ନବାଙ୍କ ବେଶ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଏହି ଲେଖାଟି ନବାଙ୍କ ବେଶ ବାବଦରେ । ବାକିସବୁ ପାଇଁ, ଜଗନ୍ନାଥଙ୍କ ବେଶ ପ୍ରସଙ୍ଗଟି ଦେଖନ୍ତୁ ।

ମକର ସଂକ୍ରାନ୍ତି ପୂର୍ବଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନବାଙ୍କ ବେଶ ସହ ଚାଉଳ ମେଳାଣ ଓ ଫୁଲ ମେଳାଣ ଉତସବ ଅନୁଷ୍ଠିତ ହୁଏ । ଉକ୍ତ ଦିନ ସନ୍ଧ୍ୟା ଆଳତି ବେଶରେ ମାଳଚୂଳମାନ ଖୁଣ୍ଟିଆ ଓ ପୁଷ୍ପାଳକ ସେବକଙ୍କ ସହାୟତାରେ ଠାକୁର ମାନଙ୍କୁ ଲାଗି କରାଯାଇଥାଏ ।[୧] ଉକ୍ତ ଦିନ ବଡ଼ସିଂହାର ବେଶରେ ସୋଲ ଓ ଜରି , କଇଁଥ ଅଠାରେ ପ୍ରସ୍ତୁତ ଶଙ୍ଖ, ଚକ୍ର,ହଳ,ମୁଷକ,କୁଣ୍ଡଳ ଡଡଗୀ ଇତ୍ୟାଦି ଜଗନ୍ନାଥ ,ବଳଭଦ୍ରସୁଭଦ୍ରାଙ୍କୁ ଲାଗି କରାଯାଇଥାଏ । ଏହି ବେଶରେ ଜଗନ୍ନାଥ ଓ ବଳଭଦ୍ର ଯଥାକ୍ରମେ ସୋଲ ନିର୍ମିତ ମକର କୁଣ୍ଡଳ ଓ ଶଙ୍ଖ,ଚକ୍ର,ହଳ,ମୁଷକ ଇତ୍ୟାଦି ଧାରଣ କରିଥାନ୍ତି । ଏହି ବେଶ ନବାଙ୍କ ବେଶ ରୂପେ ପରିଚିତ । ଏହି ବେଶର ପ୍ରବର୍ତ୍ତକ ହେଉଛନ୍ତି ଚୈତନ୍ୟ ଦେବ[୨]

ପୂର୍ବେ ଏହି ବେଶର ସାମଗ୍ରୀ ଦକ୍ଷିଣ ପାର୍ଶ୍ଵ ମଠ (ଶ୍ରୀରାମ ଦାସ ମଠ) ଯୋଗାଇ ଆସୁଥିଲେ । ଗତ କିଛି ବର୍ଷ ଧରି ସଂପୃକ୍ତ ମଠ ବେଶ ସାମଗ୍ରୀ ଯୋଗାଉ ନଥିବା ଜଣାଯାଏ । ସଂପ୍ରତି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏହି ବେଶର ସମସ୍ତ ଖର୍ଚ ନିର୍ବାହ କରାଯାଉଅଛି ।

ନବାଙ୍କ ବେଶରେ ଠାକୁରମାନଙ୍କ ଶିରରୁ ରତ୍ନସିଂହାସନ ଚଟାଣ ଯାଏଁ ଗେଣ୍ଡୁଫୁଲର ମାଳରେ ସୁସଜ୍ଜିତ କରାଯାଏ । ବଡ଼ସିଂହାର ବେଶରେ ଦେବତାମାନଙ୍କୁ ଅଳଙ୍କୃତ କରୁଥିବା ଚିତା,ଗୁଣା,କରପଲ୍ଲବ,ଅଧରମାଳା ଓ ଶ୍ରୀପୟର ମାଳା ମଧ୍ୟ ପ୍ରଧାନତଃ ଗେଣ୍ଡୁ ଫୁଲରେ ନିର୍ମିତ ହୋଇଥାଏ । ହୃଦ ପଦକରେ ଗେଣ୍ଡୁ ଫୁଲ ସହିତ ଗୋଲାପ ଫୁଲର ସମ୍ମିଶ୍ରଣ ଘଟିଥାଏ । ସାଧାରଣ ଦିନମାନଙ୍କରେ ଚାରି ପାଞ୍ଚଟି ମାଳ ଲାଗୁଥିଲେ ମଧ୍ୟ ନବାଙ୍କ ବେଶ ଦିନ ଦଶ ପନ୍ଦରଟି ମାଳ ଲାଗିହୁଏ । ଏହି ଦିନ ଲାଗୁଥିବା ଶିର ଭୂଷଣ ଓ ଟୋପରଗୁଡିକ ତୁଳସୀପତ୍ରଦ୍ଵାରା ପ୍ରସ୍ତୁତ ହୋଇଥାଏ ଏବଂ ସେହି ଟୋପର ଉପରେ ଗେଣ୍ଡୁଫୁଲର ମାଳା ଗୁଡା ଯାଇଥାଏ ।

ମକର ସଂକ୍ରାନ୍ତି ପୂର୍ବଦିନ ଅନୁଷ୍ଠିତ ହେଉଥିବା ଏହି ବେଶରେ ବହୁଳ ଭାବରେ ଗେଣ୍ଡୁ ଫୁଲ ବ୍ୟବହାର ହେଉଥିବା କାରଣ ହେଉଛି ଏହି ସମୟରେ ଅଧିକ ଗେଣ୍ଡୁଫୁଲ ମିଳେ । ନବାଙ୍କ ବେଶ ସହିତ ନବାଙ୍କ ବେଢାର ମଧ୍ୟ ତାତ୍ପର୍ଯ୍ୟ ରହିଛି । ଏହି ଦିନ ବଡ଼ ସିଂହାର ଭୋଗ ପରେ ମଦନମୋହନ ଦକ୍ଷିଣ ଘରୁ ବିଜେ କରି ରତ୍ନସିଂହାସନକୁ ଆସନ୍ତି । ସେଠାରୁ ଆଜ୍ଞାମାଳ ପାଇ ରତ୍ନ ସିଂହାସନକୁ ସାଢେ ଚାରିଥର ପ୍ରଦକ୍ଷଣ କରି ବଟମୂଳେ ଥିବା ପାଲିଙ୍କିରେ ବିଜେ କରି ଦେଉଳ ଚାରିପାଖକୁ ସାଢେ ଚାରିଥର ପ୍ରଦକ୍ଷିଣ କରନ୍ତି । [୩]

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]