ଲକ୍ଷ୍ମୀକାନ୍ତ ମହାପାତ୍ର

ଉଇକିପିଡ଼ିଆ‌ରୁ
Jump to navigation Jump to search
କାନ୍ତକବି

ଲକ୍ଷ୍ମୀକାନ୍ତ ମହାପାତ୍ର
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
ଜନ୍ମ ଓ ଜନ୍ମସ୍ଥାନ୯ ଡିସେମ୍ବର ୧୮୮୮(1888-12-09)
ଧୂଆଁପତ୍ରିଆ ଗଳି, ବାଖରାବାଦ, କଟକ ଜିଲ୍ଲା,
ମୃତ୍ୟୁ୨୪ ଫେବୃଆରୀ ୧୯୫୩(1953-02-24) (ବୟସ ୬୪)
ଭଦ୍ରକ ଭବନ,ଭଦ୍ରକ
ବୃତ୍ତିସ୍ୱାଧୀନତା ସଂଗ୍ରାମୀ, କବି, ଲେଖକ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ପୈତୃକ ବାସସ୍ଥାନତାଳପଦା, ତିହିଡି ବ୍ଲକ, ଭଦ୍ରକ ଜିଲ୍ଲା
ଶୈଳୀଦେଶାତ୍ମବୋଧକ, ବ୍ୟଙ୍ଗାତ୍ମକ ରଚନା
ସାହିତ୍ୟ କୃତିବନ୍ଦେ ଉତ୍କଳ ଜନନୀ
ଜୀବନ ସାଥିଲବଙ୍ଗଲତା
ସନ୍ତାନନିତ୍ୟାନନ୍ଦ ମହାପାତ୍ର, ଗୌର ଚନ୍ଦ୍ର ମହାପାତ୍ର

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଭାରତୀୟ-ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ରଚନା କରିଥିଲେ । ସେ ଓଡ଼ିଆ କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗ-ସାହିତ୍ୟ ଓ ଲାଳିକା ଆଦି ମଧ୍ୟ ରଚନା କରିଥିଲେ । ତାଙ୍କର ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ ଉପନ୍ୟାସ କଣାମାମୁଁ ଓ କ୍ଷୁଦ୍ରଗଳ୍ପ ବୁଢ଼ା ଶଙ୍ଖାରୀ,ସ୍ୱରାଜସ୍ୱଦେଶୀ କବିତା ସଂକଳନ ତଥା "ଡିମ୍ବକ୍ରେସି ସଭା", "ହନୁମନ୍ତ ବସ୍ତ୍ରହରଣ", "ସମସ୍ୟା" ଆଦି ବ୍ୟଙ୍ଗ ନାଟକ ଅନ୍ୟତମ । ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଓ ଜନପ୍ରିୟ ଲେଖକ ନିତ୍ୟାନନ୍ଦ ମହାପାତ୍ର ଥିଲେ ତାଙ୍କର ପୁତ୍ର ।

ଜୀବନୀ[ସମ୍ପାଦନା]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଲକ୍ଷ୍ମୀକାନ୍ତ ମହାପାତ୍ର ୧୮୮୮ ମସିହା ଡିସେମ୍ବର ମାସ ୯ ତାରିଖରେ କଟକ ଜିଲ୍ଲାର ବାଖରାବାଦର ଧୂଆଁପତ୍ରିଆ ଗଳିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପୈତୃକ ଗ୍ରାମ ହେଉଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ତାଳପଦା ।[୧] ସେ ମାଣବସା ଗୁରୁବାର ତିଥିରେ ଜନ୍ମ ନେଇଥିବାରୁ ଲକ୍ଷ୍ମୀଙ୍କ ନାମ ଅନୁସାରେ ତାଙ୍କ ନାମ ଲକ୍ଷ୍ମୀକାନ୍ତ ବୋଲି ରଖାଯାଇଥିଲା ।[୨] ତାଙ୍କ ପିତାଙ୍କ ନାମ ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ଓ ମାତାଙ୍କ ନାମ ରାଧାମଣୀ । ରାଧାମଣୀ କଣ୍ଟାପଡ଼ା ଜମିଦାରଙ୍କ କନ୍ୟା ଥିଲେ । ଭାଗବତ ପ୍ରସାଦ ସାମନ୍ତରାୟ ବିହାର-ଓଡ଼ିଶା ବିଧାନ ସଭାରେ ୪ ଥର ପ୍ରତିନିଧିତ୍ୱ କରିଥିଲେ ଓ ସେଥି ମଧ୍ୟରୁ ଦୁଇଥର ଉପ-ବାଚସ୍ପତି ଦାୟିତ୍ୱ ନିର୍ବାହ କରିଥିଲେ ।[୩] ସେ ବାଲେଶ୍ବର ସୁନହଟ ଜମିଦାର ଲାଲମୋହନ ଦାସଙ୍କ କନ୍ୟା ଲବଙ୍ଗଲତାଙ୍କୁ ବିବାହ କରିଥିଲେ । ୧୯୧୨ରେ ତାଙ୍କର ପୁତ୍ର ନିତ୍ୟାନନ୍ଦ ମହାପାତ୍ର ଜନ୍ମଗ୍ରହଣ କରିଥିଲେ ।

ଶିକ୍ଷା[ସମ୍ପାଦନା]

ଲକ୍ଷ୍ମୀକାନ୍ତ ମହାପାତ୍ର ହାଇସ୍କୁଲରେ ପଢ଼ିବା ସମୟରେ ଶିକ୍ଷା ଛାଡ଼ି ଇଂରେଜମାନଙ୍କ ବିରୋଧରେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇଥିଲେ ଓ ଇଂରେଜ ସୈନ୍ୟମାନଙ୍କଦ୍ୱାରା ବନ୍ଦୀ ହୋଇ ଜେଲ ମଧ୍ୟ ଯାଇଥିଲେ ।[୧] ୧୯୧୩ରେ ସେ ରେଭେନ୍ସା କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ।

କାନ୍ତକବି ଉପାଧି[ସମ୍ପାଦନା]

ତାଙ୍କ ରଚିତ ସ୍ୱାଧୀନତା ପ୍ରେମୀ କବିତା ଗୁଡ଼ିକ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଏକଜୁଟ କରାଇବାରେ ସାହାଯ୍ୟ କରିଥିଲା ।[୧] ୧୯୩୪ ମସିହାରେ ଭଦ୍ରକ ହାଇସ୍କୁଲ ପ୍ରାଙ୍ଗଣରେ ଲକ୍ଷ୍ମୀନାରାୟଣ ସାହୁଙ୍କ ଉଦ୍ୟମରେ ତାଙ୍କୁ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ତାଙ୍କୁ "କାନ୍ତକବି" ଉପାଧି ଦିଆଯାଇଥିଲା ।[୪]

ସାହିତ୍ୟ ରଚନା[ସମ୍ପାଦନା]

ସ୍ୱାଧୀନତା ସଂଗ୍ରାମରେ ରଚନା[ସମ୍ପାଦନା]

୧୯୨୦-୨୧ର ଅସହଯୋଗ ଆନ୍ଦୋଳନ ଏବଂ ୧୯୩୦ର ଲବଣ ସତ୍ୟାଗ୍ରହ କାନ୍ତକବିଙ୍କର ପରିବାର ଉପରେ ଏକ ଗଭୀର ପ୍ରଭାବ ପକାଇଥିଲା । ଏହି ସବୁ ଆନ୍ଦୋଳନର ସୂତ୍ରଧାର ମହାତ୍ମା ଗାନ୍ଧୀଙ୍କ ଆହ୍ୱାନ ଲକ୍ଷ୍ମୀକାନ୍ତଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ଦେଶପ୍ରେମରେ ବୁଡ଼େଇଦେଲା । ତାଙ୍କ ବାପା ଭାଗବତ ପ୍ରସାଦ, ଭଉଣୀ କୋକିଳା ଦେବୀ ଓ ଜାହ୍ନବୀ ଦେବୀ ଏବଂ ସାନଭାଇ କମଳାକାନ୍ତ ପ୍ରମୁଖ ୧୯୩୦ ମସିହାର ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହରେ ପ୍ରତ୍ୟକ୍ଷ ଭାବରେ ଭାଗନେଇଥିଲେ । ଏପରିକି କାନ୍ତକବିଙ୍କର ବଡ଼ ପୁଅ ନିତ୍ୟାନନ୍ଦ ମହାପାତ୍ର ଏଥିରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ସେହି ସମୟରେ ସାଧାରଣ ଜନତାଙ୍କୁ ଏହି ସବୁ ଆନ୍ଦୋଳନରେ ଯୋଗଦାନ ପାଇଁ ପ୍ରବର୍ତ୍ତାଇବା ପାଇଁ ଏବଂ ସେମାନଙ୍କୁ ଜାତୀୟତା ପ୍ରତି ଆକର୍ଷିତ କରିବା ପାଇଁ କାନ୍ତକବି ଶ୍ରୀ ମହାପାତ୍ର ନିଜର କଲମର ସାହାଯ୍ୟ ନେଇଥିଲେ ଏବଂ ଗଳ୍ପ, ଉପନ୍ୟାସ, ନାଟକ ଓ କବିତାମାନ ରଚନା କରି ଲୋକମାନଙ୍କ ମଧ୍ୟରେ ଦେଶପ୍ରେମ ବଢ଼ାଇବାରେ ଲାଗି ପଡ଼ିଲେ । କାନ୍ତକବିଙ୍କ ରଚିତ ଦେଶାତ୍ମ‌ବୋଧ କବିତା ମାନ ଲୋକମାନଙ୍କୁ ଏକଜୁଟ କରିବାରେ ସାହାଯ୍ୟ କଲା । ସେଥିପାଇଁ ସାଧାରଣ ଜନତାଙ୍କୁ ଇଂରେଜମାନଙ୍କ ବିରୋଧରେ ଲଢ଼ିବାକୁ ଏବଂ ସ୍ୱାଧୀନତା ପ୍ରାପ୍ତ କରିବାକୁ ସେ କବିତାକୁ ନିଜର ଅସ୍ତ୍ର ଭାବରେ ବ୍ୟବ‌ହାର କଲେ ।[୨]

ସେତେବେଳେ ଓଡ଼ିଆ ସାହିତ୍ୟରେ ସତ୍ୟବାଦୀ ଯୁଗ ଚାଲିଥିଲା । ନୀଳକଣ୍ଠ ଦାସ ଏବଂ ଗୋଦାବରୀଶ ମିଶ୍ରଙ୍କ ଭଳି ପଥ ପ୍ରଦର୍ଶକମାନେ ପୁରାତନ ଖ୍ୟାତି, ସମ୍ଭ୍ରାନ୍ତ ପୃଷ୍ଠଭୂମି ଏବଂ ପୁରାତନ ପରମ୍ପରାକୁ ନେଇ ଜାତୀୟତାର ବାର୍ତ୍ତା ପ୍ରଚାର କରୁଥିବା ବେଳେ ମହାତ୍ମା ଗାନ୍ଧୀଙ୍କର ନୀତି ଏବଂ ଆଦର୍ଶ ଅସଂଖ୍ୟ ଜନସାଧାରଣଙ୍କୁ ଜାତୀୟତା ପ୍ରତି ଆକର୍ଷିତ କରୁଥିଲା । ସେହିମାନଙ୍କଠାରୁ ଲକ୍ଷ୍ମୀକାନ୍ତଙ୍କୁ ଅଧିକରୁ ଅଧିକ ଉତ୍ତମ ଏବଂ ଶକ୍ତିଶାଳୀ ଦେଶପ୍ରେମୀ କବିତା ଲେଖିବାକୁ ପ୍ରେରଣା ମିଳିଥିଲା, ଯାହାକି ସମାଜର ତୃଣମୂଳ ସ୍ତରରେ ପ‌ହଞ୍ଚିପାରିଲା ।

ଲକ୍ଷ୍ମୀକାନ୍ତଙ୍କର କବିତାଗୁଡ଼ିକ ଛୋଟ ହୋଇଥିଲେ ମଧ୍ୟ ଦେଶାତ୍ମ‌ବୋଧ ବଢ଼ାଇବାରେ ଶକ୍ତିଶାଳୀ ଥିଲା । ଓଡ଼ିଆ ଜାତି ମଧ୍ୟରେ ନିକୃଷ୍ଟତାକୁ ଦୂର କରି ଦୃଢ଼ ଆତ୍ମ‌ବିଶ୍ୱାସ ଜଗାଇବା ଏହି କବିତା ଗୁଡ଼ିକ ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଓଡ଼ିଆମାନଙ୍କର ହଜିଯାଇଥିବା ଖ୍ୟାତି ଏବଂ ପୁରାତନ ପରମ୍ପରାକୁ ଫେରି ପାଇବା ତ‌ଥା ମାତୃଭୂମି ଏବଂ ମାତୄଭାଷା ପ୍ରତି ପ୍ରେମ ଓ ଭକ୍ତି ଜାଗ୍ରତ କରିବା ଏହି କବିତାମାନଙ୍କର ଅନ୍ୟ ଏକ ପ୍ରମୁଖ ଉଦ୍ଦେଶ୍ୟ ଥିଲା । ମାତୃଭୂମିର ସେବା କରିବା ପାଇଁ ଦୁଇଟି ମୁଖ୍ୟ ଅସ୍ତ୍ର ହେଉଛି ତ୍ୟାଗ ଏବଂ ସମର୍ପଣ ଭାବ । ଏହି କଥା ସେ ନିଜର ୧୧ ନଂ କବିତା ମାଧ୍ୟମରେ ଲୋକଙ୍କ ପାଖରେ ପ‌ହଞ୍ଚାଇଥିଲେ । ସେହି ସମୟରେ ପ୍ରଦେଶ କଂଗ୍ରେସର ଜିଲ୍ଲାସ୍ତରୀୟ ସମ୍ମିଳନୀ ଭଦ୍ରକରେ ଅନୁଷ୍ଠିତ ହୋଇଥିଲା । ସେଠାରେ ପାଖାଆଖର ସମ୍ଭ୍ରାନ୍ତ ବ୍ୟକ୍ତିମାନଙ୍କ ସ‌ହ ଦୃଢ଼ବିଶ୍ୱାସୀ କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ । ଏହି ସଭାର ପ୍ରାରମ୍ଭ ସଙ୍ଗୀତ ଭାବରେ କାନ୍ତକବିଙ୍କର ଏହି କବିତାଟି ଗାନ କରାଗଲା ଏବଂ ଏହା ସମସ୍ତଙ୍କୁ ମୋହିତ କରିଦେଲା । ଏହି ହୃଦୟସ୍ପର୍ଶୀ କବିତାଟି ଉପସ୍ଥିତ ସମସ୍ତ ଶ୍ରୋତାମଣ୍ଡଳୀକୁ ଜାତୀୟତା ପ୍ରେମରେ ଭାବପ୍ରବଣ କରିଦେଲା । ଶାନ୍ତ ଏବଂ ଗମ୍ଭୀର ପଡ଼ିଥିବା ସଭାଟି ହଠାତ୍ ମନ୍ତ୍ରମୁଗ୍ଧ ହୋଇଉଠିଲା । ପ୍ରସିଦ୍ଧ କଂଗ୍ରେସ ନେତା ଉତ୍କଳମଣି ଗୋପବନ୍ଧୁ ଦାସ ମଧ୍ୟ ସେହି ସଭାରେ ଉପସ୍ଥିତ ଥିଲେ । ସେ ଅନୁଗ୍ରହ ହୃଦୟର ସ‌ହ ମଞ୍ଚ ଉପରୁ ତଳକୁ ଆସିଲେ ଏବଂ ଲକ୍ଷ୍ମୀକାନ୍ତଙ୍କୁ ପ୍ରଶଂସା କରି କ‌ହିଲେ, "ଆହାଃ କେତେ ସୁନ୍ଦର କବିତାଟିଏ ରଚନା କରିଛ ଲକ୍ଷ୍ମୀକାନ୍ତ ।" ଉତ୍କଳମଣିଙ୍କର ଏହି ପଦିଏ ପ୍ରଶଂସାର ବାଣୀ ସେହି କବିତାର ଚୁମ୍ବକୀୟ ଆକର୍ଷଣକୁ ଉଜ୍ଜୀବିତ କରୁଥିଲା । ଏହା ଦେଶପ୍ରେମ ଜଗାଇବା ସ‌ହ ଅନେକଙ୍କ ହୃଦୟରେ ଏକ ଉଦ୍ଦୀପନା ସୃଷ୍ଟି କଲା । ମାତୃଭୂମି ପାଇଁ କିଛି କରିବା ପାଇଁ ହୃଦୟରୁ ଆପେ ଆପେ ଦେଶପ୍ରେମ ଜାଗ୍ରତ ହେଲା । ତାଙ୍କର ଆର୍ଯ୍ୟବାହିନୀ କବିତାରେ ଏହିଭଳି ଦେଶପ୍ରେମ ଲେଖା ରହିଛି, ଯାହାକି ଓଡ଼ିଶାର ଆତ୍ମଶକ୍ତିକୁ ପ୍ରତିଫଳିତ କରିଥିଲା ।[୨]

କବିତା[ସମ୍ପାଦନା]

ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚନାରେ ଦେଶ ଓ ଜାତିପ୍ରେମର ଝଲକ ଦେଖିବାକୁ ମିଳିଥାଏ । ସ୍ୱରାଜସ୍ୱଦେଶୀ ଭାବରେ ତାଙ୍କର କବିତା ସବୁ ଲେଖାଯାଇଥିଲା । ତାଙ୍କର ରଚନା ସବୁ ୨ଟି ଭାଗରେ "କାନ୍ତ ସାହିତ୍ୟାୟନ ଖଣ୍ଡ" ୧ ଓ ୨ ଭାବରେ ପ୍ରକାଶ ପାଇଥିଲା । ଖଣ୍ଡ ୨ରେ ତାଙ୍କ ରଚିତ ଜାତିପ୍ରେମ କବିତା ସବୁ ଅଛି ।

ଏଥିରେ ସମୁଦାୟ ୩୩ ଗୋଟି ଦେଶପ୍ରେମ କବିତା ଅଛି । ଏଥିରୁ ୨୬ ଗୋଟି କବିତା ପ୍ରଥମ ଭାଗରେ ଅଛି ଯାହା ଭିତରୁ ଦୁଇଟି ଜଣାଶୁଣା କବିତା ହେଲା ବନ୍ଦେ ଉତ୍କଳ ଜନନୀକେ କହିବ ଆଜି ଭାରତ କେ କହିବ ତାକୁ ଦିନ । ତାଙ୍କ ରଚିତ ବନ୍ଦେ ଉତ୍କଳ ଜନନୀ ଉତ୍କଳ ସମ୍ମିଳନୀ ସଭାରେ ଗାନ କରାଯାଇଥିଲା ଓ ମଧୁସୂଦନ ଦାସ ଏହାର ଭୂୟସୀ ପ୍ରଶଂସା କରିଥିଲେ । ସେ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ଭକ୍ତି କବିତା ରଚନା କରିଥିଲେ ।[୪] ତାଙ୍କ ରଚିତ ଅନ୍ୟ କେତେକ କବିତା ମଧ୍ୟରେ "ଅଲଣା ପୁରାଣ" , "ଯୁୁଗର ମଜା","ଶୋକଗୀତ " ଆଦି ଅନ୍ୟତମ ।

ବାକି ସାତଟି କବିତା ଦ୍ୱିତୀୟ ଭାଗରେ ଅଛି, ସେସବୁ ହେଲା:

  • ପ୍ରଳୟ ଦୁନ୍ଦୁଭି
  • ଉନ୍ମାଦ
  • ଆର୍ଯ୍ୟ ବାହିନୀ
  • ବିଜୟବନ
  • ଜାତୀୟ ପତାକା
  • ସମର ସଙ୍ଗୀତ
  • ଏ ଦେଶ

ଉପନ୍ୟାସ ଓ ଗଳ୍ପ[ସମ୍ପାଦନା]

ତାଙ୍କର ଉପନ୍ୟାସ କଣାମାମୁ ଓ କ୍ଷୁଦ୍ରଗଳ୍ପ ବୁଢ଼ା ଶଙ୍ଖାରୀ ଦୁଇଟି ଉଲ୍ଲେଖନୀୟ ଗଦ୍ୟ ରଚନା ।

ବ୍ୟଙ୍ଗ ରଚନା[ସମ୍ପାଦନା]

ବ୍ୟଙ୍ଗନାଟକ ଓ ଲାଳିକା ତାଙ୍କ ସାହିତ୍ୟର ଅନ୍ୟ ଏକ ଦିଗ ଥିଲା । ରାଜନୈତିକ ଅସ୍ଥିରତାକୁ ନେଇ "ଡିମ୍ବକ୍ରେସି ସଭା", "ହନୁମନ୍ତ ବସ୍ତ୍ରହରଣ", "ସମସ୍ୟା" ଆଦି ନାଟକ ରଚନା କରିଥିଲେ । କଳାରେ କେଳେଙ୍କାରୀକୁ ନେଇ ସେ ରଚନା କରିଥିଲେ ବ୍ୟଙ୍ଗନାଟକ "ଫିଲ୍ମଷ୍ଟାର" । କବିସୂର୍ଯ୍ୟ ବଳଦେବ ରଥଙ୍କ କିଶୋରଚନ୍ଦ୍ରାନନ ଚମ୍ପୂ ଅନୁକରଣରେ ସେ "ଚଟକ ଚନ୍ଦ୍ରହାସ ଚମ୍ପୂ" ନାମକ ଲାଳିକା ରଚନା କରିଥିଲେ । ଏହାକୁ ତାଙ୍କର ଶ୍ରେଷ୍ଠ ଲାଳିକା କୁହାଯାଏ ।[୫]

ସମ୍ପାଦନା[ସମ୍ପାଦନା]

ସେ ମାସିକ ସାହିତ୍ୟ ପତ୍ରିକା ଡଗରର ପ୍ରତିଷ୍ଠାତା ଥିଲେ । ଏହି ପତ୍ରିକା ପରେ ତାଙ୍କ ପୁତ୍ର ଏବଂ ଜଣାଶୁଣା ସାହିତ୍ୟିକ ନିତ୍ୟାନନ୍ଦ ମହାପାତ୍ର ତଥା ସାହିତ୍ୟିକ ଫତୁରାନନ୍ଦଙ୍କ ଦେଇ ସମ୍ପାଦିତ ହୋଇଆସିଥିଲା ।

ଅନ୍ତିମ ଜୀବନ[ସମ୍ପାଦନା]

ତାଙ୍କୁ ପଚିଶି ବର୍ଷ ହୋଇଥିବା ବେଳେ ସେ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିଲେ । ଧନୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ଜମିଦାରୀ ଚାଲିଯିବା ପରେ ସେ ଆର୍ଥିକ ଅନଟନ ଭୋଗିଥିଲେ । ୧୯୫୩ ମସିହା ଫେବୃୟାରୀ ୨୪ ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିଲା ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "FREEDOM FIGHTERS". Bhadrak District Official Website. Retrieved 25 August 2016.
  2. ୨.୦ ୨.୧ ୨.୨ Chand, Dr. Soma (1 August 2006). 2006/engpdf/43-47.pdf "Kantakabi Laxmikanta and Nationalist Poems" Check |url= value (help) (PDF). Orissa Review: 43. Retrieved 25 August 2016.
  3. Mohapatra, Prabhu Kalyan. "Kantakabi : A Nationalist Poet of Rare Caliber". Press Informatio Bureau. Retrieved 8 December 2014.
  4. ୪.୦ ୪.୧ "କାନ୍ତକବି ଲକ୍ଷ୍ମୀକାନ୍ତ (ଜୀବନୀ ଉପଲକ୍ଷେ)". ସମାଜ - ପୃଷ୍ଠା-୧୨. ୯ ଡିସେମ୍ବର ୨୦୧୩. |access-date= requires |url= (help)
  5. ସମ୍ବାଦ ୦୯/୧୨/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୯ http://www.sambadepaper.com/Details.aspx?id=310989&boxid=24922451. Retrieved 9 December 2016. Missing or empty |title= (help)
  6. "KANTAKABI LAXMIKANTA MOHAPATRA". OrissaDiary. Retrieved 8 December 2014.

ବାହାର ଲିଙ୍କ[ସମ୍ପାଦନା]