ସୁଭାଷ ଚନ୍ଦ୍ର ବୋଷ
ସୁଭାଷ ଚନ୍ଦ୍ର ବୋଷ (ନେତାଜୀ) | |
|---|---|
ସୁଭାଷ ବୋଷ | |
| ଜନ୍ମ | |
| ରାଜନୈତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ ଫରୱାର୍ଡ଼ ବ୍ଲକ |
| ସନ୍ତାନ | ଅନିତା ବୋଷ |
| ଦସ୍ତଖତ | |
![]() | |

ସୁଭାଷ ଚନ୍ଦ୍ର ବୋଷ (ନେତାଜୀ ସୁଭାଷ ଚନ୍ଦ୍ର ବୋଷ) (୨୩ ଜାନୁଆରୀ ୧୮୯୭ – ୧୯୪୫ ଅଗଷ୍ଟ ୧୮ [ମୃତ୍ୟୁ ଏବେ ମଧ୍ୟ ରହସ୍ୟମୟ]), ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଓଡ଼ିଶାର ବୀରପୁତ୍ର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ କଟକର ଓଡ଼ିଆ ବଜାରଠାରେ ହୋଇଥିଲା । ପିତାଙ୍କ ନାମ ଜାନକୀନାଥ ବୋଷ । ଜାନକୀନାଥ ବୋଷଙ୍କର ପୁତ୍ରଭାବରେ ଜନ୍ମଗ୍ରହଣ କରିଥିବା ସୁଭାଷ ଭାରତ ତଥା ସମଗ୍ର ବିଶ୍ୱର ବିସ୍ମୟ ବିଦ୍ରୋହୀ ସଂଗ୍ରାମୀ ନେତା ଭାବରେ ପରିଚିତ । ସେ ହେଉଛନ୍ତି ବିଶ୍ୱର ନେତାଜୀ ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ସୁଭାଷ, ବାପା ଜାନକୀ ନାଥ ବୋଷଙ୍କ ଔରସରୁ ଓ ମାଆ ପ୍ରଭାବତୀ ଦେବୀଙ୍କଠାରୁ ୧୮୯୭ ମସିହା ଜାନୁଆରୀ ୨୩ ତାରିଖ ଦିନ ଓଡ଼ିଶାର କଟକ ସହରଠାରେ ଜନ୍ମ ନେଇଥିଲେ । ତାଙ୍କ ପିତା ଥିଲେ ଜଣେ ଆଇନଜୀବୀ ।
ଚଉଦ ଭାଇଭଉଣୀଙ୍କ ମଧ୍ୟରୁ ସେ ଥିଲେ ନବମ । ଅନ୍ୟ ଭାଇଭଉଣୀଙ୍କ ପରି ତାଙ୍କ ଶିକ୍ଷା ବାପଟିଷ୍ଟ ମିଶନଦ୍ୱାରା ପରିଚାଳିତ ପ୍ରୋଟେଷ୍ଟାଣ୍ଟ ଇଉରୋପିଆନ ସ୍କୁଲରେ ଜାନୁଆରୀ ୧୯୦୨ରେ ଆରମ୍ଭ ହେଲା । ୧୯୦୯ରେ କଟକର ରେଭେନ୍ସା କଲେଜିଏଟ ସ୍କୁଲକୁ ସ୍ଥାନାନ୍ତରଣ ପରେ ସେହିଠାରୁ ସେ ୧୯୧୩ରେ ମ୍ୟାଟ୍ରିକ ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ରଖି ଉତ୍ତୀର୍ଣ୍ଣ ହେଲେ । ପ୍ରଥମଟି ଦିନରୁ ହିଁ ତାଙ୍କ ପ୍ରଧାନଶିକ୍ଷକ ବେନିମାଧବ ଦାସ ତାଙ୍କ ପ୍ରତିଭାକୁ ଚିହ୍ନିଥିଲେ । ମାଧ୍ୟମିକ ଶିକ୍ଷା ସମାପ୍ତ କଲାପରେ କଲିକତାର ପ୍ରେସିଡେନ୍ସୀ କଲେଜରେ ଦର୍ଶନ ଶାସ୍ତ୍ର ଏବଂ ସ୍କଟିସ ଚର୍ଚ୍ଚ କଲେଜରେ ପାଠ ପଢ଼ିଥିଲେ । ପ୍ରେସିଡେନ୍ସୀ କଲେଜରେ ପଢୁଥିବା ସମୟରେ ଅଧ୍ୟାପକ ସି.ଏଫ୍. ଓ୍ୱେଟେନଙ୍କ ଭାରତ ବିରୋଧୀ ମନ୍ତବ୍ୟରେ କ୍ଷୁବ୍ଧ ହୋଇ ଅନ୍ୟ ପିଲାଙ୍କ ସହିତ ତାଙ୍କୁ ଦୁର୍ବ୍ୟବହାର କରିଥିବା କାରଣରୁ କଲେଜରୁ ବହିଷ୍କୃତ ହୋଇଥିଲେ ।
୧୯୧୯ ମସିହାରେ ପିତାଙ୍କ ବାଧ୍ୟବାଧ୍ୟକତାରେ ବିଲାତ ଯାଇ ୧୯୨୦ ମସିହରେ ଆଇ. ସି. ଏସ. ପରୀକ୍ଷାରେ ଚତୁର୍ଥ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିଲେ । ୧୯୨୧ରେ ଆଇସିଏସର ତାଲିମ ନେଉଥିବା ବେଳେ ଭାରତରେ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ଘଟିଥିଲା, ତେଣୁ ସେ ଅଧାରୁ ତାଲିମ ଛାଡ଼ି ଭାରତ ଫେରି ଆସିଥିଲେ ।[୧]
ଜନ୍ମ ଓ ପରିବାର
[ସମ୍ପାଦନା]ନେତାଜୀଙ୍କର ଜନ୍ମ ୧୮୧୮ ଶକାବ୍ଦ,ସନ ୧୩୦୩ ସାଲ ଇଂରାଜୀ ମାସ ତ୨୩-୧-୧୮୯୭ ମସିହାରେ ମାଘ ମାସ ୧୧ ଦିନ, ଶନିବାର ମଧ୍ୟାହ୍ନ ଘ୧୨|୧୫|୧୩|୩୭|୩୦ ବିଲିତା, କନ୍ୟାରାଶି,ନକ୍ଷତ୍ର ଉତ୍ତରାଫାଲଗୁନୀ,ନରଗଣ, ବର୍ଣ୍ଣ ବୈଶ୍ୟ ଅଟେ ।
ସୁଭାଷଙ୍କର ମାତାଙ୍କ ନାମ ପ୍ରଭାବତୀ ଦେବୀ । ସେ ଥିଲେ ଧାର୍ମିକ ଦେବପ୍ରାଣା,ସୁଭାଷ ମାତାଙ୍କର ଧର୍ମଭାବରେ ବିଶେଷଭାବରେ ପ୍ରଭାବିତ ହୋଇଥିଲେ । ମାତା ଯେ ହେତୁ ଶ୍ରୀ ଶ୍ରୀ ଠାକୁର ରାମକୃଷ୍ଣ ପରମହଂସଙ୍କର ଭକ୍ତ । ସେଥିଲାଗି ବାଲ୍ୟକାଳରେ ମାତା ପ୍ରଭାବତୀ ଦେବୀ ସୁଭାଷଙ୍କୁ କେବଳ ଠାକୁର ରାମକୃଷ୍ଣଙ୍କର ସମ୍ପର୍କିତ ବିଷୟ ବସ୍ତୁ କଥା କହି ପ୍ରଭାବିତ କରୁଥିଲେ । ନେତାଜୀଙ୍କର ସୁଭାଷଙ୍କର ଜନ୍ମ ଯଦିଓ ଓଡ଼ିଶାରେ ହେଲେ ତାଙ୍କର ପିତା ଜାନକୀନାଥ ବୋଷଙ୍କର ଅସଲରେ ଜନ୍ମସ୍ଥାନ ହେଉଛି ପଶ୍ଚିମବଙ୍ଗର ଚବିଶ ପ୍ରାଗଣା ଜିଲ୍ଲାରେ । ସୁଭାଷଙ୍କର ପିତା ଜାନକୀ ନାଥ ଥିଲେ ଜଣେ ବିଶିଷ୍ଟ ଆଇନଜ୍ଞ ।[୨] ତେଣୁ ଆଇନ ବ୍ୟବସାୟ ତାଙ୍କର ପ୍ରଧାନ କର୍ମ । ସେତେବେଳେ କୈଣସି କାରଣରୁ ଜାନକୀନାଥ କଟକ ଆସନ୍ତି, କଟକର ଐତିହାସିକ ପରିବେଶ ତାଙ୍କୁ ବହୁଭାବରେ ଆକୃଷ୍ଟ କରିବାରୁ ସେ କଟକରେ ରହି ଆଇନ ବ୍ୟବସାୟ କରିବାକୁ ଶ୍ରେଷ୍ଠ ସ୍ଥାନ ଭାବରେ ବାଛିନେଲେ ଓ କଟକରେ ରହି ଆଇନ ବ୍ୟବସାୟ ଚଳେଇଲେ । ତା ଛଡା ଏହି ସମୟରେ କଟକ ତଥା ଓଡ଼ିଶା ଥିଲା ବଙ୍ଗଳା ପ୍ରେସିଡେନ୍ସିର ଏକ ଅଂଶ । ଜାନକୀ ନାଥଙ୍କର ଆଇନ ବ୍ୟବସାୟ କ୍ଷେତ୍ରରେ ଯୁକ୍ତି ପ୍ରବଣତା ଏବଂ ବିଚକ୍ଷଣରେ ପ୍ରଭାବିତ ହୋଇ ତଥା ସନ୍ତୁଷ୍ଟ ହୋଇ ତତ୍କାଳୀନ ଇଂରେଜ ସରକାର ତାଙ୍କୁ ଗଭର୍ଣ୍ଣମେଣ୍ଟର ପ୍ଲିଡ଼ର ଭାବରେ ନିଯୁକ୍ତି ତଥା ରାୟବାହାଦୁର ପଦବୀ ପ୍ରଦାନ କରିଥିଲେ ।[୩]
ଗୃହତ୍ୟାଗ ଓ ଗୁରୁଖୋଜା
[ସମ୍ପାଦନା]ସୁଭାଷ ଯେତେବେଳେ ବଙ୍ଗଳାର ଉକ୍ତ କଲେଜରେ ନାମଲେଖାଇଲେ ସେତେବେଳେ ସେ ତାଙ୍କ ଜୀବନ ନିମନ୍ତେ ଜଣେ ଜଣେ ନୂଆ ବନ୍ଧୁ ପାଇଥିଲେ । ସେହି ବନ୍ଧୁ ଥିଲେ ତତ୍କାଳିନ ନାଟ୍ୟକାର ଦ୍ୱିଜେନ୍ଦ୍ରଲାଲଙ୍କ ପୁତ୍ର ଦିଲ୍ଲୀପ ରାୟ । ଦିଲ୍ଲୀପଙ୍କର ଅରବିନ୍ଦଙ୍କର ଭାବଧାରା ପ୍ରତି ବିଶେଷ ସମ୍ମାନ ଥିଲା । ଯେତେବେଳେ ସୁଭାଷ କୌଣସି ସଂକଟମୟ ପରିସ୍ଥିତିରେ ପଡ଼ିଯାଆନ୍ତି,ସେତେବେଳେ ସେ ତାଙ୍କର ସେହି ବନ୍ଧୁ ଦିଲ୍ଲୀପ ରାୟଙ୍କୁ ପତ୍ର ପଠାଇ ଜଣାଇଥାନ୍ତି । ଦିଲ୍ଲୀପ ରାୟଙ୍କ ସହିତ ତାଙ୍କର ଏତେମାତ୍ରା ବନ୍ଧୁତ୍ୱ ବଢିଯାଇଥିଲା ଯେ, ସେ ଶେଷରେ ବନ୍ଧୁଙ୍କ କେତେକ କଥାର ମହତ୍ୱକୁ ବୁଝି କାହାକୁ ନଜଣାଇ ଗୃହ ପରିତ୍ୟାଗ କରିଥିଲେ । କାରଣ ଥିଲା ଯେ କଷ୍ଟକୁ ବହନ କରି ସଂଯମତା ଆଚରଣ କରିବା । ଏହା ପରେ ସେ ଜୀବନର ସମସ୍ୟାର ସମାଧାନ ପାଇଁ ଆଗକୁ ଚାଲିଲେ । ଗୃହଠାରୁ ୯୦ କି.ମି ଦୂର ଯିବାପରେ କୃଷ୍ଣନଗରରେ ଜଣେ ବନ୍ଧୁଙ୍କ ଘରେ କିଛିଦିନ ଅତିବାହିତ କଲେ । ସେଠାରେ ଏକ ନଦୀକୂଳରେ ଜଣେ ସନ୍ୟାସୀଙ୍କ ସସ୍ପର୍ଶରେ ଆସିଥିଲେ । ଦିନେ ସୁଭାଷ ସନ୍ୟାସୀଙ୍କର ଉଦ୍ଦେଶ୍ୟରେ କହିଲେ ମୁଁ ସମସ୍ତ କ୍ଷେତ୍ରରେ ନିର୍ଭିକ ତଥା ନିର୍ବିକାର କିପରି ଭାବରେ ହୋଇପାରିବି ସେଥିପାଇଁ ଆଶିର୍ବାଦ କରନ୍ତୁ । ଏହା ଶୁଣି ସନ୍ୟାସୀ କହିଲେ ଯେକୈଣସି କାର୍ଯ୍ୟକୁ ସଫଳ କରିବାକୁ ହେଲେ ପ୍ରଥମ ମନକୁ ସଂଯତ ଓ ଦୃଢ଼ଭାବରେ ତୋଳିବାକୁ ହୋଇଥାଏ । କିମ୍ବା ଏସବୁ ପାଇଁ ତମକୁ ଜଣେ ଗୁରୁଙ୍କ ଶିଷତ୍ୱ ଗ୍ରହଣ କରିବାକୁ ପଡ଼ିବ । କିନ୍ତୁ ପରଦିନ ସନ୍ୟାସୀ ସେହିସ୍ଥାନ ପରିତ୍ୟାଗ କରିଚାଲିଯାଇଥିଲେ । ଫଳରେ ସେ ନିରାଶ ହୋଇ ଗୁରୁ ଖୋଜିବା ପାଇଁ ସେଠାରୁ ବାହାରି ବହିତ ଦିନ ବୁଲିଲେ । ଅନେକ ବାଧାବିଘ୍ନର ସମ୍ମୁଖୀନ ହୋଇ ଶେଷର ସେ ଘରକୁ ଫେରି ଆସିଥିଲେ ଏବଂ ପୁନର୍ବାର ପାଠ ପଢ଼ିବା ଆରମ୍ଭ କରିଦେଇଥିଲେ ।ଆଉ ମଧ୍ୟ ଇଣ୍ଟରମିଡିଏଟ୍ ପରୀକ୍ଷାରେ ଭଲଭାବରେ କୃତକାର୍ଯ୍ୟ ହେଲେ । ୧୯୧୫ ମସିହାରେ ବି.ଏ ରେଦର୍ଶନ ବିଦ୍ୟାରେ ଅନର୍ସ ଦେଇ ପାଠପଢ଼ା ଆରମ୍ଭ କରିଥିଲେ ମଧ୍ୟ ସେ କଲେଜରୁ ହିଁ ରାଜନୀତି ଆରମ୍ଭ କଲେ । ସେ ସର୍ବ ପ୍ରଥମ କଲେଜ ନିର୍ବାଚନରେ ଠିଆହୋଇ ୟୁନିୟନ ନେତା ଭାବରେ ନିର୍ବାଚିତ ହୋଇଥିଲେ । ଏହା ଥିଲା ରାଜନେତା ହେବାର ପ୍ରଥମ ପାହାଚ ।
ଛାତ୍ର ଜୀବନ
[ସମ୍ପାଦନା]ନେତାଜୀଙ୍କୁ ପାଞ୍ଚବର୍ଷ ସମୟ ଅର୍ଥାତ ୧୯୦୨ ମସିହାରେ ତାଙ୍କ ପିତା ଜାନକୀନାଥ ପ୍ରାଥମିକ ଶିକ୍ଷା ନିମନ୍ତେ କଟକ ପ୍ରୋଟେଷ୍ଟାଣ୍ଡ ସ୍କୁଲଠାରେ ନାମ ଲେଖାଇଥିଲେ । ସେଠାରେ ସୁଭାଷ ଜଣେ ମେଧାବୀ ଛାତ୍ର ଭାବରେ ସୁନାମ ଅର୍ଜନ କରିଥିଲେ । ସେହି ସମୟରେ ପ୍ରୋଟେଷ୍ଟାଣ୍ଡ ସ୍କୁଲର ନିୟମ ଅନୁସାରେ ଭାରତରେ ଜନ୍ମଗ୍ରହଣ କରିଥିବା ଯେ ଛାତ୍ର ଯେତେ ଅଧିକ ନମ୍ବରରଖି ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ସେମାନଙ୍କୁ ଅନେକ ବୃତ୍ତି ଦେବା କ୍ଷେତ୍ରରେ ପାତର ଅନ୍ତର ପ୍ରଥା ଅବଲମ୍ବନ କରାଯାଉଥିଲା । ତାହା ହିଁ ଥିଲା ସୁଭାଷଙ୍କ ମନରେ ବିଦ୍ରୋହତା । ପିତା ସୁଭାଷଙ୍କର ମନକଥା ବୁଝି ସୁଭାଷଙ୍କର ଶିକ୍ଷାକୁ ଦେଶୀୟ ହିସାବରେ ଶିକ୍ଷାଦାନ ନିମନ୍ତେ ୧୯୦୯ ମସିହାରେ ପରବର୍ତ୍ତୀ ଶିକ୍ଷା ବ୍ୟବସ୍ଥା ରେଭେନ୍ସା କଲେଜିଏଟ ସ୍କୁଲରେ ନାମ ଲେଖାଇଥିଲେ ।[୩]
୧୯୦୮ମସିହା ଅଗଷ୍ଟ ମାସ ୧୧ ତାରିଖ ଦିନ ଖୁଦୀରାମଙ୍କୁ ଇଂରେଜ ସରକାରଙ୍କଦ୍ୱାରା ଫାସି ଦିଆଯାଇଥିଲା । ସୁଭାଷଙ୍କ ପ୍ରତି ଏହାର ପ୍ରଭାବ ପଡ଼ିଲା । ଛାତ୍ର ଜୀବନ କାଳରେ ୧୯୧୧ ମସିହାରେ ସୁଭାଷ ହେଲେ ବିଶ୍ୱବିଦ୍ୟାଳୟର ଶ୍ରଦ୍ଧାର ପାତ୍ର । ଜଣେ ଦକ୍ଷ ସଂଗଠକ, ସୁଭାଷ ବୋଷଙ୍କଦ୍ୱାରା ଖୁଦିରାମଙ୍କର ସ୍ମୃତି ବାର୍ଷିକ ପାଳନ କରାଗଲା । ପୁନଶ୍ଚ ୧୯୧୧ ମସିହା ଅଗଷ୍ଟ ମାସରେ ରେଭେନ୍ସା କଲେଜିଏଟ ସ୍କୁଲ ଛାତ୍ରାବାସରେ ଚୁଲି ଜଳାଗଲା ନାହିଁ । ସମସ୍ତେ ଉପବାସ ରହି ତାହା ପାଳନ କଲେ । ସ୍ମୃତି ସଭାରେ ସୁଭାଷଙ୍କର ବକ୍ତୃତା ସମସ୍ତ ମର୍ମସ୍ପର୍ଶୀ ହେଲା । ସେ ଦିନ ସୁଭାଷ ତାଙ୍କର ସମସ୍ତ ଛାତ୍ର ବନ୍ଧୁଙ୍କୁ ଉଦ୍ୱୋଧନ ଦେଇ କହିଥିଲେ ଦେଶର ଲୋକମାନଙ୍କୁ ଦେଶାତ୍ମକ କରିବାକୁ ହେଲେ ସେମାନଙ୍କୁ ଦେଶାତ୍ମକ ଧର୍ମରେ ଦୀକ୍ଷିତ କରିବାକୁ ହେବ ।
ସହୀଦ ଖୁଦୀରାମଙ୍କର ସ୍ମୃତି ଦିବସ ପାଳନ ହେବାର ସମ୍ବାଦ ଇଂରେଜ ସରକାରଙ୍କ ନିକଟକୁ ପହଞ୍ଚିଲା । ସେଥିଯୋଗୁଁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କେତେକ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ିଥିଲା ପ୍ରଧାନ ଶିକ୍ଷକ ବେଣିମାଧବ ଦାସଙ୍କୁ । ଏହି କାରଣରୁ ବେଣୀମାଧବ ଦାସଙ୍କ ନଦୀଆ ଜିଲ୍ଲା ଅନ୍ତର୍ଗତ କୃଷ୍ଣଗେରକୁ ଯିବାକୁ ଆଦେଶ ଆସିଲା । ଶିକ୍ଷକଙ୍କ ବଦଳିର ଆଦେଶ ଶୁଣି ଚୁପ ରହିପାରିଲେ ନାହିଁ, ସମସ୍ତ ଛାତ୍ରମାନଙ୍କୁ ନେଇ ଆନ୍ଦୋଳନ କରିଥିଲେ ମଧ୍ୟ ଶେଷରେ ଶିକ୍ଷକଙ୍କ ବଦଳି ହୋଇଥିଲା । ୧୯୧୩ ମସିହାରେ ସୁଭାଷଙ୍କର ମେଟ୍ରିକୁଲେସନ ପରୀକ୍ଷା ଫଳ ପ୍ରକାଶ ପାଇଲା । ସୁଭାଷ ସମସ୍ତଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ପିତା ଜାନକୀନାଥଙ୍କ ଇଛାରେ ୧୯୧୩ ମସିହାରେ ସେ କଲିକତା ବଙ୍ଗଳା ଶ୍ରେଷ୍ଠ କଲେଜ ପ୍ରେସିଡେନ୍ସି କଲେଜରେ ଯୋଗଦେଲେ ।[୪]
ଗାନ୍ଧିଜୀଙ୍କ ସହ ସାକ୍ଷାତ
[ସମ୍ପାଦନା]୧୯୨୧ ମସିହା ଜୁଲାଇ ୧୬ରେ ସୁଭାଷ ବୋଷ କେମ୍ବ୍ରିଜ ପରିତ୍ୟାଗକରି ବମ୍ବେ ଆସିଥିଲେ । ସେ ଯେଉଁ ଜାହାଜରେ ଆସୁଥିଲେ ସେ ଜାହାଜରେ ରବିନ୍ଦ୍ରନାଥ ଟାଗୋର ମଧ୍ୟ ଭାରତ ଆସୁଥିଲେ । ତାଙ୍କ ସହ ଅଲୋଚନା କରି ସେ ଜାଣିଥିଲେ ଯେ ନିଜେ ରବିନ୍ଦ୍ରନାଥ ଗାନ୍ଧିଜୀଙ୍କର ଆନ୍ଦୋଳନ ପ୍ରତ୍ୟାହାର ନୀତିକୁ ସମର୍ଥନ କରୁଥିଲେ । ସେ ବମ୍ବେରୁ ଓହ୍ଲାଇ ମହାତ୍ମାଗାନ୍ଧୀଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ । ସେତେବେଳେ ଗାନ୍ଧିଜୀ ଥିଲେ ବାସ୍ତବରେ କଂଗେସର ଅପ୍ରତିଦ୍ୱନ୍ଦୀ ଓ କର୍ଣ୍ଣଧାର ମାତ୍ର ୧୯୧୪ ମସିହାରେ ଭାରତକୁ ଫେରି ଆସିବା ସମୟରେ ଦକ୍ଷିଣ ଆଫ୍ରିକାରେ ପାର୍ଲିଆମେଣ୍ଟ ବିରୁଦ୍ଧରେ ଭାରତୀୟମାନଙ୍କ ଅଧୀକାରର ସୁରକ୍ଷା ଆଣିବା ନିମନ୍ତେ ସତ୍ୟାଗ୍ରହଦ୍ୱାରା ସଫଳ ହୋଇଥିଲେ । ସେତେବେଳେ ଗାନ୍ଧିଜୀ ବମ୍ବେର ମଣିଭବନରେ ବସ କରିଥିଲେ । ସେଠାରେ ସେ ସ୍ୱାଧୀନତା ସଂଗ୍ରାମର ପରିକଳ୍ପନା କଣ ଏବଂ ରୂପାୟନ ସଂପର୍କରେ ସ୍ପଷ୍ଟ ଧାରଣ କଣ ତାହା ଜାଣିବାକୁ ପାଇଲେ । ସେ ଗାନ୍ଧିଜୀଙ୍କୁ ପଚାରିଥିଲେ ଯେ, କାହିଁକି ବିଦେଶୀ ଅମଲାତନ୍ତ୍ରମାନଙ୍କଠାରୁ କ୍ଷମତା ଛଡାଇନେବାକୁ ଚାହୁଁଛନ୍ତି। ସୁଭାଷଙ୍କର ଆଉଗୋଟିଏ ପ୍ରଶ୍ନ ଥିଲା ଗୋଟିଏ ବର୍ଷ ମଧ୍ୟରେ କେଉଁ ପ୍ରକାର ଉପାୟକୁ ଅବଲମ୍ବନ କରି ଭାରତ ସ୍ୱାଧୀନତା ପାଇବ ? ଗାନ୍ଧିଜୀ ସ୍ପଷ୍ଟ ଭାବରେ ଉତ୍ତର ଦେଇଥିଲେ ଏହା ଅସମ୍ଭବ । ସେଠାରେ ସେ ଅନେକ ପ୍ରଶ୍ନ ପଚାରିଥିଲେ ମଧ୍ୟ ତାହର ସନ୍ତୋଷ ଜନକ ଉତ୍ତର ପାଇ ପାରିନଥିଲେ । ଗାନ୍ଧିଜୀ କହିଥିଲେ ତୁମେ ଚିତ୍ତରଞ୍ଜନଙ୍କୁ ସାକ୍ଷତ କରି ତାଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କର । ଏହ ପରେ ସେ କଲିକତାର ରସାରୋଡ଼ରେ ଯାଇ ଚିତ୍ତରଞ୍ଜନଙ୍କ ବାସଗୃହରେ ସାକ୍ଷାତ କଲେ । ଏହା ଥିଲା ତାଙ୍କର ଚିତ୍ତରଞ୍ଜନଙ୍କ ସହ ପ୍ରଥମ ସାକ୍ଷାତ । ଏହା ପରେ ଉଭୟଙ୍କ ବିରାଟ ଓ ମହତ ତ୍ୟାଗ ନିଷ୍ପତ୍ତିର ମିଶ୍ରଣଦ୍ୱାରା ସ୍ୱାଧୀନତା ସଂଗ୍ରାମର ରାଜନୈତିକ ଇତିହାସ ମଧ୍ୟମ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିପାରିଥିଲା ।
ସ୍ୱରାଜ ଦଳ
[ସମ୍ପାଦନା]୧୯୨୪ ମସିହା ଆରମ୍ଭ ସମୟରେ କଲିକତା ପୌରସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଠାରେ ସ୍ୱରାଜ ଦଳ ଅଧିକ ସଂଖ୍ୟକ ବିଜୟୀ ହୋଇଥିଲେ । ଏହାଦ୍ୱାରା ଦେଶବନ୍ଧୁ ଚିତ୍ତରଞ୍ଜନ ମେୟର ଶହିଦ ସୁରା ବନ୍ଦୀ ଡେପୁଟି ମେୟର ଭାବରେ ନିର୍ବାଚିତ ହେଲେ । ଏ କ୍ଷେତ୍ରେ ସୁଭାଷ ଚନ୍ଦ୍ର ଏପରି ପଦବୀରେ ରହି ଯେଉଁ ଦରମା ପାଇଲେ ତାହାର ଅର୍ଦ୍ଧେକ ଅଂଶ ଦାନ ଭାବରେ ଦେଉଥିଲେ । ତାଙ୍କ କାର୍ଯ୍ୟ ଶୈଳୀ ନିପୁଣ ତଥା ନ୍ୟାୟ ସଙ୍ଗତ ହୋଇଥିବାରୁ ସେତେବେଳକାର ପୌରସଭାରେ ଥିବା ଅନ୍ୟାନ୍ୟ ବହୁ ବିଭାଗରେ ଇଂରାଜୀ କର୍ମଚାରୀମାନେ ସୁଭାଷ ଚନ୍ଦ୍ରଙ୍କର ତଳିଆ କର୍ମଚାରୀ ଭାବରେ କାର୍ଯ୍ୟ ପରିଚାଳନା କରୁଥିଲେ । କଲିକତାର ପୌର ସଭାର ସର୍ବପ୍ରଧାନ ଦାୟିତ୍ୱ ନେବାପରେ ସୁଭାଷ କଲିକତାର ବହୁ ଉନ୍ନୟନ କାର୍ଯ୍ୟ କଲେ । ଆଇନ ସଭାରେ ସ୍ୱରାଜ ଦଳ ଏକ ଶକ୍ତିଶାଳୀ ଦଳର ଭୂମିକା ଗ୍ରହଣ କଲା । ଏହା ପରେ ସ୍ୱରାଜ ଦଳକୁ ଏକ ଶ୍ରେଷ୍ଠଦଳ ଭାବରେ ବିବେଚିତ କରାଯାଇ ଭାରତର ସରକାର ଗଠନ କରିବା ନିମନ୍ତେ ଗୋଲ ଟେବୁଲ ବୈଠକ ଆହ୍ୱାନ କରାଯାଇଥିଲା ।
୧୯୧୯ ମସିହା ୩ ନମ୍ବର ଧାରା ପ୍ରୟୋଗ କରିବା ପାଇଁ ଅକ୍ଟୋବର ମାସ ୨୪ ତାରିଖରେ ବଡ଼ଲାଟଙ୍କ ତରଫରୁ ଘୋଷଣା ନାମା ପ୍ରକାଶ ପାଇଲା । ଏହି ଆଇନ ଅନୁସାରେ ସ୍ୱରାଜ ପନ୍ଥୀମାନଙ୍କୁ ଗିରଫ କରାଗଲା । ପୁନଶ୍ଚ ସେହି ଆଇନ ବଳରେ ସୁଭାଷଙ୍କୁ ଅକ୍ଟୋବର ୨୫ରେ ତାଙ୍କର ଏଲିଗିନ ରୋଡ଼ଠାରେ ଥିବା ବାସଭବନରୁ ଗିରଫ କଲେ । ସୁଭାଷ ଚନ୍ଦ୍ର ଜେଲରେ ଥିବା ସମୟରେ ସେହି ଜେଲରେ ଥିବା ଜଣେ ପୋଲିସ ଅଫିସରଙ୍କର ଅଶାଳିନ ବ୍ୟବହାରରେ ଅତିଷ୍ଟ ହୋଇ ତାକୁ ବହିଷ୍କାର କରିବାଦ୍ୱାରା ସୁଭାଷଙ୍କୁ ଆଲିପୁର ଜେଲରୁ ବରହପୁତ୍ର ଜେଲକୁ ସ୍ଥାନାନ୍ତରିତ କରଗଲା।
ଭାରତୀୟ ସ୍ୱାଧିନତା ଆନ୍ଦୋଳନରେ ଭୂମିକା
[ସମ୍ପାଦନା]ଦେଶବନ୍ଧୁ ଚିତ୍ତରଞ୍ଜନ ଦାସଙ୍କ ସମ୍ପର୍କରେ ଆସିବା ପରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଇ ୧୯୨୩ରେ ବଙ୍ଗଳା ପ୍ରାଦେଶିକ କଂଗ୍ରେସର କମିଟିର ସମ୍ପାଦକ ହୋଇଥିଲେ । ୧୯୨୪ ମସିହାରେ ସେ କଲିକତା ମହାନଗରୀର ମେୟର ହୋଇଥିଲେ । ୧୯୨୮ରେ କଂଗ୍ରେସ ପକ୍ଷରୁ ନିଯୁକ୍ତପ୍ରାପ୍ତ ମୋତିଲାଲ ନେହେରୁ କମିଟି ସ୍ୱାୟତ୍ତ ଶାସନ ସପକ୍ଷରେ ମତ ଦେଇଥିଲେ, କିନ୍ତୁ ଜବାହରଲାଲ ନେହେରୁ ଓ ସୁଭାଷ ବୋଷ ଉଭୟେ ପୂର୍ଣ୍ଣ ସ୍ୱାଧୀନତା ଚାହିଁଥିଲେ । ୧୯୩୦ରେ ଆଇନ ଅମାନ୍ୟ ଆନ୍ଦୋଳନ ବେଳେ ସୁଭାଷଙ୍କୁ ଗିରଫ କରି ଜେଲରେ ରଖାଯାଇଥିଲା, ତେବେ ୧୯୩୧ରେ ଗାନ୍ଧୀ-ଇରୱିନ ଚୁକ୍ତି ପରେ ତାଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା । ୧୯୩୮ ମସିହାରେ ହରିପୁରା ଜାତୀୟ କଂଗ୍ରେସର ଅଧିବେଶନରେ ଗାନ୍ଧୀଙ୍କ ମନୋନୀତ ପ୍ରାର୍ଥୀ ପଟ୍ଟାଭିସୀତାରାମାୟାଙ୍କୁ ହରାଇ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ୧୯୩୯ରେ ସେ ପୁଣିଥରେ ସେହି ପଦବୀକୁ ନିର୍ବାଚିତ ହୋଇଥିଲେ । [୫]
୧୯୩୯ରେ ସେ ଫରୱାର୍ଡ଼ ବ୍ଳକ ନାମକ ଏକ ନୂତନ ଦଳ ଗଠନ କରିଥିଲେ । ସଶସ୍ତ୍ର ଆନ୍ଦୋଳନଦ୍ୱାରା ହିଁ ଭାରତକୁ ବ୍ରିଟିଶ ସାମ୍ରାଜ୍ୟବାଦରୁ ମୁକ୍ତ କରିହେବ ବୋଲି ସେ ବିଶ୍ୱାସ କରୁଥିଲେ । ସେ ଇଟାଲିର ଜନନାୟକ ଗାରିବାଲ୍ଡି ଓ ମାର୍ଜିନିଙ୍କଦ୍ୱାରା ଯଥେଷ୍ଟ ଅନୁପ୍ରାଣୀତ ହୋଇଥିଲେ । ସୁଭାଷଙ୍କର ଏହି ଉଗ୍ରନୀତି ଯୋଗୁଁ ବ୍ରିଟିଶ ସରକାର ତାଙ୍କୁ କଲିକତାଠାରେ ନଜରବନ୍ଦୀ ରୂପେ ରଖିଥିଲେ । ଭାରତର ସ୍ୱାଧୀନତା ପାଇଁ ଭାରତ ବାହାରେ ରହି ଯୁଦ୍ଧ କରିବା ପାଇଁ ୧୯୪୧ ଜାନୁଆରୀ ୧୭ ତାରିଖରେ ସେ ଭାରତର ସୀମାନ୍ତ ଅତିକ୍ରମ କରି ଆଫଗାନିସ୍ଥାନ ଓ ସୋଭିଏତ ଋଷ ମଧ୍ୟ ଦେଇ ମାର୍ଚ୍ଚ ମାସରେ ବର୍ଲିନଠାରେ ପହଞ୍ଚିଥିଲେ । ଜର୍ମାନୀର ନାଜି ଶାସକ ହିଟଲରଙ୍କ ସହ ସାକ୍ଷାତ କରି ଭାରତର ସ୍ୱାଧୀନତା ହାସଲ ସମ୍ପର୍କରେ ତାଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ । ବର୍ଲିନଠାରେ ଏକ ମୁକ୍ତ ଭାରତ କେନ୍ଦ୍ର ଉନ୍ମୋଚନ କଲେ ଓ ଜର୍ମାନୀ ମାଟିରେ ଫ୍ରି ଇଣ୍ଡିଆ ଆର୍ମି ଗଠନ କରିଥିଲେ । ସୁଦୂର ବର୍ଲିନରୁ ଆଜାଦ ହିନ୍ଦ ରେଡ଼ିଓ ମାଧ୍ୟମରେ ଭାରତବାସୀଙ୍କୁ ସଂଗ୍ରାମ ପାଇଁ ଆହ୍ୱାନ ଦେଇଥିଲେ । ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି ଆହ୍ୱାନରେ ସମସ୍ତଙ୍କୁ ଏକଜୁଟ କଲେ ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନରେ ନିର୍ବାସିତ ଭାବେ ବାସ କରୁଥିବା ରାସ ବିହାରୀ ବୋଷ ନାମକ ଜଣେ ଭାରତୀୟ ଜାପାନ, ବର୍ମା, ମାଳୟ, ପ୍ରଭୃତି ସ୍ଥାନରେ ପ୍ରବାସୀ ଭାରତୀୟ ଓ ଯୁଦ୍ଧ ବନ୍ଦୀମାନଙ୍କୁ ଏକତ୍ରିତ କରି ଭାରତୀୟ ସ୍ୱାଧୀନତା ଲିଗ ଗଠନ କଲେ । ସୁଭାଷ ସିଙ୍ଗାପୁରରେ ଆଜାଦ ହିନ୍ଦ ଫୌଜର ଦାୟିତ୍ୱ ଗ୍ରହଣ କଲେ ଏବଂ ୧୯୪୩ ମସିହା ଅକ୍ଟୋବର ୨୧ତାରିଖ ଦିନ ସେଠାରେ ଏକ ଅସ୍ଥାୟୀ ସ୍ୱାଧୀନ ସରକାର ଗଠନ କଲେ । ସେହିଠାରୁ ସେ ଆହ୍ୱାନ ଦେଇଥିଲେ ଦିଲ୍ଲୀ ଚଲୋ । ଏହା ସହିତ ଆରମ୍ଭ ହେଲା ଆଜାଦ ହିନ୍ଦ ଫୌଜର ଅଭିଯାନ । ୧୯୪୪ ମାର୍ଚ୍ଚ ୧୮ ତାରିଖରେ ଆଜାଦ ହିନ୍ଦ ଫୌଜ ବର୍ମା ସୀମା ଅତିକ୍ରମ କରି ଭାରତୀୟ ମାଟିରେ ପାଦ ଥାପିଥିଲା ଓ ମଣିପୁରର ଇମ୍ଫାଲ ଯାଏଁ ଏହି ଅଭିଯାନ ଅଗ୍ରସର ହେଲା । ଦୃଢ଼ ପଦକ୍ଷେପରେ ଅଗ୍ରସର ହେଉଥିବା ଆଜାଦ ହିନ୍ଦ ଫୌଜ ଉପରେ ବ୍ରିଟିଶ ବାହିନୀ ଉଭୟ ସ୍ଥଳ ଓ ଆକାଶ ପଥରୁ ଆକ୍ରମଣ କରି ଇମ୍ଫାଲଠାରେ ତାଙ୍କୁ ପରାସ୍ତ କଲା ।[୬]
ଶାହନୱାଜ କମିଟି, ଖୋସଲା କମିଶନ, ମୂଖାର୍ଜୀ କମିଶନ ପରି ଅନେକ କମିଶନ ଅଫ ଇନକ୍ୱାରି ବସିଥିଲେ ମଧ୍ୟ ତାଙ୍କର ମୃତ୍ୟୁର କାରଣ ଏବଂ ସମୟ ସଠିକ ଭାବେ ନିରୁପିତ ହୋଇପାରିନାହିଁ ।
ଜଣାଶୁଣା ଗଣମାଧ୍ୟମରେ
[ସମ୍ପାଦନା]୨୦୦୪ରେ ଶ୍ୟାମ ବେନେଗାଲ ସୁବାଷ ଚନ୍ଦ୍ର ବୋଷଙ୍କ ଜିବନୀକୁ ନେଇ ଏକ କଥାଚିତ୍ର, Netaji Subhas Chandra Bose: The Forgotten Hero କରିଥିଲେ । ଏହି କଥାଚିତ୍ରଟି ବହୁତ ଗୁଡିଏ ପୁରସ୍କାର ପାଇଥିଲା ।[୭][୮]
ଟୀକା
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2012-07-01. Retrieved 2012-07-12.
{{cite web}}: Cite has empty unknown parameter:|1=(help) - ↑ Marshall J. Getz (2002). Subhas Chandra Bose: A Biography. McFarland. pp. 7–. ISBN 978-0-7864-1265-5. Retrieved 23 December 2012.
- 1 2 Kanailal Basu (20 January 2010). Netaji: Rediscovered. AuthorHouse. pp. 262–. ISBN 978-1-4490-5567-7. Retrieved 23 December 2012.
- ↑ Yasmine Jesudasen. Voices of Freedom Movement. Sura Books. pp. 57–. ISBN 978-81-7478-555-8. Retrieved 23 December 2012.
- ↑ "ଆର୍କାଇଭ୍ କପି". Archived from the original on 2012-04-21. Retrieved 2012-07-12.
{{cite web}}: Cite has empty unknown parameter:|1=(help) - ↑ http://www.historytoday.com/hugh-purcell/subhas-chandra-bose-afterlife-india%E2%80%99s-fascist-leader
- ↑ Pandohar 2005.
- ↑ The Guardian 2005.
ଆଧାର
[ସମ୍ପାଦନା]- Bayly, Christopher; Harper, Timothy (2007), Forgotten Wars: Freedom and Revolution in Southeast Asia, Harvard University Press, ISBN 978-0-674-02153-2, retrieved 21 September 2013
ବାହାର ଆଧାର
[ସମ୍ପାଦନା]- "Mystery over India freedom hero". BBC News. 2006-05-17. Retrieved 2008-08-10.
- The Tribune of India: New look at Netaji
- Subhaschandrabose.org Archived 2014-02-01 at the Wayback Machine.
- The True Story of Bose
- India's Holy Grail: Back from Dead by Anuj Dhar Archived 2008-09-19 at the Wayback Machine., Asia Times Book Review
