ରାଧାମୋହନ

ଉଇକିପିଡ଼ିଆ‌ରୁ
ପ୍ରଫେସର ରାଧାମୋହନ
Born
ରାଧାମୋହନ ମହାପାତ୍ର

(1943-01-30)୩୦ ଜାନୁଆରୀ ୧୯୪୩
Died୧୧ ଜୁନ ୨୦୨୧(2021-06-11) (ବୟସ ୭୮)
Cause of deathକରୋନାଭୂତାଣୁ ରୋଗ ୨୦୧୯
Educationସ୍ନାତକୋତ୍ତର (ଆପ୍ଲାଏଡ୍‌ ଇକନୋମିକ୍ସ)
Alma materଉତ୍କଳ ବିଶ୍ୱବିଦ୍ୟାଳୟ, ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ
Occupation(s)ସମାଜସେବୀ, ପରିବେଶବିତ
Spouseବିଜୟଲକ୍ଷ୍ମୀ
Childrenସାବରମତୀ, ବିଶ୍ୱଭାରତୀ ଓ ଅମରାବଦୀ
ରାଧାମୋହନଙ୍କୁ ମରଣତ୍ତୋର ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଉଥିବା ଅବସରରେ

ରାଧାମୋହନ (୩୦ ଜାନୁଆରୀ ୧୯୪୩ - ୧୧ ଜୁନ ୨୦୨୧) ଜଣେ ଗାନ୍ଧୀବାଦୀ ସମାଜସେବୀ, ପରିବେଶବିତ ଓ ଜୈବିକ କୃଷି ପ୍ରବର୍ତ୍ତନ କର୍ମୀ ଥିଲେ । ଜୈବିକ କୃଷି ପଦ୍ଧତିର ପ୍ରସାର ପାଇଁ ସେ ୧୯୯୦ ମସିହାରେ ସମ୍ଭବ ନାମକ ଏକ ଏନଜିଓ ପ୍ରତିଷ୍ଠା କରିଥିଲେ ।[୧] ପରିବେଶ ସୁରକ୍ଷା ଓ ସଂରକ୍ଷଣ ଦିଗରେ କାର୍ଯ୍ୟ କରିଥିବାରୁ ୨୦୨୦ ମସିହାରେ ତାଙ୍କୁ ଓ ତାଙ୍କ କନ୍ୟା ସାବରମତୀଙ୍କୁ ଯୁଗ୍ମଭାବରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।[୨] ସେ ଓଡ଼ିଶାର ସୂଚନା କମିଶନର ଭାବରେ କାର୍ଯ୍ୟ କରିଥିଲେ ।[୩]

ସମ୍ଭବ[ସମ୍ପାଦନା]

ରାଧାମୋହନ ୧୯୯୦ ମସିହାରେ ସମ୍ଭବ ନାମକ ଏକ ଏନଜିଓ ପ୍ରତିଷ୍ଠା କରିଥିଲେ । ଲକ୍ଷ ଥିଲା ପଡ଼ିଆ ଜମିକୁ ଜୈବିକ କୃଷି ମାଧ୍ୟମରେ ଉର୍ବର କରି ଚାଷ କରିବା ।[୪] ଏଥିପାଇଁ ସେମାନେ ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଅଞ୍ଚଳରେ ଏକ ଜମି ବାଛିଥିଲେ । କିଟନାଷକ ଓ ରାସାୟନିକ ସାର ପ୍ରୟୋଗ ବିନା କେବଳ ଜୈବିକ ସାର ପ୍ରୟୋଗ କରି ଏହି ଜମିକୁ ସେମାନେ ଚାଷ ଅନୁକୂଳ କରି ପାରିଥିଲେ । ଏକଦା ଚାଷ ପାଇଁ ସମ୍ପୂର୍ଣ୍ଣ ଅନୁପଯୁକ୍ତ ୩୬ ହେକ୍ଟର ପରିମିତ ସେ ଜମିରେ ବାପଝିଅ ମିଶି ଦୁର୍ଲଭ କିସମର କ୍ଲୋଭ ବିନ, ଜ୍ୟାକ ବିନ, ସୋର୍ଡ଼ ବିନ, କଳା ଚାଉଳ ଏବଂ ଅନ୍ୟାନ୍ୟ ପନିପରିବା ଚାଷ କରିବାରେ ସମର୍ଥ ହେଇଥିଲେ । ଓଡ଼ଗାଁରେ ସେମାନଙ୍କଦ୍ୱାରା ବିକଶିତ ଜଙ୍ଗଲରେ ୧୦୦୦ଟି ବିଭିନ୍ନ କିସମର ବୃକ୍ଷ ଓ ୫୦୦ କିସମର ଧାନ ଓ ୭୦୦ କିସମର ବିହନ ଉତ୍ପାଦ କରାଯାଏ ।[୫] ସବୁ ଜଳବାୟୁରେ ବଞ୍ଚିପାରୁଥିବା ବିଭିନ୍ନ ବିହନର ସଂଗ୍ରହ ଓ ସଂରକ୍ଷଣ ସମ୍ଭବଦ୍ୱାରା କରାଯାଇଥାଏ । "ଆଡପ୍ଟ ଏ ସିଡ଼" କାର୍ଯ୍ୟକ୍ରମ ମାଧ୍ୟମରେ ଚାଷୀମାନଙ୍କୁ ତାଙ୍କ ଅଞ୍ଚଳରେ ଉଧେଇ ପାରୁଥିବା ଉନ୍ନତ ବିହନ ମାଗେଣାରେ ଯୋଗେଇ ଦିଆଯାଇଥାଏ ଓ ସେହି ବିହନର ପୃଷ୍ଠପୋଷକ ହେବାକୁ ଚାଷୀମାନଙ୍କୁ ପ୍ରୋତ୍ସାହିତ କରାଯାଏ । ଏହାଦ୍ୱାରା ଚାଷୀମାନେ ସେହି ବିହନର ଉପଯୋଗ, ସଂରକ୍ଷଣ ଓ ବ୍ୟାପକ ପ୍ରଚାର ଦିଗରେ ସାହାଯ୍ୟ କରନ୍ତି ।[୬]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ରାଧାମୋହନ ୧୯୪୩ ମସିହା ଜାନୁଆରୀ ୩୦ ତାରିଖରେ ନୟାଗଡ଼ ଜିଲ୍ଲାର ରଙ୍ଗଣିପାଟଣାରେ ଜନ୍ମଗ୍ରହଣ କରିଥିଲେ । ସେ ଓଡ଼ଗାଁରେ ସ୍କୁଲ ଶିକ୍ଷା ଓ ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ଅର୍ଥନୀତି ସମ୍ମାନ ସହ ସ୍ନାତକ ଶିକ୍ଷା ଲାଭ କରିଥିଲେ । ୧୯୬୫ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ଆପ୍ଲାଏଡ୍‌ ଇକନୋମିକ୍ସରେ ସ୍ନାତକତ୍ତୋର ଶିକ୍ଷା ଲାଭ କରିଥିଲେ । ତାଙ୍କ ପତ୍ନୀଙ୍କ ନାମ ବିଜୟଲକ୍ଷ୍ମୀ । ତାଙ୍କର ତିନି ଝିଅଙ୍କ ନାମ ସାବରମତୀ, ବିଶ୍ୱଭାରତୀ ଓ ଅମରାବଦୀ ।[୭] କରୋନାରେପିଡ଼ିତ ହୋଇ ୨୦୨୧ ଜୁନ ମାସ ୧୧ ତାରିଖରେ ରାଧାମୋହନଙ୍କର ପରଲୋକ ଘଟିଥିଲା ।[୮]

ବୃତ୍ତିଗତ ଜୀବନ[ସମ୍ପାଦନା]

ବୃତ୍ତିରେ ସେ ଜଣେ ଅଧ୍ୟାପକ ଥିଲେ ଓ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟରେ ଶିକ୍ଷାଦାନ କରି ୨୦୦୧ ମସିହାରେ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ଅବସର ଗ୍ରହଣ କରିଥିଲେ । ଏହା ବ୍ୟତିତ ସେ ରାଜ୍ୟ ସରକାରଙ୍କ ଅଧୀନରେ ବିଜ୍ଞାନ, ସୂଚନା ଓ ପରିବେଶ, ଶିକ୍ଷା ଓ ଯୁବ ସେବ ଏବଂ ଗ୍ରାମ୍ୟ ଉନ୍ନୟନ ଆଦି ବିଭାଗରେ ବିଭିନ୍ନ ପଦବୀରେ କାର୍ଯ୍ୟ କରିଥିଲେ । ସେ ରାଜ୍ୟ ଯୋଜନା ବୋର୍ଡ଼ର ସଦସ୍ୟ, ରାଜ୍ୟ ଜଳଛାୟା ମିଶନର ଉପଦେଷ୍ଟା କମିଟି ସଦସ୍ୟ, ରାଜ୍ୟ ଶିକ୍ଷା ଟାସ୍କଫୋର୍ସର ସଦସ୍ୟ, ରାଜ୍ୟ ବନ୍ୟପ୍ରାଣୀ ପରାମର୍ଶଦାତା କମିଟିର ସଦସ୍ୟ, ଏନ୍‌ଏସ୍ଏସ୍‌ ପରାମର୍ଶଦାତା, ଯୁଗ୍ମ ଜଙ୍ଗଲ ପରିଚାଳନା ଷ୍ଟିୟରିଂ କମିଟିର ସଦସ୍ୟ, କେନ୍ଦ୍ର ସରକାରଙ୍କ ଏନ୍ଏସ୍ଏସ୍‌ ପରିବେଶ କମିଟିର ସଦସ୍ୟ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ସଦସ୍ୟ, ରାଜ୍ୟ ପ୍ରୌଢ଼ଶିକ୍ଷା ସାଧନ କେନ୍ଦ୍ର ଗଭର୍ଣିଂ ବଡ଼ିର ସଦସ୍ୟ, ରାଜ୍ୟ ସାଧନ କେନ୍ଦ୍ରର ଉପଦେଷ୍ଟା, ହାଇଦ୍ରାବାଦସ୍ଥିତ ସେଣ୍ଟର ଫର ୱର୍ଲ୍‌ଡ ସଲିଡାରିଟିର ଉପଦେଷ୍ଟା, ଗୌହାଟୀସ୍ଥିତ ରାଷ୍ଟ୍ରୀୟ ଗ୍ରାମୀଣ ବିକାଶ ନିଧିର ଉପଦେଷ୍ଟା ଓ ଆକାଶବାଣୀର କାର୍ଯ୍ୟକ୍ରମ ପରାମର୍ଶଦାତା କମିଟିର ସଦସ୍ୟ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[୯]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ପଦ୍ମଶ୍ରୀ - ୨୦୨୦
  • ଗ୍ଲୋବାଲ ରୋଲ୍‌ ଅଫ୍‌ ଅନର୍‌ (ୟୁଏନଇପି)
  • ଉତ୍କଳ ସେବା ସମ୍ମାନ - ଓଡ଼ିଶା ସରକାର[୧୦]

ଆଧାର[ସମ୍ପାଦନା]

  1. "Organic Firms" (PDF). ofai.org/. Organic Farming Association of India. Retrieved 6 February 2020.
  2. "Padma Shri For Father-Daughter Who Transformed Wasteland Into A Forest". www.ndtv.com/. ndtv. Retrieved 6 February 2020.
  3. "Odisha: Padma Shri Professor Radhamohan passes away at 78". www.kalingatv.com. kalinga tv. Archived from the original on 11 June 2021. Retrieved 11 June 2021.
  4. Orissa Society of Americas 37th Annual Convention Souvenir: For Annual Convention Held in 2006 at Columbia, Maryland. Odisha Society of the Americas. pp. 65–. GGKEY:8G2ZU2ASK4Z.
  5. "Father, daughter duo gets Padma Shri for 30-year-long conservation experiment". www.thehindu.com. The Hindu. Retrieved 4 February 2020.
  6. "Father-Daughter Duo From Odisha Awarded Padma Shri". sambadenglish.com. sambad english. Retrieved 7 February 2020.
  7. "ଆଉ ନାହାନ୍ତି ଗାନ୍ଧୀମଣିଷ ରାଧାମୋହନ". www.tathya.in. tathya.in. Archived from the original on 11 June 2021. Retrieved 11 June 2021.
  8. "Padma Shri Prof Radhamohan Passes Away". www.odishatv.in. ଓଡ଼ିଶା ଟେଲିଭିଜନ. Archived from the original on 11 June 2021. Retrieved 11 June 2021.
  9. "BIODATA OF PROF. RADHAMOHAN STATE INFORMATION COMMISSIONER" (PDF). www.magazines.odisha.gov.in/. Govt of Odisha. Archived from the original (PDF) on 14 Feb 2019. Retrieved 11 June 2021.
  10. "ପରଲୋକରେ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ, କରୋନାରେ ଆକ୍ରାନ୍ତ ହେବା ପରେ ଚାଲିଥିଲା ଚିକିତ୍ସା". www.prameyanews7.com/. ପ୍ରମେୟ. Retrieved 11 June 2021.