୍ଠ ନିର୍ମିତ ହସ୍ତ ପଦ ଯୁକ୍ତ ହୋଇଥାନ୍ତି। ବାମ ପାଦଟି ସିଂହାସନ ଉପରେ ଓ ଦକ୍ଷିଣ ପାଦଟି ତଳକୁ ଲମ୍ବି ରହିଥାଏ। ଧନୁ-ତୂଣୀର ଧାରଣ ସହ ସିଂହାସନରେ ବୀରାସନରେ ବସିଥାନ୍ତି। ଲକ୍ଷ୍ମୀ ପ୍ରତିମା ସୀତା ରୂପେ କୋଳରେ ସ୍ଥାନ ପାଇଥାନ୍ତି। ବଳଭଦ୍ର ଲକ୍ଷ୍ମଣ ରୂପେ ଧନୁପାଦ ଛନ୍ଦରେ ଦଣ୍ଡାୟମାନ ହୋଇ ହସ୍ତ ପଦ ଯୁକ୍ତ ହୋଇ ଦୁଇ ହସ୍ତରେ ଜଗନ୍ନାଥଙ୍କ ମସ୍ତକକୁ ଲମ୍ବି ଯାଇଥିବା ଛତ୍ରକୁ ଧରିଥାନ୍ତି। ଜଗନ୍ନାଥ-ରାମଙ୍କ ବାମ ପାର୍ଶ୍ୱରେ ଶତ୍ରୁଘ୍ନ, ଭରତ, ବଳଭଦ୍ର (ଲକ୍ଷ୍ମଣ)ଙ୍କ ଦକ୍ଷିଣରେ ବ୍ରହ୍ମା, ବଶିଷ୍ଠ ଇତ୍ୟାଦି ଋଷିମାନେ ଦଣ୍ଡାୟମାନ ହୋଇଥାନ୍ତି। ଅଙ୍ଗଦ ଚାମର ଧରି, ଜାମ୍ବବାନ କରଯୋଡି, ବିଭୀଷଣ କରଯୋଡି, ହନୁମାନ କରଯୋଡି ବସିଥାନ୍ତି।

ଇତିହାସ[ସମ୍ପାଦନା]

ରଘୁନାଥ ବେଶ ଏକ ରାଜକୀୟ ବେଶ ହୋଇଥିବାରୁ ଏବଂ ଏହି ବେଶରେ ଅନେକ ସୁବର୍ଣ୍ଣ, ରୌପ୍ୟ, ରତ୍ନ, ମଣି ମାଣିକ୍ୟାଦିରେ ନିର୍ମିତ ଅଳଙ୍କାର ବ୍ୟବହାର ହୋଇଥାଏ । ସାଧାରଣତଃ ଏହି ବେଶକୁ ଭୂଷଣ ଶୃଙ୍ଗାର ରୂପେ ଅଭିହିତ କରାଯାଇଥାଏ । ଅତୀତରେ ରାମଙ୍କ ଅଭିଷେକ ଉତ୍ସବର ସ୍ମରଣରେ ଏହି ବର୍ଣ୍ଣାଢ୍ୟ ବେଶର ଅୟୋଜନ ହୋଇଥିଲା ।[୩]ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ନାନା ପ୍ରକାର ରତ୍ନ ଅଳଙ୍କାର ପରିଧାନ ପୂର୍ବକ ରାଜକୀୟ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । କେତେକଙ୍କ ମତରେ ଏହି ବେଶର ପ୍ରବର୍ତ୍ତକ ହେଉଛନ୍ତି ରାମାନୁଜାଚାର୍ଯ୍ୟ । ଗଜପତି ରାମଚନ୍ଦ୍ର ଦେବ ତାଙ୍କ ରାଜତ୍ୱର ୧୧ ଅଙ୍କରେ ଶ୍ରାବଣ ଶୁକ୍ଳ ନବମୀରେ ଠାକୁରମାନଙ୍କୁ ରତ୍ନସିଂହାସନରେ ବିଜେ କରାଇ ନିଜକୁ ଚତୁର୍ଥ ଇନ୍ଦ୍ରଦ୍ୟୁମ୍ନ ବୋଲି ଘୋଷଣା କରିଥିଲେ । ତାଙ୍କର ସିଂହାସନାରୋହଣ ସମୟରେ ସୂବର୍ଣ୍ଣର ରାମାଭିଷେକ ମୋହର ପ୍ରଚଳନ ହୋଇଥିଲା । ସେହି ସମୟରେ ବହୁ ଅର୍ଥ ବ୍ୟୟରେ ନାନାଦି ରତ୍ନ ଅଳଙ୍କାର ମାନ ନିର୍ମିତ କରାଇ ସେ ପ୍ରଥମେ ଠାକୁର ମାନଙ୍କୁ ରଘୁନାଥ ବେଶ କରାଇଥିଲେ । ସାଧାରଣତଃ ପରମ୍ପରା ଅନୁଯାୟୀ ବୈଶାଖ ମାସର ଯେଉଁ ଦିନ ରାମଚନ୍ଦ୍ର ଦେବଙ୍କ ଅଭିଷେକ ଉତ୍ସବ ପଡ଼ିଥାଏ, ସେହି ତିଥିରେ ଶ୍ରୀମନ୍ଦିରରେ ରଘୁନାଥ ବେଶ ଅନୁଷ୍ଠିତ ହୋଇଥାଏ ।

ତଥ୍ୟାଭିଜ୍ଞଙ୍କ ଅନୁଯାୟୀ ରଘୁନାଥ ବେଶ ନିମ୍ନ ମସିହାରେ ଅନୁଷ୍ଠିତ ହୋଇଥିଲା -

  • ୧୫୭୭ ମସିହା (ବୈଶାଖ କୃଷ୍ଣ ଦଶମୀ)
  • ୧୭୩୯ ମସିହା (ବୈଶାଖ କୃଷ୍ଣ ଦଶମୀ)
  • ୧୮୦୯ ମସିହା (ମୁକୁନ୍ଦ ଦେବଙ୍କ ୧୪ ଅଙ୍କ)
  • ୧୮୩୩ ମସିହା (ରାମଚନ୍ଦ୍ରଦେବଙ୍କ ୧୯ ଅଙ୍କ)
  • ୧୮୪୨ ମସିହା (ବୀର କିଶୋର ଦେବଙ୍କ ୩ ଅଙ୍କ)
  • ୧୮୫୦ ମସିହା (ବୈଶାଖ କୃଷ୍ଣ ଚତୁର୍ଦ୍ଦଶୀ)
  • ୧୮୯୩ ମସିହା (ମୁକୁନ୍ଦ ଦେବଙ୍କ ରାଜତ୍ୱର ୧୪ ଅଙ୍କ)
  • ୧୮୯୬ ମସିହା (ମୁକୁନ୍ଦ ଦେବଙ୍କ ରାଜତ୍ୱର ୧୮ ଅଙ୍କ)
  • ୧୯୦୫ ମସିହା ଏପ୍ରିଲ ୨୬ ତାରିଖ, ନବମୀ, ଗୁରୁବାର

କିମ୍ବଦନ୍ତୀ[ସମ୍ପାଦନା]

କିମ୍ବଦନ୍ତୀ ଅନୁଯାୟୀ ଦଶରଥ ମହାରାଜାଙ୍କର କୌଶଲ୍ୟା,କୈକେୟୀ ଓ ସୁମିତ୍ରା ନାମରେ ତିନି ରାଣୀ ଥିଲେ । ଏହି ପାଟରାଣିଙ୍କ ବ୍ୟତୀତ ତାଙ୍କର ଆଉ ୭୨ ରାଣୀ ଥିଲେ । ଉକ୍ତ ୭୨ ରାଣୀଙ୍କ ମଧ୍ୟରୁ ଜଣଙ୍କର ଗୋଟିଏ କନ୍ୟାଜାତ ହୋଇଥିଲା । କାଳେ ରାଣୀମାନଙ୍କ ମଧ୍ୟରେ ଈର୍ଷା ବିବାଦ ଉପୁଜିବ,ସେଥିଲାଗି ସେ ପୂର୍ବରୁ ସତ୍ୟାନୁଯାୟୀ ନିଜର ସଖା ରାଜର୍ଷି ଯଜ୍ଞବଳ୍କଙ୍କୁ ନବଜାତ କନ୍ୟାକୁ ପୋଷ୍ୟ ପୁତ୍ରୀ ଭାବରେ ଦାନ କରିଥିଲେ । ସେତେବେଳେ ରାମଚନ୍ଦ୍ର ଜନ୍ମ ହୋଇନଥିଲେ । ଯଜ୍ଞବଳ୍କ ଉକ୍ତ କନ୍ୟାଟିକୁ ଋଷ୍ୟଶୃଙ୍ଗଙ୍କୁ ପରିଣୟ ସୁତ୍ରରେ ଦାନ କରିଥିଲେ ।

ସୁତରାଂ ରାମଚନ୍ଦ୍ରଙ୍କର ଗୋଟିଏ ବଡ଼ ଭଉଣୀ ଥିଲେ । ତେଣୁ ରଘୁନାଥ ବେଶ ସମୟରେ ସୁଭଦ୍ରା ଦେବୀ ଯୋଗମାୟା ବେଶରେ ରହିବା ଉଚିତ ବୋଲି କେତେକ ବିଶ୍ୱାସ କରିଥାନ୍ତି । ରାମଜନ୍ମ ତିଥି ପୁଷ୍ୟା ନକ୍ଷତ୍ରଯୁକ୍ତ ହୋଇଥିଲେ ରଘୁନାଥ ବେଶ ହୋଇଥାଏ ।

ଆଧାର[ସମ୍ପାଦନା]

  1. "::: LordJagannath.Com ::: Lord Jagannath (Costumes)". lordjagannath.com. 2010. Retrieved 3 January 2013. Since 1905 such Vesha is not conducted in Sri Mandir .
  2. A Brief look at Shri Jagannatha Temple, by Mahimohan Tripathy, Fourth Review Edition-July-2003, Page-44
  3. "ଆର୍କାଇଭ୍ କପି". Archived from the original on 2015-06-10. Retrieved 2013-01-03. {{cite web}}: Cite has empty unknown parameter: |1= (help)

ବାହାର ତଥ୍ୟ[ସମ୍ପାଦନା]