ପ୍ରଳମ୍ବାସୁରବଧ ବେଶ

ଉଇକିପିଡ଼ିଆ ରୁ
Jump to navigation Jump to search

ଭାଦ୍ରବ କୃଷ୍ଣ ପକ୍ଷ ଦ୍ୱଦଶୀ ତିଥି ଦିନ ଶ୍ରୀମନ୍ଦିରରେ ଶ୍ରୀବଳଭଦ୍ରଦେବଙ୍କର ପ୍ରଳମ୍ବାସୁରବଧ ବେଶ ଅନୁଷ୍ଠିତ ହୋଇଥାଏ ।[୧] ଉକ୍ତଦିନ ଶ୍ରୀଜୀଉମାନଙ୍କ ମଧ୍ୟାନ୍ନ ଧୂପ ସମାପ୍ତି ପରେ ଏହି ବେଶ ହୋଇଥାଏ । ପ୍ରଳମ୍ବାସୁର ବଧ ବେଶରେ ଜଗନ୍ନାଥସୁଭଦ୍ରା ସାଧାରଣ ବେଶରେ ବିରାଜମାନ କରିଥାନ୍ତି । [୨] କେବଳ ବଳଭଦ୍ରଙ୍କୁ ପ୍ରଳମ୍ବାସୁର ବଧ ବେଶରେ ଭୂଷିତ କରାଯାଏ । ଏକ ବିରାଟକାୟ କାଷ୍ଠ ନିର୍ମିତ ପ୍ରଳମ୍ବାସୁର ମୂର୍ତ୍ତି ରତ୍ନ ସିଂହାସନସ୍ଥ ବଳଭଦ୍ରଙ୍କ ନିମ୍ନଭାଗରେ ସଜାଯାଏ । ସେ ଅସୁରର ସ୍କନ୍ଧ ଏବଂ ଦୁଇ ଭୁଜରେ ବଳଭଦ୍ର ବସିଥିବା ଭଳି ଦୃଶ୍ୟ ଏ ବେଶରୁ ସ୍ପଷ୍ଟ ହୁଏ । ଏହି ବେଶ ଦ୍ୱିପ୍ରହର ଧୂପ ପରେ ଅନୁଷ୍ଠିତ ହୋଇ ସନ୍ଧ୍ୟାଧୂପ ସରିବା ଯାଏଁ ରହିଥାଏ । ମାଦଳା ପାଞ୍ଜି ଅନୁଯାୟୀ ଏହି ବେଶ ରାଜା ଭୋଜଙ୍କ ରାଜତ୍ୱ ସମୟରେ ଆରମ୍ଭ ହୋଇଥିଲା ।[୩]

ପୌରାଣିକ[ସମ୍ପାଦନା]

ପ୍ରଳମ୍ବାସୁର ଆଖ୍ୟାୟିକା ସମ୍ପର୍କରେ ଶ୍ରୀମଦଭାଗବତର ଦଶମ ସ୍କନ୍ଧରେ ବିସ୍ତୃତ ବର୍ଣ୍ଣନା ରହିଅଛି । ଉକ୍ତ ବର୍ଣ୍ଣନା ଅନୁଯାୟୀ ଯମୁନା ନଦୀ କୂଳରେ ଥିବା ପବିତ୍ର ବୃନ୍ଦାବନ ଭୂମି ଶ୍ରୀବଳଭଦ୍ର ଓ ଶ୍ରୀକୃଷ୍ଣଙ୍କର ଗୋପାଳ ବାଳକ, ଗୋଇ ଓ ଗୋବତ୍ସାଙ୍କ ସହିତ ଏକତ୍ର କ୍ରୀଡା ଭୂମି । ସେହି କ୍ରୀଡା କାଳରେ ଏକ ଯୁଦ୍ଧକାଳୀନ ଅଭିନୟ ସେମାନଙ୍କର କ୍ରୀଡାର ବିଷୟବସ୍ତୁ ହୋଇଥିଲା । ଗୋପ ବାଳକଙ୍କ ସମେତ ଶ୍ରୀକୃଷ୍ଣ ଓ ବଳରାମଙ୍କର କ୍ରୀଡା ଦେଖି କଂସର ନିର୍ଦ୍ଦେଶ ମତେ ସେମାନଙ୍କୁ ମାରିବ ବୋଲି ମନେ ମନେ ଭାବି ପ୍ରଳମ୍ବାସୁର ଗୋପାଳ ବାଳକ ବେଶରେ ସେମାନଙ୍କ ସହିତ ଆସି ମିଶିଲା । ଏକଥା କିନ୍ତୁ କୃଷ୍ଣଙ୍କୁ ଅଜଣା ଥିଲା । ସେ ଗୋପାଳ ବାଳକମାନଙ୍କୁ ପ୍ରସ୍ତାବ ଦେଲେ ଯେ ରାଜା ପରଜା ନାକମ ଏକ ଖେଳ ଅଛି,ବର୍ତ୍ତମାନ ଆମେମାନେ ସେହି ଖେଳ ଖେଳିବା । ଏକଥା ଶୁଣି ଗୋପାଳ ବାଳକମାନେ ଆନନ୍ଦ ମନରେ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ରାଜା କରି ଅନ୍ୟ ସମସ୍ତ ଗୋପାଳ ପ୍ରଜା ହେଲେ । ଏହି ଖେଳରେ ବଳ କଷାକଷିର କାର୍ଯ୍ୟରହିଲା । ଯେ ଯୁଦ୍ଧରେ ହାରିବ, ସେ ବିଜେତାକୁ କନ୍ଧରେ ବସାଇ ଭାଣ୍ଡୀର ନାମକ ବଟବୃକ୍ଷ ତଳକୁ ବୋହିନେବ । ତତ୍ପରେ ଛଦ୍ମବେଶୀ ପ୍ରଳମ୍ବାସୁର ସହିତ ବଳରାମଙ୍କର ଯୁଦ୍ଧ ହେଲା । ପ୍ରଳମ୍ବ ଜାଣି ଜାଣି ହାରି, ବଳରାମଙ୍କୁ ସ୍କନ୍ଧରେ ବହନ କରି ନିର୍ଦ୍ଧିଷ୍ଟ ସ୍ଥଳକୁ ଯିବା ପରିବର୍ତ୍ତେ ଦ୍ରୁତ ଗତିରେ ଆକାଶ ମାର୍ଗରେ ଗତିକଲା ବେଳେ ବଳରାମ କଳାମେଘରେ ବିଜୁଳି ସମ ଶୋଭା ପାଇଲେ । ପ୍ରଭୁ ବଳରାମ ମାୟାବୀ ଅସୁରକୁ ଚିହ୍ନି ତାହାର ମୁଣ୍ଡ ଉପରେ ବଜ୍ର ସମ ଏକ ମୁଷ୍ଟି ପ୍ରହାର କଲେ । ତାହାର ମୁଣ୍ଡ ଶତ ଖଣ୍ଡ ହେଲା ଓ ଗୋବର୍ଦ୍ଧନ ନିକଟରେ ତାହାର ମୃତ୍ୟୁ ଘଟିଲା । ସେହି ଘଟଣାର ସ୍ମାରକୀକୁ ଅବଲମ୍ବନ କରି ଶ୍ରୀମନ୍ଦିରରେ ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହୋଇଆସୁଅଛି ।

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]