Jump to content

ଯତୀନ ଦାସ

ଉଇକିପିଡ଼ିଆ‌ରୁ
(Jatin Dasରୁ ଲେଉଟି ଆସିଛି)
ଯତୀନ ଦାସ
ଜନ୍ମ(1941-12-02)୨ ଡିସେମ୍ବର ୧୯୪୧
ଦେଉଳସାହି, ବାରିପଦା ମୟୂରଭଞ୍ଜ, ଓଡ଼ିଶା
ଜାତୀୟତାଭାରତୀୟ
ବିଭାଗଚିତ୍ରଶିଳ୍ପୀ
ପ୍ରଶିକ୍ଷଣସାର ଜେ. ଜେ. ସ୍କୁଲ ଅଫ ଆର୍ଟ, ମୁମ୍ବାଇ
ପୁରସ୍କାରପଦ୍ମଭୂଷଣ
ବେବସାଇଟwww.jatindas.com//

ଯତୀନ ଦାସ (ଜନ୍ମ: ୦୨ ଡିସେମ୍ବର ୧୯୪୧[]) ମୟୂରଭଞ୍ଜ ଜିଲ୍ଲାର ବାରିପଦାସ୍ଥିତ ଦେଉଳସାହିଠାରେ ଜନ୍ମିତ ଜଣେ ଚିତ୍ରଶିଳ୍ପୀ ।[] ୨୦୧୨ ମସିହାରେ ଚିତ୍ରକଳା ପାଇଁ ସେ ପଦ୍ମଭୂଷଣ ପୁରସ୍କାର ଲାଭ କରିଛନ୍ତି ।[]

ଜୀବନୀ

[ସମ୍ପାଦନା]

ଯତୀନ, ପିତା ଗୋପୀନାଥ ଦାସ ଓ ମାତା ଭବାନୀଙ୍କର ଚତୁର୍ଥ ସନ୍ତାନ ଭାବରେ ଜନ୍ମଗ୍ରହଣ କରିଥିଲେ । ଡାକନାମ ଥିଲା 'ଯଚା', ଶ୍ରଦ୍ଧାରେ 'ପାଗଳା' ମଧ୍ୟ ଡକା ଯାଉଥିଲା ।[ଆଧାର ଲୋଡ଼ା] ସେ ଶ୍ରୀରାମଚନ୍ଦ୍ର ଉପ୍ରା ବିଦ୍ୟଳୟ ଓ ଶରତ ଚନ୍ଦ୍ର ବିଦ୍ୟାପୀଠରୁ ସ୍କୁଲ ଶିକ୍ଷା ଲାଭ କରିଥିଲେ । ସ୍କୁଲ ବେଳୁ, ଚିତ୍ର ଆଙ୍କିବାରେ ତାଙ୍କର ସଉକ ଥିଲା । ମାଟ୍ରିକ ପାସ କଲା ପରେ, ବାରିପଦାର ଏମ୍.ପି.ସି କଲେଜରୁ ଆଇ.ଏସ.ସି ପାସ କରି, ସେ ପିତାଙ୍କ ଇଚ୍ଚାନୁଯାୟୀ ଜେ.ଜେ.କଲେଜ ଅଫ ଆର୍ଟସରେ ଆର୍କିଟେକ୍ଚର ପଢ଼ିଥିଲେ । ବର୍ଷେ ପରେ ମଡର୍ଣ୍ଣ ଆର୍ଟ ପଢ଼ିବାକୁ ଜିଦ୍ ଧରିବାରୁ, ବାପା ପଢ଼ା ଖର୍ଚ୍ଚ ଦେବା ବନ୍ଦ କରିଦେଇଥିଲେ । ତତକାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ସାକ୍ଷାତ କରି, ଅର୍ଥ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ ଓ ବିଜୁବାବୁ ଅର୍ଥ ମଧ୍ୟ ମଞ୍ଜୁର କରିଥିଲେ । ମଡର୍ଣ୍ଣ ଆର୍ଟ ପାଠରେ ସେ ପ୍ରଫେସର ଏସ. ବି. ପାଲିକରଙ୍କ ସାନିଦ୍ଧ ଲାଭ କରିଥିଲେ ।[] ତାଙ୍କ ଚିତ୍ରକଳା ପାଇଁ ସେ ବହୁସ୍ଥାନରେ ପ୍ରଶଂସିତ ହୋଇଥିଲେ । ମହାରାଷ୍ଟ୍ର ରାଜ୍ୟପାଳଙ୍କଦ୍ୱାରା ପୁରସ୍କୃତ ହୋଇ ଫିନଲ୍ୟାଣ୍ଡର ହେଲେସିଙ୍କିଠାରେ ଅନୁଷ୍ଠିତ ହେଉଥିବା ଯୁବ ମହୋତ୍ସବରେ ଯୋଗଦେବାର ସୁଯୋଗ ମିଳିଥିଲା । ଦିଲ୍ଲୀରୁ ମସ୍କୋ ଗସ୍ତଖର୍ଚ୍ଚ ପାଇଁ ଅର୍ଥାଭାବ ଯୋଗୁଁ, ସେଥିରୁ ତାଙ୍କ ନାଁ କଟି ଯାଇଥିଲା । ପୁଣି ବିଜୁବାବୁଙ୍କ ହସ୍ତକ୍ଷେପ ଓ ଅର୍ଥ ସାହାଯ୍ୟ ବଳରେ ସେ ହେଲେସିଙ୍କି ଯାଇ ପାରିଥିଲେ । ୧୯୬୨ମସିହାରେ ସେ ଆର୍ଟସ୍କୁଲରୁ ପ୍ରଥମ ଶ୍ରେଣୀରେ ପାସ କରିଥିଲେ । ପାସ କରିବା ପରେ, ମୁମ୍ବାଇର ଭୁଲାଭାଇ ବାଟଲିୱଲା ତାଙ୍କୁ ଷ୍ଟୁଡିଓ କରିବାକୁ ଘରଟିଏ ଯୋଗାଇଦେଲେ । ଏଥି ମଧ୍ୟରେ 'ରାଣ୍ଡମ ସ୍କେଚ' ଚିତ୍ର ପଦ୍ଧତିରେ ସେ ପାରଙ୍ଗମ ହୋଇ ପାରିଥିଲେ । ତାଙ୍କ ଚିତ୍ରଗୁଡ଼ିକ ଭାରତ ତଥା ବିଦେଶରେ ପ୍ରଦର୍ଶିତ ହେବାକୁ ହୋଇଥିଲା ।[] ସେ ଭାଗ ନେଇ ଥିବା କିଛି ଉଲ୍ଲେଖନୀୟ ପ୍ରଦର୍ଶନୀ ହେଲା ପ୍ୟାରିସ (୧୯୭୧), କେସେଲ(୧୯୭୫) ଓ ଭେନିସ (୧୯୭୮) । ବିଭିନ୍ନ ଶିକ୍ଷାନୁଷ୍ଠାନ ତରଫରୁ ତାଙ୍କୁ ଅଭିଭାଷଣ ଦେବାକୁ ନିମନ୍ତ୍ରଣ ଆସିଥିଲା । କ୍ରମେ ସେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ସମୂହର ହସ୍ତଶିଳ୍ପ ବୋର୍ଡ଼, ରୁଷିଆରେ ଅନୁଷ୍ଠିତ ହୋଇଥିବା ଭାରତ ମହୋତ୍ସବର ପରାମର୍ଶଦାତା ଓ ବିଭିନ୍ନ ଚଳଚ୍ଚିତ୍ର ଉତ୍ସବର ଜୁରୀ ଭାବରେ ମନୋନୀତ ହୋଇଥିଲେ ।

ଦେଶବିଦେଶରେ ପରିଚିତ ଯତୀନ ନିଜ ଜନ୍ମମାଟି ଓଡ଼ିଶା ସହ ସବୁବେଳେ ଜଡ଼ିତ ରହି ଆସିଛନ୍ତି । ତାଙ୍କରି ନେତୃତ୍ୱରେ ବାରିପଦାରେ 'ମୟୁରଭଞ୍ଜ କଲଚରାଲ ଡେଭେଲପମେଣ୍ଟ ଫାଉଣ୍ଡେସନ' ଓ ଭୁବନେଶ୍ୱରରେ 'ଯତୀନ ଦାସ ସେଣ୍ଟର ଫର ଆର୍ଟସ' (୧୯୯୭) ସ୍ଥାପିତ ହୋଇଛି । ଯତୀନ ଦାସ ସେଣ୍ଟର ଫର ଆର୍ଟସରେ ପ୍ରତିବର୍ଷ 'ମିଟ ଦ ଆର୍ଟିଷ୍ଟ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଚିତ୍ର ଆଙ୍କିବା ବ୍ୟତିତ ରୋଷେଇ କରିବାରେ ଓ ପରିବେଶ ସଫାରଖିବାରେ ତାଙ୍କର ରୁଚି ରହିଛି ।

ବିଞ୍ଚଣା (ପଙ୍ଖା) ସଂଗ୍ରହ କରିବା, ଯତୀନଙ୍କର ଅନ୍ୟ ଏକ ସଉକ । ସେ ଦେଶବିଦେଶର ୫୦୦୦ରୁ ଉର୍ଦ୍ଧ୍ୱ ହାତ ତିଆରୀ ବିଞ୍ଚଣା ସଂଗ୍ରହ କରିଛନ୍ତି ।[]

ପରିବାର

[ସମ୍ପାଦନା]

ଯତୀନ ପ୍ରଥମେ ଲେଖିକା ବର୍ଷା ଦାସଙ୍କୁ ବିବାହ କରିଥିଲେ ଓ ତାଙ୍କ କନ୍ୟା ନନ୍ଦିତା ଦାସ ଜଣେ ଅଭିନେତ୍ରୀ । ପରେ ସେ ବିଦିଷା ରାୟ ଦାସଙ୍କୁ ବିବାହ କରିଛନ୍ତି ଓ ତାଙ୍କଠାରୁ ଯତୀନଙ୍କର ଏକ ପୁଅ ଅଛି ।[]

ପୁସ୍ତକ

[ସମ୍ପାଦନା]

ଯତୀଙ୍କର ଦୁଇଟି ପୁସ୍ତକ ପ୍ରକାଶ ପାଇସାରିଛି ।

  • ଦ ଆର୍ଟ ଅଫ ଯତୀନ ଦାସ - ୨୦୦୩(ରୋଲି ବୁକ୍ସ)
  • ପୋଏମ୍ସ ବାୟ ଯତୀନ ଦାସ - ୧୯୭୨(ରାଇଟର୍ସ ୱାର୍କସପ, କଲିକତା)

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ପଦ୍ମଭୂଷଣ - ୨୦୧୨
  • ଡି.ଲିଟ (ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ‌) - ୨୦୦୮
  • ଭାରତ ନିର୍ମାଣ ପୁରସ୍କାର - ୨୦୦୭[]
  • ଧର୍ମପଦ ପୁରସ୍କାର - ୨୦୧୩ (ଓଡ଼ିଶା ଲଳିତ କଳା ଏକାଡେମୀଦ୍ୱାରା ପ୍ରଦତ୍ତ)[]

ବିବାଦ

[ସମ୍ପାଦନା]

#ମିଠୁ ଅଭିଯାନକ୍ରମେ ଯତୀନ ଦାସଙ୍କ ନାଁରେ ପରିବେଶବିତ୍‌ ନିଶା ବୋରା ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଯତୀନ ଦାସ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ ।[୧୦]

  1. India Who's who. INFA Publications. 2000.
  2. Jatin Das; Shobita Punja (2003). The Art of Jatin Das. Lustre Press. ISBN 978-81-7436-202-5.
  3. Hachette India (30 June 2013). Hachette Children's Infopedia & Yearbook 2013. Hachette India. pp. 58–. ISBN 978-93-5009-555-3.
  4. Rakesh Kumar (1 January 2007). Encyclopaedia of Indian paintings. Anmol Publications Pvt. Ltd. ISBN 978-81-261-3122-8.
  5. Indian Contemporary Art: Post Independence. Vadehra Art Gallery. April 2010. ISBN 978-81-87737-00-1.
  6. "ବ୍ୟକ୍ତିତ୍ୱ". odishanewsnitidin.com. ନିତିଦିନ. Retrieved 13 September 2019.
  7. "The Collector: Jatin Das". www.wsj.com. The Wall Street Journal. Retrieved 13 September 2019.
  8. "ମୁକ୍ତ ଆଳାପ". ପ୍ରମେୟ ୧୯/୦୨/୨୦୧୭ ପୃଷ୍ଠା ୧୦ମୁକ୍ତ ଆଳାପ. Archived from the original on 21 February 2017. Retrieved 24 February 2017.
  9. "ଧର୍ମପଦ ପୁରସ୍କାର ଗ୍ରହଣ କଲେ ଯତୀନ ଦାସ". No. ସମାଜ ୨୨/`୧୦/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୮. ସମାଜ. Archived from the original on 22 October 2020. Retrieved 22 October 2020.
  10. http://www.dharitri.com/main/news/78730

ବାହାର ଆଧାର

[ସମ୍ପାଦନା]