ମଦନମୋହନ

ଉଇକିପିଡ଼ିଆ‌ରୁ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ

ମଦନ ମୋହନ ଶ୍ରୀଜଗନ୍ନାଥଙ୍କ ପ୍ରତିନିଧି ବା ଚଳନ୍ତି ପ୍ରତିମା । ଛଅଫୁଟରୁ ଅଧିକ ଉଚ୍ଚ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ଶ୍ରୀମନ୍ଦିରର ସମସ୍ତ ରୀତିନୀତି ପାଇଁ ସବୁବେଳେ ରତ୍ନସିଂହାସନରୁ ଅପସାରିତ ହୁଅନ୍ତି ନାହିଁ । ସେହିସବୁ ରୀତିନୀତି ଗୁଡ଼ିକରେ ଶ୍ରୀଜଗନ୍ନାଥଙ୍କ ବଦଳରେ ତାଙ୍କ ପ୍ରତିଭୂ ମଦନ ମୋହନ, ଦୋଳଗୋବିନ୍ଦ ଓ ଶ୍ରୀରାମ ଅଂଶଗ୍ରହଣ କରିଥାନ୍ତି । ଜଗନ୍ନାଥଙ୍କ ସମସ୍ତ ଚଳନ୍ତି ପ୍ରତିମାମାନଙ୍କ ମଧ୍ୟରେ ମଦନ ମୋହନ ହିଁ ସର୍ବାଧିକ ରୀତିନୀତିର ମୁଖ୍ୟ ଠାକୁର ଅଟନ୍ତି ।

ଶ୍ରୀଜଗନ୍ନାଥଙ୍କ ପ୍ରତିନିଧି ମଦନ ମୋହନ ଆକୃତିରେ ଶ୍ରୀକୃଷ୍ଣଙ୍କ ଅନୁରୂପ । ଅଷ୍ଟଧାତୁରେ ନିର୍ମିତ ଏକଫୁଟ ଉଚ୍ଚ, ବଂଶୀଧାରୀ ମୂର୍ତ୍ତିଟି ତ୍ରିଭଙ୍ଗୀ ଠାଣୀରେ ଦଣ୍ଡାୟମାନ । ମଦନ ମୋହନଙ୍କ ଦୁଇଫୁଟ ଉଚ୍ଚତା ବିଶିଷ୍ଟ ଆସ୍ଥାନଟି ଆଷ୍ଟଧାତୁରେ ନିର୍ମିତ । ସିଂହାସନଟିରେ ଦୋଳମଣ୍ଡପର କୁଞ୍ଜଭଳି ଗୋଟିଏ କୁଞ୍ଜ ଶୋଭା ପାଉଅଛି । ଏହି କୁଞ୍ଜର ଦୁଇପାର୍ଶ୍ୱରେ ଦୁଇଟି ମଗରମୁଖ, ଶୀର୍ଷରେ ଦୁଇଟି ଶୁଆ ବେଷ୍ଟିତ କଳସ ଏବଂ ସବା ଉପରେ ନିଳଚକ୍ର ଅନୁକୃତିର ଏକ ଚକ୍ର ଶୋଭା ପାଉଅଛି ।

ବର୍ଷସାରା ଶ୍ରୀମନ୍ଦିରର ବିଭିନ୍ନ ରୀତିନୀତି ଗୁଡ଼ିକରେ ମଦନ ମୋହନଙ୍କ ଉପସ୍ଥିତି ଦରକାର ପଡ଼ିଥାଏ, ସେଥିମଧ୍ୟରୁ କେତେକ ମୁଖ୍ୟ ନୀତି ଗୁଡ଼ିକ ହେଲା: ଚନ୍ଦନ ଯାତ୍ରା, ଝୁଲଣ ଯାତ୍ରା, ରାସ ଯାତ୍ରା, ସ୍ୱନକ୍ଷତ୍ର ତିଥି, ପ୍ରତ୍ୟେକ ଏକାଦଶୀ ଏବଂ ପ୍ରତ୍ୟେକ ଗୁରୁବାର । ଉପରୋକ୍ତ ରୀତିନୀତିରୁ ପ୍ରଥମ ତିନୋଟି ବାର୍ଷିକ ହୋଇଥିବାବେଳେ ଶେଷ ଦୁଇଟି ପ୍ରତ୍ୟେକ ମାସ ଓ ପ୍ରତ୍ୟେକ ସପ୍ତାହରେ ଅନୁଷ୍ଟିତ ହୋଇଥାଏ ।

ଚନ୍ଦନ ଯାତ୍ରା: ଏହା ଶ୍ରୀମନ୍ଦିରର ସବୁଠାରୁ ଦୀର୍ଘତମ ଯାତ୍ରା । ମଦନ ମୋହନ ଜଗନ୍ନାଥଙ୍କ ପ୍ରତିନିଧି ହିସାବରେ ଚାପକୁ ବିଜେ କରିଥାନ୍ତି ।ଏହା ଭିତର ଚନ୍ଦନ ଓ ବାହାର ଚନ୍ଦନ କ୍ରମରେ ୪୨ ଦିନ ପାଇଁ ଅନୁଷ୍ଟିତ ହୋଇଥାଏ । ଶ୍ରାବଣ ମାସରେ ହେଉଥିବା ଝୁଲଣ ଯାତ୍ରା ଓ କାର୍ତ୍ତିକ ମାସରେ ହେଉଥିବା ରାସଯାତ୍ରା ସମୟରେ ମଦନ ମୋହନଙ୍କ ମୁର୍ତ୍ତି ହିଁ ଉତ୍ସବମାନଙ୍କରେ ଅଂଶଗ୍ରହଣ କରନ୍ତି । ପ୍ରତ୍ୟେକ ଏକାଦଶୀ ଏବଂ ଶ୍ରୀଜଗନ୍ନାଥଙ୍କ ସ୍ୱନକ୍ଷତ୍ର ଦିନ ମଦନମୋହନଙ୍କ ମୂର୍ତ୍ତିଙ୍କୁ ରତ୍ନସିଂହାସନକୁ ନିଆଯାଇ ସେଠାରେ ଦେବତାଙ୍କ ପ୍ରତିଭୂଙ୍କୁ ବନ୍ଦାପନା କରାଯାଇ ନୈବେଦ୍ୟ ଅର୍ପଣ କରାଯାଏ । ତତ୍ପରେ ବିମାନରେ ଉପବେଶନ କରାଇ ବିମାନବଡୁମାନେ ଚାରିଥର ମନ୍ଦିର ପ୍ରଦିକ୍ଷଣ କରନ୍ତି ।

ପ୍ରତିସପ୍ତାହର ଗୁରୁବାର ଦିନ ସକାଳ ଧୂପ ସରିବାପରେ ମଦନମୋହନଙ୍କୁ ବିବାହ ମଣ୍ଡପକୁ ନିଆଯାଇ ପଞ୍ଚାମୃତରେ ସ୍ନାନ କରାଯାଏ । ଦେବୀ ଲକ୍ଷ୍ମୀଙ୍କ ଚଳନ୍ତି ପ୍ରତିମା ମଧ୍ୟ ଅଣାଯାଇ ଉଭୟ ମୂର୍ତ୍ତିଙ୍କୁ ବିମାନରେ ବସାଇ ମନ୍ଦିର ପରିକ୍ରମା କରାଯାଏ ଓ ଲକ୍ଷ୍ମୀ ମନ୍ଦିର ପାର୍ଶ୍ୱରେ କିଛି ସମୟ ଏକାନ୍ତରେ ରଖାଯାଏ ।

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]