ଜଗନ୍ନାଥ ମନ୍ଦିର, ଖିଦିରପୁର

ଉଇକିପିଡ଼ିଆ‌ରୁ


ଜଗନ୍ନାଥ ମନ୍ଦିର, ଖିଦିରପୁର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନଖିଦିରପୁର, କଲିକତା
Stateପଶ୍ଚିମ ବଙ୍ଗ
Countryଭାରତ
Website
http://www.jagannathtemplekolkata.org/

କଲିକତା ବନ୍ଦର ଉପକଣ୍ଠ, ଖିଦିରପୁରଠାରେ ଥିବା ଜଗନ୍ନାଥ ମନ୍ଦିରଟି ୨୦୦୨ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ୧୯୬୭ ମସିହାରୁ ଏଠାରେ ବନ୍ଦର ନିର୍ମାଣ କାର୍ଯ୍ୟରେ ବିନିଯୋଗଥିବା ଓଡ଼ିଆ ଶ୍ରମିକମାନଙ୍କଦ୍ୱାରା ଜଗନ୍ନାଥ ପୂଜା ପାଇ ଆସୁଥିଲେ । ମନ୍ଦିରଟି ଆଖପାଖ ଅଞ୍ଚଳରେ ଥିବା ଜଗନ୍ନାଥପ୍ରେମୀ ଭକ୍ତଙ୍କ ପାଇଁ ଆରାଧନା ପୀଠ ଓ କଲିକତାରେ ଥିବା ଓଡ଼ିଆଙ୍କ ପାଇଁ ଏକ ମିଳନସ୍ଥଳି ଭାବରେ ଉଭା ହୋଇଛି ।

ଇତିହାସ[ସମ୍ପାଦନା]

୧୯୬୭ ମସିହା ବେଳକୁ, ଓଡ଼ିଆ ଶ୍ରମିକମାନେ ଖିଦିରପୁରଠାରେ ଏକ ଟିଣ ଘେରା ମନ୍ଦିର ନିର୍ମାଣ କରି ଜଗନ୍ନାଥଙ୍କ କାଗଜର ଛବିଟିଏ ରଖି ପୂଜା କରୁଥିଲେ । ଦିନଯାକର କ୍ଲାନ୍ତି ମେଣ୍ଟାଇବା ପାଇଁ ଜଗନ୍ନାଥଙ୍କ ଭଜନ ଗାନ କରୁଥିଲେ । ପୁରୁଷତ୍ତୋମ ଦାଶ ନାମକ ଜଣେ ବ୍ରାହ୍ମଣ ଏଠାରେ ପୂଜା କରୁଥିଲେ । ଖଇ ଭୋଗ ଲାଗୁଥିଲା । ୧୯୬୮ ମସିହା ବେଳକୁ ଏଠାରେ ରହୁଥିବା ଓଡ଼ିଆମାନେ, ମନ୍ଦିରଟିଏ ନିର୍ମାଣ କରିବାର ସ୍ୱପ୍ନ ଦେଖିଲେ ଓ ୧୯୬୯ ଜାନୁଆରୀ ୨୬ ସୁଦ୍ଧା ମନ୍ଦିର ନିର୍ମାଣ ସାରିବାକୁ ପଣ କଲେ । ଶ୍ରୀଜଗନ୍ନାଥ ସେବା ସମିତି ନାମରେ ଏକ ମଞ୍ଚ ଗଠନ କରାଗଲା । ସମିତିର ସଭ୍ୟମାନେ ଘର ଘର ବୁଲି ମନ୍ଦିର ନିର୍ମାଣ ପାଇଁ ଚାନ୍ଦା ଆଦାୟ କଲେ । ସେତେବେଳର ଜଣେ ବନ୍ଦର ଅଧିକାରୀ ଶ୍ରୀ ଏସ. ରହମନ ମନ୍ଦିର ନିର୍ମାଣ ପାଇଁ ୨୦୦ ମୂଲିଆ ଯୋଗାଇଦେଲେ । ମନ୍ଦିର ନିର୍ମାଣ କାର୍ଯ୍ୟ ୧୯୬୯ ଜାନୁଆରୀ ୨୩ ତାରିଖରେ ସମାପ୍ତ ହେଲା ।

କଲିକତାର ଖିଦିରପୁରଠାରେ ଥିବା ଜଗନ୍ନାଥ ମନ୍ଦିରର ବିଗ୍ରହ

ଏହି ମନ୍ଦିରଟିର ଉଚ୍ଚତା ୨୦ଫୁଟ ଥିଲା ଓ ଦୂଆରଟି ଅନୁଚ୍ଚ ଥିଲା । ଥରେ ଆୟକର କମିଶନର "ପ୍ରସନ୍ନ କୁମାର ଦାସ" ନିଜ ପିତାଙ୍କ ସହ ମନ୍ଦିରକୁ ଆସିଥିଲେ । ଦୂଆରରେ ପିତାଙ୍କର ମୁଣ୍ଡ ବାଜିବାରୁ, ସେ ପୁଅକୁ ମନ୍ଦିରର ଉନ୍ନତି କରିବାକୁ କହିଥିଲେ । ଏହାଥିଲା ମନ୍ଦିର ପୁନର୍ନିମାଣର ପ୍ରଥମ ପ୍ରୟାସ । ବହୁ ଓଡ଼ିଆ ଓ ବଙ୍ଗାଳି ବ୍ୟକ୍ତି ସାହାଯ୍ୟ କରିବାକୁ ଆଗେଇ ଆସିଲେ । ୧୯୯୯ ମସିହା ନଭେମ୍ବର ମାସରେ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା । ଖୋର୍ଦ୍ଧାର ପ୍ରସ୍ତରଶିଳ୍ପୀ ହାଡୁ ମହାରଣାଙ୍କଦ୍ୱାରା ଚତୁର୍ଦ୍ଧା ମୂର୍ତ୍ତୀ ନିର୍ମାଣ କରାଯାଇଥିଲା । ୨୦୦୨ ଜୁନ ୪,୫,୬ତାରିଖରେ ପୁରୀରୁ ଆସିଥିବା ପୂଜକମାନଙ୍କଦ୍ୱାରା ନୂତନ ବିଗ୍ରହମାନଙ୍କୁ ପ୍ରତିଷ୍ଠା କରାଗଲା ।

ପରିଚାଳନା[ସମ୍ପାଦନା]

ମନ୍ଦିର ପରିଚାଳନା ଭାର ଶ୍ରୀଜଗନ୍ନାଥ ସେବା ସମିତି ଉପରେ ନ୍ୟସ୍ତ ରହିଛି । ସମିତି ଅଧିନରେ ୪ଟି ବିଭାଗ ରହିଛି ।

ଉତ୍କଳ[ସମ୍ପାଦନା]

ଏହି ବିଭାଗଟି, ଶ୍ରୀଜଗନ୍ନାଥ ସେବା ସମିତିଦ୍ୱାରା ଅନୁଷ୍ଠିତ ବିଭିନ୍ନ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟର ପରିଚାଳନା ନିମନ୍ତେ ଗଠିତ ।[୧] ରଥଯାତ୍ରା ସମୟରେ ଏମାନେ ୯ଦିନ ବ୍ୟାପି ଓଡ଼ିଶା ଉତ୍ସବ ପାଳନ କରିଥାନ୍ତି ।[୨] ଏଥିରେ ଓଡ଼ିଶା ନୃତ୍ୟ ସଙ୍ଗୀତ[୩] ଖାଦ୍ୟ ଓ ଅନ୍ୟାନ ବିଭବ ପରିବେଷଣ କରାଯାଏ । ଏହି ରଥଯାତ୍ରାରେ ସଲ୍ଟଲେକସ୍ଥିତ ସେଣ୍ଟ୍ରାଲ ପାର୍କରୁ ରଥଟଣା ଆରମ୍ଭ ହୋଇ, ଇ.ଏମ. ବାଇପାସରେ ଥିବା ସ୍ୱଭୂମୀ ପରିସରେ ସମାପ୍ତ ହୋଇଥାଏ ।[୪] ଏହି ଅବସରରେ ଉତ୍କଳ ସମ୍ମାନ ପ୍ରଦାନ କରାଯାଇଥାଏ । ୨୦୧୫ବର୍ଷରେ ଏହି ସମ୍ମାନ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି । ପୂର୍ବବର୍ଷମାନଙ୍କରେ ଏହି ସମ୍ମାନ କେଳୁଚରଣ ମହାପାତ୍ର(୨୦୦୪)[୫] ଆଦିଙ୍କ ପ୍ରଦାନ କରାଯାଇଛି ।

ଉତ୍କର୍ଷ[ସମ୍ପାଦନା]

ଉତ୍କର୍ଷ ଆନୁକୁଲ୍ୟରେ, ଶ୍ରୀଜଗନ୍ନାଥ ସେବା ସମିତି ଗରିବ ଲୋକଙ୍କ ପାଇଁ ମାଗଣା ଖାଦ୍ୟ, ପୋଷାକ ଓ ସ୍ୱାସ୍ଥ୍ୟ ଶିବିର ଆଦି ଆୟୋଜନ କରିଥାଏ ।

ଶ୍ରୀଜଗନ୍ନାଥ ପାଠାଗାର[ସମ୍ପାଦନା]

ମନ୍ଦିର ମଧ୍ୟରେ ଶ୍ରୀଜଗନ୍ନାଥ ପାଠାଗାର ରହିଛି । ଏଠାରେ ୧୦୦୦ରୁ ଅଧିକ ବହି ରହିଛି । ପ୍ରତିବର୍ଷ ଏଠାରୁ ବାଇଶି ପାହାଚ ଏକ ପତ୍ରିକା ମଧ୍ୟ ପ୍ରକାଶନ କରାଯାଏ ।

ଶ୍ରୀଜଗନ୍ନାଥ ପୂଜା କମିଟି[ସମ୍ପାଦନା]

ଜଗନ୍ନାଥଙ୍କ ନିତିଦିନିଆ ପୂଜା, ପର୍ବ ପାଳନ ସହିତ, ମନ୍ଦିରର ଦେଖାରଖା ଏହି କମିଟି ଉପରେ ନ୍ୟସ୍ତ ।

ଆଧାର[ସମ୍ପାଦନା]

  1. http://timescity.com/kolkata/events/odisha-festival/38359
  2. http://www.telegraphindia.com/1140704/jsp/saltlake/story_18577181.jsp#.VcCXW7UwDSg
  3. "ଆର୍କାଇଭ୍ କପି". Archived from the original on 2015-11-08. Retrieved 2015-08-04. {{cite web}}: Cite has empty unknown parameter: |1= (help)
  4. http://events.indialist.com/kolkata/exhibitions-in-kolkata/47119/swabhumi-salt-lake-on-july-16-17.html[permanent dead link]
  5. "ଆର୍କାଇଭ୍ କପି". Archived from the original on 2015-02-26. Retrieved 2015-08-04. {{cite web}}: Cite has empty unknown parameter: |1= (help)