ବୈତରଣୀ
ବୈତରଣୀ ନଦୀ ହେଉଛି ଓଡ଼ିଶାର ତୃତୀୟ ବୃହତ୍ତମ ନଦୀ । ଏହା କେନ୍ଦୁଝର ଜିଲ୍ଲା, ତେଲକୋଇ ତହସିଲର ଗୁପ୍ତଗଙ୍ଗା ପର୍ବତମାଳା ଠାରେ ଗୋନାସିକାରୁ ସୃଷ୍ଟି ହେଇଛି । ଯୋଡ଼ା, ଚମ୍ପୁଆ, କରଞ୍ଜିଆ, ଆନନ୍ଦପୁର, ଯାଜପୁର, ଚାନ୍ଦବାଲି ଆଦି ଏହି ନଈକୂଳେ ଅବସ୍ଥିତ । କୀଚକେଶ୍ୱରୀ, ତାରିଣୀ, ବିରଜା, ଆଖଣ୍ଡଳମଣି ଆଦି ଧାମ ଏହି ନଈ ନିକଟରେ ଅବସ୍ଥିତ ।
ନାମକରଣ
[ସମ୍ପାଦନା]ଏହି ନଦୀରେ ପିଣ୍ଡ ଦାନ କରିଲେ ମୋକ୍ଷ ପ୍ରାପ୍ତି ହୁଏ । ଅର୍ଥାତ୍ ଏହା କୁହାଯାଇପାରେ ଯେ ନଦୀ ମୋକ୍ଷ ବିତରଣ କରେ । ଏହାର ନାମ ହେଲା ତେଣୁ ବୈତରଣୀ । ଏହି ନଦୀରେ ସ୍ନାନ କରିବା ଦ୍ୱାରା ପାପ କ୍ଷୟ ହୁଏ ଓ ଏହାର ନିକଟରେ ୩ଟି ଧାମ (ଯଥା ତାରିଣୀ, ବିରଜା, ଆଖଣ୍ଡଳମଣି) ଅଛି । ତେଣୁ ଏହାର ନାମ ଓଡ଼ିଶାର ଗଙ୍ଗା । ଏହା ବେଳେ ବେଳେ ଗୁପ୍ତ ଭାବରେ ପ୍ରବାହିତ ହୁଏ, କାହାରିକୁ ସେତେବେଳେ ଦେଖାଯାଏ ନାହିଁ । ତେଣୁ ଏହାର ନାମ ଗୁପ୍ତଗଙ୍ଗା ।
ଗତିପଥ
[ସମ୍ପାଦନା]ଏହି ନଦୀ କେନ୍ଦୁଝର ଜିଲ୍ଲାର ତେଲକୋଇ ତହସିଲର ଗୁପ୍ତଗଙ୍ଗା ପର୍ବତମାଳାର ଗୋନାସିକାରୁ ସୃଷ୍ଟି ହେଇଛି । ତାହା ସମୁଦ୍ର ପତନରୁ ୯୦୦ ମିଃ (୩୦୦୦ ଫୁଟ୍) ଉଚ୍ଚରେ ଅବସ୍ଥିତ । ବଣ ପାହାଡ଼ ଘେରା ଅଞ୍ଚଳରେ ଗାଈ ନାକ ଭଳି ଆକୃତିର ପ୍ରସ୍ତର ଭିତରୁ ଜଳର ଉତ୍ସ ବାହାରି ତଳେ ଥିବା ଶିବଲିଙ୍ଗକୁ ଅଭିଷିକ୍ତ କରି ପାହାଡ଼ ତଳକୁ ଗଡ଼ିଛି । ଏହା ଉତ୍ତର ଦିଗରେ, ଗୁପ୍ତ ଭାବରେ ପ୍ରବାହିତ ହେଇ ବାଂଶପାଳରେ ଆବିର୍ଭୂତ ହୁଏ । ଚମ୍ପୁଆ ପାଖରେ ଓଡ଼ିଶା-ଝାଡ଼ଖଣ୍ଡ ସୀମା ଦେଇ କିଛି ବାଟ ବହିଲା ପରେ ପୁଣି ବୁଲିକି ଦକ୍ଷିଣ ଦିଗକୁ ବହିଛି । ଖିଚିଂ, ତୁରମୁଙ୍ଗା, ସ୍ବମପାଟଣାର ବୃକ୍ଷାଚ୍ଛନ୍ନ ଚାଷ ଜମିଗୁଡ଼ିକ ଦେଇ ବହିଲା ପରେ ଘଟଗାଁର ବଣରେ ପ୍ରବେଶ କରିଛି । ଭୀମକୁଣ୍ଡ ଠାରେ ତାହା ଲୁପ୍ତ ହେଇ ପୁଣି କିଛି ବାଟ ପରେ ଆବିର୍ଭୂତ ହେଇଛି । ତା ପରେ କେବଳ ସମତଳ ଭୂମି । ଆନନ୍ଦପୁର ଦେଇ ବହିଲା ପରେ ତାହା କେନ୍ଦୁଝରରୁ ନିର୍ଗତ ହେଇଛି । ତା ପରେ କଟକ ଓ ଭଦ୍ରଖ ଜିଲ୍ଲାଗୁଡ଼ିକର ସୀମା ଦେଇ ବହିଛି, ଯଥା ଯାଜପୁର, ଦଶରଥପୁର, ଧାମନଗର, ଚାନ୍ଦବାଲି । ତା ପରେ ଭିତରକନିକା (ଧାମରା ମୁହାଣ) ଠାରେ ବ୍ରାହ୍ମଣୀ ନଦୀ ସହ ମିଶି ବଙ୍ଗୋପସାଗରରେ ମିଶିଛି ।
ଏହା କୀଚକେଶ୍ବରୀ, ତାରିଣୀ, ବିରଜା, ଆଖଣ୍ଡଳମଣି ଆଦି ଧାମଗୁଡ଼ିକର ପାଖ ଦେଇ ବହିଛି । ଅତଏବ ଏହା କେନ୍ଦୁଝର, ଭଦ୍ରଖ, ଯାଜପୁର, କେନ୍ଦ୍ରାପଡ଼ା ଜିଲ୍ଲାଗୁଡ଼ିକ ଦେଇ ପ୍ରବାହିତ ହେଉଛି ।