ମାଦଳା ପାଞ୍ଜି

ଉଇକିପିଡ଼ିଆ ରୁ
Jump to navigation Jump to search

ମାଦଳା ପାଞ୍ଜି ଓଡ଼ିଶାରେ ରାଜତ୍ୱ କରୁଥିବା ବିଭିନ୍ନ ରାଜବଂଶର ଏକ ଇତିହାସ ପୋଥି ତଥା ପୁରୀ ଜଗନ୍ନାଥ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ପାଖରେ ପୂଜିତ । ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀଠାରୁ ଉନବିଂଶ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥଙ୍କ ଇତିବୃତ୍ତ ଏଥିରୁ ମିଳିଥାଏ । ରାଜା ଓ ମନ୍ଦିରର ଇତିହାସ ଲେଖିବାପାଇଁ ସଙ୍କଳ୍ପ କରିଥିବା ଲିଖନକାରମାନେ ମଝିରେ ମଝିରେ ବିଭିନ୍ନ କିମ୍ବଦନ୍ତୀ ପ୍ରୟୋଗ କରିବାରେ ଗ୍ରନ୍ଥଟି ସାହିତ୍ୟିକ ମର୍ଯ୍ୟାଦା ଲାଭ କରିପାରିଛି । ଓଡ଼ିଆ ଗଦ୍ୟ ସାହିତ୍ୟର ବିକାଶରେ ଉଭୟ ଭାଷା ଓ ଶୈଳୀ ଦୃଷ୍ଟିରୁ ମାଦଳାପାଞ୍ଜିର ସ୍ଥାନ ସ୍ୱତନ୍ତ୍ର ।

ଇତିହାସ[ସମ୍ପାଦନା]

ମାଦଳାପାଞ୍ଜିର ନାମକରଣ ସମ୍ପର୍କରେ ଭିନ୍ନ ଭିନ୍ନ ମତ ମିଳିଥାଏ । ୧୯୧୯ ମସିହାରେ ଐତିହାସିକ ମଦନମୋହନ ଚକ୍ରବର୍ତ୍ତୀ ଲେଖିଥିଲେ ‘ମୁଦଲ ଅର୍ଥ ବନ୍ଦ କରିବା’ । ତାଙ୍କ ମତରେ ମୁଦଲ – ମୁଦଳା – ମାଦଳା ଶବ୍ଦର ଉତ୍ପତ୍ତି ହୋଇଛି । [୧] ୧୯୨୭ ମସିହାରେ ରମାପ୍ରସାଦ ଚନ୍ଦ ‘ଓଡ଼ିଶା ଇତିହାସ’ରେ ମାଦଳା ସମ୍ପର୍କରେ ଲେଖିଥିଲେ ‘ମର୍ଦ୍ଦଳ’ ଜାତୀୟ ଏକ ବାଦ୍ୟ ଶବ୍ଦରୁ ମାଦଳାର ଉତ୍ପତ୍ତି । ତାଙ୍କ ମତରେ ମର୍ଦ୍ଦଳ – ମଦ୍‌ଦଳ – ମଦଳ – ମଦଳା – ମାଦଳା ଏହିପରି ହୋଇଛି । [୨] ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ମତରେ ‘ପାଞ୍ଜି’ ଲେଖିସାରିବାପରେ ଲିଖନକାରମାନେ ଏହାକୁ ମର୍ଦ୍ଦଳାକାରରେ ବାନ୍ଧୁଥିଲେ ଏବଂ ମୁଦଦେଇ ଶ୍ରୀମନ୍ଦିରରେ ରଖୁଥିଲେ, ତେଣୁ ଏହାକୁ ମାଦଳାପାଞ୍ଜି କୁହାଯାଏ । [୩] ଅଧ୍ୟାପକ କୃଷ୍ଣଚନ୍ଦ୍ର ଷଢ଼ଙ୍ଗୀଙ୍କ ମତରେ ‘ମଦଳା’ ଆଭିଧାନିକ ଅର୍ଥ ଅପୂର୍ଣ୍ଣ ବା କାନ୍ତିଆ । ଶ୍ରୀଜଗନ୍ନାଥ ଅସମ୍ପୂର୍ଣ୍ଣ ହୋଇଥିବାରୁ ତାଙ୍କୁ ମାଦଳା କୁହାଯାଏ । ମାଦଳାପାଞ୍ଜିକୁ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ଲିଖନ ହୋଇଥିବାରୁ ଏହାକୁ ‘ମାଦଳାପାଞ୍ଜି’ କହିବା ଯଥାର୍ଥ ।[୪]

ଓଡ଼ିଶାର ଇତିହାସକୁ ମାଦଳାପାଞ୍ଜି ବହନ କଲେହେଁ ଲିଖନକାରମାନେ ବହୁ କିମ୍ବଦନ୍ତୀ ଓ କାହାଣୀ ସଂଯୋଗ କରି ସାହିତ୍ୟିକ ମର୍ଯ୍ୟାଦା ନେଇଛନ୍ତି । ପାଞ୍ଜି ମଧ୍ୟସ୍ଥ କାହାଣୀ ମଧ୍ୟରେ ଚୋଡ଼ଗଙ୍ଗ ଦେବଙ୍କ ସମୟରେ ନିତେଇ ଧୋବଣୀ କଥା ଚୋଡ଼ଗଙ୍ଗ ଦେବଙ୍କ ନିଜ କନ୍ୟା ସହ ଅବୈଧ ପ୍ରେମ ଓ ପ୍ରାୟଶ୍ଚିତ କଥା, ବୌଦ୍ଧଭ୍ରମଣ ଓ ବ୍ରାହ୍ମଣ ପରୀକ୍ଷା କଥା, ଅନଙ୍ଗଭୀମଦେବଙ୍କ ସମୟର ପଶୁପାଳକଥା, ସିବେଇସାମନ୍ତରା ଜାଉଖିଆ କଥା, ଅନ୍ଧଦଇତା ଦାସ କଥା, କପିଳେନ୍ଦ୍ରଙ୍କ ସମୟରେ ନାଗସାପ ପ୍ରସଙ୍ଗ ପ୍ରଧାନ । ଏସବୁ ଗଳ୍ପ ଓଡ଼ିଶାର ପୁରପଲ୍ଲୀରେ ବହୁଳ ପ୍ରଚଳିତ ।

କାହାଣୀ ନମୁନା[ସମ୍ପାଦନା]

ଚୁଡଗଙ୍ଗଙ୍କ ସମ୍ବନ୍ଧରେ[ସମ୍ପାଦନା]

ଏ ରାଜା ବ୍ରାହ୍ମଣମାନଙ୍କୁ ପଚାରିଥିଲେ । ଯଉ ଫଳ ଉପୁଯାଇ ସେ ଫଳ ଖାଇ କି ନଖାଇ । ତହିଁକି ବ୍ରାହ୍ମଣେ ବୋଇଲେ ଯେ ଫଳ ଉପୁଯାଇ ସେ ଫଳ ଖାଇ । ସେଠାରୁ ରାଜା ଝିଅଙ୍କ ସଂଗେ ଅଙ୍ଗସଙ୍ଗ ହେଲେ । ସେ ଝିଅ ଗର୍ଭବାସ ହେଲେ । ତହିଁ ସକାସୁଁ ସେ କଥା ପ୍ରଘଟ ହେଲା ସେଠାରୁ ରାଜା ବ୍ରାହ୍ମଣଙ୍କୁ ପଚାରିଲେ ତହିଁକି ବ୍ରାହ୍ମଣମାନେ କହିଲେ ‘ତୁମ୍ଭେ ଝିଅ ସଂଗେ ଅଙ୍ଗସଙ୍ଗ ହେଲ । ଏକଥା ଗର୍ହିତ ହେଲା । ଏକଥା ଉଚିତ ନୁହଁ । ତହିଁକି ରାଜା ପଚାରିଲେ ଏଥିକି ପ୍ରାଶ୍ଚିତ । ତହିଁକି ବ୍ରାହ୍ମଣ କହିଲେ ‘ଦୁଇ ମାଠିଆ ପାଣି ଘେନି ଚାଲିଯିବ, ତାହା ଗୋଡରୁ ଯେଉଁଠାରେ ରୁଧିର ଜାତ ହେବ ସେଇଠାରେ ଚାରିବାହି ଆୟତନରେ ପୋଖରୀ ଖୋଳାଯିବ । ମଧ୍ୟରେ ଦୀପିଦଣ୍ଡି ହେବ । ତହିଁ ଭିତରେ ସେ ଝିଅ ରହିବ । କାହାରି ମୁଖ ନ ଚାହିଁବ । ଏମନ୍ତ ଯେ ସେ ତାହାଙ୍କ ବିହକ ରହି । ତୁମ୍ଭ ଉପସ୍ଥ କଟାହୋଇ ଦୁମ ହୋଇଯିବ । ତେବେ ସେ ତହିଁରେ ଦୋଷଯିବ । ସେଠାରୁ ସେ ରାଜା ଏହା ଶୁଣି ଝିଅଙ୍କ ହାତରେ କାଖରେ ପାଣି ଦୁଇ ମାଠିଆ ଦେଇ ଚଳାଇଲେ । ଏ ଝିଅଙ୍କୁ ଏ ରୂପେ ଚଳାଇଲା ବେଳକୁ ରାଜ୍ୟଲୋକେ ଶୁଣି ବହୁତ ଉପହାସ କଲେ । ରାଜା ବଡ ସଂକୋଚ ପାଇଲେ ଝିଅକୁ ନଅରକୁ ନେଲେ । ଏ ଉତ୍ତାରୁ ଝିଅଙ୍କୁ ଯେଉଁଯାଏ ବୁଲାଇଲେ ରକତ ଗୋଡରୁ ବହିନଥିଲା । ସୀମାନ୍ତ ଘେନି ପୋଖରୀ ଦିପଦଣ୍ଡି କଲେ । ଦିପଦଣ୍ଡି କରି ଝିଅକୁ ଆଣି ତହିଁରେ ରଖିଲେ । ରାଣୀମାନେ ରାଜାଙ୍କ ମୁଣ୍ଡଛେଚି ମାଇଲେ ସେଇଦିନୁ ପୋଖରୀ କୌଶଲ୍ୟାଗଙ୍ଗ ହୋଇଲା ।

ଏହି କିମ୍ବଦନ୍ତୀରେ ତତ୍‌କାଳୀନ ବ୍ରାହ୍ମଣମାନଙ୍କର କଥା କିପରି ରାଜା ଗ୍ରହଣ କରୁଥିଲେ ଏହା ମାତ୍ର ଉଦାହରଣ । ଏତଦ୍‌ବ୍ୟତୀତ ପାପପୁଣ୍ୟର ବିଚାର ଗଳ୍ପରେ ପରିଲକ୍ଷିତ ହୋଇଥାଏ ।

କପିଳେନ୍ଦ୍ର ଦେବଙ୍କ ସମ୍ବନ୍ଧରେ[ସମ୍ପାଦନା]

ଗଜପତି କପିଳେନ୍ଦ୍ର ଦେବଙ୍କ ବାବଦରେ ପାଞ୍ଜିରେ ବହୁ କାହାଣୀ ଦୃଷ୍ଟିଗୋଚର ହୋଇଥାଏ । ସେଥିମଧ୍ୟରୁ କପିଳା ମୁଣ୍ଡ ଉପରେ ସାପ ଫଣା ଟେକି ଛାଇକୁ ପ୍ରତିରୋଧ କରିବା ଏବଂ ସେ ରାଜା ହେବା କାହାଣୀଟି ହେଉଛି:

କପିଳ ଗଛମୂଳେ ଶୋଇଅଛନ୍ତି ମୁହଁରେ ଖରା ପଡ଼ିଲାକୁ ନାଗସାପ ଫଣା ଟେକିଅଛି । ଏମନ୍ତ ଦେଖି କପିଳ କି ବ୍ରାହ୍ମଣ ଉଠାଇ ଦେଖିଲେ କିଛି ଆପଦ ନାହିଁ । ସେ ଦିନୁ ବ୍ରାହ୍ମଣ କପିଳଠାରେ ବଡ ସୁଖ କରିଥାଇ । ଥୋକାଏ ଦିନ ଉତ୍ତାରେ ବ୍ରାହ୍ମଣ ଘରୁ କପିଳ ବାହାର ହୋଇ ତେରାଟିଆଙ୍କ ସଙ୍ଗେ ସାଙ୍ଗ ହୋଇ ଚୋରି କଲେ । ପୁଣି ଥୋକାଏ ଦିନ ଉତ୍ତାରୁ ଭିକାରି ହୋଇ ଶ୍ରୀପୁରୁଷୋତ୍ତମ କ୍ଷେତ୍ରେ ମାଗି ଖାଆନ୍ତି । ଏମନ୍ତରେ ରାଜା ବିମ୍ବଳାଇଙ୍କଠାରେ ଦେଖି ବୋଇଲେ ତୁମ୍ଭେ କି ଲୋକ । କପିଳ କହିଲେ ଆମ୍ଭେ ସୂର୍ଯ୍ୟବଂଶୀ ରାଉତ । ଏଥକୁ ରାଜା କହିଲେ ଆମ୍ଭଠାରେ ଚାକର ରହ । ଏଥକୁ କପିଳ ରାଉତ ଚାକର ରହିଲେ । ଥୋକାଏ ଦିନ ଉତ୍ତାରୁ ପରମେଶ୍ୱର କପିଳ ରାଉତଙ୍କୁ ରାଜା କରି ଆଜ୍ଞା ଦେଲେ ।

ଲିଖନକାର[ସମ୍ପାଦନା]

ମାଦଳାପାଞ୍ଜି ଏକ ସାହିତ୍ୟିକ ସୃଷ୍ଟି ନୁହେଁ ବା ଏହାର ନିର୍ଦ୍ଧିଷ୍ଟ ଲେଖକ ନାହାଁନ୍ତି । ଅଧାପାଠୁଆ ରାଜକର୍ମଚାରୀଙ୍କଦ୍ୱାରା ଏହା ଲିଖିତ ହୋଇଆସୁଥିଲା । ଏମାନେ ଲେଖିବା ପାଇଁ ଗଜପତି ରାଜାଙ୍କଦ୍ୱାରା ନିଯୁକ୍ତି ପାଇଥିଲେ । ଲିଖନକାରମାନେ ବଂଶାନୁକ୍ରମେ ପାଞ୍ଜି ଲେଖିଆସୁଥିଲେ । ଏମାନେ ତିନିଭାଗରେ ବିଭକ୍ତ ଯଥା

  1. ଦେଉଳକରଣ
  2. ଚଢ଼ାଉକରଣ (ତଢ଼ାଉକରଣ)
  3. କୋଠକରଣ

ଦେଉଳକରଣଙ୍କ ଲିଖିତ ପାଞ୍ଜି ଶ୍ରୀଜଗନ୍ନାଥ ମନ୍ଦିରରେ, ଚଢ଼ାଉକରଣଦ୍ୱାରା ଲିଖିତ ପାଞ୍ଜି ରାଜନଅରରେ ଓ କୋଠକରଣଙ୍କଦ୍ୱାରା ଲିଖିତ ପାଞ୍ଜି ପାଞ୍ଜିକାର ଗୃହରେ ରହୁଥିଲା । ଅନ୍ୟକେତେକ ଗବେଷକଙ୍କ ମତରେ ଦେଉଳକରଣମାନେ ଶ୍ରୀଜଗନ୍ନାଥ ମନ୍ଦିରର ପର୍ବପର୍ବାଣୀ ତଥା ନୀତି ସଂପର୍କରେ ଲେଖୁଥିଲେ ଓ ଚଢ଼ାଉକରଣମାନେ ଓଡ଼ିଶାର ରାଜାଙ୍କର ରାଜ୍ୟଶାସନ ଓ କୀର୍ତ୍ତିକଳାପର ଧାରାବାହିକ ବିବରଣୀ ଲିପିବଦ୍ଧ କରୁଥିଲେ ।

ଶ୍ରୀ ମନ୍ଦିରରେ କଳାପାହାଡଦ୍ୱାରା ନଷ୍ଟ କରାଯାଇଥିବା ଠାକୁରଙ୍କ ପୁନଃସ୍ଥାପନା ପରେ ରାଜା ରାମଚନ୍ଦ୍ର ଦେବ ମନ୍ଦିର ସମ୍ପର୍କିତ ସମସ୍ତ ତଥ୍ୟ ଲେଖି ରଖିବାକୁ ତାଙ୍କ ଗୁମାସ୍ତା ବଟକୃଷ୍ଣ ମହାନ୍ତିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ମାଦଳା ପାଞ୍ଜିର ଲିଖନ ଆରମ୍ଭ ହୋଇଥିବା ଜଣାଯାଏ ।[୫]

ସାହିତ୍ୟିକ ବିଭାବ[ସମ୍ପାଦନା]

ମାଦଳାପାଞ୍ଜିକୁ ବିଶ୍ଳେଷଣ କଲେ ଅନେକ କିମ୍ବଦନ୍ତୀ ଓ କାହାଣୀ ମିଳିଥାଏ । କିମ୍ବଦନ୍ତୀ ଓ କାହାଣୀ ସଂଯୋଗରେ ଏହାର ଐତିହାସିକ ମୂଲ୍ୟ କ୍ଷୁର୍ଣ୍ଣ ହେଲେହେଁ ସାହିତ୍ୟିକ କଳାତ୍ମକତା ପରିଲକ୍ଷିତ ହୋଇଥାଏ । ଓଡ଼ିଆ ଗଦ୍ୟ ସାହିତ୍ୟ ବିକାଶରେ ମାଦଳାପାଞ୍ଜିର ସ୍ଥାନ ବିଶେଷ ।

ଡକ୍ଟର ସୁନୀତ କୁମାର ଚାଟାର୍ଜୀଙ୍କ ମତରେ-

ଖୁଟିନାଟି ବ୍ୟାପାରରେ ଭୁଲଭ୍ରାନ୍ତି ଦୋଷତ୍ରୁଟି ଥାକିଲେ ଓ ପାଞ୍ଜିତେ ଅନ୍ତତଃ ମଧ୍ୟଯୁଗର ଉଡିୟା ଗଦ୍ୟର ମୂଲ୍ୟବାନ ନିଦର୍ଶନ ଲିଖିତ ହୋଇଛି ତାହା ସ୍ୱୀକାର କରିତୟେ ।’ ଯଥାର୍ଥରେ ଓଡ଼ିଆ ଗଦ୍ୟ ସାହିତ୍ୟ ବିକାଶ ଆଲୋଚନାରେ ମାଦଳାପାଞ୍ଜି ନିଜର ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । [୬]

ମାଦଳାପାଞ୍ଜିରେ ତିନିପ୍ରକାର ଭାଷା ପରିଲକ୍ଷିତ ହୁଏ । ଯଥା-

  1. ସାଧାରଣ ଭାଷା
  2. ମୁଦଲଭାଷା
  3. ଘୋଷଣାଭାଷା ।

ସାଧାରଣ ଭାଷା ସରଳ ଓ ସୁବୋଧ । ମୁଦଲର ଭାଷା ସଂସ୍କୃତ ଶଦ୍ଦ ବହୁଳ । ଏହାର କାବ୍ୟ ଯଥେଷ୍ଟ ଦୀର୍ଘ ଓ ଜଟିଳ । ଘୋଷଣାଭାଷା କେତେକ କ୍ଷୁଦ୍ର ବାକ୍ୟର ସମ୍ମିଶ୍ରଣ । ଏହା ବ୍ୟତୀତ ପୂଜାବିଧି, ଚିଠି ଓ ପରୱାନାର ଭାଷା ସ୍ୱତନ୍ତ୍ର । ମାଦଳାପାଞ୍ଜି କୌଣସି ନିର୍ଦ୍ଧିଷ୍ଟ ଭାଷା ଶୈଳୀକୁ ଅନୁସରଣ କରିନାହିଁ । ବିଭିନ୍ନ ଲିଖନକାରଙ୍କଦ୍ୱାରା ବିଭିନ୍ନ ସମୟରେ ଲିଖନ କରାଯାଇଥିବାରୁ ଏହାର ଭାଷାରେ ଶୈଳୀଗତ ପାର୍ଥକ୍ୟ ପରିଲକ୍ଷିତ ହେବା ସ୍ୱାଭାବିକ । ଅଳଙ୍କାର ସଂଯୋଜନା କ୍ୱଚିତ ପରିଲକ୍ଷିତ ହୋଇଥାଏ ।

ପରବର୍ତ୍ତୀ କାଳରେ ଓଡ଼ିଆ ସାହିତ୍ୟରେ ମାଦଳାପାଞ୍ଜିର ପ୍ରଭାବ ସ୍ପଷ୍ଟ । ବହୁକାବ୍ୟ ନାଟକ ଉପନ୍ୟାସରେ ମାଦଳାପାଞ୍ଜି ବର୍ଣ୍ଣିତ କାହାଣୀକୁ ନେଇ ସୃଷ୍ଟି ହୋଇଛି । ଓଡ଼ିଆ ଲୋକ ସାହିତ୍ୟ ଦିଗରୁ ମାଦଳାପାଞ୍ଜି ସ୍ୱତନ୍ତ୍ର ଆଲୋଚନା ଆବଶ୍ୟକ । ଓଡ଼ିଆ ପୁରପଲ୍ଲୀରେ ଅଦ୍ୟାବିଧି ନିତେଇ ଧୋବଣୀ, କାଉଁରୀ ମନ୍ତ୍ର, ଗୁଣିଗାରେଡି ପ୍ରଭୃତି ଲୋକକଥା ପ୍ରଚଳିତ ।

ପୁରୁଷୋତ୍ତମଙ୍କ ‘କାଞ୍ଚିକାବେରୀ କାବ୍ୟ’ର କଥାବସ୍ତୁ ମାଦଳାପାଞ୍ଜିରୁ ସଂଗୃହୀତ କାଞ୍ଚିରୁ ଗଣେଶ ଶ୍ରୀକ୍ଷେତ୍ର ଆସିବା, ସାନବିପ୍ର ବଡବିପ୍ର କଥା, ମାଣିକ ଗଉଡୁଣୀ କଥା ଓ ଛେରା ପହରା ପ୍ରସଙ୍ଗ ଇତ୍ୟାଦି ଏହି କାବ୍ୟରେ ବର୍ଣ୍ଣିତ । ବଳରାମ ଦାସଙ୍କ ଜଗମୋହନ ଛାନ୍ଦ, ଚକ୍ରପାଣି ପଟ୍ଟନାୟକଙ୍କ ଗୁଣ୍ଡିଚା ଚାମ୍ପୁର କଥାବସ୍ତୁ ଉପରେ ମାଦଳାପାଞ୍ଜିର ପ୍ରଭାବ ପରିଲକ୍ଷିତ ହୋଇଥାଏ । କୃପାସିନ୍ଧୁ ଦାସଙ୍କ ଚତୁର୍ଦ୍ଧାମୂର୍ତ୍ତି, ଜଗନ୍ନାଥ ଦାସଙ୍କ ନିତ୍ୟନୀଳାଦ୍ରି ବିଳାସ ଓ ଦାରୁବ୍ରହ୍ମ ଗୀତାରେ ସେବାଉପାସନା ପ୍ରସଙ୍ଗ, ଇନ୍ଦ୍ରଦ୍ୟୁମ୍ନ ପ୍ରସଙ୍ଗ ପ୍ରଭୃତି ମାଦଳାପାଞ୍ଜିର ଅନୁରୂପ । ମାଗୁଣି ଦାସ, ଦାମୋଦର ଦାସ ଓ ନୀଳାମ୍ବର ଦାସଙ୍କ ଦେଉଳ ତୋଳାରେ ବର୍ଣ୍ଣିତ ଗାଲମାଧବ ପ୍ରସଂଗ ପାଞ୍ଜିର ଅନୁସରଣରେ କରାଯାଇଛି । ସେହିପରି ଚାନ୍ଦଦାସ ଗୋପୀଚନ୍ଦନ କାବ୍ୟରେ ବର୍ଣ୍ଣିତ ରାମଚନ୍ଦ୍ରଦେବଙ୍କ ଅଭିନବ ଇନ୍ଦ୍ରଦ୍ୟୁମ୍ନ ପ୍ରସଙ୍ଗ ପାଞ୍ଜିର ଅନୁରୂପ । ସପ୍ତଦଶ ଶତାଦ୍ଦୀରେ ଜଗନ୍ନାଥ ନାରାୟଣ ଦେବଙ୍କ ଲିଖିତ ଗଙ୍ଗାଯାତ୍ରା ବିବରଣୀରେ ଶ୍ରୀଜଗନ୍ନାଥଙ୍କୁ ପାତାଳି ପାଇଁ ନିଆଯାଇଥିବା ଗତିପଥର ସ୍ଥାନ ବର୍ଣ୍ଣନା ଅବିକଳ ପାଞ୍ଜିରେ କରାଯାଇଛି ।

କବିବର ରାଧାନାଥ ରାୟ ‘ପାର୍ବତୀ’ କାବ୍ୟରେ ଚୋଡ଼ଗଙ୍ଗ ଦେବ ଓ କୌଶଲ୍ୟାଙ୍କର ଯେଉଁ ଅବୈଧ ପ୍ରଣୟର ବର୍ଣ୍ଣନା କରିଛନ୍ତି ସେଥିପାଇଁ ସେ ପାଞ୍ଜି ଉପରେ ନିର୍ଭରଶୀଳ । ରାଧାନାଥ ‘ଚିଲିକା’ କାବ୍ୟରେ ରକ୍ତବାହୁ ପ୍ରସଙ୍ଗ ମାଦଳାପାଞ୍ଜିର ଅବଲମ୍ବନରେ ଲିଖିତ ଗଜପତି ପୁରୁଷୋତ୍ତମ ଦେବଙ୍କ ସହ କାଞ୍ଚିରାଜ ଜେମାଙ୍କ ବିବାହ ବିବାଦ ପ୍ରସଙ୍ଗରେ କାଞ୍ଚିଯୁଦ୍ଧରେ ଶ୍ରୀଜଗନ୍ନାଥବଳଭଦ୍ର କଳାଘୋଡ଼ା ଓ ଧଳାଘୋଡ଼ା ଚଢ଼ିଯିବା, ମାଣିକ ଗଉଡୁଣୀଠୁ ଦୁହେଁ ଦହିଖାଇବା ପାଞ୍ଜି ବର୍ଣ୍ଣିତ କହାଣୀ । ପାଞ୍ଜିବର୍ଣ୍ଣିତ କାହାଣୀକୁ ଅନୁସରଣ କରି ରାମଶଙ୍କର ରାୟ ‘କାଞ୍ଚିକାବେରୀ’ ନାଟକ, ଗୋଦାବରୀଶ ମିଶ୍ର ପୁରୁଷୋତ୍ତମ ଦେବଙ୍କ ନାଟକ ଓ କାଳୀ ଚରଣ କାଞ୍ଚିଅଭିଯାନ ନାଟକ ଲିଖିତ ଓ ପାଠକ ଆଦିଙ୍କ ଦ୍ୱାରା ଆଦୃତ । ଗୋଦାବରୀଶଙ୍କ ମୁକୁନ୍ଦଦେବ ଓ ଅଶ୍ୱନୀକୁମାର କଳାପାହାଡ ନାଟକରେ ମୂଳ ଘଟଣା ପାଞ୍ଜିକୁ ଅନୁସରଣ କରିଛି । ସୁରେନ୍ଦ୍ର ମହାନ୍ତି ଅତ୍ୟାଧୁନିକ ଯୁଗରେ ‘ନୀଳଶୈଳ’ ଓ ‘ନୀଳାଦ୍ରି ବିଜୟ’ ଉପନ୍ୟାସ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ରଚିତ । ଦ୍ୱିତୀୟ ରାମଚନ୍ଦ୍ରଦେବଙ୍କ ସମୟରେ ମୁସଲମାନ ଆକ୍ରମଣରୁ ଶ୍ରୀଜଗନ୍ନାଥଙ୍କୁ ରକ୍ଷାକରିବା ପାଇଁ ଚିଲିକାରେ ଲୁକାୟିତ ଭାବରେ ରହିବା ଓ ପରେ ରତ୍ନସିଂହାସନରେ ବିଜେହେବାର ଘଟଣାକୁ ନେଇ ଏ ଦୁଇ ଉପନ୍ୟାସ ରଚିତ । ପାଞ୍ଜି ବର୍ଣ୍ଣିତ କିମ୍ବଦନ୍ତୀକୁ ସୁରେନ୍ଦ୍ର ମହାନ୍ତି ବିଷୟବସ୍ତୁ ରୂପେ ଗ୍ରହଣ କରିଛନ୍ତି । ପର୍ଯ୍ୟାଲୋଚନା କଲେ ଜଣାଯାଏ ଆଜିପର୍ଯ୍ୟନ୍ତ ମାଦଳାପାଞ୍ଜି ଓଡ଼ିଆ ସାହିତ୍ୟର ବିଭିନ୍ନ ଦିଗକୁ ପ୍ରଭାବିତ କରିଆସିଛି ।

ମାଦଳାପାଞ୍ଜିର ପ୍ରଭାବରେ ଓଡ଼ିଶାରେ ଅନେକ ଗୁଡିଏ ପାଞ୍ଜି ଦେଖାଯାଏ । ଜଗନ୍ନାଥ ମହାପ୍ରଭୁ ଓ ଠାକୁର ରାଜାଙ୍କ ଉପରେ ମାଦଳାପାଞ୍ଜି ରଚିତ ହୋଇଥିବାରୁ ଉତ୍କଳରେ ଏହା ସବୁଠାରେ ସୁପରିଚିତ ସହ ପ୍ରଭାବ ବିସ୍ତାର କରିବା ସ୍ୱାଭାବିକ । ମାଦଳାପାଞ୍ଜିର ଅନୁକରଣରେ ‘କଳାହାଣ୍ଡିମାଦଳା’, ‘କେଉଁଝରମାଦଳା’ ରଚିତ । ଏହା ବ୍ୟତୀତ ଗୋପୀନାଥ ମିଶ୍ରଙ୍କ ପଟିଆ ରାଜାଙ୍କ ବଂଶାବଳୀ, ସୂର୍ଯ୍ୟମଣି ଚ୍ୟାଉ ପଟ୍ଟନାୟକଙ୍କ ‘ଘୁମୁସୁର ଭଟ୍ଟ ବଂଶାବଳୀ’ ପଦ୍ମନ ସିଂହଙ୍କ ‘ନାଗବଂଶ ରଚିତ’ ଫକୀର ଚଇନଙ୍କ ‘ଚଇନଙ୍କ ଚକଡ଼ା’ ମାଦଳାପାଞ୍ଜି ପ୍ରଭାବରେ ରଚିତ ।

ମାଦଳାପାଞ୍ଜିକୁ ସାହିତ୍ୟ ରୂପେ ଗ୍ରହଣ ନକଲେହେଁ ଅତୀତ ଘଟଣାବଳୀର ଲିପିବଦ୍ଧ କରିବାର ପ୍ରଥମ ପ୍ରୟାସ । ଏଥିରେ ଅନେକ ସାହିତ୍ୟିକ କଥାବସ୍ତୁର ଐତିହାସିକ ତଥ୍ୟ ରହିଛି । ପାଞ୍ଜି ବର୍ଣ୍ଣିତ ଅନେକ ଅଦ୍ଭୁତ କାହାଣୀ ମଧ୍ୟ ପାଠକକୁ ଆନନ୍ଦ ପ୍ରଦାନ କରିଥାଏ । ମାଦଳାପାଞ୍ଜି ସମ୍ପର୍କରେ ଏତିକି କୁହାଯାଇପାରେ ପାଞ୍ଜିକାରଗଣ ସାହିତ୍ୟିକ ନହେଲେହେଁ ସେମାନଙ୍କର କଳ୍ପନା ବିଳାସ ଓ କାହାଣୀ ବଖାଣ କଳା ଆଜି ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟିକମାନଙ୍କୁ ପ୍ରଭାବିତ କରିଥିବାରୁ ଏହାର ସାହିତ୍ୟିକ ଅବଦାନକୁ ଅସ୍ୱୀକାର କରାନଯାଇପାରେ । [୭]

ଟୀକା[ସମ୍ପାଦନା]

  1. ମଦନମୋହନ ଚକ୍ରବର୍ତ୍ତୀ (୧୯୧୯)
  2. ଚନ୍ଦ ରମାପ୍ରସାଦ. ଓଡ଼ିଶା ଇତିହାସ (୧୯୨୭)
  3. ମହାନ୍ତି ଆର୍ତ୍ତବଲ୍ଲଭ
  4. କୃଷ୍ଣଚନ୍ଦ୍ର ଷଢ଼ଙ୍ଗୀ
  5. Mishra, Dr. Nilakantha. "Temple administration: Past and present" (PDF). ଓଡ଼ିଶା ରିଭ୍ୟୁ (june- july, 2007): ୯୧–୯୬. Retrieved 16 September 2015. 
  6. ସୁନୀତ କୁମାର ଚାଟାର୍ଜୀ
  7. ମାୟାଧର ମାନସିଂହ
    ଛିନ୍ନ-ବିଚ୍ଛିନ୍ନ ଭାବରେ ଆମେ ପାଞ୍ଜିର ପୃଷ୍ଠାମାନଙ୍କରୁ ପ୍ରାଚୀନ ଓଡ଼ିଶାର କେତୋଟି ସାମାଜିକ ଚିତ୍ରାବଳୀ ପାଉ ତାହାହିଁ ବୋଧହୁଏ ଏହି ଗ୍ରନ୍ଥର ଏକମାତ୍ର ସାହିତ୍ୟିକ ମୂଲ୍ୟ ।

ଆଧାର[ସମ୍ପାଦନା]