ଜାନକୀ ବଲ୍ଲଭ ପଟ୍ଟନାୟକ
ଜାନକୀ ବଲ୍ଲଭ ପଟ୍ଟନାୟକ | |
---|---|
ରାଜ୍ୟପାଳ, ଆସାମ | |
କାର୍ଯ୍ୟକାଳ ୧୧ ଡିସେମ୍ବର ୨୦୦୯ – ୧୦ ଡିସେମ୍ବର ୨୦୧୪ | |
ପୂର୍ବ ଅଧିକାରୀ | ସୟଦ ସିବତେ ରାଜି |
ପର ଅଧିକାରୀ | ପଦ୍ମନାଭ ଆଚାର୍ଯ୍ୟ |
ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା | |
କାର୍ଯ୍ୟକାଳ ୯ ଜୁନ ୧୯୮୦ – ୭ ଡିସେମ୍ବର ୧୯୮୯ | |
ପୂର୍ବ ଅଧିକାରୀ | ନୀଳମଣି ରାଉତରାୟ |
ପର ଅଧିକାରୀ | ହେମାନନ୍ଦ ବିଶ୍ୱାଳ |
କାର୍ଯ୍ୟକାଳ ୧୫ ମାର୍ଚ୍ଚ ୧୯୯୫ – ୧୭ ଫେବୃଆରୀ ୧୯୯୯ | |
ପୂର୍ବ ଅଧିକାରୀ | ବିଜୁ ପଟ୍ଟନାୟକ |
ପର ଅଧିକାରୀ | ଗିରିଧର ଗମାଙ୍ଗ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଜାନକୀ ବଲ୍ଲଭ ପଟ୍ଟନାୟକ ୩ ଜାନୁଆରୀ ୧୯୨୭ ରାମେଶ୍ୱର, ପୁରୀ ଜିଲ୍ଲା |
ମୃତ୍ୟୁ | ୨୧ ଅପ୍ରେଲ ୨୦୧୫ ତିରୁପତି | (ବୟସ ୮୮)
ରାଜନୀତିକ ଦଳ | କଂଗ୍ରେସ |
ଜୀବନ ସାଥୀ | ଜୟନ୍ତୀ ପଟ୍ଟନାୟକ |
ସନ୍ତାନ | ସୁଦତ୍ତା ପଟ୍ଟନାୟକ |
ଶିକ୍ଷାନୁଷ୍ଠାନ | ଉତ୍କଳ ବିଶ୍ୱବିଦ୍ୟାଳୟ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ |
ୱେବସାଇଟ | Official Website |
ଜାନକୀ ବଲ୍ଲଭ ପଟ୍ଟନାୟକ (୩ ଜାନୁଆରୀ ୧୯୨୭ - ୨୧ ଅପ୍ରେଲ ୨୦୧୫) ଜଣେ ରାଜନୀତିଜ୍ଞ, ବାଗ୍ମୀ, ସାମ୍ବାଦିକ ଓ ଲେଖକ ଥିଲେ । ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଆସାମର ରାଜ୍ୟପାଳ, ତିରୁପତି ରାଷ୍ଟ୍ରୀୟ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳାଧିପତି, ଅଖିଳ ଭାରତୀୟ ପ୍ରାଚ୍ୟବିଦ୍ୟା ସମ୍ମେଳନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିଲେ । ସେ ରାଜନେତା ଜୟନ୍ତୀ ପଟ୍ଟନାୟକଙ୍କୁ ବିବାହ କରିଥିଲେ । ରାଜନେତା ଓ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ତାଙ୍କ ଜ୍ୱାଇଁ ଓ ସମ୍ବାଦର ସମ୍ପାଦକ ତନୟା ପଟ୍ଟନାୟକ ତାଙ୍କ ନାତୁଣୀ । ସେ 'ଇଷ୍ଟର୍ଣ୍ଣ ଟାଇମ୍ସ' ଖବରକାଗଜରୁ ସାମ୍ବାଦିକ ଭାବେ ନିଜର କର୍ମଜୀବନ ଆରମ୍ଭ କରି ପରେ ତାହାର ସମ୍ପାଦକ ହୋଇଥିଲେ । ସେ ଓଡ଼ିଆ ଦୈନିକ ପ୍ରଜାତନ୍ତ୍ରର ମଧ୍ୟ ସମ୍ପାଦକ ହୋଇ ୧୯୬୭ ପର୍ଯ୍ୟନ୍ତ ସେହି ଭାରରେ ଥିଲେ । ୧୯୬୭ ମସିହାରେ ସେ ପୌରୁଷ ପତ୍ରିକା ପ୍ରତିଷ୍ଠା କରି ତାହାର ସମ୍ପାଦକ ଥିଲେ ।
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
[ସମ୍ପାଦନା]ଜାନକୀ ବଲ୍ଲଭ ପଟ୍ଟନାୟକ ପୁରୀ ଜିଲ୍ଲାର ରାମେଶ୍ୱରଠାରେ ଜନ୍ମଗହଣ କରିଥିଲେ ।[୧] ତାଙ୍କର ପିତା ଗୋକୁଳାନନ୍ଦ ପଟ୍ଟନାୟକ ଜଣେ ଲେଖକ ତଥା ଶିକ୍ଷକ ଥିଲେ ।[୨] ୧୯୪୭ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସଂସ୍କୃତରେ ସ୍ନାତକ ଉପାଧି ହାସଲ କରିବା ପରେ ୧୯୪୯ ମସିହାରେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଉପାଧି ହାସଲ କରିଥିଲେ । ସେ ରାଜନେତା ଜୟନ୍ତୀ ପଟ୍ଟନାୟକଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ଝିଅ ସୁଦତ୍ତା ପଟ୍ଟନାୟକ ଶିକ୍ଷାବିଦ୍, ସମ୍ପାଦକ ଓ ରାଜନେତା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିବାହ କରିଥିଲେ । ସମ୍ବାଦର ସମ୍ପାଦକ ତନୟା ପଟ୍ଟନାୟକ ତାଙ୍କ ନାତୁଣୀ ।
ବୃତ୍ତିଗତ ଜୀବନ
[ସମ୍ପାଦନା]ସ୍ନାତକୋତ୍ତର ଶିକ୍ଷା ପରେ ସେ ଇଷ୍ଟର୍ଣ୍ଣ ଟାଇମ୍ସ ଖବରକାଗଜରେ ସାମ୍ବାଦିକ ଭାବେ କର୍ମଜୀବନ ଆରମ୍ଭ କରିଥିଲେ । ୧୯୫୦ରେ ଏହାର ଯୁଗ୍ମ ସମ୍ପାଦକ ଓ ଦୁଇବର୍ଷ ପରେ ଏହାର ସମ୍ପାଦକ ହୋଇଥିଲେ । ଏହା ସହ ସେ ଓଡ଼ିଆ ଦୈନିକ ପ୍ରଜାତନ୍ତ୍ରର ମଧ୍ୟ ସମ୍ପାଦକ ହୋଇଥିଲେ । ୧୯୬୭ ପର୍ଯ୍ୟନ୍ତ ସେ ଉଭୟ ଖବରକାଗଜର ସମ୍ପାଦକ ରହିଆସିଥିଲେ । ୧୯୬୭ ଜୁଲାଇରେ ସେ ପୌରୁଷ ପତ୍ରିକା ପ୍ରତିଷ୍ଠା କରି ଏହାର ପ୍ରଥମ ସମ୍ପାଦକ ହୋଇଥିଲେ ।
ରାଜନୈତିକ ଜୀବନ
[ସମ୍ପାଦନା]ଜାନକୀବଲ୍ଲଭ କୈଶୋରରୁ ଛାତ୍ର ରାଜନୀତି ସହ ଜଡ଼ିତ ଥିଲେ । ୧୯୫୦ ମସିହାରେ ସେ ରାଜ୍ୟ ଯୁବକଂଗ୍ରେସ ସଭାପତି ଥିଲେ । ୧୯୫୪ରୁ ୧୯୬୦ ମସିହା ପର୍ଯ୍ୟନ୍ତ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ କମିଟି ସଦସ୍ୟ ରହି ଆସିଥିଲେ । ୧୯୭୧ ମସିହାରେ ପ୍ରଥମ ଥର ଲାଗି ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ଇନ୍ଦିରା ଗାନ୍ଧୀଙ୍କ କ୍ୟାବିନେଟ୍ରେ ୧୯୭୩ରୁ ୧୯୭୫ ପର୍ଯ୍ୟନ୍ତ ସେ ପ୍ରତିରକ୍ଷା ଉପମନ୍ତ୍ରୀ ଓ ପରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ । ୧୯୮୦ ଜାନୁଆରୀ ସାଧାରଣ ନିର୍ବାଚନରେ ପୁଣିଥରେ ଲୋକ ସଭାକୁ ନିର୍ବାଚିତ ହୋଇ ସେ ପର୍ଯ୍ୟଟନ, ବେସାମରିକ ବିମାନ ଚଳାଚଳ ଓ ଶ୍ରମ ବିଭାଗର ମନ୍ତ୍ରୀପଦ ସମ୍ଭାଳିଥିଲେ । ୧୯୮୦ ଜୁନ ମାସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦ ଅଳଂକୃତ କରିଥିଲେ ଜାନକୀବଲ୍ଲଭ ଓ ଆଠଗଡ଼ ନିର୍ବାଚନ ମଣ୍ଡଳୀରୁ ଉପନିର୍ବାଚନରେ ବିଜୟୀ ହୋଇଥିଲେ । ଦ୍ୱିତୀୟ ଥର ପାଇଁ ୧୯୮୫ ନିର୍ବାଚନରେ ସେ ଉଭୟ ଖୋର୍ଦ୍ଧା ଓ ଆଠଗଡ଼ ଆସନରୁ ବିଧାନ ସଭାକୁ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୯୯୫ ମସିହାରେ ସେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୦୯ ମସିହାରେ ତତ୍କାଳୀନ କଂଗ୍ରେସ ନେତୃତ୍ୱାଧୀନ କେନ୍ଦ୍ର ସରକାର ଜାନକୀବଲ୍ଲଭଙ୍କୁ ଆସାମର ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ । ସେହିବର୍ଷ ଡିସେମ୍ବର ୧୧ତାରିଖରେ ସେ ମହାମହିମ ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।[୩]
ସାହିତ୍ୟ ସର୍ଜନା
[ସମ୍ପାଦନା]ଜାନକୀ ବଲ୍ଲଭଙ୍କଦ୍ୱାରା ଲିଖିତ ଓ ଅନୁଦିତ ପୁସ୍ତକ ଗୁଡ଼ିକ ହେଲା:
- ସିନ୍ଧୁ ଉପତ୍ୟକା (କାବ୍ୟ)
- ଗୌତମ ବୁଦ୍ଧ (ଚରିତଗାଥା)
- ମାଲୁଣୀର ଫୁଲ ଓ ଅନ୍ୟାନ୍ୟ ଗଳ୍ପ (ଗଳ୍ପ ସଙ୍କଳନ)
- ସ୍ୱପ୍ନ ସନ୍ତକ (ପ୍ରବନ୍ଧ ସଙ୍କଳନ)
- ନିର୍ବାଚିତ ପ୍ରବନ୍ଧ (ପ୍ରବନ୍ଧ ସଙ୍କଳନ)
- ବିବିଧ ସ୍ତମ୍ଭ (ପ୍ରବନ୍ଧ ସଙ୍କଳନ)
- ପ୍ରବନ୍ଧ ସଙ୍କଳନ
- ମହାଭାରତ
- ରାମାୟଣ
- ସ୍ୱାଧୀନତା ସଂଗ୍ରାମର ସ୍ମୃତି
- ବାଚସ୍ପତି ମହୋଦୟ (୨୦୧୨): ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ବିରୋଧୀ ଦଳର ନେତାଭାବେ ଓଡ଼ିଶା ବିଧାନ ସଭାରେ ଦେଇଥିବା ବକ୍ତବ୍ୟ ଗୁଡ଼ିକର ସଙ୍କଳନ
ଅନୁବାଦ
[ସମ୍ପାଦନା]- ରାଜା ଭର୍ତ୍ତୃହରି ପ୍ରଣୀତ ନୀତି ଶତକ, ଶୃଙ୍ଗାର ଶତକ ଓ ବୈରାଗ୍ୟ ଶତକର ଓଡ଼ିଅା କାବ୍ୟାନୁବାଦ
- ବଙ୍କିମ ଉପନ୍ୟାସ ମାଳା (ଛଅ ଖଣ୍ଡ)
- ଶ୍ରୀମଦ ଭାଗବତର ଗଦ୍ୟାନୁବାଦ
- ଗୋକୁଳାନନ୍ଦ ଗ୍ରନ୍ଥାବଳି
ସମ୍ପାଦନା
[ସମ୍ପାଦନା]- ସମ୍ପାଦକ, ଇଷ୍ଟର୍ଣ୍ଣ ଟାଇମ୍ସ (ଇଂରାଜୀ ଦୈନିକ), ୧୯୫୨-୬୬
- ସମ୍ପାଦକ, ପ୍ରଜାତନ୍ତ୍ର, (ଓଡ଼ିଆ ଦୈନିକ) ୧୯୫୨-୬୭
- ପ୍ରତିଷ୍ଠାତା ଓ ସମ୍ପାଦକ, ପୌରୁଷ (ମାସିକ ଓଡ଼ିଆ ପତ୍ରିକା), ୧୯୬୭
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ), ୨୦୦୧
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ), ୧୯୮୬ (ବୈରାଗ୍ୟ ଶତକ)[୪]
- ଉତ୍କଳ ରତ୍ନ ସମ୍ମାନ, ୨୦୧୧ [୫]
- ସାହିତ୍ୟ ଭାରତୀ ସମ୍ମାନ, ୨୦୧୨[୬]
- ମାଲବ୍ୟ ସ୍ମୃତି ସମ୍ମାନ
- ଡିଲିଟ୍
ମୃତ୍ୟୁ
[ସମ୍ପାଦନା]ଅପ୍ରେଲ ୨୧ରେ ତିରୁପତିଠାରେ ତାଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳେ ତାଙ୍କୁ ୮୯ ବର୍ଷ ହୋଇଥିଲା ।[୭]
ଆଧାର
[ସମ୍ପାଦନା]- ↑ "Odisha Files: Events: Shri Janaki Ballav Patnaik". odishafiles.com. 2012. Archived from the original on 1 June 2014. Retrieved 5 February 2013.
born on 3rd January 1927 at Rameswar of Puri.
- ↑ http://sambad.in/state/janaki-pattnaik-93-birthday-celebration-466877/
- ↑ ପଣ୍ଡା, ଶୁଭ୍ରାଂଶୁ. "ରାଜଭବନରେ ଓଡ଼ିଆ" (PDF). ସମ୍ବାଦ. Retrieved 13 December 2014.[permanent dead link]
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 9 October 2017.
- ↑ "Former Governor JB Patnaik passes away". The Assam Tribune. Archived from the original on 18 October 2020. Retrieved 19 July 2015.
- ↑ "ଜାନକୀ ବଲ୍ଲଭଙ୍କୁ ସାହିତ୍ୟ ଭାରତୀ ସମ୍ମାନ". dharitri.com. ୧୦ ମାର୍ଚ୍ଚ ୨୦୧୩. Retrieved 11 March 2021.
{{cite web}}
: Check date values in:|date=
(help) - ↑ "Former Odisha Chief Minister J.B Patnaik dies". The Hindu. Retrieved 21 April 2015.