ଗହଣ ବିଜେ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ମହାପ୍ରଭୁଙ୍କ ଦର୍ଶନ ପାଇଁ ମହାରଣୀ ଶ୍ରୀମନ୍ଦିରକୁ ବିଜେ କଲେ ତାହାକୁ ଗହଣ ବିଜେ କୁହାଯାଏ । ମହାପ୍ରଭୁଙ୍କ ଦର୍ଶନ ପାଇଁ ମହାରାଣୀ ରାଜପରିବାରର ସଦସ୍ୟଙ୍କ ଗହଣରେ ଯାତ୍ରା କରୁଥିବାରୁ ଶ୍ରୀମନ୍ଦିର ପରମ୍ପରାରେ ଏହି ଯାତ୍ରାକୁ ମହାରାଣୀଙ୍କ ଗହଣ ବିଜେ କୁହାଯାଏ । [୧] ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଉପାସନା ଆରମ୍ଭ କାଳରୁ ଏହି ନୀତି ପ୍ରଚଳନ ଅଛି । ଶ୍ରୀଜଗନ୍ନାଥ ମନ୍ଦିର ସ୍ଵତଲିପିରେ ମହାରାଣୀଙ୍କ ଗହଣ ବିଜେ ପରମ୍ପରା ଉଲ୍ଲେଖ ଅଛି ।

ନୀତି[ସମ୍ପାଦନା]

ମହାରାଣୀଙ୍କ ଗହଣ ବିଜେ ପୂର୍ବରୁ ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ଶୋଧ ହେବା ବିଧି ରହିଛି । ଶୋଧ ହେବା ଅର୍ଥ ମହାରାଣୀ ଶ୍ରୀମନ୍ଦିରକୁ ଆସିବା ପୂର୍ବରୁ ଶ୍ରୀମନ୍ଦିର ଭିତରେ କୈଣସି ସେବାୟତ, ମୁକ୍ତିମଣ୍ଡପ ପଣ୍ଡିତ, ଯାତ୍ରୀ,ସୁରକ୍ଷାବାହିନୀ ଆଦି କୈଣସି ବ୍ୟକ୍ତି ରହିବେ ନାହିଁ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ଗର୍ଭଗୃହ, ଜଗମୋହନ, ନାଟମଣ୍ଡପ, ଭୋଗମଣ୍ଡପ ଓ କୃମବେଢା ଶୋଧ ହେବ । ବେଢା ଭିତରେ ଥିବା ଅନ୍ୟସମସ୍ତ ମନ୍ଦିର ଖାଲି କରିଦିଆଯିବ । [୨] ଶୋଧ ସମ୍ପନ୍ନ ହେବା ପରେ ମୂଖ୍ୟ ମନ୍ଦିର ସମେତ ଅନ୍ୟ ଯେଉଁ ସବୁ ମନ୍ଦିରକୁ ମହାରାଣୀ ଦର୍ଶନ କରିବାକୁ ଯିବେ ଅର୍ଥାତ ନୃସିଂହ, ବିମଳା, ଭୁବନେଶ୍ଵରୀ ଓ ମହାଲକ୍ଷ୍ମୀ ମନ୍ଦିରରେ ତାଲା ପକେଇଦିଆଯିବ ଏବଂ ଚାବି ଶୋଧବାଲାଙ୍କ (ଗଜପତିଙ୍କ କ୍ଷମତାପ୍ରାପ୍ତ ବ୍ୟକ୍ତି) ପାଖରେ ରହିବ । ଶୋଧକାର୍ଯ୍ୟ ସମ୍ପନ୍ନ ହେବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀନଅରକୁ ଖବର ଯିବ । ସେତେବେଳକୁ ଗଜପତି ମହାରାଜା ଓ ମହାରାଣୀ ଶ୍ରୀନଅରରେ ପାରମ୍ପାରିକ ମଙ୍ଗଳାର୍ପଣ ଓ ଦେବାର୍ଚନ ଆଦି ନୀତି ସମ୍ପାଦନ କରି ରହିଥିବେ । ବିଭିନ୍ନ ବାଦ୍ୟବାଜଣା, ଶଙ୍ଖଧ୍ଵନି ଓ ହୁଳହୁଳି ମଧ୍ୟରେ ପ୍ରଥମେ ଗଜପତି ମହାରାଜା ପଟୁଆରରେ ତାମଜାନରେ ଶ୍ରୀନଅରରୁ ବାହାରିବେ । ତାଙ୍କ ପଛେ ପଛେ ମହାରାଣୀ ନିବୁଜ ସବାରିରେ ବସି ଶ୍ରୀନଅରରୁ ଶ୍ରୀମନ୍ଦିରକୁ ଯାତ୍ରା କରିବେ । ମହାରାଣୀଙ୍କ ଗହଣ ବିଜେ ସମୟରେ ବଡ଼ଦାଣ୍ଡରେ ସମବେତ ଜନତା ମହାରାଣୀଙ୍କୁ ଦେଖି ପାରିବେ ନାହିଁ ।

ମହାରାଣୀଙ୍କ ଶ୍ରୀମନ୍ଦିରକୁ ଗହଣ ବିଜେ ପାଇଁ ଶ୍ରୀମନ୍ଦିର ଶୋଧ ହେବା ସମୟରେ ବଡ଼ଦେଉଳ ଆନନ୍ଦ ବଜାର ଖୋଲାଥାଏ । ଉତ୍ତର ଦ୍ଵାର ଦେଇ ଆନନ୍ଦ ବଜାରକୁ ଯିବାର ବ୍ୟବସ୍ଥା କରାଯାଇଥାଏ । ମହାପ୍ରଭୁଙ୍କ ମହାପ୍ରସାଦ ସେବନରୁ ଭକ୍ତମାନେ ଯେପରି ବଞ୍ଚିତ ନହେବେ ସେଥିପାଇଁ ଏପରି ବ୍ୟବସ୍ଥା ହୋଇଥାଏ ।

ଶ୍ରୀମନ୍ଦିର ସିଂହଦ୍ଵାର ଅରୁଣସ୍ତମ୍ଭ ପାଖରେ ଗଜପତିଙ୍କ ତାମଜାନ ଓ ମହାରାଣୀଙ୍କ ଗହଣରେ ଯାଉଥିବା ରାଜପରିବାରର ସଦସ୍ୟମାନେ ଅଟକି ଯିବେ । ମହାରାଣୀ ସବାରିରେ ଶ୍ରୀମନ୍ଦିର ବେଢା ଭିତରକୁ ପ୍ରବେଶ କରିବେ । କଳ୍ପବଟ ତଳେ ମହାରାଣୀଙ୍କ ସବାରି ରହିବ । ଗଜପତି ମହାରାଜା ଓ ରାଜସଦସ୍ୟମାନେ ସିଂହଦ୍ଵାର ଠାରୁ ଚାଲି ଚାଲି ଯାଇ ପତିତପାବନ ଓ କାଶୀ ବିଶ୍ଵନାଥଙ୍କୁ ଦର୍ଶନ କରି ବାଇଶି ପାହଚ ଦେଇ କୂର୍ମବେଢାରେ ପ୍ରବେଶ କରିବେ । ଗଜପତି ଓ ରାଜପରିବାରଙ୍କ ସହିତ ଅସିଥିବା ସେବକ ରୋଷଘର ଆଡକୁ ଆଡେଇ ହୋଇଯିବେ । ମହାରାଣୀ ସବାରିରୁ ଓହ୍ଲାଇ ମହାରାଜାଙ୍କ ସହିତ ବଟଗଣେଶଙ୍କୁ ଦର୍ଶନ କରିବେ । ସେଠାରୁ ରାଜପରିବାର ସଦସ୍ୟଙ୍କ ଗହଣରେ ପଣ୍ଡାଦ୍ଵାର ଦେଇ ନାଟମନ୍ଦିରରେ ପ୍ରବେଶ କରିବେ । ମହାରାଣୀ ଗଜପତି ମହାରାଜାଙ୍କ ସହିତ ଗରୁଡ଼ସ୍ତମ୍ଭ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ । ତା ପରେ ଜୟବିଜୟ ଦ୍ଵାରବାଟେ ଜଗମୋହନରେ ପ୍ରବେଶ କରି ଚନ୍ଦନ ଅର୍ଗଳି କଳାହାଟ ଦ୍ଵାର ଦେଇ ଗର୍ଭଗୃହକୁ ଯିବେ । ଏହି ସମୟରେ କେବଳ ମୁଦିରଥ (ମୁଦିରସ୍ତ) ସେବକ ଶ୍ରୀମନ୍ଦିର ଭିତରେ ଥିବେ । ସେ ମହାରାଣୀଙ୍କୁ ବାଟ କଢେଇ ଗର୍ଭଗୃହ ମଧ୍ୟକୁ ନେବେ ।

ବିଧି ଓ ସେବା[ସମ୍ପାଦନା]

ଗଜପତି ମହାରାଜା ଓ ମହାରାଣୀ ଶ୍ରୀମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ଭଣ୍ଡାରମେକାପ ତିନୋଟି ସୁନା କର୍ପୂରଦାନି,ଚାମର, ଆଲଟ ଆଦି ଭଣ୍ଡାରରୁ କାଢି ରଖିଦେଇଥାନ୍ତି । ଓଡ଼ିଆ ଘରର ଚଳଣି ଅନୁସାରେ ବଡ଼ଠାକୁର ବଳଭଦ୍ରଙ୍କ କଡ଼ରେ ଏକ ପାଟଲୁଗାର ବାଡ଼ ଟଣା ଯାଇଥାଏ । ଦେଢ଼ଶୁରଙ୍କ ଦୃଷ୍ଟିର ଅନ୍ତରାଳରୁ ପାଟରାଣୀ ଆଡେଇହୋଇ ରହିବା ପାଇଁ ଏପରି ବ୍ୟବସ୍ଥା ହୋଇଥାଏ । ପ୍ରଥମେ ମହାରାଜା ଓ ମହାରାଣୀ ରତ୍ନସିଂହାସନ ସମ୍ମୁଖରେ ମହାପ୍ରଭୁଙ୍କୁ ଦଣ୍ଡପ୍ରଣାମ କରନ୍ତି । ତା ପରେ ଗଜପତି ମହାରାଜା ମହାରାଣୀଙ୍କ ମସ୍ତକରେ ପାଟଖଣ୍ଡୁଆ ପିନ୍ଧେଇଦେଇ ମହାରାଣୀଙ୍କୁ ସେବା କରିବା ପାଇଁ ମାନ୍ୟତା ବା ଅନୁମତି ପ୍ରଦାନ କରନ୍ତି । ଏହି ଶାଢୀବନ୍ଧା ନୀତି ପରେ ହିଁ ମହାରାଣୀ ମହାପ୍ରଭୁଙ୍କ ସେବା କରିବା ପାଇଁ ଅଧିକାର ପାଇଥାନ୍ତି । ପ୍ରଥମେ ଗଜପତି ମହାରାଜା ବଡ଼ ଠାକୁର ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କ କର୍ପୂର ଆଳତି , ଆଲଟ-ଚାମର ସେବା ଏବଂ ପୁଷ୍ପାଞ୍ଜଳି ନୀତି ପାଳନ କରନ୍ତି । ତା ପରେ ମହାରାଣୀ ଶ୍ରୀଜଗନ୍ନାଥ, ମା ସୁଭଦ୍ରା ଓ ଶ୍ରୀସୁଦର୍ଶନଙ୍କର କର୍ପୂର ଆଳତି, ଚାମର-ଆଲଟ ଲାଗି ଏବଂ ପୁଷ୍ପାଞ୍ଜଳି ସେବା କରନ୍ତି । ଏହାପରେ ଗଜପତି ମହାରାଜା ରଥ ଉପରେ ଛେରାପହଁରା କରିବା ପରି ରତ୍ନସିଂହାସନ ଚାରି ପାଖରେ ଛେରାପହଁରା କରନ୍ତି । ଗଜପତି ଛେରାପହଁରା କରିବା ସମୟରେ ମହାରାଣୀ ଓ ରାଜପରିବାରର ସଦସ୍ୟମାନେ ଗଜପତିଙ୍କୁ ଅନୁଗମନ କରିଥାନ୍ତି । ଏହି ନୀତି ସମାପନ ପରେ ମୁଦିରଥ ସିଂହାସନ ଉପରକୁ ଉଠି ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ମାଳପ୍ରସାଦ ଆଣି ମହାରାଜା ଓ ମହାରାଣୀଙ୍କୁ ପ୍ରଦାନ କରନ୍ତି । ରାଜପରିବାରର ଅନ୍ୟ ସଦସ୍ୟଙ୍କୁ ତୁଳସୀ ପ୍ରସାଦ ପ୍ରଦାନ କରନ୍ତି । ଏହାପରେ ମହାରାଜା ଓ ମହାରାଣୀ ଶ୍ରୀଜୀଉମାନଙ୍କୁ ଦଣ୍ଡପ୍ରଣାମ କରି ରାଜପରିବାରର ଅନ୍ୟସଦସ୍ୟଙ୍କ ଗହଣରେ ବେହେରଣ ଦ୍ଵାରଦେଇ ଶ୍ରୀମନ୍ଦିରରୁ ବାହାରି ଆସି ମଦନମୋହନ ମନ୍ଦିର, ନୃସିଂହ, ମୁକ୍ତିମଣ୍ଡପ, ବିମଳା,ସରସ୍ଵତୀ, ଭୁବନେଶ୍ଵରୀ ଓ ମହାଲକ୍ଷ୍ମୀ ମନ୍ଦିରରେ ଦର୍ଶନ ସାରି ସବାରିରେ ବସନ୍ତି ।

ମହାରାଣୀଙ୍କ ଭୂମିକା[ସମ୍ପାଦନା]

ମହାରାଣୀଙ୍କ ଶ୍ରୀମନ୍ଦିରକୁ ଏହି ଗହଣ ବିଜେ ସମୟର ନୀତି ବ୍ୟତିତ ଅନ୍ୟ କୈଣସି ସମୟରେ ଗଜପତି ମହାରାଜା ଓ ମହାରାଣୀଙ୍କର ଏକତ୍ର ଶ୍ରୀମନ୍ଦିରରେ କୈଣସି ସେବା ନାହିଁ । ନବକଳେବର ବିଧି ସମ୍ପାଦନରେ ମଧ୍ୟ ମହାରାଣୀଙ୍କର କୈଣସି ଭୂମିକା ନାହିଁ । ରଥଯାତ୍ରା ସମୟରେ ମଧ୍ୟ ମହାରାଣୀଙ୍କର କୈଣସି ସେବା ନାହିଁ । ଶ୍ରୀନଅର ସମ୍ମୁଖ ଦେଇ ରଥଟଣା ହେଉଥିବା ବେଳେ ମହାରାଣୀ ଶ୍ରୀନଅର ରାଣୀହଂସପୁର ଜଳାକବାଟି ବାଟେ ରଥାରୁଢ଼ ଶ୍ରୀଜୀଉମାନନକୁ ଦୀପଦାନ କରି ବନ୍ଦାପନା କରିଥାନ୍ତି । ହେରାପଞ୍ଚମୀ ଦିନ ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିରକୁ ବିଜେ କରିବା ସମୟରେ ଶ୍ରୀନଅର ସମ୍ମୁଖରେ ମହାରାଣୀଙ୍କ ତରଫରୁ ମହାଲକ୍ଷ୍ମୀଙ୍କୁ ତିନିଖଣ୍ଡ ପାଟଶାଢୀ ଭେଟି ଦିଆଯାଇଥାଏ ।

ଇତିହାସ[ସମ୍ପାଦନା]

ଶ୍ରୀମନ୍ଦିରର ପରମ୍ପରା ଅନୁସାରେ ୨୦୦୭ ମସିହା ଏପ୍ରିଲ ୮ ତାରିଖରେ ଶୁଭବେଳାରେ ଗଜପତି ଦିବ୍ୟସିଂହ ଦେବ ମହାରାଣୀଙ୍କର ଗହଣ ବିଜେ ନୀତି ପାଳିତ ହୋଇଥିଲା । ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବଙ୍କ ଶୁଭପରିଣୟ ଜାମ୍ମୁର ରାଜଜେମା ବୀନିତା ବତକଙ୍କ ସହିତ ୧୯୭୮ ମସିହାରେ ହୋଇଥିଲା । ଗଜପତିଙ୍କ ଶୁଭପରିଣୟ ପରେ ଗଜପତି ବଂଶ ପରମ୍ପରା ଅନୁସାରେ ମହାରାଣୀଙ୍କ ଧର୍ମପତ୍ନୀଙ୍କ ନାମ ପରିବର୍ତ୍ତନ ହୋଇ ସେ ଲୀଳାବତୀ ପାଟ ମହାଦେଈ ଭାବେ ମାନ୍ୟତା ପ୍ରାପ୍ତ ହେଲେ । ଗଜପତି ମହାରାଜାଙ୍କ ଶୁଭପରିଣୟ ପରେ ପରମ୍ପରାକ୍ରମେ ମହାରାଣୀଙ୍କ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଗହଣ ବିଜେ ହେବା କଥା । କିନ୍ତୁ ବିଭିନ୍ନ କାରଣବଶତଃ ତାହା ହୋଇପାରିନଥିଲା । ଶ୍ରୀମନ୍ଦିରକୁ ପାରମ୍ପାରିକ ଗହଣ ବିଜେ ପୂର୍ବରୁ ମହାରାଣୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିପାରିନଥାନ୍ତି । କେବଳ ଶ୍ରୀଗୁଣ୍ଡିଚା ଯାତ୍ରା ଓ ବାହୁଡା ଯାତ୍ରା ସମୟରେ ମହାରାଣୀ ଶ୍ରୀମନ୍ଦିର ରାଣୀହଂସପୁରରେ ରହି ରଥାରୁଢ଼ ଶ୍ରୀଜୀଉମାନଙ୍କ ଦର୍ଶନ କରିଥାନ୍ତି । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ମହାରାଣୀ ଲୀଳାବତୀ ପାଟମହାଦେଈଙ୍କ ଗହଣ ବିଜେ ପୂର୍ବରୁ ୧୯୬୬ ମସିହାରେ ଗଜପତି ଶ୍ରୀଦିବ୍ୟସିଂହ ଦେବଙ୍କ ପାଟମାତା (ମାତୃଦେବୀ) ସୂର୍ଯ୍ୟମଣି ପାଟମହାଦେଈଙ୍କ ଶ୍ରୀମନ୍ଦିରକୁ ଗହଣ ବିଜେ ହୋଇଥିଲା । [୨]

ଆଧାର[ସମ୍ପାଦନା]

  • NEELADRI English Special Issue -1999

ବାହାର ତଥ୍ୟ[ସମ୍ପାଦନା]