ନବକଳେବର

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଏହି ଲେଖାଟି ନବକଳେବର ବାବଦରେ । ଚଳିତ ନବକଳେବର, ନବକଳେବର ୨୦୧୫ ପ୍ରସଙ୍ଗଟି ଦେଖନ୍ତୁ ।
ନବକଳେବର
Jagannath Balabhadra Subhadra.jpg
ନାମ ନବକଳେବର
ପାଳନକାରୀ ସମସ୍ତ ଜଗନ୍ନାଥ ମନ୍ଦିର
ବିଶେଷତା ଯୋଡ଼ା ଆଷାଢ଼ ବର୍ଷରେ ପାଳନ
ଆରମ୍ଭ ଚୈତ୍ର ଶୁକ୍ଳ ଦଶମୀ
ଶେଷ ଆଷାଢ଼ ଅମାବାସ୍ୟା

ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାସୁଦର୍ଶନ ପୁରୁଣା ଶରୀର ତେଜି ନୂତନ ଶରୀର ଧାରଣ ନବକଳେବର ବୋଲି ଜଣା ।[୧]

ପରମ୍ପରା ଅନୁସାରେ ଯେଉଁ ବର୍ଷ ଯୋଡ଼ା ଆଷାଢ଼ ପଡ଼େ ସେହିବର୍ଷ ନବକଳେବର ପାଳନ ହୁଏ । ଯୋଡ଼ା ଆଷାଢ଼ ସାଧାରଣତଃ ୮ ବର୍ଷରେ, ୧୧ ବର୍ଷରେ କିମ୍ବା ୧୯ ବର୍ଷରେ ପଡ଼ିଥାଏ । ୨୦୧୫ ନବକଳେବର ୧୯ ବର୍ଷର ବ୍ୟବଧାନ ପରେ ଅନୁଷ୍ଠିତ ହେଉଛି ।[୨] ଏହା ପୂର୍ବରୁ ୧୭୩୩, ୧୭୪୪, ୧୭୫୨, ୧୭୭୧, ୧୭୯୦, ୧୮୦୯, ୧୮୨୮, ୧୮୩୬, ୧୮୫୫, ୧୮୭୪, ୧୮୯୩, ୧୯୧୨, ୧୯୩୧, ୧୯୫୦, ୧୯୬୯, ୧୯୭୭ ଓ ୧୯୯୬[୩] ମସିହାରେ ନବକଳେବର ହୋଇଥିଲା ।

ବିଷୟସୂଚୀ

ନବକଳେବର ତାତ୍ପର୍ଯ୍ୟ[ସମ୍ପାଦନା]

The carts to transport the holy darus on their way to the Banajaga Yatra

'ଶେତାଶ୍ୱେତୋରୋପନିଷଦ'ଅନୁସାରେ ଯେଉଁ ଶକ୍ତି ହସ୍ତପଦ ନଥାଇ ମଧ୍ୟ ସର୍ବାଧିକାରୀ,ଚକ୍ଷୁ ନଥାଇ ସର୍ବାଦର୍ଶୀ,କର୍ଣ୍ଣ ନଥାଇ ସର୍ବଶ୍ରୋତା,ଯେ ସର୍ବଜ୍ଞାତା,ସେ ହିଁ ପୁରୁଷୋତ୍ତମ।ବିଷ୍ଣୁ ସହସ୍ର ନାମରେ କୁହାଯାଇଅଛି ଭାରତୀୟ ଶବ୍ଦରେ ପୁରୁଷ ଶବ୍ଦ ଆତ୍ମା ଓ ପରମାତ୍ମା ଅର୍ଥରେ ବ୍ୟବହୃତ।ତେଣୁ ପୁରୁଷୋତମ ଶବ୍ଦ ଇନ୍ଦ୍ରିୟାତୀତ।

ସ୍ଵଇଛାରେ ପରଂବ୍ରହ୍ମ ଦାରୁ ଶରୀର ଧାରଣ କରିଛନ୍ତି।ପରଂବ୍ରହ୍ମଙ୍କ ଦାରୁ ରୂପର ନାମ ପୁରୁଷୋତ୍ତମ,ତତ୍ତ୍ୱ ପୁରୁଷୋତ୍ତମ ଏବଂ ଲୀଳା ମଧ୍ୟ ପୁରୁଷୋତ୍ତମ ଧାମରେ।ନିର୍ଗୁଣ ନିରାକାର ପରଂବ୍ରହ୍ମଙ୍କର ସଗୁଣ ବିଗ୍ରହ ହେଉଛି ଦାରୁ ଶରୀର।ପରଂବ୍ରହ୍ମ ହେଉଛନ୍ତି ଅବିନଶ୍ଵର ଅଥଚ ନୀଳାଚଳରେ ସେ ନଶ୍ଵର ଦାରୁ ରୂପରେ ବିରାଜମାନ।ବ୍ରହ୍ମ ଅକ୍ଷର ପୁରୁଷ।ଦାରୁ ବିଗ୍ରହ କ୍ଷରପୁରୁଷ,ଯାହାକି ମର୍ତ୍ତ୍ୟ ମାନବ ପାଇଁ ଅଦୃଶ୍ୟ ବ୍ରହ୍ମର ଏକ ସ୍ଥୂଳ ପରିପ୍ରକାଶ।

'କାଶ୍ୟାପ ଶିଳ୍ପ' ଶାସ୍ତ୍ର ଓ ବରାହ ମିହିରଙ୍କ 'ବୃହତ ସଂହିତା' ଅନୁଯାୟୀ ମଣିର ପ୍ରତିମା ହିତ ସାଧନ କରାଏ।ସୁବର୍ଣ୍ଣ ପ୍ରତିମା ପୃଷ୍ଟି ସାଧନ କରାଏ।ଚାନ୍ଦି ପ୍ରତିମା ଯଶ ପ୍ରାପ୍ତି କରାଏ।ତମ୍ବା ପ୍ରତିମା ସନ୍ତାନ ବୃଦ୍ଧି କରାଏ।ପାଷାଣ ଶିବଲିଙ୍ଗ ଲାଭ କରାଏ।କାଠ ଓ ମୃତ୍ତିକା ନିର୍ମିତ ମୂର୍ତ୍ତି ଆୟୁ, ଶ୍ରୀ,ବଳ ଓ ବିଜୟ ଦାନ କରାଏ।ଏଣୁ ପ୍ରଭୁ ନିଜ ଇଚ୍ଛା ବଳରେ ଦାରୁ ହୋଇ ସଂସାର ଜନଙ୍କୁ ଉଦ୍ଧାରିବା ପାଇଁ ରାଜା ଇଦ୍ରଦ୍ୟୁମ୍ନଙ୍କୁ ବିଗ୍ରହ ନିର୍ମାଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ଦାରୁମୂର୍ତ୍ତୀ ଗଠନ ପରେ ତାଙ୍କର ପ୍ରାଣ ପ୍ରତିଷ୍ଠା ପୁରୁଷ ସୂକ୍ତ ମନ୍ତ୍ରରେ ହୋଇଥିବା ଓ ପୂଜା ପ୍ରକରଣରେ ପ୍ରବଣ ନ୍ୟାସ ସମୟରେ ବଲଭଦ୍ରଙ୍କୁ 'ଅ' କାର, ସୁଭଦ୍ରାଙ୍କୁ 'ଉ' କାର ଓ ଶ୍ରୀଜଗନ୍ନାଥଙ୍କୁ 'ମ' କାର ରୂପେ ମନନ କରାଯାଏ।

ସ୍କନ୍ଦ ପୁରାଣରୁ ଜଣାଯାଏ,ମହୋଦଧୀରେ ଯେଉଁ ଅପୌରୁଷେୟ ଦାରୁ ଭାସୁଥିଲା,ସେହି ଦାରୁରେ ଚତୁର୍ଦ୍ଧାମୂର୍ତ୍ତି ନିର୍ମାଣ ହୋଇଛନ୍ତି।ଏଥିରୁ ଜଣାଯାଏ,ବେଦୋକ୍ତ ପରଂବ୍ରହ୍ମ, ପୁରୁଷୋତ୍ତମ ହିଁ ନିଳାଚଳରେ ଦାରୁରୂପରେ ଲୀଳା କରୁଅଛନ୍ତି।ପ୍ରତିମା ଲକ୍ଷଣ ସୌଧଗମ ଗ୍ରନ୍ଥରେ ଉଲ୍ଲେଖ ଅଛି ଅଶ୍ୱତ୍ୱ,ଶାଳ,ପିଆଶାଳ,ଶିଂଶପା ,ଖଇର,କେନ୍ଦୁ,ଗମ୍ଭାରି,ଦେବଦାରୁ,ମୁଣ୍ଡି ମୁଣ୍ଡି,ନିମ୍ବ ଆଦି ବିଭିନ୍ନ ବୃକ୍ଷରେ ବିଗ୍ରହ ନିର୍ମାଣ କରାଯାଇପାରେ।ବାମଦେବ ସଂହିତାରେ ଉଲ୍ଲେଖ ଅଛି ଯେ ବିଭିନ୍ନ ବୃକ୍ଷ ମଧ୍ୟରେ ନିମ୍ବ ବୃକ୍ଷ ପ୍ରକୃଷ୍ଟ।

ନିମ୍ବ ପ୍ରଧାନ ମେତେଷାଂ ପ୍ରତିମାନଂ ବିନିର୍ମିତୌ।ଭବିଷ୍ୟ ପୁରାଣ ମତରେ ନିମ୍ବ ଦାରୁ ନିର୍ମିତ ବିଗ୍ରହ ସର୍ବବର୍ଣ୍ଣ ପୂଜ୍ୟ।ଆଗମ ଶାସ୍ତ୍ର ଅନୁଯାୟୀ ନିମ୍ବ ବୃକ୍ଷ ପୁରୁଷ ବୃକ୍ଷ,ଶକ୍ତ ଓ ଶେଷ୍ଠ।ଏହା ବିଷ୍ଣୁ ବିଗ୍ରହ ନିର୍ମାଣ ପାଇଁ ଯୋଗ୍ୟ।ଜାତି,ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଜଗତଜନଙ୍କ ନାଥ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ନିମ୍ବ ଦାରୁରେ ହେବା ବିଧେୟ।

ଅନ୍ୟ ପକ୍ଷରେ ଶ୍ରୀଜଗନ୍ନାଥଙ୍କ ନାଭିକମାଲରେ ଥିବା ବ୍ରହ୍ମ ଯାହାଙ୍କର ସ୍ୱରୂପ,ବର୍ଣ୍ଣ,ରୂପ ଆକାର ଏବଂ ଏହା କଣ?କି ବସ୍ତୁ?ତାହା କେହି ଏପରିକି ଘଟ ପରିବର୍ତନକାରୀ ଦଇତାପତି ମଧ୍ୟ ଜାଣନ୍ତି ନାହିଁ।ସମ୍ପୂର୍ଣ ଗୋପ୍ୟ,ରହସ୍ୟମୟ।ବ୍ରହ୍ମ(ବୁଦ୍ଧଦେବଙ୍କ ବାମ କଲଦାନ୍ତ,ତନ୍ତ୍ର ପ୍ରଭାବିତ ଅଷ୍ଟଧାତୁ ନିର୍ମିତ ଯନ୍ତ୍ର,ଶ୍ରୀକୃଷ୍ଣଙ୍କ ଅପୋଡାପିଣ୍ଡ,ପାରଦପୂର୍ଣ୍ଣ ବକ୍ସ,ଇଂଦ୍ରଦୁମ୍ନ ପ୍ରାପ୍ତ ପ୍ରଥମ ଦାରୁର ଅଂଶ ବିଶେଷ,ଜୀବନ୍ତ ଶାଳଗ୍ରାମ ,ଏକ ମୂଲ୍ୟବାନ ଆକର୍ଷକ ମଣି ବିଶେଷ,ଯାହାକି ଚନ୍ଦନ,କସ୍ତୁରୀ,ତୁଳସୀ,ଫୁଲ(ଜୁଇ)ଦ୍ଵାରା ଆଚ୍ଛାଦିତ ଓ ବର୍ଷ ବର୍ଷ ଧରି ଏସବୁ ଜୀବନ୍ତ)ଏବଂ ମସ୍ତକରେ ଶୋଭିତ ମରକତ ମଣିର ତେଜସକ୍ରିୟାତାକୁ କେବଳ ନିମ୍ବ ଦାରୁ ହିଁ ଧାରଣ କରିପାରେ।କେବଳ ପରଂବ୍ରହ୍ମ ହିଁ ଉକ୍ତ ମରକତ ମଣି ଧାରଣ କରିପାରିବେ।ଅନ୍ୟ ବ୍ୟକ୍ତି ବା ବସ୍ତୁ ଏହାକୁ ଧାରଣ କଲେ ବିଲୁପ୍ତ ହୋଇଯିବେ।

ଏପରିକି ନିମ୍ବ ଦାରୁ ମଧ୍ଯ ଏକାଦିକ୍ରମେ ଏକ ବର୍ଷ ମରକତମଣି ଧାରଣ କଲେ ନଷ୍ଟ ହୋଇଯିବାର ସମ୍ଭାବନା ଥିବାରୁ ୩୬୫ ଦିନର କ୍ରମକୁ ଭଙ୍ଗ କରିବା ପାଇଁ ରଥଯାତ୍ରା ଠାରୁ ଚିତାଲାଗି ଅମାବାସ୍ୟା ପର୍ଯ୍ୟନ୍ତ ପ୍ରାୟ ଏକମାସ ପାଇଁ ମରକତ ମଣିକୁ ଶ୍ରୀବିଗ୍ରହଙ୍କ ମସ୍ତକରୁ ଓହ୍ଲାଇ ଦିଆଯାଏ।ବ୍ରହ୍ମସ୍ପର୍ଶରେ ଜଡ଼ବସ୍ତୁ ସତେଜ ହୋଇଯାନ୍ତି।କିନ୍ତୁ ଶ୍ରୀଜଗନ୍ନାଥ ପରଂବ୍ରହ୍ମ।ସେହିଦୃଷ୍ଟିରୁ ଦାରୁମୂର୍ତି ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଚେତନ।ସେ ଦେବତା ମାନଙ୍କର ଦେବତା ଓ ବିଶ୍ୱ ବ୍ରମହାଣ୍ଡ ମାଳ ମାଳ ହୋଇ ତାଙ୍କ ଲୋମକୂପ ମୂଳରେ ବିରାଜୁଛନ୍ତି।ତେଣୁ ମନୁଷ୍ୟ ଭଳି ଆଚରଣ କରୁଥିବା ଶ୍ରୀଜଗନ୍ନାଥ ବାହ୍ୟଦୃଷ୍ଟିରେ ନବକଳେବର ହୁଅନ୍ତି।ଯଥାଦେହେ ତଥା ଦେବେ।

ଦେହଧାରୀର ଏହି ମନୁଷ୍ୟ ଶରୀରରେ ବାଲ୍ୟ,ଯୌବନ,ଜରା, ବୃଦ୍ଧାବସ୍ଥା ଆସେ।ତେଣୁ ଆତ୍ମା ଅନ୍ୟ ଶରୀର ଖୋଜେ।ବସ୍ତ୍ର ପୁରୁଣା ହେଲେ ଲୋକମାନେ ପୁରୁଣା ବସ୍ତ୍ରକୁ ପରିତ୍ୟାଗ କରି ନୂତନ ବସ୍ତ୍ର ଗ୍ରହଣ କଲାପରି ଜୀବାତ୍ମା ଜୀର୍ଣ୍ଣ ଶରୀର ପରିତ୍ୟାଗ କରି ନୂତନ ଶରୀର ମଧ୍ୟରେ ପ୍ରବେଶ କରେ।ଶ୍ରୀଜଗନ୍ନାଥଙ୍କର ନବକଳେବରେ ବ୍ରହ୍ମ ପୁରାତନ ବିଗ୍ରହ ବର୍ଜନ କରି ନୂତନ ନିର୍ମିତ ଦାରୁ ବିଗ୍ରହରେ ପ୍ରବେଶ କରନ୍ତି।

ଶାସ୍ତ୍ର ମତରେ,ଅର୍ଚା ବିଗ୍ରହ ୫ପ୍ରକାର।ଯଥା- ମଣିବିଗ୍ରହ,ଧାତୁବିଗ୍ରହ,ଚିତ୍ର ବିଗ୍ରହ,ମୃଣ୍ମ ୟ ବିଗ୍ରହ ଓ ଦାରୁ ବିଗ୍ରହ।ମଣି ବିଗ୍ରହଙ୍କ ଆୟୁ ୧୦ ସହସ୍ର ପରିମିତ ବର୍ଷ।ଧାତୁ ବିଗ୍ରହ ଆୟୁ ୧ସହସ୍ର ବର୍ଷ।ଚିତ୍ର ପ୍ରତିମାର ଆୟୁ ୧ବର୍ଷ।ମୃଣ୍ମୟ ବା ମାଟି ପ୍ରତିମାର ପରମାୟୁ ୧ମାସ।କିନ୍ତୁ ଦାରୁ ବିଗ୍ରହ ପରମାୟୁ ୧୨ ବର୍ଷ।

ଶ୍ରୀଜଗନ୍ନାଥ ଦାରୁ ବିଗ୍ରହ ହୋଇଥିବାରୁ ସାଧାରଣତଃ ୮ ବର୍ଷ,୧୧ବର୍ଷ ବା ୧୯ ବର୍ଷ ମଧ୍ୟରେ ଦାରୁ ଜୀର୍ଣ୍ଣ ହେଉଥିବାରୁ ନବକଳେବରର ଆବଶ୍ୟକ ପଡିଥାଏ।ନବକଳେବର ଦୁଇ ପ୍ରକାରର - ଗୋଟିଏ ନୂତନ ବିଗ୍ରହ ନିର୍ମାଣ ଓ ବ୍ରହ୍ମ ପରିବର୍ତ୍ତନ।ଅନ୍ୟଟି 'ଶ୍ରୀଅଙ୍ଗ ଫିଟା।ଶ୍ରୀଅଙ୍ଗ ଫିଟାରେ କେବଳ ବିଗ୍ରହ ମାନଙ୍କ ଶ୍ରୀଅଙ୍ଗ ଫିଟାଯାଇ ନିର୍ମାଣ(ମରାମତି)କାମ କରାଯାଏ ଓ ବ୍ରହ୍ମ ସ୍ପର୍ଶ କରାଯାଏ ନାହିଁ।

ଚାନ୍ଦ୍ରମାସ ଓ ସୌରମାସ ମଧ୍ୟରେ ସାମ୍ୟ ରକ୍ଷା ପାଇଁ ପ୍ରତି ୩୨ମାସରେ ଗୋଟିଏ ଅଧିମାସ,ମଳ ମାସ ବା ପୁରୁଷୋତ୍ତମ ମାସ ପଡେ।ମଳମାସ ପୁରାଣ ଅନୁଯାୟୀ ଯେଉଁବର୍ଷ ଉକ୍ତ ଅଧିମାସ ଆଷାଢ଼ ମାସରେ ପଡେ ବା ଯୋଡ଼ା ଆଷାଢ଼ ହୁଏ ସେହି ବର୍ଷ ଶ୍ରୀଜଗନ୍ନାଥ ନବକଳେବର ହୁଅନ୍ତି।

Daityas seek divine blessings of Goddess Kakatpur Mangala at Her temple, to give indications to the location of neem trees for making the idols of Lord Jagannath and other deities

ନବକଳେବର ପ୍ରକିୟାର ଶୁଭାରମ୍ଭ ହୁଏ।ଚୈତ୍ରମାସ ଶୁକ୍ଳପକ୍ଷ ଦଶମୀ ତିଥିରେ।ବସନ୍ତିକ ଦଶହରା ଦିନ।ଦାରୁ ଅନ୍ୱେଷଣରେ ଯାଉଥିବା ସେବକ,କର୍ମଚାରୀ,ବନଯାଗଯାତ୍ରା,କାକଟପୁର ମଙ୍ଗଳା, ମାଉସୀ ମା,ବନଯାଗ ଦଳ ଓ ଦେଉଳିମଠ,ସ୍ୱପ୍ନାଦେଶ,ଦାରୁ ଲକ୍ଷଣ,ଦାରୁ ଛେଦନ,ଶଗଡି ସାହାଯ୍ୟରେ ଦାରୁ ଶ୍ରୀକ୍ଷେତ୍ରକୁ ଆନୟନ,ଆଲାମଚଣ୍ଡୀ ପ୍ରସଙ୍ଗ,ବିଗ୍ରହ ନିର୍ମାଣ,ଯଜ୍ଞଗୃହ,ନିର୍ମାଣ ମଣ୍ଡପ,ଅଧିବାସୀ ଗୃହ,ନୃସିଂହଗୃହ ଓ ନ୍ୟାସଦାରୁଗୃହ,ଘଟ ପରିବର୍ତନ ଓ ପୁରାତନ ବିଗ୍ରହମାନଙ୍କର କୋଇଲି ବୈକୁଣ୍ଠରେ ସଂସ୍କାର,ଦଇତାପତିମାନଙ୍କର ହବିଷ୍ୟ ଓ ଶୁଦ୍ଧିକ୍ରିୟା ଇତ୍ୟାଦି ବିଧି ବିଧାନ ଏକ ସ୍ଵତନ୍ତ୍ର ଆଲୋଚନାର ଅପେକ୍ଷା ରଖେ।ଏସବୁରେ ଅନେକ ଗୋପନୀୟତା ଥିଲେ ମଧ୍ଯ ପ୍ରଭୁଙ୍କ ଅଲୌକିକତା ଓ ମାନବୀୟ ଲୀଳାକୁ ଜାଣିବା ପାଇଁ ଭକ୍ତ ସଦାସର୍ବଦା ବ୍ୟାକୁଳ।ଦାରୁ ମହା ପ୍ରଭୁଙ୍କର ଅସ୍ଥି।ରକ୍ତ ହେଉଛି ଲାଲ ରଙ୍ଗର ପଟ୍ଟବସ୍ତ୍ର।ଶିରା ହେଉଛି ପାଟ ଡୋର।ମାଂସ ହେଉଛି ଅଷୁଅ।ମଣିଷ ଶରୀର ଭଳି ମହାପ୍ରଭୁଙ୍କ ଶରୀର ଗଢ଼ା ଯାଇଥାଏ।ଯବଶାସ୍ତ୍ର ଅନୁଯାୟୀ ମଣିଷ ଭଳି ମହାପ୍ରଭୁ ପ୍ରତି ବୁଧବାର କ୍ଷୌର କର୍ମ(ବନଲାଗି) ହୁଅନ୍ତି।ଅର୍ଥାତ ପ୍ରଭୁଙ୍କୁ ଶ୍ରୀମୁଖ ଶୃଙ୍ଗାର ହୁଏ।ଶୀତ ହେଲେ ଘୋଡ଼ି ହଅନ୍ତି।ଗରମ ହେଲେ ଚନ୍ଦନ ଲଗାଇ ଚାପ ଖେଳନ୍ତି।ଚରମ ସେବା ହୁଅନ୍ତି।ବିଡିଆ ପାନ ମହୋଣି ହୁଅନ୍ତି।ପଣା ପିଅନ୍ତି।୧୦୮ଗରା ସୁନା କୂଅ ପାଣି ଗାଧୋଇ ଜ୍ୱରରେ କମ୍ପତି।ଅଣସର ନୀତି ପାଳିତ ହୁଏ।ଜ୍ୟେଷ୍ଠ ପୂର୍ଣ୍ଣିମା ଠାରୁ ଆଷାଢ଼ ମାସ ଅମାବାସ୍ୟା ପର୍ଯ୍ୟନ୍ତ ୧୫ ଦିନ ସମୟକୁ ଅଣସର କୁହାଯାଏ।ଯେଉଁ ବର୍ଷ ନବକଳେବର ହୁଏ,ସେ ବର୍ଷ ଅଣସର ଦେଢମାସ ହେଇଥିବାରୁ ଏହାକୁ ମାହାଅଣସର କୁହାଯାଏ।ପ୍ରଥମ ଭାଗରେ ମୂର୍ତ୍ତି ନିର୍ମାଣ,ବ୍ରହ୍ମସ୍ଥାପନ ଆଦି କର୍ମ,ଦୁତୀୟ ଭାଗରେ ଶୁଦ୍ଧିକ୍ରିୟା ଏବଂ ତୃତୀୟ ଭାଗରେ ପ୍ରତିବର୍ଷ ପରି ଅଣସର ନୀତି ପାଳିତ ହୁଇଥାଏ।ଏହାପରେ ଠାକୁର ମାଙ୍କର ନବଯୌବନ ଦର୍ଶନ ଏବଂ ଆଷାଢ଼ ଶୁକ୍ଳପକ୍ଷ ଦୁତୀୟା ତିଥିରେ ବିଶ୍ବବିଖ୍ୟାତ ଶ୍ରୀଗୁଣ୍ଡିଚା ବା ରଥଯାତ୍ରା ଅନୁଷ୍ଠିତ ହୁଏ।

ଶ୍ରୀଜଗନ୍ନାଥଙ୍କ ନବକଳେବର ଲୋକଶିକ୍ଷମୂଳକ।ବ୍ରହ୍ମ ସତ୍ୟ ଜଗତ ମିଥ୍ୟା,ଜାତସ୍ୟ ହି ଧ୍ରୁବେ ମୁର୍ତ୍ୟୁ।ମର୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହୋଇଲେ ବା ଯଥା ମରଇ ବା ଯଥା ଦେହ ତଥା ଦେହର ବାର୍ତା ପ୍ରଚାର କରେ।

୨୦୧୫ ନବକଳେବର କାର୍ଯ୍ୟସୂଚୀ[ସମ୍ପାଦନା]

ଡାହାଣରୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ, ମା ସୁଭଦ୍ରାଙ୍କ ଦେବଦଳନ ରଥ ଓ ଶ୍ରୀ ବଳଭଦ୍ରଙ୍କ ତାଳଧ୍ଵଜ ରଥ ବାହୁଡ଼ାଯାତ୍ରା, ନବକଳେବର ୨୦୧୫ ବେଳେ ଗୁଣ୍ଡିଚା ମନ୍ଦୀର ସମ୍ମୁଖରେ ଛିଡ଼ା ହୋଇଛନ୍ତି ।
ମୂଳ ଲେଖା: ନବକଳେବର ୨୦୧୫

ଆସନ୍ତା ନବକଳେବର ୨୦୧୫ ମସିହାରେ ଅନୁଷ୍ଠିତ ହେବ ।

  • ୨୯ ମାର୍ଚ୍ଚ ୨୦୧୫, ରବିବାର: ବନଯାଗ ଯାତ୍ରା ଆରମ୍ଭ, ଜଗନ୍ନାଥ ବଲ୍ଲଭ ମଠରେ ରହଣୀ[୪]
  • ୩୦ ମାର୍ଚ୍ଚ ୨୦୧୫, ସୋମବାର: ମଧ୍ୟ ରାତିରେ ଦଇତାପତିମାନେ ଜଗନ୍ନାଥ ବଲ୍ଲଭ ମଠ ଛାଡ଼ି ନୂଅାନଈ କୂଳସ୍ଥିତ ଅାଶ୍ରମରେ ଅାଶ୍ରୟ ନେବେ
  • ୩୧ ମାର୍ଚ୍ଚ ୨୦୧୫, ମଙ୍ଗଳବାର: ଅାଶ୍ରମରୁ ବାହାରି ରାମଚଣ୍ଡି, କୋଣାର୍କ ଦେଇ ଚାଲିଚାଲି ଦଇତାମାନେ କାକଟପୁର ନିକଟ ଦେଉଳିମଠରେ ଅବସ୍ଥାନ କରିବେ
  • ୨ ଜୁନ ୨୦୧୫, ମଙ୍ଗଳବାର: ଦେବସ୍ନାନ ପୂର୍ଣ୍ଣିମା, ନୂତନ ବିଗ୍ରହମାନଙ୍କ ନିର୍ମାଣ କାର୍ଯ୍ୟର ଅନୁକୁଳ, ମହାଅଣସର ଆରମ୍ଭ
  • ୧୫ ଜୁନ ୨୦୧୫, ସୋମବାର: ବ୍ରହ୍ମ ସ୍ଥାନାନ୍ତର[୫]
  • ୧୭ ଜୁଲାଇ ୨୦୧୫, ଶୁକ୍ରବାର: ନବଯୌବନ ଦର୍ଶନ

ବନଯାଗ ଯାତ୍ରା[ସମ୍ପାଦନା]

Daityas seek divine blessings of Goddess Kakatpur Mangala at Her temple, to give indications to the location of neem trees for making the idols of Lord Jagannath and other deities

ନବକଳେବର ସମୟରେ ନୂତନ ବିଗ୍ରହ ନିର୍ମାଣାର୍ଥେ ଦାରୁବ୍ରହ୍ମ (ନିମ କାଠ) ସଂଗ୍ରହ ନିମନ୍ତେ 'ବନଯାଗ ଯାତ୍ରା' ନାମକ ସ୍ଵତନ୍ତ୍ର ଯାତ୍ରା (ଦାରୁବ୍ରହ୍ମ ଅନ୍ଵେଷଣ କାର୍ଯ୍ୟକ୍ରମ) ପାଳିତ ହୁଏ । ଦଇତାପତିମାନେ ବଣରେ ଦାରୁ ଖୋଜି ବୁଲନ୍ତି । ସେଥିାଇଁ ଏହାର ନାମ ବନଯାଗ ଯାତ୍ରା କୁହାଯାଏ । ବାସନ୍ତିକ ଦୁର୍ଗାପୂଜା ଦଶହରା ଅର୍ଥାତ ଚୈତ୍ରମାସ ଶୁକ୍ଳପକ୍ଷ ଦଶମୀ ଦିନ ମଧ୍ୟାହ୍ନଧୂପ ଅବକାଶରେ ଶ୍ରୀଜୀଉଙ୍କ ବିଶେଷ ପୂଜା ପରେ ଏହାର ଅୟମାରମ୍ଭ ହୋଇଥାଏ । ଏହି ଦିନ କୋଇଲି ବୈକୁଣ୍ଠରେ ଦାରୁଗୃହ ଓ ଯଜ୍ଞଶାଳା ଅନୁକୂଳ କର୍ମ ମଧ୍ୟ ଅନୁଷ୍ଠିତ ହୋଇଥାଏ ।

ବନଯାଗ ଯାତ୍ରୀ[ସମ୍ପାଦନା]

ବନଯାଗ ଯାତ୍ରାରେ ନଅ ପ୍ରକାର ସେବକ ଭାଗ ନେଇଥାନ୍ତି, ସେମାନେ ହେଲେ:

  1. ଦଇତାପତି:
  2. ଶ୍ରୋତ୍ରିୟ ବ୍ରାହ୍ମଣ :ଶ୍ରୋତ୍ରିୟ ବ୍ରାହ୍ମଣମାନଙ୍କଦ୍ୱାରା ଦାରୁ ସ୍ନାନ, ଅଙ୍କୁରାରୋପଣ, ଆଜ୍ଞାମାଳ ବିଜେ, ମହାଯଜ୍ଞ, ଓ ପୂର୍ଣ୍ଣାହୁତି କାର୍ଯ୍ୟ କରାଯାଏ । ପରେ ଦାରୁ ମୂଳରେ ଶ୍ରୋତ୍ରିୟ ବ୍ରାହ୍ମଣମାନେ ଗୁପ୍ତ ପୂଜା କରିଥାନ୍ତି । ଦାରୁ ଶଗଡ଼ି ମଧ୍ୟ ପ୍ରତିଷ୍ଠା କରନ୍ତି ।[୬]
  3. ବିଶ୍ଵକର୍ମା:
  4. ଶ୍ରୀମନ୍ଦିର ପୁରୋହିତ:
  5. ରାଜଗୁରୁ:
  6. ପତିମହାପାତ୍ର:
  7. ଦେଉଳକରଣ:
  8. ତଢ଼ଉକରଣ:
  9. ଲେଙ୍କା ସେବକ:

ସିଂହଦ୍ଵାରରୁ ଏହିଯାତ୍ରା ବାହାରିବା ବେଳେ ଆଉ ସାତ ପ୍ରକାର ସେବକ ସାମିଲ ଥାନ୍ତି, ସେମାନେ ହେଲେ: ତଳୁଚ୍ଛ ସେବକ, ପ୍ରଧାନୀ ସେବକ, ଘଣ୍ଟୁଆ ସେବକ, ଛତ୍ରଧାରୀ ସେବକ, ବେହେରା ଖୁଣ୍ଟିଆ, ବଜନ୍ତରୀ ସେବକ ଓ କାହାଳିଆ ସେବକ । ଗୁଆଟେକା ନୀତି ପରେ ଶ୍ରୀନଅରଠାରୁ ଏହି ସାତ ଜଣ ସେବକ ଫେରିଆସନ୍ତି ।ଏହି କାର୍ଯ୍ୟକୁ ସମ୍ପାଦନ କରିବା ପାଇଁ ଜଗନ୍ନାଥ ବଲ୍ଲଭ ମଠଠାରୁ ଦେଉଳି ମଠକୁ ସମସ୍ତ ବନଯାଗୀ ପାରମ୍ପରିକ ପଦଯାତ୍ରାରେ ଆସିଥା’ନ୍ତି । ବନଯାତ୍ରାରେ ଜଣେ ଦଇତା ସେବକ ବିଶ୍ଵାବସୁ ଭାବରେ ଓ ପତି ମହାପାତ୍ର ସେବକ ବିଦ୍ୟାପତି ଭାବରେ ରହିଥାନ୍ତି । ଏହି ସମସ୍ତ ଯାତ୍ରୀଙ୍କ ନେତୃତ୍ଵ ନେଇଥାନ୍ତି ଦଳପତି ଓ ଦଳପତିଙ୍କୁ ସାହାଯ୍ୟ କରିଥାନ୍ତି ଉପଦଳପତି । ଏହି ଯାତ୍ରାର ସମ୍ମୁଖଭାଗରେ ଲେଙ୍କା ସେବକ ରୁପାରେ ତିଆରି ଶ୍ରୀସୁଦର୍ଶନ ଚକ୍ରଙ୍କୁ ଧରି ଯାଇଥାନ୍ତି । ଯାତ୍ରାରେ ବାହାରିବା ପରେ ଯଦି କୌଣସି ସେବକଙ୍କ ଶରୀର ଅସୁସ୍ଥ ହୋଇଯାଏ ତେବେ ସେ ଘରକୁ ନ ଫେରି ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ହିଁ ଦାରୁ ଅନ୍ଵେଷଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଅବସ୍ଥାନ କରନ୍ତି ।

ଆଜ୍ଞାମାଳ[ସମ୍ପାଦନା]

(ଆଜ୍ଞାମାଳ ପୃଷ୍ଠାରେ ଅଧିକ ଦେଖନ୍ତୁ...)

ମହାପ୍ରଭୁଙ୍କ ଅଧର ଚୁମ୍ବିତ ମାଳ ହିଁ ବିଶେଷ ଭାବରେ ଆଜ୍ଞାମାଳ ରୂପେ ବ୍ୟବହୃତ ହୁଏ । ଆଜ୍ଞାମାଳ ମାଧ୍ୟମରେ ନିର୍ଦ୍ଦେଶ ପାଇବାପରେ ଅର୍ଚ୍ଚାବିଗ୍ରହ ଓ ପ୍ରତିନିଧି ମଧ୍ୟରେ କୌଣସି ଫରକ ବିଚାର କରାଯାଏ ନାହିଁ । ଦଶମୀ ଦିନ ମଧ୍ୟାହ୍ନ ଧୂପପରେ ପତି ମହାପାତ୍ରଙ୍କ ନେତୃତ୍ଵରେ ଦଇତାପତିମାନେ ମନ୍ଦିରକୁ ପ୍ରବେଶ କରି ଜଗମୋହନଠାରେ ଅପେକ୍ଷା କରନ୍ତି । ପତିମହାପାତ୍ର ଦାରୁ ଅନ୍ଵେଷଣ ଯାତ୍ରାରେ ଯିବା ପାଇଁ ମହାପ୍ରଭୁଙ୍କ ଆଜ୍ଞାମାଳ ଗ୍ରହଣ କରିବା ନିମନ୍ତେ ରତ୍ନବେଦୀ ସମୀପକୁ ଯାଇଥାନ୍ତି । ଠାକୁରମାନଙ୍କ ଚାରିଗୋଟି ଆଜ୍ଞାମାଳ ଧରି ପତି ମହାପାତ୍ର ତିନିଜଣ ଦଇତାମୁଖ୍ୟଙ୍କୁ ତିନିଗୋଟି ଆଜ୍ଞାମାଳ ପ୍ରଦାନ କରନ୍ତି ଓ ନିଜେ ସୁଦର୍ଶନଙ୍କ ଆଜ୍ଞାମାଳଟିକୁ ରଖନ୍ତି । ଏଥି ସହିତ ଜଗନ୍ନାଥଙ୍କ ସୁଦର୍ଶନ ଚକ୍ରଟି ମଧ୍ୟ ଦିଅନ୍ତି ।

ଶାଢ଼ୀବନ୍ଧା ନୀତି[ସମ୍ପାଦନା]

ମହାପ୍ରଭୁଙ୍କ ଆଜ୍ଞାମାଳ ପାଇବା ପରେ ଶାଢ଼ୀବନ୍ଧା ନୀତି ଅନୁଷ୍ଠିତ ହୋଇଥାଏ । ଏହି ସମୟରେ ବ୍ରାହ୍ମଣମାନେ କୋଇଲି ବୈକୁଣ୍ଠରେ ଯଜ୍ଞଶାଳା, ନିର୍ମାଣ ମଣ୍ଡପ ଓ ଦାରୁଗୃହ ଆଦିର ଶୁଭ ଦିଅନ୍ତି । ଆଜ୍ଞାମାଳ ପାଇବାପରେ କଳାହାଟ ଦ୍ଵାର ଦେଇ ଅଣସର ପିଣ୍ଡି ସ୍ଥାନକୁ ଆସନ୍ତି । ସେଠାରେ ଏହି ଚାରିଜଣଙ୍କୁ ମନ୍ଦିରର ଭଣ୍ଡାର ରକ୍ଷକ ଭିତରଚ୍ଛ ମହାପାତ୍ର ବାରଲାଗି ଖଣ୍ଡୁଆ ପାଟ ମସ୍ତକରେ ବାନ୍ଧିଥାନ୍ତି ଓ ଦାରୁ ଅନ୍ବେଷଣ ଯାତ୍ରୀ ଅନ୍ୟାନ୍ୟ ଦଇତା ସେବକମାନଙ୍କୁ ଜୟବିଜୟ ଦ୍ଵାରଠାରେ ଚାରିହାତି ଲେଖାଏଁ ଲାଗି ପ୍ରସାଦି ଖଣ୍ଡୁଆ ପାଟ ମସ୍ତକରେ ବନ୍ଧାଯାଇଥାଏ । ମେକାପ ସେବକ ସମସ୍ତଙ୍କ ମସ୍ତକରେ ଚନ୍ଦନ ଓ ସିନ୍ଦୂର ଦେଇ ଥାନ୍ତି । ଏହାପରେ ସମସ୍ତେ ଜୟ ବିଜୟ ଦ୍ଵାର ନିକଟକୁ ଆସନ୍ତି, ସେଠାରେ ଦେଉଳକରଣ, ତଢ଼ାଉକରଣ ଓ ବେହେରା ଖୁଣ୍ଟିଆଙ୍କ ମସ୍ତକରେ ଭିତରଚ୍ଛ ମହାପାତ୍ର ବାରହାତି ଶାଢ଼ୀ ବାନ୍ଧନ୍ତି । ଲେଙ୍କା ସେବକ ଓ ଚାରିବାଡ଼ର ବିଶ୍ଵକର୍ମା ସେବକଙ୍କୁ ପତନି ପ୍ରଦାନ କରାଯାଏ । ଏହି ଯାତ୍ରାର ସମ୍ମୁଖଭାଗରେ ଲେଙ୍କା ସେବକ ରୁପାରେ ତିଆରି ଶ୍ରୀସୁଦର୍ଶନ ଚକ୍ରଙ୍କୁ ଧରି ଯାଇଥାନ୍ତି । ଏହାପରେ ବନଯାଗ ଯାତ୍ରୀ ଗୁଆଟେକା ନୀତି ନିମନ୍ତେ ଶ୍ରୀନଅରକୁ ଯାଇଥାନ୍ତି । ।

ଗୁଆଟେକା ନୀତି[ସମ୍ପାଦନା]

ଶାଢ଼ୀବନ୍ଧା ନୀତି ପରେ ସମସ୍ତେ ଛତି, ତ୍ରାସ ଓ ବାଜା ସହ ସିଂହଦ୍ଵାର ଦେଇ ରାଜାଙ୍କ ନଅରକୁ ଆସନ୍ତି । ସେଠାରେ ରାଜଗୁରୁ ଗଜପତିଙ୍କ ଶ୍ରୀହସ୍ତ ସ୍ପର୍ଶ ଗୁଆ ଦେଇ ଗଜପତିଙ୍କ ତରଫରୁ ବିଧିପୂର୍ବକ ବନଯାଗ କରି ଦାରୁ ଆଣିବାକୁ ଅନୁରୋଧ କରନ୍ତି । ଏହା ପରେ ସମସ୍ତେ ଜଗନ୍ନାଥ ବଲ୍ଲଭ ମଠକୁ ଯାଆନ୍ତି, ସେଠାରେ ତିନି ଓଳି ରହିବା ପରେ ସମସ୍ତେ କାକଟପୁରର ମଙ୍ଗଳା ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରନ୍ତି । ବନଯାଗ ଯାତ୍ରୀ ଦେଉଳିମଠରେ ପହଞ୍ଚିବା ପରେ ଶ୍ରୀମନ୍ଦିର ଦେଉଳକରଣ ଚିଟାଉ ମାଧ୍ୟମରେ ମଙ୍ଗଳା ମନ୍ଦିର ସେବାୟତମାନଙ୍କୁ ଜଣାଇଥାନ୍ତି । ମଙ୍ଗଳା ମନ୍ଦିର ସେବାୟତମାନେ ମା'ଙ୍କ ଶ୍ରୀଅଙ୍ଗଲାଗି ଆଜ୍ଞାମାଳ ପାଇବାପରେ ନିମନ୍ତ୍ରଣ ଶୋଭାଯାତ୍ରାରେ ବାହାରିଥାନ୍ତି ।

ମା'ଙ୍କ ମାଜଣା[ସମ୍ପାଦନା]

ବନଯାଗୀଙ୍କ ପ୍ରଭୁ ଆରାଧନା[ସମ୍ପାଦନା]

ଦାରୁ ସନ୍ଧାନ[ସମ୍ପାଦନା]

ବିଶ୍ଵାସ ଅନୁଯାଇ ଦେବୀ ମଙ୍ଗଳା ସ୍ଵପ୍ନାଦେଶରେ ଦାରୁବ୍ରହ୍ମ ଉପସ୍ଥିତ ଥିବା ନିର୍ଦ୍ଧିଷ୍ଠ ସ୍ଥାନର ଠିକଣା ଦିଅନ୍ତି ।[୭] ଚତୁର୍ଦ୍ଧାମୁର୍ତ୍ତୀଙ୍କ ନବକଳେବର ନିମନ୍ତେ ଦାରୁ ୪ଟି ଅଲଗା ଅଲଗା ଜାଗାରୁ ମିଳିଥାଏ । ନବକଳେବର ନିମନ୍ତେ ଯେଉଁ ବୃକ୍ଷ ଛେଦିତ ତଥା ବ୍ୟବହୃତ ହୁଏ, ତାହାର ଲକ୍ଷଣ ଗୁଡ଼ିକ ହେଲା:

ଦାରୁ ଲକ୍ଷଣ[ସମ୍ପାଦନା]

  • ବୃକ୍ଷଟି ନିମ୍ବ ବୃକ୍ଷ ହୋଇଥିବ
  • ବୃକ୍ଷଟି ମନ୍ଦିର, ମଠ, ନଦୀ, ମଶାଣି, ପୋଖରୀ ନିକଟରେ ଥିବ ।
  • ବୃକ୍ଷର ଅନତିଦୂରରେ ଉଇହୁଙ୍କା, ବେଲଗଛ, ବରୁଣଗଛ, ସାହାଡାଗଛ, ତୁଳସୀ ଗଛ ଓ ଗାତ ଥିବ ।
  • ସେହି ଗାତ ଅଥବା ଉଇହୁଙ୍କାରେ ନାଗସାପ ରହୁଥିବ କିନ୍ତୁ ପକ୍ଷୀମାନେ ସେହି ବୃକ୍ଷରେ ବସାବାନ୍ଧି ନଥିବେ ।
  • ବୃକ୍ଷରେ କୌଣସି କୀଟ ଦ୍ରଂଷ୍ଟ ବା ବଜ୍ରପାତର ଚିହ୍ନ ନଥିବ ଓ ପୂର୍ବରୁ କୌଣସି ଡାଳ ଛେଦିତ ହୋଇ ନଥିବ ।
  • ସେହି ବୃକ୍ଷରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ପ୍ରଭୃତି ଚିହ୍ନମାନ ଥିବ ।

ଉପରୋକ୍ତ ଲକ୍ଷଣଗୁଡ଼ିକ ମଧ୍ୟରୁ ଅଧିକାଂଶ ଲକ୍ଷଣଯୁକ୍ତ ଦାରୁକୁ ଶ୍ରେଷ୍ଠ ବୋଲି ମନେ କରି ଅନ୍ଵେଷଣକାରୀ ଦଳ ଠିକ କରିବା ପରେ ବିଶ୍ଵକର୍ମା ଦାରୁକୁ ମାପ କରନ୍ତି ଓ ତାପରେ ଦାରୁ ନିର୍ବାଚନ ସମାପ୍ତ ହୁଏ ।

ବନରେ ଯଜ୍ଞ[ସମ୍ପାଦନା]

ଦାରୁ ପୂଜନ[ସମ୍ପାଦନା]

ଦାରୁ ନିର୍ଣ୍ଣୟ ପରେ ଶବର ପଲ୍ଲୀର ଆୟୋଜନ ହୁଏ । ଯଥାବିଧିରେ ଯଜ୍ଞଶାଳା, ଯଜ୍ଞକୁଣ୍ଡ, ଅଙ୍କୁରାରୋପଣ ଗୃହ ନିର୍ମିତ ହୋଇ ବନଯାଗ ହୋମ ଆରମ୍ଭ ହୋଇଥାଏ । ଶ୍ରୀସୁଦର୍ଶନଙ୍କ ଚଳନ୍ତି ପ୍ରତିମାଙ୍କୁ ସାଥିରେ ଧରି ବନଯାଗୀ ସେଠାକୁ ଯାତ୍ରା କରନ୍ତି । ବୃକ୍ଷ ଚତୁଃପାଶ୍ୱର୍ରେ ଦଇତାପତି, ପତିମହାପାତ୍ର ଏବଂ ଲେଙ୍କା ସେବକ ତିନିଥର ପରିକ୍ରମା କରିବାର ପରମ୍ପରା ରହିଛି । ଚିହ୍ନଟ ବୃକ୍ଷମୂଳେ ଯଜ୍ଞମଣ୍ଡପ ତିଆରି କରାଯାଏ । ଦାରୁ ଚିହ୍ନଟ ସ୍ଥାନରେ ଗୋବର ଲିପାଯାଇ ପରିସ୍କାର କରିବା ପରେ ଦାରୁ ସ୍ନାନ କରାଯାଏ । ବୃକ୍ଷକୁ ମାଜଣା କରାଯିବା ପରେ ଶୁକ୍ଳବସ୍ତ୍ର ପରିଧାନ କରାଯାଇ ଠାକୁରଙ୍କ ଆଜ୍ଞାମାଳ ଦିଆଯାଏ । ପରେ ଶ୍ରୀକ୍ଷେତ୍ରରୁ ଯାଇଥିବା ସ୍ରୋତ୍ରୀୟ ବ୍ରାହ୍ମଣ ବନଯାଗ ହୋମ କରି ନୃସିଂହ ମନ୍ତ୍ରରେ ଆହୂତି ପ୍ରଦାନ କରାଯାଏ । ଆଚାର୍ଯ୍ୟ, ପତିମହାପାତ୍ର, ବିଶ୍ୱାବସୁ ଓ ଦଇତାପତି ଯଜ୍ଞକୁଣ୍ଡ ୭ଥର ପ୍ରଦକ୍ଷିଣ କରିବା ପରେ ପୁଷ୍ପାଞ୍ଜଳି ପ୍ରଦାନ କରିଥାନ୍ତି । ଏହାପରେ ସେଠାରେ ଅଙ୍କୁରାରୋପଣ ଏବଂ ହୋମଯଜ୍ଞ ଦୁଇଦିନ ଧରି ଚାଲେ ।

ଦାରୁ ଛେଦନ[ସମ୍ପାଦନା]

ଆଚାର୍ଯ୍ୟ ଅସ୍ତ୍ରପୂଜାରେ ବସିଥିବା ସୁନା, ରୁପା ଓ ଲୁହା କୁରାଢ଼ୀକୁ ଯଥାକ୍ରମେ ବିଦ୍ୟାପତି, ବିଶ୍ଵାବସୁ ଓ ବିଶ୍ଵକର୍ମାଙ୍କୁ ଦିଅନ୍ତି । ସୁନା ଓ ରୁପା କୁରାଢ଼ୀ ଦାରୁ ବୃକ୍ଷରେ ସ୍ପର୍ଶ କରିବା ପରେ ସଂକୀର୍ତ୍ତନ ନାଦ ମଧ୍ୟରେ ବିଶ୍ଵକର୍ମା ସେବକମାନେ ବୃକ୍ଷ ଚ୍ଛେଦନ କରି ପୂର୍ବ, ଉତ୍ତର ବା ଉତ୍ତର-ପୂର୍ବ ଦିଗକୁ ଢଳାଇ ଦିଅନ୍ତ । ବୃକ୍ଷ ଛେଦିତ ହୋଇ ଭୂପତିତ ହେବା ପର୍ଯନ୍ତ ସମସ୍ତେ ଉପବାସରେ ରହିଥାନ୍ତି । ବୃକ୍ଷକୁ ପ୍ରଥମେ ମୂଳରୁ କାଟି ପରେ ମାପ ମୁତାବକ ଗଡ଼ି କରି କେବଳ ମଞ୍ଜ ଅଂଶଟି ରଖନ୍ତି । ଏହାକୁ ଚଉପଟ କୁହାଯାଏ । ଚଉପଟ ସରିବା ପରେ ବଳକା ଥିବା ଡାଳ, ପତ୍ର ଓ ଛେଲି ଆଦିକୁ ଗୋଟିଏ ବିରାଟ ଗାତ ମଧ୍ୟରେ ପୋତି ଦିଆଯାଏ ।

ଦାରୁ ସ୍ଥାନାନ୍ତର[ସମ୍ପାଦନା]

ଚଉପଟ ଦାରୁଙ୍କୁ ନବନିର୍ମିତ ଶଗଡ଼ିରେ ଲଦି ଖଣ୍ଡୁଆ ପାଟ ଗୁଡ଼ାଯାଇ ବାସୁଙ୍ଗା ପାଟ ଦଉଡ଼ିରେ ବନ୍ଧାଯାଇଥାଏ । କ୍ରମାନ୍ଵୟରେ ପ୍ରଥମେ ଶ୍ରୀସୁଦର୍ଶନଙ୍କ ଦାରୁ ତାପରେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦାରୁ ଶ୍ରୀମନ୍ଦିରକୁ ଅଣାଯାଏ । ଜଗନ୍ନାଥ ସଡ଼କରେ ଆସିଥିବା ଦାରୁ ଅଠରନଳାସ୍ଥିତ ଆଲାମଚଣ୍ଡିଙ୍କ ନିକଟରେ ଏକ ରାତ୍ରି ରହିବା ପରେ ପରିଦିନ ସକାଳୁ ବଡ଼ଦାଣ୍ଡରେ ଶୋଭାଯାତ୍ରାରେ ଶ୍ରୀମନ୍ଦିର ଉତ୍ତର ଦ୍ଵାର ବା ଦେବଯାନ ମାର୍ଗ ଦେଇ ପ୍ରବେଶ କରେ । ସେହିପରି କୋଣାର୍କ ଦିଗରୁ ଆସିଥିବା ଦାରୁ ଯଜ୍ଞନୃସିଂହଙ୍କ ନିକଟରେ ଗୋଟିଏ ରାତ୍ର ରହିବା ପରେ ପର ଦିବସରେ ଶୋଭାଯାତ୍ରାରେ ଯାଇ ଉତ୍ତର ଦ୍ଵାର ଦେଇ କୋଇଲି ବୈକୁଣ୍ଠରେ ପ୍ରବେଶ କରେ । ଶ୍ରୀମନ୍ଦିର ଉତ୍ତରଦ୍ଵାରଟି ହାତୀଦ୍ଵାର ବା ଚେମେଣୀ ଦ୍ଵାର ବା ଦେବଯାନ ଦ୍ଵାର ଭାବେ ପରିଚିତ । ବିଶ୍ଵାସମତେ ଏହି ମାର୍ଗରେ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଦେବତାମାନେ ରାତିରେ ଆସିଥାନ୍ତି ଓ ଦର୍ଶନ କରିବା ପରେ ଶ୍ରୀମନ୍ଦିର ପରିସରରେ ଥିବା ଦେବସଭା ମଣ୍ଡପରେ ମିଳିତ ହୋଇଥାନ୍ତି ।

ଚଉପଟ[ସମ୍ପାଦନା]

ଶଗଡ଼ିରେ କାରୁଶାଳାକୁ ବିଜେ[ସମ୍ପାଦନା]

ଚାରିଗୋଟି ଦାରୁ ପାଇଁ ଚାରିଗୋଟି ଦାରୁ ଶଗଡ଼ି ନିର୍ମାଣ ହେବାର ପରମ୍ପରା ରହିଛି । ସାତଫୁଟ ଲମ୍ବା ଓ ଚାରିଫୁଟ ଓସାରରେ ଏହା ଗଢ଼ାଯାଇଥାଏ । ଏହି ଦାରୁ ଶଗଡ଼ିର ଚକ, ଅଖ ଓ ଦଣ୍ଡା ଯଥାକ୍ରମେ ବର, ତେନ୍ତୁଳି ଓ କେନ୍ଦୁ କାଠରେ ତିଆରି କରାଯାଇଥାଏ । ଶଗଡ଼ିର ଚକରେ ଅର କିମ୍ବା ପଈ ନଥାଏ, ଗୋଟା କାଠ ପଟା ଯୋଡ଼ି ଚକା ନିର୍ମାଣ କରାଯାଇଥାଏ । ବ୍ରାହ୍ମଣମାନେ ବେଦୋକ୍ତ ମନ୍ତ୍ରରେ ଶଗଡ଼ିକୁ ପ୍ରତିଷ୍ଠା କରନ୍ତି । ଶଗଡ଼ିକୁ ବିନା ପଶୁରେ ଶୋଭାଯାତ୍ରାରେ ଶ୍ରୀମନ୍ଦିର ଅଭିମୁଖେ ଅଣାଯାଇଥାଏ । ଏହି ଶଗଡ଼ିକୁ ସାଧାରଣ ଲୋକ ତଥା ବନଯାଗ ଦଳ ସଦସ୍ୟମାନେ ଟାଣିଥାନ୍ତି । ବାଟରେ କିଛି ଅଘଟଣ କାରଣରୁ ଦାରୁ ଶଗଡ଼ିର କିଛି କ୍ଷତି ଘଟିଲେ ଦାରୁ ଶଗଡ଼ି ଅଟକି ରହିଥାଏ । ନିକଟସ୍ଥ ବିଷ୍ଣୁ ମନ୍ଦିରରେ ଶଗଡ଼ିରେ ଆସୁଥିବା ଦାରୁକୁ ରଖାଯାଏ । ଦାରୁ ଶଗଡ଼ିର ମରାମତି ପରେ ପୁଣିଥରେ ପ୍ରତିଷ୍ଠା ପରେ ଦାରୁ ଲଦାଯାଇଥାଏ । ଏହିସବୁ ଦାରୁ ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ଶ୍ରୀମନ୍ଦିରରେ ପହଞ୍ଚି ସାରିଥାନ୍ତି ।


ପୁରାତନ କାଳରୁ ପରିବ‌ହ‌ନ ନିମିତ୍ତ ଶଗଡ଼ିର ବ‌ହୁଳ ବ୍ୟବ‌ହାର ରହିଆସିଛି । ପୂର୍ବେ ଶ୍ରୀଗୁଣ୍ଡିଚା ମନ୍ଦିର ଓ ଶ୍ରୀମନ୍ଦିର ମଧ୍ୟରେ ପ୍ରାଚୀନ ମାଳିନୀ ନ‌ଦୀ[୮] ପ୍ରବାହିତ ହେଉଥିଲା । ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ତିନି ଠାକୁର ତିନି ରଥରେ ବିରାଜମାନ ହୋଇ ଏହି ନ‌ଦୀ ପର୍ଯ୍ୟନ୍ତ ଯାଉଥିଲେ ଆଉ ଡଙ୍ଗା ସ‌ହାୟତାରେ ନ‌ଦୀ ପାର ହୋଇ ତିନିଗୋଟି କାଠ ନିର୍ମିତ ଶଗଡ଼ିରେ ଯାଇ ଆଡ଼ପ ମଣ୍ଡପରେ ବିରଜିତ ହେଉଥିଲେ । ଏହି ଶଗଡ଼ିର ବ୍ୟବ‌ହାର କବିମାନଙ୍କର ଭଜନରେ ମଧ୍ୟ ପରିଲକ୍ଷିତ ହୋଇଛି । ୧୬୨୨ ମସିହାରେ ଭକ୍ତ ସାଲବେଗ[୯] ଜଣାଣରେ ମଧ୍ୟ ମ‌ହାପ୍ରଭୁଙ୍କ ସେବରେ ଶଗଡ଼ିର ନିୟୋଜନ ବିଷୟରେ ଉଲ୍ଲେଖ ରହିଛି ।

ବନଯାଗ ଯାତ୍ରାରେ ଦାରୁ ଚିହ୍ନଟ ହୋଇସାରିବା ପରେ ଯେତେବେଳେ ଦାରୁ ଛେଦନ ସାରି ଶ୍ରୀମନ୍ଦିରକୁ ନେବାର କଥା ଆସେ ସେତେବେଳେ ଦରକାର ହୁଏ ଏହି ଶଗଡ଼ି, ଯାହାକୁ ଦାରୁ ଶଗଡ଼ି ନାମରେ ଆମେ ବୋଲାଇଥାଉ । ଏହି ଶଗଡ଼ି ସାହାଯ୍ୟରେ ଦାରୁମାନ ଶ୍ରୀମନ୍ଦିରକୁ ନିଆଯାଇଥାଏ ।

ଏହି ଦାରୁଶଗଡ଼ି ଚାରି ଚକ ବିଶିଷ୍ଟ ହୋଇଥାଏ । ବିଶ୍ୱକର୍ମା ସେବକ ମାନେ ଏହାକୁ ନିର୍ମାଣ କରିଥାନ୍ତି । ପ୍ରତି ଦରୁଙ୍କ ଲାଗି ଗୋଟିଏ ଲେଖାଏଁ ଶଗଡ଼ି ନିର୍ମାଣ ହୋଇଥାଏ । ଏହି ଶଗଡ଼ିମାନ ବରକାଠରେ ତିଆରି ଚକମାନ ଓ ତେନ୍ତୁଳି କାଠ ନିର୍ମିତ ଦଣ୍ଡାମାନ ଧାରଣ କରିଥାନ୍ତି । ବାକି ଅନ୍ୟାନ୍ୟ ଅଂଶମାନ କେନ୍ଦୁ କାଠାରେ ନିର୍ମାଣ କରାଯାଇଥାଏ । ଏହାର ଚକର କୌଣସି ଅର ନ ଥାଏ । ସେହି ଚକ‌କୁ ଲୁହା କ୍ଲାମ୍ପ ସ‌ହାୟତାରେ ଯୋଡ଼ା ଯାଇଥାଏ । ଶଗଡ଼ି ଦଣ୍ଡାର ଲମ୍ବ ଆଠହାତ ହୋଇଥାଏ ।


ଦାରୁଙ୍କୁ ଖଣ୍ଡୁଆ ପାଟରେ ଗୁଡ଼ାଇ ଶଗଡ଼ିରେ ରଖି ବାନ୍ଧି ଦିଆଯାଏ । ଦାରୁ ପ୍ରାପ୍ତ ହୋଇଥିବା ଶ୍ରୀମନ୍ଦିର ପର୍ଯ୍ୟନ୍ତ ସାଧାରଣ ଜନତା ଓ ଭକ୍ତମାନ ଏହି ଦାରୁଶଗଡ଼ିକୁ ଟାଣି ଟାଣି ନେଇଥାନ୍ତି । ବିଧି ଅନୁସାରେ, ସର୍ବପ୍ରଥମେ ଶ୍ରୀସୁଦର୍ଶନଙ୍କ ଦାରୁ, ତା'ପରେ କ୍ରମାନ୍ୱୟରେ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ଦାରୁ ଶଗଡ଼ିରେ ଶ୍ରୀକ୍ଷେତ୍ରକୁ ପ୍ରବେଶ କରେ ।

ସ୍ନାନ ପୂର୍ଣ୍ଣିମା ପରେ ଶ୍ରୀମନ୍ଦିରର ନୀତି[ସମ୍ପାଦନା]

ଯେଉଁ ବର୍ଷ ଯୋଡ଼ା ଆଷାଢ଼ ପଡ଼େ ସେହିବର୍ଷ ସ୍ନାନପୂର୍ଣ୍ଣମୀ ପରେ ଶ୍ରୀମନ୍ଦିରରେ ଦେଢ଼ମାସ ବା ଛଅ ସପ୍ତାହ ସାଧାରଣ ବ୍ୟକ୍ତିଙ୍କ ପାଇଁ ଠାକୁରଙ୍କ ଦର୍ଶନ ବନ୍ଦ ହୋଇଥାଏ । ଏହି ଛଅ ସପ୍ତାହକୁ ତିନିଟି ପର୍ଯ୍ୟାୟରେ ବିଭକ୍ତ କରାଯାଇପାରେ:

  1. ପ୍ରଥମ ଦୁଇସପ୍ତାହ ସ୍ନାନପୂର୍ଣ୍ଣମୀ ପରଦିନ ଠାରୁ ବିଗ୍ରହ ନିର୍ମାଣ ଆରମ୍ଭ, ନ୍ୟାସ ଦାରୁଙ୍କର ପ୍ରାଣ ପ୍ରତିଷ୍ଠା ଏବଂ ପୁରାତନ ବିଗ୍ରହଙ୍କ ଶରୀରରୁ ବ୍ରହ୍ମପଦାର୍ଥ ପରିବର୍ତ୍ତନ କାର୍ଯ୍ୟ ସମ୍ପାଦିତ ହୋଇଥାଏ ।
  2. ଅଧିକ ଆଷାଢ଼ ମାସର ପ୍ରଥମ ପନ୍ଦରଦିନ ଦଇତାମାନଙ୍କଦ୍ଵାରା ଶୁଦ୍ଧିକ୍ରିୟା ପାଳନ ହୁଏ । (ନୂତନ ବିଗ୍ରହଙ୍କର କୌଣସି କାର୍ଯ୍ୟ କରାଯାଏ ନାହିଁ ।)
  3. ଅଧିକ ଆଷାଢ଼ର ଶେଷ ପନ୍ଦର ଦିନ ନୂତନ ବିଗ୍ରହଙ୍କ ଦେହର ପୂର୍ଣ୍ଣ ରୂପାୟନ, ଚିତ୍ରକାରଙ୍କଦ୍ଵାରା ରଙ୍ଗ ଆଦି କରାଯାଇ ବିଗ୍ରହଙ୍କ କାର୍ଯ୍ୟ ଶେଷ କରାଯାଇଥାଏ ।

ନୂତନ ବିଗ୍ରହ ନିର୍ମାଣ[ସମ୍ପାଦନା]

ସ୍ନାନ ପୂର୍ଣ୍ଣିମା ପରେ ନିର୍ମାଣ ମଣ୍ଡପରେ ଦଇତାପତି ଓ ପତିମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗୁପ୍ତରେ ଦାରୁମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ କରନ୍ତି ବିଶ୍ୱକର୍ମା ଓ ମହାରଣାମାନେ । ୩ଜଣିଆ ବୟୋବୃଦ୍ଧ ବିଶ୍ଵକର୍ମାଙ୍କ ୩ଟି ଦଳ ଏକା ସମୟରେ ଅନ୍ୟ ମହାରଣାମାନଙ୍କ ସହାୟତାରେ ବିଗ୍ରହ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୁଅନ୍ତି । ଚତୁର୍ଦ୍ଧାମୂର୍ତ୍ତି ଓ ଦାରବ ମାଧବ ମୂର୍ତ୍ତି ନିର୍ମାଣ ହୁଏ । ଏହି ସମସ୍ତ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ଗୋପନୀୟ ଭାବେ କାର୍ଯ୍ୟକାରି କରାଯାଏ । ଏହାକୁ କେହି ଦେଖିପାରନ୍ତି ନାହିଁ । ଏପରିକି ନିର୍ମାଣକାଳୀନ ଶବ୍ଦ ବାହାରକୁ ନଶୁଭିବା ପାଇଁ ବାଦ୍ୟ ଓ ହୁଳହୁଳି ପକାଯାଇଥାଏ । ନୂତନ ବିଗ୍ରହ ନିର୍ମାଣ ୨୧ଦିନ ମଧ୍ୟରେ ସମ୍ପୁର୍ଣ୍ଣ ହୁଏ ।[୧୦]

ସ୍ନାନପୂର୍ଣ୍ଣିମା ଦିନ ସ୍ନାନବେଦୀରେ ୧୦୮ କଳସ ଜଳରେ ବିଦାୟୀ ବିଗ୍ରହଙ୍କର ସ୍ନାନ ସହିତ ଚାରି କଳସ ଜଳରେ କୋଇଲି ବୈକୁଣ୍ଡର ଦାରୁଗୃହରେ ଚାରିଦାରୁଙ୍କର ସ୍ନାନ କରାଯାଇଥାଏ । ଏହି ସ୍ନାନ ଦଇତା ସେବକମାନେ କରାଇଥାଆନ୍ତି । ତା’ପରେ ଆଷାଢ଼ କୃଷ୍ଣ ଦ୍ବିତୀୟାରେ ଦାରୁମାନଙ୍କୁ ଶଗଡ଼ିରୁ ନେଇ ବିଜେ କରାଯାଏ କାରୁଶାଳା ବା ନିର୍ମାଣ ମଣ୍ଡପରେ । ସେହିଠାରେ ହିଁ’ବୁଢ଼ା ବଢ଼େଇ' ବଂଶର ବିଶ୍ଵକର୍ମା ସେବକ ବିଗ୍ରହମାନଙ୍କୁ ବିଧିମତେ ନିର୍ମାଣ କରନ୍ତି । ଚାରି ବିଗ୍ରହଙ୍କ ସହିତ ଶ୍ରୀମାଧବଙ୍କର ବିଗ୍ରହଙ୍କୁ ମଧ୍ୟ ନୂତନ ଭାବେ ନିର୍ମାଣ କରାଯାଇଥାଏ । 'ସାରଳା ମହାଭାରତ' ବର୍ଣ୍ଣିତ ଜାରା ଶବର ବଂଶର ବା ‘ସ୍କନ୍ଦପୁରାଣ’ ବର୍ଣ୍ଣିତ ମୁଗୁର ଓ ବାରସଦଶ 'ଦେଉଳ ତୋଳା' ବଂଶର ବିଶ୍ଵାବସୁ ବଂଶର ଦଇତା ସେବକ ଏବଂ ‘ଦେଉଳ ତୋଳା’ କିମ୍ବଦନ୍ତି ବର୍ଣ୍ଣିତ ବିଦ୍ୟାପତି-ଲଳିତା ବଂଶର ପତିମହାପାତ୍ର ସେବକଙ୍କ ସହଯୋଗରେ ଏହି ବିଗ୍ରହ ନିର୍ମାଣ କରନ୍ତି ବିଶ୍ଵକର୍ମା ସେବକମାନେ ଏଥିପାଇଁ ପ୍ରୟୋଜନ ହେଉଥିବା ଉପକରଣ ମଧ୍ୟରେ ଥାଏ ଛଅଟି ବାରିସି, ଛଅଟି ନିହଣ, ଛଅଟି ମୁଗୁର, ଚାରି ବିଗ୍ରହଙ୍କ ଚାରଟି କୁରାଢ଼ି, ତିନିଟି ତିନିଫୁଟିଆ କରତ ଓ ତିନିଟି ଦେଢ଼ ଫୁଟିଆ କରତ ଏବଂ ଦୁଇ ଇଞ୍ଚ ଚଉଡ଼ାର ଛଅଟି ବଟାଳି । ଦୋଳବେଦୀ କୁଞ୍ଜ ମଧ୍ୟରେ ଏହି ସବୁ ଉପକରଣର ଲୁହାଅଶ ନୂତନ ଭାବରେ ନିର୍ମାଣ କରାଯାଏ । ମହାରଣା ସେବକ ମଧ୍ୟ ସେହିଠାରେ ମୁଗୁର ଆଦି କାଠ ଉପକରଣ ନୂତନ ଭାବରେ ନିର୍ମାଣ କରନ୍ତି । ବାରିସିର ବେଣ୍ଟ ଫାସିକାଠରେ ଏବଂ ମୁଗୁର ବଉଳ କାଠରେ ନିର୍ମିତ କରାଯାଇଥାଏ । ନ୍ୟାସ ଦାରୁ ରଥ ମଧ୍ୟ ନିଦ୍ଦିଷ୍ଟ ବିଧି ଅନୁସାରେ ସେହିଠାରେ ନିର୍ମିତ ହୋଇଥାଏ । ଦରଜି ସେବକ ଏହିସବୁ ଉପକରଣ ନିର୍ମାଣକାରୀ ଦଶ ବିଶ୍ଵକର୍ମା ସେବକଙ୍କ ପାଇଁ ୩୦ଯୋଡ଼ା ପାଦୁକା (ମୋଟା କନାର ମୋଜା) ନିର୍ମାଣ କରି ଦେଇଥାନ୍ତି। ତାହାକୁ ପିନ୍ଧି ବିଶ୍ଵକର୍ମା ସେବକ ବିଗ୍ରହ ନିର୍ମାଣ କାର୍ଯ୍ୟ କରନ୍ତି । କାରଣ ବିଗ୍ରହ ନିର୍ମାଣ ସମୟରେ ବିଗ୍ରହଙ୍କୁ ବା ଦାରୁଙ୍କର କୌଣସି ପରିତ୍ୟକ୍ତ ଅଂଶକୁ ଖାଲି ପାଦରେ ସ୍ପର୍ଶ କରିବା ଅପରାଧ ଭାବରେ ପରିଗଣିତ ହୋଇଥାଏ । ଏହି ବିଗ୍ରହ ନିର୍ମାଣ କର୍ମପାଇଁ ଦଶଜଣ ବିଶ୍ଵକର୍ମା ସେବକଙ୍କୁ ଦଶଯୋଡ଼ା ନୂଆ ମକୁଟା, ଦଶଟି ଲୁଗା ଓ ଦଶଖଣ୍ଡ ନୂଆ ଗାମୁଛା ମିଳେ । ଗୋଟିଏ ପଟେ ଯଜ୍ଞମଣ୍ଡପ ବା ପ୍ରତିଷ୍ଠା ମଣ୍ଡପରେ ନ୍ୟାସଦାରୁଙ୍କର ନ୍ୟାସ ଓ ପ୍ରତିଷ୍ଠା କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟପଟେ ନିର୍ମାଣ ମଣ୍ଡପ ବା କାରୁଶାଳାରେ ବିଗ୍ରହ ନିର୍ମାଣ କାର୍ଯ୍ୟ ଚାଲିଥାଏ । ନିଦ୍ଦିଷ୍ଟ ଭାଗମାପରେ ଏହି ବିଗ୍ରହମାନଙ୍କର ନିର୍ମାଣ କାର୍ଯ୍ୟ ଆଷାଢ଼ କୃଷ୍ଣ ଚତୁର୍ଦଶୀ ପୂର୍ବରୁ ସମାପ୍ତ ହୋଇଥାଏ । ଦେଉଳ ତୋଳା କାହାଣୀ ଅନୁସାରେ, ଏହି ସମୟରେ କୋଇଲି ବୈକୁଣ୍ଠ ଉପବନର ମୁଖ୍ୟ ପ୍ରବେଶପଥର ବାହାର ପାର୍ଶ୍ଵରେ ଘଣ୍ଟ, ବଜନ୍ତରୀ, ବୀର ତେଲିଙ୍ଗି ବାଦ୍ୟ ଆଦି ବାଦନ କରାଯାଇଥାଏ । କାରଣ ନିର୍ମାଣକାର୍ଯ୍ୟର କୌଣସି ଶବ୍ଦ ବାହାରକୁ ଶୁଣା ଯିବାକୁ ଶାସ୍ତ୍ରରେ ନିଷେଧ କରାଯାଇଛି । [୧୧]

ବ୍ରହ୍ମ ସ୍ଥାନାନ୍ତର[ସମ୍ପାଦନା]

କୃଷ୍ଣ ଚତୁର୍ଦ୍ଦଶୀ ଦିନ ବିଶେଷ ଯଜ୍ଞକର୍ମ ସହ ନୂତନ ଠାକୁରଙ୍କ ସ୍ନାନ ଓ ପ୍ରାଣନ୍ୟାସ କରାଯାଇଥାଏ । ନୂତନ ବିଗ୍ରହ ନିର୍ମାଣ ପରେ ଦଇତାପତିମାନେ ନେଇ ପୁରୁଣା ବିଗ୍ରହ ସ୍ଥାନରେ ସ୍ଥାପିତ କରନ୍ତି । ଏହାପରେ କେବଳ ତିନି ଜଣ ବୟୋବୃଦ୍ଧ ଦଇତାପତି ଆଖିରେ ଅନ୍ଧପୁଟୁଳି ବାନ୍ଧିବା ସହ ହାତରେ ଜଗନ୍ନାଥଙ୍କ ବ୍ୟବହୃତ ବସ୍ତ୍ର ଗୁଡ଼ାଇ, ଠିକ ମଧ୍ୟ ରାତ୍ର ସମୟରେ ବ୍ରହ୍ମ (ପିଣ୍ଡ ବା ଜୀବନ ଶକ୍ତି) ସ୍ଥାନାନ୍ତର କରନ୍ତି । ରଥଯାତ୍ରାର ତିନିଦିନ ପୂର୍ବରୁ ଏହି କାର୍ଯ୍ୟ ସମାପିତ ହୁଏ । ଆଦି ଶଙ୍କରାଚାର୍ଯ୍ୟ ଓ ବିଶର ମହାନ୍ତିଙ୍କ ଛଡା ଏହି ବ୍ରହ୍ମ ପଦାର୍ଥକୁ ଅନ୍ୟ କେହି ଏ ପର୍ଯ୍ୟନ୍ତ ସ୍ଵଚକ୍ଷୁରେ ଦେଖି ନାହାନ୍ତି । ବିଶ୍ଵାସ ମୁତାବକ, ଯେ କେହି ବାହାର ଲୋକ ଯଦି ଦୈବାତ କୌଣସି ସ୍ଥାନରୁ, କୌଣସି ଉପାୟରେ ଏହି ପ୍ରକ୍ରିୟା ଦେଖିଦିଏ, ତେବେ ତାର ମୃତ୍ୟୁ ସୁନିଶ୍ଚିତ; ତେଣୁ ଓଡ଼ିଶା ସରକାର ଏହିରାତିରେ ସମ୍ପୁର୍ଣ୍ଣ ଅନ୍ଧକାର ନିମନ୍ତେ ଆଦେଶ ଦେଇଥାନ୍ତି ।

ସବିଶେଷ ରୀତି ନୀତି[ସମ୍ପାଦନା]

ବ୍ରହ୍ନ ସଂସ୍ଥାପନା କାର୍ଯ୍ୟ ଗୋପନୀୟ ଭାବରେ ଆଷାଢ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ରାତ୍ରିରେ କରାଯାଇଥାଏ । କିନ୍ତୁ ବ୍ରହ୍ନ ସଂସ୍ଥାପନ ପୂର୍ବରୁ ଶ୍ରୀମନ୍ଦିର କୂର୍ମବେଢା ମଧ୍ୟରେ ଗୋଟିଏ ଗୁପ୍ତ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । କେତେକ ମୁଷ୍ଟିମେୟ ଦଇତାପତିମାନଙ୍କଦ୍ଵାରା ଏହି ରଥଯାତ୍ରା ସମ୍ପନ୍ନ ହୋଇଥାଏ । ଏହି ରଥଯାତ୍ରା ନିମିତ୍ତ ଗୋଟିଏ ସାତହାତ ଉଚ୍ଚତା ବିଶିଷ୍ଟ କ୍ଷୁଦ୍ର ରଥ ନିର୍ମାଣ ହୋଇ ବୈଦିକ ବିଧିରେ ପ୍ରତିଷ୍ଠା ହୋଇଥାଏ । ଏହି ଗୁପ୍ତ ରଥଯାତ୍ରାର ଉଦ୍ଦେଶ୍ୟ ହେଉଛି ନ୍ୟାସ ଦାରୁଙ୍କୁ ସାତଥର ମନ୍ଦିର ପ୍ରଦକ୍ଷିଣ କରାଇବା । କେତେକ ଗବେଷକ ଏହି ଗୁପ୍ତ ରଥଯାତ୍ରା ଚତୁର୍ଦ୍ଦଶୀ ରାତ୍ରିରେ ହେବା କଥା ଉଲ୍ଲେଖ କରିଥଲେ ହେଁ ବରିଷ୍ଠ ଦଇତାପତିଙ୍କଠାରୁ ଜଣାଯାଏ ଏହି ରଥଯାତ୍ରା ଦ୍ଵାଦଶୀ ରାତିରେ ଗୁପ୍ତରେ କରାଯାଏ । କେହି କେହି ଗବେଷକ ଏହି ରଥଯାତ୍ରାରେ ନ୍ୟାସ ଦାରୁଙ୍କ ସହିତ ମାଧବ ଓ କଳେବର ନୃସିଂହ ରଥାରୋହଣ କରିଥାନ୍ତି । କିନ୍ତୁ ଶ୍ରୀଅଙ୍ଗ ସେବକ ଦଇତାଙ୍କ ମତରେ ଏହି ରଥଯାତ୍ରାରେ କେବଳ ନ୍ୟାସଦାରୁଙ୍କୁ ରଥାରୂଢ କରାଯାଇ ରଥକୁ ସାତଥର ମନ୍ଦିର ପ୍ରଦକ୍ଷିଣ କରାଯାଏ । ଚତୁର୍ଦ୍ଦଶୀ ସନ୍ଧ୍ୟା ପୂର୍ବରୁ ଶ୍ରୀମନ୍ଦିରକୁ ଶୋଧ (ଜନଶୂନ୍ୟ) କରାଯାଇ ଚାରିଦ୍ଵାର ବନ୍ଦ କରିଦିଆଯାଏ । ଶ୍ରୀମନ୍ଦିର ପରିସରରେ ଅବା ସକଳ ମନ୍ଦିରର ଦାୟିତ୍ଵ ଦଇତାମାନେ ହିଁ ନେଇଥାନ୍ତି । ବରିଷ୍ଠ ଓ ଅଭିଜ୍ଞ ଦଇତାଙ୍କ ବ୍ୟତୀତ ଅନ୍ୟକେହି ଶ୍ରୀମନ୍ଦିର ପରିସରରେ ରହନ୍ତି ନାହିଁ । କେବଳ ଦେଉଳକରଣ ପାଟଖଣ୍ଡା ଧରି ଗୁମୁଟରେ ପତିତପାବନଙ୍କ ସମ୍ମୁଖ ବାରଣ୍ଡାରେ ବସି ରହିଥାନ୍ତି । ଶ୍ରୀମନ୍ଦିର ଚତୁର୍ଦ୍ଦିଗ ଓ ମନ୍ଦିର ପରିସରର ସମସ୍ତ ଆଲୋକ ଲିଭାଇ ଦିଆଯାଏ । ଦଇତାମାନେ ତେଲଦୀପ ଓ ମଶାଲ ଧରି ଅତ୍ୟନ୍ତ ଗୋପନୀୟ ବ୍ରହ୍ମ ସଂସ୍ଥାପନ କାର୍ଯ୍ୟ ସମ୍ପନ୍ନ କରିଥାନ୍ତି । ଏହା ପୂର୍ବରୁ ସେମାନେ ଶ୍ରୀମନ୍ଦିର ପରିସରରେ କେହି ଅଛନ୍ତି କି ନାହିଁ ପରଖି ନିଅନ୍ତି । ଏହାପରେ ଦଇତାମାନେ ନବନିର୍ମିତ ବିଗ୍ରହଙ୍କୁ ଗୋଟି ପହଣ୍ଡିରେ ଆଣି ଅଣସର ଘରେ ବିଜେ କରାନ୍ତି । ପୂର୍ବରୁ ଅଣସରପିଣ୍ଡିରେ ବିଜେ କରିଥବା ପୁରାତନ ବିଗ୍ରହମାନଙ୍କ ନିକଟରେ ନବନିର୍ମିତ ବିଗ୍ରହମାନଙ୍କୁ ବିଜେ କରାଯାଏ । ଏହି ପହଣ୍ଡି ସମୟରେ ବାଦ୍ୟ, ଘଣ୍ଟାଘଣ୍ଟା ବା କାହାଳୀ ପ୍ରଭୃତି ବଜାଯାଏ ନାହିଁ । ଘଟ ପରିବର୍ଭନ କରିବାକୁ ଚାରିଜଣ ବରିଷ୍ଠ ଓ ଅଭିଜ୍ଞ ଦଇତାପତି ମନୋନୀତ ହୋଇ ଥାଆନ୍ତି । ଜଗନ୍ନାଥଙ୍କ ବ୍ରହ୍ମ ପରିବର୍ଭନ ନିମିତ୍ତ ସ୍ଵାଇଁ ମହାପାତ୍ର, ବଳଭଦ୍ର ଓ ସୁଭଦ୍ରାଙ୍କ ବ୍ରହ୍ମ ପରିବର୍ଭନ ନିମିତ୍ତ ଦୁଇଜଣ ଦାସ ମହାପାତ୍ର ଓ ସୁଦର୍ଶନଙ୍କ ବ୍ରହ୍ମ ପରିବର୍ଭନ ନିମିତ୍ତ ପତିମହାପାତ୍ର ମନୋନୀତ ହୋଇଥାନ୍ତି । ଏହି ଚାରିଜଣ ନିଷ୍ଠାପର ସେବକଙ୍କ ଆଖି ଓ ହାତରେ ସାତପ୍ରସ୍ତ ଲେଖାଏଁ ପାଟକନାଗୁଡାଇ ଦିଆଯାଏ, ଯେପରି ସେମାନେ କିଛି ଦେଖୁପାରିବେ ନାହିଁ ବା ସ୍ପର୍ଶାନୁଭବ କରିପାରିବେ ନାହିଁ । ଏହାଦ୍ବାରା ସେମାନେ ପୁରାତନ ବିଗ୍ରହମାନଙ୍କ ବ୍ରହ୍ମସ୍ଥଳୀରୁ ବ୍ରହ୍ମଙ୍କୁ ବାହାର କରି ନବନିର୍ମିତ ବିଗ୍ରହମାନଙ୍କ ବ୍ରହ୍ମସ୍ଥଳୀରେ ସ୍ଥାପନ କଲେ ହେଁ ବ୍ରହ୍ନ କି ପ୍ରକାର ବସ୍ତୁ ଜାଣିପାରନ୍ତି ନାହିଁ । [୧୨]

ପାତାଳି ଲୀଳା[ସମ୍ପାଦନା]

ଦଇତାପତିମାନେ ପୁରୁଣା ବିଗ୍ରହମାନଙ୍କୁ ଶଗଡ଼ ଗାଡ଼ିରେ ଦକ୍ଷିଣଦ୍ଵାର ଦେଇ କୋଇଲି ବୈକୁଣ୍ଠକୁ ସ୍ଥାନାନ୍ତର କରନ୍ତି । ସେଠାରେ ଥିବା ଶାଳ୍ମକୀ ବା ଶିଆଳି ଲତାର ନିମ୍ନ ଦେଶରେ ଗୋଟିଏ ପଥର ନିର୍ମିତ ଗୋଲକ ଗୃହ ପରିସ୍କୃତ ହୋଇ ଥାଏ । ସେଥିରେ ରକ୍ତବର୍ଣ୍ଣ ବସ୍ତ୍ର ଆଚ୍ଛାଦିତ ହୋଇ ତିନୋଟି ଶଯ୍ୟା ପ୍ରସ୍ତୁତ କରାଯାଇଥାଏ । ସେଠାରେ ପୁରୁଣା ବିଗ୍ରହମାନଙ୍କୁ ଶୁଆଇ ଦିଆଯାଏ ଓ କର୍ପୁର ଚନ୍ଦନ ଆଦି ଦେଇ ପାଟ ବସ୍ତ୍ର ଘୋଡ଼ାଇ ଗାତକୁ ବନ୍ଦ କରାଯାଏ । ଏହି ବିଗ୍ରହଙ୍କ ସଙ୍ଗରେ ମାଧବ, ଆଗରୁ ରଥରେ ବ୍ୟବହୃତ ହୋଇଥିବା ରଥର ସାରଥି, ଘୋଡ଼ା, ପାର୍ଶ୍ଵଦେବତା, ଶୁଆ, ଦ୍ଵାରପାଳ, ଧ୍ଵଜାଦଣ୍ଡ ଓ ମହାପ୍ରଭୁଙ୍କର ଖଟଶେଜ ଆଦିକୁ ମଧ୍ୟ ସମାଧିସ୍ଥ କରାଯାଏ । ଏହି ଗୁପ୍ତ ବିସର୍ଜନକୁ ପାତାଳି ଲୀଳା କୁହାଯାଏ ।


ଲୌକିକ ଶୁଦ୍ଧିକ୍ରିୟା[ସମ୍ପାଦନା]

ଦଇତା ସେବକ ମାନେ ପରିବାର ସହ ଶୁଦ୍ଧି କ୍ରିୟା ପାଳନ କରନ୍ତି । ଦଇତାପତିମାନେ ବ୍ରହ୍ମ ପରିବର୍ତ୍ତନ ପରେ ମୁକ୍ତି ମଣ୍ଡପ ତଳେ ବସି ତେଲ ଲଗାଇ ପଶ୍ଚିମ ଦ୍ଵାର ଦେଇ ମାର୍କଣ୍ଡେୟ ପୁଷ୍କରଣୀକୁ ଯାତ୍ରା କରି ପୁରାତନ ବିଗ୍ରହଙ୍କ ଶୁଦ୍ଧି ସ୍ନାନ କରନ୍ତି । ବ୍ରହ୍ମ ପରିବର୍ତ୍ତନର ଦଶମ ଦିନରେ ଦଇତାପତି ମାନେ ଦଶାହ ପାଳନ କରନ୍ତି । ଦଶାହ ଦିନ ମାର୍କଣ୍ଡେୟ ପୁଷ୍କରଣୀରେ ସ୍ନାନ ପୂର୍ବରୁ କ୍ଷୁର ତଥା ଲଣ୍ଡା ହୋଇଥାନ୍ତି । ସ୍ନାନ ପରେ ନୂତନ ବସ୍ତ୍ର ପରିଧାନ କରି ସିଂହଦ୍ଵାରଠାରେ ହଳଦିପାଣିରେ ଗୋଡ଼ ଧୋଇ ଶ୍ରୀମନ୍ଦିରରେ ପ୍ରବେଶ କରନ୍ତି ।

ସପ୍ତାବରଣ[ସମ୍ପାଦନା]

ବ୍ରହ୍ମ ସଂସ୍ଥାପନ ପରେ ଆରମ୍ଭ ହୁଏ ମହାଅଣସର । ଏହି ସମୟରେ ଅଣସର ପିଣ୍ଡିରେ ଦୀର୍ଘ ଏକମାସବ୍ୟାପୀ ପତିମହାପାତ୍ର ଓ ଦଇତାମାନେ ଗୋପନୀୟ ଭାବେ ନୂତନ ବିଗ୍ରହମାନଙ୍କର ସପ୍ତାବରଣ କାର୍ଯ୍ୟ କରିଥାନ୍ତି ।

ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ: ପ୍ରାୟ ୫୮ ଦିନର ବ୍ୟବଧାନ ପରେ, ଆଷାଢ଼ ଶୁକ୍ଳ ପ୍ରତିପଦରେ ଭକ୍ତମାନେ ଠାକୁରଙ୍କ ନବଯୌବନ ରୂପ ଦର୍ଶନ କରନ୍ତି । ନେତ୍ରୋତ୍ସବରେ ଶୁକ୍ଳ ଦ୍ୱିତୀୟା ତିଥିରେ ଆରମ୍ଭ ହୁଏ ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ।

ଇତିହାସ[ସମ୍ପାଦନା]

ନବକଳେବରରେ ଦାରୁ ମିଳିଥିବା ସ୍ଥାନମାନଙ୍କର ଠିକଣା:[୧୩]

୨୦୧୫ ମସିହା ନବକଳେବର[ସମ୍ପାଦନା]

୧୯୯୬ ମସିହା ନବକଳେବର[ସମ୍ପାଦନା]

  • ସୁଦର୍ଶନଙ୍କ ଦାରୁ: ନିଆଳି-ମାଧବ ଗ୍ରାମ ନିକଟସ୍ଥ ପନିମାଳ ଗ୍ରାମ, ନିଆଳି, କଟକ ଜିଲ୍ଲା
  • ବଳଭଦ୍ରଙ୍କ ଦାରୁ: ସାଲେପୁର-ପାଗାହାଟ ଅନ୍ତର୍ଗତ ରାମକୃଷ୍ଣପୁର ଗ୍ରାମ, ସାଲେପୁର, କଟକ ଜିଲ୍ଲା
  • ସୁଭଦ୍ରାଙ୍କ ଦାରୁ: କାକଟପୁର ଠାରୁ ପ୍ରାୟ ୮ କି.ମି. ଦୂର ଅସ୍ତରଙ୍ଗ ନିକଟସ୍ଥ ମାଳଦା ଗ୍ରାମ,ପୁରୀ ଜିଲ୍ଲା
  • ଜଗନ୍ନାଥଙ୍କ ଦାରୁ:ଖୋର୍ଦ୍ଧା ନିକଟସ୍ଥ ଦଧିମାଛ ଗାଡ଼ିଆ ଗ୍ରାମ, ଖୋର୍ଦ୍ଧା ଜିଲ୍ଲା

୧୯୭୭ ମସିହା ନବକଳେବର[ସମ୍ପାଦନା]

  • ସୁଦର୍ଶନଙ୍କ ଦାରୁ: ସିଂହସାହି ଗ୍ରାମ (ନିଆଳି ନିକଟସ୍ଥ), କଟକ ଜିଲ୍ଲା
  • ବଳଭଦ୍ରଙ୍କ ଦାରୁ: ଭୋଗେଶ୍ୱର ଗ୍ରାମ (ଅଡ଼ସପୁର ନିକଟସ୍ଥ), ଗୋବିନ୍ଦପୁର ଥାନା, କଟକ ଜିଲ୍ଲା
  • ସୁଭଦ୍ରାଙ୍କ ଦାରୁ: ବେରବୋଇ ଗ୍ରାମ (ଡେଲାଙ୍ଗ ନିକଟସ୍ଥ),ପୁରୀ ଜିଲ୍ଲା
  • ଜଗନ୍ନାଥଙ୍କ ଦାରୁ: ରାୟଚକ୍ରଧରପୁର ଗ୍ରାମ (ସାକ୍ଷୀଗୋପାଳ ନିକଟସ୍ଥ), ସତ୍ୟବାଦୀ ଥାନା, ପୁରୀ ଜିଲ୍ଲା

୧୯୬୯ ମସିହା ନବକଳେବର[ସମ୍ପାଦନା]

୧୯୫୦ ମସିହା ନବକଳେବର[ସମ୍ପାଦନା]

୧୯୩୧ ମସିହା ନବକଳେବର[ସମ୍ପାଦନା]

୧୯୧୨ ମସିହା ନବକଳେବର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "The Hindu : NATIONAL / OTHER STATES : Finalise mobility plan for Nabakalebar, officials told". thehindu.com. 2012. Retrieved 4 January 2013. Nabakalebar -- a unique ritual associated with Lord Jagannath, Lord Balabhadra, and Devi Subhadra in which present idols are replaced with new ones. 
  2. "Puri gearing up for 2015 Nabakalebar". dailypioneer.com. 2011. Retrieved 4 January 2013. Nabakalebar ritual of Lord Jagannath to be held in 2015, 
  3. "BDA to prepare road map for Nabakalebar festival - Times Of India". articles.timesofindia.indiatimes.com. 2012. Retrieved 4 January 2013. more than 10 lakh visitors thronged Puri during 1996 Nabakalebar festival 
  4. "ମାର୍ଚ ୨୯ରୁ ବନଯାଗ ଯାତ୍ରା" (PDF). ସମ୍ବାଦ. Retrieved 13 December 2014. 
  5. url=http://sambadepaper.com/Details.aspx?id=142940&boxid=23817122
  6. "ଏହି ଯାତ୍ରା ବଣରେ କରାଯାଉଥିବାରୁ ଏହାକୁ ବନଯାଗ ଯାତ୍ରା କୁହାଯାଏ". ୧୩ ମେ ୨୦୧୫. http://samajaepaper.com/epaper/svww_index1.php. Retrieved 14 August 2015. 
  7. "Lord Jagannath's Nabakalebara 2015 |". odialive.com. 2013. Retrieved 29 July 2013. It is said the Goddess appears to them in their dreams revealing the location of the holy trees 
  8. ପରବର୍ତ୍ତୀ ସମୟରେ ଏହି ନ‌ଦୀକୁ ପୋତି ଦିଆଯାଇଥିଲା, ଯାହାକି ଏବେ ଶରଧାବାଲି ନାମରେ ନାମିତ
  9. ଭକ୍ତ ସାଲବେଗ ଜଣେ ଜବନ ହେଲେ ମଧ୍ୟ ତାଙ୍କର ଜଗନ୍ନାଥ ପ୍ରେମ ଓ ତାଙ୍କର ଜଗନ୍ନାଥ ଭଜନ ତାଙ୍କୁ ଆଜି ସବୁ ଜଗନ୍ନାଥ ପ୍ରମୀଙ୍କ ନିକଟରେ ଅମର କରି ରଖିଛି
  10. Satpathy, Nihar Ranjan. "Lucknow Oriya Samaj - Article : Nabakalebar :- When God acquires a new body". lucknoworiyasamaj.com. Retrieved 7 February 2013. during the period of about 21 days during which the sculptors complete the work 
  11. ମହାନ୍ତି, ଅସିତ. "ନବକଳେବର: ବିଗ୍ରହ ନିର୍ମାଣର ବିଭିନ୍ନ ଉପକରଣ". ଆମ ଓଡ଼ିଶା. 
  12. ମିଶ୍ର, ପଣ୍ଡିତ ଅନ୍ତର୍ଯ୍ୟାମୀ. "ନବ ନିର୍ମିତ ବିଗ୍ରହରେ ବ୍ରହ୍ମ ସଂସ୍ଥାପନ" (PDF). ଉତ୍କଳ ପ୍ରସଙ୍ଗ (ଜୁଲାଇ ୨୦୧୫): ୩୦–୩୪. Retrieved 11 September 2015. 
  13. "କାଳର ସ୍ରୋତରେ କାଳିଆ ଠିକଣା". ନବକଳେବର (in ଓଡ଼ିଆ) (ଦ୍ଵିତୀୟ, ୨୦୦୯ ed.). ପ୍ରଜ୍ଞାଲୋକ. p. ୯୬. ISBN ୮୧-୮୯୮୫୮-୦୬-୮. 

ଅଧିକ ତଥ୍ୟ[ସମ୍ପାଦନା]