ବିଶ୍ଵନାଥ କର

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ବାଗ୍ମୀ
ବିଶ୍ଵନାଥ କର
Visvanath Kar.png
ଜନ୍ମ ଓ ଜନ୍ମସ୍ଥାନ ୨୪ ଡିସେମ୍ବର ୧୮୬୪(1864-12-24)
ମୂଳବସନ୍ତ, ମାହାଙ୍ଗା,କଟକ ଓଡ଼ିଶା
ମୃତ୍ୟୁ ୧୯ ଅକ୍ଟୋବର ୧୯୩୪ (୬୯ ବର୍ଷ)
ଜୀବିକା ବକ୍ତା, ସାହିତ୍ୟିକ, ପ୍ରାବନ୍ଧିକ ଓ ସମାଜ ସଂସ୍କାରକ
ଜଣାଶୁଣା କାମ ବିବିଧା ପ୍ରବନ୍ଧ

ବିଶ୍ଵନାଥ କର (ବାଗ୍ମୀ ବିଶ୍ୱନାଥ କର ନାମରେ ଜଣା) - (୧୮୬୪ - ୧୯୩୪) ଜଣେ ଓଡ଼ିଆ ସମାଜ ସଂସ୍କାରକ, ସଂପାଦକ, ପ୍ରାବନ୍ଧକ, ବାଗ୍ମୀ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ 'ଉତ୍କଳ ସାହିତ୍ୟ' ପତ୍ରିକାର ସମ୍ପାଦକ ଥିଲେ । ସେ ଉତ୍କଳ ସମ୍ମିଳନୀର ଅନ୍ୟତମ ସଂଚାଳକ ଓ ବିହାର-ଓଡ଼ିଶା ପ୍ରଦେଶର ଜଣେ ବ୍ୟବସ୍ଥାପକ ଭାବେ କାମ କରିଥିଲେ । ତତ୍କାଳୀନ ବ୍ରିଟିଶ ସରକାରଙ୍କ ଠାରୁ ସେ "ରାୟ ବାହାଦୁର" ଉପାଧୀ ପ୍ରାପ୍ତ ହୋଇ ତାହାକୁ ପ୍ରତ୍ୟାଖ୍ୟାନ କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ ବ୍ୟକ୍ତି । ୧୮୯୬ ମସିହାରେ ସେ 'ବିବିଧା ପ୍ରବନ୍ଧ' ପୁସ୍ତକ ରଚନା କରିଥିଲେ । 'ବିବିଧା ପ୍ରବନ୍ଧ' ସାହିତ୍ୟ, ସଂସ୍କୃତି, ଧର୍ମ, ସଭ୍ୟତା ଇତ୍ୟାଦି ବିଷୟରେ ବିଭିନ୍ନ ସମୟରେ ରଚିତ ଓ 'ଉତ୍କଳ ସାହିତ୍ୟ' ପତ୍ରିକାରେ ପ୍ରକାଶିତ ପ୍ରବନ୍ଧାବଳୀର ଏକ ସଂକଳନ ।[୧]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ସେ ୧୮୬୪ ମସିହା ଡିସେମ୍ବର ୨୪ ତାରିଖ ଦିନ କଟକ ଜିଲ୍ଲାର ମାହାଙ୍ଗା ନିକଟସ୍ଥ ମୂଳବସନ୍ତ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ବିଶ୍ଵନାଥଙ୍କ ପିତାଙ୍କ ନାମ ନାରାୟଣ କର ଓ ମାତାଙ୍କ ନାମ ବୈଦେହୀ ଦେବୀ ।

ଶିକ୍ଷାଲାଭ[ସମ୍ପାଦନା]

୧୮୮୦ରେ ସେ କୁଆଁପାଳରୁ ମାଇନର ପାସ କରି କଟକ ଆସି ନବପ୍ରତିଷ୍ଠିତ ପ୍ୟାରୀମୋହନ ଏକାଡେମୀରେ ନାମ ଲେଖାଇଥିଲେ । ୧୮୮୪ରେ ମସିହାରେ ସେ ଏଣ୍ଟ୍ରାନ୍ସ ପାସ କଲେ ।

ଚାକିରି[ସମ୍ପାଦନା]

୧୮୮୬ରେ ବିରୋଳ ଗ୍ରାମ ବିଦ୍ୟାଳୟର ପ୍ରଧାନଶିକ୍ଷକ ପଦବୀରେ ନିଯୁକ୍ତି ପାଇଥିଲେ ।

ଉତ୍କଳ ସାହିତ୍ୟ[ସମ୍ପାଦନା]

ପତ୍ରିକା ସମ୍ପାଦନା[ସମ୍ପାଦନା]

ମଧୁସୂଦନ ରାଓଙ୍କ ପ୍ରରୋଚନାରେ ଉତ୍କଳ ସାହିତ୍ୟ ପତ୍ରିକା ତାଙ୍କ ସମ୍ପାଦନାରେ[୨][୩][୪] ୧୮୯୭ରେ ପ୍ରକାଶ ପାଇଥିଲା ।[୫] ପତ୍ରିକାଟି ପ୍ରକାଶ ପାଇବାର ତୃତୀୟ ବର୍ଷ ନାନା ଆଡୁ ବହୁତ ଅସୁବିଧା ହେଇଥିଲା । ଏଥିପାଇଁ ସେ ସ୍ଵତନ୍ତ୍ର ପ୍ରେସ ସ୍ଥାପନ ପାଇଁ ଉଦ୍ୟମ କରିଥିଲେ ।

ଉତ୍କଳ ସାହିତ୍ୟ ପ୍ରେସ ସ୍ଥାପନା[ସମ୍ପାଦନା]

ସେ ଉଧାର କରି ୧୯୦୦ ମସିହା ଜାନୁଆରୀ ୧୦ ତାରିଖରେ "ଉତ୍କଳ ସାହିତ୍ୟ ପ୍ରେସ"ନାମକ ଏକ ପ୍ରେସ କଟକଠାରେ ସ୍ଥାପନ କରିଥିଲେ। ତା ପୁର୍ବରୁ ସେ ୧୮୯୯ ମସିହା ନଭେମ୍ବର ପହିଲାରୁ ପ୍ରଧାନଶିକ୍ଷକ ପଦ ତ୍ୟାଗ କରିଦେଇଥିଲେ । ସେ ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ "ସତ୍ୟ ସମାଚାର" ପତ୍ରିକା ଚଳାଇଥିଲେ । ସେହି ସମୟରେ ସେ "ପୁରୁଷ ସିଂହ ଗାନ୍ଧୀ" ବୋଲି ଏକ ପ୍ରବନ୍ଧ ଲେଖିଥିଲେ । ଫଳରେ ବ୍ରିଟିଶ ସରକାର ତାଙ୍କ ଉପରେ କଡା ନଜର ରଖିଥିଲେ ।[୬]

ପତ୍ରପତ୍ରିକା ସମ୍ପାଦନାରେ କରଙ୍କ ପ୍ରଚେଷ୍ଟାରେ ନଅଙ୍କ ଦୁର୍ଭିକ୍ଷ ଓ ପରେ ଓଡ଼ିଆ ଭାଷା ଆନ୍ଦୋଳନ ସମୟରେ ତାଙ୍କଦ୍ୱାରା ସଂପାଦିତ "ଉତ୍କଳ ସାହିତ୍ୟ" (୧୮୯୭) ଓଡ଼ିଆ ନବଜାଗରଣର ବାବଦରେ ବିଭିନ୍ନ ଖବର ପ୍ରକାଶିତ ହେଉଥିଲା । ଏଥିରେ ସେ ଫକୀର ମୋହନ ସେନାପତି, ମଧୁସୂଦନ ରାଓ, କୃଷ୍ଣ ପ୍ରସାଦ ଚୌଧୁରୀ, ଶ୍ୟାମସୁନ୍ଦର ରାଜଗୁରୁ, ମୃତ୍ୟୁଞ୍ଜୟ ରଥ, ଗୋପାଳ ଚନ୍ଦ୍ର ପ୍ରହରାଜ, ଗୋପୀନାଥ ନନ୍ଦ, ମୋହିନୀ ମୋହନ ସେନାପତିଙ୍କ ଭଳି ପ୍ରମୁଖ ସାହିତ୍ୟିକଙ୍କ ବିଶିଷ୍ଟ କୃତିଗୁଡ଼ିକ ଏହି ପତ୍ରିକାରେ ପ୍ରକାଶ କରୁଥିଲେ ।[୬]

ଉତ୍କଳ ସାହିତ୍ୟ ସମାଜର ପ୍ରତିଷ୍ଠା ଓ ସମ୍ପାଦନା[ସମ୍ପାଦନା]

ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ଓ ବିକାଶ ଲାଗି ପ୍ରତିଷ୍ଠା ହୋଇଥିବା ସର୍ବପ୍ରାଚୀନ ସାରସ୍ୱତ ଅନୁଷ୍ଠାନ "ଉତ୍କଳ ସାହିତ୍ୟ ସମାଜର ସେ ଥିଲେ ପ୍ରଥମ ପ୍ରତିଷ୍ଠାତା ସଂପାଦକ ।[୬]

ସାମାଜିକ ଜୀବନ[ସମ୍ପାଦନା]

କୁସଂସ୍କାର ଦୂର କରିବା ପାଇଁ ସେ ଲୋକମାନଙ୍କୁ ଅନ୍ଧବିଶ୍ୱାସ ଓ କୁସଂସ୍କାର ମଣିଷର ବିକାଶରେ ପ୍ରତିବନ୍ଧକ ସାଜିବା ବାଦରେ ବୁଝାଉଥିଲେ । ରାଜା ରାମମୋହନ ରାୟଙ୍କ ପ୍ରତିଷ୍ଠିତ ବ୍ରାହ୍ମସମାଜରେ ଯୋଗଦେଇ ପରେ ସାମାଜିକ ପରିବର୍ତ୍ତନ ପାଇଁ ବ୍ରାହ୍ମଧର୍ମର ନୀତି ନିୟମ, ଆଦର୍ଶ ଭାବ ଦେଖି କର ଏହି ଧର୍ମ ଗ୍ରହଣ କରିଥିଲେ । ସେତେବେଳେ ହେଉଥିବା କର୍ମକାଣ୍ଡ ଓ ପୂଜା ପଦ୍ଧତିକୁ ସେ ବିରୋଧ କରି ଓଡ଼ିଶାରେ ବ୍ରାହ୍ମଧର୍ମର ପ୍ରଚାର ପ୍ରସାରର ଭୂମିକା ସଂପାଦନ କରିଥିଲେ । ଜଣେ ସମାଜସେବୀ ଭାବରେ କର ନିଜ ଗ୍ରାମ ମୂଳବସନ୍ତଠାରେ ପ୍ରଥମେ ବାଳକ ଓ ବାଳିକାମାନଙ୍କ ପାଇଁ ଅଲଗା ଅଲଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଇଥିଲେ । ଜଣେ ସାମାଜିକ ସଂସ୍କାରକ ଭାବେ ସେ ଉଭୟ ସବର୍ଣ୍ଣ ଓ ଅସବର୍ଣ୍ଣ ପିଲାମାନଙ୍କୁ ଏକତ୍ର ଶିକ୍ଷା ଦେବାର ବ୍ୟବସ୍ଥା ମଧ୍ୟ କରାଇଥିଲେ । ନିରକ୍ଷରତା ଦୂରୀକରଣ ନିମନ୍ତେ ପୁରୁଷ-ସ୍ତ୍ରୀ, ଶ୍ରମିକ-ମୂଲିଆ, ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଶିକ୍ଷା ଲାଭ ପାଇଁ ସେ ଏକ ନୈଶ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହ ଓ ପ୍ରେରଣା ଦେବା ନିମନ୍ତେ "ଆଲୋକ", "ଜ୍ୟୋତ୍ସ୍ନା", "କୌମୁଦୀ" ନାମକ ହାତଲେଖା ମାସିକ ପତ୍ରିକା ପ୍ରକାଶ କରୁଥିଲେ ।[୬]

ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ[ସମ୍ପାଦନା]

ଜଣେ ସ୍ଵାଧୀନତା ସଂଗ୍ରାମୀ ଭାବେ ସେ ଭାରତୀୟ ଜାତୀୟ କଂଗ୍ରେସରେ ସେ ଯୋଗଦାନ କରିଥିଲେ । ବିହାର ଓ ଓଡ଼ିଶା ବ୍ୟବସ୍ଥାପକ ସଭାକୁ ସେ ପ୍ରତିନିଧି ଭାବରେ ଯାଇଥିଲେ । ଓଡ଼ିଶା-ବିହାର କାଉନ୍‍ସିଲର ସଭ୍ୟ ଥିବା ସମୟରେ ବ୍ୟବସ୍ଥାପକ ସଭାରେ ସେ ନିଜ ମାତୃଭାଷା ଓଡ଼ିଆରେ ଭାଷଣ ଦେଇଥିଲେ । ସେଠାରେ ଅନ୍ୟ ସଭ୍ୟମାନେ ତାଙ୍କୁ ଇଂରାଜୀରେ କହିବା ଲାଗି ବାଧ୍ୟ କଲାପରେ ମଧ୍ୟ ସେ ମାତୃଭାଷା ଓଡ଼ିଆରେ ହିଁ ନିଜର ବକ୍ତବ୍ୟ ରଖିଥିଲେ । ସେହି ସଭାରେ ସେ କହିଥିଲେ[୭] :

ଓଡ଼ିଆ ଏକ ସ୍ୱୀକୃତ ପ୍ରାଚୀନ ଭାଷା, ମୁଁ ଓଡ଼ିଆ, ମୋ ଭାଷା ଓଡ଼ିଆ । ମୋର ଓଡ଼ିଆ ଜିଭକୁ କାଟି ଦେବାର ଅଧିକାର ଏଠାରେ କୌଣସି ମାନ୍ୟବର ସଭ୍ୟଙ୍କର ନାହିଁ ।

—ବିଶ୍ୱନାଥ କର[୬]

ବଙ୍ଗଭଙ୍ଗ କାଳୀନ ଆନ୍ଦୋଳନ, ଓଡ଼ିଶା ବ୍ୟବସ୍ଥାପକ ସଭା, ବହୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ସଭାସମିତିରେ ସେ ଭାଷଣ ଦେଇଥିଲେ । ରବୀନ୍ଦ୍ର ନାଥ ଠାକୁର ଏବଂ ରାମାନନ୍ଦ ଚଟ୍ଟୋପାଧ୍ୟାୟ ବିଶ୍ୱନାଥଙ୍କ ବଙ୍ଗଭଙ୍ଗକାଳୀନ ଭାଷଣରେ ମୁଗ୍ଧ ହୋଇ ତାଙ୍କୁ "ଉତ୍କଳର ସୁରେନ୍ଦ୍ର ନାଥ' ବୋଲି ସମ୍ୱୋଧିତ କରିଥିଲେ । ବ୍ରିଟିଶ ସରକାର ପ୍ରଦତ୍ତ "ରାୟ ସାହେବ' ଉପାଧିକୁ ସେ ପ୍ରତ୍ୟାଖ୍ୟାନ କରି ଦେଇଥିଲେ ।[୬]

୧୯୩୪ ମସିହା ଅକ୍ଟୋବର୧୯ ତାରିଖ ବିଜୟା ଦଶମୀ ତିଥୀରେ ତାଙ୍କର ଦେହାନ୍ତ ହୋଇଥିଲା ।[୬]

ଆଧାର[ସମ୍ପାଦନା]

  1. ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ, ପୃଷ୍ଠା:୨୧୨
  2. Mohanty, Sachidananda (2012). "Welcome to Muse India". museindia.com. Retrieved 27 September 2012. the illustrious editor of Utkal Sahitya, Biswanath Kar 
  3. Sachidanandan Mohanty (୬ January ୨୦୦୫). Early Women's Writings in Orissa, ୧୮୯୮-୧୯୫୦: A Lost Tradition. SAGE Publications. pp. ୨୯–. ISBN ୯୭୮-୦-୭୬୧୯-୩୩୦୮-୩. Retrieved ୨୭ September ୨୦୧୨. 
  4. J. K. Samal; P. K. Nayak; Pradip Kumar Nayak (୧ January ୧୯୯୬). Makers of Modern Orissa: Contributions of Some Leading Personalities of Orissa in the ୨nd Half of the ୧୯th Century. Abhinav Publications. pp. ୮୩–. ISBN ୯୭୮-୮୧-୭୦୧୭-୩୨୨-୯. Retrieved ୨୭ September ୨୦୧୨. 
  5. Jaẏanta Kumāra Dāsa (୧ January ୧୯୯୮). Ramshankar Ray. Sahitya Akademi. pp. ୫୭–. ISBN ୯୭୮-୮୧-୨୬୦-୦୫୪୮-୨. Retrieved ୨୭ September ୨୦୧୨. Utkal Sahitya, a leading monthly magazine of Biswanath Kar was released 
  6. ୬.୦ ୬.୧ ୬.୨ ୬.୩ ୬.୪ ୬.୫ ୬.୬ ସିଂହ, ଡ. ବିଜୟାନନ୍ଦ (୨୪ ଡିସେମ୍ବର ୨୦୧୪). "ସଂସ୍କାରକ ବାଗ୍ମୀ ବିଶ୍ଵନାଥ". http://sambadepaper.com/epaperpdf%5C24122014%5C24-md-bm-10.pdf. Retrieved 24 ଡିସେମ୍ବର 2014. 
  7. Das, Jayanta Kumar (April 2012). "History of Separate Province of Orissa" (PDF). Odisha Review. LXVIII (9): 3–5. Retrieved 25 August 2015.