ଆଠମଲ୍ଲିକ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଏହି ଲେଖାଟି ଆଠମଲ୍ଲିକ 'ସହର' ବାବଦରେ । ବାକିସବୁ ପାଇଁ, ଆଠମଲ୍ଲିକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ) ପ୍ରସଙ୍ଗଟି ଦେଖନ୍ତୁ ।
ଆଠମଲ୍ଲିକ
ବିଜ୍ଞାପିତ ଅଞ୍ଚଳ ପରିଷଦ
ବାବା ସିଦ୍ଧେଶ୍ଵରଙ୍କ ମନ୍ଦିର
ଆଠମଲ୍ଲିକ is located in ଓଡ଼ିଶା
ଆଠମଲ୍ଲିକ
ଆଠମଲ୍ଲିକ
ଓଡ଼ିଶାରେ ଅବସ୍ଥାନ
Coordinates: 20°43′16.02″N 84°32′3.95″E / 20.7211167°N 84.5344306°E / 20.7211167; 84.5344306Coordinates: 20°43′16.02″N 84°32′3.95″E / 20.7211167°N 84.5344306°E / 20.7211167; 84.5344306
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଜିଲ୍ଲା ଅନୁଗୋଳ
ପଞ୍ଚାୟତ ସମିତି ଆଠମଲ୍ଲିକ
ଗ୍ରାମ ପଞ୍ଚାୟତ ଗ୍ରାମ ପଞ୍ଚାୟତ ନାମ
ଭାଷା ଓଡ଼ିଆ, ଇଂରାଜୀ
IST (+୫.୩୦)
ପିନ କୋଡ଼ ୭୫୯ ୧୨୨[୧]
Area code(s) +୦୬୭୬୩[୨]
ଗାଡ଼ି ପଞ୍ଜିକରଣ OD/19-x-xxxx

ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ପରିପୂର୍ଣ୍ଣ ଆଠମଲ୍ଲିକ ଅନୁଗୋଳ ଜିଲ୍ଲାର ଏକ ଉପଖଣ୍ଡ । [୩] ଆଠମଲ୍ଲିକର ଭୌଗୋଳିକ ଅବସ୍ଥିତି ହେଉଛି ୨୦.୭୨ ଉ. ୮୪.୫୩ ପୂ. ସମୁଦ୍ର ପତ୍ତନରୁ ଏହାର ହାରାହାରି ଉଚ୍ଚତା ୬୭ ମିଟର । ରାଜ୍ୟର ରାଜଧାନୀ ଭୁବନେଶ୍ଵର ଠାରୁ ଆଠମଲ୍ଲିକର ଦୁରତା ୨୨୦ କି.ମି ଓ ଅନୁଗୋଳ ଠାରୁ ୮୪ କି.ମି । ସ୍ୱାଧୀନତା ପୂର୍ବରୁ ଆଠମଲ୍ଲିକ ସହର କଇଁତ୍ରାଗଡ ଭାବରେ ପରିଚିତ ଥିଲା । ଚତୁର୍ଦ୍ଦଶ ଶତାବ୍ଦୀରେ ସୁନ୍ଦରଗଡ଼ ଜିଲ୍ଲାର ବଣାଇ ରାଜ୍ୟର କଦମ୍ବ ରାଜବଂଶର ଜଣେ ସଦସ୍ୟଙ୍କ ଦ୍ୱାରା ଏଠାରେ ରାଜ୍ୟ ସ୍ଥାପନ କରାଯାଇଥିଲା । କଦମ୍ବ ରାଜବଂଶର ରାଜାମାନେ ଆଠମଲ୍ଲିକ ରାଜ୍ୟର ବିଭିନ୍ନ ସ୍ଥାନରେ ଅନେକ ମଠ ଓ ମନ୍ଦିରମାନ ନିର୍ମାଣ କରି ଶୈବ, ବୈଷ୍ଣବ ଓ ଶାକ୍ତ ଧର୍ମର ବିକାଶ ଘଟାଇବା ସଙ୍ଗେ ସଙ୍ଗେ ଆର୍ଯ୍ୟ ଓ ଅଣ-ଆର୍ଯ୍ୟ ସଂସ୍କୃତିର ଅପୂର୍ବ ସମ୍ମିଶ୍ରଣ କରେଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଭୌଗଳିକ ଓ ପ୍ରାକୃତିକ ପରିବେଶ[ସମ୍ପାଦନା]

ଏଠାରେ ଥିବା ପଞ୍ଚଧାର ପର୍ବତମାଳା ଓଡ଼ିଶାର କେନ୍ଦ୍ରାଞ୍ଚଳରେ ଅବସ୍ଥିତ ପର୍ବତମାଳା ମଧ୍ୟରୁ ଅନ୍ୟତମ । ସେଠାରେ ପ୍ରକୃତି ସର୍ବଦା ଚଳଚଞ୍ଚଳ । ଚିରଦିନ ବସନ୍ତର ଅଖଣ୍ଡ ରାଜତ୍ୱ । ଏହାର ଅନନ୍ତ ବୈଚିତ୍ର୍ୟମୟୀ ପ୍ରକୃତି ଯୁଗେ ଯୁଗେ ଅନେକ କବି, ଭାବୁକ ଓ ପର୍ଯ୍ୟଟକମାନଙ୍କ ଦୃଷ୍ଟି ଆକର୍ଷଣ କରି ଆସିଛି । ସମୁଦ୍ର ପତ୍ତନଠାରୁ ୭୬୦ ମିଟର ଉଚ୍ଚରେ ଅବସ୍ଥିତ ଏହି ପର୍ବତମାଳାର ଦୈର୍ଘ୍ୟ ପ୍ରାୟ ପଞ୍ଚାବନ କି.ମି., ପ୍ରସ୍ଥ କେଉଁଠି ଦଶ ଓ ଆଉ କେଉଁଠି ବାର କି.ମି. । ଚିର ସବୁଜ ଏହି ପର୍ବତଶ୍ରେଣୀ ପାଞ୍ଚୋଟି ଧାରର ସମଷ୍ଟିକୁ ନେଇ ଗଠିତ । ୧୯୨୭-୩୧ ମସିହାର ବନ୍ଦୋବସ୍ତ ଅନୁସାରେ ଏହା ବଡଝର, ମୂଳଝର, ନେକୁଡିଆଝର, ବହୁଝର ଓ ଚଣାଗାଡିଆଝରର ସମିଶ୍ରଣରେ ସୃଷ୍ଟି ହୋଇଛି । ଦକ୍ଷିଣ-ପୂର୍ବ ଓ ଉତ୍ତର-ପଶ୍ଚିମ ଆଡକୁ ବିସ୍ତାରିତ ଏହି ପର୍ବତମାଳାର ପରିସର ହାତୀଧରା ଓ ତଲେଇପଥର ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବିଦ୍ୟମାନ । ପଞ୍ଚଧାର କ୍ରୋଡଦେଶରେ କେତକୀଝର, ତଲେଇପଥର, ଝିମେଇଚୁଆ ଓ କୁଟଗାଁଖୋଲ ପ୍ରଭୃତି ମନୋରମ ସ୍ଥାନ । ପ୍ରାଚୀନ କାଳରୁ ଅନେକ ସାଧୁ ସନ୍ନ୍ୟାସୀ, ମହାପୁରୁଷ ଓ ସାଧକମାନଙ୍କର ଏହା ସାଧନାସ୍ଥଳୀ ଥିଲା । କଥିତ ଅଛି, ଆଠମଲ୍ଲିକର ପୂର୍ବତନ ରାଜା ଯୋଗୀନ୍ଦ୍ର ଦେଓ ନିଜର ମନ୍ତ୍ରୀ ପିତାମ୍ବର ମଲ୍ଲିକଙ୍କୁ ରାଜ୍ୟ ଶାସନ ଭାର ଅର୍ପଣ କରି ତଲେଇପଥର ଜଙ୍ଗଲକୁ ଯାଇ ସେଠାରେ ମାସ ମାସ ଧରି ତପସ୍ୟାରତ ହେଉଥିଲେ । ଏହି ସ୍ଥାନ ସମ୍ପ୍ରତି ତପାଖୋଲ ନାମରେ ସୁପରିଚିତ । ପଞ୍ଚଧାର ପର୍ବତମାଳାର ନିଘଞ୍ଚ ଜଙ୍ଗଲ ଅନେକ ବନ୍ୟଜନ୍ତୁମାନଙ୍କର ନିବାସସ୍ଥଳୀ । ହସ୍ତୀ, ବ୍ୟାଘ୍ର, ଗୟଳ, ମୃଗ, ସମ୍ବର, ବରାହ, ଶୂକର ଓ ଭଲ୍ଲୁକ ପ୍ରଭୃତି ବନ୍ୟଜନ୍ତୁମାନେ ଏଠାରେ ନିର୍ଭୟରେ ଭ୍ରମଣ କରୁଥାନ୍ତି । ଏହା ସହିତ ଅହିରାଜ ଭଳି ବୃହତ ସର୍ପମାନେ ମଧ୍ୟ ଅନେକ ସମୟରେ ପର୍ଯ୍ୟଟକମାନଙ୍କ ଦୃଷ୍ଟି ପଥାରୂଢ କରିଥାନ୍ତି । ଶାଳ, ପିଆଶାଳ, ଶାଗୁଆନ ଓ ଶିଶୁ ପ୍ରଭୃତି ଦୁର୍ଲ୍ଲଭ ବୃକ୍ଷରାଜି ଏଠାରେ ବିପୁଳ ପରିମାଣରେ ଦେଖିବାକୁ ମିଳେ । ବର୍ଷା ଦିନେ ପଞ୍ଚଧାର ପର୍ବତମାଳା ଅପୂର୍ବଶ୍ରୀ ଧାରଣ କରେ । କଟକ, ଭୁବନେଶ୍ୱର, ସମ୍ବଲପୁରଠାରୁ ଆଠମଲ୍ଲିକ ଯିବାକୁ ହେଲେ ପଞ୍ଚଧାର ପର୍ବତମାଳା ମଧ୍ୟ ଦେଇ ଯାଇଥିବା ଘାଟି ରାସ୍ତାରେ ଯିବାକୁ ପଡେ । ବର୍ଷା ଦିନେ ଏହାର ଶୃଙ୍ଗମାନଙ୍କ ମଧ୍ୟରେ ଭସା ବଉଦମାନଙ୍କର ଲୁଚକାଳି ଖେଳ ପର୍ଯ୍ୟଟକ ମନରେ ଅସୁମାରୀ ଆନନ୍ଦ ସୃଷ୍ଟି କରେ । ସେତେବେଳେ ଏହା ମଧ୍ୟ ଦେଇ ପ୍ରବାହିତ କୁକୁଡାଯୋରର ପୂର୍ଣ୍ଣଗର୍ଭା ଦୃଶ୍ୟ ଦେଖି ପର୍ଯ୍ୟଟକମାନେ ବିମୋହିତ ହୋଇପଡନ୍ତି । ପଞ୍ଚଧାର ପର୍ବତମାଳାର ଅଳ୍ପ ଦୂରରେ ଅବସ୍ଥିତ ଆଠମଲ୍ଲିକ ଏକ ଛୋଟ ସହର । ଏହାର ତିନୋଟି ପାଶ୍ୱର୍ରେ ପଞ୍ଚଧାର ପର୍ବତମାଳା Cଶ୍ୱରଦତ୍ତ ତୋରଣ ଭଳି ଦଣ୍ଡାୟମାନ ହୋଇଥିବା ବେଳେ ଦକ୍ଷିଣ ପାଶ୍ୱର୍ରେ କକ୍ଳୋଳିନୀ ମହାନଦୀ ଏହାର ପାଦଧୌତ କରୁଛି । ଏହି ସହର ସମ୍ପ୍ରତି ଏକ ଉପଖଣ୍ଡର ସଦର ମହକୁମା । ଓଡିଶା ର ବଡନଦୀ ମହାନଦୀ ବୌଦ୍ଧ ଜିଲ୍ଲା ଠାରୁ ଆଠମଲ୍ଲିକ ପର୍ଯ୍ୟନ୍ତ ପ୍ରାୟ ୭୦ କିମି ବ୍ୟାପିଛି।

ଇତିହାସ[ସମ୍ପାଦନା]

ଆଠମଲ୍ଲିକ ଏକ ପୁରାତନ ରାଜ୍ୟ । ଜୟପୁରର ରାଜବଂଶ ଜଗନ୍ନାଥ ଦର୍ଶନରେ ଆସି ଏହି ରାଜ୍ୟ ସ୍ଥାପନ କରିଥିଲେ । ଏହି ରାଜ୍ୟ ଅଷ୍ଟମଲ୍ଲଙ୍କଦ୍ୱାରା ଶାସିତ ହେଉିବାରୁ ଏହା ଆଠମଲ୍ଲିକ ନାମରେ ଖ୍ୟାତ । କଦମ୍ୱ ପୁଷ୍ପ ଏ ରାଜ୍ୟର ସନ୍ତକ । ଏହି ରାଜ୍ୟର ରାଜାମାନେ କଦମ୍ୱବଂଶୀ । ରାଜ୍ୟର କ୍ଷେତ୍ରଫଳ ୭୩୦ ବର୍ଗମାଇଲ । ଗ୍ରାମସଂଖ୍ୟା ୫୧୩ । [୪]

ଏକଦଶ ଶତାବ୍ଦୀରେ ଏହାକୁ ଅନ୍ୟ ଏକ ମୁଖ୍ୟ ରାଜ୍ୟ ଭାବରେ ପରିଗଣିତ କରାଯାଇଥିଲା । ଯାହାକି କଦମ୍ବ ବଂଶର ରାଜା ପ୍ରତାପ ଦେଓଙ୍କ ଦ୍ଵାରା ସ୍ଥାପିତ ହୋଇଥିଲା । କୁହାଯାଏ ରାଜା ପ୍ରତାପ ଦେଓଙ୍କୁ ଏଠାରୁ ଏକ "ହଣ୍ଡା" ମିଳିଥିଲା ତେଣୁ ଆଠମଲ୍ଲିକର ନାମ ପ୍ରଥମେ "ହଣ୍ଡପା" ରଖିଥିଲେ । ସମୟ ଅନୁସାରେ କଦମ୍ବ ବଂଶର ରାଜାମାନେ ରାଜ୍ୟକୁ ଆଠଟି ଉପଖଣ୍ଡରେ ବିଭକ୍ତ କରି ପ୍ରତ୍ୟେକ ଉପଖଣ୍ଡ ପାଇଁ ଜଣେ ଲେଖାଏଁ ଉପମୁଖ୍ୟ (ମଲ୍ଲିକ) ଙ୍କୁ ନିଯୁକ୍ତି କରିଥିଲେ । ସେହି ସମୟ ଠାରୁ ରାଜ୍ୟର ନାମ ପରିବର୍ତ୍ତନ ହୋଇ ହଣ୍ଡପାରୁ ଆଠମଲ୍ଲିକ ହେଲା । ପ୍ରତାପ ଦେଓଙ୍କ ଦ୍ଵାରା ଆଠମଲ୍ଲିକରେ ପ୍ରତିଷ୍ଠିତ କଦମ୍ବ ରାଜବଂଶର ଶାସକମାନେ ଭାରତ ସ୍ଵାଧୀନ ହେବା ପର୍ଯ୍ୟନ୍ତ ଦୀର୍ଘ ୮୦୦ ବର୍ଷ କାଳ ରାଜ୍ଵତ୍ଵ କରିଥିଲେ । ରାଜା କିଶୋରଚନ୍ଦ୍ର ଦେଓଙ୍କ ଶାସନକାଳରେ ୧୯୪୮ ମସିହାରେ ଢେଙ୍କାନାଳ ସହିତ ମିଶି ଯାଇଥିଲା ଏବଂ ୧୯୯୩ ମସିହା ପର୍ଯ୍ୟନ୍ତ ଢେଙ୍କାନାଳ ଜିଲ୍ଲା ପରିଭୁକ୍ତ ରହିଥିଲା ।

ଅନେକ ବର୍ଷ ଧରି ଆଠମଲ୍ଲିକର ପରିସୀମା ଦକ୍ଷିଣରେ ମହାନଦୀବଉଦ ରାଜ୍ୟ , ଉତ୍ତରରେ ରେଢ଼ାଖୋଲ ଓ ଅନୁଗୋଳ ରାଜ୍ୟ, ପୂର୍ବରେ ଅନୁଗୋଳ ରାଜ୍ୟର ସୋରିଷପାଳ ଓ ଜଗନ୍ନାଥପୁର ଘାଟି ଏବଂ ପଶ୍ଚିମରେ ସୋନପୁର ଓ ରେଢ଼ାଖୋଲ ରାଜ୍ୟର କିଛି ଅଂଶ ମଧ୍ୟରେ ସୀମାବଦ୍ଧ ହୋଇ ରହିଥିଲା । ଅଷ୍ଟାଦଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧରେ ଯେତେବେଳେ ଓଡ଼ିଶା ମରହଟ୍ଟା ଶାସନାଧୀନ ହେଲା ଆଠମଲ୍ଲିକର ରାଜା ଶ୍ରୀଧର ଦେଓ ଅନୁଗୋଳର ରାଜାଙ୍କ ଦ୍ଵାରା ପରାସ୍ତ ହେବାରୁ ଆଠମଲ୍ଲିକର ଷୋଳପଦା ପରଗଣାରୁ ଛେଣ୍ଡିପଦା, ନାଓପଦା ଏବଂ ଆଉ ଏଗାରଟି ପଡା ତାଙ୍କୁ ସମର୍ପଣ କରିଦେଲେ । ଉନ୍ନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଆଠମଲ୍ଲିକର ରାଜା ରାମଚନ୍ଦ୍ରଦେଓ (୧୮୨୫-୧୮୫୨) ଏକ ଋଣ ବାବଦରେ ଆଠମଲ୍ଲିକର ଚାରିମଲ୍ଲିକ ଅଞ୍ଚଳକୁ ଅନୁଗୋଳର ରାଜା ସୋମନାଥ ସିଂହ ଜଗଦେବଙ୍କୁ ହସ୍ତାନ୍ତର କରିଦେଲେ । ୧୮୪୮ରେ ଅନୁଗୋଳ ଇଂରେଜ ଶାସନଧୀନ ହେବା ପରେ ଏହି ଅଞ୍ଚଳକୁ ଆଉ ଆଠମଲ୍ଲିକକୁ ଫେରାଇଦିଆଯାଇ ନଥିଲା ।

ଓଡ଼ିଶାରେ ମୁସଲମାନମାନେ ରାଜତ୍ଵ କରୁଥିବା ସମୟରେ ଏକଦା ଆଠମଲ୍ଲିକ ବୌଦ୍ଧର କରଦ ରାଜ୍ୟର ମାନ୍ୟତା ପାଇଥିଲା । କିନ୍ତୁ କେଉଁ ପରିସ୍ତିତିରେ ଓ କେବେ ଆଠମଲ୍ଲିକ ବୌଦ୍ଧର ଅଧୀନସ୍ତହେଲା ଏହା ସଠିକ ଭାବରେ ଜଣାଯାଏନାହିଁ । କିନ୍ତୁ ବ୍ରିଟିଶତଥ୍ୟ ଗୁଡିକରୁ ଜଣାଯାଏ ଯେ , ବୌଦର ରାଜା ଡୁମ୍ବା ଏବଂ ହଣ୍ଡପା ନାମକ ଦୁଇଟି ଦୁର୍ଗ ସ୍ଥାପନ କରିଥିଲେ । ଡୁମ୍ବା ଅଞ୍ଚଳର ରାଜସ୍ଵ ଆଦାୟ ପାଇଁ ସୁଦ ଓ କନ୍ଧମାନଙ୍କ ମଧ୍ୟରୁ ଜଣେ ସର୍ଦ୍ଦାର(ଶବରକାର)ଭାବରେ ନିଯୁକ୍ତ ପାଇଆସୁଥିଲେ । ଠିକ ସେହି ପରି ମହାନଦୀର ଉତ୍ତର ପାର୍ଶ୍ଵରେ ଥିବା ଆଠମଲ୍ଲିକ ଅଞ୍ଚଳ ପାଇଁ ଜଣେ ସାମନ୍ତ ବୌଦରାଜାଙ୍କ ଦ୍ଵାରା ନିଯୁକ୍ତ ପାଉଥିଲେ । ଆଠମଲ୍ଲିକର ସର୍ଦ୍ଧର ଥିଲେ ଅଷ୍ଟମଲ୍ଲିକଙ୍କର ସର୍ଦ୍ଧାର । ସାମନ୍ତଙ୍କ ମୃତ୍ୟୁ ପରେ ତାଙ୍କର ଉତ୍ତରାଧିକାରୀ ବୌଦର ରାଜାଙ୍କୁ ନଜରାନା ଦେଉଥିଲେ ଏବଂ ପ୍ରତିବଦଳରେ ବୌଦର ରାଜାଙ୍କ ଠାରୁ ଏକା ଶାଢୀ ଗ୍ରହଣ କରି ବୌଦର ରାଜପୁରୋହିତଙ୍କ ଦ୍ଵାରା ସାମନ୍ତ ପଦରେ ଅଭିଷିକ୍ତ ହେବାର ପ୍ରଥା ରହିଥିଲା ।ଆଠମଲ୍ଲିକ ଯେଭଳି ବୌଦର ଏକ କରଦ ରାଜ୍ୟ ଥିଲା,ସେହିପରି ସପ୍ତଦଶ ଶତାବ୍ଦୀସୁଦ୍ଧା ଓଡ଼ିଶାରେ ଯେତେବେଳେ ମୋଗଲମାନେ ରାଜତ୍ଵକରୁଥିଲେ ଆଠମଲ୍ଲିକ ସମ୍ବଲପୁରର ଚୌହାନ ରାଜାମାନଙ୍କର ଏକ କରଦ ରାଜ୍ୟ ହୋଇରହିଥିଲା ।[୫]

ଓଡ଼ିଶାରେ ମରହଟ୍ଟା ରାଜତ୍ଵ କାଳରେ ୧୮୦୩ରେ ଇଂରେଜମାନେ ବାରବାଟୀ ଦୁର୍ଗ ଅଧିକାର କରିବାପରେ ଗଡ଼ଜାତ ରାଜ୍ୟଗୁଡିକୁ ନିଜ ଅଧୀନକୁ ଆଣିବାପାଇଁ ବରମୂଳ ଘାଟୀ ଅଧୀକାର କଲେ । ଏହା ପରେ ଇଂରେଜମାନଙ୍କର ଅଧୀନତା ସ୍ଵୀକାର କରିବାପାଇଁ ଆଗ୍ରହ ପ୍ରକାଶ କରି ଆଠମଲ୍ଲିକର ସାମନ୍ତଙ୍କ ସହିତ ବୌଦର ରାଜା ଏକ ସ୍ମାରକପତ୍ର ସହ ଜଣେ ଏଜେଣ୍ଟଙ୍କୁ କଟକ ବ୍ରିଟିଶ କମିଶନରଙ୍କ ପାଖକୁ ପଠେଇଥିଲେ । ଫଳରେ ୧୮୦୪ ମାର୍ଚ୍ଚ ୪ ତାରିଖରେ ବୌଦର ରାଜା ଓ ଆଠମଲ୍ଲିକର ସାମନ୍ତ ଛତ୍ରବର ଦେଓଙ୍କ ସହିତ ଇଂରେଜ କମ୍ପାନୀ ସରକାର ଏକ ଚୁକ୍ତିରେ ସ୍ଵାକ୍ଷର କଲେ । ଅବଶ୍ୟ ଏହି ଚୁକ୍ତିର ମର୍ଯ୍ୟଦା କିଛି ରହିନଥିଲା । କାରଣ ଆଠମଲ୍ଲିକ ବୌଦ ସହିତ ସମ୍ବଲପୁର ଅଞ୍ଚଳ ୧୮୧୮ ମସିହା ପର୍ଯ୍ୟନ୍ତ ମରହଟ୍ଟା ଶାସନାଧୀନ ଥିଲା ।

୧୮୧୯ ମସିହା ମେ ୩୦ ତାରିଖରେ ଆଠମଲ୍ଲିକର ସାମନ୍ତ ଲଛେନ୍ଦ୍ର ଦେଓ ଇଂରେଜ କମ୍ପାନୀ ସରକାର ସହ ଏକ ଚୁକ୍ତି ସ୍ଵାକ୍ଷର କରିବାପରେ ଆଠମଲ୍ଲିକ ଏକ ସ୍ଵତନ୍ତ୍ର ରାଜ୍ୟ ହେଲା । କିନ୍ତୁ ପ୍ରକୃତ ପକ୍ଷେ ଆଠମଲ୍ଲିକ ବ୍ରିଟିଶ ସାମ୍ରାଜ୍ୟର ଏକ ସ୍ଵତନ୍ତ୍ର କରଦ ରାଜ୍ୟର ମାନ୍ୟତା ହାସଲ କଲା ୧୮୯୪ ମସିହରେ,ଯେତେବେଳେ ରାଜା ମହେନ୍ଦ୍ର ଦେଓ ଇଂରେଜ ସରକାରଙ୍କଠାରୁ ଏକ ସନନ୍ଦ ହାସଲ କଲେ । ୧୮୧୯ ମସିହାରୁ ୧୮୯୪ ମଧ୍ୟରେ ଆଠମଲ୍ଲିକ ଏକ ସ୍ଵତନ୍ତ୍ର ରାଜ୍ୟ ହେଇଥିଲେ ମଧ୍ୟ ଏହା ବୌଦ ଏବଂ ସର୍ବୋପରି ଭାବେ ସମ୍ବଲପୁରର ଶାସନାଧିନ ଥିଲା । ଆଠମଲ୍ଲିକର ସମ୍ବଲପୁର ସହିତ ଶାସନଗତ ସମ୍ପର୍କ ଛିନ୍ନ ହେଲା ଯେତେବେଳେ ୧୮୨୧ ରେ ବ୍ରିଟିଶ ସରକାର ସମ୍ବଲପୁରର ତାର ନିୟନ୍ତ୍ରଣାଧୀନ ରାଜ୍ୟ ଉପରେ ଥିବା ଜାଗିରି ପ୍ରଥାକୁ ରଦ୍ଦ କଲେ । ଫଳରେ ୧୮୩୭ ରୁ ବୌଦ ଓ ଆଠମଲ୍ଲିକର ଶାସନ କଟକ କରଦ ମହଲ ଦ୍ଵାରା ଦ୍ଵାରା ନିୟନ୍ତ୍ରିତ ହେଲା ।

୧୮୭୪ ମେ ୨୧ ତାରିଖରେ ଇଂରେଜ ସରକାର ପ୍ରଦାନ କରିଥିବା ଏକ ସନନ୍ଦ ଦ୍ଵାରା ଆଠମଲ୍ଲିକର ସାମନ୍ତ ଯୋଗେନ୍ଦ୍ର ଦେଓ ପ୍ରଥମେ ବଂଶାନୁକ୍ରମିକ ଭାବେ ରାଜା ଉପାଧି ବ୍ୟବହାର କରିବାର ଯୋଗ୍ୟତା ହାସଲ କଲେ । ୧୮୯୦ରେ ରାଜା ମହେନ୍ଦ୍ର ଦେଓ ତାଙ୍କର ଉତ୍ତମ ଶାସନ ପାଇଁ ବ୍ରିଟିଶ ସରକାରଙ୍କ ଦ୍ଵାରା ମହାରାଜା ଉପାଧିରେ ସମ୍ମାନିତ ହେଲେ । ୧୮୯୪ ଅକ୍ଟୋବର ୨୪ ରେ ଆଠମଲ୍ଲିକ ଅନ୍ୟ କରଦ ରାଜ୍ୟ ପରି ସବୁପ୍ରକାର ରାଜନୈତିକ ସୁବିଧା ହାସଲ କଲା ।

ପ୍ରତାପ ଦେଓଙ୍କ ଦ୍ଵାରା ଆଠମଲ୍ଲିକରେ କଦମ୍ବ ରାଜବଂଶ ପ୍ରତିଷ୍ଠିତ ହେବା ଠାରୁ ଏହି ରାଜବଂଶର ବୟାଳିଶି ଜଣ ଶାସକ କ୍ରମାଗତ ଭାବରେ ଶାସନ କରିଥିଲେ । ୩୭ତମ ଶାସକ ଲଛେନ୍ଦ୍ର ଦେଓ (୧୮୦୮-୧୮୨୫) ଓ ତାଙ୍କ ଉତ୍ତରାଧିକାରୀ ରାମଚନ୍ଦ୍ର ଦେଓ (୧୮୨୫ -୧୮୫୨) ସଫଳତାର ସହ ଶାସନ କଲେ । ୧୮୫୨ରେ ଆଠମଲ୍ଲିକର ରାଜଗାଦି ଅଧିକାର କଲେ ଯୋଗେନ୍ଦ୍ର ଦେଓ, ଯିଏ କି ଜଣେ ଭକ୍ତ ଓ ଉପାସକ ଭାବରେ ଜଣାଶୁଣା ଥିଲେ । ପ୍ରତିବର୍ଷ ଏକ ନିର୍ଦ୍ଧିଷ୍ଟ ସମୟରେ ତାଙ୍କର ଧର୍ମ କାର୍ଯ୍ୟ ଅଭ୍ୟାସ କରିବା ପାଇଁ ପଞ୍ଚଧାରା ପାହାଡ଼ର ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ତିତ ଢ଼ଳେଇପଥରକୁ ଯାଉଥିଲେ । ୧୮୭୧ରେ କଇଁତ୍ରାଗଡ଼ରେ(ବର୍ତ୍ତମାନ ଆଠମଲ୍ଲିକ) ଏକ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରିଥିଲେ ଯାହାକି ଆଠମଲ୍ଲିକ ରାଜ୍ୟର ପ୍ରଥମ ବିଦ୍ୟାଳୟ । ଆଉ ମଧ୍ୟ ଜଣାଯାଏ ଯେ ରାଜବାଟୀର ନିରାପତ୍ତା ପାଇଁ ସେ କେତେକ ମୁସଲମାନମାନଙ୍କୁ ଖୋର୍ଦ୍ଧାରୁ ଆଣି ରଖାଇଥିଲେ । ଯୋଗେନ୍ଦ୍ର ଦେଓଙ୍କ ଶାସନ ଏକ ରାଜନୈତିକ ସମସ୍ୟାର ସମ୍ମୁଖୀନ ହେଲା ୧୮୬୨-୬୩ ମଧ୍ୟରେ ଯେତେବେଳେ ବଳ ବିଶ୍ଵାସ ନାମକ ଜଣେ ସରବରକାର ବିଦ୍ରୋହ କଲେ । ବଳ ବିଶ୍ଵାସ ଥିଲେ ପଇଁଛଖୋଳ ପରଗଣାର ଜାମୁଡୋଲି ଗ୍ରାମର ଜଣେ ବ୍ୟକ୍ତି ଯେ କି ଆଠମଲ୍ଲିକର ଆଠୋଟି ମଲ୍ଲିକ ମଧ୍ୟରୁ ଜଣେ ଓ ଯାହାର କି ଆଠମଲ୍ଲିକର ରାଜାମାନଙ୍କ ସହିତ ଅସନ୍ତୋଷଜନକ ସମ୍ପର୍କ ରହିଆସୁଥିଲା ୧୮୪୭ ରୁ । ବଳ ବିଶ୍ଵାସଙ୍କ ସହିତ ରାଜାଙ୍କ ସମ୍ପର୍କ ତିକ୍ତ ହେଲା ଯେତେବେଳେ ୧୯୬୩ରେ ବଳ ବିଶ୍ଵାସ ଅନେକ ଅନାବଦୀ ଜମିକୁ କୃଷିକ୍ଷେତ୍ରରେ ପରିଣତ କରି ଦଖଲ କଲେ କିନ୍ତୁ ସେହି ଜମି ପାଇଁ ଖଜଣା ଦେବାକୁ ମନାକଲେ । ଏଣୁ ରାଜା ତାଙ୍କୁ ରାଜ୍ୟ ଛାଡି ଯିବାକୁ ଆଦେଶ ଦେଲେ । ଫଳରେ କେତେମାସ ନିର୍ବାସିତ ହୋଇ ହଠାତ ବଳ ବିଶ୍ଵାସ ଆଠମଲ୍ଲିକ ରାଜ୍ୟରେ ପ୍ରବେଶ କରି ତାର ସହଯୋଗୀଙ୍କ ସହ ଅନେକ ଗ୍ରାମରେ ତୁଟତରାଜ କଲେ ଓ ଗ୍ରାମଗୁଡିକ ପୋଡିଦେଲେ । ଅବଶ୍ୟ ରାଜା ଇଂରେଜ ସୈନ୍ୟବାହିନୀ ସହାୟତାରେ ତାକୁ ଦମନ କରିବାରେ ସକ୍ଷମ ହେଲେ ।

ରାଜା ଯୋଗେନ୍ଦ୍ର ଦେଓଙ୍କ ଉତ୍ତରାଧିକାରୀ ହେଲେ ତାଙ୍କ ପୁତ୍ର ମହେନ୍ଦ୍ର ଦେଓ ଯେ କି ୧୮୭୭ ରୁ ୧୯୦୧ ପର୍ଯ୍ୟନ୍ତ ଶାସନ କଲେ । ତାଙ୍କର ରାଜତ୍ଵ କାଳରେ ଆଠମଲ୍ଲିକ ପ୍ରତ୍ୟେକ କ୍ଷେତ୍ରରେ ଅନେକ ଉନ୍ନତି କରିପାରିଥିଲା । ଫଳତଃ ଇଂରେଜ ସରକାର ମଧ୍ୟ ତାଙ୍କୁ ମହାରାଜା ଉପାଧୀରେ ଭୂଷିତ କରିଥିଲେ । ତାଙ୍କ ଦ୍ଵାରା ପଣ୍ଡିତ ସର୍ବସ୍ଵ ର ଏକ ସଂଶୋଧିତ ସଂସ୍କରଣ ପ୍ରକାଶରୁ ଜଣାଯାଏ ଯେ ସେ ସଂସ୍କୃତ ଶିକ୍ଷାର ଜଣେ ପୃଷ୍ଠପୋଷକ ଥିଲେ । ସାମନ୍ତ ଚନ୍ଦ୍ରଶେଖରଙ୍କ ସିଦ୍ଧାନ୍ତ ଦର୍ପଣ ପ୍ରକାଶିତ ହେବାରେ ତାଙ୍କର ଭୂମିକା ଅତୁଳନୀୟ । ଶିକ୍ଷାର ପ୍ରସାର ପାଇଁ ସେ ଅନେକ ପ୍ରାଥମିକ ବିଦ୍ୟାଳୟ, ଗୋଟିଏ ମଧ୍ୟ ଇଂରାଜୀ ବିଦ୍ୟାଳୟ ଏବ ଗୋଟିଏ ସଂସ୍କୃତ ଶିକ୍ଷା ସଂସ୍ଥା ନିଜ ରାଜ୍ୟରେ ସ୍ଥାପନ କରିଥିଲେ । ରାଜ୍ୟ ବସୀଙ୍କୁ ସ୍ଵାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଏକ ଆର୍ୟୁବେଦ ଓ ଦୁଇଟି ଭେଷଜ ଡାକ୍ତରଖାନା ପ୍ରତିଷ୍ଠା କରିଥିଲେ । ତାଙ୍କ ସମୟରେ କୃଷି ଓ ବାଣିଜ୍ୟର ମଧ୍ୟ ଉନ୍ନତି ଘଟିଥିଲା । ଯାହା ଫଳରେ ୧୮୯୦ରେ ଯେତେବେଳେ ଦୁର୍ଭିକ୍ଷ ଦେଖାଦେଲା ପ୍ରାଜାମାନଙ୍କୁ ଖାଦ୍ୟଯୋଗାଇ ଦେବାପାଇଁ ସମସ୍ତ କର୍ମଚାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ । ଯାହାଦ୍ଵାରା ପଡୋଶୀ ରାଜ୍ୟଗୁଡିକରୁ ଅନେକ ଲୋକ ନିଜ ଘରଦ୍ଵାର ଛାଡି ଆଠମଲ୍ଲିକରେ ସ୍ଥାୟୀ ବସବାସ କରିବାପାଇଁ ଆଗେଇଆସିଥିଲେ ।

ମହାରାଜା ମହେନ୍ଦ୍ର ଦେଓଙ୍କ ପରେ ତାଙ୍କର ପୁତ୍ର ବିଭଦେନ୍ଦ୍ର ଦେଓ (୧୯୦୧-୧୯୧୮) ଓ ଓ ତାଙ୍କ ପରେ ତାଙ୍କ ପୁତ୍ର କିଶୋରଚନ୍ଦ୍ର ଦେଓ ଆଠମଲ୍ଲିକର ରାଜସିଂହାସନ ଅଧିକାର କରିଥିଲେ । କିନ୍ତୁ ୧୯୧୮ରେ ପିତାଙ୍କ ମୃତ୍ୟୁ ବେଳକୁ ସେ ଥିଲେ ନାବାଳକ । ଏଣୁ ୧୯୨୫ ରେ ସେ ପ୍ରକୃତ ଶାସନ କ୍ଷମତା ଅଧିକାର କଲେ । ଏହି ପରି କିଶୋରଚନ୍ଦ୍ର ଦେଓ ଥିଲେ ଆଠମଲ୍ଲିକର ଶେଷ ରାଜା ଯାହାଙ୍କ ରାଜତ୍ଵ କାଳରେ ଭାରତ ସ୍ଵାଧୀନ ହେଲା ।[୬]

ଦର୍ଶନୀୟ ସ୍ଥାନ[ସମ୍ପାଦନା]

ଆଠମଲ୍ଲିକ ପାଖ ମହାନଦୀ କୁଳ

ଆଠମଲ୍ଲିକର ପ୍ରାକୃତିକ ପରିବେଶ ବହୁତ ମନୋଲୋଭା ଓ ହୃଦୟସ୍ପର୍ଶି । ଆଠମଲ୍ଲିକର ଦର୍ଶନୀୟ ସ୍ଥାନ ମଧ୍ୟରେ ଅଧୀଷ୍ଠାତ୍ରି ଦେବୀ ମା' ମାହେଶ୍ଵରୀ ଓ ବାବା ସିଦ୍ଧେଶ୍ଵରଙ୍କ ମନ୍ଦିର, ଦେଉଳଝରି ଉଷ୍ଣପ୍ରସ୍ରବଣ, ପଞ୍ଚଧାର ଘାଟି, ବେଲପୁଞ୍ଜି ମଠ, ସୁରେଶ୍ଵରୀ, ବିନିକେୟୀ ବେଶ ଆକର୍ଷଣୀୟ । ଆଠମଲ୍ଲିକକୁ ପ୍ରବେଶ କରୁକରୁ ସବୁଜ ବନାନୀରେ ଭରା ପଞ୍ଚଧାର ଘାଟିର ରୂପ, କୋଇଲିର ମଧୁର ସ୍ଵର, ରାସ୍ତା କଡରେ ବୋହିଯାଉଥିବା ଝରଣାର କୂଳୁ କୂଳୁ ନାଦ ଯେକୌଣସି ପର୍ଯ୍ୟଟକର ମନ ମୋହିନିଏ । ସେଥିପାଇଁତ ବଣଭୋଜି ପାଇଁ "ଆଠମଲ୍ଲିକକୁ" ସଭିଏଁ ଜାଣନ୍ତି । ସୁନ୍ଦର ପିକ୍ନିକ୍ ସ୍ପଟ୍ ଭାବେ ପଞ୍ଚଧାର ଘାଟି, କୁକୁଡାଦରହ, ବିନିକେୟୀ, ବେଲପୁଞ୍ଜି ମଠ, ମାନଜୋର୍ ଡ୍ୟାମ ଆଦି ଖୁବ ପ୍ରସିଦ୍ଧ।

ଆଠମଲ୍ଲିକ ରେ ଅନେକ ଦର୍ଶନୀୟ ସ୍ଥାନ ଅଛି।

  • ବେଲପୁଞ୍ଜି ମଠ : ମହାନଦୀ କୂଳରେ ସୁଶୋଭିତ ବୃକ୍ଷରାଜି ମଧ୍ୟରେ ଅବସ୍ଥିତ ବେଲପୁଞ୍ଜି ମଠ । ମଠ ଭିତରେ ଏକ ବିରାଟ ପ୍ରାର୍ଥନା ପ୍ରକୋଷ୍ଠ, ଯାହାକି ରାସ ମଣ୍ଡପ ନାମରେ ସର୍ବଜନବିଦିତ । ତା' ନିକଟରେ କଇଁଫୁଲିଆ ବାବାଙ୍କର ସମାଧିପୀଠ । ଦେଉଳଝରୀଠାରୁ ପ୍ରାୟ ୧୭ କି.ମି. ଦୂରରେ ଅବସ୍ଥିତ ଏହି ସୁରମ୍ୟ ସ୍ଥାନରେ ସବୁଦିନ ଭକ୍ତ ତଥା ଶାନ୍ତିପ୍ରିୟ ମଣିଷମାନଙ୍କର ପ୍ରବଳ ଭିଡ ହୁଏ । ଭଜନ ସଂକୀର୍ତ୍ତନ ଓ ଧୂପ ଦୀପରେ ଏହା ସର୍ବଦା ମୁଖରିତ ହେଉଥାଏ । ଶୀତଦିନେ ଏଠାରେ ବଣଭୋଜି ପାଇଁ ପ୍ରବଳ ଭିଡ ଲାଗି ରହେ । ଖରାଦିନେ ସାୟଂ କାଳରେ ଅନେକ ପ୍ରକୃତି ପ୍ରେମୀ ମଣିଷ ଏଠାକୁ ଛୁଟି ଆସନ୍ତି ଦୈନନ୍ଦିନର ବ୍ୟସ୍ତ ଜୀବନରୁ ଟିକିଏ ମୁକ୍ତି ପାଇଁ । ମହାଆନନ୍ଦରେ ମହାନଦୀରେ ନୌବିହାର କରନ୍ତି । ମଳୟ ପବନ ସାଙ୍ଗକୁ ନାଉରିଆର ମନ ଫୁଲାଣିଆ ଗୀତ ସେମାନଙ୍କ ମନକୁ ହରଣ କରିନିଏ ।

ଶିକ୍ଷା[ସମ୍ପାଦନା]

କଲେଜ ଓ ବିଦ୍ୟାଳୟ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "PinCode: ATHAMALLIK, ANGUL, ORISSA, India, Pincode.net.in". pincode.net.in. 2012. Retrieved 15 May 2012. Details of Post Office ATHAMALLIK, ANGUL 
  2. "General Information, STD Codes, Orissa". orissa.fullorissa.com. 2011. Retrieved 15 May 2012. Athamalik : 06763 
  3. "District Angul". rainrays.com. 2012. Retrieved 15 May 2012. Sub - Division in Angul District 
  4. https://or.wikisource.org/s/5c2
  5. http://angul.nic.in/history.htm
  6. ପଞ୍ଚଧାର ୨୦୧୨