ଗଜପତି ମହାରାଜା

ଉଇକିପିଡ଼ିଆ‌ରୁ
ଗଜପତି ମହାରାଜା ଦିବ୍ୟସିଂହ ଦେବ

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରଧାନ ସେବକ ଭାବେ ଗଜପତି ମହାରାଜାଙ୍କର ସେବା ହେଉଛି ବଂଶାନୁକ୍ରମିକ । ଏହା ଏକା ଏକା ସେବା ସେବା, ଗୋଷ୍ଠୀ ସେବା ନୁହେଁ । ଶ୍ରୀଜଗନ୍ନାଥ ମନ୍ଦିର ସ୍ୱତ୍ୱଲିପିରେ ଏହିସେବାକୁ ଗଜପତି ମହାରାଜା ସେବା ଭାବରେ ଉଲ୍ଲେଖ କରାଯାଇଛି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରଥମ ସେବକ ଭାବେ ଗଜପତି ମହାରାଜା ପ୍ରତ୍ୟହ ଶ୍ରୀମନ୍ଦିରରୁ ଖେଇ ସ୍ୱରୂପ ମହାପ୍ରସାଦ ପାଇଥାନ୍ତି । ପ୍ରତିଦିନ ମହାପ୍ରଭୁ (ଜଗନ୍ନାଥ) ବାଡ଼ପହୁଡ଼ ସମୟର ମାଳଚୂଳ, ପଇଡ଼ ଇତ୍ୟାଦି ଏବଂ ମଙ୍ଗଳ ଆଳତି ପ୍ରସାଦ ଚର୍ଚ୍ଚା କର୍ମଚାରୀ ଶ୍ରୀନଅରକୁ ନେଇଥାନ୍ତି । ମହାପ୍ରଭୁଙ୍କ ଅବକାଶ ନୀତି ଜଳ ପ୍ରତିଦିନ ମୂଖପ୍ରଖାଳ ପ୍ରତିହାରୀ ଶ୍ରୀନଅରରେ ଦିଅନ୍ତି । ବଡୁ ମହାପାତ୍ର ପ୍ରତ୍ୟେକ ଧୂପରେ, ପର୍ବପର୍ବାଣି ଦିନମାନଙ୍କରେ ଶ୍ରାଦ୍ଧ ଓ ସ୍ୱନକ୍ଷତ୍ର ଦିବସରେ ଶ୍ରୀମନ୍ଦିରରୁ ଶ୍ରୀନଅରକୁ ତାଟ ଦିଅନ୍ତି । ମହାରାଣୀ ଓ ଜେନାମଣି ଖେଇ ସ୍ୱରୂପ ମହାପ୍ରସାଦ ପାଇଥାନ୍ତି । ଗଜପତି ମହାରାଜା, ମହାରାଣୀ ଏବଂ ଜେନାମଣିଙ୍କ ସ୍ୱନକ୍ଷତ୍ରରେ ଶ୍ରୀମନ୍ଦିରରେ ଅଧିକ ଭୋଗ ହୋଇ ଶ୍ରୀନଅରକୁ ତାଟ ଯାଏ । ପ୍ରତି ଏକାଦଶୀ ତିଥି ନିଶାର୍ଦ୍ଧରେ ଗଜପତିଙ୍କ ଶୁଭକାମନା କରି ଶ୍ରୀମନ୍ଦିର ନୀଳଚକ୍ରଠାରେ ମହାଦୀପ ଉଠେ । [୧]

ସୁନିଆଁ[ସମ୍ପାଦନା]

ଉତ୍କଳୀୟ ସଂସ୍କୃତି ଓ ସାମାଜିକ ଜୀବନରେ ଗଜପତିଙ୍କ ନାମରେ ଆରମ୍ଭ ହୁଏ ନବବର୍ଷ । ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥିରେ ସୁନିଆ ଦିନ ଆରମ୍ଭ ହୁଏ ଗଜପତିଙ୍କ ନୂତନ ଅଙ୍କ । ତେଣୁ ସୁନିଆକୁ ଉତ୍କଳୀୟ ନବବର୍ଷ ବୋଲି ଧରାଯାଏ । ଓଡ଼ିଆ ପାଇ ଓ ଜାତକରେ ବର୍ଷ, ମାସ, ତାରିଖ, ତିଥି ଓ ନକ୍ଷତ୍ର ଉଲ୍ଲେଖ ହୁଏ । ସୁନିଆ ଦିନଠାରୁ ଗଜପତି ମହାରାଜାଙ୍କ ଗାଦିନାସୀନ ବର୍ଷର ଗଣନା ହୋଇଥାଏ । ସୁନିଆ ଦିନ ଷୋଳଶାସନରୁ ବ୍ରାହ୍ମଣମାନେ ଶ୍ରୀନଅରକୁ ଆସି ଗୋଟିଏ ଲେଖାଏଁ ନଡ଼ିଆ ଗଜପତିଙ୍କୁ ଭେଟିଦେଇ ମହାରାଜାଙ୍କୁ ଆଶିର୍ବାଦ କରିଥାନ୍ତି । କରଣସାମନ୍ତମାନେ ମଧ୍ୟ ଶ୍ରୀନଅରକୁ ଆସି ଗଜପତି ମହାରାଜାଙ୍କୁ ଭେଟିଦେଇଥାନ୍ତି । ସମସ୍ତଙ୍କୁ ଶ୍ରୀନଅରରେ ମହାପ୍ରସାଦ ସେବନରେ ଆପ୍ୟାୟିତ କରାଯାଏ । ସୁନିଆ ଦିନ ଗଜପତି ମହାରାଜା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି କନକ ଭେଟି ଅର୍ପଣ କରିବାର ପ୍ରଥା ଅଛି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଗଜପତି ପୁରୁଣା ନଅର ସ୍ଥଳକୁ ଯାଇ ଶ୍ୟାମାକାଳୀ ଓ ଅଷ୍ଟଶମ୍ଭୁଙ୍କୁ ଦର୍ଶନକରି ଶ୍ରୀନଅର ପ୍ରତ୍ୟାବର୍ତ୍ତନ କରିଥାନ୍ତି । ସୁନିଆ ଦିନ ସ୍ୱର୍ଣ୍ଣମୁଦ୍ରାରେ ଗଜପତି ମହାରାଜାଙ୍କ ନୂତନ ଅଙ୍କ କଟାଯାଇ ସେହିଦିନଠାରୁ ନୂତନ ଅଙ୍କର ଗଣନା ଆରମ୍ଭ ହୁଏ । [୨]

ସେବା ଓ ବିଧିବିଧାନ[ସମ୍ପାଦନା]

ମହାପ୍ରଭୁଙ୍କ ସେବା କିମ୍ବା ଦର୍ଶନ ପାଇଁ ଗଜପତି ମହାରାଜା ଶ୍ରୀମନ୍ଦିରକୁ ଗଲେ କେତେକ ବିଶେଷ ବିଧିବିଧାନ ପାଳନ କରାଯାଇଥାଏ । ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ସେବା ପାଇଁ ଯିବାକୁ ହେଲେ ଗଜପତି ମହାରଜା ଶ୍ରୀନଅରରୁ ତାମଯାନରେ ବିଜେକରି କଳାଛତି, ଧଳାଛତି, ବାଦ୍ୟବାଜଣା ସହ ପଟୁଆରରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖକୁ ଆସିଥାନ୍ତି । ତାମଜାନ ଅରୁଣ ସ୍ତମ୍ଭ ପାଖରେ ରୁହେ ।ଗଜପତି ସେଠାରୁ ଖାଲି ପାଦରେ ଚାଲି ସିଂହଦ୍ୱାର ଗୁମୁଟରେ ପତିତପାବନ ଏବଂ ବାଇଶିପାହାଚରେ କାଶୀ ବିଶ୍ୱନାଥଙ୍କୁ ଦର୍ଶନକରି କୂର୍ମବେଢାରେ ପ୍ରବେଶ କରନ୍ତି । କଳ୍ପବଟ ତଳେ ବଟଗଣେଶ ଏବଂ ବଟମଙ୍ଗଳାଙ୍କୁ ଦର୍ଶନ କରି ସାତପାହାଚ ବାଟେ ନାଟମଣ୍ଡପରେ ପ୍ରବେଶ କରନ୍ତି । ଗରୁଡ଼ସ୍ତମ୍ଭ ପାଖରେ ମହାପ୍ରଭୁଙ୍କୁ ପ୍ରଣାମ କରି ଦର୍ଶନ କରନ୍ତି । ନାଟମଣ୍ଡପରୁ ଜୟବିଜୟ ଦ୍ୱାର ଦେଇ ଜଗମୋହନକୁ ଯାଇ କଳାହାଟ ଦ୍ୱାର ବାଟ ଦେଇ ଗର୍ଭଗୃହ ମଧ୍ୟକୁ ସେବାନୀତି ପାଳନ ପାଇଁ ଯାଇଥାନ୍ତି । ରତ୍ନ ସିଂହାସନ ସମ୍ମୁଖରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରି ଗଜପତି ମହାରାଜା ଦଣ୍ଡ ପ୍ରଣାମ କରନ୍ତି । ପରମ୍ପରା କ୍ରମେ ବିଧି ପୂର୍ବକ କର୍ପୂର ଆଳତି, ଆଲଟ ସେବା, ଚାମର ସେବା, ପୁଷ୍ପାଞ୍ଜଳି, ବନ୍ଦାପନା ଆଦି ନୀତି ସମ୍ପାଦନ କରି ଗଜପତି ରତ୍ନ ସିଂହାସନ ଚତୁଃପାର୍ଶ୍ୱ ସମାର୍ଜନ କରି ରାଜନୀତି ପାଳନ କରନ୍ତି । ଗଜପତି ମହାରାଜା ସେବା ନୀତି ପାଳନ କରିଥିବା ସମୟରେ ଜୟବିଜୟ ଦ୍ୱାର ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପ୍ରବେଶ ନିଷେଧ ଥାଏ । ସେବା ନୀତି ସମାପନ କରି ଗଜପତି ଜଗମୋହନରେ ଭଣ୍ଡାର ଲୋକନାଥଙ୍କୁ ଦର୍ଶନ ପରେ ବେହେରଣ ଦ୍ୱାର ଦେଇ ମନ୍ଦିର ବାହାରକୁ ଆସି ଦକ୍ଷିଣ ଘରେ ବିଜେ ପ୍ରତିମାଙ୍କୁ ଏବଂ ନୃସିଂହ ମନ୍ଦିର ନୃସିଂହଙ୍କୁ ପ୍ରଣାମ କରି ମୁକ୍ତିମଣ୍ଡପ ପଣ୍ଡିତମାନଙ୍କ ଆଶିର୍ବାଦ ଗ୍ରହଣ କରନ୍ତି । ତା ପରେ ବିମଳା , ସରସ୍ୱତୀ, ଭୁବନେଶ୍ୱରୀ ଏବଂ ମହାଲକ୍ଷ୍ମୀଙ୍କୁ ଦର୍ଶନ କରି ଶ୍ରୀନଅରକୁ ତାମଯାନରେ ଫେରି ଆସନ୍ତି ।

ନୀତି[ସମ୍ପାଦନା]

  • ଗଜପତି ମହାରାଜା ସେବାରେ ଉଲ୍ଲେଖ ଥିବା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଓ ମର୍ଯ୍ୟାଦାଜନକ ସେବା ହେଉଛି ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଜନତାଙ୍କ ସମ୍ମୁଖରେ ତିନିରଥ ଉପରେ ଗଜପତି ମହାରାଜାଙ୍କ ଛେରାପହଁରା ସେବା । ସ୍ୱତ୍ୱଲିପି ଅନୁସାରେ ଶ୍ରୀଗୁଣ୍ଡିଚା ଯାତ୍ରା ଏବଂ ବାହୁଡ଼ାଯାତ୍ରାରେ ଶ୍ରୀଜୀଉମାନେ ରଥଉପରେ ବିଜେ ହେବା ପରେ ଗଜପତି ମହାରାଜା ଶ୍ରୀନଅରରୁ ପଟୁଆରରେ ଆସି ଛେରାପହଁରା କରନ୍ତି ।[୩]
  • ଚନ୍ଦନ ଯାତ୍ରାରେ ଚାପ ଉପରେ ପ୍ରଥମ ଦିନ ଓ ଶେଷଦିନ, ଦେବ ସ୍ନାନ ପୂର୍ଣ୍ଣିମାଦିନ ସ୍ନାନ ବେଦି ଉପରେ ଏବଂ ଦୋଳ ପୂର୍ଣ୍ଣିମାଦିନ ଦୋଳବେଦିରେ ଛେରାପହଁରା କରିବା ଏକ ପ୍ରାଚୀନ ପରମ୍ପରା । ଛେରାପହଁରା ସେବା ସୂଚିତ କରାଏ ଯେ ମହାପ୍ରଭୁଙ୍କ ସମକ୍ଷରେ ସମସ୍ତେ ସମାନ ।
  • ବାହୁଡ଼ାଯାତ୍ରାରେ ଲକ୍ଷ୍ମୀନାରାୟଣ ଭେଟରେ ଶ୍ରୀନଅର ଦୁଆରେ ଗଜପତି ମହାରାଜା ବନ୍ଦାପନା ନୀତି ପାଳନ କରି ଲକ୍ଷ୍ମୀ ଠାକୁରାଣୀଙ୍କୁ ନିଜ ହାତରେ ବିଜେ କରାଇ ଜଗନ୍ନାଥଙ୍କ ସହିତ ଭେଟ କରନ୍ତି ।
  • ନବକଳେବର ସକାଶେ ଦାରୁ ଅନ୍ୱେଷଣକାରୀ ବନଯାଗ ଯାତ୍ରୀ ଦଳଙ୍କୁ (ଦଇତା ଓ ବ୍ରାହ୍ମଣମାନଙ୍କୁ) ଗୁଆଟେକା ନୀତି ସମାପନ କରନ୍ତି ।
  • ଆଶ୍ୱିନ ମାସରେ ବିମଳା ମନ୍ଦିର ଓ ଅନ୍ୟ ଦେବଦେବୀ ପର୍ବନୀତି ପାଳନ ପାଇଁ ବ୍ରାହ୍ମଣମାଙ୍କୁ ବରଣ କରନ୍ତି ।
  • ଚମ୍ପକ ଦ୍ୱାଦଶୀ ଦିନ ପ୍ରଭୁ ଏବଂ ଦେବୀ ରୁକ୍ମିଣୀଙ୍କୁ ଶ୍ରୀନଅର ଭିତରକୁ ପାଛୋଟି ନେଇ ରାଜନୀତି ପାଳନ କରନ୍ତି ।
  • ଅଣସର ବେଳେ ଶ୍ରୀନଅରକୁ ରାଜପ୍ରସାଦ ଖଡ଼ିପ୍ରସାଦ ବିଜେ ହେଲେ ସମ୍ପୃକ୍ତ ସେବକଙ୍କୁ ଶାଢ଼ୀ ବାନ୍ଧନ୍ତି ।
  • ନୂତନ ଦାରୁବିଗ୍ରହ ଗଠନ ଉଦ୍ଦେଶ୍ୟରେ ହେଉଥିବା ନୀତି ସମ୍ପୃକ୍ତ ଯଜ୍ଞରେ ପୂର୍ଣ୍ଣାହୁତି ଦିଅନ୍ତି ।

ଏହି ସବୁ ନୀତି ବ୍ୟତିତ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ବିଭିନ୍ନ ପର୍ବପର୍ବାଣିମାନଙ୍କରେ ଡୋରଲାଗି, ପୁଷ୍ପାଞ୍ଜଳି ଆଦି କେତେକ ନୀତି ରାଜନୀତି ଭାବରେ ପାଳିତ ହୁଏ । ଗଜପତିଙ୍କ ଅନୁପସ୍ଥିତରେ ତାଙ୍କର ପ୍ରତିନିଧି ରୂପେ ମୁଦିରସ୍ତ ଏବେ ଏହିସବୁ ରାଜନୀତି ପାଳନ କରୁଛନ୍ତି।

  • ଗହଣ ବିଜେ : ମହାପ୍ରଭୁଙ୍କ ଦର୍ଶନ ପାଇଁ ମହାରଣୀ ଶ୍ରୀମନ୍ଦିରକୁ ବିଜେ କଲେ ତାହାକୁ ଗହଣ ବିଜେ କୁହାଯାଏ ।

ନାମ କରଣ[ସମ୍ପାଦନା]

ଗଜପତି ବଂଶ ପରମ୍ପରା କ୍ରମେ ଗଜପତି ମହାରାଜାଙ୍କ ଜ୍ୟେଷ୍ଠପୁତ୍ର ଉତ୍ତରାଧିକାରୀ ସୂତ୍ରରେ ଗଜପତି ମହାରାଜା ରୂପେ ଗାଦିନସୀନ ହୋଇ ଶ୍ରୀମନ୍ଦିରରେ ଗଜପତି ମହାରାଜା ସେବା କରି ପାରିବେ । ଗଜପତି ମହାରାଜାଙ୍କ କନ୍ୟାସନ୍ତାନ ଗଜପତି ମହାରାଜା ସେବା କରିପାରିବେ ନାହିଁ । ତେଣୁ ମହାରାଜାଙ୍କ ପୁତ୍ର ନଥିଲେ ପୋଷ୍ୟପୁତ୍ର ଗ୍ରହଣ କରିବାକୁ ହୁଏ । ଗଜପତି ମହାରାଜାଙ୍କ ଜ୍ୟେଷ୍ଠପୁତ୍ର ବା ଯେଉଁ ପୁତ୍ର ଭବିଷ୍ୟତରେ ଉତ୍ତରାଧିକାରୀ ଭାବେ ରାଜଗାଦିରେ ଅଭିଷିକ୍ତ ହେବାର ଥିବ ତାଙ୍କୁ ଜେନାମଣି ବା ବଡ଼ ଜେନାମଣି ଭାବେ ସମ୍ବୋଧନ କରାଯାଏ । ତାଙ୍କ ସାନଭାଇଙ୍କୁ ଥାଟରାଜା କୁହାଯାଏ । ଉତ୍ତରାଧିକାରୀ ସୂତ୍ରେ ଗଜପତି ମହାରାଜା ଗାଦିନସୀନ ବା ଅଭିଷେକ, ତା ପରେ ବ୍ରତୋପୟନ ଏବଂ ଶାଢ଼ୀବନ୍ଧା ପର୍ବ ସମାପନ ପରେ ସେ 'ଗଜପତି ମହାରାଜା ସେବା' କରିପାରିବେ । 'ଶାଢ଼ୀବନ୍ଧା' ପ୍ରଥା ହେଉଛି ଶ୍ରୀମନ୍ଦିରରେ ସେବାନିର୍ବାହ କରିବା ପାଇଁ ମହାପ୍ରଭୁଙ୍କ ଆଜ୍ଞାପ୍ରଦାନ । ଗଜପତି ମହାରାଜା ରୂପେ ଅଭିଷିକ୍ତ ହେବା ପୂର୍ବରୁ ଜେନାମଣିଙ୍କର ଅନ୍ୟ ନାମ ଥାଏ । ବର୍ତ୍ତମାନର ଗଜପତି ମହାରାଜାଙ୍କର ନାମ ଥିଲା ଜେନାମଣି କାମାର୍ଣ୍ଣବ ଦେବ । ଗଜପତି ବଂଶର ପରମ୍ପରା କ୍ରମେ ଗଜପତି ମହାରାଜା ପଦରେ ଅଭିଷିକ୍ତ ହେବା ପରେ କ୍ରମାନୁସାରେ ଚାରୋଟି ନାମରେ ନାମିତ ହୋଇଥାନ୍ତି ।

  1. ଗଜପତି ମୁକୁନ୍ଦଦେବ
  2. ଗଜପତି ରାମଚନ୍ଦ୍ରଦେବ
  3. ଗଜପତି ବୀରକିଶୋରଦେବ
  4. ଗଜପତି ଦିବ୍ୟସିଂହଦେବ

ଭୋଇ ବଂଶ ଗଜପତି ରାଜା (୧୬ଷ ଶତାବ୍ଦୀରୁ ଆଜି ପର୍ଯ୍ୟନ୍ତର ତାଲିକା)[୪][ସମ୍ପାଦନା]

କ୍ରମିକ ନଂ ନାମ ବର୍ଷ
ରାମଚନ୍ଦ୍ର ଦେବ (ଅଭିନବ ଇନ୍ଦ୍ରଦ୍ୟୁମ୍ନ) ୧୫୬୮-୧୬୦୦
ଗଜପତି ପୁରୁଷୋତ୍ତମ ଦେବ ୧୬୦୦-୧୬୨୧
ଗଜପତି ନରସିଂହ ଦେବ ୧୬୨୧-୧୬୪୭
ଗଜପତି ବଳଭଦ୍ର ଦେବ ୧୬୪୭-୧୬୫୭
ଗଜପତି ମୁକୁନ୍ଦ ଦେବ (୧ମ) ୧୬୫୭-୧୬୮୯
ଗଜପତି ଦିବ୍ୟସିଂହ ଦେବ (୧ମ) ୧୬୮୯-୧୭୧୬
ଗଜପତି ହରେକୃଷ୍ଣ ଦେବ ୧୭୧୬-୧୭୨୦
ଗଜପତି ଗୋପୀନାଥ ଦେବ ୧୭୨୦-୧୭୨୭
ଗଜପତି ରାମଚନ୍ଦ୍ର ଦେବ ୧୭୨୭-୧୭୩୬
୧୦ ବିକ୍ରମକେଶରୀ ଦେବ (୧ମ) ୧୭୩୬-୧୭୯୩
୧୧ ଗଜପତି ଦିବ୍ୟସିଂହ ଦେବ (୨ୟ) ୧୭୯୩-୧୭୯୮
୧୨ ଗଜପତି ମୁକୁନ୍ଦ ଦେବ (୨ୟ) ୧୭୯୮-୧୮୧୭
୧୩ ଗଜପତି ରାମଚନ୍ଦ୍ର ଦେବ (୩ୟ) ୧୮୧୭-୧୮୫୪
୧୪ ଗଜପତି ବୀରକେଶୋରୀ ଦେବ (୨ୟ) ୧୮୫୪-୧୮୫୯
୧୫ ଗଜପତି ଦିବ୍ୟସିଂହ ଦେବ (୩ୟ) ୧୮୫୯-୧୮୮୨
୧୬ ଗଜପତି ମୁକୁନ୍ଦ ଦେବ (୩ୟ) ୧୮୮୨-୧୪/୨/୧୯୨୬
୧୭ ଗଜପତି ରାମଚନ୍ଦ୍ର ଦେବ (୪ର୍ଥ) ୧୪/୨/୧୯୨୬-୧୫/୧୧/୧୯୫୬
୧୮ ଗଜପତି ବୀରକିଶୋର ଦେବ (୩ୟ) ୧୫/୧୧/୧୯୫୬-୮/୭/୧୯୭୦
୧୯ ଗଜପତି ଦିବ୍ୟସିଂହ ଦେବ (୪ର୍ଥ) ୮/୭/୧୯୭୦-ଆଜି ପର୍ଯ୍ୟନ୍ତ

ଇତିହାସ[ସମ୍ପାଦନା]

ବର୍ତ୍ତମାନର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପିତୃଦେବ ଗଜପତି ବୀରକିଶୋର ଦେବଙ୍କ ଦେହାନ୍ତ ପରେ ତାଙ୍କ ମରଶରୀର ଶ୍ରୀକ୍ଷେତ୍ରରେ ୧୯୭୦ ମସିହା ଜୁଲାଇ ୭ ତାରିଖରେ ପହଞ୍ଚିଥିଲା । ସେଦିନ ଶ୍ରୀକ୍ଷେତ୍ରରେ ଗୁଣ୍ଡିଚାଯାତ୍ରା ଥିଲା । ତିନି ଠାକୁର ପହଣ୍ଡି ବିଜେ କରି ରଥରେ ବିରାଜମାନ କରିଥାନ୍ତି । ବାକିଥାଏ ଗଜପତି ମହାରାଜାଙ୍କର ରଥ ଉପରେ ଛେରାପହଁରା । ସେତେବେଳକୁ ଉତ୍ତରାଧୀକାରୀ ଜେନାମଣି କାମାର୍ଣବ ଦେବ ଗଜପତି ରୂପେ ଅଭିଷିକ୍ତ ହୋଇନଥାନ୍ତି । ତେଣୁ ସେ ବର୍ଷ ଛେରାପହଁରା ନୀତି ମୁଦିରଥ ସମାପନ କରିଥିଲେ ।

ପ୍ରଥା[ସମ୍ପାଦନା]

ଗଜପତି ବଂଶର ପରମ୍ପରା କ୍ରମେ ନୂତନ ରାଜା ରାଜଗାଦିରେ ଯଥାବିଧି ଅଭିଷିକ୍ତ ହେବାପରେ ତାଙ୍କ ଆଦେଶନୁସାରେ ପୂର୍ବତନ ରାଜାଙ୍କ ମର ଶରୀର ସତ୍କାର କରାଯାଇଥାଏ । ଗଜପତି ରାଜଗାଦି କେବେ ଶୂନ୍ୟ ରହେ ନାହିଁ । ପୂର୍ବତନ ମହାରାଜାଙ୍କ ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାର ଶ୍ମଶାନରେ ସତ୍କାର କରାଯାଏ । ସାଧାରଣତଃ ସର୍ବସାଧାରଣଙ୍କ ଶବ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପତିତପାବନଙ୍କୁ ଦର୍ଶନ କରାଇ ସ୍ୱର୍ଗଦ୍ୱାରକୁ ନିଆଯାଇଥାଏ । କିନ୍ତୁ ଗଜପତିଙ୍କ ମରଶରୀର ଶୋଭାଯାତ୍ରା ଶ୍ରୀମନ୍ଦିର ସମ୍ମୁଖରେ ନିଆନଯାଇ ଉତ୍ତର ଦ୍ୱାର, ପଶ୍ଚିମ ଦ୍ୱାର ଓ ଦକ୍ଷିଣ ଦ୍ୱାର ବୁଲାଇ ନିଆଯାଇଥାଏ । ତେବେ ମହାରାଣୀ ବା ରାଜମାତାଙ୍କ ଦେହାନ୍ତ ହେଲେ ତାଙ୍କ ଶବ ଶୋଭାଯାତ୍ରା ଅନ୍ୟ ପ୍ରକାର ହୋଇଥାଏ । ଗଜପତି ମହାରାଜା ମହାପ୍ରଭୁଙ୍କ ଆଦ୍ୟସେବକ ହୋଇଥିବାରୁ ପରମ୍ପରାକ୍ରମେ ନିଜ ଲୋକଙ୍କ ପରଲୋକ ହେଲେ ମଧ୍ୟ ସେ ଶବ ସ୍ପର୍ଶ କରିବା, ମୁଖାଗ୍ନି ଦେବା ଅଥବା ଅଶୌଚ ପାଳନ କରିବା ବାରଣ ଅଛି ।

ଆଧାର[ସମ୍ପାଦନା]

  1. NEELADRI English Special Issue -1999
  2. "Sunia". Orissadiary. Archived from the original on 5 March 2016. Retrieved 18 August 2015.
  3. "Royalty in the service of Lord Jagannath". puridham. Archived from the original on 18 June 2014. Retrieved 18 August 2015.
  4. http://orissa.gov.in/e-magazine/Orissareview/2011/july/engpdf/27-30.pdf

ଅଧିକ ତଥ୍ୟ[ସମ୍ପାଦନା]