ଦମୟନ୍ତୀ ବେଶ୍ରା
ଦମୟନ୍ତୀ ବେଶ୍ରା | |
---|---|
ଜନ୍ମ | ଦମୟନ୍ତୀ ବେଶ୍ରା ୧୯ ଫେବୃଆରୀ ୧୯୬୨ |
ବୃତ୍ତି | ଅଧ୍ୟାପିକା |
ଦମୟନ୍ତୀ ବେଶ୍ରା (ଜନ୍ମ: ୧୯ ଫେବୃଆରୀ ୧୯୬୨) ଜଣେ ସାନ୍ତାଳୀ ଭାଷା ଲେଖିକା । ୧୯୯୪ରେ "ଜିୱି ଝର୍ନା" ନାମକ କବିତା ସଂକଳନ ଲେଖି ସେ ସାନ୍ତାଳୀ ଭାଷାର ପ୍ରଥମ ଲେଖିକା ଭାବେ ପରିଚିତ ହୋଇଥିଲେ । ତାଙ୍କର "ସାୟ୍ ସାହେଦ୍" କବିତା ସଂକଳନ ପାଇଁ ସେ ୨୦୦୯ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ । ୨୦୧୧ ମସିହାରୁ ସେ "କଦମ ଦାର" ନାମକ ସାନ୍ତାଳୀ ପତ୍ରିକା ପ୍ରକାଶ କରିଆସୁଛନ୍ତି । ସେ ସାନ୍ତାଳୀ ଭାଷାରେ ୨୦ଟି ଓ ଓଡ଼ିଆରେ ୮ଟି ବହି ରଚନା କରିଛନ୍ତି ।[୧] ସାନ୍ତାଳୀରେ ତାଙ୍କର ସାହିତ୍ୟିକ କୃତି ନିମନ୍ତେ ତାଙ୍କୁ ୨୦୨୦ ମସିହାରେ ପଦ୍ମଶ୍ରୀ ସମ୍ମାନ ମିଳିଥିଲା ।[୨]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଦମୟନ୍ତୀ ବେଶ୍ରା ୧୯୬୨ ଫେବୃଆରୀ ୧୯ ତାରିଖରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାସ୍ଥିତ ବବେଇଯୋଡ଼ା ଗାଁରେ ମାତା ପୁଙ୍ଗି ମାଝୀ ଓ ପିତା ରାଜମଲଙ୍କ ଜୈଷ୍ଠ୍ୟ କନ୍ୟା ଭାବେ ଜନ୍ମ ନେଇଥିଲେ । ତାଙ୍କ ଡାକ ନାଁ ଥିଲା ଧିଙ୍ଗିଜ । ସାନ୍ତାଳୀ ପରମ୍ପରା ଅନୁସାରେ ଏହି ନାମ ତାଙ୍କ ଜେଜେମାଙ୍କ ନାମ ଅନୁସାରେ ଦିଆଯାଇଥିଲା । ତାଙ୍କ ଗାଁ ବବେଇଯୋଡ଼ାରେ କୌଣସି ସ୍କୁଲ ନଥିବା ସତ୍ତ୍ୱେ ଜଣେ ସ୍ଥାନୀୟ ବାସିନ୍ଦା ଏକ ଛୋଟ ଚାଳିଆରେ ପିଲାଙ୍କୁ ପଢ଼ାଉଥିଲେ ଓ ସେଠାରେ ସେ ପ୍ରାଥମିକ ଶିକ୍ଷା ପାଇଥିଲେ । ଅନ୍ୟାନ୍ୟ ଛାତ୍ରଛାତ୍ରୀଙ୍କ ସହ ସେ ମଧ୍ୟ ଭୂମିରେ ଖଡ଼ିରେ ଲେଖି ଅକ୍ଷର ଶିଖିଥିଲେ । ତାଙ୍କ ବଡ଼ବାପାଙ୍କ କୌଣସି ସନ୍ତାନ ନଥିବାରୁ ସେ ତାଙ୍କୁ ନିଜ ଝିଅ ଭଳି ପାଳନ କରି ନିଜେ ରହୁଥିବା ଦେଉଳି ଗ୍ରାମରେ ଏକ ସ୍କୁଲରେ ଦମୟନ୍ତୀଙ୍କ ନାମ ଲେଖାଇଥିଲେ । ସେଠାରେ ସେ ତୃତୀୟ ଶ୍ରେଣୀଯାଏ ପଢ଼ିଥିଲେ । ତାହା ପରେ ନିଜ ଗାଁରୁ ୨ କିମି ଦୂର ଚଣ୍ଡୀଦା ସ୍କୁଲରେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ଯାଏ ପଢ଼ିଥିଲେ । ଷଷ୍ଠରୁ ଏକାଦଶ ଶ୍ରେଣୀ ଯାଏ ସେ ରାଇରଙ୍ଗପୁର କନ୍ୟାଶ୍ରମରେ ପଢ଼ିଥିଲେ । ୧୯୭୭ ମସିହାରେ ସେ ସେଠାରୁ ମ୍ୟାଟ୍ରିକ ପାସ କରିଥିଲେ । ରାଇରଙ୍ଗପୁର ପାଖାପାଖି କୌଣସି କଲେଜ ନଥିବାରୁ ସେ ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଆଇ.ଏ.ରେ ନାମ ଲେଖାଇ ୧୯୭୯ରେ ସେଥିରୁ ଉତ୍ତୀର୍ଣ୍ଣ ହୋଇ ପରେ ଓଡ଼ିଆ ସମ୍ମାନ ସହ ୧୯୮୧ରେ ସ୍ନାତକରୁ ଉତ୍ତୀର୍ଣ୍ଣ ହୋଇଥିଲେ । ୧୯୮୩ରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଭାଷାବିଜ୍ଞାନରେ ବିଶେଷ ପେପର ଥାଇ ସ୍ନାତକୋତ୍ତର ଭାବେ ଉତ୍ତୀର୍ଣ୍ଣ ହୋଇଥିଲେ । ପରେ ଚାକିରି କରୁଥିବା ସମୟରେ ୧୯୯୩ ମସିହାରେ ସେ ଓଡ଼ିଆରେ ଏମ. ଫିଲ. ଲାଭ କରିଥିଲେ । ୨୦୦୫ ମସିହାରେ ସେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରୁ "ମୟୂରଭଞ୍ଜର ସାନ୍ତାଳ: ଏକ ସାମାଜିକ ଓ ସାଂସ୍କୃତିକ ଅଧ୍ୟୟନ" ବିଷୟରେ ଡକ୍ଟରେଟ ଲାଭ କରିଥିଲେ ।[୩]
ତାଙ୍କର ପଢ଼ା ଓ ବିଶେଷ କରି ସ୍ନାତକୋତ୍ତର ସମୟରେ ସେ ପ୍ରଥମେ ଲେଖାଲେଖି ଆରମ୍ଭ କରିଥିଲେ । ୧୯୮୭ ମସିହାରେ ଫାଗୁନ ପତ୍ରିକାରେ ତାଙ୍କର ପ୍ରଥମ ଲେଖା ପ୍ରକାଶିତ ହୋଇଥିଲା ।[୪] ୧୯୯୦ ମସିହାରେ ରଘୁନାଥ ମୁର୍ମୁଙ୍କ ଉପରେ ଆଧାରିକ ତାଙ୍କର କବିତା "ଅନଲିଆ" ପ୍ରଥମେ "ଫାଗୁନ କୋଏଲ" ପତ୍ରିକାରେ ପ୍ରକାଶିତ ହୋଇଥିଲା । ୧୯୯୪ ମସିହାରେ ତାଙ୍କର କବିତା ସଂକଳନ "ଜିୱି ଝର୍ନା" ପ୍ରକାଶିତ ହୋଇଥିଲା । ଏହା ଥିଲା ସାନ୍ତାଳୀ ଭାଷାରେ ଜଣେ ଲେଖିକାଙ୍କଦ୍ୱାରା ପ୍ରକାଶିତ ପ୍ରଥମ ପୁସ୍ତକ । ଅଲ ଇଣ୍ଡିଆ ସାନ୍ତାଳୀ ରାଇଟର୍ସ ଆସୋସିଏସନ ତାଙ୍କୁ ଏଥି ପାଇଁ "ବର୍ଷର ଶ୍ରେଷ୍ଠ ଲେଖକ/ଲେଖିକା" ସମ୍ମାନରେ ସମ୍ମାନୀତ କରିଥିଲା । ସାନ୍ତାଳୀ ଭାଷା କେନ୍ଦ୍ର ସାହିତ୍ୟ ଏକାଡେମୀଦ୍ୱାରା ସ୍ୱୀକୃତ ପ୍ରାପ୍ତ ହେବା ପରେ ସେ ପ୍ରଥମ କନଭେନର ଭାବେ ଯୋଗଦେଇଥିଲେ ।[୩]
ବୃତ୍ତିଗତ ଜୀବନ
[ସମ୍ପାଦନା]୧୯୮୫ରେ ସେ ଜୁନିଅର ଏମ୍ପ୍ଲୋଏମେଣ୍ଟ ଅଫିସର ଭାବେ ଯୋଗଦେଇଥିଲେ । ପରେ ଏଜି ଅଫିସରେ କ୍ଲର୍କ-କମ-ଟାଇପିଷ୍ଟ ଭାବେ କାର୍ଯ୍ୟ କରୁଥିବା ବେଳେ ସେ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ପାଇଥିଲେ । ତାହା ପରେ ସେ ମହାରାଜା ପୂର୍ଣ୍ଣଚନ୍ଦ୍ର କଲେଜ, ବାରିପଦାଠାରେ ଅଧ୍ୟାପିକା ଭାବେ ୧୯୮୭ ମସିହାରେ ଯୋଗଦେଇଥିଲେ । ତାଙ୍କର "ସାୟ୍ ସାହେଦ୍" କବିତା ସଂକଳନ ପାଇଁ ସେ ୨୦୦୯ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।[୩]
ପାରିବାରିକ ଜୀବନ
[ସମ୍ପାଦନା]୧୯୮୮ ମସିହାରେ ସେ ଲେଖକ ଓ ବ୍ୟାଙ୍କ ଅଧିକାରୀ ଗଙ୍ଗାଧର ହାଁସଦାଙ୍କୁ ବିବାହ କରିଥିଲେ ।[୩]
ସମ୍ମାନ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "ଭାଷା ସାହିତ୍ୟ ଦେବ ସମାଜକୁ ଦିଗ୍ଦର୍ଶନ". dharitriepaper.in. ୯ ମାର୍ଚ୍ଚ ୨୦୨୦. Retrieved 11 March 2021.
{{cite web}}
: Check date values in:|date=
(help) - ↑ "Odisha's padma prides". The New Indian Express. 26 January 2020. Retrieved 27 January 2020.
- ↑ ୩.୦ ୩.୧ ୩.୨ ୩.୩ "Meet The Author: Damayanti Beshra" (PDF). sahitya-akademi.gov.in. Sahitya Akademi. Retrieved 27 January 2020.
- ↑ "ପରିଚ୍ଛନ୍ନ ଗାଁ ବବେଇଯୋଡ଼ା". No. ଧରିତ୍ରୀ ଛୁଟିଦିନ ୧୧/୧୦/୨୦୨୦ ପୃଷ୍ଠା ୪. ଧରିତ୍ରୀ. Archived from the original on 11 October 2020. Retrieved 11 October 2020.
- ↑ Desk, The Hindu Net (26 January 2020). "Full list of 2020 Padma awardees". The Hindu (in Indian English). Retrieved 27 January 2020.
- ↑ "Meet This Year's Women Padma Shri Awardees Who Saw the Essence of Education and Literature". in.makers.yahoo.com. Retrieved 11 March 2021.