ଜଗନ୍ନାଥଙ୍କ ଧୂପ

ଉଇକିପିଡ଼ିଆ‌ରୁ

ଜଗନ୍ନାଥଙ୍କ ଧୂପ ଜଗନ୍ନାଥ ମନ୍ଦିରରେ ନୀତି ନିୟମ ଭିତରେ ଗୋଟିଏ ଯାହା ମାଦଳା ପାଞ୍ଜିରେ ଲେଖା ନୀତି ଅନୁସାରେ ପାଳିତ ହୋଇଥାଏ । ପୁରୀ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କର ପ୍ରତିଦିନ ୩ ଧୂପ, ୩ ଭୋଗ, ୫ ଅବକାଶ ଓ ୨ ପହଡ଼ ହୁଏ । ଦେବତାଙ୍କୁ ନୈବେଦ୍ୟ ସମର୍ପିତ ହେବା ପରେ ନିବେଦିତ ବସ୍ତୁକୁ 'ଭୋଗ' ବୋଲାଯାଏ ଓ ଭୋଗ ହେବା ପୂର୍ବରୁ ତାକୁ 'ଅମୁଣିଆ' ବୋଲାଯାଏ ।

ଲୁଣି ଖୁରୁମା

ଧୂପ[ସମ୍ପାଦନା]

ମୁଠି ଗଜା

ଯେତେବେଳେ ଅମୁଣିଆ ଷୋଡ଼ଶୋପଚାର (ଆସନ, ସ୍ୱାଗତ, ପାଦ୍ୟ, ଅର୍ଘ୍ୟ, ଆଚମନୀୟ, ମଧୁପର୍କ, ପୁନରାଚମନୀୟ, ସ୍ନାନ, ବସନ, ଆଭରଣ, ଗନ୍ଧ, ପୁଷ୍ପ, ଧୂପ, ଦୀପ, ନୈବେଦ୍ୟ ଓ ମୁଖବାସ) ବିଧିରେ ଅର୍ପଣ କରାଯାଏ । ପ୍ରତ୍ୟେକ ଧୂପ ପୂର୍ବରୁ ପ୍ରତିହାରୀ ଭୋଗ ବିଧିପୂର୍ବକ ଡାକନ୍ତି ଓ ଭୋଗ ଆଗରେ ଆସନ୍ତି । ଯଦି ଭୋଗ ଆସିବାକୁ ବିଳମ୍ବ ହୁଏ ତେବେ ସେ ରୋଷଘର ପାଖରେ ଅପେକ୍ଷା କରନ୍ତି । ଭୋଗ ନ ଆସିବା ପର୍ଯ୍ୟନ୍ତ ସେ ରୋଷରୁ ଫେରିବା ନିଷେଧ । ଭୋଗ ଆସିବା ପରେ ତିନିଜଣ ପୂଜାପଣ୍ଡା ଉତ୍ତରାଭିମୁଖି ହୋଇ ପିଢ଼ାରେ ବସି ତିନିବାଡ଼ରେ (ବଳଭଦ୍ରଙ୍କ ବାଡ଼ ବା ବଡ଼ବାଡ଼, ଶ୍ରୀଜଗନ୍ନାଥଙ୍କ ବାଡ଼ ବା ମହାପ୍ରଭୁଙ୍କ ବାଡ଼ ଓ ସୁଭଦ୍ରାଙ୍କ ବାଡ଼ ବା ମଝିବାଡ଼) ବଳଭଦ୍ରଙ୍କୁ ଦ୍ୱାଦଶାକ୍ଷର ବାସୁଦେବ ମନ୍ତ୍ର, ଶ୍ରୀଜଗନ୍ନାଥଙ୍କୁ ଅଶ୍ଟଦଶାକ୍ଷର ଗୋପାଳ ମନ୍ତ୍ର ବା ରାଜ ମନ୍ତ୍ର ଓ ସୁଭଦ୍ରାଙ୍କୁ ଭୁବନେଶ୍ୱରୀ ମନ୍ତ୍ରରେ ପୂଜା କରନ୍ତି ।

ସକାଳ ଧୂପ (ପ୍ରଥମ ଧୂପ)[ସମ୍ପାଦନା]

(ସକାଳ୧୦.୦୦): ଏହା ଦିନର ପ୍ରଥମ ସଙ୍ଖୁଡ଼ି ନୈବେଦ୍ୟ, ଷୋଡ଼ଶପଚାର ବିଧିରେ ରତ୍ନବେଦିରେ ଅର୍ପଣ କରାଯାଏ । ଏହା 'କୋଠ ଭୋଗ' ବା 'ରାଜଭୋଗ' ଭାବେ ପରିଚିତ[୧]

ମଧ୍ୟାହ୍ନ ଧୂପ ବା ଦିପହର ଧୂପ (ଦ୍ୱିତୀୟ ଧୂପ)[ସମ୍ପାଦନା]

(ମଧ୍ୟାହ୍ନ ୧୨.୩୦ରୁ ୧.୦୦) ଷୋଡ଼ଶପଚାର ବିଧିରେ ନୈବେଦ୍ୟ ଅର୍ପଣ କରାଯାଏ । ତୃତୀୟ ଅବକାଶ ପରେ ‘ଦିପହର ଧୂପ’ ନୈବେଦ୍ୟ ଅର୍ପଣ; ଦିପହର ଧୂପ ପରେ ଦିନ-ପହଡ଼ ।

ସନ୍ଧ୍ୟା ଧୂପ (ତୃତୀୟ ଧୂପ)[ସମ୍ପାଦନା]

(ସନ୍ଧ୍ୟା ୭.୦୦ରୁ ୮.୦୦) ଜୟ ମଙ୍ଗଳ ଆରତି (ସନ୍ଧ୍ୟା ଆରତି) ପରେ ଏହା ଅର୍ପଣ କରାଯାଏ । ଚତୁର୍ଥ ଅବକାଶ ପରେ ‘ସଞ୍ଜଧୂପ’ ନୈବେଦ୍ୟ ଅର୍ପଣ ।

ଭୋଗ[ସମ୍ପାଦନା]

ଯେତେବେଳେ ଅମୁଣିଆ ପଞ୍ଚୋପଚାର (ଗନ୍ଧ, ପୁଷ୍ପ, ଧୂପ, ଦୀପ ଓ ନୈବେଦ୍ୟ) ବିଧିରେ ଅର୍ପଣ କରାଯାଏ ।

ଗୋପାଳବଲ୍ଲଭ ଭୋଗ (ପ୍ରଥମ ଭୋଗ)[ସମ୍ପାଦନା]

ଗୋପାଳ ବଲ୍ଲଭ ମିଠା ବାଜଗନ୍ନାଥ ବଲ୍ଲଭ ମିଠା

(ସକାଳ ୮.୩୦): ଦିନର ପ୍ରଥମ ଶୁଖିଲା ଭୋଗ ଅନବସର ପିଣ୍ଡି ବା ବଳ୍ଳଭ ପିଣ୍ଡିରେ ପଞ୍ଚୋପଚାର ବିଧିରେ ସେବାୟତମାନେ ଏହି ନୈବେଦ୍ୟ ଅର୍ପଣ କରନ୍ତି । ଅଣସର ସମୟରେ ଏହା ଜୟ ବିଜୟ ଦ୍ୱାର ନିକଟରେ ସର୍ପମଣୋହି ଭାବେ ଅର୍ପଣ କରାଯାଏ । ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଠାକୁରଙ୍କର ପହିଲି ଭୋଗ ନୀତି ଆରମ୍ଭ ହେଉଥିବାରୁ ଏହି ଭୋଗ ପହଲି ଭୋଗ ସହ ଅର୍ପଣ କରାଯାଏ । ଦୋଳ ପୂର୍ଣ୍ଣିମା ଓ ସ୍ନାନ ପୂର୍ଣ୍ଣିମା ଦିନ ସକାଳ ଧୂପ ସହ ଅର୍ପଣ କରାଯାଏ । (ପୂର୍ବେ ଏହି ଦୁଇଯାତ୍ରାରେ ବିଗ୍ରହମାନେ ରତ୍ନସିଂହାସନ ଛାଡି ବାହାର ବିଜେ କରୁଥିବାରୁ ଏଭଳି ନୀତି ଅନୁସୃତ ହେଉଥିଲା । କିନ୍ତୁ ଗଉଡିଆ ଗୋବିନ୍ଦଦେବଙ୍କ ସମୟରେ ୧୫୬୧ ଖ୍ରୀଷ୍ଟାବ୍ଦରେ ଦୋଳ ପୂର୍ଣ୍ଣିମା ଅବସରରେ ଦୋଳି ଛିଣ୍ଡି, ଶ୍ରୀଜଗନ୍ନାଥଙ୍କ ଶ୍ରୀଭୁଜ ଭଗ୍ନ ହେବାରୁ ପରବର୍ତ୍ତୀ ସମୟରେ ଜଗନ୍ନାଥଙ୍କ ବିଜୟ ପ୍ରତିମା ମଦନମୋହନ (ଦୋଳଗୋବିନ୍ଦ)ଙ୍କୁ ବିଜେ କରାଗଲା । ବର୍ତ୍ତମାନ ଦୋଳବେଦୀକୁ ବିଜୟ ପ୍ରତିମା ଆସିଲେ ମଧ୍ୟ ପୂର୍ବ ପରମ୍ପରା ରକ୍ଷା କରାଯାଉଛି ।)

ଭୋଗ ମଣ୍ଡପ ଭୋଗ ବା ବଡ଼ସଙ୍ଖୁଡ଼ି ଭୋଗ (ଦ୍ୱିତୀୟ ଭୋଗ)[ସମ୍ପାଦନା]

(ସକାଳ ୧୧.୦୦) : ବଡ଼ସଙ୍ଖୁଡ଼ି ଭୋଗ ବା ଛତ୍ର ଭୋଗ ଭାବେ ପରିଚିତ ଏହି ଭୋଗ ଆଦି ଶଙ୍କରାଚାର୍ଯ୍ୟଙ୍କଦ୍ୱାରା ଅଷ୍ଟମ ଶତାବ୍ଦିରେ ଆରମ୍ଭ କରା ଯାଇଥିଲା ।

ଶ୍ରୀମନ୍ଦିର ପ୍ରଶାସନ ଏହି ଭୋଗର କୌଣସି ଖର୍ଚ୍ଚଭାର ବହନ କରନ୍ତି ନାହିଁ। ବିଭିନ୍ନ ମଠ ତଥା ତୀର୍ଥଯାତ୍ରୀମାନଙ୍କୁ ଯଥେଷ୍ଟ ପରିମାଣର ଭୋଗ ଯୋଗାଇବା ଉଦ୍ଦେଶ୍ୟରେ ଏହା ସୁଆରମାନଙ୍କଦ୍ୱାରା ମନ୍ଦିର ରୋଷଶାଳାରେ ବ୍ୟବସାୟିକ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଥାଏ ।[୨] ଏହା ସାଧାରଣତଃ ପ୍ରତିଦିନ ଥରେ ହୋଇଥାଏ କିନ୍ତୁ ବିଶେଷ ଦିନମାନଙ୍କରେ ଭୋଗର ଚାହିଦା ମୁତାବକ ଦୁଇଥର ବା ତିନିଥର ଥର ହୋଇଥାଏ । [୩]

ବଡ଼ସିଂହାର ଭୋଗ (ତୃତୀୟ ଭୋଗ)[ସମ୍ପାଦନା]

(ରାତ୍ର ୧୧.୧୫): ସର୍ବ ଶେଷ ଭୋଗ ରାତିରେ ଦେବତାଙ୍କର ପହଡ଼ ହେବା ପୂର୍ବରୁ ପଞ୍ଚୋପଚାର ବିଧିରେ ରତ୍ନବେଦୀରେ ଅର୍ପଣ କରାଯାଏ ।

[ଓଳି= ଛୋଟ ମାଟି କୁଡୁଆ, ଶରା: ମାଟିର ଛୋଟ ଥାଳିଆ, ଅମାଲୁ: ମାଲପୁଆ, ଓରିଆ: ଦେବତାଙ୍କ ଅନ୍ନ]

ପର୍ବ ପର୍ବାଣି ସମୟର ବିଶେଷ ଭୋଗ[ସମ୍ପାଦନା]

  • ଅଣସର ସମୟରେ: ଧୁଆମୁଗ ଓ ପଣା
    • ଅଣସର ଏକାଦଶୀ: ଆଷାଢ଼ କୃଷ୍ଣ ଏକାଦଶୀ: ଦଶମୂଳ ମୋଦକ
  • ଜନ୍ମାଷ୍ଟମୀ: ରାଶିଲଡୁ, ରାଶିକୋରା
  • ଭାଦ୍ରବ କୃଷ୍ଣ ଦଶମୀ: ଗୁଆ, ନଡିଆ
  • ଭାଦ୍ରବ ଅମାବାସ୍ୟା: ସପ୍ତପୁରୀ (ସକାଳଧୂପ ସହ)
  • କାର୍ତ୍ତିକ ମାସରେ: ହରିବଲ୍ଲଭ ଲିଆ (ବଲ୍ଲଭ ଭୋଗ ସହିତ)

ପହିଲିଭୋଗ[ସମ୍ପାଦନା]

ଧନୁ ସଂକ୍ରାନ୍ତି ଦିନଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଏକମାସ ବ୍ୟାପି ପହିଲିଭୋଗ ନୀତି ଆରମ୍ଭ ହୋଇଥାଏ ।[୪] ଧନୁସଂକ୍ରାନ୍ତି ଦିନଠାରୁ ମା' ଲକ୍ଷ୍ମୀ ପିତ୍ରାଳୟକୁ ଗମନ କରୁଥିବାରୁ ମାତା ଯଶୋଦା ଖୁବ ପ୍ରତ୍ୟୁଷରୁ ଭୋଗ ରାନ୍ଧି ସନ୍ତାନମାନଙ୍କୁ ଖାଇବାକୁ ଦିଅନ୍ତି ।[୫] ଏହାପରେ ଅନ୍ୟାନ୍ୟ ଧୂପ ସବୁ ହୁଏ । ତେଣୁ ଏହା ପହିଲି ବା ପ୍ରଥମ ଭୋଗ ।

ବିଶେଷତ୍ୱ[ସମ୍ପାଦନା]

ବାତ୍ସଲ୍ୟ ରସର ନିଦର୍ଶନ ପହିଲିଭୋଗରେ ଶ୍ରୀଜଗନ୍ନାଥ ମହାପ୍ରଭୁ ତାଙ୍କ ମାଆଙ୍କ ହାତ ରନ୍ଧା ଖାଇଥାନ୍ତି । ଆକାଶରେ ନକ୍ଷତ୍ର ଥିବା ସହ କୁଆ କା’ କରିବା ପୂର୍ବରୁ ପ୍ରଭୁଙ୍କୁ ପହିଲି ଭୋଗ ଅର୍ପଣ କରିବାର ବିଧି ରହିଛି । ମାଆ ପୁଅପାଇଁ ରୋଷେଇକରୁଥିବାରୁ ଅନ୍ୟାନ୍ୟ ଦିନ ଅପେକ୍ଷା ଏହି ଦିନମାନଙ୍କରେ ଭୋଗ ଶିଘ୍ର ହେଉଛି ବୋଲି ଭକ୍ତମାନଙ୍କ ମଧ୍ୟରେ ଏକ ବିଶ୍ୱାସ ରହିଛି । ଏହି ମାସରେ ଲକ୍ଷ୍ମୀ ତାଙ୍କ ବାପଘରକୁ ବୁଲିଯିବେ, ତେଣୁ ଦ୍ୱାପରଯୁଗରେ ମା’ ଯଶୋଦା ଶ୍ରୀକୃଷ୍ଣଙ୍କୁ ଖୁଆଇବା ପରି, ମା' ଯଶୋଦା ରାମକୃଷ୍ଣ ଦୁଇ ଭାଇଙ୍କୁ ସକାଳୁ ଆରିଶା, କାକରା, ବଡ଼ା, ଖଇରଚୂଳ, ଚୁଡ଼ା ଖୁଆ, ଅମାଲୁ, ବିରିବଡ଼ି ଆଦି ଅନେକ ପ୍ରକାରର ନିସଙ୍କୁଡ଼ି ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରି ଖୁଆଇଥାନ୍ତି ବୋଲି ସାଧରଣରେ ବିଶ୍ୱାସ ରହିଛି ।[୬]

  • ମକର ସଂକ୍ରାନ୍ତି: ମକର ଚାଉଳ ଓ ଧନୁ ମୁଆଁ (ମଧ୍ୟାହ୍ନ ଧୂପ ପରେରେ)
  • ଚୈତ୍ର ଶୁକ୍ଳ ଅଷ୍ଟମୀ: ଜେଉଡ଼ ଭୋଗ
  • ଅକ୍ଷୟ ତୃତୀୟାଠାରୁ ୨୧ ଦିନ ପର୍ଯ୍ୟନ୍ତ: ମାଣ୍ଡୁଆ ଭୋଗ (ଚନ୍ଦନ ମଣ୍ଡପରେ), ଓ ତାପରେ ବିଡିଆ ମଣୋହି
  • ବିଭିନ୍ନ ବେଶ ସମୟରେ: ବେଶ କ୍ଷୀରି

ଅବକାଶ[ସମ୍ପାଦନା]

ଅବକାଶ: ପୁରୀ ଶ୍ରୀଜଗନ୍ନାଥ ଓ ଅନ୍ୟାନ୍ୟ ଦେବତାଙ୍କ ଦିବସର ଯେଉଁ ନିର୍ଦ୍ଧିଷ୍ଟ ସମୟରେ ନୀତି (ଯଥା-ବେଶଲାଗି, ସ୍ନାନ) ବଢ଼ୁଥିବାରୁ ତାଙ୍କୁ ଯାତ୍ରୀମାନେ ଦର୍ଶନ କରି ପାରନ୍ତି ନାହିଁ ।

  • ପ୍ରଥମ ଅବକାଶ- ଅତି ପ୍ରତ୍ୟୁଷରେ ମଙ୍ଗଳ ଆଳତି ହେବା ପରେ ପ୍ରଭାତ ଅବକାଶ; (ଏ ସମୟରେ ଦିଅଁଙ୍କର ଦାନ୍ତଘସା, ସ୍ନାନ ଓ ବେଶଲାଗି ନୀତିମାନ ବଢ଼ୁଥାଏ)
  • ଦ୍ୱିତୀୟ ଅବକାଶ- ସକାଳ ଧୂପ ପରେ ବେଶ ଉଲାଗି ହୋଇ ନୂଆ ବେଶ ପରିବର୍ତ୍ତନ ବେଳେ ଦ୍ୱିତୀୟ ଅବକାଶ- ତତ୍ପରେ ‘ବୀର କେଶରୀ ବଲ୍ଲଭ’ ବା ‘ଭୋଗମଣ୍ଡପ ଭୋଗ’ ନୈବେଦ୍ୟ ଅର୍ପଣ।
  • ତୃତୀୟ ଅବକାଶ- ‘ବୀର କେଶରୀ ବଲ୍ଲଭ’ ବା ‘ଭୋଗମଣ୍ଡପ ଭୋଗ’ ପରେ ବେଶ ଉଲାଗି ହୋଇ ନୂଆ ବେଶ ପରିବର୍ତ୍ତନବେଳେ ତୃତୀୟ ଅବକାଶ ।
  • ଚତୁର୍ଥ ଅବକାଶ- ସନ୍ଧ୍ୟା ଆଳତି ପରେ ବେଶ ପରିବର୍ତ୍ତନ ସମୟରେ ଚତୁର୍ଥ ଅବକାଶ।
  • ପଞ୍ଚମ ଅବକାଶ- ସଞ୍ଜଧୂପ ପରେ ବେଶ ପରିବର୍ତ୍ତନ ବା ବଡ଼ସିଂହାର ବେଶ ହେବା ସମୟରେ ପଞ୍ଚମ ଅବକାଶ, ତତ୍ପରେ ‘ବଡ଼ ସିଂହାର ଭୋଗ’ ନୈବେଦ୍ୟ ଅର୍ପଣ, ତାପରେ ରାତି-ପହଡ଼;

ଅବକାଶ ସମୟରେ କେବଳ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ସେବକଙ୍କ ଛଡ଼ା ଅନ୍ୟ କେହି ଜଗନ୍ନାଥଙ୍କ ଛାମୁଙ୍କୁ ଯାଇ ପାରନ୍ତି ନାହିଁ ଓ ଏ ସମୟରେ ଦେଉଳର ଭିତର ଦ୍ୱାର ବନ୍ଦ ରହେ ।

ପହଡ଼[ସମ୍ପାଦନା]

ଦିନରେ ଦ୍ୱିତୀୟ ଧୂପ ପରେ ଓ ରାତିରେ ବଡ଼ସିଂହାର ଭୋଗ ପରେ ଦେବଙ୍କର ପହଡ଼ ବା ନିଦ୍ରା ହୁଏ । ସେହି ସମୟରେ ଯାତ୍ରୀମାନେ ଦେବଙ୍କୁ ଦର୍ଶନ କରିପାରନ୍ତି ନାହିଁ; କିନ୍ତୁ ଏ ଦୁଇ ସମୟକୁ ‘ଅବକାଶ’ ବୋଲା ନ ଯାଇ ‘ପହଡ଼’ ବୋଲାଯାଏ ।

କେହି କେହି ଉପବର୍ଣ୍ଣିତ ତିନି ଧୂପ (ସକାଳଧୂପ, ଦିପହର ଧୂପ ଓ ସଞ୍ଜଧୂପ) ସଙ୍ଗେ ଦ୍ୱିତୀୟ ଅବକାଶର ପରବର୍ତ୍ତୀ ‘ବୀରକେଶରୀବଲ୍ଲଭ’ ବା ‘ଭୋଗମଣ୍ଡପ ଭୋଗ’କୁ ଗୋଟିଏ ଧୂପ ଏବଂ ପଞ୍ଚମ ଅବକାଶର ପରବର୍ତ୍ତୀ ‘ବଡ଼ସିଂହାର ଭୋଗ’କୁ ଗୋଟିଏ ଧୂପ ରୂପେ ଗଣି ୫ ଧୂପ ଏବଂ ଦିନ ଓ ରାତିର ଦୁଇ ପହଡ଼କୁ ଅବକାଶ ରୂପେ ଗଣି ୭ ଅବକାଶ ହିସାବରେ ମୋଟ ‘୫ଧୂପ ଓ ୭ଅବକାଶ’ ବୋଲି କହନ୍ତି ।

ଦର୍ଶନ[ସମ୍ପାଦନା]

ସାହାଣ ମେଲା[ସମ୍ପାଦନା]

ଶ୍ରୀମନ୍ଦିରରେ ବିନା ମୂଲ୍ୟରେ ସାହାଣମେଲା ସମୟରେ ସାଧାରଣ ଯାତ୍ରୀମାନେ ଗର୍ଭଗୃହ ଭିତରେ ପ୍ରବେଶ କରି ଜଗନ୍ନାଥଙ୍କୁ ରତ୍ନବେଦୀ ନିକଟରୁ ଅବାଧରେ ଦର୍ଶନ କରନ୍ତି ।[୭] ସାଧାରଣତଃ ଦିନକୁ ଦୁଇଥର ସାହାଣମେଲା ହୋଇଥାଏ, ଥରେ ସକାଳ ଅବକାଶ ପରେ ଓ ଅନ୍ୟଟି ସନ୍ଧ୍ୟା ଆଳତି ପରେ, କିନ୍ତୁ ବେଳେ ବେଳେ ଏଥିରେ ବ୍ୟତିକ୍ରମ ଦେଖାଯାଏ ।[୮]

ପରିମାଣିକ ଦର୍ଶନ[ସମ୍ପାଦନା]

ଶ୍ରୀମନ୍ଦିରରେ ସାହାଣ ମେଲା ବ୍ୟତିତ ପରିମାଣିକ ଦର୍ଶନର ମଧ୍ୟ ବ୍ୟବସ୍ଥା ଅଛି । ଆଗ୍ରହୀ ଶ୍ରଦ୍ଧାଳୁମାନେ ୫୦ଟଙ୍କା[୯] ଲେଖାଏଁ ଟିକେଟ କାଟି ପରିମାଣିକ ଦର୍ଶନରେ ଭିତରକାଠ ପାଖରୁ ଠାକୁରଙ୍କୁ ଦର୍ଶନ କରିବାର ବ୍ୟବସ୍ଥା ରହିଛି । ଶ୍ରୀମନ୍ଦିର ସ୍ୱତ୍ୱଲିପି ମୁତାବକ ୩ଥର ପରିମାଣିକ ଦର୍ଶନ ବ୍ୟବସ୍ଥା ଥିଲେ ମଧ୍ୟ ଏବେ ୮ଥର (ମଙ୍ଗଳ ଆଳତି, ଅବକାଶ, ସକାଳ ଧୂପ, ଭୋଗ ମଣ୍ଡପ, ମଧ୍ୟାହ୍ଣ ଧୂପ, ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ ଓ ଚନ୍ଦନ ଲାଗି)[୧୦] ଏହି ଦର୍ଶନ ହେଉଛି । ସାହାଣମେଲା ଦର୍ଶନରେ ହେଉଥିବା ଗହଳି ଯୋଗୁଁ ବହୁ ଦର୍ଶକ ପରିମାଣିକ ଟିକେଟ କାଟି ଦର୍ଶନ କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି ।

ପାକ[ସମ୍ପାଦନା]

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ନୈବେଦ୍ୟ ୪ ପ୍ରକାର ପାକରେ ପ୍ରସ୍ତୁତ ହୋଇଥାଏ ଯଥା:[୧୧]

  1. ଭୀମପାକ
  2. ନଳପାକ
  3. ସୌରୀ ପାକ
  4. ଗୌରୀ ପାକ

ଆଧାର[ସମ୍ପାଦନା]

  1. "Dailly Rituals - Devotee Care Center". devoteecare.fullorissa.com. 2012. Archived from the original on 13 December 2012. Retrieved 25 December 2012. This bhog is also called kotha bhog or Raja bhog
  2. "Daily Rituals of Lord Jagannath, nitis of jagannath". fullorissa.com. 2012 [last update]. Archived from the original on 15 March 2013. Retrieved 25 December 2012. It is traditionally done in order to facilitate the pilgrims, the various mathas and other institutions, private individuals as well as the Suaras (temple cooks) who sell Mahaprasad, to offer bhoga in large quantities, {{cite web}}: Check date values in: |year= (help)
  3. "Rathyatra-ARTICLES". salagram.net. 2007. Retrieved 26 December 2012. According to the demand, Bhogamandap Puja is made twice or thrice a day i.e. after "Madhyanha Dhoop" and "Sandhya Dhup" also.
  4. "Jagannath temple to remain open throughout Dec 31 night". dailypioneer.com. 2012. Retrieved 25 December 2012. The Pahili Bhog is the traditional morning offering to the Trinity which continues from the Dhanu Sankranti to Makara Sankranti as per the Odia almanac.
  5. "Devotees throng Jagannath Temple for 'Pahili Bhoga'". OdishaSunTimes.com. Retrieved 16 January 2016.
  6. "The Sampradaya Sun - Independent Vaisnava News - Feature Stories - June 2011". harekrsna.com. 2011. Retrieved 26 June 2012. as Laksmi Devi goes to Her mother's house, also. The Mothers must feed Jagannath just as Mother Yasoda feeds baby Krishna
  7. "Darshan - Jagannath Temple". jagannathtemplepuri.com. Retrieved 25 December 2012. During Sahanamela, the devotees can go up to the 'Ratna Simhasana' and pray to Lords, free of cost.
  8. http://www.shreekhetra.com/sridaily2.html
  9. "Protest against devotee queues". The Times of India. Retrieved 16 January 2016.
  10. "ପରିମାଣିକ ଦର୍ଶନ ଟିକେଟ କଳାବଜାର". ଧରିତ୍ରୀ. Retrieved 16 January 2016.
  11. "BHOGAS OF JAGANNATH". jagannath.orissaculture.com. 2009. Retrieved 26 June 2012. Cooking Process are of 4 Types.

ଅଧିକ ତଥ୍ୟ[ସମ୍ପାଦନା]