ନାଗାର୍ଜୁନ ବେଶ

ଉଇକିପିଡ଼ିଆ‌ରୁ
ନାଗାର୍ଜୁନ ବେଶରେ ଜଗନ୍ନାଥଙ୍କୁ ସଜାଯାଇଛି

ନାଗାର୍ଜୁନ ବେଶ (ପର୍ଶୁରାମ ବେଶ ନାମରେ ମଧ୍ୟ ଜଣା) ଜଗନ୍ନାଥ ମନ୍ଦିରରେ ଦିଅଁମାନଙ୍କୁ କରାଯାଉଥିବା ବେଶଗୁଡ଼ିକ ଭିତରୁ ଏକ । ଯେଉଁ ବର୍ଷ କାର୍ତ୍ତିକ ମାସରେ ପଞ୍ଚକ ଛଅ ଦିନ ପଡ଼େ ସେହି ବର୍ଷ ମଳ ତିଥିରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାସୁଦର୍ଶନଙ୍କ ନାଗାର୍ଜୁନ ବେଶ ହୁଏ ।[୧] ଅତୀତରେ ଏହି ବେଶ ୧୯୯୪ ମସିହା ନଭେମ୍ବର ୧୬ ତାରିଖରେ, [୨] ଓ ତା ପୂର୍ବରୁ ୧୯୯୩ ନଭେମ୍ବର ୨୬, ୧୯୬୮ ନଭେମ୍ବର ୩, ୧୯୬୭ ନଭେମ୍ବର ୧୬ ଓ ୧୯୬୬ ନଭେମ୍ବର ୨୬ରେ ପାଳିତ ହୋଇଥିଲା । [୩] ପରବର୍ତ୍ତୀ ନାଗାର୍ଜୁନ ବେଶ ୨୭ ନଭେମ୍ବର ୨୦୨୦, ଶୁକ୍ରବାର କାର୍ତ୍ତିକ ଶୁକ୍ଳ ମଳ ଦ୍ୱାଦଶୀ ତିଥିରେ ଅନୁଷ୍ଠିତ ହେବ ।[୪]

ପୁରୀରେ ଅଧିଷ୍ଠିତ ସିଦ୍ଧ ମହାବୀରଙ୍କୁ ମଧ୍ଯ ମାର୍ଗଶିର ମାସ କୃଷ୍ଣ ପଞ୍ଚମୀରେ (ପଞ୍ଚତୀର୍ଥ ଦିନ) ଓ ବୈଶାଖ, ମେଷ ପଣା ସଂକ୍ରାନ୍ତି ଦିନ ନାଗା ବେଶରେ ସଜାଇ ଦିଆଯାଏ । ପୁରୀର ସାହି ଯାତର ପରମ୍ପରା ସହ ବାଲ୍ମିକୀ ରାମାୟଣର ପର୍ଶୁରାମଙ୍କ ବର୍ଣ୍ଣିତ ରୂପ ସହ ଜଗନ୍ନାଥଙ୍କ ନାଗାର୍ଜୁନ ବେଶର ସାଦୃଶ୍ଯ ରହି ଥିବାରୁ ତାହା ରାମାନନ୍ଦଙ୍କ ପ୍ରଭାବରେ ଆରମ୍ଭ ହୋଇଛି ବୋଲି ଅନୁମାନ କରାଯାଉଛି । ଏହି ବେଶରେ ଜଗନ୍ନାଥଙ୍କ ମୁଖରେ ବିଶେଷ ସାହିଯାତ ନାଗା ଶୈଳୀର ଦାଢ଼ି ରହିବା ବିଶେଷ ଉଲ୍ଲେଖଯୋଗ୍ୟ ।

ବେଶ ବିଧି[ସମ୍ପାଦନା]

ଏହି ବେଶରେ ଠାକୁରମାନେ ମୁଖ୍ଯତଃ ସୋଲ, କନା ଜରି, ବେତରେ ନିର୍ମିତ ହାଣ୍ଡିଆ, ଢେଣୁ, ନିଶ, ଦାଢ଼ି, ଛୁରୀ, କଟୁରୀ, ବାଘଛାଲ, ସ୍ୱର୍ଣ୍ଣଶ୍ରୀଭୂଜ, ଶ୍ରୀପୟର, ବାଘନଖ ମାଳି, ଶଙ୍ଖ, ଚକ୍ର ଓ ହଳ, ମୂଷଳ ଇତ୍ଯାଦି ଧାରଣ କରିଥାନ୍ତି ।

ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ଯାଏଁ ଜଗନ୍ନାଥ ମନ୍ଦିରରେ ଦିଅଁମାନଙ୍କର ବିଶେଷ ନୀତି ପାଳନ ହେବା ସହ ସେମାନଙ୍କୁ ଆଶ୍ୱିନ ଶୁକ୍ଳ ଏକାଦଶୀରୁ କାର୍ତ୍ତିକ ଶୁକ୍ଳ ଦଶମୀ ଯାଏଁ ରାଧାଦାମୋଦର ବେଶରେ ସଜାଯାଇଥାଏ । ତେବେ ଶୁକ୍ଳ ଏକାଦଶୀରୁ ପୂର୍ଣ୍ଣମୀ ଯାଏଁ ବିଭିନ୍ନ ବେଶରେ ସେମାନଙ୍କୁ ଭକ୍ତମାନେ ଯଥାକ୍ରମେ ଲକ୍ଷ୍ମୀ ନାରାୟଣ ବେଶ, ବାଙ୍କଚୂଡ଼ା ବେଶ, ତ୍ରିବିକ୍ରମ ବେଶ, ଡାଳିକିଆ ବେଶସୁନାବେଶରେ ଦର୍ଶନ କରିଥାନ୍ତି ।

ଇତିହାସ[ସମ୍ପାଦନା]

ଏହି ବେଶ ଅତ୍ଯନ୍ତ ପୁରୁଣା ନହେଲେ ମଧ୍ଯ ପୁରୀର ସାହି ଯାତରେ ବାହାରୁ ଥିବା ନାଗା ସଂସ୍କୃତିର ଅନୁକରଣରେ କୈଣସି ଭକ୍ତଙ୍କ ଆଗ୍ରହରେ ଏହି ବେଶ ସୃଷ୍ଟି ହୋଇଥିବା ସମ୍ଭବ ।

ପୁରାଣ[ସମ୍ପାଦନା]

ପୁରାଣ ମତେ ପର୍ଶୁରାମଙ୍କ ସହସ୍ରାର୍ଜ୍ଜୁନ ବଧ କିମ୍ବା ଅର୍ଜୁନ ଓ ତାଙ୍କ ପୁତ୍ର ନାଗାର୍ଜୁନ ମଧ୍ଯରେ ହୋଇଥିବା ଯୁଦ୍ଧର ସ୍ମୃତି ସ୍ୱରୂପ ଏହି ବେଶ ଅନୁଷ୍ଠିତ ହୁଏ ।[୫] ଏହି ବେଶ ଯୋଦ୍ଧା ଓ ସନ୍ଯାସୀର ସମ୍ମିଶ୍ରଣ ବେଶ ଥିଲା । ଅର୍ଜୁନ ନିଜ ପୁତ୍ର ସହସ୍ରାର୍ଜୁନଦ୍ୱାରା ପରାସ୍ତ ହେଇଥିଲେ । ସହସ୍ରାର୍ଜ୍ଜୁନ ଶ୍ରୀକୃଷ୍ଣଙ୍କ ଅନ୍ୟ ଏକ ରୂପେ । ମହାଭାରତ ଅନୁସାରେ ବନବାସ ସମୟରେ କିରାତ ବେଶଧାରୀ ଶିବ ସହ ଅର୍ଜୁନଙ୍କ ମଧ୍ୟରେ ଯୁଦ୍ଧ ହେଲା । ଅର୍ଜୁନ ପରାସ୍ତ ହେଲେ ମଧ୍ଯ ଶିବ ଅନେକ ଦିବ୍ଯ ଅସ୍ତ୍ର ପ୍ରଦାନ କଲେ । କିରାତାର୍ଜୁନ କହିଲେ ଯେପରି ଶିବଙ୍କୁ ବୁଝାଏ ସେପରି ନାଗାର୍ଜୁନ ବିଷ୍ଣୁଙ୍କର ଏକ ରୂପ । ଶିବ ଓ ବିଷ୍ଣୁଙ୍କର ସମନ୍ୱୟ ସାଧିତର ପ୍ରତୀକ ହେଲା ନାଗାର୍ଜୁନ ବେଶ ।

ନାଗା ସନ୍ଯାସୀମାନେ ଉଲଙ୍ଗତା, ଉଦଣ୍ଡତା ତଥା ବୀରତା ପାଇଁ ପ୍ରସିଦ୍ଧ । ଅତୀତରେ ଏମାନେ ମନ୍ଦିରର ସୁରକ୍ଷା ଦାୟିତ୍ୱରେ ଥିଲେ । ଅତୀତରେ ନାଗା ସନ୍ଯାସୀ ଜଗନ୍ନାଥଙ୍କୁ ନାଗା ବେଶରେ ଦେଖିବା ପାଇଁ ଇଚ୍ଛା କରିଥିବାରୁ ଶ୍ରୀଜଗନ୍ନାଥ ଇଛା ପୂରଣ କରି ନାଗାର୍ଜୁନ ବେଶରେ ଉଭା ହୋଇଥିବାର କିମ୍ବଦନ୍ତୀ ରହିଛି । ପଦ୍ମ ପୁରାଣର ଉତ୍ତରଖଣ୍ଡ ବର୍ଣ୍ଣନା ଅନୁସାରେ କାର୍ତ୍ତିକ ମାସ ଭଗବତ ଆରାଧନା, ଉପାସନା ଆଦି ଦୃଷ୍ଟିରୁ ଶ୍ରେଷ୍ଠ ହୋଇଥିବାରୁ ଏହି ମାସରେ ନାଗାର୍ଜୁନ ବେଶ ହୋଇଥାଏ ।

ଆଧାର[ସମ୍ପାଦନା]

  1. "Lord Jagannath - Nagarjuna Besha of Lord Jagannath , Beshas of Lord Jagannath | orissa.oriyaonline.com". orissa.oriyaonline.com. 2012. Retrieved 24 June 2012. This vesha honors Parasurama, the warrior incarnation
  2. "Jay Jagannath Yatra". jayjagannathyatra.com. Retrieved 12 November 2012. In the recent past this besha has been done on 16/11/1994.
  3. "Puri Yatra". puritrip.com. Retrieved 12 November 2012. The previous four dates were 26/11/1993 , 3/11/1968 , 16/11/1967 and 26/11/1966
  4. କୋହେନୂର ପ୍ରେସ ପଞ୍ଜିକା, ୨୦୧୦-୨୦୧୧, ପୃଷ୍ଠା: ୧୫
  5. "Naga-Arjuna Besha – Costume Of Lord Jagannath | PURIWAVES". puriwaves.nirmalya.in. 2013. Retrieved 29 July 2013. This Vesha is observed during Kartik month occasionally when Panchuka (last five days of Kartika month) observed as six days instead of five