ଗୀତ ଗୋବିନ୍ଦ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଗୀତ ଗୋବିନ୍ଦ  
ଲେଖକ ଜୟଦେବ
ମୂଳ ନାଆଁ ଗୀତ ଗୋବିନ୍ଦ
ଦେଶ ଭାରତ
ଭାଷା ସଂସ୍କୃତ
ବିଭାଗ କାବ୍ୟ

ଗୀତଗୋବିନ୍ଦ କବି ଜୟଦେବଙ୍କ ଦ୍ଵାରା ସଂସ୍କୃତ ଭାଷାରେ ରଚିତ ଦ୍ୱାଦଶ ଶତାବ୍ଦୀର ଏକ କାବ୍ୟ । ଦ୍ଵାଦଶ ସର୍ଗ ବିଶିଷ୍ଟ ଏହି କାବ୍ୟଟି ରାଧାକୃଷ୍ଣଙ୍କ ରାସଲୀଳା ଉପରେ ପର୍ଯ୍ୟବେସିତ । ବୈଷ୍ଣବ ଭକ୍ତି ମାର୍ଗ ଉପରେ ଗୀତଗୋବିନ୍ଦ କାବ୍ୟର ବିଶେଷ ପ୍ରଭାବ ପଡିଛି । କାନ୍ତ କୋମଳ ପଦାବଳୀ, ମଧୁର ଶବ୍ଦ ସଂଯୋଜନା, ଭକ୍ତି ଭାବରେ ପୂର୍ଣ୍ଣ ବିଷୟ ନିମନ୍ତେ ଗୀତଗୋବିନ୍ଦର ସଂସ୍କୃତ ସାହିତ୍ୟରେ ଏକ ବିଶେଷ ସ୍ଥାନ ରହିଚି । [୧] ପ୍ରସିଦ୍ଧ ଦଶାବତାର ବର୍ଣ୍ଣନା ଓ ସ୍ତୋତ୍ର ଏହି କାବ୍ୟର ପ୍ରଥମ ସର୍ଗରେ ରହିଛି । ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାରେ ମଧ୍ୟ ଗୀତଗୋବିନ୍ଦର ଏକ ପ୍ରଧାନ ସ୍ଥାନ ରହିଛି।

ବିଷୟବସ୍ତୁ ଓ ଭାବଧାରା[ସମ୍ପାଦନା]

ଗୀତଗୋବିନ୍ଦ ରାଧାକୃଷ୍ଣଙ୍କର ଦିବ୍ୟ ପ୍ରେମର ବର୍ଣ୍ଣନା ଅଟେ। ରାଧାକୃଷ୍ଣଙ୍କର ଅପ୍ରାକୃତ ପ୍ରେମଲୀଳା ସମ୍ବଳିତ ଲଳିତ ପଦାବଳୀରେ ଭକ୍ତିଭାବର ପରିପ୍ରକାଶ ହିଁ ଏହି କାବ୍ୟର ମୁଖ୍ୟ ଉପଜୀବ୍ୟ ହୋଇଛି । ଦ୍ୱାଦଶ ସର୍ଗରେ ବିଭକ୍ତ ଏହି କାବ୍ୟ କାନ୍ତ କୋମଳ ପଦାବଳୀ ନିମନ୍ତେ ପ୍ରସିଦ୍ଧ। ମୁଖ୍ୟତଃ ଆଦି ରସ ଉପରେ ଆଧାରିତ ଏହି କାବ୍ୟ ରାଧାଙ୍କୁ ନାୟିକା ଭାବରେ ଗ୍ରହଣ କରିଛି। ଏହି କାବ୍ୟର ସାରମର୍ମ "ଦେହି ପଦ ପଲ୍ଲବ ମୁଦାରମ" ପଦରେ ନିହିତ। ଏଠାରେ ଶ୍ରୀରାଧା (ଭକ୍ତ ର ପ୍ରତୀକ) ଙ୍କୁ ଶ୍ରୀକୃଷ୍ଣ (ଭଗବାନ)ଙ୍କ ଠାରୁ ମହନୀୟ ବୋଲି ଦର୍ଶାଯାଇଛି । ଏକ କିମ୍ବଦନ୍ତୀ ଅନୁସାରେ ଏହି ପଦ ନିଜେ ଭଗବାନ କୃଷ୍ଣ ଜୟଦେବଙ୍କ ରୂପ ଧାରଣକରି ଲେଖିଥିଲେ । [୨]

ଜଗନ୍ନାଥ ସଂସ୍କୃତି ଓ ଗୀତଗୋବିନ୍ଦ[ସମ୍ପାଦନା]

ଗୀତଗୋବିନ୍ଦର ପଦାବଳୀ ଶ୍ରୀଜଗନ୍ନାଥଙ୍କର ଅତ୍ୟନ୍ତ ପ୍ରିୟ ବୋଲି ଗ୍ରହଣ କରାଯାଏ। ବଡ଼ସିଂହାର ବେଶ ସମୟରେ ଶ୍ରୀମନ୍ଦିରରେ ପ୍ରତ୍ୟହ ଗୀତଗୋବିନ୍ଦ ପାଠ କରାଯାଏ। ଏହା ବ୍ୟତୀତ ଦେବଦାସୀ ନୃତ୍ୟ ସମୟରେ ମଧ୍ୟ ଗୀତଗୋବିନ୍ଦ ଗାନ କରାଯାଉଥିଲା। ଶ୍ରୀ ମନ୍ଦିରରେ ନୂତନ ସେବକ ନିଯୁକ୍ତି ସମୟରେ ସେବକମାନଙ୍କୁ ଗୀତଗୋବିନ୍ଦ ପଦାବଳୀ ଚିତ୍ରିତ ପାଟ ଭେଟି ଦିଆଯିବାର ପ୍ରଥା ରହିଛି। ଏତଦ୍‌ବ୍ୟତୀତ ଅଣସର ବାସ ଠାରୁ ବଡ଼ସିଂହାର ବେଶ ପର୍ଯ୍ୟନ୍ତ ଗୀତଗୋବିନ୍ଦ ପଦାବଳୀ ଚିତ୍ରିତ ପାଟର ଅନେକ ବ୍ୟବହାର ଶ୍ରୀ ଜଗନ୍ନାଥଙ୍କ ସେବାରେ ରହିଛି । ପ୍ରଚଳିତ କିମ୍ବଦନ୍ତୀ ଅନୁଯାୟୀ ଏକଦା ଏକ ବାଳିକା ବାଇଗଣ କିଆରିରେ ବାଇଗଣ ତୋଳିବା ସମୟରେ ଗୀତଗୋବିନ୍ଦ ଗାଉଥିଲା । ଶ୍ରୀ ଜଗନ୍ନାଥଙ୍କର ଏହି ପଦାବଳୀ ଅତ୍ୟନ୍ତ ପ୍ରିୟ ହୋଇଥିବାରୁ ସେ ସେହି ବାଳିକା ପଛରେ ବୁଲୁଥିଲେ। ବାଇଗଣ କଣ୍ଟା ଲାଗି ପ୍ରଭୁଙ୍କ ଖଣ୍ଡୁଆ ପାଟ ଚିରି ଗଲା । ଏକଥା ପ୍ରଘଟ ହେବା ପରେ ବଡ଼ପଣ୍ଡାଙ୍କୁ ଶ୍ରୀ ମନ୍ଦିରରେ ପ୍ରତ୍ୟହ ଗୀତଗୋବିନ୍ଦ ଗାନ ପାଇଁ ବ୍ୟବସ୍ଥା କରିବାକୁ ଆଦେଶ ହୋଇଥିଲା । [୩]

ଓଡିଶୀ ସଙ୍ଗୀତ[ସମ୍ପାଦନା]

ଶ୍ରୀ ଗୀତଗୋବିନ୍ଦ କାବ୍ୟ ଓଡିଶୀ ସଙ୍ଗୀତର ମୂଳଦୁଆ ଅଟେ । ହୁଏତ ଓଡିଶୀ ସଙ୍ଗୀତ ପୂର୍ବରୁ ପ୍ରଚଳିତ ଥିଲା, ମାତ୍ର ଶ୍ରୀ ଜୟଦେବ, ଗୀତଗୋବିନ୍ଦ କାବ୍ୟରେ ତାହାକୁ ଲିଖିତ ରୂପ ଦେଇଥିଲେ। ଗୀତଗୋବିନ୍ଦର ପ୍ରତି ଅଷ୍ଟପଦୀ ଓଡିଶୀ ରାଗ ଓ ତାଳ ଅନୁସାରେ ଲିଖିତ । ଏହି କାବ୍ୟରେ ମାଳବ, ଗୁର୍ଜରୀ, ବସନ୍ତ, ରାମକରୀ, ମାଳବଗୌଡ, ଗୁଣ୍ଡକେରୀ, ଆଦି ରାଗ ବ୍ୟବହୃତ ହୋଇଛି । ରୂପକ, ଏକତାଳୀ, ଅଷ୍ଟତାଳୀ ପ୍ରଭୃତି ତାଳର ବ୍ୟବହାର ମଧ୍ୟ ପରିଲକ୍ଷିତ ହୁଏ । ଓଡିଶୀ ସଙ୍ଗୀତ ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତ ଠାରୁ ସ୍ୱତନ୍ତ୍ର । ଗୀତଗୋବିନ୍ଦରେ ବ୍ୟବହୃତ ରାଗ ଓ ତାଳର ବ୍ୟବହାର ବର୍ତ୍ତମାନ ମଧ୍ୟ ଓଡିଶୀ ସଙ୍ଗୀତରେ ହୁଏ। ଗୀତଗୋବିନ୍ଦ ଏକ ଗୀତିକାବ୍ୟ ଏବଂ ଏହାର ପ୍ରତି ଅଷ୍ଟପଦୀକୁ ଗୀତ କୁହାଯାଏ।

ଦ୍ଵାଦଶ ସର୍ଗ[ସମ୍ପାଦନା]

ଏହି କାବ୍ୟଟି ଦ୍ୱାଦଶ ସର୍ଗରେ ବିଭକ୍ତ । ଦ୍ୱାଦଶ ସର୍ଗର ନାମକରଣ ଶ୍ରୀକୃଷ୍ଣଙ୍କର ଭିନ୍ନ ଭିନ୍ନ ନାମଦ୍ଵାରା ହୋଇଛି । କେତେକ ଗବେଷକଙ୍କ ମତରେ ଏହି ଦ୍ୱାଦଶ ସର୍ଗର ପ୍ରେରଣା କବିଙ୍କୁ ପ୍ରାଚୀ ଉପତ୍ୟକାରେ ପୂଜା ପାଉଥିବା ଦ୍ୱାଦଶ ମାଧବଙ୍କ ଠାରୁ ମିଳିଛି ।[୪] ପ୍ରତି ସର୍ଗ କେତେକ ଗୀତରେ ବିଭକ୍ତ । ନିମ୍ନରେ ସର୍ଗଗୁଡିକର ନାମ ପ୍ରଦତ୍ତ ।

  • ସମୋଦଦାମୋଦର
  • ଅକ୍ଲେଶକେଶବ
  • ମୁଗ୍ଧ ମଧୁସୂଦନ
  • ସ୍ନିଗ୍ଧ ମଧୁସୂଦନ
  • ସାକାଂକ୍ଷ ପୁଣ୍ଡରୀକାକ୍ଷ
  • କୁଣ୍ଠବୈକୁଣ୍ଠ
  • ନାଗରନାରାୟଣ
  • ବିଲକ୍ଷ୍ୟଲକ୍ଷ୍ମୀପତି
  • ମନ୍ଦମକୁନ୍ଦ
  • ଚତୁର ଚତୁର୍ଭୁଜ
  • ସାନନ୍ଦ ଦାମୋଦର
  • ସୁପ୍ରୀତିପୀତାମ୍ବର

ଆଧାର[ସମ୍ପାଦନା]

  1. Sri Gita Govinda of Sri Jayadeva Gosvami. Gaudiya Vedanta Publications. 
  2. Sri Gita Govinda of Sri Jayadeva Gosvami. Gaudiya Vedanta Publications. 
  3. [{{cite web|url=http://gopaljiu.org/excerpts/kk_12_tulasi_gitagovinda.pdf}} "Jagannatha & Geeta Govinda Today"] (PDF). Retrieved 10 June 2016. 
  4. ପ୍ରାଚୀ ତୀର୍ଥ. ହଂସନାଥ ସାହୁ. pp. ୪୫–୯୨.